Unknown

 

 

 

 

 

 

 

 

 

କଥା ଉପକଥା

 

ସଂଯୋଜନା

ଫନୀ ମହାନ୍ତି, ସୁବୋଧ ଦାସ

 

 

 

 

 

 

 

 

 

 

 

 

ଅନ୍ତରଙ୍ଗ ଶ୍ରୀ ଓ ଶ୍ରୀମତୀ ରଘୁନାଥ ସେନାପତିଙ୍କ ହାତରେ..........

 

ଆମ କଥା

 

ଇଚ୍ଛାକୃତ ଭାବେ କୌଣସି ସଫେଇଦେବାକୁ ଆମେ ଚାହୁଁନି । ଏମିତିକା ସଂକଳନଟିଏ କରିବା ପଛରେ କି ଗୂଢ଼ ସତ୍ୟ ଲୁକ୍‌କାୟିତ ରହିଚି, ତା’ର କାରଣ ଦର୍ଶାଇବାକୁ ଆମେ ବାଧ୍ୟ ନୋହୁଁ-। ଓଡ଼ିଆ ଭାଷାରେ ଆମ ପୂର୍ବରୁ ଏମିତି ବହୁ ଉଦ୍ୟମ ହୋଇସାରିଚି । ମୁଷ୍ଟିମେୟ କେତେକ ସଫଳ ସ୍ରଷ୍ଟାମାନଙ୍କର ସୃଜନୀକୁ ଏକତ୍ରିତ କରି ସଂକଳନକାରମାନେ ଏକ ବୌଦ୍ଧିକ ଇନ୍ଦ୍ରଜାଲ ସୃଷ୍ଟି କରିଛନ୍ତି । କେଉଁଠି ସଂକଳନଟି ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ସ୍ତରରେ ରହିଯାଇଚି ତ, ଅନ୍ୟକେଉଁଠି ନିଛକ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ ନେଇ ଆତ୍ମପ୍ରକାଶ କରିଚି-

ସମସ୍ତ ସମ୍ଭାବନା ପ୍ରତି ଯଥେଷ୍ଟ ସତର୍କ ଥାଇ ଆମେ ଏଇ ଗଳ୍ପ ସଂକଳନର ଦାୟିତ୍ୱ ନେଇଛୁ । ଭିନ୍ନ ଭିନ୍ନ ସ୍ୱାଦର ସମଷ୍ଟିରେ ରୁଦ୍ଧିମନ୍ତ ହୋଇ ଆତ୍ମପ୍ରକାଶ କରିଚି କଥା ଉପକଥା । ସାଂପ୍ରତିକ ସମାଜ ବ୍ୟବସ୍ଥା, ଧ୍ୱଜଭଙ୍ଗୀ ଜଗତର ଗୋଟିଏ ଅସହାୟ ମଣିଷର ବିକଳ ନଗ୍ନ ଚିତ୍ର ତା’ର ଚିନ୍ତା ଓ ଚେତନା ମନସ୍ତାତ୍ତ୍ୱିକ ବିଶ୍ଳେଷଣଠାରୁ ଆରମ୍ଭ କରି, ଓଡ଼ିଆ ଗଳ୍ପ ସାହିତ୍ୟରେ ନବ ତରଙ୍ଗର ଯେଉଁ ଆନ୍ଦୋଳନ ଚାଲିଛି ତାହାର ‘ଚେତନା ପ୍ରବାହ’ ବା ‘ସ୍ଥିତିବାଦ’ ବା ଯେକୌଣସି ‘ଆଣ୍ଟି ମୁଭ୍‌ମେଣ୍ଟ’କୁ ବୁଝାଉ ପଛକେ, ସେ ସବୁର ଏକ ପୂର୍ଣ୍ଣାଙ୍ଗ ଚିତ୍ରକୁ ରୂପ ଦେବାକୁ ଆମେ ଏଠାରେ ଯତ୍‌ପରୋନାସ୍ତି ଚେଷ୍ଟା କରିଚୁ ।

କଥା ଉପକଥାର ଯେକୌଣସି ବିଦ୍‌ଗଧ ପାଠକ ନିକଟରେ ଗୋଟିଏ ରାସ୍ତା ପରିବର୍ତ୍ତେ ବହୁ ରାସ୍ତା, ଗଳି ଓ ଉପଗଳି ପଡ଼ି ରହିଚି । ନିର୍ଭୟରେ ସେ ଯେକୌଣସିଟିକୁ ବାଛି ନେଇ କିଛି ସମୟ ମନ ଖୁସିରେ ଚଲାବୁଲା କରିପାରେ । ରହସ୍ୟର ଘନ କୁଜ୍‌ଝଟିକା ଭେଦକରି ପରମାନନ୍ଦର ସନ୍ଧାନ କରିପାରେ । କେବଳ କାହାଣୀ ସର୍ବସ୍ୱ ବା ପ୍ଳଟହୀନ ଗଳ୍ପର ସମାହାରରେ କଥା ଉପକଥା ଜନ୍ମ ନେଇନି । ବହୁବିଧ ମାନସ–ସନ୍ତାନଙ୍କୁ କୋଳରେ ଧରି ଓ ସେମାନଙ୍କର ଲାଳନପାଳନ ଭାର ହାତକୁ ନେଇଥିବାରୁ ଏହା ନାନା ଆଶା ଓ ଆଶଙ୍କାରେ ଦୋଦୁଲ୍ୟମାନ ହୋଇ ରାଜପଥରେ ପ୍ରଥମ କୁନିପାଦ ରଖିଚି । ଚିହ୍ନା ଗ୍ରାହକମାନେ ପ୍ରକୃତ ମୂଲ୍ୟାଙ୍କନ କରିପାରିଲେ ଆମ ଶ୍ରମ ସାର୍ଥକ ହୋଇଚି ବୋଲି ଜାଣିବୁ । ଆମର ଅନୁରୋଧକୁ ଏଡ଼େଇ ନ ଦେଇ ଯେଉଁମାନେ ଆମ ହାତ ସହିତ ହାତ ମିଳେଇଛନ୍ତି, ସେମାନଙ୍କ ଋଣ ଆମେ ଆଦୌ ଶୁଝିପାରିବୁନି । ଅନ୍ୟ ଯେଉଁମାନେ ଆମ ସାଙ୍ଗେ ମୁହଁରେ ରଙ୍ଗ ମାଖି ମଞ୍ଚକୁ ଆସିନାହାନ୍ତି, ସେମାନଙ୍କୁ ଆମେ ଇଚ୍ଛାକୃତ ଭାବେ ଆମ ସାଥିରେ ନ ଆଣି ଦର୍ଶକ ଗ୍ୟାଲେରୀରେ ବସେଇ ଦେଇ ଆସିଚୁ ଏଇ ବିଶ୍ୱାସରେ ଯେ, ପ୍ରକୃତ ସତ୍ୟାସତ୍ୟ ମୂଲ୍ୟାଙ୍କନ କରିବା ଦିଗରେ ସେମାନେ ଏକ ନିଶ୍ଚିତ ପଦକ୍ଷେପ ନେବେ ।

ଫ୍ରେଣ୍ଡସ୍ ପବ୍ଲିଶର୍ସର ସ୍ୱତ୍ୱାଧିକାରୀ ଶ୍ରୀଯୁକ୍ତ ସହଦେବ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜଣେଇବାକୁ ଆମ ପାଖେ ଆବଶ୍ୟକୀୟ ଭାଷା ନାହିଁ । ସେ ଯେ ସାହସର ସହିତ ଏକ ମସ୍ତବଡ଼ ରିସ୍‌କ ହାତକୁ ନେଇଚନ୍ତି, ସେଥିପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ ।

ଏକ ମୁହୂର୍ତ୍ତରେ ମନକୁ ପାଇଯିବା ଭଳି ନାଁଟିଏ ବାଛି ଦେଇଥିବାରୁ କଥାକାର ବନ୍ଧୁ ଶିଶିର ମହାପାତ୍ର ଓ ବିଭିନ୍ନ କ୍ଷେତ୍ରରେ ଆମକୁ ଅକୁଣ୍ଠିତ ସାହାଯ୍ୟ ଦେଇଥିବାରୁ ବନ୍ଧୁ ଗୁରୁ ମହାନ୍ତି, ପ୍ରସନ୍ନ ପାଟଶାଣୀ, ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ରଥ ଓ ଅଧ୍ୟାପକ ବୈଷ୍ଣବ ଚରଣ ସାମଲଙ୍କୁ ଆମେ ବଧେଇ ଜଣାଉଚୁ ।

ସଂଯୋଜକ

Image

 

ପୃଷ୍ଠା ପାହାଚରେ ଯାହାଙ୍କର ନିଜସ୍ୱ ଉକ୍ତି

 

୧.

ଅକ୍ଷୟ ମହାନ୍ତି

୨.

ଅଶୋକ ଚନ୍ଦନ

୩.

ଅଚ୍ୟୁତାନନ୍ଦ ପତି

୪.

ଅକ୍ଷୟ କୁମାର ମହାନ୍ତି

୫.

ଉମା ଶଙ୍କର ପଣ୍ଡା

୬.

ଉମା ଶଙ୍କର ମିଶ୍ର

୭.

କହ୍ନେଇଲାଲ ଦାସ

୮.

କୁଞ୍ଜ ରାୟ

୯.

କୈଳାସ ଲେଙ୍କା

୧୦.

ଗୁରୁ ମହାନ୍ତି

୧୧.

ଗୌର ପଟ୍ଟନାୟକ

୧୨.

ଚନ୍ଦନ

୧୩.

ଦୟାଲାଲ ଯୋଶୀ

୧୪.

ନିମାଇଁ ପଟ୍ଟନାୟକ

୧୫.

ପଦ୍ମଜ ପାଳ

୧୬.

ପ୍ରସନ୍ନ କୁମାର ପାଟଶାଣୀ

୧୭.

ପ୍ରଶାନ୍ତ ପଟ୍ଟନାୟକ

୧୮.

ପ୍ରମୋଦ ପଣ୍ଡା

୧୯.

ପ୍ରଫୁଲ୍ଲ କୁମାର ତ୍ରିପାଠୀ

୨୦.

ପ୍ରଫୁଲ କୁମାର ରଥ

୨୧.

ପ୍ରିୟବ୍ରତ ଦାସ

୨୨.

ପୂର୍ଣ୍ଣାନନ୍ଦ ଦାନୀ

୨୩.

ଫନୀ ମହାନ୍ତି

୨୪.

ବିଶ୍ୱରଞ୍ଜନ

୨୫.

ବୀଣାପାଣି ମହାନ୍ତି

୨୬.

ରବି ପଟ୍ଟନାୟକ

୨୭.

ସତ୍ୟ ମିଶ୍ର

୨୮.

ସୁବୋଧ ଦାସ

୨୯.

ହରିହର ମିଶ୍ର

୩୦.

ରତ୍ନାକର ଚଇନି

୩୧.

ରଘୁନାଥ ସେନାପତି

Image

 

ଲୋହିତରଳ୍ପ

ଅକ୍ଷୟ ମହାନ୍ତି

 

ଉପରେ ପଡ଼ି ଜହ୍ନ ଆକାଶକୁ ପଶିଲା । ସେତେବେଳେ ସହରର ବତୀମାନେ ସନ୍ଧ୍ୟା ପ୍ରହରର ଉଷ୍ମ ଅନୁଭୂତି ସଂପର୍କରେ ପରସ୍ପର ମଧ୍ୟରେ ଆଲୋଚନା କରୁଥିଲେ । ପ୍ରତ୍ୟେକ ଗଳିର ଟେଲିଫୋନ ଖୁଣ୍ଟମାନେ ନିଜ ନିଜ ଭିତରେ ଭାବ ଆଦାନ ପ୍ରଦାନ କରୁଥିଲେ ଅସ୍ପଷ୍ଟ ଗୁଞ୍ଜନ କରି-। ଗଳିର କୁକୁରମାନେ ଭୁକିଉଠିଲେ । ସତେଅବା ସେମାନଙ୍କ ଆଗରେ ଗୋଟେ ଅଣ–ଜଗତର ପ୍ରାଣୀ ଆସି ଠିଆ ହୋଇଗଲା । ହଁ, ଅଣଜଗତ ନ ହେଲେ ବି ସେ ଭୌତିକ । ଆଶ୍ଚର୍ଯ୍ୟ ଭୂତ ସେ-। ଅବଶ୍ୟ ଭୂତ ସିଏ । କାରଣ ଜହ୍ନ ସେଦିନ ତା’ର ସମସ୍ତ ଜ୍ୟୋତ୍ସ୍ନାକୁ ଠୁଳ କରି ଗଢ଼ିଥିଲା ଗୋଟେ ଜୀବନ୍ତ ପୁରୁଷ । ଅତି ଅଦ୍ଭୁତ ତା’ର ଗତି । ଅତି ଚମତ୍‌କାର ତା’ର ବ୍ୟାପ୍ତି । ଅତି ଆଶ୍ଚର୍ଯ୍ୟଜନକ ତା’ର ଶକ୍ତି । ତା’ର ଖୋଲା ହାତ ଦୁଇଟା ଏକ ସମୟରେ ମହାନଦୀ ଏବଂ କାଠଯୋଡ଼ୀ ବାଲିରେ ଗାର କାଟି ଛକି ଶୂନ୍‌ ଖେଳ ଖେଳିପାରୁଥିଲା । ଅଥଚ ବିକୃତ ଦୈତ୍ୟ ପରି ନୁହେଁ ତା’ର ସ୍ୱାସ୍ଥ୍ୟ-। ତା’ର ସ୍ୱାସ୍ଥ୍ୟ । ଏକ ଲୋଭନୀୟ ସ୍ୱପ୍ନ । ସେ ପୁଣି ଗତି କରିପାରୁଥିଲା ଏକ ସଙ୍ଗେ ସହରର ସମସ୍ତ ରାସ୍ତାରେ । ପ୍ରତି ଗଳିରେ ତା’ର ପାଦଶବ୍ଦ । ପ୍ରତି ଛକରେ ତା’ର ଦେହର ଗନ୍ଧ । ସେ ପୁଣି କଥା କହିପାରୁଥିଲା ଯେକୌଣସି ବ୍ୟକ୍ତି ସଙ୍ଗେ ତା’ର ବ୍ୟକ୍ତିଗତ ସ୍ୱପ୍ନରେ । ଅଥଚ ସେ ଥିଲା ଏକ ଜୀବନ୍ତ ପୁରୁଷ ।

 

ଏକ ଅସ୍ୱାଭାବିକ ଜିଜ୍ଞାସା ନେଇ ଜ୍ୟୋତ୍ସ୍ନାର ଅତ୍ୟାଶ୍ଚର୍ଯ୍ୟ ଜୀବନ୍ତ ପୁରୁଷ ଆଗେଇଲା ସହରର ପୂର୍ବ ପଟୁ । ସେତେବେଳେ ଗଳିର କୁକୁରମାନେ ଭୁକି ଭୁକି ଥକିଗଲେଣି ।

 

କିନ୍ତୁ ସହରରେ ଏକ ଘଞ୍ଚ ବନର ନୀରବତା । ଏତେ ନୀରବତା, ମନେହେଉଥିଲା ଯେପରି ସମସ୍ତ ସହର ଏକ ମୃତ ନଦୀର ଶଯ୍ୟା । ଏକ ବିଚିତ୍ର ନିଦ ସେଦିନ ଘାରିଥିଲା ସହରର ପ୍ରତ୍ୟେକ ଲୋକକୁ । ଜ୍ୟୋତ୍ସ୍ନା ତା’ର ଭୌତିକ ଅସ୍ତିତ୍ୱ ନେଇ ଛିଡ଼ାହେଲା ରେଳ ଷ୍ଟେସନ ପାଖରେ ଏକ ଅନଭିଜ୍ଞ ପର୍ଯ୍ୟଟକ ପରି । ସେତେବେଳେ ଯାତ୍ରୀମାନେ ଶୋଇଛନ୍ତି, ସତେଯେମିତି ରେଳଟିକେଟ ପରିବର୍ତ୍ତେ କାଉଣ୍ଟର କ୍ଲର୍କ ତାଙ୍କୁ ଦେଇଥିଲା ଟିକେ ଟିକେ ଚଣ୍ଡୁ । ଜ୍ୟୋତ୍ସ୍ନା ଯାତ୍ରୀମାନଙ୍କ ମୁହଁକୁ ଲକ୍ଷ୍ୟ କରି ଚିହ୍ନିବାକୁ ଚେଷ୍ଟାକଲା–କିଏ ଏମାନଙ୍କ ଭିତରେ ଏ ସହରର ସ୍ଥାୟୀ ବାସିନ୍ଦା ହୋଇପାରେ । ଯାତ୍ରୀମହଲରୁ କାହାକୁ ନ ପାଇ ଜ୍ୟୋତ୍ସ୍ନା ପ୍ଳାଟଫର୍ମ ଭିତରେ ପ୍ରବେଶ କଲା । ସେଦିନ ସମସ୍ତ ଟିକେଟ୍ କଲେକ୍ଟର ନିଜ ନିଜ କଳାକୋଟ୍‌ଗୁଡ଼ିକୁ ପ୍ଲାଟଫର୍ମରେ କୁଢ଼େଇ କରିଥିଲେ କ୍ୟାମ୍ପ ଫାୟାର, ଆଉ ସେଇ ପାଉଁଶ ଚାରି ପାଖରେ ସେମାନେ ଶୋଇପଡ଼ିଥିଲେ ନିଶ୍ଚିନ୍ତରେ; କାରଣ ସେମାନେ ହୁଏତ ଜାଣିଥିଲେ ଯେ, ଆଜି ରାତିରେ କୌଣସି ଟ୍ରେନ୍ କଟକ ଭିତରକୁ ଆସିପାରୁନି, ଯେହେତୁ ମହାନଦୀ ଓ କାଠଯୋଡ଼ି ପୋଲ ଉପରେ ହଠାତ୍‌ ତୁଷାର ବୃଷ୍ଟି ହେବାଫଳରେ ସେଗୁଡ଼ିକ ଗୋଟିଏ ଗୋଟିଏ ସଫେଦ ପାଚେରୀ ହୋଇ ଛିଡ଼ା ହୋଇଛନ୍ତି ନଦୀ ବକ୍ଷରେ । ସେମାନଙ୍କ ଅଳ୍ପଦୂରରେ ଶୋଇଥିବା ଗୋଟେ କୁଲିକୁ ଜ୍ୟୋତ୍ସ୍ନା ପ୍ରଶ୍ନ କଲା । ଅବଶ୍ୟ ସ୍ୱପ୍ନରେ ।

 

ଜ୍ୟୋତ୍ସ୍ନା–‘‘ବଡ଼ ଆଶ୍ଚର୍ଯ୍ୟ କଥା । ଏ ସହରରେ କ’ଣ ଆଜି ତେବେ ସମସ୍ତେ ସ୍ୱପ୍ନବିଭୋର, ସମସ୍ତେ ତନ୍ଦ୍ରାଚ୍ଛନ୍ନ ?’’

 

କୁଲି– ‘‘ନାଇଁ ଆଜ୍ଞା, ଜଣେ ମାତ୍ର ଉଜାଗରରେ ସ୍ୱପ୍ନ ଦେଖୁଥିବ ।’’

 

ଜ୍ୟୋତ୍ସ୍ନା– ‘‘କିଏ ସେ ?’’

 

କୁଲି– ‘‘ଅକ୍ଷୟ ମହାନ୍ତି ।’’

 

ଜ୍ୟୋତ୍ସ୍ନାର କୌତୂହଳ ସବୁ ସିମିଳିତୁଳା ପରି ଆକାଶରେ ଉଡ଼ିବାକୁ ଲାଗିଲେ । ତଥାପି ସେ ଜିଜ୍ଞାସାକୁ ତା’ର ପଞ୍ଜରାହୀନ ଛାତି ଭିତରେ ଚାପିଧରି ଆଗେଇଆସିଲା କଲେଜ ଛକ ଆଡ଼କୁ-। ସହରରେ ପ୍ରଥମ ପ୍ରବେଶରେ ଜଣେ ଗଣ୍ୟମାନ୍ୟ ବ୍ୟକ୍ତିକୁ ପ୍ରଶ୍ନ କରିବା ପରିବର୍ତ୍ତେ ଜଣେ ଇତର ବ୍ୟକ୍ତି ସହିତ ବାକ୍ୟାଳାପ କରିଥିବା ହେତୁ ସେ ତା’ର କୁହୁଡ଼ିଆଚ୍ଛନ୍ନ ମନରେ ଲଜ୍ଜିତ ହେଉଥିଲା-

 

ଆଖିଆଗରେ କଲେଜ ସଡ଼କ । ପ୍ରଜ୍ଞାର ପ୍ରଖର ସ୍ରୋତ ପରି ଏହି ରାସ୍ତା ପୋଲ ଉପରକୁ ଉଠିଯାଇଛି । ଜ୍ୟୋତ୍ସ୍ନା ଚିନ୍ତାକଲା ମୁଖରେ ତା’ର ସ୍ନାତକୋତ୍ତର ଛାତ୍ରର କୃତ୍ରିମ ଗାମ୍ଭୀର୍ଯ୍ୟ-। ଆପାତତଃ କେଉଁ ବ୍ୟକ୍ତିକୁ ପ୍ରଶ୍ନକଲେ ପ୍ରଶ୍ନକର୍ତ୍ତାର ସମ୍ମାନ ଅକ୍ଷୁଣ୍ଣ ରହିବ ଏବଂ ସହର ସଂପର୍କରେ ପ୍ରକୃତ ସମ୍ବାଦ ମିଳିପାରିବ ? ପୂର୍ବ ଛାତ୍ରାବାସର ସବୁ ଝରକାରେ ଜ୍ୟୋତ୍ସ୍ନା ହାତ ମାରିଗଲା । ସବୁ ଝରକା ଫାଙ୍କଦେଇ ଭିତରକୁ ଉଙ୍କିମାରିଲା । ଏକ ଅଖଣ୍ଡ ନୀରବତା ଏବଂ କଦାଚିତ୍‌ ଦୀର୍ଘଶ୍ୱାସର ଝଡ଼ ମଶାରିକୁ ଦୋହଲାଇ ଦେଉଛି । କେବଳ ଗୋଟିଏ ରୁମ୍‌ରେ ଜଣେ ଛାତ୍ର ଆଲୋକ ଜଳୁଥିବା ଅବସ୍ଥାରେ ଶୋଇପଡ଼ିଛି ଏବଂ ତା’ର ଖୋଲାଦେହ ଉପରେ ଜ୍ୟୋତ୍ସ୍ନା ତା’ର ତୁଳାପରି ଆଙ୍ଗୁଳି ଚଳାଇ ପ୍ରଶ୍ନକଲା–

 

ତୁମେ ବୁଦ୍ଧିମାନ ନିଶ୍ଚୟ ଏବଂ ମନେହେଉଛି ତମେ ଜଣେ ମେଧାବୀ ଛାତ୍ର ?

 

ହଁ । ଠିକ୍ ଚିହ୍ନିଚନ୍ତି । କିନ୍ତୁ ଆପଣ କାହାକୁ ଖୋଜୁଛନ୍ତି ?

 

ମୁଁ ଖୋଜୁଛି–ଏ ସହରର ସର୍ବଶ୍ରେଷ୍ଠ ଜ୍ଞାନୀ ତଥା ଦାର୍ଶନିକଙ୍କୁ ?

 

ଛାତ୍ରଟି ତା’ର ସମସ୍ତ ଗର୍ବକୁ ତା’ ବହି ଫାଙ୍କରେ ଚାପିଦେଇ ଉତ୍ତର ଦେଲା, ‘‘ଆପଣ ତା’ହେଲେ ଅକ୍ଷୟ ମହାନ୍ତିଙ୍କୁ ଖୋଜୁଛନ୍ତି ।’’

 

ଜ୍ୟୋତ୍ସ୍ନାର ଭୌତିକ ଅସ୍ତିତ୍ୱ ଝଲକାଏ ପବନର ଦୀର୍ଘଶ୍ୱାସ ଛାଡ଼ି ଆଶ୍ୱସ୍ତ ହେଲା–ତା’ହେଲେ ସେଇ ଇତର ଶ୍ରେଣୀର ସଭ୍ୟ କୁଲିଠାରୁ ପାଇଥିବା ସମ୍ବାଦ ମିଥ୍ୟା ନୁହେଁ ।

 

ବାମ ଦିଗରୁ ଭାଷିଆସୁଥିଲା ନାରୀ ଛାତ୍ରାବାସରୁ ଏକ ଅଚିହ୍ନା ଗନ୍ଧ । ଯେହେତୁ କୌଣସି ଅବାସ୍ତବ ଅଥବା କାଳ୍ପନିକ ଜଗତର ପରିଚିତ ବାସ୍ନା ସହିତ ଏ ଗନ୍ଧର କୌଣସି ମେଳ ନାହିଁ, ସେହେତୁ ଜ୍ୟୋତ୍ସ୍ନାକୁ ଗନ୍ଧରୁ ନାରୀ ଛାତ୍ରାବାସକୁ ଚିହ୍ନିବାକୁ ବେଶ୍ ଅସୁବିଧା ହେଲା । ପରେ ସେ ଯେତେବେଳେ ଉପର ବାରନ୍ଦାରେ ଶୁଖୁଥିବା କେତୋଟି ରଙ୍ଗିନ୍ ଲୁଗା ଦେହରେ ନିଜ ମୁହଁ ପୋଛିଲା ଏବଂ ଲକ୍ଷ୍ୟକରି ଦେଖିଲା ଯେ, ସମସ୍ତ ଝରକା ଓ କବାଟ ଖୁବ୍ ସତର୍କତାର ସହିତ ବନ୍ଦ କରାହୋଇଛି–ସେତେବେଳେ ଜାଣିପାରିଲା ଯେ, ଏହା ଏକ ମହିଳା ମହଲ । କୌଣସି ଏକ ଝରକାର ଛିଦ୍ର ଦେଇ ଜ୍ୟୋତ୍ସ୍ନା ଉଙ୍କିମାରି ଦେଖିଲା ଖଟଉପରେ ଅସଂଯତ ଅବସ୍ଥାରେ ଶୋଇଥିବା ଜଣେ ଯୁବତୀକୁ । ଉପର ସ୍କାଇଲାଇଟ ବାଟେ ଉଙ୍କିମାରି ଦେଖିଲା କାନ୍ଥରେ ଟଙ୍ଗା ହୋଇଥିବା ଏକ ଯୁବକର ଫଟୋ । ମନେହେଉଥିଲା ଯେପରି କୌଣସି ସାମୟିକ ପତ୍ରିକାରୁ ଛିଣ୍ଡାହୋଇ ଅତି ଯତ୍ନ ସହକାରେ ବନ୍ଧା ହୋଇଛି ଏ ଚିତ୍ରଟି । ଜ୍ୟୋତ୍ସ୍ନା ଝରକାର ଛିଦ୍ରଦେଇ ପ୍ରଶ୍ନକଲା ।

 

ହେ ସୁନ୍ଦରୀ, ଏ ପ୍ରକୋଷ୍ଠରେ ଜଣେ ଯୁବକର ଚିତ୍ରପଟ !

 

ଯୁବତୀ–ଆପଣ ହୁଏତ ଜାଣନ୍ତି ନାହିଁ ଆମେମାନେ କଳାର ପୂଜା କରି ଜାଣୁ ଏବଂ ଏ ହେଉଛନ୍ତି ସର୍ବଶ୍ରେଷ୍ଠ ସାଂପ୍ରତିକ କବି ।

 

ନାମ ?

 

ଅକ୍ଷୟ ମହାନ୍ତି ।

 

ଜ୍ୟୋତ୍ସ୍ନା ନିସ୍ତବ୍‌ଧ ପଦକ୍ଷେପରେ ଫେରିଆସିଲା ରାଜପଥ ଉପରକୁ । ସହରର ପ୍ରଧାନ ରାସ୍ତାରେ ଥୁଆହୋଇଛି ଅସଂଖ୍ୟ ଟ୍ରକ୍ । କ୍ଳାନ୍ତ କ୍ଳିନରମାନେ ଶୋଇପଡ଼ିଛନ୍ତି ଟ୍ରକ୍‍ର ଡାଲାରେ । କେହିକେହି ଡାଲା ତଳେ । ସେମାନଙ୍କୁ ବ୍ୟତିବ୍ୟସ୍ତ ନ କରି ପ୍ରତି ଟ୍ରକ୍‍ରେ ଲେଖାହୋଇଥିବା ଟ୍ରକ୍‍ର ମାଲିକ ନାମ ଜ୍ୟୋତ୍ସ୍ନା ପଢ଼ିବାକୁ ଚେଷ୍ଟାକଲା । ଏବଂ ପ୍ରାୟ ପ୍ରତ୍ୟେକଟିରେ ଅକ୍ଷୟ ମହାନ୍ତି ନାମ ପଢ଼ି ସେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା । କାରଣ ଜଣେ ଶିଳ୍ପୀ ସହିତ ବ୍ୟବସାୟର ଏତେ ନିକଟ ସମ୍ପର୍କ, ଏକ ନୂତନତ୍ୱ ନିଶ୍ଚୟ । ଜଣେ କ୍ଳିନରର ଦେହରେ ଜ୍ୟୋତ୍ସ୍ନା ତା’ର ହାତବୁଲାଇ ପ୍ରଶ୍ନ କଲା–

 

କ’ଣ ସେଇ ଲୋକ–ଯିଏ ଜଣେ ଜ୍ଞାନୀ–ଜଣେ କବି ?

 

ହଁ ସେଇ ସେଇ–

 

ରାଣୀହାଟ ପାଖ କେତୋଟି ହୋଟେଲରେ ଜ୍ୟୋତ୍ସ୍ନା ଦେଖିଲା ନିର୍ଜନତାର ରାଜତ୍ୱ । ମାଲିକମାନେ ଟେଲିଫୋନ ତା’ର ସବୁ କାଟିଦେଇ ଶୋଇପଡ଼ିଛନ୍ତି ଗହମ ନିଦରେ । ବୟମାନେ ରିଫ୍ରିଜେଟର ଖୋଲି ତା’ ଭିତରେ ଆରାମରେ ବିଶ୍ରାମ ନେଇଛନ୍ତି ।–ଜ୍ୟୋତ୍ସ୍ନାର ପାଦଶବ୍ଦ ଶୁଣି ଗୋଟିଏ ହୋଟେଲ୍‌ର ମାଲିକ କହିଲା, ‘‘ଆପଣଙ୍କୁ ଯଦି କିଛି ଖାଦ୍ୟ ଦରକାର ଆମେମାନେ ଅକ୍ଷମ ।”

 

ତେବେ ଏ ସହର କ’ଣ ଅତିଥି ସତ୍କାର କରି ଜାଣେନା ?

 

ମାଲିକ–ଆପଣ ଅକ୍ଷୟ ମହାନ୍ତିଙ୍କ ଘରକୁ ଯାଉନାହାନ୍ତି !

 

ଜ୍ୟୋତ୍ସ୍ନା ପ୍ରାୟ ବିରକ୍ତ ହୋଇଯାଇଥିଲା ସେତେବେଳକୁ । ରାଣୀହାଟ ପୋଲ ଉପରେ ଛିଡ଼ାହୋଇ ତଳରେ ବହିଯାଉଥିବା କେନାଲ ପାଣି ସହିତ ଅନ୍ୟଦେଶର ଗଳ୍ପ ଗପିବା ପରେ ହିନ୍ଦି ସିନେମାର ଉପର ବାରନ୍ଦାରେ ଜ୍ୟୋତ୍ସ୍ନା ବୁଲିବାକୁ ଆରମ୍ଭ କଲା ।

 

ହିନ୍ଦି ସିନେମାର ପ୍ରାଙ୍ଗଣରେ ଶୋଇଥିବା କେତୋଟି ଇତର ଶ୍ରେଣୀର ବ୍ୟକ୍ତି ସ୍ୱପ୍ନ ଦେଖୁଥିଲେ ଗତରାତିରେ ଦେଖିଥିବା ଚଳଚ୍ଚିତ୍ରକୁ ଆଉ ଥରେ । ସେମାନଙ୍କ ଚଳଚ୍ଚିତ୍ରରେ ବାଧାଆଣି ଜ୍ୟୋତ୍ସ୍ନା ପ୍ରଶ୍ନକଲା, ‘‘ସବୁଠୁ ସୁନ୍ଦର ଯୁବକ କିଏ ?’’

 

ସେମାନେ–‘‘ଅକ୍ଷୟ ମହାନ୍ତି’’

 

ଜ୍ୟୋତ୍ସ୍ନାର ବିସ୍ମୟ ଓ ବିରକ୍ତି ମିଶି ଗୋଟାଏ ଆଶ୍ଚର୍ଯ୍ୟ ଧରଣର ଅଗ୍ନିହୋଇ ଆକାଶକୁ ଭଷ୍ମ କରିଦେବାକୁ ବସିଲା । ତେଣୁ ‘‘ସୃଷ୍ଟିର ନିୟମ’’ ହଠାତ୍‌ ଝଲକାଏ କଳାମେଘ ପଠାଇ ସେ ଜ୍ୱଳନକୁ ଶାନ୍ତି କରିଦେଲା । ଏବଂ ଅଳ୍ପ ସମୟ ପରେ ଦେଖାଗଲା ଯେ, ପ୍ରାୟ ଏକ ଆଶ୍ୱସ୍ତ ପୁରୁଷ ହୋଇ ଜ୍ୟୋତ୍ସ୍ନା ଛିଡ଼ା ହୋଇଛି ମଙ୍ଗଳାବାଗ ଛକରେ । କେତୋଟି ମାତାଲ ନିଶାଚର ବ୍ୟକ୍ତି ଥାନାକାନ୍ଥରେ ଆଉଜି ଶୋଇପଡ଼ିଥିଲେ । ସେମାନଙ୍କୁ ଧରି ହାଜତରେ ଭର୍ତ୍ତି କରିବାକୁ ଆସୁଥିବାବେଳେ କେତୋଟି ପୋଲିସ କନେଷ୍ଟବଲ ମଧ୍ୟ ସେଇ ଗେଟ୍‌ ପାଖରେ ହଠାତ୍‌ ଶୋଇପଡ଼ିଥିଲେ । ଜ୍ୟୋତ୍ସ୍ନା । ସେମାନଙ୍କ ନିଦରେ ଆଘାତ ନ ଘଟାଇ ରାସ୍ତାର ଅନ୍ୟପଟକୁ ଚାଲିଆସିଲା, ଯେଉଁଠି ଠାକୁରାଣୀ ଘରେ ଚାରିଜଣ ମଙ୍ଗଳାବାଗ ସାହିର ମୁଖିଆ ପଶା ଖେଳୁ ଖେଳୁ ଶୋଇପଡ଼ିଥିଲେ ନିଘୋଡ଼ ନିଦରେ । ସେମାନଙ୍କ ପଶାକାଠି ଓ ଗୋଟିମାନେ ନିଜ ନିଜ ଭିତରେ ବୋହୁଚୋରି ଖେଳୁଥିଲେ ।

 

ଜ୍ୟୋତ୍ସ୍ନା ‘‘ଦେବୀ’’ ଘରେ ଟଙ୍ଗା ହୋଇଥିବା ଗତ କେତେବର୍ଷର ଦୁର୍ଗା ମୂର୍ତ୍ତିର ଫଟୋ ଦେଖିବାକୁ ଲାଗିଲା ।

 

ଜ୍ୟୋତ୍ସ୍ନା–‘‘ବାଃ ! ଚମତ୍କାର କଳା । ଏ ସହରରେ ଏତେ ଭଲ ଶିଳ୍ପୀ ଅଛନ୍ତି ?’’

 

ମୁଖିଆମାନେ–‘‘ଏଗୁଡ଼ାକ କିଛି ନୁହେଁ । ଆପଣ ଅକ୍ଷୟ ମହାନ୍ତିର ଶିଳ୍ପ ଯଦି ଦେଖିବେ–

 

ଜ୍ୟୋତ୍ସ୍ନା ଏଥର କିନ୍ତୁ ଉତ୍ତ୍ୟକ୍ତ ହୋଇ ଦଉଡ଼ିବାକୁ ଆରମ୍ଭ କଲା । କିଛି ସମୟ ଦୌଡ଼ିବା ପରେ ରାସ୍ତାରେ ଦେଖାଗଲା, ଶୁଖିଲା ଦେବଦାରୁ ପତ୍ରର କେତୋଟି ତୋରଣ । ଜ୍ୟୋତ୍ସ୍ନା ଆଶ୍ଚର୍ଯ୍ୟ ହୋଇ ଚାହିଁଲା ତୋରଣକୁ । କେଉଁ ସମ୍ମାନସ୍ପଦ ବ୍ୟକ୍ତି ଉଦ୍ଦେଶ୍ୟରେ ଏଗୁଡ଼ିକ ନିର୍ମିତ । ତୋରଣ ସବୁ ଜ୍ୟୋତ୍ସ୍ନାକୁ ବାଟ ବତେଇ ନେଇଆସିଲା ଷ୍ଟେଡ଼ିୟମ ଦିଗକୁ । ଆଗରେ ଦେଖାଯାଉଛି ତୁଷାର ବର୍ଣ୍ଣର ଜାହାଜ ଗୋଟାଏ ସବୁଜ ରଙ୍ଗର ସାଗରରେ ଭାଷିଲା ପରି । ଏଇଟା ‘ଷ୍ଟାଡ଼ିୟମ’ । ଗ୍ୟାଲେରୀ ସାରା ସହର ତମାମ ମଣିଷଙ୍କର ଦେହର ଗନ୍ଧ । କି ଖେଳ ଚାଲିଥିଲା ଏଠି ? ଅଥବା କାହାକୁ ସ୍ୱାଗତ କରାଯାଉଥିଲା ? ଜ୍ୟୋତ୍ସ୍ନା ଏଣେ ତେଣେ ଦେଖିବାକୁ ଚେଷ୍ଟା କଲା–ନୀରବତା ସବୁ ଘାସ ହୋଇ ଷ୍ଟାଡ଼ିୟମ୍‌ ପଡ଼ିଆରେ ଛାଇ ହୋଇଛନ୍ତି–ଜ୍ୟୋତ୍ସ୍ନା ବାହାରକୁ ଆସିଲା । ଗୁର୍ଖା ସିପାହୀର ମୁହଁରେ ଚକ୍‌ଚକ୍‌ ଦର୍ପଣ । ଜ୍ୟୋତ୍ସ୍ନା ନିଜ ମୁହଁ ଦେଖିବାକୁ ଚେଷ୍ଟା କଲା ଓ ପ୍ରଶ୍ନ କଲା ।

 

ଏ, କାହାକୁ ସ୍ୱାଗତ ଜଣାଯାଉଥିଲା ବାହାଦୁର ?

 

ବାହାଦୁର–ପୃଥିବୀ ଅଲମ୍ପିକରେ ଭାରତର ଗୌରବ ଅକ୍ଷୁଣ୍ଣ ରଖିଥିବା ଖେଳାଳିଙ୍କୁ ।

 

ଜ୍ୟୋତ୍ସ୍ନା–କିଏ ସେ ?

 

ବାହାଦୁର–ଅକ୍ଷୟ ମହାନ୍ତି ।

 

ଜ୍ୟୋତ୍ସ୍ନା ଫେରିଆସିଲା ରେଡ଼ିଓ ଷ୍ଟେସନ ପାଖକୁ–ସେତେବେଳେ ରେଡ଼ିଓ ଷ୍ଟେସନ ଫାଟକପାଖ ଖଜୁରି ଗଛରେ ଜଣେ ଦୁଃସ୍ଥ କଳାକାରରେ ପ୍ରେତ ଗାଉଥିଲା ବସି ‘କ୍ଷ’ ଚମ୍ପୂ । ଜ୍ୟୋତ୍ସ୍ନା ପ୍ରେତକୁ ପ୍ରଶ୍ନକଲା, ‘‘ଶ୍ରେଷ୍ଠ ଗାୟକ କିଏ ?’’ ପ୍ରେତ ଉତ୍ତର ଦେଲା ‘‘ଅକ୍ଷୟ ମହାନ୍ତି’’–

 

ଜ୍ୟୋତ୍ସ୍ନା ଏଥର ବିଧିବଦ୍ଧ ବିରକ୍ତି ନେଇ ଛିଡ଼ାହେଲା ଚଣ୍ଡିଛକ ଉପରେ । ନିକଟରେ ଗୋଟାଏ ବିରାଟ ବହିଥାକ ପରି ମହିଳା କଲେଜର ବିଜ୍ଞାନ ବିଭାଗ । ସବୁଜ ବଗିଚାର କେଉଁ ଏକ କୋଣରେ ବିରାଟ ଛାତ୍ରୀବାସ–ଯେହେତୁ ଏହି ହଷ୍ଟେଲର ଝରକାସବୁ ଉତ୍ତର ଦକ୍ଷିଣଦିଗକୁ ଉନ୍ମୁକ୍ତ–ସେ ହେତୁ ଜ୍ୟୋତ୍ସ୍ନା ତା’ ଭିତରକୁ ପ୍ରବେଶ କରିବାକୁ ଇଚ୍ଛାପ୍ରକାଶ କଲାନାହିଁ–

 

ଚଣ୍ଡୀମନ୍ଦିରର ମୁଖଶାଳାରେ ଥିବା ପଥର ସିଂହ ସେତେବେଳେ ରାତ୍ରିର ସଞ୍ଜୀବନୀ ପାଇ ଜୀବନ୍ତ ହୋଇଉଠିଛି ଏବଂ ସେ ସେତେବେଳେ ନିଜକୁ ସଜାଉଥିଲା ଦେବୀଙ୍କୁ ବହନ କରି ସହର ପରିକ୍ରମାରେ ଯିବାପାଇଁ । ଜ୍ୟୋତ୍ସ୍ନା ପ୍ରଶ୍ନକଲା–

 

‘‘ତୁମ ଦେହରେ ବହୁ ନରନାରୀ ମଥା ଛୁଇଁ ଯାଇଛନ୍ତି । କୁହଦେଖି ସବୁଠୁ ସୁନ୍ଦରୀ ଝିଅ କିଏ ଏହି ସହରରେ ?’’

 

ଜ୍ୟୋତ୍ସ୍ନା ଏ ପ୍ରଶ୍ନ କରିଥିଲା, କାରଣ ଜଣେ ପୁରୁଷ ସମ୍ପର୍କରେ ସେ ବହୁତ ବେଶୀ ଶୁଣି ସାରିଥିଲା–ଏବଂ ସେ ପୁରୁଷର ନାମ ପୁଣି ଥରେ ଶୁଣିବାପାଇଁ ସେ ଆଦୌ ପ୍ରସ୍ତୁତ ନଥିଲା । ଜୀବନ୍ତ ସିଂହ କିନ୍ତୁ ଅପ୍ରସ୍ତୁତ କରି ଉତ୍ତର ଦେଲା ‘‘ମୁଁ ତା’ର ନାମ କହି ପାରିବିନି; କିନ୍ତୁ ସେ ଝିଅଟି ଅକ୍ଷୟ ମହାନ୍ତିର ପ୍ରେମିକା ।’’

 

ତାପରେ ଜ୍ୟୋତ୍ସ୍ନା ମୋ ଘରଆଡ଼କୁ ଧୀର ପଦକ୍ଷେପରେ ଆସିଲା । ମୋ’ ଝରକାଦେଇ ଉଙ୍କିମାରିଲା । ମୋ ଶେଯରେ ତା’ର ନରମ ନିସ୍ତବ୍‌ଧ ହାତ । ଆଉ ଧୀରେ ଧୀରେ ସେ ହାତ ମୋ ବିଛଣାରେ ମିଳେଇଗଲା । କାରଣ ସେତେବେଳକୁ ସକାଳ ହୋଇଯାଇଥିଲା ।

 

ଏ ଘଟଣା ଆପଣମାନଙ୍କୁ ଅବାସ୍ତବ ଲାଗିପାରେ । ଆପଣ ହୁଏତ ମତେ ସଂପୂର୍ଣ୍ଣ ଅବିଶ୍ୱାସ କରୁଥିବେ । କିନ୍ତୁ ଏ ଘଟଣା ଘଟିଥିଲା ଏବଂ ନିଶ୍ଚିତରେ ଘଟିଥିଲା । ଅବଶ୍ୟ ସେତେବେଳେ ମୋର ବୟସ ୧୯ ଏବଂ ମୋର ପ୍ରେମିକାର ବୟସ ମାତ୍ର ୧୩ ।

 

ମାନସିଂପାଟଣା

କଟକ

Image

 

ପୁନର୍ଜନ୍ମ

ଅଶୋକ କୁମାର ଚନ୍ଦନ

 

ଦିନାନ୍ତର

 

ଆଜି ଆତ୍ମା-ପରମାତ୍ମା ସଂପର୍କରେ ଗବେଷଣା କରି ମୁଁ କ୍ଳାନ୍ତ । ସଂଲଗ୍ନ ବାଥ୍‌ରୁମରେ ସ୍ନାନରତା ମିତାଲୀକୁ ମୁଁ ତା’ର ଶୟନ-କକ୍ଷରେ ଅପେକ୍ଷା କରିଚି । ଶୁଣୁଚି, ଟପ୍‌ ଟପ୍‌ ଖସି ପଡ଼ୁଥିବା ପାଣିର ଶବ୍ଦ ଓ ଅଦୂରରେ ଖେଳ ପଡ଼ିଆର ଦର୍ଶକମାନେ ସମ୍ମିଳିତ ସ୍ୱରରେ ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି । ଅନାବଶ୍ୟକ । ଯେପରି ତାଙ୍କ ମଧ୍ୟରେ ଥିବା ଗୃହସ୍ଥମାନଙ୍କର କୁଟୁମ୍ବ, ଛାତ୍ରମାନଙ୍କର ପଠନ ଓ କର୍ମଚାରୀମାନଙ୍କର ଜୀବିକା ଚିନ୍ତା ନାଇଁ । ହଁ, ସବୁ ଖେଳ ଦେଖିବାବେଳେ ମୁଁ ହୀନମନ୍ୟତା ଅନୁଭବ କରେ । ବନ୍ଧୁ ଖେଳାଳିଗଣ, ଏ ଶରୀର ଚର୍ଯ୍ୟାରୁ କ’ଣ ମିଳିବ କହ ତ ? ତୁମେ କ’ଣ ଭାବୁଚ ଏଇ ଯେଉଁ ତାଳିମାଡ଼ ତୁମ ସୁସଜ୍ଜିତ ମାଂସପେଶୀର ସ୍ତାବକତା କରୁଚି, ତାହା ତୁମ ପୁରୁଷତ୍ୱର ମାନଦଣ୍ଡ ବୋଲି ? ସଖା ଦର୍ଶକ ମଣ୍ଡଳି, ଏତେଟା ବିସ୍ମୃତି କ’ଣ ସ୍ପୃହଣୀୟ ।

 

ମୁଁ କିନ୍ତୁ ସଚେତନ

 

ମୁଁ ଟି’ପୟର ଆସ୍‌ଟ୍ରେକୁ ଏପଟ ସେପଟ କରୁଚି । ନିଜ ସମ୍ବନ୍ଧରେ ମିତାଲୀ ବିଷୟରେ ଚିନ୍ତା କରିପାରୁଚି । ମୁଁ ଇଚ୍ଛା କରୁଚି, ମିତାଲୀର ଉଲଗ୍ନ ଦେହକୁ ଏଇ ମୁହୂର୍ତ୍ତରେ । ବାଥ୍‌ରୁମ୍‌ର କାନ୍ଥମାନଙ୍କ ପ୍ରତି ମୋର ପ୍ରଚଣ୍ଡ କ୍ରୋଧ ହେଉଛି । ସେମାନେ କ’ଣ ମୋଠୁଁ ବୟସ୍କା ଓ ମୋ ଅପେକ୍ଷା ବେଶି ସ୍ୱାସ୍ଥ୍ୟ–ସଂପଦର ଅଧିକାରିଣୀ ନାରୀଟିକୁ ବନ୍ଧନମୁକ୍ତ କରିବାକୁ ନାରାଜ୍ ! କାହିଁକି ଅନାକାଙ୍‌କ୍ଷିତ ମାଲିକାନା ? ମୁଁ ଅତତୀକୁ ମନେକରି ପାରୁଚି । ଗତ ଜାନୁଆରୀର ପିକ୍‌ନିକ୍‌ବେଳେ ମିତାଲୀ ମୋ ସାମ୍ନାରେ ସଂକ୍ଷିପ୍ତ ପୋଷାକ ପିନ୍ଧି ଶିଶୁଟିଏ ଭଳି ସ୍ନାନ କରୁଥିଲା । ମୁଁ ତା’ର ପୁନରାବୃତ୍ତି କାମନା କରୁଚି । ମୁଁ ଅତିଷ୍ଠ । ପଡ଼ିଆରେ ତାଳି ମାଡ଼ । ରାସ୍ତାରେ ବସ୍‌ମାନଙ୍କର ଯାତାୟାତ । ଆ....ଅସଂଖ୍ୟ ମୁହୂର୍ତ୍ତ ପରି ମିତାଲୀର ଅସଂବୃତ ଦେହରେ ଖସିପଡ଼ୁଥିବ ସାଓ୍ୱାର୍‌ର ଟୋପା ଟୋପା ପାଣି ଓ ଧୋଇନେଉଥିବ ତା’ର ଯୌବନରୁ ପରସ୍ତ ପରସ୍ତ ।

 

ମାଂସପେଶୀର ଘସାମଜାଜନିତ ଉତ୍ତେଜକ ଶବ୍ଦ ଶୁଣି ଶୁଣି ଅତିଷ୍ଠ ମୋର ଘଟ, ନା ମନ, ନା ଆତ୍ମା ?

 

ସଦ୍ୟସ୍ନାତା ମିତାଲୀ ବାଥ୍‍ରୁମ୍‌ରୁ ବାହାରିଲା । ଲୋମଶ ଟାଓ୍ୱେଲ ପରିବେଷ୍ଟିତ ତା’ଦେହରେ ଏତେ ଆକର୍ଷଣ, ଏତେ ମାୟା, ଏତେ ଭାସ୍କର୍ଯ୍ୟ ! ତା’ର କ୍ରମଶଃ ସ୍ଥୂଳ ତିନିଫୁଟ ଉଚ୍ଚ ଦୁଇଟି ଗୋଡ଼ ଉପରେ ସଙ୍କୁଚିତ କଟି, ବିସ୍ତାରିତ ବୃକ୍ଷ, ଲମ୍ଫୋଦ୍ୟତ ସ୍ତନ ଯୁଗଳ । ପୁଣି ଶଙ୍ଖ ଶୁଭ୍ର, ନାତିଦୀର୍ଘ, ମସୃଣଗ୍ରୀବା ଓ ସବା ଶୀର୍ଷକୁ କାରୁକାର୍ଯ୍ୟ ଖଚିତ ମୁହଁ । ମିତାଲୀ ଶାଢ଼ି ପିନ୍ଧୁଚି । ଶାଢ଼ି ନୁହେଁ ତ ଗୋଟିଏ ଅରଣ୍ୟ । ମିତାଲୀର ଶାଢ଼ିରେ ଅରଣ୍ୟର ଆଲେଖ୍ୟ । ସେ ନିଜକୁ ଅରଣ୍ୟରେ ନିରୁଦ୍ଦିଷ୍ଟ କରୁଛି ବା ଅରଣ୍ୟ ତାକୁ ନିଜ ସହିତ ସାମିଲ କରିନେଉଚି । ମିତା ପଥଭ୍ରଷ୍ଟା, କାରଣ ରାସ୍ତାର ଅନ୍ଧାର ଅପେକ୍ଷା କୋଠରିର ଅନ୍ଧାରର ଘନତ୍ୱ ବେଶି । ସତରେ, ମିତାଲୀ ଯଦି ମୋ ସହିତ ଅରଣ୍ୟକୁ ଯାଆନ୍ତା ଅପ୍ରତ୍ୟାଶିତ ଭାବେ, ଆମେ ବିଚ୍ଛିନ୍ନ ହୁଅନ୍ତୁ ଓ ଖୁବ୍ ଦୂରରୁ ପରସ୍ପରର ନାଆଁଧରି ଡାକନ୍ତୁ । କ୍ରମେ ଆମର କଣ୍ଠସ୍ୱର ଅସ୍ପଷ୍ଟ ହୁଅନ୍ତା ଏବଂ କେହି କାହାରି ପାଖକୁ ଫେରିଆସିବାର ଉଦ୍ୟମ ନ କରି ଖୁବ୍ ଦୂରରୁ କେବଳ ଅନୁଭବ କରନ୍ତୁ ।

 

ମିତା, ଅରଣ୍ୟକୁ ଯିବା ?

 

ଏଇତ ଅରଣ୍ୟ, ଦେଖୁନ ? ଆମ ଚାରିପଟେ କଳା କଳା ବାୟବୀୟ ଗଛପତ୍ର, ପାହାଡ଼ ପର୍ବତ ଓ ଏଇ ଯେଉଁ ସଫେଦ ଦର୍ପଣ ଗିରିଝର୍ଣା ପରି ଦିଶୁଚି, ତହିଁରେ ଆମର ଅସ୍ପଷ୍ଟ ପ୍ରତିଫଳନ-

 

ମିତା, ତୁମେ ଏକ ଅନିଶ୍ଚିତର ଇସାରା ।

 

ଆଉ ତୁମେ ଏକ ଅର୍ଗଳି ।

 

(କ’ଣ ହୋଇପାରେ ମୋର ପରବର୍ତ୍ତୀ ସଂଳାପ ? ମୁଁ ମନେ ମନେ ସ୍ଥିରକଲି : ଉଲଗ୍ନ ଯୌନତା ଏକ ଅସହାୟ ଆତ୍ମସମର୍ପଣ ମିତା । ମୁଁ ନିଜକୁ ଖୁବ୍ ଖୋଜିଥିଲି, ପାଇଲିନି । ତେବେ ଅନ୍ୟଭିତରେ ନିଜକୁ ଅନୁଭବ କଲେ କ୍ଷତି କ’ଣ ?)

 

ମୁଁ ଅନୁଭବ କରୁଚି, ରାସ୍ତାରେ ବସ୍‌ମାନ ଅଚଳ । ପଡ଼ିଆର ଖେଳାଳିମାନେ ପରସ୍ପରର ଶକ୍ତିକୁ ସନ୍ଦେହ କରୁଛନ୍ତି, ବିଜୟୀ ଦଳର ଦଳପତି ପକେଟରୁ ପାନିଆ କାଢ଼ି ମୁଣ୍ଡ କୁଣ୍ଡାଉଚି ଓ ପରାଜିତ ଦଳର ସମର୍ଥକଗଣ ତଟସ୍ଥ ହୋଇ ଆକାଶକୁ ଅନାଇଛନ୍ତି । ମିତାଲୀର ଅଭିସାର । ଆବେଦନ । ଆମନ୍ତ୍ରଣ । ସମଗ୍ର ପୃଥିବୀରେ ଗାଏମୋଟ କେତୋଟି ହ୍ରଦ ଥିବ ? ଭୂମିକମ୍ପରେ ହ୍ରଦର ହିଡ଼ମାନ ଭୁଶୁଡ଼ିଯାଏ ଓ ଅତର୍ଚ୍ଛା ସୁଅରେ ବିଲ, ବନ ଏପରିକି ପ୍ରାନ୍ତରରେ ବି ପାଣି ମାଡ଼ିଯାଏ । ଅଗତ୍ୟା ପଡ଼ିଶାଘରେ କାଚଗ୍ଳାସ ଭାଙ୍ଗିବା, ବସ୍‌ମାନଙ୍କର ଆର୍ତ୍ତନାଦ ଓ ମିତାର କାଲି ଆସିବ ମଧ୍ୟରେ ମୁଁ ସଚେତନ ହେଲି ।

 

ମୋଠୁ ବିଚ୍ଛିନ୍ନ ମିତାଲୀ ଲାଇଟ୍ ଜାଳିଲା, ପୁଣି ଲୋମଶ ଟାଓ୍ୱେଲ୍‌ରେ ପରିବେଷ୍ଟିତ ହେଲା ଓ ନିର୍ବିକାର ଭାବେ ଆବକ୍ଷ ଦର୍ପଣ ସାମ୍ନାରେ ଛିଡ଼ାହେଲା । ତା’ର ସ୍ୱୟଂକ୍ରିୟ ହାତର ପାନିଆ ଅବିନ୍ୟସ୍ତ କେଶକୁ ସୁସଜ୍ଜିତ କରିଚାଲିଥିଲା ଏବଂ ତା’ର ଓଠଦେଇ କୌଣସି ଅଶାସ୍ତ୍ରୀୟ ସଙ୍ଗୀତର ଶବ୍ଦମାନେ ଖସିପଡ଼ୁଥିଲେ ।

 

ସ୍ଥିତି ତର୍ଜମା

 

ମୁଁ ସଂପର୍କିତ ।

 

ମୁଁ ମନେକଲି, ମୋର ଏକଫୁଟ୍ ବ୍ୟାସବିଶିଷ୍ଟ ଗୋଟିଏ ଗ୍ଳୋବ୍‌ ଅଛି । ମୁଁ ପରୀକ୍ଷା କରି ଦେଖିଚି ଗ୍ଳୋବ୍‌ଟି ମୋ ଇଚ୍ଛା ମୁତାବକ ପୂର୍ବ–ପଶ୍ଚିମ, ପଶ୍ଚିମ–ପୂର୍ବ ହୋଇ ଘୂରେ, ଯେପରି ମିତାଲୀର ଅକୁଣ୍ଠିତ ଆତ୍ମସମର୍ପଣ । ପେନ୍‌ସିଲ୍‌ ମୁନରେ ମୋର ସମଗ୍ର ଉତ୍କଣ୍ଠାକୁ ଏକୀଭୂତ କରି ମୁଁ ଖୋଜେଁ କେଉଁଠି ମୋ ସହର ? କେଉଁଠି ମୋ କୋଠରି ? କେଉଁଠି ମୁଁ ?

 

ଆଉ ଆତ୍ମା–ପରମାତ୍ମା ସଂପର୍କରେ ଗବେଷଣା କରି ମୁଁ କ୍ଳାନ୍ତ । ମିତାଲୀ ସହିତ ସମ୍ପର୍କର ନିର୍ଦ୍ଦିଷ୍ଟ କେତୋଟି ବିନ୍ଦୁରେ ଯେତେବେଳେ ମୁଁ ଆତ୍ମ–ବିସ୍ମୃତ ହୁଏ, ସେତେବେଳେ ମନେହୁଏ ମୋର ଏପିଟାଫ୍‌ରେ ଲେଖାହେବା ପାଇଁ ଅନ୍ୟତମ ବିଶେଷଣର ସନ୍ଧାନ ମିଳିଲା : ମୁଁ ମିତାର ପ୍ରେମିକ । ସମ୍ପର୍କ ଏକ ସାନ୍ତ୍ୱନା । ଆଜି ମୁଁ ବୁଝିପାରୁଚି, ପୂର୍ଣ୍ଣତାର ଆକାଂକ୍ଷା ମୋର ଶୂନ୍ୟ କୋଠରିକୁ ମିତାଲୀର ଟାଇପ୍ ଫୋର କ୍ୱାଟର ସହିତ; ମୋର ଶରଶଯ୍ୟାକୁ ମିତାଲୀର ମେହଗାନୀ ପଲଙ୍କ ସହିତ, ମୋର ଆଖପାଖ ମାଳାଞ୍ଚଳକୁ ମାଳଞ୍ଚ ସହିତ ଯୋଡ଼ିଦେଇଚି ।

 

ମୋ ସାମ୍ନାରେ ବସ୍‌ମାନେ ଦୋହଲି ଦୋହଲି ପହଁରି ଯାଉଛନ୍ତି । କଳା ପିଚୁରାସ୍ତା ଲମ୍ୱିଯାଇଛି ଅନ୍ଧକାରର ସୀମାନ୍ତ ଯାଏଁ । ଛକଟାରେ ଆଉ କେତେବେଳେ ଛିଡ଼ା ହେବି ? ଓଃ–ଏତେ ବୋଝ ମୋର ପିଠିରେ ! ମେରୁଦଣ୍ଡ ଭାଙ୍ଗିପଡ଼ୁଚି । ମୁଁ ଭାରାକ୍ରାନ୍ତ । ମୋର ଜିଭ ଏତେ ଶାଣିତ ! ଏ ଯାଏଁ ନେସି ହୋଇଚି ମାଦକତା । ସ୍ୱାଦ । ସ୍ମୃତି । କିଏ ସେ ? ମିତା । ସେ ତ ପରଷି ଦେଇଥିଲା ତା’ର ପୁଷ୍ଟିକର ସ୍ତନ, ଜାନୁର ପଶମ ଭଳି ମାଂସ ଓ ସ୍ୱାଦିଷ୍ଟ ଓଠକୁ ।

 

ଶୁଣ ମୋର ପିତା, ମାତା, ଭ୍ରାତା ଓ ଦାୟାଦଗଣ ! ତୁମେ କ’ଣ ମୋର ବୋଝର କିଞ୍ଚିତ୍ ଭାଗିଦାର ହୋଇପାରିବ ?

 

ନାଃ...... ।

 

ହଁ, ମୁଁ ଏଠି ଦଣ୍ଡାୟମାନ । ଚତୁର୍ଦ୍ଦିଗରେ ଉଇହୁଙ୍କା ଉଠିବା ପର୍ଯ୍ୟନ୍ତ । ଉଠୁ । ମୋ ପାଦରେ ଅସଂଖ୍ୟ ଜଞ୍ଜିର ।

 

ରୂପାନ୍ତର

 

ଦୃଷ୍ଟିପଥାରୁଢ଼ ବସ୍‌ରୁ ଓହ୍ଲାଉଥିବା ଯାତ୍ରୀ, ପ୍ରସାଧନର ପଲସ୍ତରା ବୋଲି ଭିଡ଼ କରୁଥିବା ନାରୀ, ଆକାଶ ଓ ପୃଥିବୀର ଶୂନ୍ୟତା ମଧ୍ୟରେ କିଛି ସନ୍ଧାନ କରୁଥିବା ଜନତା । ଏମାନେ କ’ଣ ନିଷ୍ପାପ ? ବେପରୁଆ ବୁଢ଼ାଟିଏ । ଲୋଳିତ ଚର୍ମର ବେଢ଼ଣ ତଳେ କେଇଖଣ୍ଡ ହାଡ଼ । କାନ୍ଥରେ ଲଗା ହୋଇଥିବା ମଇଳା ପୋଷ୍ଟର ଉପରେ ଅଠାବୋଳି ନୂଆ ଛବିର ରଙ୍ଗିନ୍ ପୋଷ୍ଟର ମାରୁଚି । ପରଖିନେଉଚି, ପୁରୁଣା ଲୁଚିଯାଇଚି ତ ? ତା’ପରେ ସିଡ଼ି ଟେକି ଆଗେଇ ଯାଉଚି ଅନ୍ୟଗୋଟିଏ କାନ୍ଥକୁ ।

 

ମୁଁ ନିଶ୍ଚିତ ଫୁଟ୍‌ପାଥରେ । ସେ ଏକ ନାରୀ, କାରଣ ତା’ ଦେହରେ ପାର୍ଶ୍ୱ ନଦୀ ଭଳି ବକ୍ର । ଆଉ ଯେଉଁ ମଣିଷ ସାମାନ୍ୟ ବ୍ୟବଧାନରେ ଠିଆହେଲା, ସେ ଏକ ପୁରୁଷ, ଯାହାର ମୁଦ୍ରାରେ ଗୋଟିଏ ପାହାଡ଼ର ଫୁର୍ତ୍ତି । ସେମାନେ ଅନ୍ତର୍ଦ୍ଧାନ । ସାମାନ୍ୟ ବିରତି ଓ ଏଥର ଯେଉଁ ଭଦ୍ରବ୍ୟକ୍ତି ରାସ୍ତା ଉପରକୁ ରେଳ ଇଂଜିନଟିଏ ପରି ହ୍ୱିସିଲ ମାରି ମାଡ଼ିଆସିଲେ, ସେ ମୋର ଅନ୍ୟତମ ବନ୍ଧୁ । ମୁଁ ତାଙ୍କୁ ଡାକି ପଚାରିଥାନ୍ତି, ତାଙ୍କ ଛାତିର ପିଞ୍ଜରା ସଂଖ୍ୟା, ମୁଁ ତାଙ୍କ ରକ୍ତର ରଙ୍ଗ ଓ ତାଙ୍କ ଜିଭରେ ଅସ୍ଥିର ଅସ୍ତିତ୍ୱ ସଂପର୍କରେ, ଅଥଚ ମୋ ଓଠମାନେ କାଠ । ତାଙ୍କ ଗତି ଦ୍ୱିଗୁଣିତ । ହେ ଅନ୍ଧାକାରର ନାୟିକା, ଦେଖ ମୁଁ ଆଲୋକର ଅମରାବତୀରେ ଦଣ୍ଡାୟମାନ, ଅଥଚ ଅନ୍ଧ । ମୋର ଅନ୍ଧତ୍ୱର ହେତୁ ଆଲୋକ, କାରଣ ଏଠି ଅନ୍ଧାର ପାଇଁ ସଂବେଦନା ନାଇଁ ଓ ସ୍ଥିତି ତର୍ଜମା ଏକାନ୍ତ ପାକ୍ଷିକ ।

 

ଶୁଣ ମୋର ଜ୍ଞାତି ପରିଜନ, ତୁମେ କ’ଣ ମୋର ବୋଝର କିଞ୍ଚିତ୍ ଭାଗିଦାର ହୋଇପାରିବ ? ଏଇ ଦେଖ ତୁମ ସମକ୍ଷରେ ମୁଁ ସମ୍ପୂର୍ଣ୍ଣ ଉଲଗ୍ନ । ଯଥାକ୍ରମେ ଅପରାଧମାନଙ୍କର ସ୍ୱୀକାରୋକ୍ତି ପରେ ମୋର ନିର୍ଦ୍ଦିଷ୍ଟ ଅଙ୍ଗମାନେ ପ୍ରସ୍ତର ପାଲଟି ଯିବେ । ମୋର ସର୍ବାଙ୍ଗ ପ୍ରସ୍ତର କାୟାକୁ ତୁମେ ଦେଖିବ ସେ ଏକୁଟିଆ ରେଳ ଇଞ୍ଜିନପରି ହ୍ୱିସିଲ ମାରି ରାସ୍ତାକୁ ମୁଖରିତ କରିପାରେ, ଗୋଟିଏ କାନ୍ଥରୁ ସିଡ଼ି ଟେକି ଅନ୍ୟ କାନ୍ଥକୁ ଯାଇପାରେ ଓ ଆବଶ୍ୟକ ବେଳେ କାଖ ସନ୍ଧିରେ ଗୀତା ଭାଗବତ ଜାକି ବୁଲିପାରେ ।

 

ଶୁଣ ।

 

ମୋର ପ୍ରଥମ ଅପରାଧ ବଞ୍ଚିବା (ପ୍ରତିଧ୍ୱନି)

 

ମୋର ଦ୍ୱିତୀୟ ଅପରାଧ ଅନ୍ୱେଷା (ନିରବଚ୍ଛିନ୍ନ)

 

ମୋର ତୃତୀୟ ଅପରାଧ ସମ୍ପର୍କ (ଗୁଞ୍ଜନ)

 

ବାସ୍ତବିକ କାୟା–ଆତ୍ମା–ପରମାତ୍ମା ସମ୍ପର୍କରେ ଗବେଷଣା କରି ମୁଁ କ୍ଳାନ୍ତ ।

 

ପାଟଣାଗଡ଼ ।

ବଲାଙ୍ଗୀର ।

Image

 

ଅବୋଲକରାର ଅନୁଚିନ୍ତା

ଅଚ୍ୟୁତାନନ୍ଦ ପତି

 

ତା’ ସମ୍ପର୍କରେ :

 

ଗୋସେଇଁ ମହାପ୍ରଭୁଙ୍କ ଲୋଟା, କମଳ, କଠଉ, ବୋକଚା ମାରି (ଅନୁଗତ ଆଜ୍ଞାକାରୀ ସେ) ତାଙ୍କରି ଗୁଳାରେ ତାଙ୍କ ପଛେ ପଛେ ତାଙ୍କ ପାଦଚିହ୍ନ ଉପରେ ପାଦ ପକାଇ ସେ ପ୍ରବର୍ଜ୍ୟାରେ ବାହାରିଲା । ‘ଯେ ଆଜ୍ଞାର’ ପଲ୍‌ହାଣ ପିଠିରେ ଲଦି ବୋଝଧାରୀ ଜରଦ୍‌ଗବ ଗଧପରି ସେ ଖାଲି ସାଆନ୍ତଙ୍କ ସାମଗ୍ରୀର ବୁଜୁଳିକୁ ପିଠିରେ ବୋହିନଥିଲା; ତାଙ୍କ ନୀତିର କୋଥଳିକୁ ବି କେବଳ ବାହକ ଏଇ ମନର ଶିକା ବାହୁଙ୍ଗିରେ ଟେକିଧରି ଚାଲିଥିଲା ।

 

କାହାଣୀ ଅଂଶ :

 

ତା’ପରେ ସେମାନେ ଏକ ରାଜ୍ୟରେ ପହଞ୍ଚିଲେ । ଗୋସେଇଁଙ୍କ ବ୍ୟବସାୟଗତ ବୟାନରୁ ସେ ଜାଣିଲା, ରାଜାଙ୍କ ଜମାନା ପରେ ସେଠି ମନ୍ତ୍ରୀଙ୍କ ରାଜୁତି ଚାଲୁଛି; ଅର୍ଥାତ୍ ରାଜ୍ୟ ଅରାଜକ । ସେ ରାଜ୍ୟର ନଈ ନାଳ, ଗାଡ଼ିଆ ପୋଖରୀ, ପାହାଡ଼ ପର୍ବତ, ବଣ ବୁଦା, ଇତି ସର୍ବତ୍ର ତେତିଶକୋଟି ଦେବତା ପଇଁତରା ମାରୁଥିଲେ । ମଣିଷର ଖାଇବା, ପିଇବା, ଶୋଇବା ରହିବା, ହରେକ କାମର ଚକ ଉପରେ ଧର୍ମର ହାଲ ଅଣ୍ଟା ଯାଇଥିଲା । ବର୍ତ୍ତମାନକୁ ଦେଶକୁ କଳି ସତର ଆଙ୍ଗୁଳି ତିନିବିଶ୍ୱା ପ୍ରମାଣ ଗ୍ରାସ କରିଛି । କଳିର ଏଟା ପାହାନ୍ତା ପହର । ପାପର ଅସଂଖ୍ୟ ସରୀସୃପ ଦେଶରେ ସିଇଁ ହେଇଯାଇଛନ୍ତି । କଳ୍‌କୀ ଅବତାର ଜନ୍ମ ନେବାହେବେ । ବାରହାତ ଖଣ୍ଡା ବାହାରିବ । ତା’ପରେ ମ୍ଳେଚ୍ଛ ସଂହାର ହେବ ।

 

ସେମାନେ କଳିର ରାଜ୍ୟରେ ପର୍ଯ୍ୟଟନ କରୁଥିଲେ । ତେତିଶ କୋଟି ଦେବତା ଓ ତାଙ୍କ ଧର୍ମର ବାହନମାନଙ୍କୁ ହରିକାଠରେ ଠୁଙ୍କିଦେଇ ପନ୍ଦର କୋଟି ଅପଦେବତା ତାଙ୍କର ବିଷଦାନ୍ତକୁ ଫୁଙ୍ଗୁଳା କରି ପାଟିରୁ ପାପ ଲାଳର କୁଳୁକୁଚା ଚାରିଆଡ଼େ ଫିଙ୍ଗୁଛନ୍ତି । ଆଉ ତାଙ୍କ ଗରଳର ତନ୍ତୁଫେରରେ ସାଧୁସନ୍ଥମାନେ ଗୁଡ଼େଇହେଇ ମୃଗୁଣୀର ସ୍ତୁତି ଗାଇ ତ୍ରାହି ତ୍ରାହି ରାବ ଦେଉଛନ୍ତି । ଗୋସେଇଁ ମହାପ୍ରୁ କଳିର ଅପକୀର୍ତ୍ତିକୁ ତାକୁ ଗୋଟି ଗୋଟି ଦେଖାଇ ଦେଉଥିଲେ । ସାଆନ୍ତଙ୍କ ନୀତିରଙ୍ଗା ଚଷମା ଖୋସି ଦୃଶ୍ୟମାନ ଘଟଣାମାନଙ୍କୁ ଦର୍ଶକ ଭୂମିକାରେ ସେ ଦେଖି ଦେଖି ଯାଉଥିଲା । ହେଇ ଏଠି, ପରମହଂସଙ୍କ ମୁଣ୍ଡ କୁରାଢ଼ି ମାଡ଼ରେ ଖଣ୍ଡ ଖଣ୍ଡ ହେଇ ଗଡ଼ୁଛି । ଇଆଡ଼େ ଦେଖ, ରାଧାମୋହନ ରାଧାହୀନ ହୋଇ ନର୍ଦ୍ଦମା ଭିତରେ ପଙ୍କକେଳି କରୁଛନ୍ତି ।

 

ଏଣେ ଚାହାଁ, ପରମ ବୈଷ୍ଣବ କୋଟିପତି ଶ୍ରୀ ଜଗନ୍ନାଥ ଜୀଉଙ୍କ ମଣୋହି ସଞ୍ଚାର ମୁଖ୍ୟ ବ୍ୟବସ୍ଥାପକ ସେଠ ବିଠଲଲାଲଙ୍କ ଶ୍ରୀଅଙ୍ଗରେ ଛୁରା ଗଳିଯାଇଛି । ତଳକୁ ମୁଣ୍ଡ ଓହଳାଇ ଗଛରେ ଲଟକା ହୋଇଛନ୍ତି । ଏପାଖରେ, ପଦ୍ମବିଭୂଷଣ ବିପ୍ର ନାରାୟଣ ଶ୍ରୀଚନ୍ଦନଙ୍କ ଅଷ୍ଟମାପତ୍ନୀ ଧର୍ଷିତା ହୋଇ ସଂଜ୍ଞାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାକୁ ବୁହାହୋଇ ଯାଉଛନ୍ତି ।

 

ଇଏ ବୋଧହୁଏ, ଗୀତାର ଭାଷ୍ୟକାର ବିଶ୍ୱେଶ୍ୱର ବଡ଼ପଣ୍ଡା ତର୍କଶାସ୍ତ୍ରୀ । ତାଙ୍କୁ କିଏ ସାତ ବେଣ୍ଟିଆ କରି ଚୂନକାଳି ଦେଇ ଛାଡ଼ିଛି ।

 

ହଁ ଅନା, ପୋଲିସ ସାହେବ କୃପାନିଧି ସାମନ୍ତରାୟଙ୍କ ଆଖିର ଖୋଳ ଭିତରୁ ପୁଅଡୋଳାକୁ ତାଙ୍କର ତାଡ଼ି ନେଇଛନ୍ତି ।

 

କି ବୀଭତ୍ସ ! ପୃଥିବୀରେ ପୁଣି କଂସର ଲୀଳା । କେବେ କ୍ଷୀରାବ୍‌ଧି ଶୟନରୁ ଯୋଗନିଦ୍ରା ତେଜି ଅଖିଳ ବ୍ରହ୍ମାଣ୍ଡର ଅଧିନାୟକ, ଦୁଃଖିନୀ ଧରଣୀର ଦୁଃଖ ନେବ ହେ ଦୟାନିଧି ! ଗୋସେଇଁ ଆପଣେ ଆଖିବୁଜିଲେ ସେ ଦେଖୁଥିଲା ଏବଂ ଭାବୁଥିଲା ।

 

ଗୋସେଇଁ ମହାପ୍ରୁ ଚନ୍ଦ୍ରଶେଖର ଚୌପଟ୍ଟନାୟକଙ୍କ ଚଉପାଢ଼ିରେ ଅରୁଆନ୍ନ, ଘୃତ, ଡାଲି, ବେଶର, ଶାକର, ପାୟସ, ପିଷ୍ଟକ ପର୍ଯ୍ୟାୟର ସାତ୍ତ୍ୱିକ ଆହାର ପରେ ସ୍ୱସ୍ତିରେ ସୁଖନିଦ୍ରା ଯାଇଛନ୍ତି । ବଗଡ଼ା ଭାତ ଶାଗ ଖରଡ଼ାରୁ ପୁଣ୍ଟିଏ ଠୁଙ୍କିଦେଇ ସେ ବସି ବସି ଗୋସେଇଁ ଆପଣଙ୍କ ପଦସେବା କରୁଥିଲା, ଆଉ ଭାବୁଥିଲା । ସାଆନ୍ତଙ୍କ ସମୁଚ୍ଚ ଘୁଙ୍ଗୁଡ଼ି ସାଙ୍ଗରେ ତାଳ ପକାଇ ତାଙ୍କର ବିଶାଳ ପେଟର ପ୍ରସାରିତ ନାଭିଗର୍ଭରେ ସଂସ୍ଥାପିତ ତୈଳରାଶି ଉପରକୁ ଉଲ୍ଲମ୍ଫ ଦେଇ ଫେରିଆସୁଥିଲା ।

 

ସେ ଶ୍ରୀଅଙ୍ଗ ସେବା କରୁଥିଲା ଏବଂ ଭାବୁଥିଲା, କାନ୍ଥର ସେପାଖରେ ପୂର୍ବତନ ପ୍ରତାପୀ ଜମିଦାର ଏବଂ ଏବକାର ମିଲମାଲିକ ଚୌପଟ୍ଟନାୟକଙ୍କ ଶୋଇବା ଘରୁ ଝଣ ଝଣ କାଚଗ୍ଳାସର ଶିଂଜନ ସାଙ୍ଗକୁ କଳ କଳା ଢାଳିବାର କଳରବରେ ତା’ ଭାବନା ହଠାତ୍ ଅଟକିଗଲା । ଟିକିଏ ପରେ ମୋଟା ଗଣଗଣ ତଣ୍ଟିରେ ଅନୁରାଗର ବଚନିକା ସହିତ ଏକ ମିଠାଳିଆ ନାରୀକଣ୍ଠର ଅଭିମାନବ୍ୟଞ୍ଜକ ହୁଁ ହାଁ ଉତ୍ତର ତା’ କାନ ଗୋଇର ଜମାଟକୁ ଫଟାଇ ତା’ ମୁଣ୍ଡଆଡ଼କୁ ଧାଇଁ ଯାଉଥିଲା ।

 

...ଚୌପଟ୍ଟନାୟକଙ୍କ ବୟସ ଅନ୍ତତଃ ପଚାଶ ସେ ପାଖକୁ.....

ସେ ପଦମର୍ଦ୍ଦନ କରୁ କରୁ ଭାବିଲା ।

ସେ ପଦମର୍ଦ୍ଦନ ବନ୍ଦକରି ଭାବିଲା ।

ହଁ, ତା’ପରେ ସେ ଖାଲି ଭାବିଲା ।

ଏବଂ ଭାବିଲା, ଭାବିଲା....ଏବଂ ଭାବି ଚାଲିଲା ।

 

ସେ ବାହାରକୁ ବାହାରିପଡ଼ିଲା । ଗୋସେଇଙ୍କ ଗହଣରେ ସେ କଳି ରାଜାର ଦୀନ ଦୃଶ୍ୟ ଦେଖିଥିଲା । ରାତ୍ରିର ରାଜକୀୟ କାହାଣୀ ଶୁଣିବାପାଇଁ ସେ ଏକା ଏକା ପଦାକୁ ଆସିଲା । ଶୀତ ରାତିର ଅକାଲୁଆ ବୋଡ଼ା ସାପ ପରି ସମସ୍ତେ ଶୋଇପଡ଼ିଥିଲେ । ମାଈମାଛ ମଝିରେ ରହି ତା’ ଚାରିପାଖରେ ପହଣା ଖେଳାଇ ଘୁଞ୍ଚି ଘୁଞ୍ଚି ଗଲାଭଳି ତା’ ଚାରିକଡ଼ରେ ସେ ଭାବନାକୁ ପହଁରାଇ ପହଁରାଇ ଆଗକୁ ଚାଲିଥିଲା ।

 

ଯାଇଁ ଯାଇଁ ବସ୍ତିର ଶେଷଠୁଁ ଆହୁରି ଦୂରକୁ ବି ଗଲା । ଯେଉଁଠି କେହିନାହାନ୍ତି, ସେଠି କଳିରାଜା ରାଜତ୍ୱର ନମୁନାକୁ ଦେଖିନେବାକୁ ତା’ର ସଉକ ବଳିଥିଲା । ଆଗରେ ଦେଖିଲା, ଗୋଟାଏ ନିଛାଟିଆ ମନ୍ଦିର । ସେଠି ଦେବତା ଗୋଷ୍ଠୀର ଜଣେ ପରାଜିତକୁ ଏକୁଟିଆ ପାଇ ପାପିଷ୍ଠ କଳିରାଜା କି ସଜାର ବ୍ୟବସ୍ଥା କରିଛି, ଜାଣିବାକୁ ସେ ଆଗ୍ରହୀ ହୋଇପଡ଼ିଲା ।

 

ସେ ମନ୍ଦିର ଭିତରେ ପଶିଲା । ଅନ୍ଧାରରେ ମୁଖଶାଳା ପାର ହୋଇ ଆଗକୁ ଆଗଉଛି, ମନ୍ଦିର ପ୍ରବେଶର ପ୍ରଥମ ପାହାଚରେ କାହାର ଗୋଡ଼ ଖସିବାର ଶବ୍ଦ ଶୁଣିଲା । ସେ ଶଙ୍କିତ ହୋଇପଡ଼ିଲା । କଳିରାଜାର ଏକ ବିକଟାଳ କାଳ୍ପନିକ ରୂପ ଚିନ୍ତାରେ ଅତିମାତ୍ରାରେ ସେ ତ୍ରସ୍ତ ହୋଇଉଠିଲା । ସେ ଆସ୍ତେ ଆସ୍ତେ ଘୁଞ୍ଚି ଘୁଞ୍ଚି ପଛରେ ଖଣ୍ଡେ ପଥର ଉପରେ ଆଉଜିଗଲା । ପଥର ସେ ପାଖରେ ଅଣ୍ଡାଳି ଦେଖିଲା, ଫାଙ୍କା ଜଣାଯାଉଛି ଏବଂ ପଛ ପାଖକୁ ପୁଣି ଏକ କାନ୍ଥ । ବୋଧହୁଏ ମନ୍ଦିରର ପାଚେରି କି’ କ’ଣ ? ସେ ଫାଙ୍କା ଜାଗାରେ ପଥର ଆହୁଡ଼ରେ ଆସ୍ତେ ବସିପଡ଼ି ନିଶ୍ୱାସକୁ ଧୀରେ ଧୀରେ ଛାଡ଼ିବାକୁ ଚେଷ୍ଟା କରୁଥିଲା ।

 

ତା’ପରେ ମନ୍ଦିର ମଝି ଚଉତରା ଉପରେ ଗୋଟାଏ ଛୋଟ ମହମବତୀ ଜଳିଉଠିଲା । ସମ୍ପୂର୍ଣ୍ଣ କଳା ପୋଷାକରେ ଜଣେ କିଏ ଗୋଡ଼ ଲମ୍ୱାଇ ବସିବାକୁ ଆରମ୍ଭ କରୁଛି ।

 

କଳିରାଜାର କାଳଦୂତ ନିଶ୍ଚୟ । କ୍ଷିପ୍ରଗାମୀ ହୃତ୍‌ସ୍ପନ୍ଦନକୁ ଆୟତ୍ତ କରିବାକୁ ସେ ଛାତିଉପରେ ହାତ ଚାପି ଧରିଲା ।

 

ଟିକିଏ ଛାଡ଼ି ।

 

ଆଉ ଜଣେ ସମରୂପୀର ଆବିର୍ଭାବ ହେଲା ଏବଂ ସେ ପ୍ରଶ୍ନକଲା କିଏ ?

 

ଉତ୍ତର ଆସିଲା–‘ସଂଖ୍ୟା ଏକ’ ।

 

‘‘ମୁଁ ସଂଖ୍ୟା ଦୁଇ’’–ଆଗନ୍ତୁକ ପୁଳାଏ ଅଳନ୍ଧୁ ଭଳି ତଳେ ଲପଟିଗଲା ।

 

ପ୍ରାୟ ପରେ ପରେ ।

 

ଆଉ ଜଣେ କାଳଦୂତ ସନ୍ତର୍ପଣରେ ପଶିଆସିଲା ଏବଂ କୌଣସି ପ୍ରଶ୍ନ ପୂର୍ବରୁ ସଂଖ୍ୟା ତିନି ବୋଲି ନିଜର ପରିଚୟ ଦେଲା ।

 

ସଂଖ୍ୟା ଏକର କାହାଣୀ :–

 

ସଂଖ୍ୟା ଏକ ଆରମ୍ଭ କଲା : ମୋର ପରିଚିତ ପର୍ଯ୍ୟାୟରେ ତୁମେ ଆଜିଯାଏଁ ଜାଣିଛ ମୁଁ ସଂଖ୍ୟା ଏକ । ଆମେ ସଂଖ୍ୟା ଶୂନଙ୍କ ସହୃଦୟତାରେ ତାଙ୍କ ଶିଷ୍ୟତ୍ୱକୁ ଶେଷ ଅବଲମ୍ୱନ ରୂପେ ବରିନେଇଛନ୍ତି ଏବଂ ନିଜର ନିଜତ୍ୱକୁ ନିଃଶେଷ କରି ଏକ ସାମୂହିକ ଅଶେଷ ଶକ୍ତିରୂପେ ଅତିଶକ୍ତ ପଇସାବାଦ୍‌ର ପାଚେରି ଉପରେ ଶାବଳ ମାରୁଛନ୍ତି, ଶ୍ରମ ମୂଲ୍ୟ ଆଶାରେ ନୁହେଁ, ସଂସ୍କାର ପାଇଁ । ଆମେ ସମବେତ ପୌରୁଷରେ ଏକକ ଶକ୍ତି । ଆମେ ଏକୀକୃତ ସାମର୍ଥ୍ୟର ଗୋଟିଏ ଗର୍ଜନ; ତଥାପି ମଣିଷ, ତୁମେ ବି ମଣିଷ ! ମୋ ମଣିଷ ଜୀବନର ସଲିଲକି ମୁଁ କହୁଛି । ପାଟିକରି ମୋ କଥା ମୁଁ ଭାବୁଛି । ତୁମେ ତୁମର ଭିତରର ମଣିଷକୁ ଆହୁଡ଼ରେ ଲୁଚେଇ ମୋ ସ୍ୱଗତୋକ୍ତି ଶୁଣିପାର-

 

ମୋ ନାଆଁ..... (ହଠାତ୍ ବନ୍ଦ ହୋଇଗଲା) ହଁ, ମୁଁ, ବିଶ୍ୱବିଦ୍ୟାଳୟରୁ ଉପାଧି ନେଇଛି । ଶିକ୍ଷାର ପ୍ରତି ସ୍ତରରେ ଡିଭିଜନର ପଦଚିହ୍ନ ରହିଥିଲା । ଆଜି ଅବଶ୍ୟ ନାହିଁ । ମୁଁ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ୍ ଷ୍ଟାମ୍ପକୁ ଚିରିଦେଇ ମତେ ବେନାମି କରିଦେଇଛି । ଆଉ ଜାଣେ, ଦୋହରା ଡାକଖର୍ଚ୍ଚ ଦେଇ ମତେ ପଢ଼ିବେନି, ମୁଁ ଫଡ଼ାହୋଇ ଫୋପଡ଼ା ହେବି ।

 

ମଦନମୋହନଙ୍କ ଦୟାରୁ ମୋ ବାପା କ୍ଷୟରୋଗୀ । ତାଙ୍କ ଦେହର ମାଠିଆରୁ ଜୀବନର ନିର୍ଯ୍ୟାସ ଥୋପା ଥୋପା ଖସିପଡ଼ୁଛି । ମୁଁ ସେ ସଛିଦ୍ର ପାତ୍ରର ଛିଦ୍ର ବନ୍ଦ କରିପାରିନି କି ପାତ୍ରରେ ଟିକିଏ ପାଣି ଦେଇ ଆୟୁଷର ପରିସରକୁ ସାହାଯ୍ୟ କରିପାରିନି । ମାଆ ମୋର ଆମ ଘରର ଇଷ୍ଟଠାକୁର ମଦନମୋହନଙ୍କ ଉପରେ ଖାଲି ଲୁହ ଗଡ଼ାଉଛି । ସେ ଲୁହ ସେଇ ପଥର ଉପରେ ବହିଯାଉଛି । ପଥର ଉପରେ ପାଣି କେବଳ ଖସରିଯାଏ । ପଥର ପାଣିରେ ଜମା ଭିଜେନି । ସେ ବୁଝିନି ଏ ଠାକୁର ସମ୍ପ୍ରଦାୟ ପଇସାପତିଙ୍କର କିମିଆଁ ପାଇଁ କାଉଁରି ହାଡ଼ । ଏହି ହାଡ଼ର ହଟଚମକ ଦେଖାଇ ସେମାନେ ହାତ ସଫେଇ କରି ପଇସା ଟାଣନ୍ତି ।

 

ହଁ, ମା, ଏବେ ବି ମୋ ଉପରେ ଭରସା ରଖୁଛି । ତାହାର ଯାହା କିଛି ଅଳ୍ପ ଗହଣା ଥିଲା, ମୁଁ ତାକୁ ବିକି ସାଇ ମାମଲତକାର, ସାନବାବୁ, ବଡ଼ବାବୁ, ଛୋଟ ସାହେବ, ବଡ଼ ସାହେବ, ମନ୍ତ୍ରୀ ମହାବାହୁ ଇତ୍ୟାଦି ଇତ୍ୟାଦି ବାସୁଆ ବଳଦଙ୍କଠାରୁ ବହୁ ଉପଦେବତାଙ୍କ ଚରଣ ଦେଇ ଦେବ ଦେବ ମହାଦେବଙ୍କୁ ଦର୍ଶନ; ତଥା ଦଇନି ଜଣାଇ ବିନା ବରରେ ଓ୍ୱାପସ୍ ଆସିଛି । ସବୁ ଚାକିରି ଦେଉଳର କାଠଅର୍ଗଳି ଆଗରେ ଅଗ୍ରସେବାର ଥାଳି ଥୁଆ ହେଇଛି । ସେଠି ନୀତି, ଭକ୍ତି, ଯୋଗ୍ୟତାର ଦର୍ଶନୀ ଦେଇ ଦର୍ଶନର ପ୍ରଶ୍ନଉଠୁନି । ଦକ୍ଷିଣା ଦେଲେ ଠାକୁର ଧଣ୍ଡା ଆସି ବେକରେ ପଡ଼ୁଛି । ମୁଁ ଦକ୍ଷିଣା ପାଇନି । ତେଣୁ ଦେଇନି । ତେଣୁ ବାପା ମରିବେ । ତେଣୁ ମାଆ କାନ୍ଦୁଛି । ତେଣୁ ଆଜି ମୁଁ ନାଗବନ୍ଧନର ନାଗଫଣାକୁ ଛେଚି ତା’ ଲାଞ୍ଜକୁ ସିଧା କରି ଏକ ସରଳ ରାସ୍ତା ପାଇଁ ସଂଖ୍ୟା ଏକର ଭୂମିକା ନେଇଛି ।

 

ମାଆ ମୋର ସବୁବେଳେ କହେ, ତୁ ମଦନମୋହନଙ୍କୁ ଡାକ, ସେ ତୋ ଦୁଃଖ ଫେଡ଼ିବେ । ଘଡ଼ିର ପେଣ୍ଡୁଲମ ଭଳି ମୁଁ ବେଳେବେଳେ ମଦନମୋହନଙ୍କ ପରିଧି ପାଖରେ ପିଟି ହେଉଥିଲି । ବର୍ତ୍ତମାନ ଅବଶ୍ୟ ମୁଁ ଗତାନୁଗତିକ ମୋ ଘଡ଼ିର କଣ୍ଟାକୁ ସବୁଦିନ ପାଇଁ ବନ୍ଦ କରିଦେଇ ମୋ ପେଣ୍ଡୁଲମକୁ ହାତୁଡ଼ି କରି ମଦନମୋହନଙ୍କ କାଗଜ ଦୁର୍ଗ ଉପରେ ପାହାର ଦେବାକୁ ଆରମ୍ଭ କରିଛି । ମା’ କହେ, ମଦନମୋହନ ଯାହାକୁ ଭଲପାଆନ୍ତି, ତାକୁ ଦୁଃଖ ଦିଅନ୍ତି । ଯିଏ ଖରାପ ତାକୁ ସୁଖ ଦେଇ ପାଖରୁ ଦୂରେଇ ଦିଅନ୍ତି । ଏ ମୋ ମାଆର କଥା ନୁହେଁ, ଏ ନିଷ୍ପ୍ରାଣ ପଥର ମଦନମୋହନର ଭାଷା ନୁହେଁ, ଇୟେ ସଇତାନ ପକେଟମାରୁଙ୍କ ଟିଅରଗେସ୍, ଯିଏ ସମସ୍ତଙ୍କୁ ଆଖି ବୁଜେଇ ଦେଇ ସମସ୍ତଙ୍କ ପକେଟରେ ହାତ ପୂରାନ୍ତି ।

 

ଆରେ ଭାଇ, ମୁଁ ଟିକିଏ ଭାବପ୍ରବଣ ହୋଇପଡ଼ିଲି । ମୋ ତଟକା ପ୍ରୋଗ୍ରାମ୍‌ର ଅଗ୍ରଗତି ବିଷୟରେ ମୁଁ ଟିକିଏ କହିଦିଏ । ଏଇ ଚୋଠା ମିଲ୍‌ବାଲା ଚନ୍ଦ୍ରଶେଖର ଚୌପଟ୍ଟନାୟକ ଚାଉଳରେ କରକଚ୍ଚା ଗୋଳେଇ, ଅଟାରେ ତେନ୍ତୁଳିମଞ୍ଜିର ଗୁଣ୍ଡ ଫେଣ୍ଟି, ରିଲିଫ ଯୋଗାଣବେଳେ ଶହେକୁ ହଜାରେ ବସ୍ତାର ହିସାବ ଲେଖାଇ, ଶହ ଶହ ଶ୍ରମିକର ସଫଳ କୃତିକୁ ପଇସାରେ ଭଙ୍ଗାଇ ଘରେ ଟଙ୍କାର ଖମାର ଖୋଲିଛି । ସେଥିପାଇଁ ତାକୁ କଷ୍ଟ୍ ପ୍ରାଇସ୍ ପ୍ରାୟ କିଛି ଦେବାକୁ ପଡ଼ିନି । ଭୋକିଲା ମୁଲିଆଙ୍କ ପାଇଁ କିଛି ପେଜପାଣି, ସରକାରୀ ଫାକଲ୍‌ର ଖାଲରେ ମାଟି ପକାଇବା ପାଇଁ ସାମାନ୍ୟ ଉପଢ଼ୌକନ, ଅବାଧ୍ୟ ଅଫିସରକୁ ସୁବୋଧ କରିବାକୁ ଏହି କିଛି ଉପରମହଲରେ ନିର୍ବାଚନ ଚାନ୍ଦା । ତା’ଛଡ଼ା ଦେଶର ଇତିହାସ ବହିରେ ନିଜର ଛବି ଛପାଇବାକୁ ଦାନଧର୍ମର କିଛି ମେହେରାବି ତିଆରି କରିବା । ଚିତା ଚଇତନର ଫେସ୍କ୍ରୋଧାରୀ ଚାରଣମାନଙ୍କୁ ସାମାନ୍ୟ ଗଞ୍ଜାଇ ଖର୍ଚ୍ଚା, ମୁଠେ ମୁଠେ ଅରୁଆନ୍ନ ଦେଇ ନିଜକୁ ସୁଲଭ ମୂଲ୍ୟରେ ଦୁଲର୍ଭ ବୋଲି ବିଜ୍ଞାପିତ କରିପାରିଛି-। ଏଥିରେ ବି ଜିଅଳ ଗୁନ୍ଥି ବାଳିଆ ଧରିବାର ଯୋଜନା ରହିଛି । ଅବକାରୀ ମାଲ୍‍ର ଚୋରା କାରବାର ବାରବୁଲା ବାବାଜି ବୈଷ୍ଣବଙ୍କ ଜରିଆରେ ଚଳାଇଛି । ଗତ ସପ୍ତାହରେ ଶହେ ଶଯ୍ୟାବିଶିଷ୍ଟ ଗୋଟାଏ ଡାକ୍ତରଖାନା ସ୍ଥାପନର ପ୍ରତିଶ୍ରୁତି ଦେଇ ଗୋଟାଏ ବିରାଟ ଆଟୋପ ଭିତରେ ଭିତ୍ତିସ୍ଥାପନ ପର୍ବ ଶେଷ କରିଦେଇଛି । ଅନ୍ଧାରରେ ଲକ୍ଷେ ଲୋକଙ୍କ ତଣ୍ଟି କାଟି ଆଲୁଅରେ ଶହେଜଣକୁ ବଞ୍ଚେଇବାର ଅଭିନୟ ଦେଖାଇ ଇତିହାସରେ ସେ ହରିଶ୍ଚନ୍ଦ୍ର ହୋଇ ରହିଯିବ । ପାତାଳଫୁଟ ତା’ର ନର୍ଦ୍ଦମାର କୂଅକୁ କଲେଇକରା ସୁନାପଦ୍ମର ପାଖୁଡ଼ା ସବୁଦିନ ପାଇଁ ଢାଙ୍କି ରଖିବ । ତା’ର ବିଶାଳ ପଇସାକୁ ଠୁଳ କରିବା ପାଇଁ ସେ ଅତି ସାମାନ୍ୟ ଶ୍ରମ ବି ଦେଇନି । ସୁରା ଏବଂ ସାକୀର ବିଶଦ ବ୍ୟବହାର ପାଇଁ ସେ ତା’ର ସବୁ ସମୟକୁ ଖର୍ଚ୍ଚ କରିଆସିଛି । ଧର୍ମ ଏବଂ ସଂସ୍କୃତିର ଏନେସେଥ୍‌ସିଆ ଶୁଙ୍ଘାଇ ସିନ୍ଦୁକ ଭାଙ୍ଗିବାର ସଭ୍ୟତାକୁ ତଳକଣ୍ଟା ଉପରକଣ୍ଟା ଦେବାକୁ ହେବ । ସାତତାଳ ପଙ୍କତଳୁ ତା’ ଜୀବନ ଫରୁଆର ଭଅଁରକୁ ଭିଡ଼ି ଆଣିବାପାଇଁ ଶ୍ରୀମୟୀ ସଂଖ୍ୟା ଦେଢ଼ଙ୍କୁ ମୁଁ ତା’ପାଖରେ ଛାଡ଼ିଦେଇ ଆସିଛି !

 

ସଂଖ୍ୟାଦୁଇର ବୃତ୍ତାନ୍ତ :–

 

ସଂଖ୍ୟାଦୁଇ କହିଲା :

 

ମୋ ନା ସଂଖ୍ୟା ଦୁଇ । ସେହି ନାଁରୁ ଆତ୍ମପ୍ରସାଦର ଆହାର ପାଏଁ । ଯେଉଁ ନାଁରେ ମୋ ବାପ ମାଆ ମୋର ଛୋଟିଆ ମାଟି ପାଣିର ପୃଥିବୀରେ ମତେ ପରିଚିତ କରାଇ ମୋ ଜୀବନର ଅଙ୍କ କଷିଥିଲେ, ତା’ର ଉତ୍ତର ଆଜି ଭୁଲ୍ ହୋଇଯାଇଛି ଏବଂ ମୂଲ୍ୟାଙ୍କନରେ ଶୂନ ପାଇ ମହାଶୂନ୍ୟର ହାହାକାର ମଧ୍ୟରେ ହାଇଁପାଇଁ ହୋଇଛନ୍ତି ।

 

ମୋ ବାପା ଥିଲେ ଜଣେ ମରହଟ୍ଟୀ ବଟୁଆଧର୍ମୀ ରାଜନୀତି ବେପାରୀ । ଆଜିର ରାଜନୀତି ଗୋଦାମର ରଦ୍ଦିମାଲକୁ ସଉଦା କରି କାରବାର ଚାଲୁ ରଖିବାକୁ ଅପଚେଷ୍ଟା କରିଥିଲେ ଏବଂ ଫଳତଃ ଅଶେଷ କଷ୍ଟର ବୋଝ ମୁଣ୍ଡାଇ ଶେଷରେ ନିଜର ମୁଣ୍ଡକୁ ବିଗାଡ଼ି ଦେଲେ । ସେତେବେଳେ ତାଙ୍କର ବୟସ ପଚିଶ ଭିତରେ । ଗାନ୍ଧିବାଣୀର ଗନ୍ଧବହ ତାଙ୍କର ଫୁଲମୁଖୀ ମନ ଡେମ୍ଫରେ ଦେଶପ୍ରେମର ଫୁଲଝୁମ୍ପା ଝୁଲାଇ ଦେଲା । ବିପ୍ଳବର ବଂଶୀ ସ୍ୱନରେ ଉଚ୍ଚାଟ ହୋଇ ଘର ଛାଡ଼ି ଚାଲିଗଲେ । ଯେ ଗଲେ ଗଲେ । ଏହି ଯିବାର ଲମ୍ବା ପରିସରଟା ମାଆ ପାଇଁ ଦୁର୍ବିସହ ହୋଇପଡ଼ିଲା । ବାପା ଘର ଛାଡ଼ିଲା ବେଳକୁ ମୁଁ ଛୋଟ ହୋଇଥିଲେ ବି ମାଆ କାନ୍ଦୁଛି ବୋଲି ବୁଝିପାରୁଥିଲି । ଉଡ଼ା କାଣ୍ଡିଆ ଖବର ପାଇ ମାଆ ମୋତେ ବୁଝାଇ ଦେଉଥିଲା ଯେ, ଇଂରେଜ ସରକାର ତାଙ୍କୁ ବାନ୍ଧିକି ରଖିଛି । ମାଆ ରାତିରେ ମତେ ଛାତିରେ ଭିଡ଼ି ଧରି କଇଁ କଇଁ ହୋଇ କାନ୍ଦୁଥିଲେ । ମୁଁ ବି ମାଆ କାନ୍ଦୁଛି ବୋଲି କାନ୍ଦୁଥିଲି । ମାଆ ମୁହଁକୁ ଆଖିରେ ଆଖି ମିଶେଇ ଯେତେବେଳେ ମୁଁ ଚାହୁଁଥିଲି, ମତେ କାନ୍ଦ ମାଡ଼ୁଥିଲା । ପୋଲିସବାଲା ମଝିରେ ମଝିରେ ଆମ ଉପରେ ଜୁଲମ କରୁଥିଲେ । ବାପା ପାଞ୍ଚବର୍ଷ ପରେ ଫେରିଲେ । ବାପା ଫେରିଲେ ସତ, ମାଆ ତାଙ୍କ ଚେହେରା ବିଷୟରେ ଯେମିତି କହୁଥିଲେ, ସେ ସେମିତି ନ ଥିଲେ । ତାଙ୍କ କମର ଉପରେ ଯଥେଷ୍ଟ ମାଡ଼ ହେବାରୁ ତାଙ୍କର କମର ବଙ୍କି ଯାଇଥିଲା । ସେ ସଚ୍ଚୋଟ ଗାନ୍ଧିବାଦୀ ଥିଲେ । ଯେତେ ଅସୁବିଧା ଆସିଲେ ବି ତାଙ୍କ ନୀତିରୁ ସେ ଓହରି ଯାଉନଥିଲେ । ମୋ ପାଠପଢ଼ା ମେଟ୍ରିକୁଲେସନ ପରେ ଇତିଶ୍ରୀ ହେଲା । ଦେଶ ସ୍ୱାଧୀନ ହେଲା । ବାପା କହୁଥିଲେ ତାଙ୍କର ଜେଲ୍ ସାଙ୍ଗମାନେ ମନ୍ତ୍ରୀ ହେଇ ଦେଶର ସର୍ବେସର୍ବା ହେଲେ । ମତେ ଖଣ୍ଡେ ଯାଇତାଇ ଚାକିରି ଦେବାକୁ ସେ ଅସୁସ୍ଥ ଅବସ୍ଥାରେ ବହୁତ ଧାଁ ଧଉଡ଼ କରିଛନ୍ତି । ସବୁଥର ଫେରିଆସି ଖାଲି ଲମ୍ବା ନିଃଶ୍ୱାସ ଛାଡ଼ନ୍ତି । ଗାଁ ଗଣ୍ଡାରେ ଗାନ୍ଧିମାର୍କାଦିଆ ପଚା ରାଜନୀତିର କାରବାର ଚାଲିଲା । ଯେଉଁମାନେ ବିପ୍ଳବବେଳେ ଆନ୍ଦୋଳନକୁ ଟିଟିକାରି ମାରି ବିପ୍ଳବୀମାନଙ୍କ ବିରୁଦ୍ଧରେ ଲୋକଙ୍କୁ ଟିହାଉଥିଲେ, ସେମାନେ ଦେଶଭକ୍ତିର ଘଟାଟୋପ ଗଳାଇ ରାଜନୀତି ବଜାରରେ ତିନିପଟିଆ ଖେଳିଲେ । ବାପା ପ୍ରଥମେ ପ୍ରଥମେ ଏ ଅପକ୍ରିୟାର ତୀବ୍ର ପ୍ରତିବାଦ କରୁଥିଲେ । ପରେ କ’ଣ ହେଲା କେଜାଣି, କିଛିଦିନ ଗୁମ୍‌ହୋଇ ଖାଲି ବସି ରହିଲେ । ଗାନ୍ଧୀଙ୍କ ଫଟ ପାଖରେ ବସି ମଝିରେ ମଝିରେ କ’ଣ ବରବର ହେଇ କହନ୍ତି । ତା’ପରେ ରୀତିମତ ତାଙ୍କର ପାଗଳାମୀ ଆରମ୍ଭ ହେଲା । ଦିନେ କୁଆଡ଼େ ଚାଲିଗଲେ, ଆଉ ଫେରିନାହାନ୍ତି । ମାଆ ମୋର କାନ୍ଦୁଥିଲା, କାନ୍ଦୁଛି, କାନ୍ଦି କାନ୍ଦି ବି ମରିବ ।

 

ଆଜି ମୋ ଭଙ୍ଗା ପାଚେରୀ କାନ୍ଥର ଫାଙ୍କରୁ ଗୋଛା ଗୋଛା ସାପ ଶିକାର ଖୋଜି ବୁଲୁଛନ୍ତି । ବାପା ସତ୍ୟ ଅହିଂସାର ଟେକା କିଆରି ଭିତରେ ହାମୁଡ଼ାଇ ହାମୁଡ଼ାଇ ଟେକା ମାଡ଼ ଖାଇ ଟେକା ତଳେ ସମାଧି ନେଇଛନ୍ତି । ଗୋଟିଏ ବି ପ୍ରତି ଟେକା ପାଇଁ ହାତ ଉଠାଇନାହାନ୍ତି । ଟେକା ମାଡ଼ ଖାଇ ଟେକା ଫିଙ୍ଗାଳୀର ମଙ୍ଗଳ ମନାସିବା ବକ୍ତୃତାର ବଚନିକା । ଅହିଂସା ଦୁହାର ସହାରା ନେଇ ଟେକା ମାରି ଆହତକୁ ସହି ନେବାକୁ ଅଭ୍ୟାସ କରାଇବା ଏକ ସୁଚିନ୍ତିତ ବିପ୍ଳବମାରିଣୀ ଷଡ଼ଯନ୍ତ୍ର । ଅନ୍ୟାୟ ବିପକ୍ଷରେ ବିପ୍ଳବକୁ ଶୁଆଇ ପକାଇବା ପାଇଁ ଏ ‘ନାନା ବାଇଆ’ ଗୀତର ଗୀତିକାର ହେଉଛନ୍ତି ଅତ୍ୟାଚାରର ଧୂର୍ତ୍ତ କାରପଟଦାର ଗୋଷ୍ଠୀ । ମଇଳା ପୋଡ଼ିବା ପାଇଁ ନିଆଁ ଦରକାର । ପାଣି ଢାଳିଲେ ତା’ର ସଢ଼ା ଅବଶେଷ ଭିତରୁ ମହାମାରୀର ମାରାତ୍ମକ ବେକ୍‌ଟିୟା ବାହାରିବେ । ଦୁର୍ନୀତିର ସାମରିକ ବ୍ୟୂହ ଭିତରେ ଗଣତନ୍ତ୍ରର ଆହତ ଆତ୍ମା ମୌନ ମିନତିର କାବ୍ୟ ଗାଇଚାଲିଛି । ପଇସାର କଳାଚମ୍ପା ଶୁଘିଂ ବୁଦ୍ଧିଜୀବୀ ଦିନରେ ମେଣ୍ଢା ହେଉଛି ଓ ରାତିରେ ରମଣର ସାମଗ୍ରୀ ପାଲଟିଛି । ପୁଞ୍ଜିପତିର ଡୋର ଲଗା କଣ୍ଢେଇମାନେ ପ୍ଲାଷ୍ଟିକର କଲମ, ଖଣ୍ଡା ଧରି ବୀର, ଶୂର, ଶାସକର ଗୋପଲୀଳା କରୁଛନ୍ତି । ଏ କଣ୍ଢେଇ ନାଚର ମଞ୍ଚକୁ ଚୁରମାର କରି ମଣିଷର ଅଭିନୟ ପାଇଁ ଆଜିର ମଣିଷକୁ ଅମଣିଷର ପୋଷାକ ପିନ୍ଧାଇ ପଖୋଜ ପିଟିବାକୁ ହେବ ।

 

ହଁ ମୋର ଆଜିର ଶିକାର ହେଉଛି ଏ ଅଞ୍ଚଳର ଢୋଲପିଟା ଦେଶସେବୀ, ଜନବନ୍ଧୁ ସାଆନ୍ତରା ବାବୁ । ବାତ୍ୟାରେ ସମସ୍ତଙ୍କ ଘର ଭାଙ୍ଗିଗଲେ ବି ଜଣେ କେହି ପଲା ଖଣ୍ଡେ ବି କରୁନଥିବାର ଦେଖି ଉପଦେଶ ଅପେକ୍ଷା କାମରେ ଦେଖାଇଦେବାକୁ ତାଙ୍କର କୋଠାଖଣ୍ଡକ ୟା ଭିତରେ ଶେଷ କରିଦେଲେ । ସରକାରୀ ଚାକିରିଆର ସରଳାର୍ଥ ହେଲା ମନ୍ତ୍ରୀଙ୍କ ଚାକିରିଆ । ଏ ଦେଶର ସାନ୍ତରାମାନଙ୍କ ମେସିନ୍‌ରୁ ମନ୍ତ୍ରୀ ଉତ୍ପାଦନ କରାଯାଉଛି । ମନ୍ତ୍ରୀମାନେ ତାଙ୍କ ହାତର ଟେକା, ଏମାନଙ୍କ ଫୋପଡ଼ା ଜାଗାରେ ମନ୍ତ୍ରୀ ନ ବାଜିଲେ ମନ୍ତ୍ରୀ ଗାଦିରୁ ବି ଫୋପଡ଼ା ହେବେ । ରିଲିଫ କାମ ପାଇଁ ଆସୁଥିବା ସରକାରୀ ନୌକରଙ୍କୁ ବକ୍‌ସିସ୍‌ର ଥୋପ ହଲାଇ କାବୁ କରାଯାଇପାରିବ । ଯଦି କୌଣସି ଆତ୍ମାଭିମାନୀ ନିଜ ସ୍ଥିତିର ସଂଜ୍ଞା ପ୍ରତି ସଚେତନ ନ ହୋଇ ତାଙ୍କର ମନ୍ତ୍ରକୁଣ୍ଡଳି ଭିତରକୁ ଆସିନପାରିଲା, ତେବେ ତନ୍ତ୍ର ମହାବିଦ୍ୟାର ଉପଯୋଗ କରି ବଦଳି କିମ୍ବା ଶେଷ ମହୌଷଧି ବିଧା ମାଧ୍ୟମରେ ସେମାନଙ୍କୁ ନିଜ ପରିଧିର ଗୋଲ୍ ଭିତରକୁ ନିଶ୍ଚୟ ଓଟରାଯାଇ ଘୂରାଇ ଦିଆଯିବ । ସରକାରୀ ଲୋକମାନେ ଜମା ବୋକା ନୁହନ୍ତି । ଲାଭାଂଶର ଭାଗୀଦାର ରୂପେ ଭାଗ୍ୟବାନ ହୋଇ ମହାବାହୁମାନଙ୍କ ବାହୁଛାୟାତଳେ ହାନିଲାଭର ଚଢ଼ାଉ ଉହାଡ଼ରେ ରହି ପାଣି ପାଖିଆ ଚଡ଼ାରେ ଫସଲ ଉତୁରେଇ ନ ନେବେ କାହିଁକି ? ଏହି ମନ୍ତ୍ରୀ–ପ୍ରସବିନୀ ସାନ୍ତରାଙ୍କ ମହାଶକ୍ତିର ଭାଷାଟମି ପାଇଁ କିଛି କଇଁଚି ଓ ତୁଳାର ଯୋଗାଡ଼ରେ ଅଛି ।

 

ସଂଖ୍ୟା ତିନ୍‌ର ଇତିବୃତ୍ତି :–

 

ସଂଖ୍ୟା ତିନ୍ କହିଲା : ମୋର ବାପା ସାହିତ୍ୟ ବ୍ୟାଧିଗ୍ରସ୍ତ । ପାରଦ ଛଡ଼ା ଆରିଶିରେ ମୁହଁକୁ ଦେଖିବାକୁ ଯାଇଁ ଆଇନାର ପଛଆଡ଼ର ଜିନିଷକୁ ସବୁବେଳେ ଦେଖିଛନ୍ତି; ଅର୍ଥାତ୍‌ ନିଜକୁ କେବେ ଦେଖିନାହାନ୍ତି । ତାଙ୍କ କାନ୍ଥଡ଼ାରୁ ଟେଳା ଟେଳା ମାଟି ତଳକୁ ଗଡ଼ି ପଡ଼ୁଛି । ମାଟିର ଫାଟ ଭିତରେ ସେ ଝିଙ୍କାରୀର ସାହାନାଇ ଫୁଙ୍କି ବଞ୍ଚିବାର ଗୌରବରେ ଆତ୍ମହରା ହେଇଛନ୍ତି । ନିରଞ୍ଜନା ନଦୀ କୂଳରେ କୁଚ୍ଛ୍ର ସାଧନା କରୁଛନ୍ତି–ସେ ବୁଦ୍ଧ ହେବେ–ନୂତନ ଆଲୋକର ଇଲାକା ଆଣିବେ–ତା’ପରେ ଆନନ୍ଦ, ଶାରିପୁତ୍ତ ଇତ୍ୟାଦି ଶିଷ୍ୟବର୍ଗ ତାଙ୍କୁ ପାଲିଙ୍କିରେ ବସାଇ ଛତ୍ରଚାମର ଟେକି ବିଶ୍ୱର ଆଲୋକ ବୋଲି ଶ୍ୱେତପତ୍ର କାଢ଼ିବେ । ବାପା ତାଙ୍କ ଖାଲି ହାଣ୍ଡିକୁ ଚୁଲିରେ ବସାଇ ଖେଚିଡ଼ିର ରୂପ, ରସ, ଗନ୍ଧ ଉପରେ କାବ୍ୟ କଳ୍ପନା କରୁଛନ୍ତି, ଏଣେ ଆମ ଚୁଲିରେ ହାଣ୍ଡି ଗଡ଼ି ପଡ଼ିଲାଣି । ସେ ପାହାଡ଼ ଚଢ଼ିବାକୁ ଉଠାଣି ରାସ୍ତାରେ ଉଠି ଗୋଡ଼ ହାତ ଭାଙ୍ଗି ତଳକୁ ଗଡ଼ି ଗଡ଼ି ଖଣ୍ଡିଆ ଖାବୁଡ଼ା ହେଲେଣି । କିନ୍ତୁ ବିଦ୍ୟାଠାକୁର ଗଣେଶଧର୍ମୀ କୃତୀ ସନ୍ତାନମାନେ ପାହାଡ଼କୁ ପରିକ୍ରମା କରି ଶ୍ରେଷ୍ଠ ଶୃଙ୍ଗମାନଙ୍କ ଆବିଷ୍କାରକ ରୂପେ ସମ୍ମାନର ସବୁ ଚେୟାରରେ ଆସନ ଜମାଇ ସାରିଲେଣି ।

 

ମୋ ବାପାଙ୍କର ଭୁଲ୍ ହେଉଛି–

 

ଏକରେ– ସେ ଏବେ ବି ବୁଝିନାହାନ୍ତି, ବେଲୁନ୍ ପେଁକାଳିର ଶତାବ୍ଦୀରେ ଶଙ୍ଖର ବୁନିୟାଦିରୁ କାଠର କଦଳୀକାନ୍ଦି ଅନେକ ଦିନରୁ ଖସିପଡ଼ିଲାଣି ।

 

ଦୁଇରେ–ତାଙ୍କର ଅନ୍ତତଃ ଜାଣିବା ଉଚିତ ଥିଲା, ମନି, ପାଓ୍ୱାର, ପୋଜିସନ୍‌ର ଜଞ୍ଜିରରେ ସାହିତ୍ୟର ଜରିବ ଚାଲିଛି । ଅତଃ ଲେଖକ ହେବା ଆଗରୁ ତାଙ୍କୁ ମିଲ୍‌ ଓନର୍‌, ମନ୍ତ୍ରୀ, ନ ହେଲେ ଅତି ନିକୁଚ୍ଛରେ ଜଣେ ଆଇ: ଏ: ଏସ୍‌: ଅଫିସର ହେବାକୁ ହେଇଥାନ୍ତା ।

 

ତିନିରେ–ତାଙ୍କର ଚିନ୍ତା କରିବାର କଥା, ଚମ୍ପା, ମଲ୍ଲୀର ଇଲିଉଜନ୍‌ ଭିତରେ ଚକ୍‌କର ନ ମାରି ଉଞ୍ଚ ଛାତ ଉପରେ କମକରା କୁଣ୍ଡ ପେଟରେ ଘାସ ଫୁଲର ସଘନ ଚାଷ ହେଲା ଯୁଗଧର୍ମ-

 

ଚାରିରେ–ତାଙ୍କର ଭାବିବା ଦରକାର ଥିଲା, କେବଳ ମସୀମୁନରେ ସାହିତ୍ୟର ବିଜୟ ଆସେନା, ସେଥିପାଇଁ ଅସିମୁନର ପର୍ଯ୍ୟାପ୍ତ ପ୍ରୟୋଗର ଆବଶ୍ୟକତା ରହିଛି । ସାହିତ୍ୟ–ସଭାମାନଙ୍କରେ ନିଜକୁ ସ୍ଥାପିତ କରିବା ପାଇଁ ଲାଲ୍ ଆଖି ଏବଂ ଛୁରାର ମଧ୍ୟ ପ୍ରୟୋଜନ ପଡ଼େ ।

 

ପାଞ୍ଚରେ–ସବୁଠୁଁ ତାଙ୍କର ମାରାତ୍ମକ ଅପରାଧ, ସେ ମୁଗୁରାର ଲାଞ୍ଜ ନ ବାନ୍ଧି ରାତିଯାକ ଉଜାଗର ରହି ଜିରା ଭିତରେ ପଶି ଲୁଗାପଟା ଭିଜାଇ ମୁଗୁରା ମୁହଁ ଆଡ଼କୁ ମାଛ ହୁରୁଡ଼ାଇଛନ୍ତି । ଗୁରୁଙ୍କ କୃପାବିନା ମନ୍ତ୍ରଜପ ଅସିଦ୍ଧ ହେଲାପରି ପ୍ରକାଶକଙ୍କ କରୁଣା ବିନା ସାହିତ୍ୟ ସାଧନା ଚକ୍ଷୁ କୁଟିବାର ଅନ୍ୟ ଏକ ସିନୋନିମ୍‌ ।

 

ମୋ ବାପାଙ୍କର ସବୁ ଭୁଲ୍ ଭିତରେ ଗୋଟିଏ କଥା ଠିକ୍‌, ସେ ସମୁଦ୍ରରେ ପହଁରିବାକୁ ଅଭ୍ୟାସ କରି ଦଳଗଢ଼ିଆର ଉପହାସ ସହିଛନ୍ତି । ମୁଁ ଦଳଗଢ଼ିଆର ଯାତ୍ରାବାଲାଙ୍କ କାଗଜର ବିଦ୍ରୂପୀ ଦାନ୍ତକୁ ରେଢ଼ିରୁ ଉପାଡ଼ି ତା’ ସ୍ୱରୂପର ପ୍ରକାଶ ଆଣିବି । ସାହିତ୍ୟର ମୁଆଁ ରେସ୍‌ରେ ସଚ୍ଚୋଟ ଖେଳାଳିର ହାତକୁ ପଛରେ ବାନ୍ଧିଦେଇ, ତାଙ୍କୁ କୁଦା ମାରିବାକୁ ଶୁଶୁରି ଫୁଙ୍କି ଯେଉଁମାନେ ଷ୍ଟୁଲ୍ ପକାଇ ମୁଆଁକୁ ଗାଲେଇ ଯାଉଛନ୍ତି ତାଙ୍କ ଗୋଡ଼ତଳୁ ଷ୍ଟୁଲ୍‍କୁ ଖସାଇ ଆଣି ତାଙ୍କୁ ଖସିପଡ଼ିବାକୁ ବାଧ୍ୟ କରିବି ।

 

ମୂଳ କାହାଣୀର ଅବଶିଷ୍ଟ :–

 

ତା’ପରେ ସଂଖ୍ୟା ଏକ, ଦୁଇ, ତିନ୍ ମୁକ୍ତିବାହିନୀର ଗରିଲା ପରି ହଠାତ୍‌ କୁଆଡ଼େ ଗାଏବ ହୋଇଗଲେ । ସେମାନଙ୍କର ଛାଡ଼ି ଯାଇଥିବା ମହମବତୀର ଦୋହଲୁଥିବା ଅଳ୍ପ ଅଳ୍ପ ଆଲୁଅରେ ତାଙ୍କର ଦୁନିଆକୁ ସେ ଆଖିମେଲାଇ ଦେଖିବାକୁ ଚେଷ୍ଟା କଲା । ମନ୍ଦିର ପାର ହୋଇ ସେ ପଛକୁ ଲେଉଟିଆସିଲା । ଗୋସେଇଁଙ୍କ ଟିପାଖାତା ଧରି ଆଗକୁ ଯାଇଁ କାହାଣୀ ଶୁଣିବାକୁ ଆଉ ଇଚ୍ଛା କରୁନଥିଲା । ଗୋସେଇଁଙ୍କ କୁମ୍ଭାର ଚକରେ ଘୂରି ଘୂରି ତାଙ୍କ ହାତରେ ହାଣ୍ଡି ମାଠିଆ ହେବାକୁ ଅସ୍ୱୀକାର କରି ତା’ ମନର କାଦୁଅ ଦୂରକୁ ପିଚିକି ପଡ଼ିଲା । ସେ ଅନୁଭବ କଲା, ତା’ ମନର ତନ୍ତୁ ଉପରେ ବିଦ୍ରୋହର କେନସର୍‌ ଘାଆ ଥୋଳା ଥୋଳା ଛତୁ ଓହଳାଇ ଚାଲିଛି । ଗୋସେଇଁଙ୍କ ଧର୍ମପରଳ କାଟି କାଟି ତା’ ପୁଅଡ଼ୋଳା ନୂଆ ଆଲୁଅର ପୃଥିବୀକୁ ଖସରି ଖସରି ଯାଉଥିଲା । ସନ୍ନ୍ୟାସୀର ଚମ ଉହାଡ଼ରେ ସୈତାନର ସ୍ନାୟୁକୁ ସେ ଆଖିର ରଞ୍ଜନରଶ୍ମି ପକାଇ ଜଳ ଜଳ ଦେଖିପାରିଲା । ସେ ଦେଖିଲା, କଳ୍‌କୀଦେବ ମହାଶୂନ୍ୟର ସିଂହାସନ ଉପରୁ ପ୍ରଳୟର ମଞ୍ଜି ପୃଥିବୀ ଉପରେ ଛାଟି ଛାଟି ହେଉଛନ୍ତି । ସଂଖ୍ୟା ଏକ, ଦୁଇ, ତିନି ଆଦି ଅସଂଖ୍ୟା ସଂଖ୍ୟା ସେ ମଞ୍ଜିରୁ ଗଜାହୋଇ ଉପରକୁ ଉହୁଙ୍କି ଆସୁଛନ୍ତି । ସେ ନିଜ ଭିତରେ ଏକ ମଞ୍ଜିର ମାଉସୀପତ୍ର ଉପୋଦ୍‌ଘାତର ନୂପୁର ଶବ୍ଦ ଶୁଣିଲା ।

 

ସେ ଚୌପଟ୍ଟନାୟକଙ୍କ ଚୌପାଢ଼ୀରେ ପହଞ୍ଚିଯାଇଥିଲା । ଗଞ୍ଜେଇର ଗୁରୁ ପ୍ରତିକ୍ରିୟା ଗୋସେଇଁ ମହାପ୍ରୁଙ୍କ ଉଚ୍ଚାଟ ଶ୍ୱାସକ୍ରିୟା ଛଡ଼ା ତାଙ୍କର ଶାରୀରିକ, ମାନସିକ ସମସ୍ତ କ୍ରିୟାକୁ ନିଷ୍କ୍ରିୟ କରିଥିଲା ।

 

ପ୍ରଳୟ ଯୁଦ୍ଧ ବାଦ୍ୟର ଅନୁରଣନ ଶୁଣି ତା’ ଭିତରର କଳ୍‌କୀ ସେନା ସଂହାରର ଭୈରବ ରବରେ ଲେଲିହାନ ହୋଇଉଠିଲା । ସେ ତା’ର କଳ୍‌କୀ ଦୂତର ବଳିଷ୍ଠ ଗୋଟିଏ ହାତରେ ଗୋସେଇଁଙ୍କ ଗର୍ବସ୍ଫୀତ ଗଳାକୁ ଚିପିଧରି ଆର ହାତରେ ତାଙ୍କ କାନର କୁଣ୍ଡଳକୁ ଓଟାରି ଆଣିଲା ।

 

ଶିକ୍ଷକ, ବିରଜା ହାଇସ୍କୁଲ,

ପୋ:ଦେବୀଦ୍ୱାର, ଜି:କଟକ

Image

 

ଭଟ୍ଟା

ଅକ୍ଷୟ କୁମାର ମହାନ୍ତି

 

ସମୁଦ୍ର !

 

ସାମୁଦ୍ରିକ.......... ।

 

ଏକ ସ୍କେଚ୍‌........

 

ଅଥବା ସଂକ୍ଷିପ୍ତ ଟିପ୍‌ପଣୀ ହୋଇପାରେ ।

 

ଗତାନୁଗତିକ ଧାରା : ଚିରାଚରିତ ରୀତି : କେତେଗୋଟି ମୌଳିକତା ନେଇ ।

 

ସମ୍ପୂର୍ଣ୍ଣ ନୂତନତ୍ୱ ବିହୀନ–

 

ଯେଣୁ ଗତାନୁଗତିକ ଧାରା, ତେଣୁ ଚିରାଚରିତ ରୀତି ।

 

କାରଣ ହେଲା ସହଜ ମୌଳିକତା ।

 

ସମୁଦ୍ର : ସାମୁଦ୍ରିକ ।

 

ସିପ, ଶଙ୍ଖ, ଶାମୁକାର ସମାରୋହ ଅଥବା ବ୍ରସ୍‌, ସ୍ପାଚୁଲା ଆଉ ପ୍ୟାଲେଟ୍‌ର ସମାହାର-

 

ସାଗରର ଭିଜା ବାଲି ବା ମନର ବାଲୁଚରରେ ଦୁଇଟି ସମୁଦ୍ର କଙ୍କଡ଼ା–ଷ୍ଟିଫେନ୍‌ ଆଉ ଜଲି ।

 

ସମୁଦ୍ର ଢେଉରେ ଉପରକୁ ଉଠିଆସିଲେ ଆଉ ପୁଣି ଗାତ ଭିତରକୁ ପଶିଗଲେ କାହା ପାଦଶବ୍ଦ ଶୁଣି ।

 

ସେ ପ୍ରକୃତି ହୋଇପାରେ, ସମୟ ହୋଇପାରେ, ପରିସ୍ଥିତି ବା ନ ହେବ କାହିଁକି ?

 

ତେଣୁ ଗତାନୁଗତିକ ଧାରା–ଚିରାଚରିତ ରୀତି । ନୂତନତ୍ୱ ବିହୀନ । ଯେହେତୁ ସମୁଦ୍ର ଆଉ ସାମୁଦ୍ରିକ କେହି ନୂତନ ନୁହଁନ୍ତି । ଅ ଠାରୁ କ୍ଷ ପର୍ଯ୍ୟନ୍ତ ଯେପରି କୌଣସି ଅକ୍ଷର ନୂତନ ନୁହେଁ-। ତଥାପି ତା’ର ବ୍ୟବହାର ଭିନ୍ନରେ ନୂତନର ସୃଷ୍ଟି । ନୂତନ ଆଉ ପୁରାତନ, ପରୀକ୍ଷା ମୂଳକ ବା ଗତାନୁଗତିକ–ଏକ ମାନସିକ ପ୍ରକ୍ରିୟା ।

 

ଏ ମୁହୂର୍ତ୍ତର ସମୁଦ୍ର ପୁଣି ଆର ମୁହୂର୍ତ୍ତରେ ଭିନ୍ନ, କାରଣ ସେ ସମୁଦ୍ର । ସେ ଚିରାଚରିତ, ଗତାନୁଗତିକ, ତେଣୁ ଚିର ନୂତନ, ଯେହେତୁ ଏକାନ୍ତ ପୁରାତନ....... ।

 

ସମୁଦ୍ର !

 

ସେଥିପାଇଁ ସମୁଦ୍ରର ତୃଷ୍ଣା ନେଇ ସମୁଦ୍ର ଷ୍ଟଡ଼ି କରିବାକୁ ଜୀବନର ପଣ କରିନେଇଛନ୍ତି ଷ୍ଟିଫେନ୍‌ । ଅନନ୍ତ ସମୁଦ୍ରର ପ୍ରତିଟି ଅବସ୍ଥାକୁ ସେ ଧରି ରଖିବାକୁ ଚାହାଁନ୍ତି ତାଙ୍କୁ ତୁଳି ଆଉ ରଙ୍ଗର ମାଧ୍ୟମରେ । ସେ କିନ୍ତୁ ଜାଣନ୍ତି ଯେ ସମୁଦ୍ରର ଅସୀମ ଅବସ୍ଥା ମଧ୍ୟରୁ ନିଜର ଜୀବନ କାଳ ଭିତରେ ହୁଏତ ମାତ୍ର କିୟଦଂଶ ନିଜର ସ୍କେଚ୍‌କୁ ଆଣିପାରିବେ । ଜାଣି ଜାଣି ଏହିପରି ଏକ ଅଭିଳାଷକୁ ଜୀବନରେ ଚିରତାର୍ଥ କରିବାର ଲକ୍ଷ୍ୟ ନେଇ ଆଗେଇବାର ଉଦ୍ଦେଶ୍ୟ...... ।

 

ହଁ, ହୋଇପାରେ–ଏକ ଅସମାପିକାକୁ ଧରି ଜୀବନଟା ସାରା କଟେଇ ଦେଇହବ ବେଶ୍‌ ତୃପ୍ତିରେ । ଏମିତି ଦିନ କେବେ ଆସିବ ନାହିଁ ଯେତେବେଳେ କି ଗୋଟାଏ ବିଭାଗ ସରିଗଲା ବୋଲି ଆଉ ଗୋଟାଏ ବିଭାଗ ନିର୍ବାଚନ ସମ୍ପର୍କରେ ଚିନ୍ତା କରିବାକୁ ପଡ଼ିବ । କାରଣ ଏଇ ସମୁଦ୍ର ବିଭିନ୍ନ ମୁଦ୍ରାରୁ ହିଁ ସେ ତାରୁଣ୍ୟରେ ସନ୍ଧାନ କରିପାରିବେ ସାଗର କନ୍ୟାର ଶଙ୍ଖ ସ୍ତନ, ସ୍ଫୀତ ଜଘନ, ଦମ୍ଭ ନିତମ୍ବ । ଏଇଥିରେ ପୁଣି ଅଛି ଉଦ୍ଦାମ ଯୌବନ, ରାଶି ରାଶି ସ୍ୱପ୍ନ, ଦୁରନ୍ତ ସଂଘର୍ଷ । ବୟସର ଶ୍ଳଥ୍ୟ ପରେ ଏହି ଅବିରାମ ଗତି ମନେହେବ କ୍ଳାନ୍ତ ପଥିକର ଶିଥିଳ ପ୍ରଚେଷ୍ଟା ଭଳି । ଲହରୀର ଆରୋହ ଗତିଗୁଡ଼ାକ ମନେହେବ ବିଫଳ ପ୍ରୟାସ ଆଉ ଅନ୍ତିମରେ ଅନନ୍ତ ମଧ୍ୟରେ ଆତ୍ମ ବିଲୁପ୍ତିପାଇଁ ଅବରୋହ । ତେଣୁ ଅନ୍ତଃହୀନ–ଏ ଅସମାପିକା । ଆହରଣ କରିବାର ଆୟାସ କେବେ ନିବୃତ୍ତି ନେବାର ନୁହେଁ ।

 

ଏହାହିଁ ଷ୍ଟିଫେନ୍‌ଙ୍କର ଯୁକ୍ତି ।

 

ଏହି ଉକ୍ତିକୁ ହିଁ ସେ ଅଳ୍ପ କେତେଗୋଟି ବାକ୍ୟରେ ସେଦିନ ପ୍ରକାଶ କରିଥିଲେ ପ୍ରଶ୍ନକର୍ତ୍ତା ସେହି ପ୍ରୌଢ଼ଙ୍କ ସମ୍ମୁଖରେ.... ।

 

ସମୁଦ୍ରର ରୂପକୁ ଏକାନ୍ତ ଭାବରେ ଲକ୍ଷ୍ୟକରି କ୍ୟାନ୍‌ଭାସ୍‌କୁ ରୁପାନ୍ତରିତ କରିବା ଏକ କଷ୍ଟସାଧ୍ୟ ଅଧ୍ୟବସାୟ । ସମୁଦ୍ର ଷ୍ଟଡ଼ି କରିବାକୁ ହେଲେ ଗୋଟିଏ ସମୁଦ୍ରର ଶୋଷ ନେଇ କେବଳ ଗୋଟିଏ ସମୁଦ୍ର ପାଖରେ ବସାଯାଇପାରେ । କାରଣ ସେ ଭଣ୍ଡାର ସରିବା ପୂର୍ବରୁ ହୁଏତ ଅନେକ ଜନ୍ମ କ୍ରମାଗତ ଭାବରେ ଇତି ହେବା ସ୍ୱାଭାବିକ୍‌ ।

 

ପ୍ରୌଢ଼ ହୁଏତ କିଛି ବୁଝିଲେ କିଛି ବୁଝିଲେନି । ହାତରେ ସ୍କେଚ୍‌ ଆଉ ତା’ ଉପରେ ଅସଂଖ୍ୟ ଅଙ୍କା ବଙ୍କା ଦୁର୍ବୋଧ୍ୟ ଚାର୍‌କୋଲ ପେନ୍‌ସିଲ ଗାରକୁ ଦେଖି ଭାବିଥିବେ ତାଙ୍କ ସାନଝିଅ ଜଲି ମଧ୍ୟ ବେଳେବେଳେ ୟାଠାରୁ ସ୍ପଷ୍ଟ ଗାର କାନ୍ଥ ଉପରେ ଅଙ୍ଗାର ଧରି ଟାଣେ ଏବଂ ଗାଳି ଖାଏ ।

 

ପ୍ରୌଢ଼ଙ୍କର ପରବର୍ତ୍ତୀ ପ୍ରଶ୍ନ ନିହାତି ମାମୁଲି ଅନ୍ୱେଷଣ । ସେହି ଗତାନୁଗତିକ, ଚିରାଚରିତ–ଘରଦ୍ୱାର, ପିତାମାତା, ଶିକ୍ଷାଦୀକ୍ଷା ।

 

ଷ୍ଟିଫେନ୍‌ ଏଇ କେତେଗୁଡ଼ିଏ ପ୍ରଶ୍ନର ମଧ୍ୟ ଏକ ଛାଞ୍ଚପକା ଉତ୍ତର ତିଆରି କରିଛନ୍ତି ଜୀବନର କସ୍ମିନ୍‌ କାଳେ ପ୍ରୟୋଜନ ହେବ ବୋଲି । ସେହି କେତୋଟି ଧାଡ଼ି ସେ ଉପସ୍ଥାପିତ କରନ୍ତି ସୁବୋଧ ଗଦ୍ୟ ପାଠକଙ୍କ ଭଳି..... ।

 

–ବମ୍ବେର କୌଣସି ଏକ ଉପକଣ୍ଠରେ ଭୂମିଷ୍ଠ ହୋଇଥିଲେ । ପିତା ହୁଏତ ହୋଇଥିବେ କେହି ଉଇଲିୟମ, ଜୋସେଫ୍‌ ବା ସେମିତି କିଛି । ମାତା ମଧ୍ୟ ସେମିତି କେହି ମେରୀ, ମିଲି ବା ରୋଜି–ବିଦେଶୀ, ବିଦେଶୀନୀ । ଭାରତରେ ଦୀର୍ଘଦିନ ଅବସ୍ଥାନ କରୁଥିଲେ । ସେହି ଅବସ୍ଥାନ କାଳରେ ସହବାସ । ବାସ୍‌..... । ହୁଏତ ଷ୍ଟିଫେନ୍‌ ତାଙ୍କର ମାତାଙ୍କ ଗର୍ଭକୋଷରେ କଷି ଧରିଥିବେ-

 

–ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାର ଅବ୍ୟବହିତ ପୂର୍ବରୁ ଏକ ନାତିଦୀର୍ଘ, ଭାବପ୍ରବଣତାବିଯୁକ୍ତ ବିଦେଶୀୟ ନିଷ୍ପତ୍ତି.... । ଭାରତରେ ଭୂମିଷ୍ଠ ସନ୍ତାନ ସେ ଦେଶକୁ ଫେରି ପାରେନା । ଜୀବକୋଷଠାରୁ ଆରମ୍ଭ କରି ପ୍ରତି ରକ୍ତ କଣିକା ସେହି ବିଦେଶୀୟ ଉପାଦାନରେ ଗଢ଼ାହେଲେ ସୁଦ୍ଧା ଜନ୍ମରୁ ଭାରତୀୟ ଜଳବାୟୁରେ ଅଙ୍ଗପୁଷ୍ଟ । ନିଶ୍ୱାସ ପବନ ଆଉ ମୁହଁରେ ପାଣି ମାଧ୍ୟମରେ ଏ ମାଟିର ଅବିଚ୍ଛେଦ୍ୟ ସ୍ୱାକ୍ଷର । ତେଣୁ ସେ ସନ୍ତାନ କେବେହେଲେ ସେ ମାଟି ମାଡ଼ିପାରେନା ।

 

–ଅପତ୍ୟ ସ୍ନେହର ସମସ୍ତ ସ୍ୱାଦୁ ଦୋହନ କରିସାରିବା ପରେ ଷ୍ଟିଫେନ୍‌ଙ୍କ ପାଇଁ ଏ ଶିରୋନାମାରେ ଯେତେବେଳେ ଏଭଳି ସିଦ୍ଧାନ୍ତ ସାବ୍ୟସ୍ତ ହେଲା ସେତେବେଳେ ସେ କେତେ ବଡ଼ ହୋଇଥିଲେ ସେ କଥା ସେ ଠିକ୍ ମନେ ରଖିବାକୁ ଚାହିଁନାହାଁନ୍ତି । ତେବେ ଏତିକି ଜାଣନ୍ତି ଯେ ପ୍ରକୃତ ପିତାମାତା ଆଉ ଅପ୍ରକୃତ ପିତାମାତା ମଧ୍ୟରେ ଏକ ବିଭାଜକ ରେଖା ଟାଣିବାର ହେତୁ ହେବାର ବହୁଆଗରୁ ସେ ବିଚ୍ଛିନ୍ନ ହୋଇଥିଲେ । ତା’ପରେ କେଇଟା ମୁହୂର୍ତ୍ତ ସେ କାନ୍ଦିଥିବେ ଆଉ ପରକ୍ଷଣରେ ନାଲି କଣ୍ଢେଇ ବା କୌଣସି କ୍ୟାଥଲିକ୍ ଫାଦର ପରିଚାଳିତ ଅନାଥାଶ୍ରମର ଆୟାକୁ ଦେଖି ସବୁ ଭୁଲିଯାଇଥିବେ ।

 

–କିନ୍ତୁ ଭାରତ ଛାଡ଼ିବା ପୂର୍ବରୁ ଷ୍ଟିଫେନ୍‌ଙ୍କ ନାମରେ ଛାଡ଼ିଗଲେ ଅନେକ ସମ୍ପତ୍ତି–ବେଶ୍‌ କେତୋଟି କୋଠା, ଯଥେଷ୍ଟ ବ୍ୟାଙ୍କ ବାଲାନ୍‌ସ; କୌଣସି ଆଇନ୍‌ ବ୍ୟବସାୟୀଙ୍କ ମାର୍ଫତରେ । ଆଉ ଏକଥା ମଧ୍ୟ ଷ୍ଟିଫେନ୍‌ ଶୁଣିଛନ୍ତି ଯେ ତାଙ୍କର ହେତୁ ଆସିବା ପର୍ଯ୍ୟନ୍ତ କୁଆଡ଼େ ଯଥେଷ୍ଟ ଅର୍ଥ ବିଦେଶରୁ ଆସି ତାଙ୍କର ବ୍ୟାଙ୍କ ବାଲାନ୍‌ସକୁ ଅଧିକରୁ ଅଧିକତର କରୁଥିଲା ।

 

–ସେଇ ଅର୍ଥର ପ୍ରାଚୁର୍ଯ୍ୟ ଭିତରେ ଷ୍ଟିଫେନ୍‌ ଆଜି ବେଶ୍‌ ଧନୀ । ତାଙ୍କର ଜୀବନ କାଳ ଭିତରେ ଅର୍ଥର ଅଭାବ ପଡ଼ିବାର ସମ୍ଭାବନା ନାହିଁ ।

 

କାହିଁକି କେଜାଣି ଏ ବୃତ୍ତି ପ୍ରତି ତାଙ୍କର ଆକର୍ଷଣ, ଅପରିସୀମ କ୍ଷୁଧା ନେଇ ଜୀବନରେ ଅଙ୍କନ କରିବାର ଅଭିଳାଷ । ଏହି ବାଟରେ ପିତା ମାତା ଅଥବା ପୂର୍ବାପର ସମ୍ବନ୍ଧ ସଂଜ୍ଞା ସୂଚକ ପ୍ରଶ୍ନ ଯଥେଷ୍ଟ କମ୍‌ ଭେଟିବାକୁ ପଡ଼ିବ ବୋଲି ସମ୍ଭବତଃ ଏଇଟା ତାଙ୍କର ଅଚେତନ ମନର ଲଜିକ୍‌-

 

ତାଙ୍କର ବ୍ୟତିକ୍ରମ ହେଲା–ପିତାମାତାଙ୍କର ଖୋଜଖବର ରଖିବାକୁ ସେ କେବେ ଚେଷ୍ଟା କରିନାହାନ୍ତି । ଯେହେତୁ ସେ ସମ୍ପର୍କ ଜାହିର କରିବାର ଅବକାଶ ତାଙ୍କର ଆସିବାର ନାହିଁ ।

 

ଆଉ ବିଶେଷତ୍ୱ ହେଲା–ଶିକ୍ଷାର ମାଧ୍ୟରେ କେବଳ ସେଇ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ସେ ଘୃଣା ବୋଧ କରିଛନ୍ତି । ଯେମିତିକି ଥରେହେଲେ କୌଣସି କାରଣରୁ ସେଭଳି ଏକ ମାଟି ସ୍ପର୍ଶ କରିବା ତାଙ୍କ ଭାଗ୍ୟରେ ନ ଜୁଟୁ । ନାଁଟା କେବଳ ତାଙ୍କ ପିତା ମାତାଙ୍କର ଦାନ ବୋଲି ତାକୁ ସେ ପୋଛି ଦେଇପାରିନାହାନ୍ତି ।

 

ବାଇଶି ବର୍ଷ ବୟସ୍କ ଏକ ରୂପଶ୍ରୀ ତରୁଣର ଏଇ ଉକ୍ତିରେ ସନ୍ତୋଷ ପ୍ରକାଶକଲେ ପ୍ରୌଢ଼ । ଆଉ ଜଲିକୁ ଡାକିବାରେ ଗୁରୁତ୍ୱ ଦେଲେନି..... ।

 

ସମୁଦ୍ର ତୀରର ବାଲି ଅଂଶତକ ଟପିଗଲା ପରେ କିଛି ବାଟରେ ରାଜରାସ୍ତା । ଠିକ୍‌ ରାଜରାସ୍ତାଟି ଆରପାଖରେ ପ୍ରୌଢ଼ଙ୍କ ଘର । ବିରାଟ ପ୍ରାସାଦ, ସେଇ ପ୍ରାସାଦରୁ ଡେଇଁଡ଼େଇଁକା ସମୁଦ୍ରକୂଳକୁ ଆସେ ଏଇ ଯୋଉ ଝିଅଟି, ତା’ରି ନାଁ ଜଲି । ଆଠ ନ’ବର୍ଷର କୁନି ଝିଅଟିଏ । କହରା କହରା ବାବୁରିବାଳ, କହିଲା କହିଲା ବଡ଼ ବଡ଼ ଆଖି, ନାଲି ଟୁକୁ ଟୁକୁ ଓଠ, ଚମ୍ପାଫୁଲ ଭଳି ଦେହର ରଙ୍ଗ । ଷ୍ଟିଫେନ୍‌ଙ୍କର ମତ ଯେ ଜୀବନରେ ଏତେ ସୁନ୍ଦର ଝିଅ କେବେ ସେ ଦେଖିନାହାଁନ୍ତି-

 

ସେଦିନ ଚାକର ବୁଲେଇବାକୁ ଆଣିଥାଏ । ବୁଲିବୁଲି ଷ୍ଟିଫେନ୍‌ଙ୍କ କ୍ୟାମ୍ପ ପାଖରେ ପହଞ୍ଚିଲା । ସେଠି ସେ ଇଜେଲ ପୁଣି ତା’ ଉପରେ ଏତେବଡ଼ ଗୋଟାଏ କ୍ୟାନ୍‌ଭାସ୍‌ ଦେଖି ଅଟକି ଗଲା । ଏଇଟା କ’ଣ ସେଇଟା କ’ଣ କହି ବିବ୍ରତ କଲା ଷ୍ଟିଫେନ୍‌ଙ୍କୁ । ଝିଅଟିର ପ୍ରଶ୍ନରେ ମୁଗ୍‌ଧ ହେଲେ । ମୁଖରିତ ହେଲେ । ତା’ପରେ ଚାକର ପିଲାଟି ଡାକିବାରେ ଗୋଟାଏ ଉତ୍ତର–

 

ମୁଁ ଦେଖୁଚି ପରା । ମୁଁ ଯିବିନି ।’

 

ସେଥିପାଇଁ ପ୍ରୌଢ଼ ଆସିଥିଲେ, ଆଉ ଏଇସବୁ ଆଲୋଚନା କରି ଷ୍ଟିଫେନ୍‌ଙ୍କ ପାଖରୁ ଫେରିଗଲେ ଝିଅକୁ ବାଧ୍ୟ ନ କରି । ସେହିଦିନଠାରୁ କେମିତି କେଜାଣି ସେଇ ସମୟ ହେଲାମାତ୍ରେ ଜଲି ଚାଲିଆସେ ଷ୍ଟିଫେନ୍‌ଙ୍କର ସେଇ କ୍ୟାମ୍ପ ଛତା ତଳକୁ । ଏକ ଲୟରେ ସେଠି ବସେ । ଅଙ୍କାବଙ୍କା ଗାରଗୁଡ଼ାକୁ ଦେଖେ । ହଠାତ୍‌ କୁଆଡ଼େ ଦିନେ ସେଇ ଗାର ଗୁଡ଼ିକରୁ ତା’ର ଛବିଟା ବାହାରିପଡ଼ିବ.....ଅବିକଳ ତା’ରି ଭଳି ।

 

ଜଲିକୁ ଆଉ ଘରେ ମଧ୍ୟ କେହି ଖୋଜନ୍ତି ନାହିଁ । ଦରକାର ପଡ଼ିଲେ ନିର୍ଦ୍ଦିଷ୍ଟ ସେଇ ସ୍ଥାନକୁ ଲୋକ ପଠେଇ ଡକେଇ ଆଣନ୍ତି ।

 

ବେଶ୍‌ କିଛିଦିନ ତଳର କଥା ଇଏ...... ।

 

ୟା’ଭିତରେ ଦୀର୍ଘ ଆଠବର୍ଷ ବିତିଯାଇଛି । ଆଠବର୍ଷ ପରେ ଭାରତର ବିଭିନ୍ନ ସ୍ଥାନକୁ ବୁଲିବୁଲି ପୁଣି ଏଇ ସମୁଦ୍ରକୂଳକୁ ଫେରିଚନ୍ତି ଷ୍ଟିଫେନ୍‌ । ଆଜିକୁ ଚାରିଦିନ ହବ ସେ କ୍ୟାମ୍ପ କଲେଣି । ଅବିକଳ ସେଇ ସ୍ଥାନରେ ସେଇଠି ସେମିତି । ସେଇ ଗେରୁଆ ରଙ୍ଗର କୋଠାକୁ ଚାହିଁ ଆଠବର୍ଷ ତଳର ସ୍ମୃତି ମନ୍ଥନ କରିବାକୁ ଆରମ୍ଭ କରିଛନ୍ତି ।

 

ମନ ଭିତରେ ତାଙ୍କର ସେ ଆଠବର୍ଷ ତଳର ଜଲି । କହରା କହରା ବାଳ, କହିଲା କହିଲା ଆଖି, ଖଣ୍ଡାଧାର ପରି ନାକ, ବାମପଟେ ଠିକ୍‌ ଓଠ କଡ଼କୁ ଛୋଟ ତିଳ ଚିହ୍ନଟିଏ । ଫିକ୍‌କରି ହସିଲାବେଳେ ଦି’ଗାଲ ମଝିରେ ଦି’ଟା ଛୋଟ ଭଉଁରୀ । ସତେଯେମିତି ସେ ପ୍ରତୀକ୍ଷା କରୁଛନ୍ତି ସେଇ ଜଲିକୁ । ଅନ୍ୟମନସ୍କ ଭାବରେ ଷ୍ଟିଫେନ୍‌ ନିଜର ପ୍ୟାଲେଟ୍‌ରେ ରଙ୍ଗ ଗୋଳେଇବା ବେଳେ ହାତରେ ସ୍ପାଚୁଲାକୁ କାମୁଡ଼ି ଘଣ୍ଟା ଘଣ୍ଟା ଧରି କ’ଣ ଯେମିତି ଭାବୁଛନ୍ତି..... ।

 

ଜୀବନରେ ଏଇ ସ୍ଥାନଟା ପ୍ରତି ତାଙ୍କର କେତେ ଆକର୍ଷଣ । ହୁଏତ ଏଇଠି ତାଙ୍କର ଚିତ୍ରକର ଜୀବନର ସବୁଠାରୁ ଶ୍ରେଷ୍ଠ ସ୍ମୃତି ରହିଯାଇଛି । କାରଣ ସେ ଆଜିଯାକେ ଆଙ୍କିଥିବା ଶ୍ରେଷ୍ଠ ଚିତ୍ରହିଁ ତାଙ୍କର ଏଇ ସାଗର ବେଳାଭୂମିର ଅବଦାନ, ଆର୍ଟରୋଲଟା ଖୋଲି ଅନ୍ୟମନସ୍କ ଭାବରେ ସବୁ ଚିତ୍ରଗୁଡ଼ିକୁ ପୁଣି ଥରେ ଲେଉଟାଇ ଦେଖୁଥିଲେ ଷ୍ଟିଫେନ୍‌ ।

 

ହଠାତ୍ ତାଙ୍କର ଦୃଷ୍ଟି ଅଟକିଗଲା ଗୋଟିଏ ଦିଗରେ । ଦୁଇଟି ତରୁଣୀ ଆଉ ତାଙ୍କ ସାଙ୍ଗରେ ଠିକ୍‌ ସେଇ କୁନି ଝିଅଟିଏ ବୋଧହୁଏ, ଦୂରକୁ ଅବିକଳ ସେମିତି ଦିଶୁଛି । ମନେହେଲା, ଧାଇଁ ଯାଇ ଦେଖିଆସିବେ, ଡାକିଆଣିବେ । ପର ମୁହୂର୍ତ୍ତରେ ନିଜର ଖିଆଲ ପାଇଁ ଲଜ୍ଜିତ ହେଲେ ସେ । ଜଲି ହୁଏତ ୟା ଭିତରେ.....ଛି ଛି । ଜଲିକୁ ସେଇ ଆଠବର୍ଷ ତଳର ଆଠବର୍ଷର ଝିଅ ସ୍ଥାନରେ ରଖି ଭୁଲ୍ କରିଛନ୍ତି ସେ । ହୁଏତ ତା’ ଦେହରେ ରଙ୍ଗ ଫିଟିଥିବ । ଆଖିରେ ନିଶା ଛୁଟୁଥିବ-। ଅଙ୍ଗରେ ବସନ୍ତର ଆମୋଦ ନେଉ ଜଲି.....

 

‘ଟିକେ ଆମେ ଦେଖିପାରିବୁ ଭିତରେ ଆସି ?’

 

ଚମକିପଡ଼ିଲେ ବାହାର କଥାରେ ଷ୍ଟିଫେନ୍‌ । ସେଇ ଦୁଇ ତରୁଣୀ ଆଉ ସେ ବାଳିକା । ଅନ୍ୟମନସ୍କ ଭାବରେ ମଥା ହଲେଇ ସମ୍ମତି ଦେଲେ । ତା’ ଭିତରୁ ତରୁଣୀ ଦୁଇଜଣ ସେ ଚିତ୍ରର ରୋଲଗୁଡ଼ା ଫିଟେଇ ଦେଖିବା ଆରମ୍ଭ କଲେ । କିଛି ସମୟ ପରେ କ୍ରୀଡ଼ାରତା ବାଳିକାଟି ପୁଣି ବାଲିରେ ଖେଳିବାକୁ ଚାଲିଗଲା । ତା’ ପଛେ ପଛେ ଜଣେ ତରୁଣୀ ମଧ୍ୟ । ସେଇ ଛତାର ଟିକିଏ ଦୂରକୁ ଠିଆହୋଇ ସେମାନେ ସମୁଦ୍ର ଦେଖିଲେ । କିନ୍ତୁ ଅନ୍ୟଜଣକ ଖେଳେଇ ଚାଲିଥାଏ ସେଇ ରୋଲଗୁଡ଼ାକ । ଷ୍ଟିଫେନ୍‌ ଅନ୍ୟମନସ୍କ ଭାବରେ ଛୁରିଟାକୁ ଧରି ପ୍ୟାଲେଟ୍‌ ଉପରେ ରଙ୍ଗ ନିରୂପଣ କରୁଥାନ୍ତି । କିନ୍ତୁ ଆଖି ତାଙ୍କର ସେଇ କୁନି ଝିଅଟି ଉପରେ । ସେତେବେଳକୁ ଟିକିଟିକି କଙ୍କଡ଼ା ପଛରେ ଗୋଡ଼େଇବା ଆରମ୍ଭ କରିଦେଲାଣି ସେ । ପାଖରେ କିଏ ଚିତ୍ର ଦେଖୁଚି ସେଥିପ୍ରତି ତାଙ୍କର ନଜର ନାହିଁ । କେତେ ତ ଏମିତି ଆସି ଦେଖିବାକୁ ବିବ୍ରତ କରୁଛନ୍ତି ।

 

କିଛିକ୍ଷଣ ପରେ ଷ୍ଟିଫେନ୍‌ ମୁହଁ ବୁଲେଇ ଦେଖନ୍ତି ତ ତରୁଣୀଟି ତାଙ୍କ ଆଡ଼କୁ ପଛ କରି ଚିତ୍ରଗୁଡ଼ିକୁ ଦେଖିଚାଲିଚି । ହଠାତ୍‌ ଆଖି ତା’ର ଅଟକିଗଲା ଗୋଟିଏ ଚିତ୍ର ଉପରେ । ଷ୍ଟିଫେନ୍‌ ଆଶ୍ଚର୍ଯ୍ୟ ହେଲେ ନାହିଁ । କାରଣ ପ୍ରକୃତରେ ସେ କେତୋଟି ତାଙ୍କ ଜୀବନର ଶ୍ରେଷ୍ଠ ଚିତ୍ର....

 

ସାଗର ବେଳାରେ ଅସ୍ତଗାମୀ ସୂର୍ଯ୍ୟ ଆଉ ବେଳାଭୂମିରେ ବାଳିକାଟିଏ.... ଅପରୂପା...ଜଲି । ବେଶ୍‌ କେତୋଟି ଚିତ୍ର ତା’ର ବିଭିନ୍ନ ଭଙ୍ଗୀର ।

 

ହଠାତ୍‌ ତରୁଣୀଟି ପ୍ରଶ୍ନକଲା–

 

‘ଆପଣ ଚିତ୍ର ବିକନ୍ତି ?’

 

ଅତି ସହଜ ଭାବରେ ସ୍ପାଚୁଲାଟା ଇଜେଲ ଉପରେ ଠକ୍‌ ଠକ୍‌ କରୁ କରୁ ଉତ୍ତର ଦେଲେ ଷ୍ଟିଫେନ୍‌–

 

‘ବିକେ ନାହିଁ ବୋଲି କହିଲେ ଭୁଲ୍‍ହବ । କାରଣ ଚିତ୍ରକର ମୁଁ । ଚିତ୍ର ବ୍ୟବସାୟୀ ନହେଲେ ବି ଲୋକେ ଭାବିବେ । ଆପତ୍ତି ନ ଥିଲା ବିକା କିଣା ମୂଲଚାଲ କରିବାରେ, ତେବେ ସେଇ କେତେଟା ଛବି ଉପରେ ଆପାତତଃ ନୁହେଁ ।’

 

‘କାରଣ ?’

 

‘କିଛି ନୁହେଁ । ତା’ ପଛରେ କିଛିଟା ସ୍ମୃତି..... । ଏଇ ସାଗର ବେଳାରେ ଠିକ୍‌ ଏଇଠି ସେ ମଡ଼େଲକୁ ପାଇଥିଲି । ତା’ ପାଖରେ ମୁଁ ଋଣୀ । ତା’ ଘରକୁ ଯିବାଭଳି ପରିଚୟ ଯେହେତୁ ନାହିଁ ଏକାନ୍ତ ଭାବରେ ଏଠି ଆସି ତାକୁ ଅପେକ୍ଷା କରୁଛି । ତେଣୁ ସେଇ ଚିତ୍ର ବିକିବାର ପ୍ରଶ୍ନ ଉଠିବନି କେବେ ।’

 

‘କିନ୍ତୁ ସେଇ ମଡ଼େଲକୁ ଆପଣ ନିଶ୍ଚୟ ପ୍ରତିଶ୍ରୁତି ଦେଇଥିଲେ ଯେ ତା’ ଚିତ୍ର ଖଣ୍ଡେ ଅତିଶୀଘ୍ର ଆଙ୍କି ତାକୁ ପଠେଇ ଦେବେବୋଲି....ସେ ପ୍ରତିଶ୍ରୁତି କ’ଣ ଆପଣ ରଖିଛନ୍ତି ?’

 

ଚମକିପଡ଼ିଲେ ଷ୍ଟିଫେନ । କିଏ ଏଇ ତରୁଣୀ ଯେ’କି ତାଙ୍କ ପ୍ରତିଶ୍ରୁତି ଜାଣିଛି । ଆଗେଇ ଯାଇ ଚାହିଁଲେ ସେ ।

 

ଇସ୍‌ !!!

 

ହାତରୁ ଖସିପଡ଼ିଲା ପ୍ୟାଲେଟ ଆଉ ସ୍ପାଚୁଲା । ମୁହଁକୁ ଚାହିଁ ହେଲାନି ବେଶୀ ସମୟ । ତଥାପି ଆଖି ଦି’ଟାକୁ ଟାଣିଧରି କ’ଣ ଯେମିତି ଖୋଜୁଥାନ୍ତି ସେ ମୁହଁରୁ ଷ୍ଟିଫେନ୍ । ମୁହଁ ଉପରର କଟାକଟା ଅଖା ବସନ୍ତର ଦାଗ ଆଉ ଆଖିର କଳାଭଅଁର ଡୋଳାକୁ ଘେରି ରହିଥିବା ଫୁଲା ଭିତରୁ ଯେମିତି ଜଲିର କୌଣସି ସ୍ମୃତି ମିଳିବନି–କେବଳ ସେଇ ପ୍ରତିଶ୍ରୁତିଟା ଛଡ଼ା ।’

 

କୁନି ଝିଅଟି ଖେଳୁ ଖେଳୁ ଆସି ଡାକିଲା–

 

‘ଅପା ଯିବା..... ।’

 

ଷ୍ଟିଫେନ୍‌ ଥରେ ସେ ଛୋଟ ଝିଅଟିକୁ ଆଉଥରେ ତାଙ୍କର ସେ ପେପର କ୍ୟାନଭାସ୍, ତୁଳିରେ ଧରି ରଖିଥିବା ଜଲିକୁ ଚାହିଁ କ’ଣ ଯେମିତି ମିଳଉଥିଲେ ।

 

ଷ୍ଟିଫେନ୍‌ଙ୍କର ମୁଣ୍ଡ କେମିତି ପୀଡ଼ନ ଅନୁଭବ କଲା । ତାଙ୍କର ସାହସ କୁଳେଇଲାନି ଚାହିଁବାକୁ–ସେ ଗେରୁଆ ରଙ୍ଗର କୋଠା ଭିତରକୁ ଏମାନେ ଯାଉଛନ୍ତି କି ନାଁ.... !

 

ସମୁଦ୍ରରେ ଜୁଆର ସେଦିନ ବହୁତ ବେଶୀ । ଅମାବାସ୍ୟା କି କ’ଣ ହବ ବୋଧହୁଏ । କାରଣ ଶୀଘ୍ର ଅନ୍ଧାର ମାଡ଼ି ମାଡ଼ି ଆସୁଛି । ସବୁଆଡ଼ ଅସ୍ପଷ୍ଟ ।

 

କେବଳ ସ୍ପଷ୍ଟ ସେଇ ସମୁଦ୍ର ଆଉ ତା’ର ଢେଉ..... !!!

 

ଚୌଧୁରୀ ବଜାର,

କଟକ–୧

Image

 

ଏବଂ ଇନ୍ଦ୍ରନୀଳ ବୃହନ୍ନଳା ସଂବାଦ

ଉମାଶଙ୍କର ପଣ୍ଡା

 

ଇନ୍ଦ୍ରନୀଳର ସ୍ୱଗତୋକ୍ତି

 

ଅତୀତଟା ଏକ ସୁନାର ଦର୍ପଣ କିମ୍ବା ଏକ ଅବାନ୍ତର ଇଚ୍ଛାର ସାମ୍ରାଜ୍ୟ ହୋଇପାରେ । କିନ୍ତୁ କିଏ କହିପାରେ, ଅତୀତଟା ଏକ ଭୟାବହ ନୀରବତାର ଶବ ନୁହେଁ !

 

ଜୀବନର ଶେଷ ପରିଣତି କ’ଣ ମୃତ୍ୟୁ ନୁହେଁ ?

 

ଆସନ୍ତୁ, ଆମେ ଚୋରାବାଲିର ପାହାଡ଼ ଉପରୁ ଆମର ଅତୀତଟାକୁ ଥରେ ନିରେଖିନେବା । ଦେଖିନେବା ସେହି ସୁନାର ଦର୍ପଣରେ ଆହତ ଯନ୍ତ୍ରଣାର ବୋବା କାତରତା ରହିଛି କି ନାହିଁ ?

 

ବର୍ତ୍ତମାନ କିନ୍ତୁ ଆଉ ଦୌଡ଼ିବା ସମ୍ଭବ ନୁହେଁ । ବେରିଂ ଚିଠିର ମୋହର ଭଳି ଗୁଡ଼ାଏ ଅଯଥା ଅହଂକାରୀ ମୁହୂର୍ତ୍ତକୁ ଡେଇଁଯିବାର ପ୍ରାଣାନ୍ତକ ଚେଷ୍ଟା ସତ୍ତ୍ୱେ ସେଠି ପହଞ୍ଚିବାର ସମ୍ଭାବନା ଯେହେତୁ ଆଦୌ ନାହିଁ । ଅନେକ ଭୟ ଓ ଆଶଙ୍କା ଆମକୁ ଯେମିତି ଆତଙ୍କିତ କରି ରଖିଛି ।

 

ସେହି ସୁନାର ଦର୍ପଣରେ ଆମେ ତ କାହିଁ ଆମର ପ୍ରତିବିମ୍ବ ଦେଖିପାରୁ ନାହୁଁ ।

 

ଆସନ୍ତୁ, ଆମେ ସମସ୍ତେ ହାତ ଧରାଧରି ହୋଇ ଏକାକୀ ସେ ଦୀର୍ଘପଥ ଅତିକ୍ରମ କରିବାର ଶପଥ ନେଇ ଏକ ଭୟାବହ ଅନ୍ଧକାର ମଧ୍ୟରେ ଝାମ୍ପ ଦେବା । ସେହି ଅନନ୍ତ ଅନ୍ଧକାରର ପାତାଳ, ନରକ । ଅର୍ଥାତ୍‌ ଯାବତୀୟ ସ୍ଥୂଳ ଲୋଭ, ଭୋଗ୍ୟ ବସ୍ତୁ । ଅନେକ ଉଲଗ୍ନ ନାରୀ ଦେହ ଆଉ ଏକ ବିଶାଳ ସୁରାର ସମୁଦ୍ର । ଶେଷ ପର୍ଯ୍ୟନ୍ତ ଆମକୁ ନରକକୁ ଯିବାକୁ ହେବ । ନରକ ହିଁ ତ ସେହି ଭୟାବହ ଅନ୍ଧକାର ପାତାଳ ।

 

ବୋବା ଅନ୍ଧକାରତକ ଯେମିତି ଆମର ବିବର୍ଣ୍ଣ ଓ ବୀଭତ୍ସ ଅତୀତ ।

 

ଅତୀତଟା ଯେମିତି ଏକ ମୃତ–ସାମ୍ରାଜ୍ୟ, କାରଣ ମୃତ୍ୟୁହିଁ ଶେଷ ଏବଂ ଏକ ଗଭୀର ନୀରବତା ।

 

ନିର୍ଜନ, ଏକାନ୍ତ ଓ ଏକାକୀ ।

 

ନିର୍ଜନତା ସବୁବେଳେ କେମିତି ଉଦାସ ଉଦାସ । ଶିଉଳି ଭଳି ଏକ ଗାଢ଼ ନୀଳ ବିଷର୍ଣ୍ଣତାର ଛାପ ଆଖିମାନଙ୍କରେ । ଦେହରେ ଶୋକାବହ କଳା ପୋଷାକ । ସମସ୍ତେ ଯେପରି ସ୍ୱପ୍ନରେ ଭାସି ବୁଲୁଛନ୍ତି । ଦୂର ପାହାଡ଼ରେ ବର୍ଷା ଓ ଶୀତ ସକାଳର ଆକାଶ ସଦୃଶ ଅସ୍ପଷ୍ଟ ସେମାନଙ୍କ ପ୍ରତିମୂର୍ତ୍ତି ।

 

ଏକ ଅସହାୟ ମୁହୂର୍ତ୍ତର ଦୁର୍ବଳତା ଯେପରି ସଂକ୍ରମିତ ହୋଇପଡ଼ିଛି ଆମ ସମସ୍ତଙ୍କ ମଧ୍ୟରେ ।

 

ଯେଉଁ ମାଟି ଉପରେ ଆମେ ଠିଆହୋଇଛୁ, ସେ ତଳକୁ ତଳକୁ ସାଇଁ ସାଇଁ ଖସୁଛି ।

 

ଅତୀତ ସଦୃଶ ଆମେ ସମସ୍ତେ ଉଲଗ୍ନ । ଦେହରେ ପୋଷାକର ଆବଶ୍ୟକତା ନାହିଁ । ଆମକୁ ଘେରି ରହିଥିବା ଅନେକ ଅଶରୀରୀ ନାରୀ ବୋଧହୁଏ ଆମର ମୃତ୍ୟୁର କୋରସ ଗାଉଛନ୍ତି, ଆଉ ଆମେ କ୍ରମଶଃ ପାପବୋଧର ଗଭୀର ଚେତନାର ଦିଘିରେ ଅତି ଅସହାୟ ଭାବରେ ବୁଡ଼ି ବୁଡ଼ି ଯାଉଛୁ । ତା’ ଭିତରୁ ଫେରିବାର ଯେମିତି ଆଉ ଉପାୟ ନାହିଁ ।

 

(ମୁଁ ଇନ୍ଦ୍ରନୀଳ । ମୁଁ ତୁମକୁ ସେମିତି ଦେଖିପାରି ନାହିଁ ପ୍ରଭୁ ! ଆଉ ତ ସମସ୍ତଙ୍କୁ ସେଠି ଦେଖୁଛି । ମୋର ମା’, ଯିଏ ମୋତେ ସାମାଜିକ ପରିଚୟ ଦେବାପାଇଁ ଏକ ମଦ୍ୟପ କ୍ରୀତଦାସର ହାତ ଧରିଥିଲେ । ମୋର ପତ୍ନୀ, ଯିଏ ମୋତେ ପ୍ରତାରଣା କରି ଏକ ପରପୁରୁଷରେ ଆସକ୍ତ ଥିଲା-। ମୋର ପ୍ରେମିକା, ଯିଏ ଚରମ ବିଶ୍ୱାସଘାତକତା କରିଥିଲା ମୋ ସହିତ । ଆଉ ଚନ୍ଦ୍ରକାନ୍ତି....)

 

ସ୍ମରଣ କରିବା ପାଇଁ ଚେଷ୍ଟା କଲା । ଦେଖିଲା, ସବାରୀମାନଙ୍କରେ ସାମ୍ରାଜ୍ଞୀ ଓ ବେଶ୍ୟାମାନେ ସନ୍ତାନମାନଙ୍କୁ ନେଇ ଯେପରି ଅଯଥା ଗମ୍ଭୀର ଭାବରେ ଚାଲବୁଲ କରୁଛନ୍ତି ।

 

ଏତେ ଗମ୍ଭୀରତାର କିନ୍ତୁ କୌଣସି ମନେହୁଏନା ! ସେମାନଙ୍କର ପ୍ରେମ ଯେହେତୁ ପୁରାତନ ଗୀର୍ଜାର ଭଗ୍ନାବଶେଷ ସଦୃଶ ପୀଡ଼ାଦାୟକ ।

 

ଆଚ୍ଛା, ହୃଦୟତକ ପାପୁଲିମାନଙ୍କରେ ଥୋଇ ଆକାଶକୁ ଫିଙ୍ଗିଲେ କେମିତି ହୁଅନ୍ତା ? ହୃଦୟତକ କ’ଣ ବର୍ଷା ଋତୁର କଦମ୍ବ ଆଉ ପ୍ରେମ, ଏକ ଉପେକ୍ଷିତ ରାସ୍ତାର ମାଇଲଖୁଣ୍ଟ, ଯେଉଁଠି ସହର ଓ ଗ୍ରାମାନ୍ତରର ଦୂରତା ଲିପିବଦ୍ଧ କିମ୍ବା ଏକ ଦୋଛକି, ଯେଉଁଠି ବିଜୁଳି ଆଲୁଅର ଫ୍ୟୁଜ କଟିଯାଇଛି । ଅନ୍ଧକାର, ଚାରିଆଡ଼େ କେବଳ ଅନ୍ଧକାର । ଅନେକ ରଙ୍ଗ, ଅନେକ ସ୍ପର୍ଶ ଓ ଅନେକ ଗନ୍ଧର ଅନ୍ଧକାର । ଚନ୍ଦ୍ରକାନ୍ତି କ’ଣ ସତରେ ଏକ ଅନ୍ଧକାରର ଫସିଲ !

 

ତ୍ରିଶଙ୍କୁର ଦ୍ୱିତୀୟ ସ୍ୱର୍ଗର ଅସୀମ ଶୂନ୍ୟତାରୁ ଇନ୍ଦ୍ରନୀଳ ଚାହିଁ ଦେଖିଲା, ଜଣେ କପାଳିକର ସମ୍ମୁଖରେ ଚନ୍ଦ୍ରକାନ୍ତି ସମ୍ପୂର୍ଣ୍ଣ ଭାବରେ ନିରାଭରଣା । ଇନ୍ଦ୍ରନୀଳର ଆଖିରେ ନିବିଡ଼ ତନ୍ମୟତା । ତା’ର ସେ ଲୋହିତଶୁଭ୍ର ତନୁଲତାର କାରୁକାର୍ଯ୍ୟରେ ବିଭ୍ରାନ୍ତ ଇନ୍ଦ୍ରନୀଳ । ନିଜକୁ ନିଜେ ଅସ୍ୱୀକାର କରିବାର ଯନ୍ତ୍ରଣାରେ ସେ ଅସ୍ଥିର ।

 

ଚନ୍ଦ୍ରକାନ୍ତିର ଉଲଗ୍ନ ଦେହ ଦେଖି ମନଟା କେମିତି ଉଚ୍ଚାଟ ଲାଗୁଛି । ମନେହେଉଛି, ଚନ୍ଦ୍ରକାନ୍ତି ଯେମିତି ଏକ ନାରୀ ନୁହେଁ, ଉଚ୍ଚାଟନର ଏକ ପ୍ରଚଣ୍ଡ ଋତୁ ।

 

କେତୋଟି ବସନ୍ତ ପାରିହେଲା ଚନ୍ଦ୍ରକାନ୍ତି !

 

ପ୍ରଶ୍ନ ଓ ପ୍ରତିଧ୍ୱନି । ପ୍ରତିଧ୍ୱନି ଓ ପ୍ରଶ୍ନ । ଇନ୍ଦ୍ରନୀଳର ସ୍ଥିତି ଯେପରି ପ୍ରଚଣ୍ଡ, ବିସ୍ଫୋରଣର ସମ୍ମୁଖୀନ । ଚନ୍ଦ୍ରକାନ୍ତିର ଦେହରେ କେବଳ ଫୁଲ ଓ ମୁଠା ମୁଠା ତାରା । ଆଃ, ପୁଲକର କି ବାସ୍ନା, ଆଉ ତାରାଗୁଡ଼ିକ କି ଶୀତଳ ।

 

ବାଇଶଟି ବସନ୍ତ ବୋଧହୁଏ ପାରିହେଲା ଚନ୍ଦ୍ରକାନ୍ତି । ବାଇଶ ବର୍ଷ ଯେମିତି ବାଇଶଟି କାଚ ବାଡ଼ି । (ପ୍ରଭୁ ! ତମର ଦେଉଳକୁ ଗଲେ ବାଇଶ ପାବଚ୍ଛ ଡେଇଁବାକୁ ହୁଏନା !)

 

ବୟସର ଚୋରା ବାଲିରେ ଠିଆହୋଇ ସେ ସମୁଦ୍ର ଦେଖୁଛି । (ଏ ସମୁଦ୍ର ଯେକୌଣସି ସମୁଦ୍ର ହୋଇପାରେ ।)

 

ସମୁଦ୍ରଟା ସତରେ କ’ଣ ନିଆଁର ସମୁଦ୍ର.....ଯେଉଁଠି କେବଳ ଲହ ଲହ ଅଗ୍ନିଶିଖା । ଏ ସମୁଦ୍ରକୂଳକୁ ଚନ୍ଦ୍ରକାନ୍ତିକୁ ଆଣିଲା କିଏ ସୁନାର ସବାରିରେ ? ତା’ର ସବାରିର ଚାରିପଟେ ଝଲମଲ ରୂପାର ଝାଲେରି । ସବାରି ଦେହରେ ଅସଂଖ୍ୟ ଚନ୍ଦ୍ର, ସୂର୍ଯ୍ୟ, ଗ୍ରହନକ୍ଷତ୍ର ।

 

ସେ କ’ଣ କେଉଁ ଏକ ସାମ୍ରାଜ୍ୟର ସାମ୍ରାଜ୍ଞୀ, ନା ଅପେରାର ନାୟିକା !

 

ମୁଣ୍ଡରେ ମୁକୁଟ । ସେ ରାଜକନ୍ୟା । ତିନିଗାର କାଟି କେଉଁ ରାଜ ପୁତ୍ରର ଅପେକ୍ଷାରେ ବସି ରହିଛି । ରାଜପୁତ୍ର ଯେମିତି ପକ୍ଷୀରାଜ ଘୋଡ଼ାରେ ଉଡ଼ି ଉଡ଼ି ଆସିବ ।

 

ଚନ୍ଦ୍ରକାନ୍ତିର ମନହେଲା ସମୁଦ୍ର ଯେମିତି ଗୋଟାଏ ରାକ୍ଷସର ବୀଭତ୍ସ ପିଠି । ଆଉ ଇନ୍ଦ୍ରନୀଳ ହେଉଛି ପ୍ରତିଦ୍ୱନ୍ଦୀ । ଚନ୍ଦ୍ରକାନ୍ତିର ମୟୂରକଣ୍ଠି ନୌକା ଯେମିତି ସେହି ସମୁଦ୍ରରେ ଭାସୁଛି । ପରିଚାରୀ ଓ ଦାସୀମାନେ ଆଲଟ ଚାମର ଧରି ବ୍ୟଜନ କରୁଛନ୍ତି । କର୍ପୂର, ଚୁଆ ଆଉ ଚନ୍ଦନରେ ମହ ମହ ବାସୁଛି ସମସ୍ତ ପରିବେଶ । ତା’ ଚାରିପାଖରେ ବେଢ଼ି ଠିଆ ହେଇଛନ୍ତି ଚାରି ସଙ୍ଗାତ । ରାଜାପୁଅ, ମନ୍ତ୍ରୀପୁଅ, କଟୁଆଳ ଆଉ ସୌଦାଗର ପୁଅ ।

 

ରାଜାପୁଅ : ଗଳାରେ ତା’ର ମହାର୍ଘ ମଣିମାଳ, କଟୀରେ ତରବାରୀ ।

 

ମନ୍ତ୍ରୀପୁଅ : ଦେହରେ ଅପରୂପ ଲାବଣ୍ୟ, ଜରି କାମକରା ପୋଷାକ ।

 

କଟୁଆଳ ପୁଅ : ହାତରେ କଙ୍କଣ, ବାହୁରେ ବଳୟ, ଅଙ୍ଗୁଷ୍ଟିରେ ନୀଳାଂଗୁରୀୟ ।

 

ସୌଦାଗର ପୁଅ : ବହୁ ମୋତିମାଣିକ୍ୟ ତା’ର ଜାହାଜରେ ।

 

ସେମାନେ ସମସ୍ତେ କ’ଣ ଚାହାନ୍ତି ଚନ୍ଦ୍ରକାନ୍ତିକୁ ।

 

ମୟୂରକଣ୍ଠି ନୌକା ଭାସି ଭାସି ଚାଲିଥିଲା । ଆଉ ଭୀଷଣଦର୍ଶନ, ମୂକ, ନପୁଂସକ କ୍ରୀତଦାସମାନେ ଆହୁଲା ମାରୁଥିଲେ । ପେଶୀବହୁଳ ସେମାନଙ୍କ ଶରୀରରେ ଚିକ୍‌ ଚିକ୍‌ କରୁଥିଲା ସ୍ୱେଦକଣିକା ।

 

ସେମାନେ ଭୀଷଣ ତୃଷାର୍ତ୍ତ, କିନ୍ତୁ ଜଳ ପାନରେ ଅକ୍ଷମ ।

 

ଚନ୍ଦ୍ରକାନ୍ତି ଅସନ୍ତୁଷ୍ଟ ହେଲା । ତା’ ଆଖିରୁ ଝରୁଥିଲା ଶାମୁକା ଶାମୁକା କାମନା ।

 

ଅସଂଯତ ହେଲା ଚନ୍ଦ୍ରକାନ୍ତି ।

 

ସମୁଦ୍ରକୂଳର ପବନ ତା’ର ଶାଢ଼ି, ଶାୟା ଓ ଦେହ ସନ୍ଧିରେ କୁତ୍‌କୁତ୍‌ କରୁଛି ।

 

ତାପରେ ସେମାନେ ସମସ୍ତେ କୂଳରେ ଓହ୍ଲେଇ ଚାଲିବା ଆରମ୍ଭ କଲେ ।

 

ବାଇଶି ପାବଚ୍ଛରୁ ସ୍ଵର୍ଗଦ୍ୱାର ।

 

ବାଇଶି ପାବଚ୍ଛ

 

ବାଇଶି ପାବଚ୍ଛରେ ଅସମ୍ଭବ ଭିଡ଼ ।

 

ବହୁ ଦୂରାଗତ ଭକ୍ତ ଐକ୍ୟତାନରେ ଜଗନ୍ନାଥଙ୍କର ଜୟଗାନ କରୁଛନ୍ତି । ଭାଙ୍ଗ ନିଶାରେ ଆଖି ଟୁଳ ଟୁଳ କରି ପଣ୍ଡା–ପଢ଼ି ଆରୀୟେ ଆନନ୍ଦବଜାରରୁ ଗମ୍ଭୀରା ଭିତରକୁ ଯିବାଆସିବାରେ ବ୍ୟସ୍ତ । କେବଳ ଗହଗହ ଶବ୍ଦ ।

 

ନାଦ । ନାଦରୁ ବ୍ରହ୍ମାଣ୍ଡ ।

 

ନିର୍ବିକାର, ନିରାକାର ପୁରୁଷ ଚକାଡ଼ୋଳା ଡୋଳା ମେଲି ବସିଛନ୍ତି । ଦହଣା, ମଲ୍ଲୀ ଆଉ ତୁଳସୀମାଳର ସୁରଭିରେ ସାରା ବେଢ଼ା ମହକିଉଠୁଛି ।

 

କପାଳରେ ହରିଚନ୍ଦନର ଚିତା ।

 

ଓଠରେ ଅଦ୍‌ଭୁତ, ଅଦ୍‍ଭୁତ ହସ । ସେ ହସର ଅଦ୍‌ଭୁତ ଅଲୌକିକ ଶକ୍ତି । ତାହା ଯେକୌଣସି ବସ୍ତୁକୁ ବଶ କରିପାରେ, ଅବଶ କରିପାରେ ।

 

ଚନ୍ଦ୍ରକାନ୍ତି ବଶ ହୋଇପଡ଼ିଲା, ଅବଶ ହୋଇପଡ଼ିଲା । ଗୋଟାଏ ଗୋଟାଏ ପାହାଚ ସେମିତି ଗୋଟାଏ ଗୋଟାଏ ଯୁଗ । ସତ୍ୟ...ସତ୍ୟରୁ ଦ୍ୱାପର, ଦ୍ୱାପରରୁ କଳି ।

 

ତାକୁ ତେବେ କ’ଣ ଯୁଗଯୁଗାନ୍ତର ଚାଲିବା ପାଇଁ ପଡ଼ିବ ସମୁଦ୍ର ବାଲିରେ, ବାଇଶି ପାବଚ୍ଛରୁ ସ୍ୱର୍ଗଦ୍ୱାର । ଏହି ଗୋଲୋକରେ ସମସ୍ତେ ଯେପରି ତା’ର ଅପରିଚିତ ମନେହେଉଛନ୍ତି । କାହାରିକି ସେ ଚିହ୍ନିପାରୁ ନାହିଁ । ଅନେକ ଅନେକ ଛାଇ ଯେମିତି ବୃତ୍ତାକାର କୋଠରି ମଧ୍ୟରେ ମଦ ପିଇ ଦୌଡ଼ାଦୌଡ଼ି କରୁଛନ୍ତି କ୍ଳାନ୍ତ ଭାବରେ । ନଇଁପଡ଼ି, ନତଜାନୁ ହୋଇ ଠାକୁରଙ୍କୁ ପ୍ରଣାମ କରୁଛନ୍ତି । ସେମାନଙ୍କର ଅର୍ଥହୀନ ନିର୍ବିକାର ଦୃଷ୍ଟିରେ କେମିତି ଏକ ଅସହ୍ୟ ଉଦାସୀନତା ।

 

ଚନ୍ଦ୍ରକାନ୍ତି ଆଉ ଏକ ପାହାଚ ଚଢ଼ିବା ପାଇଁ ପାଦ ଟେକିଲା । ଚାରିଆଡ଼େ ଅସତର୍କ ଦୃଷ୍ଟିରେ ଚାହିଁଲା । ପିଙ୍ଗଳା, ଅବଧୂତ, କପୋତ ପକ୍ଷୀ, ଅଜଗର, ବ୍ରାହ୍ମଣକନ୍ୟା ସମସ୍ତେ ଯେମିତି ଚାହିଁ ରହିଛନ୍ତି ଆକୁଳ ନୟନରେ ।

 

ସମସ୍ତେ ଯେପରି ଅଥର୍ବ ।

 

ସ୍ୱର୍ଗଦ୍ୱାର

 

ସ୍ୱର୍ଗଦ୍ୱାରର କୁଢ଼ କୁଢ଼ ଶବ ଭିତରେ ବସି କାପାଳିକା ସାଧନା କରୁଛି । ଗଳାରେ ନରମୁଣ୍ତମାଳ, କପାଳରେ ରକ୍ତଚନ୍ଦନର ଚିତା ଓ ତିଳକ ।

 

ଆଖିରେ ହିଂସ୍ରତା, ପାଶବିକତା । ଖପୁରୀରେ ରକ୍ତ । ଗୋଟାଏ ଖଡ଼୍‌ଗ ଯେମିତି ଉଦ୍ୟତ ହୋଇ ରହିଛି । ଚନ୍ଦ୍ରକାନ୍ତି ଯେମିତି କୁହୁକ ବଳରେ ତା’ ଆଡ଼କୁ ଟାଣି ହୋଇଯାଉଛି ।

 

କାପାଳିକ ବୀଭତ୍ସ ଭାବରେ ହସୁଛି ।

 

ଦୂରରେ ତାକୁ ଅଳ୍ପ ସମୟ ପୂର୍ବରୁ ଘେରି ରହିଥିବା ରଜା, ମନ୍ତ୍ରୀ, କଟୁଆଳ ଆଉ ସୌଦାଗର ପୁଅର କଟା ମୁଣ୍ତମାନ ଗଡ଼ୁଛି ତା’ର ପାଦ ତଳେ ।

 

ଚନ୍ଦ୍ରକାନ୍ତିର ଦେହ କଣ୍ଟକିତ ହୋଇପଡ଼ିଲା ଏକ ଅଜଣା ଭୟରେ ।

 

ତାରି ପଛେ ପଛେ ଅନେକ ଛାଇ ।

 

ଚନ୍ଦ୍ରକାନ୍ତିର ମନେହେଲା, ତା’ର ଗୋଡ଼, ହାତ ଓ ବେକ ଏକ ଅଦୃଶ୍ୟ ରଜ୍ଜୁରେ ବନ୍ଧା ହୋଇ ରହିଛି । ସେ ଟିକିଏ ବି ହଲଚଲ ହୋଇପାରୁ ନାହିଁ ।

 

କାପାଳିକର ଆଖିରେ ଏକ ଭୟଙ୍କର ରକ୍ତତୃଷ୍ଣା ।

 

ହାତ ପାହାନ୍ତାରୁ ସବୁ ଯେମିତି ଦୂରେଇ ଦୂରେଇ ଯାଉଛି । ଯାହା ଛୁଇଁଲେ ସେସବୁ କଦାକାର, ଭାଷଣଦର୍ଶନ ଶବରେ ପରିଣତ ହୋଇଯାଉଛି ।

 

ଆଃ, ସ୍ୱର୍ଗ ଆଉ ସ୍ୱର୍ଗଦ୍ଵାର ମଧ୍ୟରେ କେତେ ତଫାତ୍‌ ! ଚାରିଆଡ଼େ କେବଳ ପ୍ରଲୁବ୍‌ଧ ଦୃଷ୍ଟି ।

 

ଅବଧୂତ, କାପାଳିକ ଆଉ ଇନ୍ଦ୍ରନୀଳ ।

 

ସ୍ୱପ୍ନ, ସମୁଦ୍ର ଓ ଶବ ।

 

ସବୁ ମାୟା, ସବୁ କୁହୁକ । ଅବଚେତନ ମନର ଅଜସ୍ର ସଂଚିତ ଗୋପନୀୟ ଅସାମାଜିକ ଇଚ୍ଛା ... କିନ୍ତୁ ସେହି ଚକା ଚକା ଆଖି ସର୍ବତ୍ର । ତାକୁ ଠକିଦେଇ ଯିବାର ଉପାୟ ନାହିଁ-। ଚନ୍ଦନଅର୍ଗଳୀ ସେପଟେ ଦାଉ ଦାଉ ବିଗ୍ରହ । ସବୁ ନିର୍ମୋକ ଯେପରି ଖସିଯିବ । ପରିଣତ ହେବ ମୁଠାଏ ପାଉଁଶରେ, କେବଳ ମୁଠାଏ ବିଭୂତି ।

 

ଚାରିଆଡ଼େ କୋଳାହଳ । ସହର ବଜାର, କୋଠାଛକ, ହସ୍‌ପିଟାଲ, ରେଲଷ୍ଟେସନ କିନ୍ତୁ ତା’ ମଝିରେ ଏକ ଅଖଣ୍ତ ନୀରବତା । ଏକ ଶାନ୍ତ, ସମାହିତ, ସଂଭ୍ରାନ୍ତ ଅହମିକା ।

 

ସେ ସବୁ ବି କୁହୁକ ବଳରେ ଅପସାରିତ ହୋଇଗଲା । ଆଖିଆଗରୁ ଅପସରିଗଲା ସମୁଦ୍ର । ତା’ପରେ ଚନ୍ଦ୍ରକାନ୍ତିର ମନେହେଲା ସତକୁସତ ଯେମିତି ସେ ପକ୍ଷ ବିସ୍ତାର କରି ଉପରକୁ ଉପରକୁ ଉଠୁଛି । ସେ କାପାଳିକର ସ୍ପର୍ଶର ବାହାରେ, ବହୁ ଉଚ୍ଚରେ । ତା’ ଦେହ, ବେକ ଓ ବିବେକରେ ବନ୍ଧା ହୋଇଥିବା ଅଦୃଶ୍ୟ ରଜ୍ଜୁତକ କ୍ରମଶଂ ଅପସାରିତ ହୋଇଯାଇଛି ।

 

ବେତାଳମାନେ ମଦ୍ୟପ ଭଳି ପଳାୟନ କରୁଛନ୍ତି ।

 

ସତରେ ସେ କ’ଣ ମୁକ୍ତ ? ଚନ୍ଦ୍ରକାନ୍ତିର ପରୀକ୍ଷା କରିବା ପାଇଁ ଇଚ୍ଛାହେଲା । ସେ ଗୀତ ଗାଇଲା, ହସିଲା, ଦୌଡ଼ିଲା ।

 

କାହିଁ, ତାକୁ ତ କେହି କିଛି କହୁନାହାନ୍ତି !

 

ସେ ଦିନସାରା, ରାତିସାରା ଗୁଣୁ ଗୁଣୁ ହୋଇ ଗୀତ ଗାଇଲା । ବେଦମ୍‌ ହସିଲା, ହସି ହସି ଗଡ଼ିଗଲା । ତା’ର ମନେହେଲା, ସେ ତୁଳାଠାରୁ ଆହୁରି ହାଲୁକା ହୋଇଯାଇଛି । ସବୁ ମନେହେଉଛି ଫୁଲପରି ସୁନ୍ଦର, କୋମଳ ଓ ସୁରଭିତ ।

 

ମୁଣ୍ତ ଉପରେ ପାଟଛତି । ସ୍ୱର୍ଗର ଅପ୍‌ସରୀମାନେ ବ୍ୟଜନ କରୁଛନ୍ତି ତା’ ଚାରିପାଖରେ-

 

ସମୁଦ୍ର ସେପଟରୁ ଜହ୍ନ ଉଠିଆସୁଛି । ଚାରିଆଡ଼େ ଏକ ସ୍ୱପ୍ନମିଶ୍ରିତ ଶୁଭ୍ରତା ।

 

ତା’ର ପାଣିପ୍ରାର୍ଥୀ ସେହି ରଜାପୁଅ, ମନ୍ତ୍ରୀପୁଅ, କଟୁଆଳ ଆଉ ସୌଦାଗର ପୁଅ ନିର୍ବୋଧଙ୍କ ପରି ଚାହିଁ ରହିଛନ୍ତି । ତା’ର ଅପେକ୍ଷା ସରିଛି । ସେ ସକଳ ବନ୍ଧନରୁ ମୁକ୍ତ ।

 

ତେବେ ସେ କ’ଣ ମୃତ ? ମୃତ୍ୟୁହିଁ ତ ଏହି ସକଳ ବନ୍ଧନର ଏକମାତ୍ର ମୁକ୍ତି ।

 

ତା’ର ବିଗତ ବାଇଶଟି ବସନ୍ତ ତେବେ କ’ଣ ବ୍ୟର୍ଥତା ଓ ଯନ୍ତ୍ରଣାର ସେହି ବାଇସି ପାବଚ୍ଛ । ଚନ୍ଦ୍ରକାନ୍ତି ଯେମିତି ତା’ର ବାଇଶି ବର୍ଷର ପରିଚିତ ସହରକୁ ନିଖାରି ନିଖାରି ଦେଖୁଛି ।

 

ଇନ୍ଦ୍ରପ୍ରସ୍ଥ, ବାରୁଣାବନ୍ତ, ହସ୍ତିନା, ପାଟଳିପୁତ୍ର ।

 

ହିଂସା, ମିଥ୍ୟାଚାର ଆଉ ଈର୍ଷାର କର୍ଦ୍ଦମରେ କର୍ଦ୍ଦମାକ୍ତ ।

 

ରାଜନୈତିକ ନେତାଙ୍କର ବାହୁସ୍ଫୋଟ, ବେଶ୍ୟାର ଉଲଗ୍ନ ଦେହ, ସରାବ ଓ ସରାବୀଙ୍କ ଭିଡ଼ରେ ଆକାଶ ଏଠି ଅଣନିଶ୍ୱାସୀ ।

 

ଆଗରେ ଏକ ଲମ୍ୱା ଶୋଭାଯାତ୍ରା... ଗୋଟାଏ ଅଦୃଶ୍ୟ ହାତର ଇଙ୍ଗିତରେ ଯେମିତି ସବୁକିଛି ଚାଲିଛି । ପକ୍ଷୀ ଗାଉଛି, ସୂର୍ଯ୍ୟ ଉଠୁଛି, ପୋଲ, ମସଜିଦ୍, ଗୀର୍ଜା ସବୁ ଭାଙ୍ଗୁଛି ।

 

ଆରୋହଣ ଓ ଅବରୋହଣ ।

 

ଚନ୍ଦ୍ରକାନ୍ତିର ମନେପଡ଼ିଲା ଇନ୍ଦ୍ରନୀଳକୁ ।

 

ଇନ୍ଦ୍ରନୀଳର ଆଖିରେ ପ୍ରଚୁର ବିତୃଷ୍ଣା । ସହରର ଛକମାନଙ୍କରେ ଥିବା ପୋଲିସ ଷ୍ଟାଣ୍ତମାନଙ୍କରେ ପ୍ରଚଣ୍ତ ଉତ୍ତେଜନା ।

 

ଇନ୍ଦ୍ରନୀଳ ଆଉ ଥରେ ଚାହିଁଲା । ଚନ୍ଦ୍ରକାନ୍ତି ତା’ର ଚେତନାର ଗଭୀର ସମୁଦ୍ରରେ ସଂପୂର୍ଣ୍ଣ ଭାବରେ ଅବଲୁପ୍ତ । ସିଗାରେଟରେ ନିଆଁ ଲଗେଇଲା ଇନ୍ଦ୍ରନୀଳ । ସାମନାରେ ଥୁଆହୋଇଛି ସ୍ୟାମ୍ପେନର ଗ୍ଲାସ । ନିଜ ନିଜର ଗ୍ଲାସମାନ ନେଇ ସମସ୍ତେ ଯେମିତି ଫ୍ରିଜ୍‌ଡ଼ ହୋଇପଡ଼ିଛନ୍ତି । ସେମାନଙ୍କର ହୃତ୍‌ପିଣ୍ତ, ମସ୍ତିଷ୍କ, ଫୁସ୍‌ଫୁସ୍‌ ସବୁ ହିମଶୀତଳ । ବରଫ ସଦୃଶ କଠିଣ ଓ ଥଣ୍ତା । ସମଗ୍ର ସହରଟା ମୃତ ।

 

ବେଶ୍ୟାଗଳିରେ ଯେଉଁ ଯୁବକଟି ପ୍ରବେଶ କରିଥିଲା, ସେ ଦରକଷାକଷି ଜାଗାରେ ହିଁ ସ୍ଥାଣୁ । ଲାଞ୍ଚ ନେଉଥିବା ଓ ଦେଉଥିବା ଦୁଇଜଣ କର୍ମଚାରୀ । ଦେଶୀ ମାଲ ଓ ଚେନାଚୂରର ମଜା ନେଉଥିବା ଏକ ରିକ୍‌ସାବାଲା । ଚୋରା ଅଫିମ କାରବାର କରୁଥିବା ଦଳେ ମାରଓ୍ୱାଡ଼ି ଓ ସର୍ବୋପରି ଦଳେ ଦଳତ୍ୟାଗୀ ଅସାଧୁ ରାଜନୀତିଜ୍ଞକୁ ବୋହିନେଉଥିବା ଏକ ମୋଟର ଗାଡ଼ି, ସାମ୍ୟବାଦୀ ସ୍ଲୋଗାନ ଦେଉଥିବା କେତେଜଣ କୋଟିପତି ମନ୍ତ୍ରୀ, ଚରିତ୍ରହୀନ ସାଂବାଦିକ, ଲମ୍ଫଟ ସାହିତ୍ୟିକ, ମରୁଡ଼ି, ବନ୍ୟା, ବାତ୍ୟା ଓ ଧର୍ମାନୁଷ୍ଠାନର ସାହାଯ୍ୟ ପାଣ୍ଠିରୁ ଅର୍ଥ ଆତ୍ମସାତ୍‌ କରି ରାମାନନ୍ଦୀ କାଟି ବୁଲୁଥିବା ଶାସକ ଦଳର ଜଣେ ମଠାଧୀଶ, ଦେହକୁ ମୂଳଧନ କରି କ୍ଷମତାରେ ନବପ୍ରତିଷ୍ଠିତ ଏକ ଉଠ୍‌ତି ନାରୀନେତ୍ରୀ ଓ ଅନେକ ଅନେକ ରାଣୀ ମହୁମାଛି ସମସ୍ତେ ଯେପରି ସମୟର ବିରାଟ ପ୍ରଚ୍ଛଦପଟରେ ସ୍ଥିର, ନିର୍ଜୀବ ।

 

ବାହାରର କାଚ ଝର୍କାଗୁଡ଼ିକରେ କୁହୁଡ଼ି ଜମିବା ଆରମ୍ଭ କଲାଣି । ବାହାରେ ସମ୍ଭବତଃ ପ୍ରଚୁର ଶୀତ । ଶୀତ ଋତୁ ।

 

ଇନ୍ଦ୍ରନୀଳର ଖୁବ୍‌ ବଡ଼ପାଟିରେ ଗୋଟାଏ ପ୍ରାର୍ଥନା ଗାଇବାପାଇଁ ମନହେଲା । ହଠାତ୍‌ ତା’ପାଖରେ ଛାଇମାନେ ବିଭିନ୍ନ ରଙ୍ଗର ମୁଖାମାନ ପିନ୍ଧି ନାଚିବା ଆରମ୍ଭ କରିଦେଲେ । ତା’ ଭିତରେ ଆଉ କାହାରିକି ଚିହ୍ନି ହେଲାନାହିଁ । ବୟସ ଗଡ଼ିଯାଇଥିବା ସେହି କୁରୂପା ଶିକ୍ଷୟିତ୍ରୀ...ଘୁସଖୋର ହାଇକୋର୍ଟ ଜଜ୍‌, ଏଇ ମାତ୍ର ସ୍ତ୍ରୀକୁ ପ୍ରତାରଣା କରିଆସିଥିବା ଜଣେ ୟଙ୍ଗ୍‌ ଆଇ.ଏ.ଏସ୍‌. ଆଉ ଅନେକ ହିଂସ୍ର ଜାନୁଆର । ବ୍ୟାଣ୍ତବକ୍‌ସରୁ ଧିମା ସ୍ୱରରେ ଭାସି ଆସୁଥିଲା ଅର୍କେଷ୍ଟ୍ରା ।

 

ତା’ ଭିତରେ ଅଜସ୍ର ଚନ୍ଦ୍ରକାନ୍ତି, ବହୁ ମୁହଁ, ବହୁ ମୁଖା । ଇନ୍ଦ୍ରନୀଳ ଉଠିବାପାଇଁ ଚେଷ୍ଟାକଲା । ତାକୁ ଉଦ୍ଧାର କରିବାପାଇଁ ହେବ ଚନ୍ଦ୍ରକାନ୍ତିକୁ ।

 

ସାତତାଳ ପାଣି ତଳେ ତିନିତାଳ ପଙ୍କ, ତା’ ଭିତରେ ସୁନାର ଫରୁଆ । ସେହି ଫରୁଆ ଭିତରେ ଥିବା କଳା ଭଅଁର...କାପାଳିକର ଜୀବନନାଟିକା ।

 

ଚାରିଆଡ଼େ ଯେମିତି ମାଳମାଳ ବେଲୁନ୍, ନାଲିନେଳି ହଳଦି ରଙ୍ଗର । ଆଉ ତା’ ମଝିରେ ଚକ୍‌ଚକ୍‌ ତରବାରୀମାନ ଅଣ୍ଟାରେ ଖୋସି, ରାଜ୍ୟ ଓ ତା’ ସହିତ ଉଭା ହୋଇଥିବା ଗଡ଼ଜାତ ରଜାମାନେ ଠିଆ ହୋଇଛନ୍ତି ।

 

ସେମାନଙ୍କ ମୁହଁରେ ବି ମୁଖା । କାହାରିକି ଚିହ୍ନିବାର ଉପାୟ ନାହିଁ । ସେମାନଙ୍କର ମେଦବହୁଳା ରାଣୀମାନେ ବି କଳେ କଳେ ପାନ ଯାକି ହସି ହସି ଗଡ଼ିଯାଉଛନ୍ତି ।

 

ଏଥର ଇନ୍ଦ୍ରନୀଳର ଚିତ୍କାର କରିବା ପାଇଁ ଇଚ୍ଛାହେଲା ।

 

ସବୁଜ ଘାସର ଲନ୍‌ ଉପରେ ଇତସ୍ତତଃ ହୋଇପଡ଼ିଥିବା ଡେକ୍‌–ଚେୟାରମାନଙ୍କରେ ଡେଣାକଟା ପରୀମାନେ ଶୋଇଯାଇଥିଲେ । ସେମାନଙ୍କର ସୁନାର ମୁକୁଟ, ଜରିଲଗା ପୋଷାକ ଝଟକି ଉଠୁଥିଲା ।

 

କଳା କଳା ପୋଷାକ ପିନ୍ଧି ହାତରେ ଖଣତିମାନ ଧରି ରତ୍ନଖଣିର ସନ୍ଧାନରେ ବାହାରିଥିଲେ ଦଳେ କିରାନି । ଦଳେ ପି.ଏଚ୍‌.ଡ଼ି. ଡିଗ୍ରୀଧାରୀ ବୁଦ୍ଧିଜୀବୀ ଚୂରୁଟମାନ ଦାନ୍ତରେ କାମୁଡ଼ିଧରି ଗମ୍ଭୀର ଭାବରେ ପଦଚାରଣ କରୁଥିଲେ ।

 

କେମିତି ଏକ ଅସ୍ୱାଭାବିକ ପରିସ୍ଥିତି । ଇନ୍ଦ୍ରନୀଳ ଅସହାୟ ।

 

ସାତତାଳ ପାଣି ତଳେ ତିନିତାଳ ପଙ୍କ । ତା’ ଭିତରେ ସୁନାର ଫରୁଆ । ଫରୁଆ ଭିତରେ କଳା ଭଁଅରଟି କାପାଳିକର ଜୀବନ ନାଟିକା । ସେ ମନପବନ ଘୋଡ଼ାରେ ଅଣନିଶ୍ୱାସୀ ହୋଇ ଦୌଡ଼ୁଛି । ସମୁଦ୍ର ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଛି କୁହୁକ ବଳରେ ।

 

ଇନ୍ଦ୍ରନୀଳର ମନେହେଲା, ତା’ର ପେଶିଗୁଡ଼ିକ ଅସ୍ୱାଭାବିକ ଭାବରେ କଠିଣ ହୋଇପଡ଼ିଛି । ଦୃଷ୍ଟିଶକ୍ତି ତୀବ୍ର ଓ ଉଜ୍ଜ୍ୱଳ । କାପାଳିକ ଶୂନ୍ୟରୁ କହୁଛି ମୁଁ ଚନ୍ଦ୍ରକାନ୍ତିକୁ ମୁକ୍ତି ଦେଇଛି, ଆଉ ତା’ର ପୁନର୍ଜନ୍ମ ହୋଇଛି ହସ୍ତିନା ନାମକ ଏକ ପୂରାତନ ନଗରରେ, ଯେଉଁଠି ରାଜନୀତିର କପଟପାଶାରେ ସମସ୍ତେ ପ୍ରମତ୍ତ । କ୍ଷମତାର ଅନ୍ଧପୁଟୁଳିରେ ସମସ୍ତେ ଅନ୍ଧ ଧୃତରାଷ୍ଟ୍ର... ସଞ୍ଜୟ, ବିଦୁର, ହତ୍‌ବାକ । ପୁତ୍ରଶୋକରେ ଅଧୀରା ଗାନ୍ଧାରୀ ।

 

ସେଠାକାର ସ୍କୁଲ୍‌ କଲେଜମାନଙ୍କରେ ଅନେକ ଅନେକ ଭାନୁମତୀ ଆଉ ବିବସ୍ତ୍ରା ଦ୍ରୌପଦୀ । ସେହି ନଗରରେ ବି ରହିଛି ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ଓ ମଠ, ମଠାଧୀଶ, ଧର୍ମଯାଜକ, ପୁରୋହିତ, ପାଷ୍ଟର ଏବଂ ଧର୍ମକୁ ଆଖିଠାର ମାରି ରାତିସାରା ଚରିତ୍ରହୀନ ଲୋକେ ମୈଥୁନରେ ମଗ୍ନ, ନାରୀମାନେ ବ୍ୟଭିଚାରିଣୀ, ନେତାମାନେ ମିଥ୍ୟାବାଦୀ ଓ ଥୋକେ ପୁରୁଷ ନପୁଂସକ ।

 

ସେ ନଗରୀରେ ପାପର ଏକ ବିଶାଳ ସୁବର୍ଣ୍ଣ ମନ୍ଦିର ଅଛି ଏବଂ ସେହି ମନ୍ଦିରରେ ପ୍ରତିଷ୍ଠିତ କୃଷ୍ଣକାୟ ଅପଦେବତାର ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣ କରୁଛନ୍ତି ଅସଂଖ୍ୟ ଉଲୁପି ।

 

ଚନ୍ଦ୍ରକାନ୍ତି ବି ସାମ୍ନାରେ ଆଣ୍ଠୁମାଡ଼ି ପ୍ରାର୍ଥନା କରୁଛି, ‘‘ପ୍ରଭୋ ! ମୋର କଳା ମେଣ୍ଢାମାନଙ୍କୁ ମୋତେ ଫେରାଇଦିଅନ୍ତୁ ।’’ ମାଲୁଣୀମାନେ ଫୁଲର ପସରା ନେଇ ବେଶ୍‌ ଖୋଲାଖୋଲି ଭାବରେ ପ୍ରେମାଳାପ କରୁଛନ୍ତି ।

 

ଇନ୍ଦ୍ରନୀଳ ଉଚ୍ଚ କଣ୍ଠରେ ରୋଦନ କରିବାପାଇଁ ଲାଗିଲା କିନ୍ତୁ ତା’ର କଣ୍ଠରୁ କୌଣସି ଶବ୍ଦ ନିର୍ଗତ ହେଲାନାହିଁ । ଦୌଡ଼ିବାପାଇଁ ଚେଷ୍ଟା କଲା, କିନ୍ତୁ ହାୟ ତା’ର ପାଦ ଯେମିତି ନିଶ୍ଚଳ ହୋଇପଡ଼ିଛି । ତା’ ପିଠିରେ ଆଉ ଛାତିରେ ପଥର ବୋଝମାନ ଲଦି ଦିଆଯାଇଛି ।

 

ଚନ୍ଦ୍ରକାନ୍ତି ତା’ ଆଖିଆଗରେ ଗୋଟାକ ପରେ ଗୋଟାଏ କଳା ମେଣ୍ଢାକୁ ଫୁଲ ଶୁଙ୍ଘେଇ ସୁନ୍ଦର ସୁନ୍ଦର ଭେଣ୍ତା କରି ତୀବ୍ର ଭାବରେ ସେମାନଙ୍କୁ ଚୁମ୍ୱନ କରୁଛି, ଆଲିଙ୍ଗନ କରୁଛି । ସେହି ତୀବ୍ର ଦଂଶନର ଜ୍ଵାଳା ଇନ୍ଦ୍ରନୀଳ ଅନୁଭବ କରୁଛି ନିଜର ତ୍ଵକ୍‌ରେ ।

 

ଇନ୍ଦ୍ରନୀଳ ବୁଝିପାରିଲା ନାହିଁ, ତା’ର ସତ୍ତା ।

 

ଇନ୍ଦ୍ରନୀଳର ଆଖିରେ ଚନ୍ଦ୍ରକାନ୍ତି ଯେମିତି ଏକ ସାମ୍ରାଜ୍ଞୀ । ତା’ର ଇଙ୍ଗିତରେ ରାତି ହେଉଛି, ଦିନ ଆସୁଛି । ଚନ୍ଦ୍ର ହସୁଛି, ସୂର୍ଯ୍ୟ ଉଠୁଛି । ପତ୍ର, ପୁଷ୍ପ ଓ ଫଳ ଝରୁଛି ପୁଣି କଅଁଳୁଛି । ଦାସୀ ପରିବାରୀମାନେ ଯାଉଛନ୍ତି ଆଉ ଆସୁଛନ୍ତି ।

 

ଗଜଦନ୍ତ ପଲଙ୍କରେ ଚନ୍ଦ୍ରକାନ୍ତି ଆଖି ମୁଦି ବସିଛି । ତା’ପାଖରେ ଏକ ମଣିମୟ ରୁଖାରେ ଜଳୁଛି ହୀରାର ପ୍ରଦୀପ । ଗଣିକାମାନେ ବୀଣା, ମଞ୍ଜର ଓ ମୃଦଙ୍ଗରେ ତୋଳୁଛନ୍ତି ସ୍ୱର–ଝଙ୍କାର ।

 

ଆଉ କ୍ରୀତଦାସ ପରି କରପତ୍ର ଯୋଡ଼ି ଠିଆହୋଇଛି ଇନ୍ଦ୍ରନୀଳ ।

 

ତା’ଆଗରେ ଧାଡ଼ି ଧାଡ଼ି ହୋଇ ଚାଲିଛନ୍ତି ପୂର କାମିନୀଗଣ । ହାତରେ ତାମ୍ୱୁଳ, ସୁବାସିତ ପନୀର, ଶୀତଳ ଗନ୍ଧବାସ, ଧୂପ–ଦୀପ, ଅଗୁରୁ ଚନ୍ଦନ ଓ ବହୁବିଧ ପୁଷ୍ପହାର ନେଇ । ଚନ୍ଦ୍ରକାନ୍ତିର ଦୃଷ୍ଟିରେ ତା’ର ପୌରୁଷ ମହମବତୀ ଭଳି ତରଳିଯାଉଛି ।

 

ଇନ୍ଦ୍ରନୀଳ ନିଜକୁ ସ୍ଥିର ରଖିପାରୁ ନାହିଁ, ଲଜ୍ଜା, କ୍ଷୋଭ, ଈର୍ଷା ଓ ଅହଙ୍କାରରେ ସେ ଯେପରି ସଂଜ୍ଞାହୀନ ହୋଇପଡ଼ିବ । କଳାକଳା ଘୋଡ଼ାରେ ଚଢ଼ି ଦଳେ ଅଶ୍ୱାରୋହୀ ପହରା ଦେଉଛନ୍ତି ଚାରିପାଖରେ ।

 

ଏକ ସହଜ ବିଶ୍ୱାସରେ ଚନ୍ଦ୍ରକାନ୍ତିକୁ ମୁକ୍ତ କରିବାକୁ ଆସି ବନ୍ଦୀ ହୋଇପଡ଼ିଲା ତା’ର ଉଆସରେ ।

 

ଝଲମଲ ଜଡ଼ଉର ସ୍ତମ୍ଭ ଉହାଡ଼ରୁ ଉଆସର ପୋଇଲି ପରିବାରୀମାନେ ଆଖି ଠରାଠରି ହୋଇ ହସୁଛନ୍ତି । କାନ୍ଥମାନଙ୍କରେ ଲାଇଫ୍ ସାଇଜ ଦର୍ପଣମାନଙ୍କରେ ରୁଖାର ସେ ସ୍ତିମିତ ପ୍ରଦୀପଶିକ୍ଷା ପ୍ରତିଫଳିତ । ବିଯୋଗାନ୍ତ ନାଟକର ପରାସ୍ତ ନାୟକ ସଦୃଶ ଇନ୍ଦ୍ରନୀଳର ମୁହଁ କରୁଣ ଦେଖାଯାଉଛି ।

 

ସୁନା ପଞ୍ଜୁରୀରେ ଝୁଲୁଛି ପୋଷାଶୁଆ । ବେଳେବେଳେ ପିଞ୍ଜରାରୁ ଆସି ବସୁଛି ଚନ୍ଦ୍ରକାନ୍ତିର ହାତରେ ଆଉ ବୁକୁରେ ।

 

ଶୁଆ ଗୋଟାକ ପରେ ଗୋଟାଏ ପ୍ରଶ୍ନ ପଚାରୁଛି ।

 

କଠିଣ ସେ ପଶ୍ନର ଉତ୍ତର । ଇନ୍ଦ୍ରନୀଳର କିଛି ମନେପଡ଼ୁନାହିଁ । ଅନ୍ୟମନସ୍କ ଭାବରେ କେବଳ ସେ ଚନ୍ଦ୍ରକାନ୍ତିର ଶ୍ଵେତ–ଶୁଭ୍ର ସ୍ତନଯୁଗଳ ଓ ନିତମ୍ୱକୁ ଚାହିଁ ରହିଛି । ବୟଃପ୍ରାପ୍ତି ପରେ ୟେ ଯେପରି ତା’ର ପ୍ରଥମ ଦର୍ଶନ ।

 

ନିଜ ରକ୍ତରେ ଏକ ଅପୂର୍ବ ସ୍ପନ୍ଦନ ଅନୁଭବ କଲା ଇନ୍ଦ୍ରନୀଳ ।

 

ଚନ୍ଦ୍ରକାନ୍ତିର ଏକାନ୍ତ ଗୋପନ–ନିଷିଦ୍ଧପୁର ପ୍ରବେଶ କରି ସେ ଭୁଲ୍ କରିଛି । କିନ୍ତୁ ସିଏ ବା କ’ଣ କରିପାରିଥାନ୍ତା ।

 

ମୁଖା ପିନ୍ଧି ଉଲଗ୍ନ ନାରୀମାନେ ଉପରକୁ ଯିବା ଶିଡ଼ିର ଦୁଇ ପାରୁଶରେ ଚିତ୍ର–ପ୍ରତିମା ପ୍ରାୟ ଉଭା ହୋଇଛନ୍ତି ।

 

ଆଉ ଇନ୍ଦ୍ରନୀଳ ସେମାନଙ୍କ କୁଚକଳଶ ଉପରେ ହାତ ଥାପି ପାହାଚ ପରେ ପାହାଚ ଉଠୁଛି । ଆଶକ୍ତି ଓ ଅନୁଭବ ଭିତରେ ସେ ମୁହ୍ୟମାନ ।

 

ପ୍ରଥମ ପାହାଚରେ କଳାବତୀ କହିଲା– ତୁମେ କେଉଁ ଦେଶର ନାଗରିକ ଭଦ୍ର ! ମୁଁ ତୁମପାଇଁ କୁସୁମ ଶଯ୍ୟା ରଚନାକରି ବସିରହିଛି । ଏଥର ବିଜେ ହୁଅନ୍ତୁ !

 

ଦ୍ୱିତୀୟ ପାହାଚରେ ଚଂପାବତୀ କହିଲା– ତୁମ ପାଇଁ ମୁଁ ରାତିସାରା ଉଜାଗର ରହି ପଥ ଚାହୁଁଛି ପ୍ରେମାସ୍ପଦ । ତମର ସ୍ୱାଗତିକା ପାଇଁ ବିପୁଳ ଆୟୋଜନ ମୋର ପ୍ରାସାଦରେ । ଦୌବାରିକ, ପ୍ରହରୀ, ଭାଟ, କାହାଳିଆ, ଟହଲିଆ ସମସ୍ତେ, ସମସ୍ତେ ଅପେକ୍ଷାମାଣ ।

 

ତୃତୀୟ ପାହାଚରେ ମଦନାବତୀ କହିଲା– ମୋର ହୃଦୟର ମଣିମୟ ରତ୍ନ ସିଂହାସନରେ ତୁମକୁ ମୁଁ ଦେବତା ସଦୃଶ ସ୍ଥାପନ କରି, ତୁମର କିଙ୍କରୀ ଭଳି ନାଚିଯିବି । ତୁମରି ବିରହରେ ଆଜି ମୋର ନୂପୁର ନୀରବ । ତୁମେ ମୋର ନାଟ୍ୟ ମନ୍ଦିରକୁ ଆସ । ମୋର ଯୁଗ ଯୁଗର ତପସ୍ୟା ଓ ସାଧନା ଫଳବତୀ ହେଉ ।

 

ଇନ୍ଦ୍ରନୀଳ ଶିହରିତ ହେଲା । ଇନ୍ଦ୍ରନୀଳ ରୋମାଞ୍ଚିତ ହେଲା । ତାକୁ ନିଶା ଘାରି ଘାରି ଆସୁଛି । ସେ ଆଉ ପାରୁନାହିଁ । ସମର୍ପଣର ଭଙ୍ଗୀରେ କାମକେଳି ପ୍ରବୀଣା ପ୍ରତୀମାମାନ ହସୁଛନ୍ତି-

 

ଇନ୍ଦ୍ରନୀଳର ଏଇ ପୁରକୁ ଆସିବାର ନଥିଲା ।

 

ସେ ବନ୍ଦୀ ! ବନ୍ଦୀ ଇନ୍ଦ୍ରନୀଳ । ଉଲଗ୍ନ ନାରୀ ଦେହର ଅମୁହାଁ ଦେଉଳରେ ସେ ବନ୍ଦୀ ।

 

ଚନ୍ଦ୍ରକାନ୍ତି ତାକୁ କୋଳରେ ବସେଇ ଚୁମ୍ୱନ କରୁଛି, ଆଲିଙ୍ଗନ କରୁଛି, ଦଂଶନ କରୁଛି, ବାରମ୍ବାର ତା’ର ଜାନୁସନ୍ଧିରେ ଜାକି ଧରୁଛି ତା’ର ଅଧମାଙ୍ଗ ।

 

କା–ପୁରୁଷ ଇନ୍ଦ୍ରନୀଳ ! ନପୁଂସକ ଇନ୍ଦ୍ରନୀଳଟି ପରାଜିତ ଇନ୍ଦ୍ରନୀଳ, ବିଧ୍ୱସ୍ତ ଇନ୍ଦ୍ରନୀଳ ।

 

ଏକ ଉଦ୍ଧତ କ୍ରୋଧରେ ଅସହାୟ ଭାବରେ ସେ ତା’ର ବାହୁକୁ ଦଂଶନ କଲା । ତା’ର ଆତ୍ମହତ୍ୟା କରିବାପାଇଁ ଇଚ୍ଛାହେଲା । ଚନ୍ଦ୍ରକାନ୍ତି ତାକୁ, ତା’ର ଅକ୍ଷମତାକୁ ଉପହାସ କରି ଆଉ ଏକ ଉଦ୍ଧତ ପୁରୁଷର ହାତଧରି ଚାଲିଯାଉଛି । ହସ୍ତିନା, ହସ୍ତିନାରୁ ବାରୁଣାବନ୍ତ, ବାରୁଣାବନ୍ତରୁ ପାଟଳିପୁତ୍ର, ବିଦେହ, ବିରାଟ, କୋଙ୍ଗଦ ଓ କୋଶଳ ।

 

ଶମିଶଖାରେ ସକଳ ପରିଧାନକୁ ଫଙ୍ଗିଦେଇ ଏକ ଅନାମିକା ଗଣିକାଳୟରେ ନିଜର ପୌରୁଷକୁ ପରୀକ୍ଷା କରୁଛି ଇନ୍ଦ୍ରନୀଳ ।

 

ତା’ର କାଚଗ୍ଲାସରେ ଦେଶୀ ମାଲ୍ ଢାଳୁଛି ସହର–ଇୟାର ଚନ୍ଦ୍ରକାନ୍ତି ।

 

ଆକାଶବାଣୀ

 

ଜୟପୁର

ଜି: କୋରାପୁଟ

Image

 

ଶ୍ରୀଗୁରୁ

ଉମାଶଙ୍କର ମିଶ୍ର

 

ନିକଟରେ ଘଟିଯାଇଥିବା ବାତ୍ୟାର ପଇଁଚାଳିଶି ଡିଗ୍ରୀ ତଳକୁ ନଇଁଆସିଥିବା ଟେଲିଫୋନ୍‌ ଖୁଣ୍ଟର ଶୀର୍ଷରେ ହାମୁଡ଼ିବସି ଦି’ହାତରେ ମେଘକୁ ଇଙ୍ଗିତକରି ଓଁ–ଓମ୍‌–ଓମ୍‌ ମନ୍ତ୍ର ଜପୁଥିବା ଲୋକ ପ୍ରଶାନ୍ତବାବୁ ହୋଇପାରନ୍ତି, ନହେଇ ବି ପାରନ୍ତି, ତେବେ ଶତକଡ଼ା ଅଶି ସମ୍ଭାବନା ଯେ ସେ ଲୋକ ପ୍ରଶାନ୍ତବାବୁଙ୍କ ପରି ଖାମ୍‌ଖେୟାଲି, ବଦରାଗୀ, କୋମଳ ଅସମଞ୍ଜସ ଉଚ୍ଛ୍ୱାସର ଲୋକଟିଏ । ଅଣ୍ଟାରେ ଭିଡ଼ା ହୋଇଥିବା ଦୌଡ଼ିକୁ ଆସ୍ତେ ଆସ୍ତେ ତଳକୁ ଖସାଇ ତାଙ୍କର ଉତ୍ତରଣ । ସେ ଭୂଇଁ ଛୁଇଁ ଅଲେଖ ଭକ୍ତଙ୍କ ପରି କିଛିକ୍ଷଣ ମଥା ନୁଆଁଇ ଦଣ୍ତ ପେଲିଲେ; ଆଉ ନିକଟତମ ଉଇହୁଙ୍କାରୁ ଦେଖାପଡ଼ୁଥିବା ମୋର ରାମାନନ୍ଦୀ କପାଳକୁ ଚାହିଁ କହିଲେ, ‘ଆପଣ ମୋର ଗୁରୁ ହେଲେ ।’

 

ଗୁରୁ ! ବୁଝିଲେ ?

 

ନାଁ ତ ।

 

‘ବୁଝିଲେନି, ସେ କୌଣସି ଲୋକ ଅନ୍ୟ ଲୋକର ଗୁରୁ ବା ଗୁର୍ବୀ ହୋଇପାରେ, ଯଦି ସାରା ସଂସାରର ତାମ୍‌ସାକୁ ସିଏ ମୋଟ କଥାରେ ପଏଣ୍ଟ ଏକ ଦୁଇ ତିନିରେ ବୁଝେଇଦେଇ ପାରିବ । ନିର୍ବିକାର ନିର୍ଗୁଣ ହୋଇଥିବ । ତ୍ୟାଗ କରିପାରୁଥିବ । ଭୋକ ବା ଭେକ ନଥିବ’ ।

 

ମନେକର ଗୁରୁ ହେଲି ।

 

‘ଦୀକ୍ଷା ଦିଅନ୍ତୁ । –ଏଣିକି ମୁଁ କରିବି କ’ଣ–ମହାପାତକର ତିମିରାଛନ୍ନ ସାତ ସାଗର ପାରିହୋଇ ଆରପାଖକୁ ଯିବାକୁ–’

 

‘ଆରପାଖ !’

 

ହଁ–ସଂସାରରେ କେବଳ ଦିଇଟା ପାଖ–ଏପାଖ ଓ ସେପାଖ । ମଝିରେ ଯା’ ରହିଲା ସବୁ ମିଛ, ମାୟା–ପ୍ରଚ୍ଛନ୍ନ ପାପ–ପୁଣ୍ୟର ହିସାବ, ଭୟ, ସଂଶୟ–ଏ ଭିତରେ ପହଁରିବାକୁ ହେବ–ହିମ୍ମତ୍‌ ଦରକାର ।’

 

‘ଖୁଣ୍ଟ ଉପରେ ଚଢ଼ିଥିଲ ଯେ ?’

 

‘ଖୁଣ୍ଟ ଉପରେ ପ୍ରଶାନ୍ତ ପଟ୍ଟନାଏକ ଚଢ଼େନାହିଁ । ଖୁଣ୍ଟ ପ୍ରଶାନ୍ତ ପଟ୍ଟନାଏକର ବପୁର ଓଜନ ବୋଲି ତା’ର ଭାରସାମ୍ୟ ଠିକ୍‌ରଖେ । –ତା’ପରେ ମୁଁ ତ ଉପରକୁ ଉଠୁଥିଲି, ଦେଖୁଥିଲି କେତେ ଊର୍ଦ୍ଧ୍ଵରୁ ଏ କିଆରି ତଳର ସୋରିଷଫୁଲକୁ ଦେଖିହେଉଛି ।’

 

‘ତତ୍ତ୍ୱର କଥା ତେବେ ଶୁଣନ୍ତୁ । ଏଣିକି ମନକୁ ମୁକ୍ତ ରଖନ୍ତୁ । ନିଜକୁ ନିଜଠାରୁ ଓ ସବୁ ବାହାରର ସବୁ ଟଣାଓଟରାଠୁଁ ତଫାତ୍‌ ରଖନ୍ତୁ, ଏକବାରେ ଅଲଗା ।’

 

ତା’ପର ?

 

‘ସାଇକେଲ ଚଢ଼ନ୍ତୁ ନାହିଁ, ସିଗ୍ରେଟ୍‌ ଖାଆନ୍ତୁ ନାହିଁ, ସିନେମା ଦେଖନ୍ତୁ ନାହିଁ–ସେକ୍‌ସକୁ ନିର୍ବାସନ କରନ୍ତୁ–ଯୌନ ଲାଳସା ମନକୁ ଆସିଲେ ପକେଟ୍‌ରେ ହାତ ପୂରାଇ ବଜାର ଦରଦାମ ଚିନ୍ତା କରନ୍ତୁ–ଖବରକାଗଜ ପଢ଼ନ୍ତୁ ନାହିଁ–ରେଡ଼ିଓ ଶୁଣନ୍ତୁ ନାହିଁ । ସହରରେ ରହନ୍ତୁ ନାହିଁ–ମନ ଚଞ୍ଚଳ ହେବ । ଫୁଲାଫାଙ୍କିଆ ଲୋକ ଆଉ ଅକାରଣରେ କୁରୁଳି କୁରୁଳି ହସୁଥିବା ଝିଅଙ୍କ ସଙ୍ଗେ ମିଶନ୍ତୁ ନାହିଁ । ଧ୍ୟାନ କରନ୍ତୁ ଶ୍ରୀଗୁରୁ ।’

 

ଏ ତ ଗଲା ‘ନାଇଁ’ର କଥା–ପଜିଟିଭ ‘ହଁ’ ସବୁର କଥା କ’ଣ ?

 

ପ୍ରଥମତଃ ଆପଣ କନଫେସ୍‌ କରି ଯାଆନ୍ତୁ ଏଯାବତ୍‌ ଆପଣ କ’ଣ ଅଙ୍ଗେ ନିଭେଇଛନ୍ତି–କେତେ ଭୁଲ୍‍ଭଟକା ଖିନ୍‌ଖରାପ କରିଛନ୍ତି–ଅର୍ଜିଛନ୍ତି କ’ଣ–କେତେ ପାପ–କେତେ ପୁଣ୍ୟ ?

 

ଦୀକ୍ଷାନେବା ପୂର୍ବରୁ ଏସବୁ ଘାଣ୍ଟିବା ଦରକାର ।

 

‘ଏପରି କଥା–ଓ୍ୱ– ।’ ପ୍ରଶାନ୍ତବାବୁ ସୋରିଷ କିଆରିର ଚାରିପାଖେ ସରୁ ଅଣଓସାର ହିଡ଼ ଉପରେ ଟଳମଟଳ ହେଇ ଦଉଡ଼ିବା ଆରମ୍ଭ କଲେଣି ।

 

‘ଏଯାବତ୍‌ ମୁଁ ଏମିତି ଖାଲି ହିଡ଼ ପରିକ୍ରମା କରୁଛି ଧାଇଁ ଧାଇଁକା । କିଆରି ଭିତରେ ପଶିନି । ଆଉ ଯା’ କରିଛି ତା’ ବିସ୍ମୃତ ଓ ଅପ୍ରାସଙ୍ଗିକ–ମୁଁ ଆଉ ଚାରିଖେପା ଧାଏଁ–’

 

‘ବିଲକୁଲ୍ ।’

 

ଶୈଶବ–

 

ଯେତିକି ତାଙ୍କର ସ୍ମୃତିରେ ଅଛି, ସେ ଠୁକ୍‌ ଠୁକ୍‌ ଚାଲି ଜାଣିବାବେଳଠୁଁ ବଡ଼ ଗମ୍ଭୀର ଥିଲେ । ତାଙ୍କ ଆଗରେ ବହୁତ ମୁହଁହଲାଇ ଗେଲ କଲେ ମଧ୍ୟ କଇଁଫୁଲିଆ ହସ ପାଖୁଡ଼ାଏ ଫୁଟୁନଥିଲା । ଗାଁ–ପୋଖରୀ ତୁଠରେ ଝିଅ–ବୋହୂମାନେ ବିବସ୍ତ୍ରା ହୋଇ ଗାଧେଇଲାବେଳେ, ପାଣି ନେଇ ଗଲାବେଳେ ସେ ଅନ୍ୟ ଛୁଆମାନଙ୍କ ସହିତ ପୋଖରୀ ଦାଢ଼ ତୋଟାରେ ଗଡ଼ିଆ–ତଡ଼ିଆ ଧୂମ୍‌ଧାମ୍‌ ନହେଇ ତୁଠର ଗୁଆ ଖଜୁରି ଗଛ ମୂଳରେ ଠୁଁକହେଇ ବସି ସୂର୍ଯ୍ୟାସ୍ତ ଓ ଜଳବିନ୍ଦୁରେ ଚିକ୍‌ ଚିକ୍‌ ଚିକ୍‌କଣ ପିଠି ଓଟର ସୋସବୁ ନିକୁଟି ଦେଖୁଥିଲେ । ସବୁଦିନେ ମା’କାଖରେ ଘରକୁ ଲେଉଟିଲା ବେଳେ ପଦ୍ମପତର ଦିଇଟା ନିୟମିତ ସଙ୍ଗରେ ଆଣି ଖେଳଣା ପେଡ଼ିରେ ସାଇତୁଥିଲେ । ଆଉସବୁ ଖେଳଣା ବାହାରକୁ ଫୋପାଡ଼ିଦେଇ ଶେଯ ଚାରିପାଖେ ସଞ୍ଚିତ ପଦ୍ମପତର ବିଛାଇ ତା’ରି ମଝିରେ ଶୋଉଥିଲେ । ଅଝଟ କାନ୍ଦ, ରାଗ–ରୁଷା, ହସ କନ୍ଦଳ କ୍ୱଚିତ୍‌ ଥିଲା । ସାନଆଈ କହୁଥିଲେ, ସେ ବିଷ୍ଣୁ ଅଂଶରେ ଜନ୍ମ । ମାଇଚିଆ ଚନ୍ଦରା କହୁଥିଲା, ଏ ଟୋକା ଅସଲ କୃଷ୍ଣ ହେବ–ଯେଣୁ ଏ ନୂଆ ବାହା ହୋଇଥିବା ସରଖୁଡ଼ୀ ଗାଧୁଆ ତୁଠରୁ ଘରକୁ ଫେରିବାବେଳେ ତାଙ୍କର ସଦ୍ୟସ୍ରାତ ଶୀତଳ ସ୍ତନରେ ଜାବୁଡ଼ି ଲାଖି ରହି କାଖରେ ବସୁଥିଲେ, ଛଡ଼େଇନେଲେ ମୁହଁ ଭାରି କରି ହଲାପଟା କାନ୍ଦ । ଖଡ଼ି ଗୋଟାଳି ଓ ସିଲଟରେ ଚକୁଳି ଚକୁଳି ଓ ଅ, ଆ ପରେ ସେ ଆଡ଼କୁ ଆଉ କିଛି ପଇଟିଲାନି । ଖାଲି ଚାହାଳି ପିଲାଙ୍କ ଗୀତ ବୋଲାରୁ ‘ଆକାଛ ଦୁଛେ କି ଛୁନ୍ଦନ, ତାହାକୁ ଲଚିଲେ ଈଚ୍ଛନ’–କଦବା କେମିତି ବୋଲୁଥିଲେ । ତାଙ୍କ ଠାକୁର ବଗିଚାରୁ ଫୁଲ ଚୋରି କଲାବେଳେ ସାଇ ମାହାର ପିଲାଟି ଉପରେ ପନିକି ଫୋପାଡ଼ି ସେ ତା’ର କାନ ଛିଣ୍ତାଇ ଦେଇଥିଲେ । ବାପା କହିଲେ, ଏଟା ଡକାୟତ ହବ । ଟ୍ୟୁସନ୍‌ ମାଷ୍ଟ୍ରେ ସାରଥୀ ସାର୍‌ କହୁଥିଲେ ଯେ ଏ ପିଲା ତପସ୍ୱୀ ହେବ । କାରଣ ଚାହାଳିର ଗୋଟେ କଣରେ ଗୁମମାରି ବସି ଏ ପିଲା କ’ଣ କ’ଣ ଭାବିଛି ଆଉ ଅନ୍ୟମନସ୍କ ଭାବେ ହସୁଛି ଫିକା ଫିକା । ଆଉ ଯେଉଁଦିନ ସର ଖୁଡ଼ୀ ଦୋଅଡ଼ା ଭାତ ବାଢ଼ିଦେଇ ଦାଣ୍ତପିଣ୍ତା ବାରିଗୁହାଳ ଖୋଜି ବୁଲୁଥିଲେ, ଦେଖିଲେ ବାରି କୂଅପାଖ ପାଳଧୂଆଗଛ ବାହୁଙ୍ଗା ଉପରେ ହଳିଆ ସିଡ଼ିକୁ ଡେରି ଯାଇଛନ୍ତି ଆଉ ତା’ ଉପରେ ଚଢ଼ି ପ୍ରଶାନ୍ତବାବୁଙ୍କ ଶୈଶବ ଲହକା ଡାହିକୁ ଦୋହଲାଇ ବଡ଼ ନିବିଷ୍ଟଭାବେ ଗାଉଛି ‘ଆକାଛ ଦୁଛେ କି ଛୁନ୍ଦନ’ ଇତ୍ୟାଦି । ସମସ୍ତେ ରୁଣ୍ତହୋଇ ଦେଖିଲେ । କେତେକେ ଭାବିଲେ ଏ ପିଲା ହବ ଜିନିୟସ୍‌ (ଯେଣୁ ଏହାର ଗତି ଓ ବାଙ୍‌ମୟ ହେବାର ପ୍ରୟାସ କେବଳ ଊର୍ଦ୍ଧ୍ୱରେ । ଆରୋହଣର ସଂବୃତ୍ତ ବେଦନାରେ ୟାର ଟିକି ମନ, ଟିକିଦେହ, ଟିକି ପ୍ରାଣ ଉଦ୍‌ବେଳିତ । ୟେ କ୍ଷୀଣ ଚନ୍ଦ୍ରିକା ଭେଦି ଉଠିବ ଅନ୍ତରୀକ୍ଷକୁ, କୂଳ ଲଙ୍ଘିବ–କ’ଣ ନ ହେଇ ଉତୁରିବ ବଡ଼ ହେଲେ ।)

 

କୈଶୋର–

 

ବହୁ ଉପଦେଶ ଚେତାବନୀ, ବଙ୍କାରୁ ସିଧା ବାଟକୁ ଯିବାର ତାଗିଦ୍‌ ସଭିଙ୍କଠୁଁ–ମାଷ୍ଟ୍ରେ, ବାପା, କକେଇ, ବୋଉ, ଖୁଡ଼ି, ଗାଁ ମହାଜନ ସଭିଙ୍କଠୁଁ । କେତେକ ଅସମାହିତ ପ୍ରଶ୍ନବାଚୀ ଆଉ ବହୁ ଫୁଲଉଡ଼ା ଅସାମଞ୍ଜସ୍ୟ ସିର୍‌ସିରିଆ ଅନୁଭୂତିରେ ଆଚ୍ଛନ୍ନ ଏଇ କେତୋଟି ବର୍ଷ ଯେତିକି ସ୍ମୃତିରେ ମହାର୍ଘ–ଅଗୌଣ ଆଉ ଚାବୁକ ଦାଗଭଳି ଏବେ ବି ସ୍ପଷ୍ଟ ।

 

ଏକ

 

ବାପା, ଜେଜେ, ମା’, ମାଷ୍ଟ୍ରେ ଇନ୍‌ସପେକ୍‌ଟରବାବୁ ଏମାନେ ଗୁରୁଜନ, ଓଜନଦାର ଲୋକ । ଏମାନଙ୍କୁ ମୁଣ୍ତ ନୁଆଁଅ । ବାପା–ସବୁବେଳେ ବିଡ଼ିଖାଇ କାଶି କାଶି ଖଙ୍କାର କାଢ଼ୁଥିବା ଆଉ ଚବିଶ ଘଣ୍ଟା ଗରର୍‌ ଗରର୍‌ ହେଉଥିବା ସତ୍ତ୍ୱେ; ମାଷ୍ଟ୍ରେ–ଦି’ପହର ଚାହାଳିରେ ନିର୍ଧୁମ ଘୁଙ୍ଗୁଡ଼ିମାରି ଶୋଇ ରହି ଚାଟଙ୍କୁ ଗୋଡ଼ ଘଷାଇବା ସତ୍ତ୍ୱେ ଏବଂ ପିଚ୍‌ ପିଚ୍‌ ପାନପିକରେ ଗୋବର ଚାଞ୍ଚଡ଼ା ଡେରା କାନ୍ଥକୁ ଆଉରି ବିବର୍ଣ୍ଣ କରୁଥିଲେ ମଧ୍ୟ; ବୁଢ଼ୀମା–ଅସନା ତେଲ ଚିକିଟା ଲୁଗା ପିନ୍ଧି ମଲା ନଖ ରୋଗୀଣା ହାତରେ ପଖାଳ ଲୁଣ ଆମ୍ୱୁଲ ମନ୍ଥି ପାଗ କରିଥିଲେ ମଧ୍ୟ ବଡ଼ ଲୋକଙ୍କର ଦୋଷ ଗୁଣ ତଉଲ ନାହିଁ–ଡୁ ନଟ୍‌ ଜଜ୍‌–

 

କିନ୍ତୁ ବୋଉ ଭଲଲାଗେ–ବୋଉ ତା’ର ହଳଦୀ ଗୁରୁଗୁରୁ ଥାକୁଲ ଦେହ, ମୁଲାଏମ ଚିକ୍‌କଣ କଳା ବାଳକୁ ଦ୍ୱିଖଣ୍ତିତ କରି ଆଖୁକିଆରି ମଝିରେ ସଳଖ ସମାନ ପ୍ରଲମ୍ୱ ସରୁ ହିଡ଼ପରି ସୁନ୍ଥା; ତା’ ମୂଳରେ ମା’ ମଙ୍ଗଳାଙ୍କ ପରି ଗୋଲ ହୋଇ ଏଡ଼େ ସିନ୍ଦୂର ଟୋପା । ଭଲ ଲାଗୁଥିଲା ବୋଉ, ଆଖୁକ୍ଷେତ, ସୋରିଷ ଫୁଲର ରଙ୍ଗ, ପଦ୍ମପତ୍ରର ଗନ୍ଧ–ସିହରିତ ସଂଶୟ ଆଉ ଫୁଲଉଡ଼ା ଧାନ ଓ ଆମ୍ୱ ବଉଳର ବାସ୍ନା–ଏସବୁ ମୋର ବୋଉ !’

 

ଦୁଇ

 

ଷଷ୍ଠଶ୍ରେଣୀ । ଗାଁକୁ ବାଇସିକୋପ ଆସିଛି । ରୁକ୍ମିଣୀ ଓ ପ୍ରଶାନ୍ତ ଦଶ ପଇସା ଲେଖାଏଁ ଦେଇ ବାଇସକୋପ୍‌ ଦେଖିଲେ । ବମ୍ୱେଇ ସହର–ରାଧା ଆଉ କହ୍ନେଇଙ୍କ ପ୍ୟାର, ତିରୁପତି ମନ୍ଦିର–କଲିକତା ଚିଡ଼ିଆଖାନାର ଜିରାଫ । ସବାଶେଷରେ ଦେଖିଲେ ନାଟ କରୁଥିବା ତିନୋଟି ଅଧନଙ୍ଗୁଳି ଝିଅ । ରୁକ୍ମିଣୀ ବଡ଼ଲୋକ ଘର–ରିଟାୟାର୍ଡ଼ ଇଞ୍ଜିନିୟର ନିଧିବାବୁଙ୍କ ନାତୁଣୀ । ତାପାଇଁ ଚାରିଜଣ ଟିଉସନ ମାଷ୍ଟ୍ର, ଅଠର ଖଣ୍ତ ଫ୍ରକ୍ ଛ’ହଳ ଚପ୍‌ଲ । ପ୍ରଶାନ୍ତର ଦି’ଖଣ୍ତ କମିଜ–ତିନିଖଣ୍ତ ପେଣ୍ଟ । ବାପା କହିଛିନ୍ତି, ଜୋତା କଥା ଆରବର୍ଷକୁ । ତା’ର କନାମୁଣି ବସ୍ତାନି–ରୁକର ସିଲିଭର୍‌ ସୁଟକେଶ । ରୁକୁଣୀର ରଙ୍ଗ ଗୋରା–ଦୁଧ–ମହୁ । ତାକୁ ଆଉଁସିବାକୁ ଇଚ୍ଛାହୁଏ । ଏଡ଼େ ଗୋରା ଦେହ ପୁଣି କେତେ ପାଲିସ୍‌ ହେଇଥିବ । ସେ ଅନ୍ୟମାନଙ୍କୁ ଖତେଇ ହୁଏ । ଅନ୍ୟମାନେ ସାନ ଘରର ପିଲା ।

 

ରମେଶ ମହାନ୍ତିଙ୍କ ଖଳାରେ ଆଠଟା ଧାନଗଦା । ଅସୁମାରୀ ଜମି । ତିନିଟା ପକ୍‌କାଘର, ପୁଣି ଗୋଟେ ଗୋଦାମ, ପୁଣି ଗୋଟେ ତେଜରାତି ଦୋକାନ, ସେ କାନ୍ତରାଟି କାମ ବି କରନ୍ତି । ବାପା ତାଙ୍କୁ ମୁଣ୍ତ ନୁଆଁଇ ନମସ୍କାର କରନ୍ତି । କାଠ କବାଟଦିଆ ଦି’ଚାରି ଘର ପ୍ରଶାନ୍ତ ଘରକୁ ମିଶାଇ ବାକି ସବୁ ନୀକା ଚାଳଛଣଦିଆ ତାଟି କବାଟ ଘର । ଆବୁରୁଜାବୁରୁ ଅସନା ମଣିଷ, ଅପରଛନିଆଁ ଭୂତରାମୁଣ୍ଡା କଳାକଳା ପିଲା । ଜେଜେ କହୁଥିଲେ ଯେ, ରମେଶ ମହାନ୍ତି ଆଉ ନିଧିବାବୁ ଇଞ୍ଜିନିୟରଙ୍କର ଯଦି ସବୁ ସମ୍ପତ୍ତି ଗାଁଯାକ ସବୁ ଘର ଭିତରେ ବାଣ୍ଟି ହୋଇଯିବ, ତେବେ ସଭିଏଁ ଚଳିବେ ଖାଇପିଇ ରଜାଭଳି । ସେମିତି ନ ହୋଉଛି କାହିଁକି ବୋଲି ପ୍ରଶାନ୍ତ ଭାବେ । ପ୍ରଶାନ୍ତ ନ ହେଲେ ଯଦି ରୁକୁଣୀକୁ କନିଆଁ କରି ବାହା ହ’ନ୍ତା ଆଉ ରହନ୍ତା ତାଙ୍କର ନଅଙ୍କ ଡିହ ବଡ଼କୋଠାଘରେ ! ରୁକ ପୁଣି କେଡ଼େ ଗୋରା ଝିଅ । ତାଙ୍କ ଅଗଣାରେ ପୁଣି ତିନି ତିନିଟା ବରକୋଳି ଗଛ । ଝିଅ ପିଲାମାନେ ତ ଖାଲି ପୁଅପିଲାଙ୍କୁ ବାହାହନ୍ତି । ଜେଜେମା’ ତ ପୁଣି ପାଟି ନ ଫିଟୁଣୁ ଆଉ ଗୋଟେ ପିଲାକୁ ବାହା ହୋଇଥିଲା ଯେ, ଏବେ ସେ ବୁଢ଼ା ହେଇ ଜେଜେ ବାପା ହେଇଚି–ହୁକ୍‌କା ଟାଣି ଖୁଁ ଖୁଁ କାଶୁଛି ।

 

ବାଇସକୋପରେ ସେ ତିନିଟା ଝିଅ, ଯେ ଅଳ୍ପ ଅଳ୍ପ ଲୁଗା ପିନ୍ଧି ନାଚୁଥିଲେ । ତାଙ୍କ ଦିହ ମୁହଁ କେଡ଼େ ଗୋରା । ‘ହୁଁ–ପୁଣି ମୋଠୁ ଗୋରା !’ କହିଦେଇ ରୁକୁଣୀ ମୁହଁ ନେଫେଡ଼େଇ ପଳେଇଲାଣି ।

 

ତିନି

 

ଦଶମ ଶ୍ରେଣୀ–ଜ୍ୟାମିତିଟା ଭଲ ପାଠ । ରେଖାଚିତ୍ର–ତ୍ରିଭୁଜ, ସମବାହୁ, ବିଷମବାହୁ–ବହୁଭୁଜ କ୍ଷେତ୍ର–ବୃତ୍ତ–ଅଦ୍ଧବୃତ୍ତ । ବହୁ ରେଖାଙ୍କିତ ସଂଶୟର ଉପପାଦ୍ୟ–ଅସମାହିତ ବିକଳ୍ପ ଆକୃତି ଆଉ ତା’ର ସମାଧାନ ସୂତ୍ର । ଆଉ ସବୁ ବାଜେ । ସବୁଠୁ ବାଜେ ସଂସ୍କୃତ । ଏତେ ରଟିବ ଘୋଷିବ କିଏ–ଗୋଟାଏ ଶବ୍ଦ, ତା’ର ପୁଣି କାଇଁ କେତେ ରୂପ ! ଭାବି କରି ନୂଆ କିଛି ଗୋଟେ ରଚିପାରିବନି.....ଖଞ୍ଜି ପାରିବନି । ଫୁଟ୍‌ବଲ୍‌ ଖେଳ ଭଲ । ଝିଅମାନେ ଏବେ ପୁଅଙ୍କ ସାମନାରେ ପୁଚି ଖେଳିବାକୁ ଲାଜ କଲେଣି । ଉଙ୍କି ମାରୁଥିବା ଛାତିଉପରେ ଜାଲି ଓଢ଼ଣୀ ଦେଲେଣି । ପ୍ରଶାନ୍ତ ଫୁଟ୍‌ବଲ୍‌ ଭଲ ଖେଳେ । ସବୁ ଝିଅପୁଅ ଇଣ୍ଟର କ୍ଲାସ୍‌ ମ୍ୟାଚ୍‌ରେ ତାକୁ କରତାଳି ଦେଇ ସାବାସ୍‌ କରନ୍ତି । ରୁକ ମଧ୍ୟ ।

 

ରୁକ ବଡ଼ ହୋଇଯାଉଛି । ଆଉରି ଦିଶୁଛି ଗୋରା । କେତେ ଗିଳୁଛି ଅସୁରୁଣୀ ! ଘରୁ ସବୁଦିନ ସେ ଆଠଣା ପଇସା ଆଣେ ଆଉ ଅଣ୍ଟିଏ ଚଣାଚୂର୍‌ ଚୋବାଏ ! ପାଟିରେ ଚଣାଚୂର ଟକମକ୍‌ ଚାଲିଥିବ ଆଉ ଝିଅଙ୍କ କମନ୍‌ ରୁମ୍‌ରେ ଅନବରତ୍ ବକ୍‌ବକ୍‌ କରୁଥିବ । ଗଛ ଫେରନ୍ତା ଚଢ଼େଇଙ୍କ ପରି କେଚେର୍‌ ମେଚେର୍‌ ହେଇ କଥା ହେଲାବେଳେ ପୁଅପିଲା ହଠାତ୍‌ ପାଖଦେଇ ଚାଲିଗଲେ ଝିଅମାନେ ଏମିତି ଫିସ୍‌ ଫିସ୍‌ ହେଇ କଥା ହୁଅନ୍ତି କାହିଁକି ? ଏତେ ଫୁଲେଇ ! ଭଲଲାଗେ ଶୁଣିବାକୁ ଏମାନଙ୍କ ଫିସ୍‌ ଫିସ୍‌ କଅଁଳ ସ୍ୱର । ଏକାଟିଆବେଳେ ଆମ୍ୱତୋଟା ଭିତରେ କୋଇଲି, ହଳଦୀବସନ୍ତ, ଭଦଭଦଳିଆ କାଠଖୁମ୍ପା, ଚଢ଼େଇଙ୍କ ଏ ଡାଳରୁ ସେ ଡାଳ ଡେଇଁ ଡେଇଁକା ଟୁପ୍‌ଟାପ୍‌ ଫିସ୍‌ଫାସ୍‌ ଗପ ଶୁଣିଚି ସେ ଲୁଚି ଲୁଚି ।

 

କ୍ଲାସ୍‌ଉଠା ପରୀକ୍ଷା ପରେ ଜଣେ କିଏ ବକ୍ତୃତା ଦେବାକୁ ଆସିଲେ–ଫୁଲମାଳ ଦିଆହେଲା । ଗୀତ ବୋଲା ହେଲା । ସେ ଭଲ ଚରିତ୍ର ତିଆରି କରିବାକୁ ପିଲାଙ୍କୁ କହିଲେ । ତାଙ୍କ ନାଁ ଆଚାର୍ଯ୍ୟ ଶ୍ରୀ ମୁରାରୀ କି କ’ଣ । ବହୁ ବର୍ଷ କଏଦି ଥିଲେ, ସ୍ୱରାଜ୍ୟାଶ୍ରମରେ ପୂଜାରୀ ଥିଲେ । ଏବେ ମନ୍ତ୍ରୀ ହେବାର ଅଛି । ତାଙ୍କର ତିନିଟା ମଟରଗାଡ଼ି, ଦୁଇଖଣ୍ତ ଟ୍ରକ୍ । ଚା’ କଫି ଖାଆନ୍ତିନି–ଖାଲି ଫଳରସ ।

 

ବହି ଜାକି ଧରି ଆଗେ ରୁକ ଓ ପଛେ ପଛେ ପ୍ରଶାନ୍ତ । ବେଳ ରତରତ ଛାଇଛାଇଆ ଆଲୁଅ । ଆମ୍ୱ ବଗିଚା ଆଉ ଆଖୁ କିଆରି ଲଗାଲଗି ।

 

‘ରୁକ, ଆଖୁ ଖାଇବୁ ତ ମୋ ସାଙ୍ଗରେ ଆସ୍‌’ ।

 

ରୁକ ଚାଲିଲା ପଛେ ପଛେ । ଛୋଟିଆ ଆମ୍ୱ ଗଛ ତଳ ଭଇଞ୍ଚ କୋଳି ବୁଦାମୂଳେ ଦିହେଁ ବସି ଆଖୁ ଖାଇଲେ ।

 

‘ରୁକ–ତୁ କ’ଣ ବାଇସ୍କୋପ ଝିଅଙ୍କଠୁଁ ଆଉରି ଗୋରା ।

 

‘ନିଶ୍ଚେ’ ।

 

‘କାଇଁ ତୋ ହାତଗୋଡ଼ ତ ଛାଇଛାଇଆ ଲାଗୁଚି ।’

 

‘ଭିତରେ ବହୁତ ଗୋରା–ବାହାରେ ସିନା ଖରା ପଡ଼ି ଦିହ କଳା ପଡ଼ୁଚି ।’

 

ରୁକ ଆଖୁ ଚୋବାଉଚି । ପ୍ରଶାନ୍ତ ଉଦ୍ୟତ–ଆଖିରେ ପରଖିବ ରୁକର ମୁକ୍ତ ଅବୟବ । ରୁକ ଟିକିଏ ଚମକିଉଠିଲା, ତା’ପରେ ସ୍ଥିର ନିସ୍ତରଙ୍ଗ । ପ୍ରଶାନ୍ତ ଆଖିରେ ଭରପୁର ଆଶ୍ଚର୍ଯ୍ୟ ଆଉ ସଂଶୟ ନେଇ ଚାହୁଁଛି ତା’ର ଛାତି, ଅଣ୍ଟା, ପିଠି । ସତରେ କେଡ଼େ ଚିକ୍‌କଣ ରୁକର ଦେହ । ତଣ୍ଟି ମୂଳରେ ହତବାକ୍‌ ଉଦ୍‌ବେଗ ।

 

ଦେଖ୍‍–ମତେ ଏମିତି ଦେଖିଲୁ ବୋଲି କା’କୁ କହିବୁ ନାଇଁ, ଖାଲି ଆମ ସାଇର ବୋଲି ମୁଁ ତତେ– ।

 

ଉଃ...ଅସମ୍ଭାଳ ଲାଗୁଚି ପ୍ରଶାନ୍ତକୁ । ନାଭିକମଳ ଓ କଟିର ଚତ୍ଵରରେ ତା’ର ନୂଆ ପୁଲକ–ନୂଆ ରୋମାଞ୍ଚର ଢେଉ ।

 

‘ଏଥର ମୁଁ ତତେ ଦେଖେ...’ ରୁକର ହାତ ତା’ର କଟି ସାଉଁଳଉଚି । ପ୍ରଶାନ୍ତ ହତଭମ୍ୱ, ଚଳତ୍‌ ଶକ୍ତି ତା’ର ଆଉ ନାହିଁ । ଚାହିଁପାରୁନି ରୁକକୁ ସିଧାସଳଖ । ସିଜୁବୁଦା ଉପରୁ ନାନା ଦିଗ୍‌ଦେଶାତ୍‌ ଆଗତ ଟିଟ୍‌ଟିଭ କେତୋଟି କାନ ପାଖରେ ଟାଇଁଟାଇଁ ରାବ ଦେଇ ଉଡ଼ିଗଲେ । ବିହ୍ୱଳ ପ୍ରମତ୍ତ ଅବସ୍ଥାରେ ଜାମାପଟା ସମ୍ଭାଳି ବହି ଜାକି କାଖରେ ଦୌଡ଼ି ଚାଲିଲା ପ୍ରଶାନ୍ତ ତା’ ପଛେ ପଛେ । ରୁକ ସେମିତି ବସି ଆଖୁ ଚୋବାଉଛି–ସ୍ୱରରେ ଅବଜ୍ଞା–ଧେତ୍ତେରି–ମାଇଚିଆ ।’

 

ତା’ ଆରଦିନ କ୍ଲାସ୍‌ରେ ରହମାନ୍‌ ଓ ରୁକ ମୁହଁ ଚୁହାଁ–ଚୁହିଁ ମୁରୁକି ମୁରୁକି ହସୁଥିଲେ । ରହମାନ୍‌ କହେ ଯେ ରୁକକୁ ବହୁତ ଉପନ୍ୟାସ ବହି ଓ ସିନେମାବହି ଦେଇଛି, ଆଉ ପ୍ରଶାନ୍ତର ସେଦିନ ହାଲ୍‌ କଥା ମଧ୍ୟ ରୁକ ରହମାନକୁ କହିଛି । ଠିକ୍ ତା’ପରେ ପ୍ରଶାନ୍ତ ଏକ ପ୍ରବଳ ମୁଥ ମାରି ରହମାନର ନାକକୁ ରକ୍ତାକ୍ତ କରିଦେଇଥିଲା । ହେଡ଼୍‌ମାଷ୍ଟ୍ରେ ପାଞ୍ଚବେତ ପ୍ରହାର କରି ତା’ ବାପାକୁ କହିଲେ ଯେ, ସେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର ସାର୍ଟିଫିକେଟ ନେଇଯାଉ ।

 

ହଳଦୀବସନ୍ତ ଆଖୁ କିଆରି ଆଉ ରୁକ–ତା’ର କୌଶୋରର ଗୌଣ ପାପଛୁଆଁ ସ୍ମୃତିର ସୀତ୍କାର । ସେମାନଙ୍କୁ କ୍ରମେ ଅତିକ୍ରମ କରିଛି ପ୍ରଶାନ୍ତ ।

 

ଯୌବନ

 

‘ମୋର ବିଶ୍ୱାସ, ଗୁରୁଦେବ, ଯୌବନ ଏକ ପୃଥକ ସମୟ ବା ବୟସ ବା ରକ୍ତସ୍ନାୟୁ ଚେତନାର ନାମ ନୁହେଁ; କେତେବେଳେ ଆସିଲା, କେତେବେଳେ ଚାଲିଗଲା ମୁଁ ଜାଣିପାରିଲିନି । ଚରମ ନିଃସଙ୍ଗତା ଆଉ କୁନି ପୁଅ ଆଖିର ଅବାକ ଆଶ୍ଚର୍ଯ୍ୟ, କୌଶୋରର ଚିରନ୍ତନୀ ପ୍ରଶ୍ନବାଚୀ, ଛାଇ ଆଲୁଅର ଲୁଚକାଳି ଖେଳ, କାର୍ଯ୍ୟକାରଣର ସମ୍ପର୍କ ଅନ୍ୱେଷଣ, ବାର୍ଦ୍ଧକ୍ୟର ସ୍ଥୂଳ ସମୟ ଚେତନା, ନିଶ୍ଚେଷ୍ଟ ବୌଦ୍ଧିକ ନିର୍ବାସନ–ଏ ସବୁର ସୁଅ ବହଳ ଉଚ୍ଚକିତଭାବେ ସମନ୍ୱିତ ଏଇ ତଥାକଥିତ ଯୌବନର ବାଷ୍ପରୁଦ୍ଧ ନିଛାଟିଆ ଅରଣ୍ୟ ଭିତରେ ! ଏଇ ହୁତାଶନରେ ଯେଉଁ ଜଉଘର ଜଳି ଜଳି ଅଙ୍ଗାର ଓ ପାଉଁଶରେ ‘ସଂବିତ୍‌’ର ପରିଚୟ ଖୋଜେ–ସେ ହେଉଛି ମୁଁ ପ୍ରଶାନ୍ତ ପଟ୍ଟନାଏକ । ଅନ୍ଧାର ଆଉ ପ୍ରଜ୍ଵଳନର ମିଳନ ପୀଠ ସେଇ ଛାୟା ନ ଯଯୌ ନ ତସ୍ଥୌଭାବର ନିଶାଖୋର ଗୁଡ଼ିକଙ୍କ ।

 

–‘ଆପଣ ମତେ ଦୀକ୍ଷା ଦିଅନ୍ତୁ ?’

 

‘କହିଚି, ଆପଣଙ୍କ କାହାଣୀ ପୂରା କରିବାକୁ ହେବ–ଆଗେ ବଢ଼ନ୍ତୁ ।’

 

ମୋର ପରିଚୟ–ଯୌବନର ଉଷାକାଳରେ ମୁଁ ଭୀଷ୍ମ–କଲେଜରେ ପଢ଼ିଲାବେଳେ ନେତା ହେବି ବୋଲି ଭାବି ମାଇକ୍ରୋଫୋନ୍‌ରେ ବହୁ ଚିତ୍କାର କରି ବହୁ ସଭାସମିତିରେ ଉତ୍ତାପ ସଞ୍ଚାର କରିଛି । ବହୁ ଧର୍ମଘଟ–ବିକ୍ଷୋଭର ଅଗ୍ରଣୀ ପ୍ରଶାନ୍ତ ପଟ୍ଟନାଏକ ପତାକା ଧରି ସବୁବେଳେ ଆଗେ ଆଗେ ଚାଲିଚି । (ଅବଶ୍ୟ ହୃଦ୍‌ବୋଧ ହେଲାଣି ଏଗୁଡ଼ା ବେହିୟାମାନେ କରନ୍ତି, ଯେଉଁମାନେ ପରେ ମନ୍ତ୍ରୀ ହୁଅନ୍ତି ବା ଚାଉଳ କଳ, କେନ୍ଦୁପତ୍ର ଠିକା ବ୍ୟବସାୟ କରନ୍ତି ।)

 

ମୁଁ ଏକ ନିଷ୍ଠାପର ଯୁଗପୁରୁଷକୁ ମୋରି ରୁଚିରେ ମୋରି ଦେହରେ ପ୍ରାଣବନ୍ତ କରିଛି–ଧ୍ୱଜା ବାନ୍ଧିଚି ସବୁ ମଳି ଧୂଳି ଧୋଇଦେଇ ସବୁ କୁସଂସ୍କାର ଦୁର୍ନୀତିକୁ ମୂଳପୋଛ କରି, ସବୁ ଜଙ୍କ ଲଗା ଶୃଙ୍ଖଳକୁ ବିଚ୍ଛିନ୍ନ କରି–ଏକ ନୂଆ ସମୟର ସ୍ୱର ଶୁଣାଇବାକୁ । ମୋରି ପଛରେ ରେବା, ସଞ୍ଜୀବନୀ ସୁଧା, ଅନୁରାଧା, ବିଶାଖା ବିପାସା–ମୋ ହାତରେ ହାତ ମିଳାଇଛନ୍ତି ରଘୁ, ସତ୍ୟ, ସବ୍ୟସାଚୀ, ରଫିକ୍‌, ହମିଦୁଲ୍ଲା ଓ ଅଷ୍ଟିନ୍‌ । ସେମାନେ ଥିଲେ ମୋର ଏକାନ୍ତ ଅନୁଗତ ବଶମ୍ବଦ । କାଇଁ ସମୟ ଲେଉଟିଲାନି, ତରଳି କ୍ଷରି ଅଜାଡ଼ି ଉଜୁଡ଼ି ଗଲାନି । ଯା’ର ଯେମିତି ଚାଲିବା କଥା ସେମିତି ଚାଲୁଛନ୍ତି । ଆଉ ରିକ୍‌ସା ସ୍କୁଟର ଚଢ଼ି ସମୟ ଏବେ ଖାକି ପୋଷାକ ବଦଳାଇ ‘ଗୁରୁ’ ସାର୍ଟ୍‌ ବେଲ୍‌ବଟମ ପିନ୍ଧି ତୁଣ୍ଡରେ ପିଚ୍‌ ପିଚ୍‌ ପାନ ପାକୁଳି କରି ଚୌଧୁରି ବଜାରଠୁଁ ଜୋବ୍ରା ଯାଏ ବୁଲି ଚରିଯାଉଛି । ମୋର ସବୁ ସଙ୍ଗିନୀ ରାଧା, ବିଶାଖା, ପ୍ରିୟମ୍ବଦା ଆଜି କଲେଜ ଶିକ୍ଷୟିତ୍ରୀ, ମାଷ୍ଟ୍ରାଣୀ, ଗବେଷିକା, ଗୃହିଣୀ, ଜନନୀ–ହୁଗୁଳା ଖୋସାରେ ନକଲି ଜୁଡ଼ା ନାଇ ସନ୍ଧ୍ୟାରେ ସିନେମା ଦେଖିଯାଉଛନ୍ତି । ଆଖିତଳେ ସେଇମିତି ଆଦିମ ହା–ହୁତାଶ !–ସମୟକୁ ଦେଖି ନ ଦେଖିବାର ପହିଜ କରି ହାତବୋମା, ଅନୃତ, ଉପେକ୍ଷା, ଧର୍ଷଣ ସବୁଦିନିଆ ଚଳଣିର ଅବଶ୍ୟମ୍ଭାବୀ ଆକସ୍ମିକତା ବୋଲି ଆଖି ଠରାଠରି ହେଉଛନ୍ତି–ମନ ପଛେ ବାହୁନୁଥାଉ !

 

ଏକଦା ମୋର ଆଦର୍ଶର ଅନୁଗାମୀ ରଘୁ, ସତ୍ୟ, ସବ୍ୟସାଚୀ; ଏବେ ଷ୍ଟକ୍‌ ମାର୍କେଟ୍‌ରେ ଖରିଦ୍‌ ବିକ୍ରିର ଜୁଆଡ଼ି । ଚାରିଥରରେ ବି.ଏ. ପାଶ୍‌ ଲକ୍ଷ୍ମଣ ଏବେ ଦିନରେ ଚାରିଟା ମଟର ବଦଳାଇ ବୁଲୁଛି, ଅଧୁନା ଏକ ବଳିଷ୍ଠ ରାଜନୈତିକ ଦଳର ଆଶା ଆଉ ବିଶ୍ୱାସର ମଶାଲ୍‌ । କାପୁରୁଷ ରତିକାନ୍ତ ଯିଏ ମେସ୍‌ ପଇସାରେ ଟେରିଲିନ୍‌ ସାର୍ଟ ପିନ୍ଧୁଥିଲା ଓ ଧରାପଡ଼ିଲେ ଲମ୍ବ ଲମ୍ବ ଗୋଡ଼ତଳେ ପଡ଼ିଯାଉଥିଲା, ସେ ଆମ ସହରର ନଗରପାଳ ! ଗୋଲ୍ଡ଼ ମେଡ଼ାଲିଷ୍ଟ୍‌ ସରସ୍ୱତୀଙ୍କ ବରପୁତ୍ର ଇଞ୍ଜିନିୟର୍‌ ହିମାଂଶୁ ମାଲଗୋଦାମ ନୀର ଖୁଣ୍ଟିଆଙ୍କ ଷ୍ଟୋର୍‌ରେ ଖୋଲା ଢାବଲର ହିସାବ ରଖିବା ଲୋକ । ହଠାତ୍‌ ଏବେ ଦେଖାହେବାରେ କହିଲା ଯେ, ଶଙ୍କରଙ୍କର ନିର୍ଗୁଣ ବ୍ରହ୍ମତ୍ୱ ଓ କଠୋପନିଷଦ୍‌ ଉପରେ ସେ ଗୋଟାଏ ତୁଳନାତ୍ମକ ଥେସିସ୍‌ ଲେଖୁଚି । କେତୋଟି ପରିତ୍ୟକ୍ତ ଢାବଲ ଏ ପ୍ରକାର ଉଚ୍ଚ ମିଞ୍ଜାସ୍‌ର ଶତ୍ରୁତା ନ କରିପାରେ । ପ୍ରଶାନ୍ତ ବାବୁ କହୁଛନ୍ତି ବଡ଼ ସହଜ ସାଦା ଭାବରେ–ମୁହଁ ଉକୁଟା ଭାବୋଚ୍ଛ୍ୱାସ ଏତେ ଟିକିଏ ନାହିଁ, ଯାହାକି ଉଚ୍ଚାରିତ ଶବ୍ଦ ଯୋଜନାରେ ବେଶ୍‌ ଉଲଗ୍ନ ।

 

ଯେଣୁ ସେ ସବୁ ସଂସ୍କାରକାମୀ ଯୁବମନର ନେତୃତ୍ୱ ନେଇଥିଲେ, କଳାବଜାରି ତେଲ ଚାଉଳ ବେବିଫୁଡ଼୍‌ ବ୍ୟବସାୟୀ ରତନ୍‌ଲାଲ୍‌ ଗୋଦାମରେ ନିଆଁ ଲଗାଇ ତା’ ବେକରେ ଗାମୁଛା ପକାଇ କଲେଜ କଳା ସଂସଦ ପାଇଁ ଦି’ ହଜାର ଟଙ୍କା ପାଉଣା ଆଦାୟ କରିବା କର୍ତ୍ତବ୍ୟ ବୋଲି ମନେକଲେ, କଲେଜ କ୍ୟାମ୍ପସ୍‌ରେ ଗୁଳି ଚଳାଇ ଦି’ଜଣ ଛାତ୍ରଙ୍କୁ ଘାୟଲ୍‌ କରିଥିବା ପୁଲିସ କମିଶନର୍‌ଙ୍କ ଗାଡ଼ି ବିରୂପା ଭିତରକୁ ଓଲଟାଇ ଫୁଲ ପିନ୍ଧି ଫଟ ଉଠାଇଥିଲେ । ଶିଳ୍ପପତି ବଳୀରାମ୍‌ର ଝିଅ ଦୁଲାରୀକୁ ଅନ୍ୟ ଚାରିଜଣଙ୍କ ସାଙ୍ଗେ ମିଶି ଫୁଟ୍‌ବଲ୍‌ ପଡ଼ିଆରେ ରେପ୍‌ କରିଥିଲେ–କାରଣ ସେ କ୍ଲାସ୍‌ର ଅନ୍ୟ ପୁଅଝିଅଙ୍କୁ ନାକ ଟେକି ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସାନ୍ନିଧ୍ୟରେ ସବୁବେଳେ ବିଚରଣ କରୁଥିଲା । ଦୁଲାରୀର ଅନୁନୟ, କାକୁ କହିବ ନାଇଁ–ଯାହେଲା ହେଲା’କୁ ଉପେକ୍ଷା କରି ସେ ତା’ର ରକ୍ତାକ୍ତ ପାଇଜାମାକୁ କଲେଜ ଗେଟ୍‌ରେ ଝୁଲାଇଥିଲେ । ସବୁ ବିପ୍ଳବର ଆରମ୍ଭରେ ଅସୀ ଉତ୍ତୋଳନ ଏମିତି ହୁଏ ।

 

ପ୍ରଶାନ୍ତବାବୁ ଏନ.ସି.ସି. କ୍ୟାମ୍ପରେ ଟ୍ରେନିଂ ନେଲାବେଳେ ଦିନେ ସତ୍ୟାଗ୍ରହ କଲେ–କିଛି ଖାଇବେ ନାଇଁ ଓ ପ୍ୟାରେଡ଼୍‌ କରିବେ ନାଇଁ ଯେପର୍ଯ୍ୟନ୍ତ ମିଲିଟାରୀ ସମ୍ବୋଧନରେ ‘ବ୍ଳଡ଼ି ବାଷ୍ଟାର୍ଡ଼ର ପ୍ରୟୋଗ କମାଣ୍ଡାଣ୍ଟମାନଙ୍କ ଭାଷାକୋଷରୁ ମୂଳୋତ୍ପାଟିତ ନ ହୋଇଛି । (ପ୍ରଶାନ୍ତବାବୁ ସମସ୍ତ ଅଶ୍ଳୀଳତା ଆଉ ମଣିଷର ସୂକ୍ଷ୍ମ ଚେତନା, କୋମଳତା, କବିତ୍ୱ ବିରୋଧୀ ଏଇ ଗୂଳିଗୂଳା, ରଣସଜ୍ଜା ଫୌଜି ମନୋବୃତ୍ତିକୁ ସମର୍ଥନ ନ କରିପାରନ୍ତି ।)

 

ଅଞ୍ଜନା ଦାସ ସଙ୍ଗୀତ ଶିକ୍ଷୟୟିତ୍ରୀଙ୍କୁ ସେ ଭଲପାଇଲେ ଓ ବହୁ ସନ୍ଧ୍ୟା, ରାତି ତ୍ରିଜାମା ଏକା ଏକା ତାଙ୍କରି ତଲାସରେ ଏପଟ ସେପଟ ହେଲେ । ଅଞ୍ଜନା ତାଙ୍କୁ ନିମନ୍ତ୍ରଣ କଲେ ନିଜ ଘରକୁ ଓ ଦେଖାଇଦେଲେ ତାଙ୍କର ଛୋଟପୁଅ ଝିଅ ଦିଓଟିଙ୍କୁ । କହିଲେ, ଏମାନଙ୍କ ବାପା ମରିଯାଇଛନ୍ତି ଓ ସେ ନିଜେ ପ୍ରଶାନ୍ତବାବୁଙ୍କଠୁଁ ବୟସରେ ବଡ଼ । ପ୍ରେମ ନହେଲା ନାଇଁ–ସ୍ନେହ ରହୁ-। ପ୍ରଶାନ୍ତବାବୁ କହିଲେ ସେ ପ୍ରେମକଲା ପରି ପ୍ରେମ କରିଛନ୍ତି । ଏଣୁ ଏଇ ମୁହୂର୍ତ୍ତଠାରୁ ଅଞ୍ଜନା ତାଙ୍କର ପତ୍ନୀ ଓ ପିଲା ଦିଓଟିଙ୍କର ସେ ବାପା । ସମସ୍ତେ କହିଲେ ଯେ, ତା’ହେଲେ ବାହାଘର ହେଉ । ପ୍ରଶାନ୍ତବାବୁଙ୍କର ଏକା ଜିଦି ଯେ ଗୋଟାଏ ବେଦୀ ବନ୍ଧାହୋଇ, ବାହାଘର ନହେଲେ ମଧ୍ୟ ସେମାନେ ସ୍ୱାମୀ ଓ ସ୍ତ୍ରୀ । ନହବତ୍‌ ବାଜି ସମସ୍ତଙ୍କୁ ବିଜ୍ଞାପନ ଦେବା ଗୋଟାଏ ନେଫେଡ଼ିଆ କଥା, ପୂରାପୂରି ଆଣ୍ଟି ଇଣ୍ଟେଲେ୍କ୍‌ଚ୍ୟୁଆଲ । ଅଞ୍ଜନା ଦାସ ବହୁତ କାନ୍ଦିଥିଲେ, କାରଣ ପତ୍ନୀ ରୂପରେ ପ୍ରତିଷ୍ଠା ପାଇଁ ବାହାହେଲା ଭଳି ବାହାହେବା ହିଁ ନିମ୍ନତମ ଆବଶ୍ୟକତା । ଏମିତି ବେଖାପ ମଣିଷ ସହିତ ଦାମ୍ପତ୍ୟ ଗୋଟାଏ ପ୍ରହସନ । ୟା ଛଡ଼ା ପ୍ରଶାନ୍ତବାବୁ ଯେ କାଁ ଭାଁ ଦି’ଚାରି ଝିଅଙ୍କ ସଙ୍ଗେ ଜରୁରତ୍‌ରୁ ଅଧିକ ଘଞ୍ଚ ସମ୍ପର୍କ ନ ରଖିଛନ୍ତି, ଏମିତି ନୁହେଁ । କିନ୍ତୁ ତାଙ୍କ ଭାଷାରେ ଏଥିରୁ କେଉଁଟି ବିହ୍ୱଳ ଆତ୍ମ ବିସ୍ମୃତ ପ୍ରେମର ନମୁନା ନୁହେଁ ।

 

ପ୍ରଶାନ୍ତବାବୁ ଦିଗୋଟି ହାକିମ ପରୀକ୍ଷାରେ ପ୍ରଥମହୋଇ ଉତୁରିଲେ ଓ ବହୁ ଜାଗାରେ ଧାର ଉଧାର କରି ଉପର ହାକିମମାନଙ୍କ ନିର୍ଦ୍ଦେଶ ସବୁର ମୁକ୍ତ ସମାଲୋଚନା କରି ବରାବର ଧରାବନ୍ଧା ଆଚରଣ ବିଧି ଲଙ୍ଘନ କରିଚାଲିଲେ । ଭଲ କବିତା, ଗପ ଓ ନାଟକ ଲେଖୁଥିଲେ, ବକ୍ତୃତା ଦେଉଥିଲେ, ମଦ ପିଉଥିଲେ ଓ କେତେକ ନାରୀ ସହକର୍ମୀ, ନର୍ସ ଓ ମାଷ୍ଟ୍ରାଣୀଙ୍କ ସହ ମାତ୍ରାଧିକ ଲନ୍ଦଫନ୍ଦ ଇତ୍ୟାଦିର ଅଭିଯୋଗ ବଢ଼ିଲା । ସେ ଚାକିରିରୁ ବହିଷ୍କୃତ ହେଲାପରେ ଯେମିତି ଚରମ ମୁକ୍ତିର ଆନନ୍ଦରେ ବିହ୍ୱଳ ହୋଇ ସାରା ଭାରତ ବିନା ଟିକଟରେ ଭ୍ରମଣ କଲେ । ହଠାତ୍‌ ତାଙ୍କର ମନେହେଲା ଯୌବନ କେତେବେଳେ ଆସି ତାଙ୍କୁ ବିନା ନୋଟିସ୍‌ରେ ଛଟେଇ କରିଦେଇଛି, ଜତୁଗୃହରେ ଅଗ୍ନି ସଂଯୋଗ କଲେ, ଆଉ ନିଆଁ ଧରୁନି । ଏକଦା ଗଙ୍ଗାକୂଳରେ ଭ୍ରମଣ କରୁ କରୁ ପ୍ରୟାଗର ଜଣେ ପଣ୍ଡାଙ୍କ ସହିତ ବନ୍ଧୁତା ହେଲା । ଢେର୍‌ ରାତିଯାଏଁ ତାଙ୍କ ସଙ୍ଗେ ତୁଳସୀ ରାମାୟଣ ଅଧ୍ୟୟନ କଲେ ଓ ଭାଙ୍ଗ ଖାଇ ଶୋଇଲେ । ସକାଳୁ ଆବିଷ୍କାର କଲେ ଯେ, ତାଙ୍କର ଶେଷ ପୁଞ୍ଜିଟି ପାଞ୍ଚୋଟି ମୁଦ୍ରା ଓ ମନିବ୍ୟାଗ ସହିତ ପଣ୍ଡା ମହାଶୟ ନିଖୋଜ ହୋଇଛନ୍ତି । ତ୍ରିବେଣୀ ଘାଟର ଏକ ନାଉରୀ ଦୟାପରବଶ ହୋଇ ତାଙ୍କୁ ଡଙ୍ଗା ଜଗୁଆଳି କାମରେ ରଖି ଦି’ଓଳା ଖାଇବାକୁ ଦେବାର ବ୍ୟବସ୍ଥା କଲେ । ଦିନେ ଏକ ଚନ୍ଦ୍ରଚକିତ ରାତିରେ ଡଙ୍ଗା ଉପରେ ଶୋଇରହି ଛାଇନିଦ ମାଡ଼ି ପଡ଼ୁଥିବା ଅବସ୍ଥାରେ ସେ ସ୍ୱପ୍ନରେ ଦେଖିଲେ ଯେ, ଏକାବେଳେକେ ତୁହିନ–ଶୀତଳ ସୁମେରୁରେ ପହଞ୍ଚି ଯାଇଛନ୍ତି । ସେଠାରୁ ପୂର୍ବକୁ ରାସ୍ତାଯାଇଛି ‘ଦେବଯାନ’ ନାମକ ଇନ୍ଦ୍ରପୁରୀକୁ । ଦୁଧ–ମହୁର ଗନ୍ଧର୍ବ ବିଦ୍ୟାଧର ଆସର ସେଠି, ଦକ୍ଷିଣକୁ ପଥ ସଞ୍ଜମନୀ ନାମକ ଯମପୁରୀକୁ । ସେଠାରେ ଶବମାନଙ୍କୁ ଥଣ୍ଡାକରି ଶୀତତାପ ନିୟନ୍ତ୍ରିତ ଘରେ ଥାକ ଥାକ କରି ରଙ୍ଗ, ଉଚ୍ଚତା, ରେସ୍, ନ୍ୟାସନାଲିଟି ଓ ବ୍ଲଡ଼୍‌ ଗ୍ରୁପ୍‌ ଇତ୍ୟାଦିର ସାମ୍ପଲ୍‌ ବିଭାଗ ବଣ୍ଟନ କରି ରଖାଯାଇଛି । ବହୁ ଅଭ୍ର ରଙ୍ଗର କଙ୍କାଳ ସାର ଗବେଷକଗଣ ନାନା ଯନ୍ତ୍ରପାତି ନେଇ ସେଇ ଶବଗୁଡ଼ିକର ବ୍ୟବଚ୍ଛେଦ କରି କେସ୍‌ ହିଷ୍ଟ୍ରି ତିଆରି କରୁଛନ୍ତି । ସେଗୁଡ଼ିକୁ ସେମାନେ ନିମ୍ଳୋଚନ ନାମକ ବରୁଣପୁରୀକୁ ପଠାଇବେ, ଯେଉଁଠାକୁ ପଶ୍ଚିମ ଦିଗର ରାସ୍ତା ମୂଳରେ ସାଇନ୍‌ବୋର୍ଡ଼ ଦିଆଯାଇଛି । ବରୁଣପୁରୀରେ ଜୀବରୁ ଶବ, ଶବରୁ ବସ୍ତୁ ଧାତୁ ଦ୍ରବ୍ୟଗୁଣ ନେଇ ବହୁ ସମ୍ପଦ ନିର୍ମାଣ ହୁଏ । ଉତ୍ତରଦିଗକୁ ରାସ୍ତା ଚନ୍ଦ୍ରପୁରୀ ‘ବିଭାବରୀ’କୁ । ସେଠାରେ ଚନ୍ଦ୍ରିକା ସଜ୍ଜାରେ ବହୁ ପଦ୍ମପତ୍ରର ବିଛଣା ଓ ସେମାନଙ୍କ ଉପରେ ବହୁ ଆତ୍ମବିଭୋର ରୂପପାୟୀ ପୁରୁଷ ସ୍ତ୍ରୀ ଯୋଡ଼ି ଯୋଡ଼ି ହୋଇ ଶୋଇ ରହିଛନ୍ତି । ତାଙ୍କର ତନ୍ମୟ ଚକ୍ଷୁ ତାରକା ସବୁ ଜଳକାପରି ଚାହିଁଛନ୍ତି ଚନ୍ଦ୍ରକୁ । ଏଠାକୁ ସଞ୍ଜମନୀର କଙ୍କାଳରୂପୀ ରିସର୍ଚ୍ଚ ସ୍କଲାର୍‌ମାନେ ହାଲିଆ ମାରିବା ପାଇଁ ଛୁଟିରେ ଆସନ୍ତି । ସବୁଆଡ଼େ ବୁଲି ବୁଲି ଆସି ପ୍ରଶାନ୍ତବାବୁ ପୁଣି ପହଞ୍ଚିଲେ ସୁମେରୁର ଗୋଲେଇ ଛକରେ । ଉପରୋକ୍ତ ଚାରିଧାମରେ ବହୁତ ଲୋକର ଭିଡ଼ । କେଉଁଠି ହେଲେ ଖାଲି ଜାଗା ନାଇଁ । ନିଷ୍କ୍ରମଣର ଖୋଲାବାଟ, ତେଣୁ କେବଳ ଉପରକୁ । ସେ ଉଠିଲେ ଉପରକୁ ବାତ୍ୟା ଘୂର୍ଣ୍ଣିର ପ୍ରଚଣ୍ଡ ବେଗରେ । ଆଉ ଖସିଲାବେଳକୁ ଦେଖନ୍ତି ତ ଲାଗିଛନ୍ତି ଅଧାବଙ୍କା ଟେଲିଫୋନ୍‌ ଖୁଣ୍ଟି ଆଗରେ ।

 

‘ବତ୍ସ ! ମୁଁ ଯାହା ଦେଖିପାରୁଛି ତୁମର ଏଯାବତ୍‌ ଜୀବନ ଯାତ୍ରାରେ ବୈଚିତ୍ର୍ୟ କିଛି ନାଇଁ-। ଯେତିକି ଷ୍ଟ୍ରଗଲ୍‌, ଯେତିକି କନ୍ଦଳ, ବିରୋଧାଭାସ ଥିବା କଥା ଅଛି । ଯାହା ଅଙ୍ଗେ ନିଭେଇଛ ତା’ ତ ଏଇ ଜଗତର ହାରାହାରି ଚଳନ୍ତି ଅଭିଜ୍ଞାନ । କା’ଠୁଁ ଖୋଜୁଛ ମୋକ୍ଷ, କା’ ଠଉଁ ମୁକ୍ତି ? କି ପ୍ରଶ୍ନ ପୁଚ୍ଛା କରୁଛ ଉଦ୍ଧବ–‘କର୍ମ ତୁମ୍ଭର ନିଜ ଗୁରୁ !’

 

ଅଞ୍ଜନା ଦାସ ଭଞ୍ଜମଣ୍ଡପ ସିଡ଼ିରୁ ଖସିପଡ଼ି ମରିଗଲା ଦିନ ତା’ର ଝିଅ ପୁଅ ସିନେମା ଦେଖି ଯାଇଥିଲେ । ଶେଷ ମୁହୂର୍ତ୍ତରେ ତାଙ୍କ ମୁହଁରୁ ଉଚ୍ଚାରିତ ହେଉଥିଲା ମୃତ ସ୍ୱାମୀଙ୍କର ନାମ । କାଇଁ ପ୍ରଶାନ୍ତବାବୁଙ୍କ ନାଁର ଗୋଟାଏ ଅକ୍ଷର ବି ସ୍ଫୁରିଲାନି ସେ ଓଠରୁ ଏ ସଂସାରରୁ ଗଲା ଅଇଲାବେଳେ । ପ୍ରେମ, ସୋହାଗର ବନ୍ଧନ ଏ ପୃଥ୍ୱୀରେ ରଜ୍ଜୁ ହେଇଗଲାଣି ! ‘ମୋର ପ୍ରେମଛଡ଼ା ସଂସାରକୁ ଓଟାରି ତା’ର କକ୍ଷପଥରେ ସ୍ଥିର ରଖିବାର ଲୋଭ ତା’ର ଆସିବ ବା କୁଆଡ଼ୁ ? ସେ ଅନ୍ୟ ପୃଥିବୀର ଚିନ୍ତା କଲାଣି–ଏଣୁ ମୃତ ପତିର ଆଶ୍ରୟ ଲୋଡ଼ିଛି । ‘କାଓ୍ୱାର୍ଡସ୍‌’ ।’

 

‘କ’ଣ ପ୍ରମାଣ, ପ୍ରଶାନ୍ତବାବୁ, ଆପଣ ତାଙ୍କର ଅତୃପ୍ତ ଇଚ୍ଛାର ଈଶ୍ୱର ?’

 

‘ମୁଁ ଦେଖିଛି ତା’ ଦେହରେ ପଦ୍ମବନ, ପଦ୍ମପତରର ଶିହରିତ ବେପଥୁ ତା’ର ଛନ୍‌ ଛନ୍‌ ଆଖିପତାର ସ୍ୱେଦବିନ୍ଦୁରେ ସୋରିଷଫୁଲର ମଉଳନ ତନ୍ଦ୍ରା ତା’ର କଳାଘୁମର ଜୁଡ଼ାରେ । ତା’ର ମରାଳ ଚାଲିରେ ହଳଦୀବସନ୍ତର ଆକାଶ ସନ୍ତରଣର ଉନ୍ମାଦନା । ଫୁଲଉଡ଼ା ଆଖୁକ୍ଷେତର ଘଞ୍ଚ ବିସ୍ତାର ଆଉ ମହୁଲି ବାସ୍ନା ମୁଁ ସାଉଁଟିଛି ତା’ ପଣତତଳେ ବକ୍ଷବାସର ଘର୍ମାକ୍ତ ନେପଥ୍ୟରେ ।’

 

‘ଠିକ୍‌ ତ ! ଆପଣ କାମନା କରିଛନ୍ତି–ପଦ୍ମବନ, ସୋରିଷ କିଆରି ହଳଦି ବସନ୍ତ ଆଉ ଆଖୁକ୍ଷେତର ବାସ୍ନା–ଅଞ୍ଜନା ଦାସକୁ ନୁହେଁ । ସେ ଏସବୁ ଖେୟାଲର ମାତ୍ର ଗୋଟିଏ ରୂପକଳ୍ପ ଆଧାର–ତା’ର ମରଣରେ କିଛି ଯାଏ ଆସେନା ତୁମେ ବି କିଛି ଅଂଶ ତା’ସାଙ୍ଗରେ ମରିବା ଅନାବଶ୍ୟକ ।’

 

ପ୍ରଶାନ୍ତବାବୁ ଜୁଳୁ ଜୁଳୁ ଚାହିଁଲେ ।

 

ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ହିମାଂଶୁ ମହାକୁଡ଼ ଶ୍ରୀମନ୍ଦିର ଗରୁଡ଼ ଖୁମ୍ବ ପଛରେ ବେଦପାଠ କଲାବେଳେ ଚାରିପାଖେ ଅସମ୍ଭବ ଲୋକଭିଡ଼ । ମୁହଁ ଆଗରେ ମାଇକ୍‌ । ଚାରିପାଖେ ପୁଣି ଖୋଳତାଳ ଝାଞ୍ଜମୃଦଙ୍ଗର ଅଣନିଶ୍ୱାସୀ ନାମ କୀର୍ତ୍ତନ; ସେ ଲୋକ ସେଠୁ ଓହରିଆସି ସପ୍ତାହରେ ଛଅଦିନ ମାଲଗୋଦାମରେ ଢାବଲ ଗଣୁଛି । ମୁହଁରେ କାଶ ଓଷଦରେ ହଠାତ୍‌ ଆରାମ ପାଇଥିବା ଯୁବତୀଙ୍କ କ୍ୟାଲେଣ୍ଡର ହସପରି ନିଲଠା ହସ ମାଖିହୁଏ ସେ–ଯେମିତି କିଛି ଯାଏଆସେନା । ଛଅଟି ସନ୍ତାନ ଆଉ ରୋଗୀଣା ଗୃହିଣୀଙ୍କ ଧଇଁପେଲା କାକୁତି କିଛି ସେଇ କାଠର ହୃଦୟକୁ ଟୋଲାଟୋଲି କରିପାରେନି । ପଚାରିଲେ କହେ, ଜଗନ୍ନାଥେ ଅଛନ୍ତି । ସବୁ ଠିକ୍‌ଠାକ୍‌ ଅଛି । କ୍ୱାଏଟ୍‌ ଆକ୍‌ସେପ୍‌ଟାନ୍‌ସ–ନୀରବ ଲୁହ ବର୍ଷଣ–ଇଟରନାଲ ସଲିଚ୍ୟୁଡ୍ ଅଫ ମାଇଣ୍ଡ–ଜୀବନଯୁନ୍ଧରେ ବିଜୟୀ ଏମ୍ପରର୍‌ର ଏଇହେଲା ଲକ୍ଷଣ । ପ୍ରଶାନ୍ତବାବୁ ଦିନେ ତାକୁ କହିଲେ, ‘ତୁମେ ମୋ ଗୁରୁହେଲ ମହାକୁଡ଼୍‌ !’ ଉତ୍ତର ଆସିଲା–ଷ୍ଟୁପିଡ଼୍‌–କିଏ ଗୁରୁ, କିଏ ଲଘୁ ! ଖଞ୍ଜଣିମାଡ଼ ବଡ଼କଥା ଧ୍ୟାନକରି ମସଗୁଲ ରହ, ସେଇ ଚଉବାହା ଶ୍ରୀପୟର ।

 

ଗୁମ୍‌ ମୁହିଁ ପ୍ରିୟମ୍ବଦା ସାମୁଏଲ ଇତିହାସ ଅଧ୍ୟାପିକା ରାତି ଟ୍ରେନ୍‌ରେ ଆସୁଥିଲାବେଳେ କେତେଜଣ ଛାତ୍ରଙ୍କ ଦ୍ୱାରା ଧର୍ଷିତା ହୋଇ ତା’ପର ଆଉ ଆଗପରି ଘରଭିତରେ ଚାରିଦ୍ୱାର ବନ୍ଦକରି ତପସ୍ୱିନୀ ନ ସାଜି ଏବେ କେତେ ରଙ୍ଗରେ ଦେହକୁ ସଜାଉଛି । ଘୂରିବୁଲୁଛି ସବୁ ସଙ୍ଗୀତ, ନୃତ୍ୟ ସମାରୋହ, ବାର୍‌, ପାର୍ଟି, ରେସ୍ତୋରାଁରେ ପ୍ରଜାପତି ପରି । ଓଠରେ କେତେ ଉଚ୍ଛଳ ହସ–ଚାଲିରେ କି ବାଚାଳ ଉନ୍ମାଦନା । ସବୁ ମହଲର ସବୁଠୁଁ କାମ୍ୟ, ସବୁଠୁଁ ଦାମୀ ଉଚ୍ଛୃଙ୍ଖଳ ପିପାସାର ରଙ୍ଗଲତା ଏଇ ପ୍ରିୟମ୍ବଦା–‘‘ତୁମେ ମୋର ‘ଗୁରୁମାତା’ ପ୍ରିୟମ୍ବଦା’’–ସକ୍‌ ସକ୍‌ କାନ୍ଦିଉଠୁଛି ପ୍ରିୟମ୍ବଦା–ମନର ନିଭୃତରୁ କେତୋଟି ତନ୍ତ୍ରୀ ଛିଡ଼ିଯାଇଛି ଆଉ ଓଜନ ହରାଇ ହାଲ୍‌କା ଓସ୍ତପତ୍ରପରି ଉଡ଼ିବୁଲୁଛି ପ୍ରିୟମ୍ବଦା–

 

‘ମୋର ପ୍ରାଣନାଇଁ, ଚେତନା ନାଇଁ । ମୁଁ ଖାଲି ଆମ ସମୟର ଏକ ତାପମାନ ଯନ୍ତ୍ର । ମତେ ଦେଖି ସମୟର ବୟସ ଆଉ ଉତ୍ତାପ କଳିହୁଏ । ମୋ ସାମନାରୁ ହଟିଯାଅ ପ୍ରଶାନ୍ତ ।’’ ଆଖି ମଳି ମଳି ପ୍ରଶାନ୍ତବାବୁ ଫେରିଲେ ।

 

ବୃନ୍ଦାବନରେ ମୁଁ ଦେଖିଛି ଏକ ଜକ୍‌ଜକ୍‌ ଇସ୍ପାତ ତ୍ରିଶୂଳ ଉପରେ ଜଣେ ଯୋଗିନୀ ଊର୍ଦ୍ଧ୍ଵନେତ୍ର ହେଇ ବସିଛନ୍ତି, ଅଚଞ୍ଚଳ–ଡାହାଣହାତ ପାପୁଲିଟି ଉପରକୁ ଟେକିରହି ଦୟା, କ୍ଷମା, ଆଶିଷ ବର୍ଷଣ କରୁଛି । ଖୋଲା ପାପୁଲିରେ ରକ୍ତ ଚନ୍ଦନର ଦାବି । ତାଙ୍କ ଚାରିପାଖେ ଡିବି ଡିବି ଡମ୍ବରୁ ବଜାଇ ନାଚିକୁଦି କାଳିସୀ ଭଳି ଘୂରୁଛନ୍ତି ଜଣେ ଦାଢ଼ିଆ ଲାଲ୍ ଲାଲ୍ ଆଖି–ଅଲରା ଝୋଟପରି ଉଡ଼ୁଥିବା କେରାକେରା କେଶବିଶିଷ୍ଟ ଜଣେ ସଂପୂର୍ଣ୍ଣ ଦିଗମ୍ବର, ଯୁବକ । ନଗରପାଳ ରତିକାନ୍ତଙ୍କ ଦୀକ୍ଷାଦାତ୍ରୀ ଏଇ ଯୋଗିନୀ । ସେଇଠି ସେ ଚକାମାଡ଼ି ଯୋଡ଼ହସ୍ତ ହୋଇ ବସି ମତେ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ତ୍ରିଶୂଳର ମୁନିଆଁ ନଖରେ ଯୋଗିନୀଙ୍କ ଜାନୁର ମଧ୍ୟସ୍ଥଳୀ କ୍ଷୋଭିତ ହୁଏନି । ନା’ ସେଠି ରକ୍ତର ଦାଗ କେବେ ଦେଖା ପଡ଼େନି–କାୟାରେ କୌଣସି ପାର୍ଥିବ ବେଦନା ନାଇଁ–ଯେଣୁ ସେ କାମନାକୁ କାବୁ କରିଛନ୍ତି ଏବଂ ହିମାଦ୍ରୀରେ ଏହିପରି ବିବସ୍ତ୍ର ହୋଇ ଶୀତ କାକରରେ ତ୍ରିଶୂଳ ମୁନରେ ଯୋନି ଧର୍ଷିତ କରି ସେ ଚବିଶବର୍ଷ ତପସ୍ୟା କରିଛନ୍ତି–ଆଉ ଏବେ ପାଇଛନ୍ତି ଦିବ୍ୟଚକ୍ଷୁ । ଆଗତ ଭବିଷ୍ୟତ ସବୁ ଦିଶେ ଜଳ ଜଳ ସେଥିରେ ।

 

‘‘କ’ଣ ଅବୁଝା ରହିଲା ଏଥିରେ–ସବୁ ଘଟଣାର ମୂଳକଥା ହେଲା ଅବିରତ ଅନ୍ୱେଷଣ–ଖୋଜ ନିଜକୁ, ଆଉ ନିଜ ଭିତରେ ବିଶ୍ୱକୁ, ଅନ୍ତରୀକ୍ଷକୁ ।’

 

‘‘ତେବେ ଯଦି କାମନାର ବିନାଶ ଆଉ କାୟାର ଯାତନାକୁ ବଞ୍ଚାଇବାର ସବୁଠୁଁ ସୁଆଦିଆ ମାର୍ଗ ବୋଲି କୁହାଯାଏ, ତା’ହେଲେ ଯୋଗିନୀ ଓ ରତିକାନ୍ତମାନେ ସଂସାର ଭିତରେ ବସି କ’ଣ ଖୋଜୁଛନ୍ତି, ଯେତେବେଳେ ପାଇବାକୁ କିଛି ଆଉ ନାଇଁ ? ‘ଗୁରୁଦେବ, ଏହି କଥାଟି ସମଜାନ୍ତୁ ।’’

 

ଗୁରୁ ଉବାଚ–‘ଯା ଦେଖୁଛ ସବୁ ଦେହ–ମାୟା–କାୟା–ଉଠ୍‌ପଡ଼୍‌–ରଙ୍ଗ ବେରଙ୍ଗ ହେଇ ଅଛି–ହେଇ ନାଇଁର ଭେଳିକି । ସତ୍ୟ ହେଲା ଏ ସବୁର ନେପଥ୍ୟରେ କାଠପୁତୁଳି ନଚାଉଥିବା ଅନେକ ଡୋର ଆଉ ତାକୁ ଧରିଥିବା ଆଙ୍ଗୁଠିମାନେ । ମଜାର କଥାହେଲା, ଏସବୁ ଆଙ୍ଗୁଠି ହେଲ ତମେ, ମୁଁ, ପ୍ରିୟମ୍ବଦା, ଅଞ୍ଜନା, ମହାକୁଡ଼ ଇତ୍ୟାଦି ସମସ୍ତେ । ଏ ପାଖରେ ଆମେ ହେଲେ ଜଳନ୍ତା ‘ଜୂଇ’–ସେ ପାଖରେ ଅବିନଶ୍ୱର ଈଶ୍ୱର । ନିଜକୁ ନିରେଖ ‘ଈଶ୍ୱର’ ଜ୍ଞାନ କରି । ଈଶ୍ୱର ଆରପାଖେ ଆଉ କିଛି ନାଇଁ । ସୋଽହଂ ।’’

 

ଖୋଜିବାଟା ସଂସାରର ନିଗୂଢ଼ ତତ୍ତ୍ୱ । କର୍ମଫଳ ସବୁ ଫଳିବ ଆରପାଖେ । ପଚାରନି କ’ଣ, କାହିଁକି ? ଆରପାଖ–ଅନ୍ୟ ଏକ ପୃଥିବୀର–ଅପେକ୍ଷା ରଖ ବତ୍ସ ।

 

‘ଇଡ଼ିୟଟ୍–ତୁ କି ଗୁରୁ ହେବୁରେ ମୋର, ଖାଲି କଥାକୁ ଏ ପାଖରୁ ସେ ପାଖକୁ–ସେ ପାଖରୁ ତା’ ଆରପାଖକୁ ଘୋଷାରି ଅସଲି ମଞ୍ଜି କଥାକୁ ଘୋଡ଼େଇ ଲାଗିଛି ।’ ରାଗରେ ଦାଉ ଦାଉ ପ୍ରଶାନ୍ତବାବୁଙ୍କ ଆଖି । ପଛେ ପଛେ ଦୌଡ଼ୁଛନ୍ତି ମୋର–ଅଣ୍ଟାରେ ତାଙ୍କ ବନ୍ଧା ହୋଇଥିବା ଦଉଡ଼ିର ଗୋଟାଏ ବୃତ୍ତାକାର ଫାଶ ମୋ ଉପରକୁ ନିକ୍ଷେପ କରୁଛନ୍ତି ମତେ ବାନ୍ଧି ଭୂଲୁଣ୍ଠିତ କରିବାକୁ । ମୋର ଚଳିବା ଶକ୍ତି ବି କାଇଁ ! ମୁଁ ଯେ ନିକଟତମ ଉଇହୁଙ୍କାରେ ତପସ୍ୟାମଗ୍ନ ହୋଇ ସ୍ଥିତଧୀ ଶିବତ୍ୱ ପ୍ରାପ୍ତ ହୋଇଛି । ମୁଁ ଏଇ ଦୁର୍ନିରୀକ୍ଷ ତମସା ଭେଦକରି ପ୍ରଚଣ୍ଡ ଦିବ୍ୟ ଆଲୋକର ଉତ୍ସ ସେଇ ସୃଷ୍ଟିକର୍ତ୍ତାଙ୍କୁ ଦେଖିପାରେ ଧ୍ୟାନ ବଳରେ–ଉପବାସ କରିପାରେ–ଆତ୍ମ ସଂବୃତ୍ତ ହୋଇ ନିଜକୁ ନିଜେ କଳନା କରି ବହୁରୂପରେ ପ୍ରକଟିତ କରି ଈଶ୍ୱରତ୍ୱ ପ୍ରାପ୍ତ ହୋଇପାରେ; କିନ୍ତୁ ସ୍ଥିତି ମୋର ଅଛି ସିନା–ଗତି ନାହିଁ । ଏଇ ଉଦ୍‌ଭ୍ରାନ୍ତ ପ୍ରୌଢ଼ ପ୍ରଶାନ୍ତବାବୁ ଧାଇଁଆସୁଛି ମୋ ଦିଗରେ । କ୍ରମଶଃ ମୁଁ ଏକ ଜତୁଗୃହରେ ପରିଣତ ହେଲି । ସେ ଭିତରକୁ ଏକ୍‌ ଖେପାମାରି ପଶିଆସିଲେ ପ୍ରଶାନ୍ତବାବୁ । ଦ୍ୱାର ବନ୍ଦ ହେଲା ଝଣକରି, ଚାରିଆଡ଼େ ଶୂନ୍‌ଶାନ୍‌ ।

 

ଭିତରୁ ଡହ ଡହ ବହ୍ନିର ତରଳ ନିଃଶ୍ୱାସ । ପ୍ରଶାନ୍ତବାବୁ ଅଗ୍ନି ବର୍ଷୁଛନ୍ତି ପ୍ରଶ୍ୱାସରେ ଓ ଆଖିର ଆଲୋକରେ । ମୋର ଚାରି କାନ୍ଥ ତରଳୁଛି ଆସ୍ତେ ଆସ୍ତେ । ଅଥଚ କୁଁ କିଛି କରିପାରୁନି । ଭିତରୁ ଗାଇଲେ ପ୍ରଶାନ୍ତବାବୁ–‘ଆକାଶ ଦିଶେ କି ସୁନ୍ଦର ! –ତାହାକୁ ରଚିଲେ ଈଶ୍ୱର’ । ମୁଁ ପୃଥିବୀ ଦେଖିବି, ଆକାଶ ଦେଖିବି, ଛାଡ଼୍‌–ମତେ ଛାଡ଼୍‌ । ଘନ ଘନ ଓଁ କାର, ଆକାଶରୁ ଉତୁରିଲା ଆଉ ପାଉଁସିଆ କଙ୍କାଳର ଏକ ପ୍ରକାଣ୍ଡ ହାତ ପଶିଆସିଲା କଂସାକବାଟ ଫାଙ୍କରେ । କବାଟ ତରଳି ତରଳି ଭୂଇଁରେ ଝଡ଼ି ପଡ଼ିଲାଣି । ଶିଷ୍ୟ ମୋର ପୁଣି ଦୌଡ଼ିଗଲାଣି ସୋରିଷ କିଆରି ସରୁହିଡ଼ ଚାରିପାଖେ ‘ଟାଇଟ୍‌ରୋପ୍‌’ ନାଚ ନାଚିବାକୁ ।

 

–ତା’ ଦେହରେ ପଦ୍ମପତ୍ରର ପୋଷାକ ।

 

ମଥାରେ ପଦ୍ମକଢ଼ର ମୁକୁଟ ।

 

–ହାତରେ ଆଖୁ ଦଣ୍ଡର ବଂଶୀ ଓ ବାକାନ୍ଧ ଉପରେ ହଳଦୀ ବସନ୍ତ ଚଢ଼େଇ ।

 

ମୁଁ ପ୍ରଣିପାତ କଲି ।

 

ଆଉଜଣେ ଗୁରୁ ଆବିର୍ଭୂତ ହେଲେ ।

 

ଆର ଟି. ଓ,

ବାଲେଶ୍ୱର

Image

 

ସ୍ୱପ୍ନ ଏବଂ ଅବ୍ୟକ୍ତ କିଛି

Unknown

କନ୍‌ହେଇ ଲାଲ ଦାସ

 

ମୁଁ ସ୍ୱପ୍ନ ଭିତରେ ସ୍ୱପ୍ନ ଦେଖେଁ ତା’ ଭିତରେ ବି ସ୍ୱପ୍ନ ଶେଷ ହୁଏନାହିଁ ଆସେ ଯାଏ ଯାଏ ଆସେ ଗୋଟିଏ ସ୍ୱପ୍ନର ବୃତ୍ତ ତା’ ଭିତରେ ଆଉ ଗୋଟିଏ ବୃତ୍ତ ଭାଙ୍ଗିଯାଏ ତିଆରି ହୁଏ ପୁଣି ତିଆରି ହୁଏ ଭାଙ୍ଗିଯାଏ । ଅନେକ କଥା ଅନେକ ଶବ୍ଦ ଦୃଶ୍ୟ ସ୍ମୃତିର ସହର ମୁଣ୍ଡଟେକେ ଉଠେଁ ପାହାଚରେ ଗୋଟିଏ ଚଟାଣ ପୁଣି ସେଇ ଚଟାଣ ପୁଣି ଆଲୋକ ଅସଂଖ୍ୟ ଆଲୋକର ଅଣୁ ପରମାଣୁ ଅନେକ ଅନ୍ଧକାର ଅନ୍ଧକାରର ଅସଂଖ୍ୟ ଅଣୁ ପରମାଣୁ ଫେଣ୍ଟାଫେଣ୍ଟି ହୋଇ ହୋଇ ଏକ ଅଜବ ରଙ୍ଗ ଅଜବ୍‌ ସ୍ମୃତି ଅଜବ ଶବ୍ଦ ସବୁ ଶବ୍ଦ ଭାଙ୍ଗିଗଲେ ଗୋଟିଏ ମାତ୍ର ଶବ୍ଦ ରହେ ଗୋଟିଏ ମାତ୍ର ଧ୍ୱନି ଗୋଟିଏ ମାତ୍ର ବ୍ୟଞ୍ଜନା ସର୍ବତ୍ର ଘୂରେ ଘୂରିବୁଲେ ପୃଥିବୀର ସର୍ବତ୍ର ମେରୁ ଅକ୍ଷାଂଶ ଦ୍ରାଘିମାର ସବୁ ସ୍ଥାନ ଏକାକାର କରିବସେ ସେ ଶବ୍ଦ ପ୍ରକାଶର ଶବ୍ଦ ଆତ୍ମପ୍ରକାଶର ବ୍ୟଞ୍ଜନା ସେଇଟା ଗୋଟିଏ ଅନୁଭବ ଗୋଟିଏ ଅସମ୍ଭବ ଉପଲବ୍‌ଧି ମୃତ୍ୟୁ ବି ଏକ ଅନୁଭବ ମୃତ୍ୟୁ କ’ଣ ଆତ୍ମପ୍ରକାଶ ଜୀବନମାନେ ଆତ୍ମପ୍ରକାଶ ସେମାନେ ବୋଧହୁଏ ଆଲୋକ ଯୁକ୍ତ ଅନ୍ଧକାର କିମ୍ବା ଅନ୍ଧକାର ବିଯୁକ୍ତ ଆଲୋକ ଅଥବା ଆଲୋକ ହରଣ ଅନ୍ଧକାର ନତୁବା ଅନ୍ଧକାର ଗୁଣନ ଆଲୋକ ମୁଁ ସବୁ ଜାଣେ ମୁଁ ଜାଣେ ଯେ ମୁଁ ଜାଣେ କିମ୍ବା ମୁଁ ହୁଏତ ଜାଣେ ଯେ ମୁଁ ଏକ ପଦାର୍ଥ ମୁଁ ଏକ ନିର୍ଦ୍ଦିଷ୍ଟ ଅନୁଭବ ମୁଁ ଏକ ନିଶ୍ଚିତ ଉପଲବ୍‌ଧି ଯେଉଁ ଉପଲବ୍‌ଧି ଆକୁଳ ହୋଇ ଚିତ୍କାର କରେ ଦେବୀ ଦେବୀ ତୁ ମୋର ତୁ ଏକାନ୍ତ ଭାବେ ମୋର ତୋରି ପାଇଁ ଅନେକ କିଛି ଦୃଶ୍ୟ ଶବ୍ଦ ସ୍ମୁତି ତୋରି ପାଇଁ ମୁଁ ଦେଖେ ସ୍ୱପ୍ନ ସ୍ୱପ୍ନ ତା’ ଭିତରେ ବି ସ୍ୱପ୍ନ ସ୍ୱପ୍ନ ଶେଷ ହୁଏ ନାହଁ ଆସେ ଯାଏ ଯାଏ ଆସେ ଗୋଟିଏ ବୃତ୍ତ ଭିତରେ ଆଉ ଗୋଟିଏ ବୃତ୍ତ ତା’ ଭିତରେ ଅନେକ ଘଟଣା ତା’ ଭିତରେ ଅନେକ ଚରମ ଘଟଣା ଦୁର୍ଘଟଣା ଅର୍ବୁଦ ବୃନ୍ଦ ଖର୍ବ ନିଖର୍ବ ପଦ୍ମ ସାଗର ଅନ୍ତ ମଧ୍ୟ ପରାର୍ଦ୍ଧ ଘଟଣା ମଧ୍ୟରେ ତୁ ତୁ ମାନେ ତୁ ଯେପରି ମୁଁ ମାନେ ମୁଁ ଏକାନ୍ତ ଭାବେ ମୁଁ ଆଉ କେହି ନୁହେଁ ସେହିପରି ତୁ ଏକକ ମୁଁ ମୌଳିକ ଓ ଯୌଗିକ ମୌଳିକ ଯୌଗିକ ନା ଯୌଗିକ ମୌଳିକ ସବୁ କଦର୍ଯ୍ୟ କେବଳ ଦେବୀ ତୁ ଏକମାତ୍ର ସୁନ୍ଦର ତେଣୁ ମୁଁ ତୋତେ ଚାହେଁ ଯଦିବା ମୁଁ ପୃଥିବୀରେ ଅନେକ କିଛି ଚାହେଁ ଯଥା ମଦ–ମାଂସ ମହିଳା ଆହୁରି ବି ଚାହେଁ ଭଦ୍ରତା ଅଶ୍ଳୀଳତା କିନ୍ତୁ ତୋତେ ଚାହେଁ ଏକ ଭିନ୍ନ ପ୍ରକାର କିପରି ଚାହେଁ ଠିକ୍‌ କେଉଁ ପ୍ରକାର ଚାହେଁ ସେ କଥା କହିବା ପାଇଁ ବୋଧେ ଏପର୍ଯ୍ୟନ୍ତ ଶବ୍ଦ ତିଆରି ହୋଇପାରିନି । କାରଣ ସବୁ ଅନୁଭବକୁ ଶବ୍ଦରେ ପ୍ରକାଶ କରିହୁଏ ନାହିଁ ଆଉ ସବୁ ଶବ୍ଦକୁ ଅନୁଭବ କରିହୁଏ ନାହିଁ । ତେଣୁ ତୋତେ ମୁଁ ଚାହେଁ ଏଇ କଥାଟି ସବୁ ନୁହେଁ ଏକ ଅଂଶବିଶେଷ ବି ନୁହେଁ । କେବଳ କହିବି ତୋତେ ମୋର ଏକାନ୍ତ ଆବଶ୍ୟକ ତୁ ବି ମୋତେ ସେମିତି କିଛି କହିବାକୁ ଚାହୁଁ ଏକଥା ମୁଁ ଜାଣେ ତୋ ବାପା ଜାଣେ ତୋ ମା ଜାଣେ ଆଉ କିଏ ଜାଣେ ନ ଜାଣେ ମୁଁ ଜାଣେନାହିଁ । ତେଣୁ ତୋ ବାପା ମୋତେ ଘୃଣା କରେ ତୋ ମା’ ମୋତେ ସନ୍ଦେହ କରେ କିନ୍ତୁ ମୁଁ ଯେତେ ଆତ୍ମପ୍ରକାଶ କରେ ତୁ ସେତେ ଆତ୍ମଗୋପନ କରୁ ଏବଂ ମିଛରେ ହେଉ କି ସତରେ ହେଉ ତୁ କହୁ କୁଆଡ଼େ ଭୋଗହିଁ ଧର୍ମ ଉପଭୋଗଟା ପାପ ମୁଁ ଭୋଗ ଉପଭୋଗ ବୁଝେନା ଧର୍ମ ଅଧର୍ମ ଶବ୍ଦଗୁଡ଼ାକ ଅନେକ ଶବ୍ଦ ଏବଂ ଆକାର ଏଥିପାଇଁ ମୁଁ ଶୁଣିଛି ମୋ ଆଗଣାରେ ଅନେକ ନାରୀର ପାଦଶବ୍ଦ ମୁଁ ଦେଖିଛି ଅନେକ ଅଭିବ୍ୟକ୍ତି ଅନେକ ନିର୍ଦ୍ଦିଷ୍ଟ ସ୍ଥାନ ମୁଁ ଚାଖିଛି ଅନେକ ଓଠର ସ୍ଵାଦୁ ତଥାପି ମୋଠାରୁ ଆହୁରି କିଛି ଆଶା କରିଛନ୍ତି ଆଜି ବି ମନେପଡ଼େ ପ୍ରଥମେ ଯିଏ ମୋଠାରୁ ଆହିୁରି କିଛି ଚାହିଁଥିଲା, ତାକୁ ମୁଁ ଜଲିଅପା କହୁଥିଲି । ସେ ଦିନେ ସକାଳେ ମୋତେ ଚୁମାଦେଲେ ଶୀତରେ ଥରିଗଲେ ମୁଁ ସେତେବେଳେ ମୁଣ୍ଡର ବାଳ ଆଉ ନୂଆ ଉଠୁଥିବା ନିଶ ଦାଢ଼ି ଏକ ସଙ୍ଗରେ କାଟେ । ସେଦିନ ସେ ଏକ ନୂତନ ଭାଷାରେ ମୋ ସହ କଥା କହିଲେ । ମୁଁ ନୂତନ ଭାବେ ତାଙ୍କର ଖୋଲା ଛାତି ଦେଖିଲି ଏବଂ ଆଶ୍ଚର୍ଯ୍ୟ ହୋଇ ମୋର ଶୈଶବ କଥା ମନେପକାଇଲି । ମୁଁ ହସିଲି କାନ୍ଦିଲି, କାନ୍ଦିଲି ହସିଲି, ସେ ସଂଗମ ଚାହିଁଲେ ମୁଁ ଆଲିଙ୍ଗନ କଲି ଓ ତାଙ୍କୁ ଭୟ କଲି ଏବଂ ମୁଁ ତୋଠୁଁ କ’ଣ କ’ଣ ଚାହେଁ ତା’ର ତାଲିକା କରିବାକୁ ବସେ ତାଲିକାରେ ଗୋଟିଏ ବି ଅକ୍ଷର ଲେଖା ହୁଏନାହିଁ । ମୋ ଉପରକୁ ମାଡ଼ିଆସେ ଅସଂଖ୍ୟ ଆକାରହୀନ ସ୍ୱପ୍ନ । ସ୍ୱପ୍ନ ଭିତରେ ସ୍ୱପ୍ନ ତା’ ଭିତରେ ବି ସ୍ୱପ୍ନ ସ୍ୱପ୍ନ ଶେଷ ହୁଏନାହିଁ ଆସେ ଯାଏ ଯାଏ ଆସେ ଗୋଟିଏ ଇଚ୍ଛା ତା’ ପରେ ଆଉ ଗୋଟିଏ ଶେଷରେ ଆସେ ମୃତ୍ୟୁ ଇଚ୍ଛା ମୃତ୍ୟୁ ଇଚ୍ଛାର ପୁର୍ବ ଇଚ୍ଛାକୁ କୌଣସି ମତେ ଜାବୁଡ଼ି ଧରି ଶବ୍ଦର ପଟୁଆର ତିଆରି କଲେ ହୁଏତ ଏ ପ୍ରକାର ହୋଇପାରେ ଦେବୀ ଦେବୀ ମୋର ତୋତେ ମୁଁ ଧୂପ ଦୀପ ଜଳୁଥିବା ଘରେ ଫୁଲ ଆମ୍ୱପତ୍ରରେ ସଜ୍ଜା ହୋଇଥିବା ଘରେ ଆଦୌ କାମନା କରେନାହିଁ ମୁଁ ଚାହେଁନା ପୃଥିବୀରେ ନିର୍ବୋଧ ଲୋକଙ୍କ ଆଖିରେ ଧୂଳି ପକାଇ କେଉଁ ଏକ ଦ୍ୱିପ୍ରହର ଉଜ୍ଜ୍ୱଳତାରେ ତୋତେ ବିବତ୍ସା କରିଦେବାକୁ । ମୁଁ ଚାହେଁ ତୋତେ ନେଇ ଏଠାରୁ ଖୁବ୍‌ ଦୂରକୁ ପଳାଇଯିବି କେଉଁ ଏକ ଅଗ୍ନାଅଗ୍ନି ବନସ୍ତରେ ପାହାଡ଼ ତଳେ ଆମେ ଦୁହେଁ ନିର୍ବିକାର ଚିତ୍ତରେ ଉଲଗ୍ନ ହେବା । ଆମେ ଖାଇବା ଗଛର ଫଳମୂଳ ପଥରରେ ଛେଚି ଛେଚି ଆମେ ଖାଇବା କେଉଁ ସବୁ ନାମ ଅଜଣା ପଶୁପକ୍ଷୀର କଞ୍ଚା ମାଂସ । ତୁ ଆଉ ମୁଁ ଇସାରାରେ ଭାବ ପ୍ରକାଶ କରିବା କେଉଁ ଏକ ଅଦୃଶ୍ୟ ଶକ୍ତି ବଳରେ ମୋ ଭିତରେ ପ୍ରେରଣା ସୃଷ୍ଟିହେବ ମୁଁ ସବୁ ଆନୁସଂଗିକ ଭୁଲି ସବୁ ନିୟମ କାନୁନ୍‌ ଭୁଲି ଚରମ ସଂଗମ କରିବି । ସେତେବେଳେ ଅରଣ୍ୟ ମୋର ପର୍ବତ ମୋର ବାୟୁ ଜଳ ଆକାଶ ସବୁ ମୋର ସରଳକରର ସବୁ ବନ୍ଧନୀ ଯୁକ୍ତ ବିଯୁକ୍ତ ଗୁଣନ ହରଣ ଚିହ୍ନ ଟପି ଗୋଟିଏ ସହଜ ଉତ୍ତର ମିଳିଲା ପରି କେବେ ଗୋଟିଏ ବ୍ୟଞ୍ଜନାରେ ବିଶ୍ୱ ବହ୍ମାଣ୍ତରେ ଏକାକାର ହୋଇଯିବ ସେ ବ୍ୟଞ୍ଜନା ଯୁଗ୍ମ ଆତ୍ମବିଲୀନତାର ମୁଁ ଦେଖେଁ ଅନେକ ସଞ୍ଜବେଳେ ସେଇ ବୃଦ୍ଧକୁ ଯିଏ ଅନେକ ସମୟରେ ଖୁକ୍‌ ଖୁକ୍ କାଶି ବଡ଼ ଆକାରର ହଳଦିଆ ଖଙ୍କାର ପକାଏ ଏବଂ ଯାହାର ଅଯତ୍ନ ଲୁଗାପିନ୍ଧା ମଧ୍ୟରୁ ଶ୍ଳଥ ନିମ୍ନାଂଶ ଗୋପନତାରୁ ମୁକ୍ତିପାଏ, ସେଇ ବୃଦ୍ଧ ଅନେକ ସମୟରେ ତା’ ଘରର ବୟସ୍କା ଚାକରାଣୀ ସହ କଦର୍ଯ୍ୟ ସଙ୍ଗମ କରେ । ମୁଁ ଠିକ୍‌ ସେ ପ୍ରକାର ଆତ୍ମପ୍ରକାଶ କିମ୍ୱା ଆତ୍ମବିଲୀନତା ଚାହେଁନା କାରଣ ମୁଁ ପୃଥିବୀର କୋଟି କୋଟି ଦେହ ମଧ୍ୟରୁ ଗୋଟିଏ ଦେହ ଚାହେଁ କୋଟି କୋଟି ଜନନେନ୍ଦ୍ରିୟ ମଧ୍ୟରୁ ଗୋଟିଏ ମାତ୍ର ଜନନେନ୍ଦ୍ରିୟ ଚାହେଁ ଯାହାକୁ ମୁକ୍ତ ଆକାଶର ଜ୍ୟା ତଳେ ଚୁମ୍ୱନ ଦେବି ଏବଂ ପ୍ରମାଣ କରିପାରିବ ଯାହା ଭିତରେ ମୁଁ ବିଲୀନ ହେବି ଆତ୍ମପ୍ରକାଶ କରିବି ଏବଂ ମୁଁ ମୋରି ରୂପରେ ଜନ୍ନନେବି ଦେବୀ ତୁ ବି ତାହାହିଁ କରିବୁ ତୋର ମୋର ପାର୍ଥିବ ଆତ୍ମପ୍ରବଞ୍ଚନା ଆତ୍ମଗୋପନତା ସବୁ ବନ୍ଧ୍ୟାର ଜରାୟୁସ୍ଥ ଭୃଣ ଭଳି ମିଳାଇଯାଇ ଏକ ନୂତନ ଏକ ସୁବିରାଟତ୍ୱର ପ୍ରାକାଶ ହେବ ସେଇଟା ହେବ ଆମର ଯୁଗ୍ମ ଆତ୍ମପ୍ରକାଶ । ଗୋଟିଏ ସତ୍ତା ମଧ୍ୟରେ ମୁଁ ଜାଣେନାହିଁ ହୁଏତ ହୋଇପାରେ ମୁଁ ଏଇ କଥାକୁ ନେଇ ଦିବାରାତ୍ର ପ୍ରଚ୍ଛନ୍ନ ଭାବରେ ସ୍ୱପ୍ନ ଦେଖେଁ । ସ୍ୱପ୍ନ ଭିତରେ ସ୍ୱପ୍ନ ତା’ ଭିତରେ ବି ସ୍ୱପ୍ନ ଆସେ ଯାଏ ଯାଏ ଆସେ ଗୋଟିଏ ସ୍ୱପ୍ନର ବୃତ୍ତ ଭାଙ୍ଗିଯାଇ ଆହୁରି ଗୋଟିଏ ପାଖାପାଖି ସ୍ୱପ୍ନର ବୃତ୍ତ ତିଆରି ହୋଇଯାଏ ଦେବୀ ମୋର ଅନେକ ସ୍ଵପ୍ନର ବିକ୍ଷିପ୍ତ ଯନ୍ତ୍ରଣାର ମେଘ ଓହ୍ଲାଇଯାଏ ତୋ ଦେହର ନଦୀ ପର୍ବତ ଉପରକୁ ତୋର ସାମୁଦ୍ରିକ ଜନନେନ୍ଦ୍ରିୟ ଆଡ଼େ ମୁହଁ କରି ଭୀଷଣ ଶୁତ୍ରକୀଟର ଶୋଭା ଯାତ୍ରା ଲମ୍ୱିଯାଏ ଅନେକ ଭାବନା ଶଦ୍ଧ ଦୃଶ୍ୟ ସ୍ମୃତିର ସହର ଅନେକ ଉପଲବ୍‌ଧି ଅନୁଭବର ଜନପଦ ନିଶ୍ଚିହ୍ନ ହୋଇ ମୋର ସବୁ ସ୍ୱପ୍ନର ବିକ୍ଷିପ୍ତ ଯନ୍ତ୍ରଣାର ମେଘମାଳା ମଧ୍ୟରୁ ଅସମ୍ଭବ ବର୍ଷାହୁଏ ଏବଂ ମୁଁ ସ୍ୱପ୍ନଦେଖେଁ ତୋରି ସ୍ୱପ୍ନ ସ୍ୱପ୍ନ ଭିତରେ ସ୍ୱପ୍ନ ତା’ ଭିତରେ ବି ସ୍ୱପ୍ନ ତା’ ଭିତରେ ବି ସ୍ୱପ୍ନ ତା’ ଭିତରେ ବି ।

 

ହିନ୍ଦୀ ପ୍ରଚାର ସଭା

ମଣିଖମ୍ଭ, ବାଲେଶ୍ୱର–

Image

 

ଗୋଟିଏ ଘରର କାହାଣୀ

(ଆପାତତଃ ଅସମାପ୍ତ)

କୁଞ୍ଜ ରାୟ

 

ବିରାଟ ଗୋଟେ ଘର । କେତେ ମହଲା, କେଉଁଠି ତା’ର ଆରମ୍ଭ, କେଉଁଠି ତା’ର ଶେଷ ଜାଣିବା ବେଶ୍ କଷ୍ଟକର । ରାସ୍ତାରେ ଯିବାବେଳେ ସେ ଘର ଉପରେ ଆଖି ପଡ଼ିବ ହିଁ ପଡ଼ିବ ଓ ଆଖି ପଡ଼ିବା ମାନେ ବିସ୍ମିତ ହେବାକୁ ପଡ଼ିବ । ଏତେ ବଡ଼ ଯେଉଁ ଘର, ସେଥିରେ କେତେଜଣ ନଥିବ !

 

ଘରଟା ପୁରୁଣା ଅମଳର । କେଜାଣି କେଉଁ ମାନ୍ଧାତାଙ୍କ ତିଆରି । ଫିକା ହଳଦୀଆ ରଙ୍ଗ କ୍ରନିକ କାମଳ ରୋଗ କଥା ମନେପକାଇଦିଏ । ପୁଣି କେତେବର୍ଷ ଚୂନ କାମ ହୋଇ ନାହିଁ ଯେ ରଙ୍ଗ ଧୋଇଗଲାଣି । ଠାଏ ଠାଏ ପଲସ୍ତରା ଝସି ଇଟାର ପଞ୍ଜରା ଦିଶୁଚି । ମର୍ବିଡ଼ ମୁହୂର୍ତ୍ତରେ ବା ଫିକା ଜହ୍ନଆଲୁଅ ପଡ଼ିଥିବା ରାତିରେ ବା ଶୀତଦିନର କୁହୁଡ଼ିଘେରା ସକାଳରେ ସେ ଘର ଆଡ଼କୁ ଚାହିଁବା ମାତ୍ରେ ମନେହୁଏ ଯେମିତି ଅତିକାୟ ଗୋଟେ ମଣିଷ କୁଷ୍ଠରୋଗାକ୍ରାନ୍ତ ହୋଇ ପଡ଼ି ରହିଚି । ଦେହର କେତେ ଜାଗାରୁ ମାଂସ ଖସି ଧଳା ହାଡ଼ ଫୁଟି ଦିଶୁଚି ଓ ପାଖକୁ ଜମିଯାଇଚି କଷରା ବିଷାକ୍ତ ରକ୍ତ, ଓହଳି ପଡ଼ିଚି ପଚା ମାଂସ । ପୁଣି ବେଳେବେଳେ ମନେହୁଏ ଘରଟା ଗୋଟେ କ୍ଷୟପ୍ରାପ୍ତ ଆଭିଜାତ୍ୟର ପ୍ରତୀକ । ପୁରୁଣା ଦିନର ଜଣେ ଜମିଦାରଙ୍କ ଘରର ବୈଠକଖାନାରେ ସଜା ହୋଇଥିବା ଗୋଟେ ବାଘର ଡମି । ଲୋମ ଖସିଗଲାଣି । ଦେହର ରଙ୍ଗ ମହଳ ପଡ଼ି ଗଲାଣି । ତଥାପି ଆଖିଦୁଇଟା ଜୀବନ୍ତ ଉଜ୍ଜ୍ୱଳ ରହିଚି ଏବେବି ।

 

ଘରଟା ଯେମିତି ତା’ ସାମ୍ନା ରାସ୍ତାଟା ବି ସେମିତି । ରାସ୍ତା ଦୁଇକଡ଼ ବିଲକୁଲ୍ ଫାଙ୍କା । ସେଇ ଘରଟି ବ୍ୟତୀତ ଆଉ ଗୋଟାଏ ହେଲେ ଘର କି କୁଡ଼ିଆ ନାହିଁ । ଗଛ ତ ଦୂରର କଥା, କଣ୍ଟାଶିଝୁ ବୁଦାଟିଏ ବି ନାହିଁ । ଖରାଦିନର ମୁଣ୍ତଫଟା ଖରା, କି ଅଚାନକ ମେଘରୁ ଆତ୍ମରକ୍ଷା କରିବା ପାଇଁ ଟିକେହେଲେ ଆଶ୍ରୟ ମିଳିବାର ସମ୍ଭାବନା ନାହିଁ । ତଥାପି ସେ ରାସ୍ତାରେ ଚାଲିବାର ଆନନ୍ଦ ମୋ ପାଇଁ ଭିନ୍ନ ପ୍ରକାର । କେମିତି ଗୋଟାଏ ସମ୍ମୋହିତ ଅବସ୍ଥା ଆସିଯାଏ । ମନେହୁଏ, ମୁଁ ନିଜେ ଚାଲୁନାହିଁ । ମୁଁ ହୋଇଯାଉଚି ସାତଟା ପାଲଟଣା ଗୋଟାଏ ମୟୂରପଙ୍ଖୀ ଡଙ୍ଗା । ଅନୁକୂଳ ପବନ ମୋତେ ଭସେଇ ନେଇଯାଏ । ମନେହୁଏ, ମୁଁ ଆଉ ସାଇକେଲ ଖଣ୍ଡେ ଅଭାବରୁ ବାଧ୍ୟ ହୋଇ ପାଦରେ ଚାଲୁଥିବା କୁଞ୍ଜ ରାୟ ନୁହେଁ, ମୁଁ କେଉଁ ରୂପରାଜ୍ୟର ନଭୋଚାରୀ ରାଜକୁମାର । ସେ ରାସ୍ତାରେ ସନ୍ଧ୍ୟାପରେ ଆଲୁଅ ଜଳେ ସତ, ହେଲେ କେଜାଣି କେଉଁ କାରଣରୁ ସେ ଆଲୁଅ ଏତେ ମ୍ଳାନ ଓ ନିଷ୍ପ୍ରାଣ ଯେ ମୁଁ ଆଉ ସନ୍ଧ୍ୟାପରେ ସେ ରାସ୍ତାକୁ ଆଜନ୍ମ ଚିହ୍ନା ସହରର ନିତିଚଲା ରାସ୍ତା ବୋଲି ଭାବିପାରେ ନାହିଁ । ଜଣାପଡ଼େ, ସେ ଯେମିତି କେଉଁ ମାୟାପୁରୀର ରାସ୍ତା-। ସେଠାରେ ଆଲୋକର ଦେବତା ସାତତାଳ ପାଣି ତଳେ ଚଉଦତାଳ ପଙ୍କ, ତା’ ତଳେ ଅମୁହାଁ କାଚ ଘରର ଅମୁହାଁ କାଚ ବାକ୍‌ସ ଭିତରେ ବନ୍ଦୀ । କାଚ ପଙ୍କ ପାଣି ଭେଦି ଯେଉଁ ଟିକେ ଆଲୋକ ଆସି ସେ ରାସ୍ତାକୁ ଆଲୋକିତ କରେ, ସେଥିରେ ବାଟୋଇ ବାଟ ଖୋଜି ପାଇବାଠାରୁ ବାଟବଣା ହେବାର ସମ୍ଭାବନା ବେଶୀ । ସେ ଆଲୋକର ସରହଦରେ ପାଦ ଧୋଇବା ମାତ୍ରେ ବାଟୋଇ ପଶିଯିବ ଯାଦୁକରର କାଉଁରୀ ବେଢ଼ା ଭିତରେ ଓ ଥରେ ପଶିଗଲେ–ଭୟର ଅନତିକ୍ରମ୍ୟ ପାଚେରୀରେ ଧକ୍‌କା ଖାଇ କଳ୍ପନା ଆଉ ଆଗେଇପାରେନି, ଛାତି ଥରିଉଠେ, ଆଖି ବନ୍ଦ ହୋଇଆସେ । ଫଳରେ ଭୂତପ୍ରେତ, ରାକ୍ଷସୀ ପିଶାଚୀ, ମଦୁଆ ବେଶ୍ୟା, ମହାପୁରୁଷ ଭଗବାନ କାହାରିକୁ ନ ଡରୁଥିଲେ ବି ମୁଁ ସନ୍ଧ୍ୟା ପରେ ସେ ରାସ୍ତାରେ ପାଦ ପକାଇବାକୁ ବି ଡରେଁ; ଯଦିଓ ଦିନବେଳେ ଦିନକ ଭିତରେ ଦଶଲକ୍ଷ ଥର ସେ ରାସ୍ତାରେ ସେ ଘରକୁ ଚାହିଁ ଚାଲି ଚାଲି ଯିବା ଆସିବା କଲେ ମଧ୍ୟ ମୋର ଦେହ ବା ମନ କ୍ଳାନ୍ତ ହେବ ନାହିଁ ।

 

ଯେତେଥର ସେ ଘର ସାମ୍ନାଦେଇ ଯାଇଚି; ତୃଷିତ ଆଖିରେ ସେ ଘରଟାକୁ ଅନେଇ ଅନେଇ ଯାଇଚି । ଏତେ ବଡ଼ ଘର କ’ଣ ଜଣେ ଲୋକର ? ଯଦି ହୋଇଥାଏ, ତେବେ ସେ କେତେ ଧନୀ ନ ହୋଇଥିବେ ! କେତେ ଜଣ ନଥିବେ ସେ ଘର ଭିତରେ ! ନକ୍‌ସାକଟା କାଚ ଝାଡ଼ ଲଣ୍ଠନ, ହାତୀଦାନ୍ତର ପଲଙ୍କ ପାଖରେ ଶାଗୁଆନର ଚୌକି, ମେହଗାନୀର ଟେବୁଲ୍, ଟେବୁଲ୍ ଉପରେ ସୁନାର ଅତରଦାନୀ ଆଉ ରୁପାର ଫୁଲଦାନୀ, ଅତରଦାନୀରେ ହେନା ବା ଖସଖସର ମହକ ଫୁଲଦାନୀରେ ବ୍ଲାକ ପ୍ରିନ୍‌ସର ତୋଡ଼ା, ତଳେ ପାର୍ସିଆନ ଗାଲିଚା, ଗୋଟେ କୋଣରେ ମାର୍ବଲର ଲଙ୍ଗୁଳୀ ଅପ୍‌ସରା, ଅନ୍ୟ କୋଣରେ ଶିଶୁ କାଠର ଆଲମାରୀରେ ଥାକଥାକ ବହି । ଚମଡ଼ା ବନ୍ଧେଇ ବହି କଡ଼ରେ ସୁନେଲି ଅକ୍ଷରରେ ବହିର ନାମ, ବହି ମାଲିକଙ୍କ ନାମ । ଏତେ ବଡ଼ ଘରର ଲୋକମାନେ ବି କେତେ ସୁନ୍ଦର ହୋଇଥିବେ ! କନ୍ଦର୍ପ ରତିଙ୍କ ପରି । ଅନ୍ତତଃ ସିନେମାଷ୍ଟାରମାନଙ୍କ ପରି । କଥା କହିଲେ ବୀଣା ବାଜିବା ପରି ଶୁଭୁଥିବ, ହସିଲେ ଝରୁଥିବା ମୁକ୍ତା, ପାଦତଳେ ଫୁଟିଉଠୁଥିବ ସ୍ଥଳପଦ୍ମ, କାନ୍ଦିଲେ– । ନାଁ ସେମାନେ କାନ୍ଦିବେ କାହିଁକି ? କ’ଣ ତାଙ୍କର ଦୁଃଖ ଯେ ! ଏସବୁ ମୋର ନିଛକ କଳ୍ପନା । ଏପର୍ଯ୍ୟନ୍ତ ମୁଁ ସେ ଘରର କାହାରିକୁ ଜଣକୁ ହେଲେ ମୁହୂର୍ତ୍ତକ ପାଇଁ ବି ଦେଖିନାହିଁ, ଦେଖିନାହିଁ ସେ ଘରର ଝରକା କବାଟ ଖୋଲାଥିବାର । ସେ ଘରର ସମସ୍ତେ କ’ଣ ଉରାସିମା ତାରୋ ଯେ ଖୋଲା ପବନ ଖୋଲା ଆଲୁଅରୁ ନିଜକୁ ନିର୍ବାସିତ କରି ରଖିଛନ୍ତି । କିମ୍ବା ଆଭିଜାତ୍ୟ ଏମିତି ଅସୂର୍ଯ୍ୟଂପଶ୍ୟ ! ହୁଏତ ସେ ଘରେ ବର୍ତ୍ତମାନ କେହି ନାହାନ୍ତି । ଯେଉଁମାନେ ଥିଲେ, ସେମାନେ ସମସ୍ତେ ଯାଦୁକରର କାଉଁରୀହାଡ଼ ଛୁଆଁରେ ପବନରେ ମିଳେଇ ଯାଇଚନ୍ତି; ନଚେତ୍‌ ପଥର ପାଲଟି ଯାଇଚନ୍ତି । କୌଣସି ସମ୍ଭାବନାକୁ ମୁଁ ଉଡ଼େଇଦେଇ ପାରିବି ନାହିଁ ଅଳୀକ କହି । ଫଳରେ ସେ ଘର ପ୍ରତି ମୋ ମନରେ ଏକ ତୀବ୍ର କୌତୂହଳ ଜନ୍ମିଚି । ଦିନବେଳେ ଉତ୍‌କଣ୍ଠା ଆଗ୍ରହ, ସନ୍ଧ୍ୟାପରେ ସଙ୍କୋଚ ଓ ଭୟମିଶା କୌତୂହଳ-

 

ଭୟର କାରଣ, ଯେଉଁ ଲୋକମାନେ ଦିନବେଳେ ବି ଏତେ ଚୁପ୍‌ଚାପ୍‌ ସନ୍ଧ୍ୟାପରେ ସେମାନେ ହୁଏତ ତାଙ୍କ ଘରସାମ୍ନା ରାସ୍ତାରେ କୌଣସି ଅନାହୂତ ପ୍ରବେଶକାରୀର ମୃଦୁ ପାଦଶବ୍ଦ ମଧ୍ୟ ସହ୍ୟ କରି ପାରିବେନି । ହୁଏତ ଦୁଃଖରେ ମୁହ୍ୟମାନ ହୋଇପଡ଼ିବେ । ଲଜ୍ଜାରେ ଝାଉଁଳିପଡ଼ିବେ । ହୁଏତ ପ୍ରଚଣ୍ଡ କ୍ରୋଧରେ ଫାଟିପଡ଼ି ଖଣ୍ଡା ବା ବନ୍ଧୁକ ଧରି ମୋ ଆଡ଼କୁ ଦୌଡ଼ିଆସିବେ । ଆଉ ମୁଁ ଜାଣେ ଧୀରସ୍ଥିର ଲୋକ ସହଜରେ ରାଗନ୍ତି ନାହିଁ ଠିକ୍, ହେଲେ ଥରେ ରାଗିଲେ ତାଙ୍କ ରାଗ ସହଜରେ ଥଣ୍ଡା ହୁଏ ନାହିଁ । ଏମିତିବି ହୋଇପାରେ, ସେ ଘରେ ଦଳେ ଭୟଙ୍କର ଅପରାଧୀ ପୋଲିସଠାରୁ ଶାସନ ଓ ଆଇନଠାରୁ ଆତ୍ମଗୋପନ କରି ବସା ବାନ୍ଧିଛନ୍ତି । ଦିନସାରା ନୀରବ ଥାଆନ୍ତି, ସନ୍ଧ୍ୟା ପରେ ଆରମ୍ଭ ହୁଏ ତାଙ୍କର ଆଡ଼୍ଡ଼ା । ଆଉ ମୋତେ ସନ୍ଧ୍ୟା ପରେ ସେଠି ଦେଖିବାମାତ୍ରେ ରାକ୍ଷସପରି ଦାନ୍ତୁରା ଲୁହାଗଦା ବା ଫିଲ୍ମର ଖଳନାୟକ ପରି ଛୁରି ଧରି ଦୌଡ଼ିଆସିବେ । କିମ୍ବା ସେ ଘର ପ୍ରକୃତରେ ଜଣେ ସାଧକଙ୍କର । ସନ୍ଧ୍ୟା ପରେ ଆରମ୍ଭ ହୁଏ ତାଙ୍କ ସାଧନାର ଭୈରବଚକ୍ର । ମୋର ପାଦଶବ୍ଦ ତାଙ୍କ ତପସ୍ୟାରେ ବ୍ୟାଘାତ ଜନ୍ମାଇବା ମାତ୍ରେ ସେ ମୋତେ ଅଭିଶାପ ଦେଇ ଭସ୍ମରେ ପରିଣତ କରିଦେଇପାରନ୍ତି । ଏଇ ସବୁ ସମ୍ଭାବନା ମନ ଭିତରେ ଉଙ୍କିମାରିବା ଫଳରେ ମୋର ଭୟ ବଢ଼ିଯାଏ । ସବୁ ଆଗ୍ରହକୁ ଦମନ କରି ସନ୍ଧ୍ୟା ପରେ ସେ ରାସ୍ତାରେ ପାଦେ ଚାଲିବା ବି ନିଜକୁ ବିରତ ରଖେ ।

 

କିନ୍ତୁ ପ୍ରତିଟି ଜାଗ୍ରତ ମୁହୂର୍ତ୍ତରେ–ବେଳେବେଳେ ସ୍ୱପ୍ନରେ ମଧ୍ୟ–ସେ ଘରଟା ମୋ ଆଖିଆଗରେ ନାଚିଉଠେ । ପ୍ରବଳ ଝଡ଼ ପରେ ସମୁଦ୍ରରେ ଯେମିତି ଫେଣର ଫୁଲସବୁ ଭିତରେ ମଲା ମଗରଟାଏ ତା’ର ସାଦା ପେଟ ଦେଖାଇ ଭାସିଉଠେ ସେମିତି । ଦୁର୍ନିବାର ହୋଇଉଠେ ସେ ଘରର ଆକର୍ଷଣ । ଥରକ ପାଇଁ, ଅନ୍ତତଃ ଥରକ ପାଇଁ ସେ ଘର ଭିତରେ ପାଦ ଥୋଇବାର ଆକାଂକ୍ଷା ପ୍ରବଳ ହୋଇଉଠେ । କ’ଣ ଅଛି ସେ ଘର ଭିତରେ ଥରେ ଆଖି ବୁଲେଇ ଦେଖନ୍ତି । ସେ ଲୋକମାନଙ୍କ ସହିତ ପରିଚିତ ହୁଅନ୍ତି । ହୁଏତ ମୋର ସବୁ ସନ୍ଦେହ ଅମୂଳକ । ସେମାନେ ହୁଏତ ଆଦୌ ଖରାପ ଲୋକ ନୁହନ୍ତି, କେବଳ ତାଙ୍କର ଆଭିଜାତ୍ୟ ଓ ଲଜ୍ଜା ନେଇ ସେମାନେ ନିଜକୁ ଦୂରେଇ ରଖିଛନ୍ତି ବାହାର ଜଗତଠାରୁ । ଥରେ ସେ ଦ୍ୱାର ଖୋଲି ପଶିପାରିଲେ ସେମାନେ ବି ସ୍ୱାଭାବିକ ହୋଇଯିବେ, ସବୁ ଠିକ୍‌ଠାକ ହୋଇଯିବ । ଟସର ପୋକର ଖୋଳପା ଛଡ଼େଇ ପାରିଲେ ଟସର ମିଳେ, ଶାମୁକା ଖୋଲିଲେ ମୁକ୍ତା । ଏମିତି ବି ହୋଇପାରେ, ସେ ଘର ଜଣେ ମହାରାଜାଙ୍କର । ମାୟାବୀ ଦୈତ୍ୟ ରାଜାରାଣୀ, ମନ୍ତ୍ରୀ ସେନାପତି, ପାତ୍ରମିତ୍ର, ସୈନ୍ୟସାମନ୍ତ, ପ୍ରଜାବର୍ଗ ସମସ୍ତଙ୍କୁ ମାରିଦେଇଚି । କେବଳ ଅଛି ରାଜକୁମାରୀ, ଯାହାର ଶୈଶବ ଦୁରନ୍ତ ଦୈତ୍ୟକୁ ବି ସମ୍ମୋହିତ କରିଥିଲା । ଦୈତ୍ୟ ହୁଏତ ବର୍ତ୍ତମାନ ବୟସ ଭାରରେ ପଙ୍ଗୁ ଓ ଅଥର୍ବ । ରାଜକନ୍ୟା ହୁଏତ କ୍ଳାନ୍ତ ଓ ବିରକ୍ତ ଶୂନ୍ୟ ପୁରୀରେ ସେଇ ଏକ ବୁଢ଼ା ଦୈତ୍ୟକୁ ଦେଖି ଦେଖି । ମୁଁ ସେ ଘର ଭିତରକୁ ଯିବାମାତ୍ରେ ଦୈତ୍ୟ ହୁଏତ ମୋ ହାତରେ ରାଜକନ୍ୟାକୁ ଅର୍ପଣ କରି ଶେଷ ନିଃଶ୍ୱାସ ତ୍ୟାଗ କରିବ । ରାଜକନ୍ୟା ସହିତ ପାଇବି ଅତୁଳ ଐଶ୍ଚର୍ଯ୍ୟ । ରାଜକନ୍ୟା ପ୍ରଥମଥର ପାଇଁ ଦେଖନ୍ତା ଆଉଜଣେ ଜୀବନ୍ତ ମନୁଷ୍ୟକୁ । ସେ ମୁଗ୍‌ଧା ପ୍ରତିମାକୁ ହାତ ଧରି ନେଇଆସନ୍ତି ଝରକା ପାଖକୁ । ଝରକା ଖୋଲି ଦେଖାଇଦିଅନ୍ତି, ଏ ପୃଥିବୀ । ଚିହ୍ନାଇ ଦିଅନ୍ତି ଗ୍ରୀଷ୍ମର ଋକ୍ଷ ପୌରୁଷ, ବର୍ଷାର ଚଞ୍ଚଳତା, ଶରତର ସବୁଜ ଶୋଭା, ହେମନ୍ତର ନିସ୍ପୃହ ଗାମ୍ଭୀର୍ଯ୍ୟ, ଶିଶିରର ନିରାଭରଣ ଆଭିଜାତ୍ୟ, ବସନ୍ତର ଉନ୍ନତ୍ତ ଆନନ୍ଦ । ଅନିର୍ବଚନୀୟ ଆନନ୍ଦରେ ରାଜକନ୍ୟା ତା’ର ବୀଣାଜିଣା କଣ୍ଠରେ ପଚାରନ୍ତା, ଏଇଟା କ’ଣ ? ସେଇଟା କ’ଣ ? ଉତ୍ତର ଦେବାକୁ ଯାଇ କଣ୍ଠରୁ ମୋର ଝରିଆସନ୍ତା କବିତାର ଫଲ୍‌ଗୁ–କଳ୍ପନା ଉନ୍ମାଦର ସୀମା ଅତିକ୍ରମ କରିଯାଏ । ଘରଟିର ଆକର୍ଷଣ ଦୁର୍ବାର ହୋଇଉଠେ ।

କିନ୍ତୁ ପରକ୍ଷଣରେ ପୁଣି ସେଇ ସନ୍ଦେହ, ସେଇ ଆଶଙ୍କା ଓ ସେଇ ଭୟ ।

ଏଇ ଅସ୍ଥିର ଆବର୍ତ୍ତରେ ପଡ଼ି ଅନେକ କାଳ ଅନେକ କଷ୍ଟ ପାଇଚି । ଅନେକଥର ଠିକ୍ କରିଚି, ସେ ଘରକଥା ଆଉ ତୁଣ୍ଡରେ ଧରିବି ନାହିଁ କି ମନକୁ ଆଣିବି ନାହିଁ । କିନ୍ତୁ ପାରିନି ମୋର ପ୍ରତିଜ୍ଞା ରଖି । ସେ ଘରକଥା ମନକୁ ଆସିବାକ୍ଷଣି ଆଉ ସବୁ ଚିନ୍ତା ଓ ସମସ୍ୟା ମୋ ମୁଣ୍ଡରୁ ବାହାରିଯାଇଚି । କେବଳ ଗୋଟାଏ ସ୍ଥିର ଚିତ୍ର ଓ ଅନେକ ଭସାଭସା କଳ୍ପନାର କୁଣ୍ଡଳୀ ବ୍ୟତୀତ ମୋ ମନରେ ଆଉ କିଛି ଚିନ୍ତା ବା ସମସ୍ୟା ପାଇଁ ସ୍ଥାନ ରହି ନାହିଁ । ଯେମିତି ମୁଁ ନିଜେ ସେଇ ଚିତ୍ର, ସେଇ କଳ୍ପନାର ଅଚଳାୟତନ ଭିତରେ କେଉଁଠି ଲୀନ ହୋଇଯାଇଚି । ଯେମିତି ସେ ଘରର କୋଠରି ବାରନ୍ଦା, ବାରନ୍ଦା କୋଠରିର ଗୋଲକଧନ୍ଦା ଭିତରେ ନିଜେ ହଜି ଯାଇଚି ।

ଶୁଣିଚି ଗୋଟାଏ ଗୋଟାଏ ଘର ଅଛି, ଯେଉଁଠି ଭୂତମାନେ ନିର୍ଦ୍ଦିଷ୍ଟ ଗୋଟାଏ ତିଥିରେ ବା ଦିନରେ ଆଡ଼୍ଡ଼ା ଜମାନ୍ତି । କିନ୍ତୁ ବର୍ଷର ତିନିଶହ ପଞ୍ଚଷଠୀ ଦିନ ଚବିଶି ଘଣ୍ଟା ଯାକ ଭୂତକେଳୀ ଲାଗି ରହିଥିବା ଭୂତକୋଠି କଥା ଶୁଣିନଥିଲି । ଅଥଚ ମୋର ନିଜର ମନ ସେମିତି ଗୋଟେ କୋଠିରେ ପରିଣତ ହେଲାଣି, ଯେଉଁଠି ସଦା ସର୍ବଦା ସେଇ ଘର ଗୋଟାଏ ଭୂତ ପରି ତା’ର ଲୀଳା ଚଳେଇଚି । ଏଇ ଆକର୍ଷଣରୁ ଉଦ୍ଧାର ପାଇବାର ମାତ୍ର ଦୁଇଟି ଉପାୟ ହୁଏତ ମୋତେ ଏ ସହର ଛାଡ଼ି ଚାଲିଯିବାକୁ ପଡ଼ିବ [ ଯାହା ଅସମ୍ଭବ, କାରଣ ଏଠୁ ଗଲେ ରହିବି କେଉଁଠି, କରିବି କ’ଣ ଇତ୍ୟାଦି ଜାଗତିକ ପ୍ରଶ୍ନ ଯାହାର କୌଣସି ସତ୍ ସମାଧାନ ମୋତେ ଜଣାନାହିଁ ଓ ପୁନଶ୍ଚ ମୁଁ ଏ ସହର ଛାଡ଼ି ଗଲେ ବି ଯେ ସେ ଘରର ଭୂତ ମୋ ମନକୋଠି ଛାଡ଼ିଦେବ, ତା’ର ନିର୍ଭର ପ୍ରତିଶ୍ରୁତି କିଏ ଦେବ ମୋତେ ] ନଚେତ୍ ଅନ୍ତତଃ ଥରକ ପାଇଁ, ଅନ୍ତତଃ ମୁହୂର୍ତ୍ତକ ପାଇଁ ମୋତେ ସେ ଘର ଭିତରେ ପଶି ଏ ରହସ୍ୟର ଆଦରଣ ଉନ୍ମୋଚନ କରିବାକୁ ପଡ଼ିବ, ଯାହା ଥାଉ କପାଳରେ ।

ସେଦିନ ସକାଳରୁ କେମିତି ଗୋଟେ ଅଦ୍ଭୁତ କୁହୁଡ଼ି ଘେରି ରଖିଥାଏ, ମୋତେ ଆଉ ମୋର ଚାରିପଟର ପୃଥିବୀକୁ । ଏତେ ଅନୁଜ୍ଜ୍ୱଳ ସୂର୍ଯ୍ୟୋଦୟ ବୋଧହୁଏ ମୁଁ ଏଇ ପ୍ରଥମେ ଦେଖୁଚି-। ରାତିକ ଭିତରେ ଯେମିତି ଭଗବାନ ଗୋଟାଏ ଖିଆଲର ବଶବର୍ତ୍ତୀ ହୋଇ ଆକାଶରୁ ନୀଳରଙ୍ଗତକ ପୋଛିନେଇ ଫିକା ପାଉଁଶ କିଛି ବୋଳି ଦେଇଚନ୍ତି, ସୂର୍ଯ୍ୟକୁ ସମୁଦ୍ରରେ ବୁଡ଼ାଇ ବୁଡ଼ାଇ ନିସ୍ତେଜ କରିଦେଇଚନ୍ତି । ସକାଳରୁ ଝରକାଟା ଖୋଲିଦେବା ମାତ୍ରେ ଯେଉଁ ଦେବଦାରୁର ପତ୍ରସବୁ ସୂର୍ଯ୍ୟକିରଣ ପଡ଼ି ବର୍ଛାର ଉଦ୍ୟତ ଫଳକମାନଙ୍କ ପରି ଝଲସିଉଠନ୍ତି, ମୋର ଜଡ଼ତାକୁ ପ୍ରତିହତ କରିବାରେ ମୋତେ ସାହାଯ୍ୟ କରନ୍ତି, ସେମାନେ ବି ଆଜି ନିଷ୍ପ୍ରଭ । ପକ୍ଷାଘାତଗ୍ରସ୍ତ ବୃଦ୍ଧିପରି ସ୍ଥିର ପବନ । କେବଳ ଯାହା ସ୍କାଇ ଲାଇଟରେ ବସା ବାନ୍ଧିଥିବା ଘରଚଟିଆର ଡେଣାଝଡ଼ା ମୃଦୁ ଶବ୍ଦରେ ତା’ର ଅନ୍ୟଥା–ନୀରବ ଉପସ୍ଥିତି ! ବାହାରର ଆକାଶ ସୂର୍ଯ୍ୟ ପବନ ପରି ମୋ ମନଟା ବି ହୋଇଉଠିଲା ବିଷଣ୍ଣ–ଅଯଥାଟାରେ ହିଁ । କିନ୍ତୁ ପରକ୍ଷଣରେ ଆଉ ଏକ ବିସ୍ମୟର ଧକ୍‌କାରେ ବିଷଣ୍ଣତା ଦୂରେଇଯାଇ ମନକୁ ଆବୋରି ବସିଲା ଏକ ବିମୂଢ଼ତା । ଧକ୍‌କାଟା ଦେଲା ମୋର ବହୁ ପରିଚିତ ଦର୍ପଣ । ଆସି ସକାଳର ଏ କୁହୁଡ଼ି କ’ଣ ଆକାଶର ନୀଳିମା ସୂର୍ଯ୍ୟର ଉଜ୍ଜ୍ୱଳତା ଦେବଦାରୁ ପତ୍ରମାନଙ୍କର ଝଲକ ପବନର ଗତି ସାଙ୍ଗରେ ଦର୍ପଣରୁ ମୋର ପ୍ରତିଫଳନଟାକୁ ବି ଚୋରାଇନେଲା ? ରଜାଘର ପୋଖରୀ ଚୋରିହେବା ପରି ଇଏ ବି ଏକ ଆଶ୍ଚର୍ଯ୍ୟ ଘଟଣା । ବେଦମ୍ ହସିବାକୁ ଇଚ୍ଛାହେଲା; କିନ୍ତୁ ପରକ୍ଷଣରେ ମନେପଡ଼ିଗଲା–ସପ୍ତର୍ଷିମଣ୍ଡଳ ଭିତରୁ ଅରୁନ୍ଧତୀକୁ ଖୋଜି ନ ପାଇବା ପରି ଦର୍ପଣ ସାମ୍ନାରେ ଛିଡ଼ାହୋଇ ନିଜ ପ୍ରତିଫଳନ ଦେଖି ନ ପାରିବା ଏକ ନିର୍ଦ୍ଦିଷ୍ଟ ଅଶୁଭ ସଂକେତ ନୁହେଁ ତ ! ଛାଇ ନ ଥାଏ ମଲାଲୋକଙ୍କର । ମୁଁ କ’ଣ ତେବେ ମରିଯାଇଚି ? କାଲି ରାତି କ’ଣ ଶେଷରାତି ଥିଲା ମୋ ଜୀବନର ? ନାଁ–ହୁଏତ ଦର୍ପଣ ତା’ ସ୍ଥାନରେ ନାହିଁ ବା ସବୁ ଏଇ ମାୟା କୁହୁଡ଼ିର ପ୍ରଭାବ ବା ମୋର ଦୃଷ୍ଟିଭ୍ରମ ।

ଖବରକାଗଜବାଲାର ପରିଚିତ ସ୍ଵର କିନ୍ତୁ ଫେରାଇ ଆଣିଲା ମୋତେ ମୋର ନିଜସ୍ୱ ଚେତନ ଜଗତକୁ । ଯାହାସବୁ ଦେଖିଗଲି ସବୁ ଖାଲି ‘‘ଦୁଷ୍ଟ ତାନ୍ତ୍ରିକର ଗୁଣି ଆଉ ଗାରେଡ଼ିର ଖେଳ-।” କିସିଙ୍ଗରଙ୍କ ପ୍ୟାରିସ୍‍ଯାତ୍ରା ନିକ୍‌ସନଙ୍କ ବିବୃତି ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ଆଗାମୀ ପଞ୍ଚମବାର୍ଷିକ ଯୋଜନାର ଚିଠା, ଓଡ଼ିଶାରେ ଅନାହାରମୃତ୍ୟୁ, କଲିକତାରେ ନାରୀଧର୍ଷଣ ଓ ହତ୍ୟା ଡିସିଏମ ଟ୍ରଫିର ସେମିଫାଇନାଲ ଖେଳ ଆଇନ ଅଦାଲତ ସମ୍ବାଦର ଭିଡ଼ଭିତରେ ରାଜସ୍ଥାନ ଲଟେରୀର ଦୈନିକ ଉଠାଣର ଫଳାଫଳ ପାଖକୁ ଲାଗି, ଛୋଟ ଗୋଟିଏ ଚାରିକୋଣିଆ ଘର ଭିତରେ ଛୋଟ ଗୋଟେ ବିଜ୍ଞାପନ ଏକ ଡିପାର୍ଟମେଣ୍ଟାଲ ଷ୍ଟୋରର କ୍ଲିଏରେନ୍‌ସ ସେଲ୍, ଶତକଡ଼ା ପଚାଶ ରିହାତି ମିଳିବ । ମୋପରି ଗରିବପାଇଁ ଲଟେରି–ଟିକଟ–ବିକାଳି ଭାଷାରେ ଇଏ ଏକ ଗୋଲଡ଼େନ ସୁବର୍ଣ୍ଣ ସୁଯୋଗ । କିନ୍ତୁ ଇଏ କ’ଣ ? ନାଁ ମୁଁ ତ ଠିକ୍ ପଢ଼ୁଛି । ଆଃ, ମୋର ଏତେ ଆଶା ଆକାଙ୍‌କ୍ଷା ସ୍ୱପ୍ନ କଳ୍ପନାର ସେଇ ଘରଟାଇ କ’ଣ ତେବେ ଗୋଟେ ଡିପାର୍ଟମେଣ୍ଟାଲ ଷ୍ଟୋର-। ବନ୍ଦହୋଇ ପଡ଼ିରହିଚି ଏଇ ତିରିସବର୍ଷ ବା ଆହୁରି ଆଗରୁ ! ଦୀର୍ଘଶ୍ୱାସକୁ ଅଟକାଇ ପାରିବା ମୋର ସାଧ୍ୟାତୀତ । ସଂପୂର୍ଣ୍ଣ ଆଶାଭଙ୍ଗର ଏମିତି ଏଣ୍ଟିକ୍ଲାଇମାକ୍‌ସ ମୋର କଳ୍ପନାତୀତ ଥିଲା-। କେତେ କ’ଣ ନ ଭାବିଥିଲି ମୁଁ ସେ ଘରଟା ସଂପର୍କରେ ଶେଷ ପର୍ଯ୍ୟନ୍ତ ! ଏ ଆଶାଭଙ୍ଗ ପରେ ସେ ଘର ଭିତରକୁ ଆଉ ଯିବାର ପ୍ରଶ୍ନ ଅନ୍ୟ କେହି ମନକୁ ଆଣିନଥାନ୍ତା ବୋଧହୁଏ । କିନ୍ତୁ ଶତକଡ଼ା ପଚାଶ ରିହାତିର ଲୋଭ ସଂବରଣ କରିପାରିବା ମୋ ପକ୍ଷରେ ଅସମ୍ଭବ । ଆଜି ସନ୍ଧ୍ୟାରେ ମୁଁ ନିଶ୍ଚୟ ଯିବି । ଆଉ କୌଣସି ଦ୍ୱନ୍ଦ୍ୱ ନାହିଁ । ମନ ଏଥର ସ୍ଥିର ।

[ମନ ସ୍ଥିର ହେବାର ପରମୁହୂର୍ତ୍ତଠାରୁ କିନ୍ତୁ ଗପଟି ଆଉ ଆଗେଇ ପାରିଲାନି । ବ୍ୟକ୍ତିଗତ ଆହୁରି ଅନେକ ଆଶା ଆକାଙ୍‌କ୍ଷା ଅଭିଳାଷ ପରି ଏ ଗପଟି ମଧ୍ୟ ଅଧାବାଟରେହିଁ ରହିଗଲା । ସାହିତ୍ୟକୃତୀକୁ ସାହିତ୍ୟ ପଦବାଚ୍ୟ କରିବା ପାଇଁ ‘ସତ୍ୟ’ ‘ଶୁଦ୍ଧ ପରିକଳ୍ପନା’ ସହ ଆଉ ଯେଉଁ ତୃତୀୟବସ୍ତୁ (ଯାହାର ସଂଜ୍ଞା ମୁଁ ଜାଣିନାହିଁ ଅଥଚ ଲର୍କା କାଫ୍‌କା କ୍ୟାମୁ କାଜାନ୍ ଜାକିସ୍‌ ଜେନେଁ ବା ସେକ୍‌ସପିୟର ୟେଟ୍‌ସ ପ୍ରମୁଖ ‘ଗୁରୁ’ମାନଙ୍କ ରଚନାରେ ଯାହାର ସ୍ଥିତି ମୋତେ ମୁଗ୍‌ଧ ଓ ମୂଢ଼ କରିଦେଇଚି)ର ଆବଶ୍ୟକତା ଥାଏ ସେହି ତୃତୀୟ ବସ୍ତୁ । ଶକ୍ତିର ନିର୍ଦ୍ଦେଶରେହିଁ ଗପଟିକୁ ଏଇଠି ସାରିବା ପାଇଁ ବାଧ୍ୟହେଲି । ଯେଉଁ ‘ଥିମ୍’ ବାଛି ନେଇଥିଲି, ତାହାର ସଦ୍‌ବ୍ୟବହାର କରିପାରିବା ବୋଧହୁଏ ମୋର ସାଧ୍ୟାତୀତ ଥିଲା ।

ଏହାକୁ ପରୀକ୍ଷାମୂଳକ କହିପାରନ୍ତି । ନପାରନ୍ତି । ତେବେ ଏ ଗପଟିରେ ମୁଁ ଚେଷ୍ଟା କରିଚି ଯଥାସମ୍ଭବ ସାବଲୀଳ ସ୍ଵଚ୍ଛନ୍ଦତାର ସହିତ ଭାଷାକୁ କବିତାର ନିକଟତର କରିବାପାଇଁ । କିନ୍ତୁ ମୁଁ ଜାଣେ ମୁଁ ସେଥିରେ ସକ୍ଷମ ହୋଇନାହିଁ । କବିତା ସୁନ୍ଦରୀଙ୍କର ସୌକୁମାର୍ଯ୍ୟ ବୋଧହୁଏ ମୋର ପାଷଣ୍ଡର ସ୍ଥୂଳ ସ୍ପର୍ଶରେ ହାନିପ୍ରାପ୍ତ ହୋଇଚି । ସେଥିପାଇଁ ମୁଁ କ୍ଷମାପ୍ରାର୍ଥୀ–କବିତାଠାରେ, ତା’ର ଦକ୍ଷ ଶିଳ୍ପୀ ଓ ରସଜ୍ଞ ପ୍ରଶଂସକମାନଙ୍କଠାରେ । ଏହା ଏକ ସ୍ଵୀକାରୋକ୍ତି ।]

ମହା ଲେଖାକାର, ଓଡ଼ିଶା କାର୍ଯ୍ୟାଳୟ

ଭୁବନେଶ୍ଵର–୧

Image

 

ଜୀବନ ବୃତ୍ତ

କୈଳାସ ଲେଙ୍କା

 

ନାରୀ ପୁରୁଷ ସଂଗମର ଏକ ସାର୍ଥକ ବିନ୍ଦୁପାତର ଦୁର୍ଘଟଣାରୁ ଜୀବନର ଅଭ୍ୟୁଦୟ, ଦେହର ଗଠନ । କ୍ରମବର୍ଦ୍ଧିଷ୍ଣୁ ଦେହରେ, ସଂଗୃହୀତ ଉତ୍ତେଜନାର ସଙ୍ଗଠିତ ରମ୍ୟ ରାଗରେ ନାରୀ ଲୋଡ଼େ ପୁରୁଷ, ପୁରୁଷ ନାରୀକୁ । ପ୍ରେମ ଓ ମିଳନର ଏ ନିତ୍ୟ ବସନ୍ତର ଆଲୋଡ଼ନରେ ସେହି ସୃଜନର ସ୍ଵର, ଯେ ସ୍ୱର ସାର୍ଥକ ହୁଏ ସାମାଜିକ ମାଙ୍ଗଲ୍ୟ ଉତ୍ସବର ପରେ; ଅବା କାହିଁ ମାଙ୍ଗଲ୍ୟ ଗାନ୍ଧର୍ବ ବା ଆସୁରିକ, ଦେହ–ଦେହ ବିଦେହ ଐକ୍ୟରେ ବିବାହାର ।

 

ଜୀବନ ସ୍ୱୟୁମ୍ଭୂ । ପୁନର୍ବାର ବିନ୍ଦୁ ପାତର ଦୁର୍ଘଟଣାରୁ ଯେଉଁଦିନ ଜୀବନରୁ ଜୀବନ ସୃଷ୍ଟି ହୁଏ, ସେଦିନ ପୂର୍ଣ୍ଣ ସଫଳ ହୁଏ “ଜୀବନ’’–ବୃତ୍ତ । ପୂର୍ଣ୍ଣତାରେ ମୃତ୍ୟୁ । ଏହା ଏକ ଯୌକ୍ତିକ ଅବସ୍ଥା-

 

ସୃଷ୍ଟି ସ୍ରଷ୍ଟା ହେଲେ ତା’ ରୂପ, ରାଗ, ସୌନ୍ଦର୍ଯ୍ୟ, ବ୍ୟକ୍ତିତ୍ୱ ବିକାଶରୁ ବିଲୟମୁଖୀ ହୁଏ, ବିକ୍ତୃତ ରୁଗ୍‌ଣ ହୁଏ । ନୂତନ ବୃତ୍ତରୁ ପରିଧି ଛୁଏଁ ସେ ବୃତ୍ତ, ‘‘ଜଞ୍ଜାଳ ବୃତ୍ତ’’ । ଜୀବନପ୍ରେମୀ ମହା ମନାଷୀ ଯୁଗଜନ୍ମା ଏ ଜୀବନବୃତ୍ତର ପୂର୍ଣ୍ଣତାରେ ମରଣ ବିନ୍ଦୁ ଛୁଇଁ ଜଞ୍ଜାଳ ବୃତ୍ତରୁ ନିଷ୍କୃତି ହୁଅନ୍ତି । କାରଣ, ଜଞ୍ଜାଳ ବୃତ୍ତରେ ଜୀବନର ବିଲୟ କ୍ରିୟା–ପ୍ରତିକ୍ରିୟା ଜୀବନ ପ୍ରତି ଏକ ନିଷ୍ଠୁର ଅବମାନନା-

 

ବୁଦ୍ଧ ଦୁଇଟି ବିନ୍ଦୁ ସ୍ପଷ୍ଟ କରି, ଦ୍ୱିତୀୟରୁ ତୃତୀୟକୁ ଉତ୍ତୀର୍ଣ୍ଣ ଅବସ୍ଥାରେ ଭ୍ରମବଶତଃ ମରଣ ବିନ୍ଦୁ ଛୁଇଁବାର ସାହସ ହରାଇ ସ୍ଥଗିତ ହେଲେ । ଅଥଚ ଜଞ୍ଜାଳ ବୃତ୍ତର ପ୍ରତ୍ୟେକ ରେଖାଂଶକୁ ପ୍ରଚ୍ଛନ୍ନ ଭାବରେ ଅବଲୋକନ କରି, ନିଷ୍କୃତିର ପନ୍ଥା ଖୋଜି, ମୃଗନାଭୀ କସ୍ତୁରୀର ଅନୁ ସନ୍ଧାନରେ କୃଷ୍ଣସାରର ଅରଣ୍ୟ ମନ୍ଥନ କଲେ ସତ; କିନ୍ତୁ କସ୍ତୁରୀର ଅନୁସନ୍ଧାନ କରିପାରିଲେ ନାହିଁ, ଜଞ୍ଜାଳ ଭିତ୍ତିଭୂମିରେ ଧ୍ୟାନ, ଯୋଗ, ସିଦ୍ଧି; ତେଣୁ ‘‘ନିର୍ବାଣ’’ ଓ ‘‘ଅଷ୍ଟ ମାର୍ଗକୁ’’ ଜଞ୍ଜାଳ ବିଜଡ଼ିତ ବ୍ୟର୍ଥ ପୃଥିବୀର ଥୋକେ ଲୋକ ଆଂଶିକ ସ୍ୱୀକୃତି ଦେଲେ ମଧ୍ୟ ନିର୍ବାଣକୁ ଏକ ନିଷ୍ଠୁର ପରିଣତି ରୂପେ ପ୍ରତିପାଦିତ କରି ଶ୍ରେଷ୍ଠ ହେଲା ଏକାନ୍ତ ଜୀବନ-

 

ଟିକକ ପରେ ହିଂମାଶୁର ଦରପୋଡ଼ା ସିଗାରେଟଟିରେ ଲାଗି ରହିଥିବା ପାଉଁଶ ଗୁଳାଟା ଝରିପଡ଼ିବ । ମାଧ୍ୟାକର୍ଷଣର ଟାଣରେ ତାହା ବେଅକ୍ତିଆର ହେବା ଆଖି ମୁଦି ନିବିଷ୍ଟ ଚିତ୍ତରେ ହିଂମାଶୁ ଶୁଣୁଥିଲା ମୋର ନୂତନ କ୍ରାଙ୍କିଜମ୍ । ହିଂମାଶୁ ସମ୍ବୋଧନ କରି ଜନୈକ ମଧ୍ୟବୟସ୍କ ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କ ଅପ୍ରତ୍ୟାଶିତ ପ୍ରବେଶରେ ଅପ୍ରତିଭ ହୋଇ ହିଂମାଶୁ ଦରଜଳା ସିଗାରେଟଟିକୁ ଟେବୁଲ୍ ତଳେ ଫିଙ୍ଗିଦେଇ ବାଟା ଜୋତାର ସୋଲରେ ଚିପି ନିଆଁ ଧୂଆଁ ଲିଭାଇ ତା’ର ଅଜାଣତରେ ବୋଧେ ମୋ ଥିଓରିକୁ ସ୍ୱୀକାର କରୁଥିଲା, ଏବଂ ମୁଁ ଭାବୁଥିଲି ଭଦ୍ରବ୍ୟକ୍ତି ଜଞ୍ଜାଳଗ୍ରସ୍ତ, ତାଙ୍କ ସ୍ଥିତିକୁ ସେ ଦରଜଳା ସିଗାରେଟର ପରିଣତିକୁ ଟାଣିପାରିଲେ ନିଆଁ ଧୂଆଁରୁ ନିଷ୍କୃତି ନିଅନ୍ତେ ।

 

ନମସ୍କାର, ପ୍ରତି ନମସ୍କାର ଓ ପରସ୍ପରକୁ ଭୂମିକା ଆଦାନ ପ୍ରଦାନ ଭିତରେ ରହିଥିଲା ଏକ ନିରବଚ୍ଛିନ୍ନ ଅନ୍ୟମନସ୍କତା, ଯେପରିକି ପ୍ରତ୍ୟେକର ବିଭକ୍ତ ବ୍ୟକ୍ତିତ୍ୱର ଯେଉଁ ଅଂଶଟି ସାଧାରଣ ଓ ସାମଞ୍ଜସ୍ୟ ରହିଛି, ସେହି ଅଂଶର ଭାବ ବିନିମୟର ଧୂଆଁଧାର, ମାତ୍ର ଯେଉଁ ଅଂଶଟି ବ୍ୟକ୍ତିତ୍ୱର ପ୍ରଧାନ ଅଂଶ ଓ ପରସ୍ପରଠାରୁ ଭିନ୍ନ; ତାହା ଭିନ୍ନ ସମସ୍ୟା ଜଡ଼ିତ ।

 

ମୋର ପରିଚୟର ଆପେକ୍ଷିକତାରୁ ଅଧ୍ୟାପକ ଜେନା ମନ୍ତବ୍ୟ ଦେଇ କଥାର ଆରମ୍ଭ କଲେ । ଏ ଯୁଗରେ ପ୍ରତ୍ୟେକର ଆତ୍ମ ଅନୁଭୂତିର ନିବିଡ଼ ନିର୍ମମତାରୁ ଓ ଅନୁଭୂତି ହୀନ ଜ୍ଞାନର ଚମତ୍କାରିତାରୁ ପ୍ରତ୍ୟେକ ପ୍ରାୟ ମନ୍ତବ୍ୟ ଦେଇ କଥା କହିବା ଆରମ୍ଭ କରିଛନ୍ତି । ଓଡ଼ିଶାରେ କାହାରି ଗୋଟେ ସାହିତ୍ୟିକର ଜ୍ଞାନ ନାହିଁ । ଅଧ୍ୟାପକ ଜେନାଙ୍କର ଉକ୍ତିର ତାତ୍ପର୍ଯ୍ୟ ବୋଧେ ରବୀନ୍ଦ୍ର ନାଥଙ୍କର ବଞ୍ଚିବାର ପ୍ରାଣପ୍ରାଚୁର୍ଯ୍ୟ, ଡିକେନ୍‌ସଙ୍କ ବଞ୍ଚିବାର ନିର୍ମମ ସଂଗ୍ରାମ, ଇଲିଏଟ୍‌ଙ୍କ ବୌଦ୍ଧିକତାରେ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ, ଅନୁଧ୍ୟାନ, ଅନୁଶୀଳନ ମୋଟାମୋଟି କ୍ୱେଷ୍ଟ, ଇନ୍‌କ୍ୱେଷ୍ଟ, ଡିସ୍କଭରୀ ଇମିତି କିଛି ମୁଁ ନୀରବ ଥିଲି ।

 

ଅଧ୍ୟାପକ ଜେନା ଏକ ପରମ୍ପରା ଦୀର୍ଘଶ୍ୱାସ ଥରାଇଉଠି ଠିଆହେଲେ । ଅବସ୍ଥା ଚକ୍ରରେ ହିମାଂଶୁକୁ ଆତିଥ୍ୟ ଦେଇନପାରିବାରୁ ମୁଁ ଚିନ୍ତିତ ଥିଲି । ହିମାଂଶୁ ଚଞ୍ଚଳ ହେଉଛି କିପରି ଷ୍ଟେସନ ଓ୍ୱେଟିଂ ରୁମ୍‌ରେ ପହଞ୍ଚି ରାତି ରହଣୀର ବ୍ୟବସ୍ଥା କରିବ ।

 

ସରଳ ମିଥ୍ୟାର ସୁଯୋଗ ନେଇ ଓ୍ୱେଟିଂରୁମ୍‌ରେ ତା’ର ରହିବାର ବ୍ୟବସ୍ଥା କଲି । ମୁଁ ବି ସାହଚର୍ଯ୍ୟ ଓ ସହାନୁଭୂତି ଦୃଷ୍ଟିରୁ ସେଇଠି ରାତ୍ରି ବିତାଇବାର ନିଷ୍ପତ୍ତି ନେଲି ।

 

ହିମାଂଶୁ ତା’ ବିବାହ ଚିନ୍ତାରେ ବ୍ୟସ୍ତ । ବରାଦ, ଝିଅଟି ବେଶି ପାଠ ପଢ଼ିନଥିବ । ନିଶ୍ଚୟ ସୁନ୍ଦରୀ ହୋଇଥିବ ଏବଂ ହିମାଂଶୁର କେତେକ ପ୍ରାରମ୍ଭିକ ସମସ୍ୟାର ସମାଧାନ ପାଇଁ କିଛି ମୋଟା ଧରଣର ଯୌତୁକ ଦରକାର । ବାସ୍....ଏମିତି ଅନେକ କିଛି କହି ଯନ୍ତ୍ରଣାକ୍ଳାନ୍ତ ହିମାଂଶୁ ଶୋଇପଡ଼ିଲା ।

 

ମୋ ମନରେ ନାରୀ, ପ୍ରେମ, ବିବାହ ଏମିତି କିଛି ଚିନ୍ତାର ଗୁଜବ ପୁରୁଣା ମାଟି, ଜଙ୍ଗଲ, ଇଟା, ପାହାଡ଼ ଗୁମ୍ଫାର ନାଚକୁଦ, ଟଣାଟଣି–ଖରା ପାଣିଖିଆ ଟାଣୁଆ ମାଉଁସର ଖୋଳପା ଛାଡ଼ି ।

 

ପୁଣି ଏହି ପାଖାପାଖି ଶବ ବଣ, ଛଣଗଦା, କଣ୍ଟେଇ ବ’ଣ, ଆମ୍ବ ମାଳ–ଦୋଳପୁନେଇ କୁଆଁର ଉତ୍ସବ–ଖେଳ, ଗୋଳ, କଳିମେଳର କାତି ଛାଡ଼ି–

 

ଚିଠିପତ୍ରର, ହୋଟେଲ–ପ୍ରେକ୍ଷାଳୟ–ପିକ୍‌ନିକ୍–ଫନ୍‌ଫେୟାର ସଂସ୍କରଣର ନୂତନ ବିଡ଼ମ୍ବିତ ପ୍ରେମିକ ପ୍ରେମିକା ଆମେ ସବୁ । ଆସ୍ତେ ଆସ୍ତେ ପୃଥିବୀରୁ ତାତ କମୁଛି । ଦିନେ ପୃଥିବୀ ଏକ ଉତ୍ତପ୍ତ ପିଣ୍ଡୁଳା ଥିଲା, ଦିନେ ପୁଣି ଉଷାର–ହେମାଳ ହେବ– ।

 

ଅଣୁ ବାହାରେ ନୀଳ ଆକାଶର ବ୍ୟସ୍ତତା ମୁହୁର୍ମୁହୁଃ ରକେଟର ଆକ୍ରମଣରେ ରୋମାନ୍‌ଟିକ ଚନ୍ଦ୍ର ଆଜି ପ୍ରେମ ଛାଡ଼ି ଆତ୍ମରକ୍ଷା ପାଇଁ ଚିତ୍କାର ଛାଡ଼ୁଚି ।

 

ମଣିଷ ଦେହ–ମନରୁ ରଙ୍ଗ ଛାଡ଼ିଲାଣି । ମନ ଖାଲି ଜଳକା ଆଇନା । ଦେହ ଖାଲି ଚୁନପଥରର ଫର୍ମା ।

 

ତଥାପି ହିମାଂଶୁର ମନରେ ବି ବିବାହର ତନ୍ଦ୍ରା ।

 

ଅଚଖା ମନରେ ମାଂସର ଅବୁଝା ମାଦକତା ।

 

କଦମ୍ବବନର, ଯମୁନା ଜଳର, ମୁରଲୀ ସ୍ୱପ୍ନର ଆଜି ସ୍ୱପ୍ନ

 

ଚୂନପଥରର ହିଂମାଶୁ ଟିକେ ଝକମକିର ସାହଚର୍ଯ୍ୟ ଖୋଜୁଛି, ପାଉଁଶ ହେବାକୁ ? ଜଳକା ଅଇନାରେ ମହମମଖା, କଜଳଲଗା ହସ ଖୁସିଆ ଛବି ଦେଖିବ, ଛବି ମାଖିବ, ମାଖି ମାଖି, ଅଇନାରୁ ସିରିସ ଛଡ଼ାଇ ସ୍ୱଚ୍ଛ କାଚ–ସାଦା–କାଚ କରିବ ମନକୁ– ?

 

ଯମୁନାର ତୃଷ୍ଣା ଜୀବନର ନିର୍ଭୁଲ ଜିଗୀଷା, ପ୍ରକୃତି ଓ ପୁରୁଷର ଆତ୍ମଜିଜ୍ଞାସାର ହିଂମାଶୁ ଉଷ୍ମ.... ।

 

ଚଞ୍ଚଳ ଯୌବନର ଚକ୍‌ମକି ମନନେଇ, ଜହ୍ନଆଲୁଅରେ ରାତି ଯାକ ଯୁଡ଼ି ବୁଡ଼ୁ ହୋଇ ପୋଖରୀ ଉପର ମଲ୍ଲୀ ଗଛରୁ ଦରଫୁଟା ମଲ୍ଲୀ ତୋଳି ସୁବାସରେ ଚହଟି, ମହକି, ଉଷ୍ମତାରେ, କୌତୁକରେ ପ୍ରଗ୍‌ଳଭରେ ଆତ୍ମହରା ହୋଇ ସେ ନିର୍ଜନ ଜହ୍ନ ରାତିରେ ‘‘କୃଷ୍ଣା ଓ ମୁଁ’’ ପରସ୍ପରକୁ ବାରମ୍ବାର ନିବିଡ଼ ଆଲିଙ୍ଗନ କରିଥିଲୁ । ସେଦିନ ସେ ଚରମ ମୁହୂର୍ତ୍ତର ତିଥିରେ ଯଦି ଆମେ ଆତ୍ମହତ୍ୟା କରିଥାନ୍ତୁ, ସେ ଏକ ସଫଳ ଶୁଭଙ୍କର ଆକର୍ଷଣୀୟ, ଆଦରଣୀୟ ଜୀବନରୂପେ ଲକ୍ଷ ଲକ୍ଷ ଜୀବନରେ ଆଲୋଡ଼ନ ଆଣିଥାନ୍ତା । ଜୀବନ ଆମର ସାର୍ଥକ ହୋଇଥାନ୍ତା । କୃଷ୍ଣା ଆଜି ‘ବୈଦିକ’ ବିଡ଼ମ୍ବନାର ବ୍ୟସ୍ତ ଆଢ଼ୁଆଣି ତଳେ ଲମ୍ପଟ ସ୍ୱାମୀର ନିର୍ମମ ଅତ୍ୟାଚାର ସହୁନଥାନ୍ତା !

 

କି,

 

ମୁଁ କାମୁକୀ ‘‘ମନସ୍ୱିନୀର” ସୀମନ୍ତ ସିନ୍ଦୂରକୁ ଆଘାତ ଦେଇ ତା’ର ପ୍ରରୋଚନାରେ ସେ ତାକୁ କୁଳଟା କରିନଥାନ୍ତି; ଅବା କ୍ଳବଘର ।

 

ନାଚର ଘେରରେ ମିଶି ସୁଭ୍ରା ସହ ହୋଃ ହୋଃ, ହାଓ ଆର ଇଉ ବ୍ୟର୍ଥତା ଓ ଶୂନ୍ୟତାର ତୁଳା ଭିଣି ଭ୍ରାନ୍ତିର ଚିତାରେ ଶ୍ଵାସରୁଦ୍ଧ ହୋଇନଥାନ୍ତି । ମଦ୍ୟପ (‘ବିଭୁ’ ସହ ଉଜୁଡ଼ା ବସ୍ତିର ‘ଚନ୍ଦ୍ରାତମାଳି’ ବା କଟୁତିକ୍ତ ଅନୁଭୂତିର ସେ ରେଜା ‘ହେମି’) ସହ...ଛି, ଛି, ବଞ୍ଚିବାକୁ ‘ବାରମଜା’ ପରି ଶସ୍ତା କରିନଥାନ୍ତି ।

 

ବୟସ ବ୍ୟବଧାନରେ ‘ବୃତ୍ତ’ର ପରିଧି ଡେଇଁ କକ୍ଷଚ୍ୟୁତ ଲକ୍ଷ୍ୟଭ୍ରଷ୍ଟ ମୁଁ ଆଜି କିମ୍ଭୂତାକାର ।

 

ରକ୍ତିମ ଅଧର, କାଖତଳ ଝାଳବାସ୍ନା, ଦଂଶନର ବିଷ, ମହୁ, ବୁକୁମାଂସ, କଟିମାଂସ, ପ୍ରଶସ୍ତ ନିତମ୍ବ, ଶ୍ଵେତ ଜଘନ, କଦମ୍ବ ରୋମାଞ୍ଚ, ବିପଞ୍ଚିର ସପ୍ତସ୍ୱର.....ସବୁ ଖାଲି ମଦର, ମାଂସର ରାଗ–ରାଗ ‘‘ଚିକିନ କାରିର’’ ଅଜୀର୍ଣ୍ଣ ଅନୁଭୂତିର.... ।

 

ଶ୍ଵାସ ରୁଦ୍ଧର ଆଶ୍ୱସ୍ତ ବେତବୁଣା ଚଉକିର ବୁଣା ଗାଣ୍ଠି ପିଠିର ମାଂସ ଚିମୁଟିଲା, କାମୁଡ଼ିଲା I ହିଂମାଶୁକୁ ନିଦ ଘାରିଛି । ନିଦ ଚାପରେ ଚାପିହୋଇ ସେ ଘୁଙ୍ଗୁଡ଼ି ଛାଡ଼ୁଛି ।

 

ଉଠି ବାହାରକୁ ଗଲି । ନିର୍ଜନ ପ୍ଲାଟଫର୍ମ, ଗାଡ଼ିର ବେଳ ବିଳମ୍ବ ଅଛି । ଛେପ, ଖଙ୍କାର, ପାଦଧୂଳିର ଅସ୍ତିତ୍ଵ ଭୁଲି ପଞ୍ଝାକୁ ପଞ୍ଝା ଶୋଇଯାଇଥାନ୍ତି । ନିର୍ବିକାରରେ ଆନନ୍ଦ ।

 

ବୋକାମୀ ବୁଦ୍ଧିମାନର ଆତ୍ମଦର୍ଶନ । ଘୁରୁ ଘୁରୁ ଥକାହୋଇ ଛିଡ଼ାହେଲି । ମଳିକୋଚଟ ଲୁଗା ନେଳିଆ ଯାମାଟା ପିନ୍ଧି ଛାତି ପକେଟରେ ମେଞ୍ଚାଏ ଦଉଡ଼ା, କିଛି କାଗଜ ପୂରାଇ, ନିଦରେ ଅଚେତ୍ ହୋଇ ଶୋଇରହିଛି ଶୁଭେନ୍ଦୁ ।

 

ଡକ୍‌ଟର ପ୍ରଧାନଙ୍କ ଅଗ୍ରଜ ସମାଜସେବୀ ବିଶ୍ୱମ୍ବର ବାବୁଙ୍କ ଜ୍ୟେଷ୍ଠପୁତ୍ର ଶୁଭେନ୍ଦୁ । ଶୁଭେନ୍ଦୁ ଏକ ଜିନିୟସ୍ । ଏକଥା ମୁଁ ଅନେକଙ୍କୁ କହି ଆସିଥିଲି । କିନ୍ତୁ ଶୁଭେନ୍ଦୁ ଅଚେତ୍ ହୋଇପଡ଼ିଛି । ପାଟିଉପରେ ମାଛି ବସୁଛନ୍ତି । କଳା ଧରିଛି । ଡଷ୍ଟବିନ୍‌ରେ ମୁକ୍ତ ଦେହରେ ଅନେକ ବାସନା । ଏ ହୃଦବିଦାରକ ଦୃଶ୍ୟ ଦେଖି ଲୁହ–କୋହର ଗୁପ୍ତ ବୟାର ସତେଯେମିତି ଶୁଭେନ୍ଦୁ ମୋର ଅନେକ କିଛି । ମନର, ବୁଦ୍ଧିର, ରୁଚିର ଆପଣାର ଶୁଭେନ୍ଦୁକୁ ଜାଗ୍ରତ କରାଇ ତାକୁ ଆତ୍ମହତ୍ୟା କରିବାକୁ ଉପଦେଶ ଦେଇଥାନ୍ତି ।

 

ହିମାଂଶୁର ନିଦ ଭାଙ୍ଗିଛି । ସେ ମୋ ପଛରେ ଠିଆହୋଇ ଡାକୁଛି ଚା’ ଖାଇବାକୁ ।

 

ନୀରବରେ ତାକୁ ଅନୁସରଣ କଲି । ବିଷାକ୍ତ ଚେତନାରୁ ଚା’ର ଚିଆଁ ବିଷ ଝଡ଼େ, ଚେ’ ଖାଇ ଦୁର୍ବଳ ସ୍ଖଳିତ ଚିନ୍ତାଖିଅକୁ ସିଗାରେଟ ଧୂଆଁରେ ମୂର୍ଚ୍ଛାହତ କରି ମୁଁ ଆରମ୍ଭକଲି, ହିମାଂଶୁ କାନ ପାତିଲା ।

 

ମୁଁ କହିଲି, ଅସାଧାରଣକୁ ସାଧାରଣ ବୁଝିପାରେନା । ସାଧାରଣକୁ ସାଧାରଣ କରିବାକୁ ବଳ, କୌଶଳ ପ୍ରୟୋଗ କଲେ (ଜିନିୟସ୍) ପ୍ରତିଭାବାନ ପାଗଳ ହୁଏ ।

 

କହୁଛି ଶୁଣ !

 

ସେତେବେଳକୁ ତାକୁ ପନ୍ଦରବର୍ଷ । ବାବା ମା’ଙ୍କର ଏକମାତ୍ର ପୁତ୍ର ସନ୍ତାନ । ବାବା ତାଙ୍କର ରାଜନୈତିକ ଅଭିଳାଷର କରୁଣ ବିପର୍ଯ୍ୟୟ ପରେ ବଡ଼ ସିନିକ୍ ହୋଇପଡ଼ିଥାନ୍ତି । ଭାରତର ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଖକୁ ବିଶ୍ୱ–ସମସ୍ୟା ସମ୍ବନ୍ଧରେ ତାଙ୍କର ବ୍ୟକ୍ତିଗତ ବିଚାରକୁ ଓ ଦୃଷ୍ଟିକୋଣକୁ କାର୍ଡ଼, ଲଫାପା ମାଧ୍ୟମରେ ପଠାଇ କାଁ ଭାଁ ଉତ୍ତର ପାଇ ତାକୁହିଁ ଏକମାତ୍ର ଆଲୋଚନା, ଆଳାପନିର ଅବଲମ୍ବନ କରି ବଞ୍ଚିଥାନ୍ତି । ସବୁ ସତ୍ତ୍ୱେ ପ୍ରତ୍ୟେକକୁ ସନ୍ଦେହ କରିବା ତାଙ୍କର ଏକ ବଳିଷ୍ଠ ଅଭ୍ୟାସ ହୋଇଯାଇଥାଏ । ପ୍ରତ୍ୟେକ ସମୟରେ ସେ ଭାବନ୍ତି ଯେ, କିଏ ନା କିଏ ତାଙ୍କ ବିଷୟରେ ‘‘କ୍ଲିକ୍” କରୁଛନ୍ତି–ତାଙ୍କର ଭବିଷ୍ୟତର ସମସ୍ତ ପ୍ଲାନ୍‍କୁ ପଣ୍ଡକରି ତାଙ୍କର ଅମରତ୍ୱ ସତ୍ତା ଲୋପ କରିବାର ଉଦ୍ୟମରେ ଅଛନ୍ତି । ଏହି ମାନସିକ ଦ୍ୱନ୍ଦ୍ଵର ଶିକାର ହେଲେ ତାଙ୍କର ସହଧର୍ମିଣୀ ଦୀର୍ଘ ଦଶବର୍ଷ ଧରି । ତେଣୁ ଦଶବର୍ଷଧରି ଉଭୟଙ୍କର ସାକ୍ଷାତ ପର୍ଯ୍ୟନ୍ତ ନଥାଏ । ପ୍ରତିଦିନର କାର୍ଯ୍ୟ ନିର୍ଘଣ୍ଟରୁ ସେ ନିହାତି କମ୍‌ରେ ସ୍ତ୍ରୀଙ୍କ ଜୀବନଦର୍ଶନକୁ ଏକ ନୀଚ–ବସ୍ତୁବାଦୀ ନାରୀ ଅଭିଳାଷ ବୋଲି ପ୍ରମାଣ କରିବାକୁ ଅନ୍ତତଃ ଦଶ, ପନ୍ଦର ବିଶିଷ୍ଟ ବୁଦ୍ଧିଜୀବୀଙ୍କ ମତର ଉଦ୍ଧାର କରି ପ୍ରମାଣ କରନ୍ତି ।

 

ପନ୍ଦର ବର୍ଷର ପୁତ୍ର ଏ ଦୁଇଟି ଭିନ୍ନ ଜୀବନର ଯୋଜକ ହେଲେ ବି ଉଭୟର ଚାପାରେ ବଡ଼ ବିକଳ ହୁଏ । ପାଦର ବଳାଗଣ୍ଠିରୁ ଅଣ୍ଟା ପର୍ଯ୍ୟନ୍ତ ମାପ ନେଇ ଚିପା ଅଣ୍ଡରଓୟାର କରି ବାବା ଦିଅନ୍ତି ପିନ୍ଧିବାକୁ ଫୁଲପ୍ୟାଣ୍ଟ ତଳେ । କାରଣ ଆଡୋଲ୍‌ସେନ୍‌ସ ଡେଞ୍ଜରସ୍ । ମା’ଙ୍କ ପାଖରୁ ଯଥେଷ୍ଟ ପଇସା ମିଳେ, ଖର୍ଚ୍ଚ କରି ମ୍ୟାନର୍‌ ନ ଶିଖିଲେ ପିଲାର ସ୍ମାର୍ଟନେସ୍ କମିଯିବ । ସେଇ ପନ୍ଦର ବର୍ଷର ଶୁଭେନ୍ଦୁକୁ ମୁଁ ଆବିଷ୍କାର କରିଥିଲି ଏକ ରାତ୍ରିର ନିସ୍ତବ୍‌ଧ ପ୍ରହରରେ ।

 

ତାଙ୍କରି ଘରେ ଆତିଥ୍ୟ ପାଇନି, ଲାଜକୁଳା ମଉନ ଶୁଭେନ୍ଦୁ ସହ ମିଶିବାର ସୁଯୋଗ ଓ ଆବଶ୍ୟକତା କେବେ ନଥିଲା । ସେ ରାତ୍ରିର ନିସ୍ତବ୍‌ଧ ପ୍ରହରରେ ଘର ଭିତରେ ଆଲୋକ ଜଳୁଥିବାର ଦେଖି ଅନ୍ୟମନସ୍କ ଭାବେ ଯେବେ ଯାଇଁ ମୁଁ ଝରକା ପାଖରେ ଠିଆହେଲି, ସ୍ତମ୍ଭୀଭୂତ ହେଲି । ସାଧାରଣ ଏକ ଇଞ୍ଚର ଚକ୍ ଖଡ଼ି ଭିତରେ ଜୀଇଉଠୁଛି, ନାରୀତ୍ୱ...ପତଳା ବ୍ଲେଡ଼ଧାରରେ ଧାରୁଆ ମନ ପ୍ରଖର ହୋଇ ସ୍ମୃତିର ସ୍ୱାକ୍ଷରକୁ ରୂପ ଦେଉଛି । ସୂକ୍ଷ୍ମ–ତୀକ୍ଷ୍‌ଣ ବୁକୁରୁ ହଠାତ୍ ବ୍ଲେଡ଼ ଖସିଲା ନାରୀର ପୃଷ୍ଠ ଭାଗର ନିତମ୍ବକୁ । ଖୁବ୍ ସତର୍କତାର ସହିତ ନିତମ୍ବରୁ ସୁଷୁମ୍ନାର ରେଖାକୁ ପ୍ରଚ୍ଛନ୍ନ କରୁଛି ଶୁଭେନ୍ଦୁ ! ମୁଁ ଆତ୍ମବିସ୍ମୃତ ହୋଇ ଚିତ୍କାର କଲି...‘‘ତମେ ଜିନିୟସ୍ ଶୁଭେନ୍ଦୁ’....

 

ଲଜ୍ଜା ଆଶ୍ଚର୍ଯ୍ୟର ହତବାକ୍ ଶୁଭେନ୍ଦୁର ନିଶ୍ଚଳ ଆଖିପତାରେ ସ୍ଥଗିତ ଭାବସମୂହ, ବିମୂଢ଼ ସେ । କାରଣ ଏପର୍ଯ୍ୟନ୍ତ ତା’ର ଅନ୍ତରତମ ସମସ୍ତ ଉଚ୍ଛ୍ୱାସକୁ ସେ ଢାଙ୍କି ରଖିଥିଲା, କେବଳ ବାବା, ମା’ଙ୍କ ଦୃଷ୍ଟିରୁ ନୁହେଁ, ପ୍ରାୟ ପ୍ରତ୍ୟକଙ୍କ ଠାରୁ । କିନ୍ତୁ ଏସବୁର ଆଦର ଅଛି; ଆବଶ୍ୟକତା ଅଛି । ସେ ପ୍ରଥମ କରି ସେଦିନ ବୁଝିଲା । ଦରଜା ଖୋଲି ଦୁହେଁ ଆମେ ଅନେକ ବେଳଯାଏ ବସିଲୁ । ତା’ର ଅନେକ ଚିତ୍ର; କ୍ଷୁଦ୍ରଗଳ୍ପକୁ ମୁଁ ପ୍ରଥମ ପାଠକ ଓ ଦର୍ଶକ ରୂପେ ଅଭିବାଦନ କଲି । ତା’ର ସବୁଠାରୁ ଶ୍ରେଷ୍ଠ ଚିତ୍ରଟିକୁ ସେ ଉପହାର ଦେଇଥିଲା ମୋତେ, ଯାହା ଅଜିଯାଏ ବି ମୋର ଏକାନ୍ତ ଆପଣାର ଓ ଆଦରଣୀୟ ।

 

ଏକ ସବୁଜ ପ୍ରାନ୍ତରର କୋମଳ ଦୁର୍ବାଦଳ ଉପରେ ଶୋଇରହିଛି ପୂର୍ଣ୍ଣ ଉଲଗ୍ନ ନାରୀଟି-। ସୁସ୍ଥ ନିଶାର ପ୍ରତ୍ୟେକଟି ଅଂଶର ଗଠନ ନିକ୍ଷୁଣ ଓ ତୀକ୍ଷ୍‌ଣ । ନାରୀଟିର ନିବିଷ୍ଟ ଦୃଷ୍ଟି ନିବଦ୍ଧ ଦୂରଦିଗନ୍ତ ଏକ ବଳାକାର ଉପରେ ଦୂରତାର ଅତ୍ୟନ୍ତ ବ୍ୟବଧାନରେ ଯାହା ଏକ ଶ୍ୱେତ ବିନ୍ଦୁର ଚିହ୍ନପ୍ରାୟ... ।

 

ମୁଁ ପ୍ରଶ୍ନ କରିଥିଲି ଶୁଭେନ୍ଦୁକୁ–ଉଲଗ୍ନ ନାରୀର ଛବି ଦେବାର ତାତ୍ପର୍ଯ୍ୟ କ’ଣ ?

 

ସେ ଆଦୌ ଏକମତ ନଥିଲା ଯେ ନାରୀଟି ଉଲଗ୍ନ । ମୁଁ କେବଳ ଆଶ୍ଚର୍ଯ୍ୟ ହେଲିନି ବରଂ ଜୋର ଦେଇ କହିଲି, ସେ ନାରୀ ଦେହର ପ୍ରତ୍ୟେକ ଅଂଶ ମୋ ପ୍ରାଣରେ ନିଛକ ଯୌନ ଜିଗାସାର ସଞ୍ଚାର କରୁଛି ।

 

ସେ ତା’ର ଉତ୍ତରରେ କହିଥିଲା ଯେ ମୁଁ ମୋର ବ୍ୟକ୍ତିତ୍ୱକୁ ଟପି ତା’ର କଳାକୁ ଆହରଣ କରିପାରୁନି । ସେ କହିଲା ଯେ, ନାରୀଟି କୌଣସି ଦର୍ଶକର ଯୌନ ପ୍ରବୃତ୍ତିକୁ ଜାଗରୁକ କରେଇବା ଉଦ୍ଦେଶ୍ୟରେ ଉଲଗ୍ନ ନୁହେଁ । ଅନ୍ୟ କାହାର ସ୍ଥିତି ସମ୍ବନ୍ଧରେ ସେ ସଚେତନ ନୁହେଁ |

 

ଏପରିକି ନିଜ ଦେହରୁ ତା’ର ଚେତନା ଦୂରେଇଯାଇ ବଳକ ପକ୍ଷରେ ସେ ଶ୍ଵେତ ବିନ୍ଦୁରେ ଲୋଟେଇ ବିଲୟ ନେଇ ମହାବିଶାଳ ଅବଚେତନରେ ସାମଗ୍ରିକ ଶୂନ୍ୟତାରେ ଏବଂ ଦେହ ତା’ର ପ୍ରକୃତିର ଅଂଶ ମାତ୍ର । ସେ ଆଉ ନାରୀ ନୁହଁ ସେ ପ୍ରକୃତି ।

 

ସାମାନ୍ୟ ଉତ୍ତେଜିତ ହୋଇ ସେ କହିଥିଲା, ମୁଁ ଯଦି ତାକୁ ଉଲଗ୍ନ କୁହେ ତାହେଲେ ଚିର ଉଲଗ୍ନ ସମସ୍ତ ପୃଥିବୀ–ଗଛପତ୍ର–ଜହ୍ନ ତାରା–ଆକାଶ–ସମୁଦ୍ର....

 

ସେଇ ଶୁଭେନ୍ଦୁକୁ ଭେଟିନଥିଲି ଅନେକ ବର୍ଷ । ଅନ୍ତତଃ ତିନି ଚାରି ବର୍ଷ । ହଠାତ୍ କଲିକତାରେ ଶୁଣିଲି ‘‘ଜୀବନତୃଷ୍ଣା” ଫିଲ୍ମର ସୁଟିଂ ପାଇଁ ଅନେକ ବନ୍ଧୁ ଆସିଛନ୍ତି । କଥାବସ୍ତୁ ଓ ସଂଳାପ ଶୁଭେନ୍ଦୁର । ‘‘ଓ୍ୱେଷ୍ଟଇଣ୍ଡିଜ’’ ହୋଟେଲରେ ତାକୁ ଭେଟିବାକୁ ଯାଇଁ ସେଦିନ ମୁଁ ଶୁଭେନ୍ଦୁକୁ ଭେଟିଥିଲି ତା’ ଜୀବନର କ୍ଲାଇମାକ୍‌ସରେ–ସତରେ ଏକ ଚରମ ମୁହୂର୍ତ୍ତରେ । ଅନେକ ସମୟରେ ମୁଁ ଭାବେ କାହିଁକି ମୁଁ ତାକୁ ଭେଟି ଯାଏ ସର୍ବଦା ଏକ ଅଦ୍ଭୁତ ମୁହୂର୍ତ୍ତରେ ? ଏ କ’ଣ ଅଭିପ୍ରେତ ?

 

ଓ୍ୱେଷ୍ଟଇଣ୍ଡିଜ ହୋଟେଲର ଅନୁସନ୍ଧାନ ଅଫିସ୍ ପାଖରେ ମୁଁ ଦେଖିଲି ଶୁଭେନ୍ଦୁ, ସେ ଯାଉଥିଲା । ସେ ମୋତେ ଦେଖିନଥାଏ । ବିପରୀତ ଦିଗରୁ ଆସୁଥିଲା ନର୍ତ୍ତକୀ ଚପଳା । ହଠାତ୍ ଉଭୟେ ସାମନା ସାମନି ହେଲେ ଉଭୟେ ଉଭୟକୁ ନିର୍ବାକ ହୋଇ ଚାହିଁ ରହିଲେ । ଆଖି ଆଖି–କାଚ ଆଖି ...ଶୁଭେନ୍ଦୁ ଥରିଉଠୁଥାଏ ହଠାତ୍ ବାଟକାଟି ଇତସ୍ତତଃ ଯିବାର ଉଦ୍ୟମରେ । ଚପଳାର ଦେହରେ ବାଜିଯାଇଛି ଶୁଭେନ୍ଦୁର ଦେହ । ଲଜ୍ଜା ଓ ସ୍ପନ୍ଦନ କାତର ଶୁଭେନ୍ଦୁ କ୍ଷମା ଚାହୁଁଛି....ହସିହସି, ହସ ଆଉ ଅଜସ୍ର ଫୁଲଝରିର ଦୃଷ୍ଟି ଝରାଇ ଚପଳା ଯାଇଛି ବାଥ୍‌ରୁମ୍‌କୁ ।

 

ମୁଁ ଶୁଭେନ୍ଦୁ ପାଖକୁ ପାଖେଇ ଯାଉଥିଲି, ହଠାତ୍ ବାଜିଉଠିଲା ସୀତାର । ଭଗ୍ନ ସ୍ୱର ତାନରେ ପ୍ରଚୁର ଜୀବନର ପ୍ରବଳ ଉନ୍ମାଦ । ସ୍ୱରତାନ ଉଚ୍ଚାଙ୍ଗ ହେଉଛି । ଶ୍ରୋତାର ଲୟକୁ ପଛକୁ ଠେଲି ତାନ ଉଠୁଛି ଅନନ୍ତକୁ । ସତେଅବା ଦେହକୁ ଓଲାରି ଦେଇ ଆତ୍ମା ଛୁଟୁଛି ଆକାଶକୁ, ଆକାଶରୁ ଅନନ୍ତକୁ.....ପ୍ରଗଳ୍‌ଭତା ଓ ତନ୍ମୟତାରେ ବାୟୁ କମ୍ପୁଛି– । ଆତ୍ମ କମ୍ପନରେ ମୁଁ ବି କେମିତି ଥରିଉଠୁଥିଲି । ବାଥ୍‌ରୁମ୍‌ରୁ ଚିତ୍କାର କରୁଛି ଚପଳା–ତା’ର ବ୍ୟସ୍ତତା ଓ ବିରକ୍ତିର ଚିତ୍କାର ଯେ, କିଏ ତା’ର ସୀତାର ଧରିଛି । କିନ୍ତୁ ଅନନ୍ତ ତନ୍ମୟତା ମଧ୍ୟରେ ଅଧିକାରର ପ୍ରଶ୍ନ ବା ଉଠୁଛି କାହିଁ ? କିଏ ବା ସଚେତନ ଉଚ୍ଚାଙ୍ଗ ସ୍ୱରତାନର ଉଚ୍ଚାଟରେ, ଚପଳାର ଉଚ୍ଛନ୍ନ ଚିତ୍କାର ମଧ୍ୟ ସେ ସ୍ୱରର ଅଙ୍ଗୀଭୂତ ହେଉଛି ।

 

ମୁଁ ନିର୍ବାକ ହୋଇ ଠିଆ ହୋଇଥାଏ ଶୁଭେନ୍ଦୁର ଅତି ପାଖରେ । ଚପଳାର ଚିତ୍କାର ସତ୍ତ୍ଵେ ବି ଶୁଭେନ୍ଦୁକୁ ବନ୍ଦ କରିବାର ଚେତନା ମୋର ନଥାଏ । ମୁଁ ପ୍ରାୟ ନିସ୍ପନ୍ଦ । ହଠାତ୍ ଅର୍ଦ୍ଧ ଉଲଗ୍ନ....ଜଳଭିଜା, ମୁକୁଳା କେଶର, ଉତ୍ତେଜନା–ଅନ୍ଧ ଚପଳା ଧାଇଁଆସି ଉଦ୍ଧତ ସର୍ପିଣୀ ପରି ଏକ ଉଦ୍ଧତ–ଉନ୍ନତ ଚିତ୍କାରରେ ସାରା ହୋଟେଲ କମ୍ପାଇ କଷି ଦେଇଛି ଶୁଭେନ୍ଦୁ ଗାଲରେ ଏକ ଶକ୍ତ ଚାପୁଡ଼ା...ସତେଅବା ଉପୁଡ଼ିପଡ଼ିଲା ତନ୍ମୟତା ।

 

ସତେଅବା ଆକାଶ ଛିଡ଼ିପଡ଼ିଲା ପାହାଡ଼–ଜଙ୍ଗଲ ଭିତରେ, ସୀତାରଟିକୁ ଖୁବ୍ ଜୋରରେ ଫିଙ୍ଗିଦେଇ ମୁର୍ଚ୍ଛାହତ ଭାବେ ଟଳିପଡ଼ିଲା ଶୁଭେନ୍ଦୁ.....

 

ଅନେକ ଲୋକଙ୍କ ସମାବେଶରେ ସେ ଥିଲା ସଂଜ୍ଞାହୀନ୍.....ଏଇ ମାତ୍ର ତିନିବର୍ଷରୁ ଅତୀତ । ତାପରେ ଶୁଣିଥିଲି ତା’ର ଇଚ୍ଛା ବିରୁଦ୍ଧରେ ସେ ମାନ୍ଦ୍ରାଜରେ ଇଞ୍ଜିନିୟରିଂ ପଢ଼ୁଛି । ଆଉ ଏବେ ଦେଖିବ ଚାଲ ଶୋଇଯାଇଛି ନିର୍ବିକାରରେ । ପାଟିରୁ ଗରଳ ଝରି ମାଛି ଭଣଭଣ ମୁହଁରେ । ମୁହଁରେ ଦାଢ଼ି, ମୁଣ୍ଡରେ କାବୁରି ଜଟା, ଛାତି ପକେଟରେ ଚିରା କାଗଜ....ରସି ଦଉଡ଼ି...

 

ହିଂମାଶୁକୁ କହିଲି, ସେଦିନର ମୂର୍ଚ୍ଛା ଘାତରୁ ଚେତନା ଲାଭ ପରେ ସେ ଆତ୍ମହତ୍ୟା କରିବା ଉଚିତ ଥିଲା ।... ତମେ ବିବାହ କର । ମୁଁ ବିବାହ କରୁଛି ଖୁବ୍ ନିକଟରେ । ହିଂମାଶୁ ଚିହ୍ନି ନଥିଲା....ମୁଁ କହିଲି ମାନ୍ଦ୍ରାଜର ବେଳାଭୂମି (ମାରିନାରେ) ଏକ ସଫଳ ସନ୍ଧ୍ୟାରେ ଅହେତୁକ ଭାବେ ମୁଁ ଆବିଷ୍କାର କରିଛି ‘‘ଶୁଭଲକ୍ଷ୍ମୀ”କୁ । କେବଳ “ଜୀବନ ବୃତ୍ତ’’ର ସାର୍ଥକତା ପାଇଁ ଆମର ବିବାହ ସ୍ଥିର କରିଛୁ । ବାହୁବନ୍ଧନ ଓ ଦେହ ମନର ଅତିରିକ୍ତ ଶିଖର ସେ ପାନରୁ ଖସିବା ମାତ୍ରେ ଦୁହେଁ ଆମେ ବିଷ ମିଶ୍ରିତ ମଦ୍ୟପାନରେ ମିଶିଯିବୁ ଗୋଟିଏ ବିନ୍ଦୁରେ । ସେଦିନ ହିଂମାଶୁକୁ ସେଇ ଆଶୀର୍ବାଦ କରିଥିଲି...

 

ଆଜି...

 

ବୃତ୍ତର ପୂର୍ଣ୍ଣାଙ୍ଗତା ପାଇଁ ଆଉ ମାତ୍ର ରେଖାଏ ସମୟ । “ଶୁଭ ଲକ୍ଷ୍ମୀ” କେପ୍ କାମୋରିନରେ ପହଞ୍ଚି ଉତ୍ସବ ଆୟୋଜନ କରୁଥିବ–ତା’ର ରକ୍ତିମ ଅଧରର କୃଷ୍ଣ ତିଳରେ; ସେ ଆଗତ–ଆରତ ମୁହୂର୍ତ୍ତର ତୀକ୍ଷ୍‌ଣ–ସୂକ୍ଷ୍ମ ବିନ୍ଦୁରେ ମୋର ଲୟ–ଯେ ବିଲୟରେ ଜୀବନରେ ଜୟ....ଜଞ୍ଜାଳର ବିଲୟ–

 

ଆତ୍ମା.....ଅବିନାଶି ହେଉ କି ଆତ୍ମା ଅକ୍ଷୟ ହେଉ; ଅନାବଶ୍ୟକ ।

 

ଆଡ଼ଭୋକେଟ

କଟକ–୨

Image

 

କେତେ ରଙ୍ଗ ସମୟର

ଗୁରୁ ମହାନ୍ତି

 

ଅନେକ ପଥକ୍ଳାନ୍ତି ପରେ ମୁଁ ଯେଉଁଠାରେ ବିଶ୍ରାମ ନେଲି, ସେ ଏକ ଆଧୁନିକ ସହରର ଅତ୍ୟାଧୁନିକ ହୋଟେଲ । ମୋ କୋଠରି ନମ୍ବର ୨୮ ଓ ସେଥିରେ ଦୁଇଟି ବେଡ଼୍ । ବାଥ୍‌ରୁମ୍ । ସ୍ୱୟଂସମ୍ପୂର୍ଣ୍ଣ କୋଠରିଟିଏ । ର‍୍ୟାକ୍‌ରେ କିଛି ଇଂରାଜୀ ଓ ହିନ୍ଦି ବହି । ବିରାଟ ଏକ ଦର୍ପଣ ଏବଂ ଏକ ଓ୍ୱାଡ୍ ରୋନ୍ ।

 

ମୁଁ ସିଙ୍ଗିଲ ବେଡ଼୍‍ରୁମକୁ କାହିଁକି ମୋଟେ ପସନ୍ଦ କରେନାହିଁ ।

 

କୋଠରିଟିର ଚଟାଣଟି ମୋଜାଇକ୍‌ । କାନ୍ଥ ସାମାନ୍ୟ ନୀଳରଙ୍ଗ, ନିୟନ ଆଲୁଅ କୋଠରିଟିକୁ ପୂର୍ଣ୍ଣ କରି ରଖିଛି ।

 

କାର୍ଯ୍ୟ ନଥିଲେ ବି କାର୍ଯ୍ୟର ଆଳ ଦେଖାଇ ମୁଁ ଅନେକ ସମୟରେ ଘରୁ, ମୋ ପରିଚିତ ସହରଠାରୁ ବାହାରକୁ ବାହାରି ଆସି ଏପରି ଏକ ଏକୁଟିଆ କୋଠରିରେ କିଛିଦିନ କଟାଇ ପୁଣି ନିଜ ସହରକୁ ଫେରିଯାଏ । ଗୋଟାଏ ଯନ୍ତ୍ରପରି ବ୍ୟସ୍ତଥିବା ମଣିଷ ମୁଁ, ହୋଟେଲରେ ଶୋଇ ଶୋଇ, ନିଜ ବିଷୟରେ କିଛି ଚିନ୍ତାକରି, ଅନେକଙ୍କୁ ନେଇ ମୋର ପରିଚିତ ସ୍ଥିତିକୁ ଭାବି ଭାବି ଆନନ୍ଦ ପାଇ ଓ ହୋଟେଲ ବୟ ଉପରେ ଭୀଷଣ ବିରକ୍ତି ପ୍ରକାଶ କରି ଫେରିବା ଦିନ ତାକୁ ମୋଟା ବକ୍‌ସିସ୍ ଦେଇ ଫେରିଯାଏ ।

 

ମୋ ସହରର ମୁଁ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି, ମୋର ପରିଚିତ ବହୁ ଲୋକଙ୍କ ନିକଟରେ-। ମୋ ସହରର ଏକ ସମ୍ଭ୍ରାନ୍ତ ବସ୍ତିରେ ମୋର ତ୍ରିତଳ ପ୍ରାସାଦ ଓ ମୋର ଡ୍ରାଇଭର ଗାଡ଼ଧରି ମୋତେ ଅପେକ୍ଷାକରି ବସି ରହେ, ଘଣ୍ଟାପରେ ଘଣ୍ଟା । ଡ୍ରାଇଭରଗୁଡ଼ାକ କେବଳ ସେମାନଙ୍କ ଅପେକ୍ଷା ପାଇଁ ଦରମା ପାଇଥାନ୍ତି । କାମକରି ଅର୍ଥ ଉପାର୍ଜନ କରିବା ଯେପରି ଏକ ସାମାଜିକ ନିୟମ, କାର୍ଯ୍ୟବ୍ୟସ୍ତ ଲୋକଙ୍କୁ ଅପେକ୍ଷା କରି ଦୀର୍ଘ ସମୟ ବସିରହିବା ମଧ୍ୟ ଏକ କାର୍ଯ୍ୟ ଓ ଅର୍ଥୋପାର୍ଜନର ଅନ୍ୟ ସ୍ୱତନ୍ତ୍ର ନିୟମ ।

 

ମୋ ଘରର ରଙ୍ଗ ଓ ଡିଜାଇନ ବଦଳାଇବା, ପ୍ରତିବର୍ଷର ନୂଆଗାଡ଼ିର ମୋହ ଓ ପ୍ରତିଦିନ ଦାଢ଼ିକଟା ମୋତେ ଗୋଟାଏ କଂକ୍ରିଟର ମଣିଷ ପରି ଗଢ଼ିତୋଳିଛନ୍ତ । ମୋର ପିଲାମାନେ କନ୍‌ଭେଣ୍ଟ ଓ କ୍ୟାମ୍ବ୍ରିଜ୍‌ରେ ଇଂରାଜୀ ମାଧ୍ୟମରେ ପାଠ ଶିଖନ୍ତି ଓ ମୋ ଡ୍ରଇଂରୁମ୍‌ର ଗୋଟାଏ କଣମାଡ଼ି ଏକ ବିରାଟ ପିଆନୋ କେବଳ ବେଳେବେଳେ ରାତିଅଧରେ ବାଜିଉଠେ ଓ ସେଥିରୁ ମୁଁ ଶୁଣିବାକୁ ପାଏ ଗୋଟିଏ ନିରୀହା ନାରୀର ଯୁଗଯୁଗର ଦୀର୍ଘଶ୍ୱାସ । ମୁଁ ବହୁ ରାତିରେ ନିଜ ବିଛଣାକୁ ଯାଏ ଓ ବଡ଼ିସକାଳୁ ଉଠି କାର୍ଯ୍ୟରେ ବ୍ୟସ୍ତ ରହେ । ମୋର ପରିଚିତା ପ୍ରେମିକା, ଯାହାକୁ ମୁଁ ବିବାହ କରିଛି, ତା’ର ମୁହଁ ଅନେକ ଦିନରୁ ମନେନାହିଁ । ପିଲାଙ୍କ ନିକଟରେ ମୁଁ କେବଳ ଗୋଟାଏ ଡାଡ଼ି, ସପ୍ତାହର ଶେଷଦିନରେ ସେମାନେ ମୋର ଦେଖାପାଆନ୍ତି ।

 

ଏ ଯେଉଁ ସହରରେ ମୁଁ ଆସି ପହଞ୍ଚିଛି, ସେଠାରେ ମୋର ପରିଚୟ ନାହିଁ । ଏକ ବିରାଟ ଜନସମାଗମ ଭିତରେ ବ୍ୟକ୍ତିତ୍ୱ ହଜିଯିବାର ଦୁଃଖ ଥିଲେ ବି ନିଜ ଭିତରର ମଣିଷଟାକୁ ଲୁଚାଇ ରଖିବାର ଆବଶ୍ୟକତା ପଡ଼େନାହିଁ । ଛଳନା ଏପରି ଏକ ବଡ଼ ସହରରେ ହୁଏତ ଖୁବ୍ ଉତ୍କଟତର; କିନ୍ତୁ ମୋପରି ଦୁଇ ତିନିଦିନର ଅତିଥି ପାଇଁ ତା’ର ବି ଆବଶ୍ୟକତା ମୋଟେ ମୁଁ କେବେ ଅନୁଭବ କରିନାହିଁ ।

ମୁଁ ଦିନ ଚାରିଟାରୁ ଏ ସହରରେ ପହଞ୍ଚି ସିଧା ସିଧା ହୋଟେଲକୁ ଆସି ରୁମ୍ ବନ୍ଦକରି ଶୋଇରହିଛି । ବୟ ମୋର ଆବଶ୍ୟକୀୟ କଫି ଓ ସିଗରେଟ୍‌ ରଖିଦେଇ ଦର୍ଜା ବନ୍ଦ କରିଦେଇ ଯାଇଛି । ତା’ର ଉପସ୍ଥିତି ରାତି ୧୦ଟା ପର୍ଯ୍ୟନ୍ତ ମୋ ନିକଟରେ ଅନାବଶ୍ୟକ ।

୨୮ ନମ୍ବର ରୁମ୍‌ର ପୂର୍ବପଟ ଝର୍କାରୁ ମୁଁ ବିଛଣାରୁ ହାମୁଡ଼େଇ ସହରର ପ୍ରଧାନ ରାସ୍ତାକୁ ନିରୀକ୍ଷଣ କରୁଛି । କେତେ ରଙ୍ଗ, ବର୍ଣ୍ଣ । କେତେ ସ୍ୱାଭାବିକ ଓ ଅସ୍ୱାଭାବିକ, କ୍ଷିପ୍ର ଓ ଶିଥିଳ ଗତି । ସାଇକେଲ, ସ୍କୁଟର ଟ୍ରାମ ଓ ଅନେକ ବିରାଟ ଅସୁରପରି ସେଗୁଡ଼ାକ I କାର୍‌ର ଧାଡ଼ି-। ରଙ୍ଗ ବେରଙ୍ଗର ଗାଡ଼ି–ମଟର ଦେଖିଲେ ମଣିଷର ପରିଚୟ ଓ ପରିପାଟୀର ଆଭାସ ମିଳୁଛି । ରାସ୍ତାରେ ଅପେକ୍ଷା ନାହିଁ । ଯେ ଯାହାର କାର୍ଯ୍ୟ ଓ କାରଣ ଭିତରେ ପେଷିହୋଇ ଗୋଟାଏ କ୍ୟୁରେ ଛିଡ଼ାହେବା ମଣିଷପରି ଚାଲିଛନ୍ତି-। କ୍ୟୁଗୁଡ଼ାକ ଗତି କରୁଛନ୍ତି କେହି କାହାକୁ ନ ଅନାଇଁ ବା କାହାର ଆବଶ୍ୟକତା ଅନୁଭବ ନକରି । ଏପରି ଚାଲିବା ଗୋଟାଏ ଅଭ୍ୟାସରେ ପଡ଼ିଗଲାଣି-। ଏପରି କ୍ୟୁ–ଜୀବନ ବ୍ୟତିରେକେ, ଜୀବନ ଯେପରି ମୂଲ୍ୟହୀନ ସେମାନଙ୍କ ପାଇଁ ।

ରାସ୍ତାରୁ ଏକ ବିରାଟ ପଟୁଆର, ଲମ୍ବା ନିଆଁହୁଳା ଓ ପତାକା ଧରି ଧାଡ଼ିବାନ୍ଧି ସେଇ କ୍ୟୁରେ ଚାଲିଛନ୍ତି । ରାସ୍ତା ଅବରୋଧ କରି ମାଡ଼ିଆସୁଛନ୍ତି । ସ୍ଲୋଗାନ–ସ୍ଲୋଗାନ ଭିତରେ ରାସ୍ତାର କ୍ଲାନ୍ତି ଭୁଲିଯାଇଛନ୍ତି । ସେମାନଙ୍କର ବୋନସ ଦରକାର । ମହଙ୍ଗାଭତ୍ତା ଓ ଘରଭଡ଼ା ଏବଂ ଚିକିତ୍ସାର ଆବଶ୍ୟକୀୟ ଅର୍ଥ ସରକାର ଦେବା ଉଚିତ । ଚାରିଦିନ ହେବ କାମରେ ଯୋଗ ନଦେଇ କେବଳ ସଭା ଓ ଶୋଭାଯାତ୍ରା । ଚାରିଦିନ ଧରି କାର୍ଯ୍ୟ ନ ହୋଇ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା କ୍ଷତି ଘଟିଯିବା ପରେ ସେମାନଙ୍କର ଧାରଣା ଗୋଟାଏ ସମାଧାନର ବାଟ ସରକାର ଖୋଜିବେ । ସରକାରଟାକୁ ଏକଘରକିଆ କରି କ୍ଷତିରେ ପକାଇଲେ, କେବଳ ମାତ୍ର ଲାଭ ।

ଅଶିକ୍ଷିତ, ଅରକ୍ଷ, ଟିପଚିହ୍ନଦିଆ ନିତିଦିନର କୁଲି ବା କ’ଣ ବୁଝିବ ସରକାର କିଏ ଓ କାହାର ? ସେ ବା କାହିଁକି ପଚାରିବ ସେ କେବେ ଭୋଟ୍ ଦେଇଥିଲା ? କାହାକୁ ? କି ଆଦର୍ଶ ପାଇଁ ବା କି ଉଦ୍ଦେଶ୍ୟରେ ? ସେ ଦେଖୁଛି ତା’ଠାରୁ ଅଧିକ ଜାଣିଲା ଓ ପାରିବାର ମଣିଷଟା, ତା’ସାଥୀ କୁଲିଭାଇଟା ଗୋଟାଏ ସ୍ଲୋଗାନ ଦେଲା ଏବଂ ସେ ବି ଦେଲା । ଏ ଏକ ପାଥେୟ ତା’ପାଇଁ । ଏଥିରେ ଚିନ୍ତା କରିବାକୁ ବା ଚିନ୍ତାକରି କାର୍ଯ୍ୟ କରିବାକୁ ବା ପ୍ରଶ୍ନ କରିବାକୁ ସମୟ ମିଳେନାହିଁ । ଠେଲାଠେଲି ।

ନୀତି-ନିୟମ ଓ ଆଦର୍ଶ ଏକ ପୁରୁଣାକାଳିଆ ମତବାଦ । ଗଣପାଇଁ ଜଣକର ଜୀବନ । ଜଣକପାଇଁ ଗଣ କ’ଣ ଅପେକ୍ଷା କରିବ ନା ପଛରେ ପଡ଼ିରହିବ !

କାନ୍ଥ ପୋଷ୍ଟରରୁ ବୁଝାଯାଉଛି, ସହର ବନ୍ଦପାଇଁ ଡାକରା । ଆଜି ସଭାରେ ନିଷ୍ପତ୍ତି ନ ହେଲେ, ବୋନସ୍ ଓ ମହଙ୍ଗାଭତ୍ତାର ହାର ପରିବର୍ତ୍ତନ ନହେଲେ, ସହର ବନ୍ଦ । ପାଣିପାଇପ୍, ଇଲେକ୍‍ଟ୍ରିକ୍ ମଜଦୁର ସେଥିରେ ଯୋଗଦେବେ ଓ ସହରକୁ ଚବିଶ ଘଣ୍ଟାପାଇଁ ପଙ୍ଗୁ କରିଦେବେ ।

ଗୋଟାଏ ଦ୍ରୁତ ଜୀବନକୁ ବ୍ରେକ୍ ଦେଇ କିଛି ସମୟ ଅଚଞ୍ଚଳ କରିଦେଲେ, କେତେ ଲୋକ ମୋପରି ନିଶ୍ୱାସ ମାରିପାରନ୍ତେ ! ଉପବାସ ଓ ଗରମରେ ସଢ଼ି ସଢ଼ି ଆମପାଇଁ ଦିନରାତି ଖଟୁଥିବା ମଣିଷ ଗୁଡ଼ାକଙ୍କ ପାଇଁ ଆମେ ସମବେଦନା ଜଣାଇ ପୁଣି ତାଙ୍କ ସାଥିରେ ମିଳି ସରକାର ଭାଙ୍ଗିବୁ ।

 

କୁଲି ମଜଦୁର ରାମିଆ ବା ଫଗୁଆ କାହିଁକ ରୁଝିବେ, ତା’ ୟୁନିୟନର ସଭାପତିର ଉଦ୍ଦେଶ୍ୟ ! ନିର୍ମଳବାବୁ ତ ଜଣେ ଶିକ୍ଷିତ ପାରିଲାପଣିଆର ମଣିଷ । ସେ ଖାଲି ସାଧାସିଧା ମଣିଷ ନୁହଁନ୍ତି, ମଣିଷ ଚରାଇଲା ମଣିଷ ସେ । ତାଙ୍କର ଗୋଟାଏପଦ କଥାରେ ତିନି ହଜାର ଶ୍ରମିକ ଚାରିଦିନ ହେବ କାମ ବନ୍ଦ କରିଦେଇ ପାରିଛନ୍ତି । ରାମିଆ ବା ଫଗୁଆ କାହିଁକ ବୁଝନ୍ତେ ନିର୍ମଳବାବୁଙ୍କ ସ୍ଵପ୍ନ ! ସେମାନେ ଓ ସେମାନଙ୍କ ପରି ଅନେକ ନିରୀହ, ଅପାଠୁଆ ଶ୍ରମିକଙ୍କ ସ୍ଲୋଗାନ–ସିଡ଼ିରେ ଗୋଡ଼ଦେଇ ନିର୍ମଳବାବୁ ଦିନେ ତ ପୁଣି ସରକାର ଗଢ଼ିବେ ଓ ମନ୍ତ୍ରୀତ୍ୱ କରିବେ-! ତିନିମହଲା ଉପରେ ଛିଡ଼ାହୋଇ, ଏଆର୍ କଣ୍ଡିସନର ଘରେ ବସି ସେ ତ ପୁଣି ଦିନେ ଏମାନଙ୍କପାଇଁ ଚିନ୍ତା କରିବେ ? ସେଠାକୁ ଯିବାକୁ ହେବ ଓ ସେଠାକୁ ଯାଇପାରିବା ପରି ଏକ ସାମୂହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ଓ ସେ ଚେଷ୍ଟା ଯେଉଁମାନେ କରିବେ, ତାଙ୍କୁ ଉପରକୁ ଉଠାଇବେ, ସେମାନଙ୍କୁ ନିର୍ମଳବାବୁ ହୁଏତ ଚିହ୍ନିପାରିବେ ନାହିଁ ଏବଂ ଆଜି ଯିଏ ରାମିଆ ବା ଫଗୁଆ ଦାଣ୍ଡପିଣ୍ଡାରେ ବସି ତାଙ୍କ ସହିତ ସଂଘରେ ହୁଏତ ବିଡ଼ି ଟାଣୁଛନ୍ତି, ତାକୁ ଉସକାଉଛନ୍ତି, ସେମାନଙ୍କୁ ନିର୍ମଳବାବୁଙ୍କ ସାକ୍ଷାତ୍‌ ପାଇଁ ଦରଓ୍ୱାନର ତାଗିଦ ସହିବାକୁ ପଡ଼ିବ । ଘଣ୍ଟା ପରେ ଘଣ୍ଟା ଅପେକ୍ଷା କରି ତାଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଦେଖାହୋଇ ନ ପାରିବାର ଅବଶୋଷ ନେଇ ଫେରିଆସିବାକୁ ହୁଏତ ପଡ଼ିବେ ।

 

ନିର୍ମଳ ବାବୁଙ୍କ ପିଲାମାନେ ପବ୍ଳିକ୍‌ ସ୍କୁଲକୁ ଯିବେ । ମୋ ପିଲାମାନେ ଓ ଆମ ପରି ଉପର ଉପର ମଣିଷମାନଙ୍କର ପିଲାମାନେ ଗାଡ଼ି ଚଢ଼ି ସାଧାରଣ ଲୋକର ପିଲାଙ୍କଠାରୁ ଦୂରେଇ ରହି ଶିକ୍ଷିତ ହେବେ ଏବଂ ରାମିଆ, ଫଗୁଆ ପରି ଅସଂଖ୍ୟ ମଜଦୁର ପିଲା, ଭାଙ୍ଗି ଯାଉଥିବା, ଛପର ନ ଥିବା ଓ ଶିକ୍ଷକ ନ ଥିବା ଶ୍ରେଣୀରେ ଯୋଗଦେଇ, ଅଧାପାଠ ପଢ଼ି ପୁଣି ବାପର କର୍ମକ୍ଷେତ୍ରକୁ ଫେରିଆସିବେ ।

 

ମୋ ପୁଅ, ନିର୍ମଳ ବାବୁ, ସୀତାକାନ୍ତ ବାବୁଙ୍କ ପିଲାଏ ହାକିମ ହେବେ । ମିଲ୍‌ମାଲିକ ସାଜିବେ ଏବଂ ରାମିଆ, ଫଗୁଆର ପୁଅ ମିଲ୍‌ରେ ମଜଦୁର ହେବେ ବା ସରକାରୀ ଦପ୍ତରରେ ପିଅନ୍ ଚପରାଶି ହୋଇ ରହିଯିବେ । ତାଙ୍କର ଆମର ଭେଟ ହେବ ନାହିଁ । ଆମେ କେବଳ ତାଙ୍କ ପାଇଁ ବକ୍ତୃତା ଦେବୁ ଓ ସେଇ ଅସଂଖ୍ୟ ମଣିଷଗୁଡ଼ାକଙ୍କ ପାଇଁ ଦିନ ରାତି ବ୍ୟୟ କରି, ବ୍ୟସ୍ତ ରହି ତାଙ୍କ ଉନ୍ନତିର ଚିନ୍ତା କରି, ନୂଆ ଘର ଓ ନୂଆ ଗାଡ଼ିର ଚାହିଦା ବଢ଼ାଇବୁ ।

 

ନିଆଁ ହୁଳା ଓ ସ୍ଲୋଗାନ ବହୁଦୂର ଆଗେଇ ଗଲାଣି । ପଛର ଲମ୍ବା କ୍ୟୁ ଧୀରେ ଧୀରେ ଚାଲିଛି । ଶେଷ କେଇଟା ମଣିଷ, ଟ୍ରକ୍ ଡାଲା ପଛରେ ଛିଣ୍ଡା ଦଉଡ଼ି ଖଣ୍ଡେ କାହିଁ କିପରି ବାଟରେ ଲାଗିଗଲା ପରି ଚାଲିଛି । ଉତ୍ସାହ ନାହିଁ ବା ସାମ୍‌ନା ସ୍ଲୋଗାନର ଅର୍ଥ ବୁଝୁନାହାନ୍ତି । କିଏ ବା ଛିଡ଼ାହୋଇ ଅନ୍ୟ ଚିହ୍ନା ମଣିଷକୁ ପାଇ କ୍ୟୁ ଛାଡ଼ି ଅଧାବାଟରେ ଗପ ଆରମ୍ଭ କଲାଣି । ପଛ କ୍ୟୁର ଆଗ ସ୍ଲୋଗାନ ଦେଉଥିବା ମଣିଷ ପରି ଗତି ନାହିଁ । ଧାରା ବଦଳିଯାଇଛି । ସ୍ଲୋଗାନ ଦେବାରେ ଆଗ୍ରହ ନାହିଁ ବା ଆବଶ୍ୟକତା ନାହିଁ । ଆଗରେ ପହଞ୍ଚି ସ୍ଲୋଗାନ ଦେଇଚାଲିଥିବା ନିର୍ମଳବାବୁ ଓ ତାଙ୍କ ସାଥିର କରିତ୍‌କର୍ମା ମଣିଷଗୁଡ଼ାକ ଯାହା କଲେ, ସେଇଥିରେ ପଛ କ୍ୟୁ–ଛଡ଼ା ମଣିଷର ଆନନ୍ଦ । ଆଗ ସ୍ଲୋଗାନ ଦେଇ ମଣିଷର ପାରିଲା ପଣିଆରେ ସେ ତପ୍ତ ବୈତରଣୀ ପାରିହୋଇ ଯିବାର ବିଶ୍ୱାସ ରଖି ବଞ୍ଚିଆସିଛି ।

 

ସବୁ ଜାକଜମକ, ପାଟିଗୋଳ, ସଜବାଜ ଓ ଆତ୍ମବିସ୍ମୃତି ସେଇ ଆଗରେ ଚାଲିଥିବା ମଣିଷ ପାଇଁ । ତା’ ପଛକୁ ତା’ ପଛକୁ ଓ ଅନେକ ପଛକୁ ତା’ଛଡ଼ା ଧାଡ଼ିରେ ଚାଲିଥିବା ମଣିଷ ଗୁଡ଼ାକଙ୍କ ପାଇଁ ନୁହେଁ । ସେଥିରେ ତା’ର ସ୍ୱାର୍ଥ ନ ଥାଏ ବା ଆନ୍ତରିକତା ନ ଥାଏ । ପ୍ରଥମ ବର୍ଷାର ଶିହରଣ, ମାଟିର ମଣିଷ ପାଇଁ ଦ୍ୱିତୀୟ ଧାରାରେ ତା’ର ନ ଥାଏ । ପ୍ରଥମ ସାକ୍ଷାତର ମନ ଧୀରେ ଧୀରେ ପୁରୁଣା ହୋଇ, ମଇଳା ଧରିଯାଏ । ଖିଅ ଖୋଜିଲେ ଧରାପଡ଼େ ନାହିଁ । ଯୋଡ଼ା ଯାଇପାରେ ନାହିଁ ।

 

ଗୋଟାଏ ମୁହୂର୍ତ୍ତର ଉଚ୍ଛ୍ୱାସକୁ ନେଇ ଆଗେଇଯିବା ଭିତରେ ଯେତିକି ପରିବର୍ତ୍ତନର ମୂଳଦୁଆ ପଡ଼ିଲା, ଯେତିକି ସଭ୍ୟତା ଆଗେଇ ଯାଇପାରିଲା, ସେତିକି । ପଛର ଉଚ୍ଛ୍ୱାସ କେବଳ ଏକ ସମବେଦନାର ସ୍ୱର । ଆଗ ମଣିଷ ଓ ତା’ର ଉନ୍ମାଦନା ପାଇଁ ବ୍ୟସ୍ତତା ।

 

ମୁଁ ଘୂରି ଚାହିଁଲି ମୋର ବାମପଟ ଝରକା ନିକଟକୁ । ପ୍ରଧାନ ରାସ୍ତାରୁ ବଙ୍କି ଆସିଥିବା ରାସ୍ତା ଦିଶୁଛି ମୋ କୋଠରିର ବାମପଟ ଝରକାରୁ । ଗୋଟାଏ ବିରାଟ ପାଚେରି ଓ ପାଚେରି ପଛକୁ କୃଷ୍ଣଚୂଡ଼ା ଗଛ କେଇଟା ଏବଂ ଉଚ୍ଚା କୋଠାଘର କେଇଧାଡ଼ି; କଲେଜ ପରି ମନେହେଉଛି । କୃଷ୍ଣଚୂଡ଼ା ଗଛକୁ ଲାଗି ପଡ଼ିଆ ଉପରେ ଦଳ ଦଳ ଯୁବକ । ଚିପାପ୍ୟାଣ୍ଟ ଓ ପଞ୍ଜାବୀ; ଗହଳିଆ ଅଡ଼ୁଆ କେଶ ମୁଣ୍ଡରେ; କଥାବାର୍ତ୍ତା, ଯୁକ୍ତିତର୍କ ଓ ସ୍ଲୋଗାନ ଦେବାର ଉପକ୍ରମଣିକା । ପ୍ରତ୍ୟେକେ ବିବ୍ରତ ଥିଲା ପରି ମନେହେଉଛନ୍ତି ।

 

ପରୀକ୍ଷା ଗୋଟାଏ ପରେ ଗୋଟାଏ; ନାକଚ କରିଦେବାର ନିଷ୍ପତ୍ତି ପରେ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକଙ୍କ ଉପରେ ଅପର୍ଯ୍ୟାପ୍ତ ଅଭିଶାପ ବୃଷ୍ଟି ହେଉଛି, ଧମକ ଦିଆଯାଉଛି ।

 

ଯୁକ୍ତିଗୁଡ଼ାକ ଶୁଭୁଛି । ବେଶ୍ ସଙ୍ଗତ । ଯଦି ପାଠ ଶେଷ ପରେ ଦେଶର ଶାସନତନ୍ତ୍ର ସର୍ବନିମ୍ନ ଯୋଗ୍ୟତା ପାଇଁ ଯେତିକି ସୁଯୋଗ–ସୁବିଧା ଦେବାର କଥା, ବିଶ୍ୱବିଦ୍ୟାଳୟ ଡିଗ୍ରୀଧାରୀଙ୍କୁ ସେତିକି ଦେଇନପାରିଲା, ପାଠର ଅର୍ଥ କ’ଣ ? ପୁଣି ଗୋଟାଏ ଗୋଟାଏ ବର୍ଷ ବା ୨-୩ ବର୍ଷ ସେମାନଙ୍କ ଭିତରୁ କେତେକଙ୍କୁ ପଛରେ ପକାଇଦେବା ପଛରେ ଯୁକ୍ତି କ’ଣ ? ଯେଉଁ ପିତା-ମାତା ବର୍ଷ ବର୍ଷ ଧରି ଶିକ୍ଷାପାଇଁ ହଷ୍ଟେଲ ଚାର୍ଜ, ଲୁଗାପଟା, ବହିପତ୍ର ଓ ସଉକ ମେଣ୍ଟାଇବା ପାଇଁ ଅର୍ଥ ଯୋଗାଇ ଆସିଲେ, ସେମାନେ ଆଉ ଥରେ ବା ଥରକୁଥର ବିଶ୍ୱବିଦ୍ୟାଳୟକୁ ବିନା କାରଣରେ ଟଙ୍କା ଯୋଗାଇବେ କାହିଁକି ? ପ୍ରତ୍ୟେକଙ୍କୁ ଗୋଟାଏ ବର୍ଷରୁ ଅନ୍ୟବର୍ଷକୁ ଏବଂ ସେ ବର୍ଷରୁ ଅନ୍ୟବର୍ଷକୁ ଉତ୍ତୀର୍ଣ୍ଣ କରିଦେଇ ଡିଗ୍ରୀ ବାଣ୍ଟିଦେବାରେ ଆପତ୍ତି ବା କ’ଣ ? ଡିଗ୍ରୀ ପାଇଁ ଯଦି ଅନ୍ନ ସଂସ୍ଥାନର ବା ନିଯୁକ୍ତିର ଗ୍ୟାରେଣ୍ଟି ନାହିଁ ବିଶ୍ଵବିଦ୍ୟାଳୟରେ ଦୀର୍ଘ ସମୟ କଟାଇ ଅର୍ଥଶ୍ରାଦ୍ଧ ଜନିତ ଦୁଃଖ ପାଇଁ ଡିଗ୍ରୀ କାଗଜ ଖଣ୍ଡକୁ ଏତେ କୁଣ୍ଠିତ ଭାବରେ ବାଣ୍ଟିବାର ଯୁକ୍ତି କ’ଣ ?

 

ଛୋଟ ଦଳ କେଉଁଠି କହିଚାଲିଛି, କଲେଜରେ ନାମଲେଖା ଯେପରି ତା’ର ମୌଳିକ ଅଧିକାର, ପରୀକ୍ଷାରେ ଯେପରି ହେଉ କୃତକାର୍ଯ୍ୟ ହେବା ମଧ୍ୟ ସେହିପରି ତା’ର ଏକ ସାମ୍ବିଧାନିକ ଅଧିକାର । ସେଥିରେ କେହି ହସ୍ତକ୍ଷେପ କଲେ ତା’ର ବା ମୁକ୍ତି କାହିଁ ? ସେଥିପାଇଁ କେବଳ ଆଜିଠାରୁ ବିଶ୍ଵବିଦ୍ୟାଳୟ ବା କଲେଜର ଆବଶ୍ୟକତାକୁ ସମୂଳେ ଭସାଇଦେବାର ସମସ୍ତ ପ୍ରଚେଷ୍ଟା ପାଇଁ ଏଇମାତ୍ର ସଜବାଜ ।

 

କିଏ କହିଉଠୁଛି, ତାଙ୍କୁ ବେକାରି ଭତ୍ତା ଯୋଗାଇଦେବାକୁ, ସ୍ତ୍ରୀ ଓ ପୁରୁଷଙ୍କୁ ଏକ ହଷ୍ଟେଲରେ ରହିବାର ସୁଯୋଗ ଦେବାକୁ; ପ୍ରତି ହଷ୍ଟେଲରେ ବିଜୁଳିପଙ୍ଖା ଯୋଗାଇଦେଇ ଦରମା ଛାଡ଼ କରିବାକୁ ।

 

ସେଦିନ ବନ୍ଧୁ ରଜତ କହୁଥିଲା ଆମ ବିଶ୍ୱବିଦ୍ୟାଳୟର ଭିତିରି କଥା । ସେଠାରେ ରହି ପାଠୁଆ କହି ହେଉଥିବା ସ୍ନାତକୋତ୍ତର ଛାତ୍ରମାନଙ୍କର ଅଭ୍ୟାସ ଓ ନୈତିକତାର ଦୃଷ୍ଟାନ୍ତ ସେ ଦେଉଥିଲା ।

 

କପି କରିବା ବା ପରୀକ୍ଷା ନଦେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପଛରେ ମୋ ଭାଇ ଯେ କି ୫ମ ବର୍ଷ ଅର୍ଥନୀତିର ବର୍ତ୍ତମାନ ଛାତ୍ର: ତା’ର କିନ୍ତୁ ଭିନ୍ନ ଯୁକ୍ତି ଓ ଦୃଷ୍ଟିଭଙ୍ଗୀ ।

 

ସେ କହେ ଆଇ.ଏ.ଏସ୍. ରାମ ଦୋରାଇଙ୍କର ପୁଅ ଏମ୍.ଏରେ ପ୍ରଥମ ଶ୍ରେଣୀ ପାଇଲା କିପରି ? ଶିକ୍ଷକ ବିରଞ୍ଚିବାବୁ, ମହେନ୍ଦ୍ରବାବୁ ଓ ତାଙ୍କ ପରି ଅନ୍ୟ ବହୁ ଶିକ୍ଷକଙ୍କ ପିଲାମାନେ ପରୀକ୍ଷାରେ ପ୍ରଥମ ହୋଇ ଛିଡ଼ାହେବା ପଛରେ କେଉଁ ନୈତିକତା ଅଛି ? ସେ ଜିଗର କରି କହେ ୧୦ବର୍ଷ ପଛରେ ରହିଯାଇଥିବା ପରୀକ୍ଷା ସମସ୍ତର ଇତିହାସ ଘାଣ୍ଟି ପ୍ରତ୍ୟେକଙ୍କୁ ପରିଚୟ କରାଇଦେବାକୁ ।

 

ସେଥିପାଇଁ କୁଆଡ଼େ କପି କରିବାରେ କୌଣସି ଆପତ୍ତି ନାହିଁ ।

 

ସେଥିପାଇଁ କୁଆଡ଼େ କପିକରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିବାର ଏକ ଘୋଡ଼ ଦୌଡ଼ କେତେଦିନ ହେବ ଆରମ୍ଭ ହୋଇଛି । କପି କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାଟା ବର୍ତ୍ତମାନ ପ୍ରଶ୍ନ ବା ସମସ୍ୟା ଆଦୌ ନୁହେଁ ।

 

ଶ୍ରମିକର ସ୍ଲୋଗାନ, ଛାତ୍ରର ଅଶାନ୍ତି ଓ ଶିକ୍ଷା କ୍ଷେତ୍ରରେ ଶିକ୍ଷକର ପରିଣତି ଓ ସେ ସମସ୍ତ ଉପରେ ଆମ ପରି, ମୋ’ ପରି ଗୁଡ଼ାଏ ମଣିଷ ଓ ଆମ ସାମାଜିକ ଚଳଣି ଓ କ୍ଷିପ୍ର ପରିବର୍ତ୍ତନର କଥା ଭାବି ମୁଁ କିପରି ଅତି ମାତ୍ରାରେ ଉତ୍ତ୍ୟକ୍ତ ହୋଇଉଠୁଥିଲି ଏବଂ ମୋର ଏ ସହରକୁ ଆସିବାର ଉଦ୍ଦେଶ୍ୟ ଆଜି ଓ ସାମନାରେ ଏକ ମସ୍ତବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ାହୋଇ ମୋର ସମସ୍ତ ଶକ୍ତି ଓ ସୂକ୍ଷ୍ମ ଚିନ୍ତାଗୁଡ଼ାକୁ ଯେପରି ଲୋପ କରିଦେବାକୁ ଆରମ୍ଭ କରିଛି । ମୁଁ ଗିଲାସେ ଥଣ୍ଡା ପାଣି ପିଇ ସେପଟରୁ ମୋର ମୁହଁ ବୁଲାଇ ଆଣି ସହରର ଅନ୍ୟ ଏକ ଅଞ୍ଚଳ ଉପରେ ଦୃଷ୍ଟି ପକାଇଛି ।

 

ମୋ ଦକ୍ଷିଣପଟ ଝରକାରୁ ମୁଁ ସହରର ଯେଉଁ ଅଞ୍ଚଳକୁ ଦେଖୁଛି ସେଠାରେ ନିୟନ ଆଲୁଅର ଶୋଭା ନାହିଁ । ସେଠା ରାସ୍ତାରେ ଭିଡ଼ ନାହିଁ ବା ଗାଡ଼ି–ଘୋଡ଼ା–ମଣିର ଜାମ୍‌ ନାହିଁ । ସେଠାରେ ମୁଁ ପ୍ରଥମେ ଜୋତ୍ସ୍ନା ପଡ଼ିଥିବାର ଅନୁଭବ ସଂଗ୍ରହ କରୁଛି । ଯେଉଁ ମଣିଷଗୁଡ଼ାକ କାଁ ଭାଁ ଉଠି ଠିଆ ହେଉଚନ୍ତି ବା ଚାଲି ଚାଲି ଯାଉଛନ୍ତି, ସେମାନଙ୍କ ପାଦରେ ସ୍ଥିରତା ନ ଥିବାର ମୁଁ ଲକ୍ଷ କରୁଛି । ଅନେକ ମଣିଷ ନାମଧାରୀ ମଇଳା–କଳା ଜୀବ ଗୁଡ଼ାଏ ଘାସ ଉପରେ ଶୋଇଯାଇଛନ୍ତି ।

 

ତାଙ୍କର ଜଞ୍ଜାଳ ନାହିଁ । ମଣିଷ ପରି ମଣିଷଟାଏ ହେବାର ବି ସ୍ଵପ୍ନ ନାହିଁ । ଗୋଟାଏ ନିତିଦିନିଆ, ନିତି ଚଳିବା ଭଳି ସେମାନଙ୍କର ଜୀବନ । ସେଥିରେ ଛଳ ନାହିଁ କି ଛନ୍ଦ ଓ ଝଙ୍କାର ପ୍ରତି ମୋହ ନାହିଁ । ଜୀବନ ସେଠାରେ ଏକ ଧାରା । ଗଡ଼ି ଗଡ଼ି ଚାଲିଯାଉଥିବା ଗୋଟାଏ ପାହାଡ଼ି ଖଣ୍ଡିଆ ଖାବରା ସଡ଼କ ।

 

ଏମାନଙ୍କୁ ଦେଖି ମାନେପଡ଼ୁଛନ୍ତି ଆଉ କେତେଗୁଡ଼ାଏ ମଣିଷ, ମୁଁ ଯେଉଁମାନଙ୍କୁ ବାଟରେ ଭେଟିଛି । ଯେଉଁମାନଙ୍କୁ ଦେଖି ମୁଁ ନିଜକୁ ତୁଳନା କରିଛି ଓ ମୋ ବେଦନାର ଅଶ୍ରୁଗୁଡ଼ାକୁ ମୋ କଳା ଚଷମାର ଗାଢ଼ ରଙ୍ଗ ଭିତରେ ଅନ୍ୟପାଖରେ ପହଞ୍ଚାଇ ଦେବାକୁ ସାହସ ସଞ୍ଚୟ କରିପାରି ନାହିଁ ।

 

ମୁଁ ସେମାନଙ୍କୁ ଭେଟିଛି, ମୋର ଏ’ ସହରକୁ ଆସିବା ବାଟରେ, ମୋ ସ୍ଵର୍ଗାରୋହଣ ପର୍ବର ଆରମ୍ଭରେ । ସେମାନେ ମୂଳ, ଭାଷା ଶିଖିନାହାନ୍ତି ହୁଏତ କହିଲେ ଭୁଲ୍ ହେବ; ସେମାନଙ୍କର ଭାଷା ଆମେ କହି ବୁଲୁଛୁ ଓ ସେମାନଙ୍କର କହିବାର ଆବଶ୍ୟକତା ଆଜିପର୍ଯ୍ୟନ୍ତ ପଡ଼ିନାହିଁ । ସେମାନେ ସେଇ ଜୁଆଙ୍ଗ, ଗଦବା, ଶବର ପଲ୍ଲୀର ଲଙ୍ଗଳା ମଣିଷଗୁଡ଼ାକ ।

 

ତାଙ୍କର ଲୁଗା, ଜାମା, କୋର୍ଟ ବା ପ୍ୟାଣ୍ଟ ନାହିଁ । ଖରାବର୍ଷାରୁ ନିଜକୁ ଲୁଚାଇ ରଖିବାର ଆବଶ୍ୟକତା ମଧ୍ୟ ପଡ଼ିନାହିଁ । କାନ୍ଧରେ ଖଣ୍ଡେ ଟାଙ୍ଗିଆ ଓ ଅଣ୍ଟାରେ ଚାରି ଆଙ୍ଗୁଳିର ଖଣ୍ଡେ ଲେଙ୍ଗୁଟି ।

 

ଲଙ୍ଗଳା ସ୍ତ୍ରୀଲୋକ ଗୁଡ଼ାଏ । ପାଣି ଦାଢ଼ରେ, ଜଙ୍ଗଲ ମଝିରେ ସେମାନଙ୍କର ଭିଡ଼ । ଝରଣା ପରି କୁଳୁ କୁଳୁ ହସ ।

 

ଫୁଲପରି ଫୁଟନ୍ତ ଯୌବନ ଓ ମଇଳା କାଳିଆ ଦେହରେ ବୟସର ଫଗୁଣ । ତାଙ୍କର ବି ଦେହ ଘୋଡ଼ାଇବାର ଆବଶ୍ୟକତା ସେମାନେ ଅନୁଭବ କରିନାହାନ୍ତି । ସ୍ତନ ଦୁଇଟା ଉଚ୍ଚା ଉଚ୍ଚା । ଭୀଷଣ ଆକର୍ଷଣ, ସେଥିରେ ମୋ ପରି ସହରୀ ସୁନ୍ଦର ମଣିଷ ପାଇଁ । ଜଙ୍ଗଲ ମଣିଷ ଛାତିରେ, ଜଙ୍ଘରେ ପୁଣି ଏତେ ବସନ୍ତର କାକଳୀ ? ସଙ୍ଗୀତର ଏତେ ମୂର୍ଚ୍ଛନା ? ମୁଁ ଆତ୍ମହରା ହୋଇଉଠୁଥିଲି ।

 

ବିରାଟ ବ୍ୟକ୍ତିତ୍ଵର ପ୍ରଲୋଭନ ଯେବେ ମୋପରି ମଣିଷର ନ ଥାନ୍ତା, ଜଙ୍ଗଲରେ ଘୂରିବୁଲି, ଝରଣା ତଟରେ ବା ଘଞ୍ଚ ସବୁଜ ଘାସ ଉପରେ ହାତଗୋଡ଼ ଲମ୍ବାଇ ଶୋଇ ଶୋଇ ନିଜକୁ ସହରୀ ମଣିଷର ସଂକୀର୍ଣ୍ଣ ମନ ଓ ଜୀବନଠାରୁ ଦୂରେଇ ରଖି ପ୍ରକୃତିର ଏଇ ଲଙ୍ଗଳା ମଣିଷ ପରି ଘୂରିବୁଲି ସ୍ଵାଧୀନ ହୋଇ ହୁଅନ୍ତା । ମୁଁ ଆଉ ମୋ ପରି ଲକ୍ଷ ଲକ୍ଷ ମଣିଷ, ସଭ୍ୟତାର ସିଡ଼ି ଚଢ଼ି ଆଜି ନିର୍ଜୀବ ପାଲଟି ଯାଆନ୍ତୁ ନାହିଁ ।

 

ମନେପଡ଼େ, ଇତିହାସର ସେଇ ଆଦି ମଣିଷର ବଂଶଧର କଥା । ଆମେ ତା’ର ବହୁ ପଛରେ ଗଡ଼ି ଗଡ଼ି ଏଇଠି ପହଞ୍ଚିଥିବା ବଂଶଧର । ଆଦିମତାରୁ ସଭ୍ୟତା ଆଡ଼କୁ ଆମେ ଧାଇଁ ଧାଇଁ ଅନେକ ଘାଟୀ ଡେଇଁ ଆସି ପହଞ୍ଚିଛୁ ଏଠାରେ । ପାହାଡ଼ ପଥର ଖୋଲରୁ, ଘଞ୍ଚ ଅରଣ୍ୟ ଓ ଅନ୍ଧାର କାଟି ଆମେ ସହର ବସାଇ ସଭ୍ୟ ହୋଇଛୁ । ପୁଣି ସେହି ସଭ୍ୟ ନଗରୀରେ କୃତ୍ରିମ ପାହାଡ଼ ଓ ଝରଣାର ସୃଷ୍ଟି କରିଛୁ । ଜଙ୍ଗଲ କାଟି ନୂତନ ଜଙ୍ଗଲର ମୂଳଦୁଆ ପକାଇଛୁ ।

 

ତଫାତ୍‌ କେବଳ ପ୍ରଣାଳୀରେ । ଆବଶ୍ୟକୀୟ ଚାହିଦାରେ, ମାପ୍‌ଚୁପ୍‌ ଜୀବନ । ଜଙ୍ଗଲ କାଟି ଜଙ୍ଗଲ ସୃଷ୍ଟିରେ ମଧ୍ୟ ସେଇ ମାପ୍‌ଚୁପ୍‌ । ଜଙ୍ଗଲି ମଣିଷର ଚାହିଦା ସିନା ବଦଳିଯାଇଛି । ବେଶଭୂଷା ଓ ପରିପାଟୀ ସିନା ଭିନ୍ନ ରୂପ ଧାରଣ କରିଛି, ମନଟା ସେଇ ସେ ପ୍ରାଗ୍‌ ଐତିହାସିକ ପଥର ଯୁଗର ମନ । ସେଥିପାଇଁ ବିଂଶ ଶତାବ୍ଦୀର ସହରରେ ନିୟନ ଆଲୁଅ ଭରି ଆମେ ପୁଣି କୃତ୍ରିମ ଜଙ୍ଗଲ ଓ ପାହାଡ଼ର ଶୋଭା ବଢ଼ାଉଛୁ ।

 

ପୁଣି ମନେପଡ଼ୁଛନ୍ତି ମିସେସ୍ ମାର୍ଗାରେଟ୍‌ । ମିସ୍‌ ଭାଚାନି ଓ ସ୍ଵାମୀଙ୍କ ଆକସ୍ମିକ ମୃତ୍ୟୁ ପରେ ସମସ୍ତଙ୍କ ନିକଟରେ ପରିଚିତା ବହୁ ଆଦୃତା ମିସ୍‌ ଶର୍ମା । ତାଙ୍କର ସେଇ ଜଙ୍ଗଲି ମନ ମୋ ଚାରିପାଖରେ ଆଜି ବି ଘୂରି ବୁଲୁଛନ୍ତି । ବାଥ୍‌ରୁମ୍‌ର କବାଟ ବନ୍ଦ ସାଓ୍ୱାର ବାଥ୍‌ ବା କେଉଁ ସମୁଦ୍ରର ଢେଉରେ ମୋ ଅଣ୍ଟା ଧରି ଢେଉ ଭାଙ୍ଗିବାରେ ସେଇ ଆଦିମ ପ୍ରବୃତ୍ତିର ସ୍ଵର । ସେଇ ବିଭତ୍ସ ପ୍ରାଗ୍‌ଐତିହାସିକ ଯୁଗର ଇନ୍ଦ୍ରୀୟ ଲାଳସା ।

 

ଏମାନେ ଓ ଆମେ ପ୍ରତ୍ୟେକେ କିନ୍ତୁ ସଭ୍ୟ ଓ ସୁନ୍ଦର ମଣିଷ । ଆମେ ସଭ୍ୟ ମଣିଷ ଆସିଛୁ ପାହାଡ଼ର ଝରଣାତଟକୁ, ମନକୁ ଲଙ୍ଗଳା କରିବାକୁ । ପାହାଡ଼ି ଫୁଲ, ତା’ ବାସ୍ନାରେ ଜୁଡ଼ୁ ବୁଡ଼ୁ ହୋଇଆସିଛୁ ଆମେ ଆମର କାମନାକୁ ଚରିତାର୍ଥ କରିବାକୁ । ଜଙ୍ଗଲି ଲଳନାକୁ ଘୃଣା କରିନୁ–ଈର୍ଷା କରିଛୁ ।

 

ଅନେକ ବସନ୍ତ ମନେପଡ଼ୁଛନ୍ତି ଆଜି । ଅନେକ ସ୍ଥିତିର ଦିନଗୁଡ଼ାକ ହଜି ଯାଉ ଯାଉ ଅଟକି ଯାଉଛନ୍ତି ଓ ଅନେକ ନାରୀର ମୁହଁ ଝାପ୍‌ସା ଦେଖାଯାଉଛି ।

 

ପିଆନୋ ଧରି ଦୀର୍ଘଶ୍ଵାସ ଢାଳୁଥିବା ମୋର ବିବାହିତ ଜୀବନର ପ୍ରଥମ ନାରୀଟିର ମୁହଁ ମୁଁ ପାସୋରି ଦେଇଛି । ମନେପଡ଼ୁ ନାହିଁ ସେହି ପ୍ରଥମ ରାତିର ପ୍ରଥମ ଆଖିଦୁଇଟିର ସରମ ବୋଳା ଚାହାଣୀ ଟିକକ ।

 

ମନେ କିନ୍ତୁ ପଡ଼ୁଛନ୍ତି ମିସେସ୍‌ ମାର୍ଗାରେଟ୍‌ ଓ ବାଥ୍‍ରୁମ୍‌ରେ ତାଙ୍କୁ ଚୁମ୍ବନ ଦେଇଥିବା ମୁହୂର୍ତ୍ତ ସମସ୍ତ । ମନେ ବି ପଡ଼ୁଛନ୍ତି ମିସ୍ ଶର୍ମା । ତାଙ୍କର ଆଲୁଳାୟିତ କେଶ ଗୁଚ୍ଛରେ ବଣ ଯୁଈର ପେନ୍ଥା । ତାଙ୍କ ଶିଥିଳ ଯୌବନ, ଲୋଳିତ ସ୍ତନ ଓ ମାଂସଳ ଦେହ ମୋ ଉପରେ ଲଦି ଦେଇ ବାରମ୍ବାର ପ୍ରଶ୍ନ କରୁଥିବା ମୁହୂର୍ତ୍ତ ଗୁଡ଼ାକ ।

 

ଘଣ୍ଟା ପରେ ଘଣ୍ଟା ସୋଫାରେ ମୋ କୋଳରେ ମୁଣ୍ଡ ଲଦି ସ୍ଵପ୍ନ ଦେଖୁଥିବା ମୁହୂର୍ତ୍ତ ସମସ୍ତ ମିସ୍‌ ଭାଚାନିଙ୍କର, ଆଖିଆଗରେ ନାଚିଉଠୁଛି ।

 

ରାତି ତିନିଟା ।

 

୨୮ ନମ୍ବର କୋଠରିର ପାଖ ବଖରାରୁ ଶିଶୁର କାନ୍ଦଣା ଭାସିଉଠୁଛି । ସ୍ଵାମୀ ସ୍ତ୍ରୀ ଶୋଇଯାଇଛନ୍ତି ବୋଧେ ନିଘୋଡ଼ ନିଦରେ ।

 

ପ୍ରଜ୍ଞା ପିଆନୋରେ ତା’ର ଦୀର୍ଘଶ୍ଵାସ ଢାଳି ଦେଇ ରାତ୍ରି ଉଜାଗର ହୋଇ ବସି ରହିଥିବ ନିଶ୍ଚୟ ।

 

ପିଲାମାନେ ଶୋଇଯାଇଥିବେ, ଅଭ୍ୟାସ ଯୋଗେ ଡାଡ଼ିଙ୍କୁ ନ ଖୋଜି ।

 

ହୋଟେଲ୍ ତଳ ବାର୍‌ରୁ ପାନୀୟ ନିଃଶେଷ ହୋଇନି ଏପର୍ଯ୍ୟନ୍ତ ।

 

ମୁଁ ଗୋଟାଏ ବିଚାରବନ୍ତ, ସମୃଦ୍ଧିଶାଳୀ ମଣିଷ, ବ୍ୟକ୍ତିତ୍ଵର ପ୍ରଲୋଭନରେ ଜର୍ଜରିତ ହୋଇ ରାତ୍ରି ପୁହାଇ ଦେଉଛି । ମୋ ପାଇଁ ସମୟ ନାହିଁ । ବିଶ୍ରାମ ନେବାର ଆବଶ୍ୟକତା ନାହିଁ । ମୁଁ ପୁଣି ମୋ ସହରକୁ ଫେରିଯାଇ ନିଜର ଅହଙ୍କାରକୁ ରୂପ ଦେବାକୁ ବେଡିଂ ସଜାଡ଼ିବାକୁ ବୟକୁ ତାଗିଦା କରୁଛି ।

Image

 

ନିର୍ବାଣ

ଗୌର ପଟ୍ଟନାୟକ

 

ଚନ୍ଦ୍ରଭାଗା ବୁକୁର ଦୂର ଦିଗ୍‌ବଳୟରେ ବହୁ ପ୍ରତୀକ୍ଷିତ ରଥାରୂଢ଼ ମାଘ ସପ୍ତମୀର ସୂର୍ଯ୍ୟ ପାପୀମାନଙ୍କ ପରିତ୍ରାଣ ଉଦ୍ଦେଶ୍ୟରେ ଦେଖାଦେଲେ । ନାତିଶୀତୋଷ୍ଣ ସକାଳର କାକଜ୍ୟୋତ୍ସ୍ନା ଆମବନର ପାତ୍ର ଭେଦ କରି ମାଟି ଉପରେ ଅନେକ ସୂର୍ଯ୍ୟର ମରୀଚିକା ସୃଷ୍ଟିକଲା ।

 

ଚନ୍ଦ୍ରଭାଗା କ୍ରମଶଃ ଲୋକାରଣ୍ୟ ହୋଇଉଠିଲା । ମାଘ ସପ୍ତମୀ ବୁଡ଼ ଲାଗି ପ୍ରତ୍ୟେକ ବର୍ଷ ଭିଡ଼ ହୁଏ । ଏମାନେ ପିତୃପୁରୁଷଙ୍କୁ ପିଣ୍ଡ ଦେବେ । ଚନ୍ଦ୍ରଭାଗାରେ ସ୍ନାନକରି ମୁକ୍ତ ହେବେ; ପାପରୁ ଉଦ୍ଧାର ହେବେ । ଏଇଠି ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟପୂଜା କରି କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ । କୋଣାର୍କର ମୁଣ୍ଡିମାରି ବିଶୁ ମହାରଣାର ବାରବର୍ଷର ପୁତ୍ର ଧରମା ବାରଶହ ବଢ଼େଇଙ୍କୁ ରକ୍ଷା କରିବାକୁ ଏ ସାଗର ବକ୍ଷରେ ନିଜକୁ ଉତ୍ସର୍ଗ କରିଥିଲା । ଚନ୍ଦ୍ରଭାଗା ପଛରେ ଅନେକ ଇତିହାସ.....ଅନେକ କାହାଣୀ ।

 

ଜନସଂଖ୍ୟା ଆହୁରି ଆହୁରି ବଢ଼ୁଛି ।

 

ଅନତି ଦୂରରେ ସ୍ଵାମୀ ସଦାନନ୍ଦଙ୍କ ଆଶ୍ରମ । ଚାରୋଟି ବାଉଁଶକୁ ଆଶ୍ରାକରି ଠିଆ ହୋଇଛି ତାଳ ପତରର ଛୋଟ କୁଡ଼ିଆଟି । ଖରା, ବର୍ଷା, ଶୀତକୁ ତା’ର ଭ୍ରୂକ୍ଷେପ ନାହିଁ । ଦୀର୍ଘ ଚାରିମାସ ହେଲା ସେ ଚନ୍ଦ୍ରଭାଗା କୂଳରେ ଠିଆ ହୋଇ ସାଧକ ସ୍ଵାମୀ ସଦାନନ୍ଦଙ୍କୁ ଅଶ୍ରା ଦେଉଛି ।

 

ସ୍ଵାମୀ ସଦାନନ୍ଦ । ବୟସ ପଚାଶ ପାଖାପାଖି । ବୟସ ଯଥେଷ୍ଟ ବଢ଼ି ଯାଇଥିଲେ ବି ସ୍ଵାମୀଜିଙ୍କ ଶ୍ମଶ୍ରୁପୂର୍ଣ୍ଣ ମୁଖମଣ୍ଡଳ ଅପୂର୍ବ ଏକ ଜ୍ୟୋତିରେ ଝଲସିଉଠୁଛି । ଦେହରେ ଗୌରିକ କାଛା ବ୍ୟତୀତ ଆଉ କିଛି ବସ୍ତ୍ର ନାହିଁ । ତାଙ୍କର ରସ୍ମିବିଲେପିତ ହୃଷ୍ଟ ପୁଷ୍ଟ ଚେହେରା ଧର୍ମ ବିଶ୍ଵାସୀ ଲୋକଙ୍କୁ ଚୁମ୍ବକ ପରି ଆକର୍ଷଣ କରେ ।

 

ଜନସଂଖ୍ୟା ଯେତିକି ବଢ଼ୁଛି ସ୍ଵାମୀ ସଦାନନ୍ଦଙ୍କ ଜୟଗାନ ସେତିକି ବଢ଼ୁଛି । ଆଶ୍ରମ ଚାରିପାଖରେ ଖାଲି ଲୋକ ଆଉ ଲୋକ । ଦେଖୁ ଦେଖୁ ସ୍ଵାମିଜୀଙ୍କ ଦର୍ଶନ ଲାଗି ଠେଲାପେଲା ଆରମ୍ଭ ହୋଇଗଲା ।

 

ସ୍ଵାମିଜୀ ଏ ଛୋଟ କୁଡ଼ିଆଟି ଭିତରେ ସାଧନା କରୁଛନ୍ତି ଗ୍ରହଶାନ୍ତି କରିବାଲାଗି । ମୁଣ୍ଡ ଭୂମିରେ ଦେଇ ଗୋଡ଼ ଉପରକୁ ଟେକି ନିର୍ଜଳ ଉପବାସ କରୁଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନର ସମୟ ଅତ୍ୟନ୍ତ ଖରାପ । ପୃଥିବୀ ଉପରେ ଖରାପ ଦୃଷ୍ଟି ପଡ଼ିଛି । ମରୁଡ଼ି ଏବଂ ହଇଜାରେ ହଜାର ହଜାର ଲୋକ ପୋକମାଛି ପରି ମରିଯିବେ । ଚାରିଆଡ଼େ ଅନୀତି, ଅନାଚାର ବଢ଼ିଯିବାରୁ ପୃଥିବୀକୁ ଏ ଦୁର୍ଦ୍ଦିନ ଆସିଛି । ଏ ବିପଦରୁ ଉଦ୍ଧାର ଲାଗି ଏକ ଯଜ୍ଞ କରିବାକୁ ହେବ । ଏହି ଯଜ୍ଞ ନ’ଦିନ ବ୍ୟାପୀ ଚାଲିବ । ନ’ହଜାର ବ୍ରାହ୍ମଣଙ୍କୁ ଦାନ ଦିଆଯିବ । ନ’ଶହ ଗଉଣି ଘିଅ ପୋଡ଼ାଯିବ ।

 

ସପ୍ତମୀ ଦିନ ସ୍ଵାମିଜୀଙ୍କ ଉପବାସ ଷଷ୍ଠ ଦିନରେ ପହଞ୍ଚିଲା । ବହୁ ନେତୃ ସ୍ଥାନୀୟ ବ୍ୟକ୍ତି, ବହୁ ଧର୍ମାବଲମ୍ବୀ ସେଠି ପହଞ୍ଚିଲେ । ବହୁ ଲୋକଙ୍କର ସାହାଯ୍ୟ ସହାନୁଭୂତି ମିଳିଲା । ବିଶେଷ କରି ମାରୱାଡ଼ିମାନେ ଅକୁଣ୍ଠିତ ଚିତ୍ତରେ ହଜାର ହଜାର ଟଙ୍କା ସ୍ଵାମିଜୀଙ୍କ ହସ୍ତରେ ଦାନ କଲେ । ଅର୍ଥ ସଂଗ୍ରହ ଲାଗି ଦଳ ଦଳ ସ୍ଵେଚ୍ଛାସେବକ ସ୍ଵାମିଜୀଙ୍କ ଆଶୀର୍ବାଦ ଘେନି ଗାଁକୁ ଗାଁ ବୁଲିବାକୁ ଆରମ୍ଭ କଲେ ।

 

ଅଳ୍ପଦିନ ମଧ୍ୟରେ ଆଶାତୀତ ଭାବରେ ଲକ୍ଷାଧିକ ଟଙ୍କା ସଂଗୃହୀତ ହେବାରୁ ଚନ୍ଦ୍ରଭାଗା କୂଳରେ ଏକ ମନ୍ଦିର ଗଢ଼ିବାର ମଧ୍ୟ ଯୋଜନା କରାଗଲା । ସ୍ଵାମିଜୀଙ୍କର ଏ ପ୍ରସ୍ତାବ ସମସ୍ତଙ୍କ ମନକୁ ଘେନିଲା । ଖବରକାଗଜ ମାନଙ୍କରେ ସ୍ଵାମିଜୀଙ୍କର ଫଟୋସହ ଅଦ୍‌ଭୁତ ସାଧନାକୁ ଭୁରିଭୁରି ପ୍ରଶଂସା କରି ଲେଖାମାନ ପ୍ରକାଶ ପାଇଲା । ଅର୍ଥ ସାହାଯ୍ୟ ପାଇଁ ସ୍ଵାମିଜୀ ଖବରକାଗଜ ମାଧ୍ୟମରେ ନିବେଦନ କଲେ । ବିଭିନ୍ନ ସ୍ଥାନରୁ ଡାକ ଯୋଗେ ମଧ୍ୟ ଟଙ୍କା ଆସିଲା ।

 

ଦଶମୀ ଦିନ ସ୍ଵାମିଜୀଙ୍କ ଉପବାସ ଶେଷ ହେବ । ମନ୍ଦିର ଏବଂ ଯଜ୍ଞର ଶୁଭ ଦିଆଯିବ-

 

ସପ୍ତମୀ ହୋଇଗଲା । ଆଉ ମାତ୍ର ମଝିରେ ଦୁଇଟି ଦିନ । ସ୍ଥାନୀୟ ନେତାମାନେ ଏକାଠି ହେଲେ । କେଉଁ ଅଞ୍ଚଳରୁ କେତେ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରାଯିବ ତା’ର ତାଲିକା ପ୍ରସ୍ତୁତ ହେଲା । ଚାରିଧାମର ଶଙ୍କାରାଚାର୍ଯ୍ୟଙ୍କ ନାମ, ତାଲିକାର ସର୍ବୋଚ୍ଚରେ ରହିଲା । ପୁରୀର ଶଙ୍କରାଚାର୍ଯ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଯଜ୍ଞ ଉଦ୍‌ଘାଟନ କରିବେ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା । ସେହି ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ପତ୍ରସହ ଲୋକ ପଠାଗଲା । ଦୁଇଜଣ ମାରୱାଡ଼ି ୯ଶହ ଗଉଣୀ ଘିଅର ସମସ୍ତ ଖର୍ଚ୍ଚ ବହନ କରିବାପାଇଁ ସମ୍ମତି ପ୍ରଦାନ କଲେ । ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ଯଜ୍ଞ କୁଣ୍ଡ, ଛାମୁଡ଼ିଆ ତିଆରି ଏବଂ ବ୍ରାହ୍ମଣମାନେ ରହିବାଲାଗି ତମ୍ବୁ ପକାଇବା ପାଇଁ ଦରକାର ପଡ଼ୁଥିବା ସମସ୍ତ ଖର୍ଚ୍ଚ ବହନ କଲେ ।

 

ଅଷ୍ଟମୀ ଦିନ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଗଲା । ଲୋକ ନୂତନ ପ୍ରେରଣା ପାଇଁ କାମରେ ଲାଗିଗଲେ । ସହରରୁ ନାନାପ୍ରକାର ଦରକାରୀ ଜିନିଷ ବୁହାହୋଇ ଆସିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ କାମ ଦ୍ରୁତ ଗତିରେ ଆଗେଇ ଚାଲିଲା ।

 

ଏଣେ ସ୍ଵାମିଜୀଙ୍କ ଓଜନ କମିବାକୁ ଲାଗିଲା । ମୁହଁରୁ ଜ୍ୟୋତି କ୍ରମଶଃ ମଳିନ ପଡ଼ିଆସିଲା । ତାଙ୍କର ଭକ୍ତମାନେ ପ୍ରମାଦ ଗଣିଲେ । ସ୍ଵାମିଜୀଙ୍କର ସ୍ଵାସ୍ଥ୍ୟର ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ । ଦିନ ରାତି ତାଙ୍କ ପାଖରେ ଜଗି ରହିଲେ ।

 

ନବମୀ ଆସିଲା । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ଦିନ ରାତି ବାରଟା ପରେ ସ୍ୱାମିଜୀ ଦୀର୍ଘ ନ’ଦିନର କଷ୍ଟସାଧ୍ୟ ସାଧନା ଛାଡ଼ି ନିତ୍ୟ କର୍ମ ଶେଷ କରି ଜଳ ସ୍ପର୍ଶ କରିବେ । ସେଇ ସମୟରେ ତାଙ୍କ ପାଖରେ କେହି ରହିବେ ନାହିଁ । ସୂର୍ଯ୍ୟୋଦୟ ପରେ ସେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ । ତା’ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ।

 

ଚନ୍ଦ୍ରଭାଗାର ଦୂର ଦିଗନ୍ତରେ ଦଶମୀର ସୂର୍ଯ୍ୟ ମୁଣ୍ଡ ଟେକିଲେ । ରକ୍ତିମ ପୂର୍ବାକାଶ ସୂର୍ଯ୍ୟଦେବଙ୍କ ଔଜଲ୍ୟରେ ଆହୁରି ଆହୁରି ଉଦ୍‌ଭାସିତ ହୋଇଉଠିଲା ।

 

ଦେଖୁ ଦେଖୁ ଆଶ୍ରମ ଚାରିପାଖରେ ହଜାର ହଜାର ଲୋକଙ୍କର ଭିଡ଼ ଜମିଗଲା । ସ୍ୱାମିଜୀଙ୍କ ଦର୍ଶନାଭିଳାଷୀ ଭକ୍ତଗଣ ସ୍ଵାମିଜୀଙ୍କ ଜୟ ଜୟ କାରରେ ସେ ଖଣ୍ଡମଣ୍ଡଳ କମ୍ପାଇଦେଲେ । ଖବରକାଗଜର ପ୍ରତିନିଧି ଏବଂ ଫଟୋଗ୍ରାଫରମାନେ ପ୍ରସ୍ତୁତ ହୋଇ ରହିଲେ । ଲକ୍ଷ ଲକ୍ଷ ଉତ୍‌କଣ୍ଠିତ ଆଖି ଛୋଟ ଆଶ୍ରମଟା ଉପରେ କେନ୍ଦ୍ରୀଭୂତ ହୋଇ ରହିଲା ।

 

ପାଞ୍ଚଟାରୁ ଛ’ଟା, ଛ’ଟାରୁ ସାତଟା, ସାତଟାରୁ ଆଠଟା ହେଲା । ଆଶ୍ରମର ଦ୍ଵାର ବନ୍ଦ । ଉଦ୍ୟୋକ୍ତାମାନଙ୍କ ମନରେ ନାନା ଆଶଙ୍କା ଜମାଟ ବାନ୍ଧିଲା ।

 

ଏଇ ଦେଶର ଚକାଡ଼ୋଳା ହାତ ଗୋଡ଼ ଖଣ୍ଡିଆ କାହିଁକି, ସେ କଥା ସମସ୍ତେ ଜାଣନ୍ତି । ଅନେକଙ୍କ ମନରେ ସେଇ କାହାଣୀ ପ୍ରତିନିଧିତ୍ଵ ହେଲା । ଆଉ କେତେକ ସନ୍ଦେହ ଜାଲରେ ଛନ୍ଦି ହୋଇଗଲେ ।

 

ଦ୍ଵାର ଖୋଲାଗଲା । ଦେଖାଗଲା, ସ୍ଵାମୀ ଅନ୍ତର୍ଦ୍ଧାନ । ସଂଗୃହୀତ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଥଳୀ ମଧ୍ୟ ଶୂନ୍ୟ ।

Image

 

ଜିଜୀବିଷା

ଚନ୍ଦନ

 

–ଶୁଣ ସିସିଫସ୍‌ !

 

–‘?’

 

–ଜାଣିଚ ତମର ଅପରାଧ କ’ଣ ? ମୃତ୍ୟୁକୁ ତମେ ବାନ୍ଧି ରଖିଥିଲ କାହିଁକି ?

 

–ବଞ୍ଚିବାକୁ ଚାହେଁ ବୋଲି ।

 

–ଜୀବନଟା କ’ଣ ତମର ଏତେ ପ୍ରିୟ ?

 

–ନିଶ୍ଚୟ ! ....କିନ୍ତୁ ତମେ ? ...ତମେ କିଏ ?

 

–ମୁଁ ? ମୁଁ ଭାଗ୍ୟ....ମୁଁ ଦେବତା.....ମୁଁ ଜୀଅସ୍‌ !!

 

ଧୀରେ ଧୀରେ ଜୀଅସ୍‌ଙ୍କ ଆଖିଦୁଇଟା ଜଳିଉଠିଲା । ପ୍ରକୃତିର ସ୍ଵାଭାବିକ ନିୟମ ‘ମୃତ୍ୟୁ’ ବିରୁଦ୍ଧରେ ଯିବାପାଇଁ ସାହସ କରୁଚି ମୂର୍ଖ ସିସିଫସ୍‌ ? ଏଡ଼ିକି ସ୍ପର୍ଦ୍ଧା ତା’ର ? ବେଶ୍‌....

 

–ଶୁଣ ସିସିଫସ୍, ତମକୁ ମୁଁ ବଞ୍ଚିବାକୁ ଦେବି–ଆଉ ଦେବି ତମ ଅପରାଧ ପାଇଁ ଶାସ୍ତି ! ଦେଖିବି ବଞ୍ଚିବାଟା କିମିତି ତମର ଏତେ କାମ୍ୟ ।

 

–ଯେକୌଣସି ପରିସ୍ଥିତିରେ ବି ମୁଁ ବଞ୍ଚିପାରିବି । ସେ ସାହସ ମୋର ଅଛି ।

 

–ଶୁଣ ତେବେ ମୂର୍ଖ ! ତମକୁ ମୁଁ ଅଭିଶାପ ଦେଉଛି....ତମେ ରସାତଳଗାମୀ ହୁଅ....ଆଉ ସେଠି ତମର କାମ ହେବ ଗୋଟାଏ ପ୍ରସ୍ତର ଖଣ୍ଡକୁ ଠେଲି ଠେଲି ନେଇ ତମେ ଆକ୍ରୋକରିନ୍ଥସ୍ ପର୍ବତ ଶୃଙ୍ଗ ଉପରେ ରଖିବ.......ଶୃଙ୍ଗ ଉପରେ ଯେତେବେଳେ ପ୍ରସ୍ତରଟା ସ୍ଥିରହୋଇ ରହିବ, ସେତେବେଳେ ଯାଇ ତମର ମୁକ୍ତି !

 

–ଓଃ ଏଇ କଥା ! ଏଇଥିପାଇଁ ଏତେ...

 

–କିନ୍ତୁ ପଥରଟା ମୋଟେ ସ୍ଥିର ରହିବ ନାହିଁ । ତମେ ତାକୁ ଠେଲି ଠେଲି ଉପରକୁ ନେବାମାତ୍ରେ ସେ ପୁଣି ତଳକୁ ଖସିଆସିବ । ଜାଣିଚ ତ ଶାସ୍ତିଟା କେଡ଼େ ଭୟଙ୍କର ! ଗୋଟାଏ ଉଦ୍ଦେଶ୍ୟହୀନ ଭାବରେ ଏମିତିଆ ବିରକ୍ତିକର କାମକରି ବଞ୍ଚିବାଠାରୁ ବଳି ଭୟଙ୍କର ଦଣ୍ଡ ଆଉ କିଛି ନାହିଁ.....ବାରମ୍ବାର ପାହାଡ଼ ଉପରକୁ ଉଠିବା ଆଉ ଖସିବା ଭିତରେ ଯେ ତମେ କି ପ୍ରକାର ଜୀବନର ସ୍ଵାଦୁ ପାଇବ...

 

–ଯାହାହେଲେ ବି ମୁଁ ବଞ୍ଚିବି... ଏବଂ ବଞ୍ଚିବାପାଇଁ ସେଇ ଉଦ୍ଦେଶ୍ୟହୀନ କାମର ବିରକ୍ତିକର ପରିବେଶକୁ ମୋତେ ଜୟ କରିବାକୁ ପଡ଼ିବ... ମୁଁ ଚାହେଁ ଜୀବନ....ଅନନ୍ତ ଜୀବନର ଗୋଟାଏ ଗୋଟାଏ ମୁହୂର୍ତ୍ତକୁ ଧରିରଖି ମୁଁ ନିଜର କରିବାକୁ ଚାହେଁ....ବୋଧହୁଏ ସେଇଟାହିଁ ଜୀବନର ପ୍ରକୃତ ସ୍ଵାଦ.... ।

 

–କିନ୍ତୁ ପ୍ରାପ୍ତି ନାହିଁ...ତେଣୁ ସ୍ଵାଦର ପ୍ରଶ୍ନଉଠେନା.....ଦୁଇଟି ଚରମକ୍ଷଣ ଭିତରେ କେବଳ ଦୋଳନ.....ଦୋଳନ.....

 

–ମୁଁ ମଣିଷ.....ମଣିଷ ବିରୁଦ୍ଧରେ ଦେବତାର ସମସ୍ତ ଚକ୍ରାନ୍ତ.....ସମସ୍ତ କୂଟଜାଲ ମୁଁ ଛିନ୍ନ କରିପାରିବି...ହେଉନା ସେ ଉଦ୍ଦେଶ୍ୟହୀନ ଦୋଳନ, ଦୋଳନର ଅଭିଜ୍ଞତା ବି ତ ଗୋଟାଏ ପ୍ରାପ୍ତି ! ....ଅନନ୍ତ କାଳବକ୍ଷର ଗୋଟାଏ ସ୍ଥିତି । .....ତେବେ ? ....ତେବେ ଦୁଃଖ କାହିଁକି ? ମୁଁ ତମର ସମସ୍ତ ଗର୍ବ ଭାଙ୍ଗି ଚୁର୍‌ମାର୍‌ କରିଦେବି !!

 

ନା,....ଏ ମୁହୂର୍ତ୍ତଟିକୁ ମୁଁ ମରିବାକୁ ଦେବିନି !!!

 

ପୂରା ଖରା ଆସିନି । କନିଅର ଡାଳରୁ ଟପ୍‌ ଟପ୍‌ କାକର ପଡ଼ୁଛି । ପବନଟା ବେଶ୍‌ ଲାଗୁଛି ଦେହକୁ । ଗୋଟାଏ କିଛି କହିପକେଇବାକୁ....ଗୋଟାଏ କିଛି କରି ପକେଇବାକୁ ମନ ହଉଚି–କିନ୍ତୁ କ’ଣ ?

 

କନିଅର ଡାଳ ଫାଙ୍କବାଟେ ଗୋଟାଏ ତେରେଛା ସୂର୍ଯ୍ୟରଶ୍ମି ଲୁଚି ଲୁଚି ଆସୁଚି–ଆସି ପଡ଼ିଚି ଦରଫୁଟିଲା ଫୁଲଟିର ତଳ ପତରଟି ଉପରେ । ଗାଢ଼ ଶାଗୁଆ ରଙ୍ଗଟା ବେଶ୍‌ ଉଜ୍ଜ୍ୱଳ ହେଇଉଠୁଚି ।

 

ସୁନ୍ଦର....ଆଃ...କି ଚମତ୍‌କାର ହେଇଚି ସେ କାକରଭିଜା ପାଖୁଡ଼ାଗୁଡ଼ିକ ! ଲମ୍ବା ଡେମ୍ଫଟିରେ ଛୋଟ ଗୋଟିଏ ନୁହେଁ–ହଳଦିଆ ନୁହେଁ–ନାଲି ରଙ୍ଗର ଗୋଲାପ....ଆ.....କି ମିଠା ! ମନଟା କିମିତି ଭିଜି ଭିଜି ଯାଉଚି...କ’ଣ କହୁଚି ସେ ମୋତେ ? ମୁଁ ତ ମୋଟେ ବୁଝିପାରୁନି ! ହେଇତ ତା’ ଆଖିଦିଇଟା ଛଳଛଳ ଦେଖାଯାଉଚି....ସତରେ କ’ଣ ଫୁଲଟା ମୋତେ ଏତେ....ଏତେ ଭଲପାଏ ? କ’ଣ କହିବାକୁ ଚାହୁଁଚି ମୋତେ ? ମୁଁ ବି କ’ଣ ତାକୁ ଏତେ ଭଲପାଏ ?

 

ଆଃ, କି କଅଁଳ ଲାଗୁଚି ମ ହାତକୁ ! ମିଶିଯିବି...ହଜିଯିବି ତା’ ଭିତରେ ? କିନ୍ତୁ କେମିତି-? ପାରୁନି ମୁଁ–ହଜିପାରୁନି–ଆଚ୍ଛା, ଛୋଟ ଗୋଟିଏ ଚୁମାଦେଲେ କେମିତି ହୁଅନ୍ତା ? ଦେଖେଁ–ଧେତ୍‌, ଓଠକୁ ଖାଲି କାକରିଆ ଲାଗୁଚି....ଚୁମା ଦେବାର ଉଷ୍ଣତାଟା ହଜିଯାଉଚି–ମୁଁ ପାରୁନି...ଚୁମା ଦେଇପାରୁନି...ପାଖୁଡ଼ାଗୁଡ଼ା ଭାରି କଅଁଳ ଲାଗୁଚି...ଅଥଚ ମୁଁ ତାକୁ ଛୁଇଁପାରୁନି...କେମିତି ମିଶିବି ତା’ହେଲେ ? କେମିତି ? କ’ଣ ଦେଇ ଫୁଲଟିକୁ ନିଜର କରିବି ?

 

ଡେମ୍ଫସମେତ ଛିଡ଼େଇ ଆଣିବି ଡାଳରୁ ? ଆଣି ମିତାର ଜୁଡ଼ାରେ.....ନାଁ, ନାଁ.....ଭାରି ନିଷ୍ଠୁରତା ହେବ ! ଏଇ ଡାଳରେ ଏଇମିତି ଛାଡ଼ିଯିବି ତାକୁ ? ଖରାରେ ଜଳିଯିବ ଯେ.... ! କେମିତି ନିଜର କରିବି ତା’ହେଲେ ? କ’ଣ ଛାଡ଼ିଯିବି ତା’ପାଇଁ ? ଖାଲି ଗୋଟିଏ ହାଲୁକା ଦୀର୍ଘଶ୍ଵାସ ?

 

ସତରେ ତା’ହେଲେ ପାରିବିନି ? ଏ ମିଶିବାର କ’ଣ କିଛି ଅର୍ଥ ନାଇଁ ? କିଛି.....କିଛି ବି-?

 

କେବଳ ଗନ୍ଧ...ଆଉ ଗନ୍ଧ !

 

ଖାଲି ରଙ୍ଗ.... ଖାଲି ରଙ୍ଗ !!

 

ଖାଲି ଭିଜାଭିଜା ଗୋଟାଏ ସ୍ମୃତି ! ଗୋଟାଏ କିଛି ହଜିଲା ହଜିଲା ଭାବ !

 

କିନ୍ତୁ ମିଛ କ’ଣ ସେଥିରେ ? ସ୍ଵୀକାର ତ କରି ହବନାଇଁ....ଅସ୍ଵୀକାର କରିବା ଅର୍ଥ ନିଜର ଅସ୍ତିତ୍ଵକୁ ଭୁଲିଯିବା.....

 

ନାଃ, ସେ ବି ସତ !

 

ଦୂର୍‌.....କି ଘଡ଼ଘଡ଼ିଆ ଗଳା ଏ ମାଧନନାଟାର... ହେଇ ଦେଖୁନ ସକାଳୁ ସକାଳୁ କିମିତି ଗାଧୋଇସାରି ଆସିଲାଣି ଫୁଲତୋଳି.... ମନ୍ଦିରକୁ ନେବ.... କି ଦେବତାଟା ମ ସିଏ ? ଏତେ ସୁନ୍ଦର ଫୁଲଟାକୁ ନେଇଯିବ ଏଇନେ ଛିଡ଼େଇ କରି ? ହୁଃ....ପୁଣି ଶ୍ଳୋକ ଶୁଣ !

 

....‘‘କର୍ମଣ୍ୟେବାଧିକାରସ୍ତେ.....ମା ଫଳେଷୁ କଦାଚନ ।’’

 

ହୁଃ, ଯେତେସବୁ ବାଜେକଥା...

 

ଦେବି କି ଦଳି ଫୁଲଟାକୁ.....ଦଳି ଖିନଭିନ୍‌ କରିଦେବି ? ତା’ର ସେଇ ଟିକି ପାଖୁଡ଼ାଗୁଡ଼ିକର ପ୍ରତ୍ୟେକଟି ଶିରାରେ କେମିତି ରଙ୍ଗର ଗୋଟାଏ ସୁଅ ବହୁଚି ଦେଖିବି ? ତା’ର ସେଇ ଭିଜାଭିଜା ମିଠା ଗନ୍ଧ ଭିତରେ କି କୁହୁକ ଲୁଚିରହିଚି, ଆବିଷ୍କାର କରିବି ?

 

....ଚା’ଟା ଥଣ୍ଡା ହେଉଯାଉଚି ଯେ !

 

.....ମିତା.....ତମେ ? ଯାଉଚି ଚାଲ... ।

 

ମିତା ଫେରିଯାଉଥିଲା ବାରଣ୍ଡା ଉପରୁ । ନିଦ ମଳମଳ ଆଖି । ଅଳସ ଛାଡ଼ିନି । ନିଦରୁ ଉଠି ରେଡ଼ିଓଟା ଅନ୍‌କରି ଦେଇଚି ବୋଧହୁଏ.... କ୍ୟାଲକାଟା ସେଣ୍ଟର୍‌ରୁ ମିଠା ଗଳାଟିଏ ଗାଉଚି ଚଣ୍ଡୀଦାସରୁ......

 

...ଅଧରେ ତାମ୍ବୁଲ ବୟାନ ଲେଗେଛେ,

ଘୁମେ ଢୁଲୁ ଢୁଲୁ ଆଁଖି

ସଖୀ ଫିରେ ରାଓ, ଫିରିୟା ଦାଁଡ଼ାଓ,

ନୟନ ଭରିୟା ଦେଖି !!

 

ଡାକିଲି, ମିତା !

 

ମିତା ଫେରିଚାହିଁଲା । ନିଦ ବାଉଳା ଆଖିରେ ଆଖିଏ ଅଭିଯୋଗ.... ମୋତେ ନ ଡାକି ଏକା ଏକା ଉଠିଆସିଲ ବିଛଣାରୁ ?

 

ମୁଁ ଦେଖିଲି ସେ ମୁହଁଟିକୁ...କେଡ଼େ ନିରୀହ... କେଡ଼େ ଶାନ୍ତ ! ଅଲରାବାଳ କେଇକେରା ଧୀରେ ଧୀରେ ଦୋଳୁଚି ପବନରେ....ଆଉ ଦୋଳୁଛି ଗୋଟାଏ କିଛି ମୋ ଭିତରେ.....ମୋର ନିହାତି ଭିତରେ । ମିତାର ଏ ମୁହଁଟି....ମୋର ଅତି ଆପଣାର ଭାରି, ଲୋଭ ହଉଚି..... । କାଲି ରାଇକମଳ ପିକ୍‌ଚର୍‌ ଦେଖି ଫେରୁଥିଲେ ଦୁହେଁ–ଜହ୍ନରାତିଟା–ସେଇଥିପାଇଁ ରାସ୍ତାରେ ଏଇ ବିରକ୍ତିକର ଇଲେକ୍‌ଟ୍ରିକ ଲାଇଟ୍ ନଥିଲା–ମନହେଲା ମିତାକୁ ମୁଁ ବହୁତ....ବହୁତ ପାଖରେ ପାଉଚି–ଦୁଇଟି ସୁନ୍ଦର ମଣିଷ ଦେହ ନେଇ ଆମେ ପାଖାପାଖି....ଅତି ପାଖାପାଖି ଭାବରେ ଯେମିତି ଭାସି ଚାଲିଥିଲୁ କୌଣସି ନୀଳସ୍ଵପ୍ନର ଦେଶକୁ....ଆଗରୁ ମିତାକୁ କେବେ ଏତେ ସୁନ୍ଦର....ଏତେ ନିବିଡ଼ଭାବରେ ନିକଟରେ ପାଇନଥିଲି....ସେଇ ମୁହୂର୍ତ୍ତରେ ତାକୁ ଖୁବ୍‌–ଖୁବ୍‌ ନିଜର କରିନେବାକୁ ମନ ହେଉଥିଲା–ଏଇଲାଗେ ବି ।

 

–କ’ଣ ଏତେ ଚାହୁଁଚ ମ ?

 

ଲାଜରା ହେଲା ସେ । ଆହୁରି ସୁନ୍ଦର ଦିଶିଲା ।

 

–ନିଅ, ଚା’ଟା ପିଇନିଅ ଆଗେ ।

 

କପ୍‌ଟା ବଢ଼େଇଲା ମୋ ହାତକୁ ।

 

କପ୍‌ଟା ଡାହାଣ ହାତରେ ନେଇ ଟି’ପୟ ଉପରେ ରଖୁଁ ରଖୁଁ ବାଁ ହାତରେ ମୁଁ ଧରିନେଲି ମିନାର ନରମ ହାତଟିକୁ...ଚୁଡ଼ି ଦି’ପଟ ଟିକିଏ ଝଣ୍‌ ଝଣ୍‌ କରିଉଠିଲା । ଭିଡ଼ିଆଣିଲି ନିଜ ଉପରକୁ... ।

 

ସେ ନିଃଶ୍ଵାସ ଚିପି କହୁଥିଲା... ଛାଡ଼ !

 

ମୁଁ ଡାକିଲି... ମିତା.... ।

 

....ଉଁ !

 

ତା’ର ଆଖି, ଓଠ, କପାଳ ଓ ବେକ ଉପରେ ଅଜସ୍ର ଚୁମା ଢାଳି ଦେଉଁ ଦେଉଁ ବ୍ରା’ତଳୁ ମୁଁ ତା’ର ସ୍ତନର ଉଷ୍ମତା ଅନୁଭବ କରୁଥିଲି ।

 

ମୁଁ ଡାକିଲି... ମିତା.... ।

 

....ଉଁ !

 

ମୁଁ ମିତା ଭିତରେ ମିଶିଯିବାକୁ ଚାହୁଁଚି.....ମିତା ମୋ ଭିତରେ ମିଶିଯିବାକୁ ଚାହୁଁଚି....ମିତା ଆଖି ବନ୍ଦକରି ମୋ ପିଠି ଉପରେ ହାତ ବୁଲେଇ ବୁଲେଇ ମୋତେ ଖୋଜିବାରେ ଲାଗିଚି....ସେ ମୋତେ ପାଉନାହିଁ...ପାଇପାରୁ ନାହିଁ...ଆଉ ମୁଁ.....ଚୁମାର ଉଷ୍ଣତା ଭିତରେ ଥରିଲା ନିଃଶ୍ଵାସର ଉଷ୍ଣତା ଭିତରେ–ମିତା ଦେହର ଉଷ୍ଣତା ଭିତରେ ମିତାକୁ ଖୋଜୁଚି....ପାଉନାହିଁ.....ମିତାକୁ ମୁଁ ପାଇପାରୁ ନାହିଁ ।

 

ମୁଁ ବାରମ୍ବାର ଡାକୁଚି...ମିତା...ମିତା....ମିତା...

 

ମିତା ବାରମ୍ବାର ଉତ୍ତର ଦଉଚି....ଉଁ !

 

ମିତା ମୋ ଡାକ ଶୁଣିପାରୁନି ।

 

ମୁଁ ମିତାର ଉତ୍ତର ଶୁଣିପାରୁନି ।

 

ମୋ ଡାକିବାର କିଛି ଅର୍ଥ ନାହିଁ...କାରଣ, ଭାଷାର ଅର୍ଥ ନଥାଏ । ମିତାର ଉତ୍ତର ଦେବାର କିଛି ଅର୍ଥ ନାହିଁ–କାରଣ, ଉତ୍ତର ଦଉଚି କି ପ୍ରଶ୍ନ ପଚାରୁଚି ସେ ନିଜେ ଜାଣିପାରୁନି ।

 

ଟିପ୍....ଗୋଟିଏ ବଟ୍‌ନ ଖୋଲିଲା ।

 

...‘ଦୁଧ ନିଅ ବାବୁ’.....ଗୁଆଲା ଡାକଛାଡ଼ିଲା ।

 

ମିତା ଲାଜରେ ଛଟ୍‌ପଟ୍‌ ହେଲାଣି–ତାକୁ ଆଉ ଧରି ରଖିବା ନିରର୍ଥକ... ।

 

ମିତା କ୍ଷୀର ଆଣିବାକୁ ଯାଉଚି ।

 

ଚା’ କପ୍‌ଟା ପୂରା ଥଣ୍ଡା !

 

ଯାଃ... ।

 

ଆଚ୍ଛା....ଆଜି ମୋର ଶେଷ ତିନି ପିରିୟଡ ଲିଜର ଅଛିନା ? ଶୀଘ୍ର ଫେରିଆସିବି–ସନ୍ଧ୍ୟାବେଳେ ମିତା ସହିତ ବୁଲିଯିବି ସମୁଦ୍ରକୂଳକୁ ।

 

ଦିଇଟାବେଳେ କଲେଜରୁ ଫେରୁଥିଲି । ମୁଣ୍ଡଫଟା ଖରା । ଚାରିଚକିଆ ଖଣ୍ଡେ ନ କିଣିଲେ ସ୍କୁଟର୍‌ରେ ଏଇ ଅସୁବିଧା । ପିଚୁ ରାସ୍ତାଟି ତାତି ଏମିତି ତରଳିଯାଇଚି ଯେ ତତଲା ବାମ୍ଫ ବାଜି ମୁହଁ ଜଳିଯାଉଚି...କଳା ଗଗ୍‌ଲସ୍‌ ଭିତର ଦେଇ ବି ଆଖିଭିତରେ ଯେମିତି ଗୁଡ଼ାଏ ଛୁରି ଗଳିଯାଉଚି । ଆକ୍‌ସିଲରେଟର୍‌ ମୋଡ଼ୁଥିଲି । କିଛି ଦୂରରେ ଗୋଟାଏ ଢଣ୍ ଢଣ୍ ଶବ୍ଦ ଶୁଭିଲା । ସ୍ପିଡ୍‌ କମେଇ ଚାହିଁଲି ।

 

ସାବୁନ୍‌ ଫ୍ୟାକ୍‌ଟରୀର ଟିଣ ଛାତଟା । ଖରାରେ ପାଚି ଲାଲ୍ ପଡ଼ିଯାଇଚି.....ଇସ୍‌....ତା’ଉପରେ ସେ ମଣିଷଟି...କେଡ଼େ ରୋଗୀଣା ଦିଶୁଚି... ବଡ଼ କଷ୍ଟରେ ହାତୁଡ଼ିଟା ଟେକୁଚି....ମୁଣ୍ଡରେ ଗୋଟିଏ ଦେଢ଼ହାତିଆ ସରୁ ନାଲି ଗାମୁଛା....ପଗଡ଼ିର ଦଶଭାଗରୁ ଭାଗେ କାମ ଚଳଉଚି....ଇୟେ କ’ଣ ? ଖାଲି ଗୋଡ଼ରେ ତାତିଲା ଟିଣଟା ଉପରେ ଚଢ଼ିଚି ? ଫୋଟକା ହେଇଯିବନି ?

 

ଗୌତମ ପଚାରିଲେ–ଆଃ, କହିପାରିବ ଛନ୍ଦକ ! ପୃଥିବୀର ଲୋକମାନେ କାହିଁକି ଏତେ କଷ୍ଟ ପାଉଚନ୍ତି ? କ’ଣ କଲେ ଏ କଷ୍ଟରୁ ମୁକ୍ତି ମିଳିପାରିବ ? ଏ ଦୁଃଖ, ଏ ଜରା, ଏ ବ୍ୟାଧି.....ଏ ମୃତ୍ୟୁ.....ସତରେ କ’ଣ....

 

ଛନ୍ଦକ ନୀରବରେ ମୁଣ୍ଡ କୁଣ୍ଡାଇବାରେ ଲାଗିଲେ ।

 

ସିଦ୍ଧାର୍ଥ ପୁଣି ପଚାରିଲେ–କ’ଣ ଏମାନଙ୍କୁ ଟିକିଏ ବି ସହାନୁଭୂତି ଦେଖାଇବାର ରାସ୍ତା ନାହିଁ ?

 

–ନାହିଁ ରାଜକୁମାର । ପୃଥିବୀକୁ ଆସିଲେ ଏଇଆହିଁ ଭୋଗିବାକୁ ପଡ଼େ ।

 

ଛନ୍ଦକ ପୂର୍ବପରି ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ଚୈତକକୁ ତାଡ଼ା ଦେବାକୁ ଲାଗିଲେ ଛୋଟ ଚାବୁକଟି ସାହାଯ୍ୟରେ । ରଥ ଗଡ଼ିଲା ଆଗକୁ ।

 

ସିଦ୍ଧାର୍ଥ ଫିସ୍‌ ଫିସ୍‌ କରି ଓଠ ଫାଙ୍କରୁ କହିଲେ–

 

ନିର୍ବାଣ ଚାହିଁ !

 

ମୁକ୍ତି ଚାହିଁ !!!

 

ମୁଁ କିନ୍ତୁ ଚିତ୍‌କାର କରିଉଠିଲି....ଛିଃ ସିଦ୍ଧାର୍ଥ......ତମେ ବି ଶେଷରେ ଏଇଆ କହିଲ ? ଜୀବନକୁ ନ ଚିହ୍ନି ମୃତ୍ୟୁକୁ ଚିହ୍ନିଲ ? ନିର୍ବାଣ ଭିତରେ ଖାଲି ମଣିଷକୁ ଅମଣିଷ କରିବାର ସ୍ଵପ୍ନ ଦେଖିଗଲ ସିନା...କାଇଁ, ତା’ ଦୁଃଖରୁ ତ ଏତେ ଟିକିଏ ଭାଗନେବାକୁ ଚାହିଁଲନି ? ନାଃ,.....ଏ ହେଇପାରେନା....ମୁଁ ତୋ ଦୁଃଖରେ ଭାଗନେବିରେ ହତଭାଗା....ମୁଁ ନିଶ୍ଚୟ ମିଶିଯିବି ତୋ ଭିତରେ.....କିନ୍ତୁ–କେମିତି ? କେମିତି ?

 

ମୋର ଏ ସହାନୁଭୂତି ଟିକକ ଖାଲି କ’ଣ ଗୋଟିଏ ଛୋଟ ଦୀର୍ଘଶ୍ଵାସ ଭିତରେ ମିଳେଇଯିବ ?

 

ଚୈତକ କିନ୍ତୁ ଠିକ୍‌ ବେଳରେ ଲଗାମାର ତାଡ଼ା ଅନୁଭବ କଲା । ଘର୍ଘର ଶବ୍ଦରେ ରଥ ଗଡ଼ିଲା ଆଗକୁ...ଆଗକୁ... ।

 

ନା, ତଥାପି ସେ ମଣିଷଟି ବଞ୍ଚିଚି...ବଞ୍ଚିବ.....ମୋର ବିନା ସହାନୁଭୂତିରେ ବଞ୍ଚିବ....କିନ୍ତୁ କାହିଁକି....କାହିଁକି ?

 

ଦୂରରେ ମିଳେଇଯାଉଥିବା ହାତୁଡ଼ିର ଢଣ୍‌ ଢଣ୍‌ ଶବ୍ଦଟା ଉତ୍ତର ଦେଲା....ବଞ୍ଚିବା ପାଇଁ....ବଞ୍ଚିବା ପାଇଁ ।

 

ଶୁଣୁଚ.... ଶୁଣୁଚ ଗୌତମ ! ରଖ ତମର ସେ ନିର୍ବାଣ !

 

ମୁଁ ପଥର ହେବାକୁ ଚାହେଁନା ।

 

ମୁଁ ମଣିଷ.....ମଣିଷ ମୁଁ !! ଢନ୍‌ ଢନ୍‌ ! ମଣିଷ ମୁଁ !!!

 

ଝାଉଁବନର ବଂଶୀସ୍ଵନ ଭିତରେ ସାଗର ତରଙ୍ଗ ଅଧିକ ଉତ୍ତଳା ହୋଇଉଠୁଥିଲା ।

 

ମିତାକୁ ଛୋଟ ପିଲାଟିଏ ପରି ଛାତି ଉପରେ ଆଉଜାଇ ଧରି କୋଳ କରିଥିଲି । ସେ ମୋର ଶାର୍ଟର ଗୋଟାଏ ବଟନକୁ ଖାଲି ଏମିତି ଧୀରେ ଧୀରେ ଖୋଲୁଥିଲା ଆଉ ଲଗାଉଥିଲା ।

 

ମୁଁ ତା’ର ସେଇ କଳା କଳା ଆଖି ଦୁଇଟିକୁ ଚାହିଁ ପଚାରିଲି–ଜାଗାଟା ବେଶ୍‌ ନିର୍ଜନ ହେଇଚି–ନା ?

 

ସେ ମୋତେ ଚାହିଁଲା । ସେ ଚାହିଁବାର ଅର୍ଥ ଅନେକ । ହସର ଗୋଟାଏ ନିଭିଲା ଝଲକ ।

 

ଗୋଟିଏ ଅନୁରୋଧ କରିବି....ରଖିବ ?

 

ଏଥର ତା’ ଆଖିରେ ଉତ୍ସୁକତା ।

 

–ମୋତେ ପୁଣି ଅନୁରୋଧ କରିବ ତମେ ? କେବେ ତମ କଥାରୁ ବାହାରିଯାଇଚି ଦେଖିଚ ?

 

–ଯାଃ, ଦୁଷ୍ଟ !–ମୁହଁ ଲୁଚେଇଲା ସେ ମୋ ଛାତି ଭିତରେ ।

 

ଚୁମାରେ ତାକୁ ଛାଇ ଦେଉ ଦେଉ ମୁଁ କହିଲି.....କେବଳ ଗୋଟିଏ ଅନୁରୋଧ....ନିଶ୍ଚୟ ରଖିବ କିନ୍ତୁ...

 

–କ’ଣ ?

 

–ଦେହରୁ ସବୁ କିଛି ଖୋଲିଦେଇ ଆମେ ଦୁହେଁ କିଛି ସମୟ ପାଇଁ ଏଇଠି ଠିଆହେବା.....ଏଇଠି....ଏଇ ନାଲି ସୂର୍ଯ୍ୟକିରଣ ତଳେ !

 

–ଧେତ୍‌, ତମର ଯୋଉ କଥା ନା...

 

ଆହୁରି ଆଉଜିଆସି ମୁହଁ ଗୁଞ୍ଜି ଦେଉଥିଲା ସେ ମୋ ଛାତି ଭିତରେ ।

 

–ଜାଣିଚ...ମୁଁ ନୂଆକରି ତୁମକୁ ଦେଖିବାକୁ ଚାହେଁ....ଏଇ ଖୋଲା ଆକାଶ ତଳେ....ବନ୍ଦଘରର ଦରଜା ଭିତରେ କିନ୍ତୁ ତୁମକୁ ମୁଁ ମୋଟେ ପାଇପାରେ ନାହିଁ.... ।

 

....ଧୀରେ ଧୀରେ ମୁଁ ତା’ର ଶାଢ଼ିଟା ଖୋଲି ଦେଉଥିଲି ।

 

–ଏଇତ...ମୁଁ ତମର ଏତେ ପାଖରେ !

 

ମୋ ନିଜ ଲୁଗାଟା ବି ଖୋଲୁଥିଲି । ସେ ମୋ ଆଡ଼କୁ ପିଠିକରି ବସି ନିଜକୁ ଲୁଚେଇବାକୁ ଚାହୁଁଥିଲା ମୋଠାରୁ ।

 

–ଆସ ! ....ଦୁଇହାତରେ ଆଲିଙ୍ଗନ କରି ତାକୁ ତୋଳିଧରି ଠିଆ କରିବାକୁ ଚେଷ୍ଟା କରୁଥିଲି । ମାତ୍ର ସେ ଲାଜକୁଳୀ ଲତା ଭଳି ଢଳିପଡ଼ୁଥିଲା ମୋ ଉପରକୁ । ତା’ ପାଦରେ ମୋଟେ ବଳ ନଥିଲା । ତା’ର ନରମ ସ୍ତନ ଦୁଇଟାକୁ ମୋ ଛାତି ଉପରୁ ଉଠାଇନେଇ ସିଧା ଠିଆ ହୋଇପାରୁନଥିଲା ସେ । ହୁଏତ ମୋ ଭିତରେ ମିଶିଯିବାକୁ ଚେଷ୍ଟା କରୁଥିଲା ।

 

ମୋ ପାଦରେ ବି ଠିଆ ହେବାକୁ ବଳ ନାହିଁ...ମୁଁ ଠିଆ ହେବାକୁ ଚାହୁଁଚି...ଅଥଚ ପାରୁନି...

 

ଦୁହେଁ ଥରୁଚୁଁ.....ତା’ର କଅଁଳିଆ ଆଙ୍ଗୁଳିଗୁଡ଼ିକ ମୋ ପିଠି ଆଉ ମୁଣ୍ଡର ବିଭିନ୍ନ ସ୍ଥାନରେ ଚାପି ଚାପି ସେ ମୋତେ ଖୋଜୁଚି... ମୋତେ ଆହୁରି ଜୋର୍‌ରେ ସେ ଜଡ଼େଇ ଧରୁଚି.....ମୁଁ କିନ୍ତୁ ପୂରାପୂରି....ପୂରାପୂରି ତା’ ଭିତରେ ମିଶିଯିବାକୁ ଚାହେଁ...ତା’ର ବର୍ତ୍ତୁଳ ସ୍ତନ ଦିଇଟା ଖୁବ୍‌ ଜୋର୍‌ରେ ଛାତି ଭିତରେ ଚିପିଧରି ମୁଁ ତା’ ଭିତରକୁ ପଶିବାକୁ ଚାହେଁ... । ମିତା....ମିତା... ! ମୁଁ କାହିଁକି ଡାକୁଚି ଜାଣିପାରୁନି....ସେ ମୋ କଥା ବୁଝିପାରୁନି...ମଣିଷ ମଣିଷର କଥା ବୁଝିପାରୁନି....କି ଆବଶ୍ୟକତା ସେ ମଣିଷର ? ତଥାପି ଆମେ ଦୁହେଁ ନିଜ ଅଜାଣତରେ ଆଉ ଗୋଟାଏ ନୂଆ ମଣିଷର ସୃଷ୍ଟିପାଇଁ ଉନ୍ମୁଖ ହେଇଉଠିଲୁଣି ଏଇ ମୁହୂର୍ତ୍ତରେ....ତଥାପି ମିତାର ସେଇ ସୁନ୍ଦର ଶରୀରଟାକୁ ଦଳିପେଷି ମୁଁ ମିଶିଯିବାକୁ ଚେଷ୍ଟା କରୁଚି ତା’ ଭିତରେ ଏହି ମୁହୂର୍ତ୍ତରେ.....ମିତା....ଆହୁରି ଆହୁରି ମିଶିଯାଅ ମୋ ଭିତରେ.....ନାଃ, ପାରିଲିନି.... ପାରିଲିନି.....

 

ଏ ହେଇପାରେନା...

 

କିଛି....କିଛି ବି ହେଇପାରେନା....

 

ବେଳାଭୂମିର ସେଇ ଶୁଭ୍ର ବାଲୁକାଶଯ୍ୟାରେ ମଥାରଖି ଶୋଇରହି ମୁଁ ଉପରର ଫାଙ୍କା ଆକାଶଟାକୁ ଚାହିଁ ରହିଥିଲି ।

 

ନିରର୍ଥକ ଭାବରେ । ମିତା ମୋ ପାଖରେ ସେଇମିତି ଶୋଇରହି ମୋ ମୁଣ୍ଡ ସାଉଁଳିବାରେ ଲାଗୁଚି–ଖୁବ୍‌ ହାଲିଆ ହେଇଗଲ, ନା ?

 

ମୁଁ ଜବାବ ଦଉନି ।

 

ସେ ଉଠିଆସୁଚି ମୋ ଛାତି ଉପରକୁ...ତା’ର ସୁନ୍ଦର ସ୍ତନ ଦେହରୁ ମୁକ୍ତାରେଣୁ ପରି ଖସିପଡ଼ୁଚି ବେଳାଭୂମିର ଶୁଭ୍ର ବାଲୁକଣା.....

 

ହଠାତ୍‌ ସେ ଖୁବ୍‌ ଖୁସି ହେଇ ହାତ ବଢ଼ାଇଲା ।

 

–ଆଃ; ଦେଖୁଚ...କି ସୁନ୍ଦର ଦିଶୁଚି....

 

ମୁଁ ଚାହିଁଲି....ସୂର୍ଯ୍ୟର ନାଲିଆ ଥାଳିଟା ଖୁବ୍‌ ବଡ଼ ଦେଖାଯାଉଚି...ଅଧା ବୁଡ଼ିଗଲାଣି ଦିଗ୍‌ବଳୟ ତଳେ.... ।

 

ତା’ରି ଭିତରୁ–

 

ହଁ, ତା’ରି ଭିତରୁ ସିସିଫସ୍‌ ହସିଉଠୁଚି...

 

ବିରକ୍ତିରେ ଆଖି ଫେରେଇନେଲି ସାଗର ତରଙ୍ଗଆଡ଼କୁ ।

 

ୟେ କ’ଣ ?

 

....ଫେନାୟିତ ସାଗର ତରଙ୍ଗର ଚୂଡ଼ାରେ ଚୂଡ଼ାରେ କାହାର ଏ ଦୋଳନ ? ସେ ଦୋଳନର ତାଳେ ତାଳେ କିଏ ସେ ନାଚୁଚି ?

 

ସିସିଫସ୍‌ !!!

 

ପ୍ରାପ୍ତି ନାହିଁ....ପ୍ରାପ୍ତି ନାହିଁ...

 

କିନ୍ତୁ ସ୍ଥିତି ଅଛି....ସ୍ଥିତି ଅଛି....ଅନନ୍ତ କାଳବକ୍ଷରେ ଏ ମୁହୂର୍ତ୍ତର ସ୍ଥିତି ହିଁ ଯଥେଷ୍ଟ !

 

ସୂର୍ଯ୍ୟର ଥାଳିଟା ପୂରା ବୁଡ଼ି ଯାଇଥିଲା ।

 

ଅନ୍ଧାର ।

 

ଶୁଣୁଚ ଜୀଅସ୍....ତମେ କେଉଁଠି ଅଛ ଅନ୍ଧାରରେ ମୁଁ ତୁମକୁ ଦେଖିପାରୁ ନାହିଁ...ମୁଁ ସିସିଫସ୍ କହୁଚି, ମୁଁ ମଣିଷ କହୁଚି....ମଣିଷ ବିରୁଦ୍ଧରେ ତମର ଚକ୍ରାନ୍ତ ପୂରାପୂରି ବିଫଳ ହେଇଯାଇଚି....ବିଫଳ ହେଇଯାଇଚି...ବିଫଳ ହେଇଚି....କାରଣ, ମଣିଷ ହାତରେ ତମେ ଭୁଲ୍‌ରେ ଗୋଟାଏ ବଡ଼ ଅସ୍ତ୍ର ଛାଡ଼ି ଦେଇଗଲ....'ଆଶା’ର ଅସ୍ତ୍ର... ତେଣୁ ତମେ ହାରିଯାଇଚ ଜୀଅସ୍‌...ତମେ ହାରିଯାଇଚ !!!

 

ଇସ୍ପାତ ବିଦ୍ୟାଳୟ

ସେକ୍ଟର–୧୮

ରାଉରକେଲା–୩

Image

 

ପରିଚୟ

ଦୟାଲାଲ ଯୋଷୀ

 

‘‘ବାବୁ, କୁ’ ଠି ଯିବା’’

 

‘‘ଧର୍ମଶାଳା’’

 

‘‘କ’ଣ, ମାରୱାଡ଼ି ଧର୍ମଶାଳା ?’’

 

‘‘ଯେଉଁଟା ଭଲ, ସେଇଠିକି ନେଇଚାଲ ।’’

 

‘‘ଭଲ କ’ଣ ଖରାପ କ’ଣ ? ଗୋଟିଏ ତ ଧର୍ମଶାଳା’’

 

ଜୀବନର ବ୍ୟସ୍ତତା ଓ ବ୍ୟର୍ଥତାରୁ ଟିକିଏ ଦୂରେଇ ଯିବାପାଇଁ ଘରଛାଡ଼ି ମାସେଖଣ୍ଡେ ବାହାରେ ବୁଲିଆସିବି ବୋଲି ଭାବି ଏହି ସହରକୁ ଆସିଛି । ଭାବିଲି, କର୍ମ କ୍ଷେତ୍ରରୁ ଦୂରରେ ରହି କିଛି ଦିନ ଶାନ୍ତିରେ ରହିବି ।

 

ଷ୍ଟେସନରେ ଓହ୍ଲାଇ ବେଡିଂ ଖଣ୍ଡିକ ଓ ବେଗ୍‌ ରିକ୍‌ସାରେ ରଖି ଧର୍ମଶାଳାକୁ ଯିବାକୁ ରିକ୍‌ସାବାଲାକୁ ନିର୍ଦ୍ଦେଶ ଦେଲି । ଭାବିଲି, ଧର୍ମଶାଳାରେ ଦୁଇ ଚାରିଦିନ ରହି କାଠଯୋଡ଼ି କୂଳରେ ଛୋଟ ଖଣ୍ଡିଏ ଘରଭଡ଼ା ନେଇ କିଛି ଦିନ ରହିବି ।

 

ଧର୍ମଶାଳା ଗେଟ୍‌ରେ ଜମାଦାର ବସିଛି । ତା’ର ଖାତା ବାହାର କରି ନାଁ, ଗାଁ ଲେଖି ବସିଲା, ତା’ପରେ ପଚାରିଲା ।

 

‘‘ଆପଣ କ’ଣ ହିନ୍ଦୁ’’

 

‘‘ହଁ’’

 

‘‘କ’ଣ କରନ୍ତି’’

 

‘‘ବ୍ୟବସାୟ’’

 

‘‘କି ବ୍ୟବସାୟ’’

 

‘‘ଏଇ ସାମାନ୍ୟ’’

 

‘‘ସାମାନ୍ୟ ଅର୍ଥ କ’ଣ, ରାଜନୀତି ନା ବେପାର ନା ଚାକିରି କରନ୍ତି ?’’

 

‘‘ବେପାର କରେ’’

 

ଖାତାରେ ସବୁ ଟିପିନେଇ କୁଲିକୁ କହିଲା, ୧୦ ନମ୍ବର କୋଠରିକୁ ନେଇଯାଅ ।

 

ରାତ୍ରିଟା ଧର୍ମଶାଳାରେ କଟାଇ ଆରଦିନ ସକାଳୁ ଘର ଖୋଜିବା ପାଇଁ ବାହାରିପଡ଼ିଲି । ଆଜିକାଲି କଟକ ସହରରେ ଘର ଖଣ୍ଡେ ପାଇବା ଅତି କଷ୍ଟ । ହେଲେ ଧର୍ମଶାଳାରେ ତ ମାସେ ବା ପନ୍ଦରଦିନ ରହିବାକୁ ଦେବେ ନାହିଁ ! ତେଣୁ ଘର ଖୋଜିବାରେ ବ୍ୟସ୍ତ ହୋଇପଡ଼ିଲି ।

 

ସାରାଦିନ ଘର ଖୋଜା ଖୋଜିରେ ଗଲା । କିନ୍ତୁ ପାଇଲି ନାହିଁ । ଯେଉଁଠିକି ଗଲେ, ‘‘ଆଜ୍ଞା ଖାଲି ନାହିଁ ।’’

 

ସନ୍ଧ୍ୟାରେ ଧର୍ମଶାଳାକୁ ଫେରିଲା ବେଳକୁ ଦେଖିଲି ପାଖ ୧୪ ନମ୍ବର କୋଠରି ସାମନାରେ, ବାରଣ୍ଡାରେ ଜଣେ ଭଦ୍ରଲୋକ ତଳେ ବସିଛନ୍ତି ।

 

ମୁଁ ମଧ୍ୟ ଯାଇ ମୋ କୋଠରି ନ ଖୋଲି ତାଙ୍କରି ପାଖରେ ବସିପଡ଼ିଲି । ତାଙ୍କୁ ପଚାରିଲି, ‘‘ଆପଣ କେଉଁଠୁ ଆସିଛନ୍ତି ?’’

 

‘‘କେନ୍ଦ୍ରାପଡ଼ାରୁ ଆସିଛି । ମୁଁ ସେଠାକାର ପଞ୍ଚାୟତ ସମିତି ଚେୟାର୍‌ମେନ୍‌, ମନ୍ତ୍ରୀଙ୍କ ସଙ୍ଗରେ କାମ ଅଛି । ଆସନ୍ତା କାଲି ତାଙ୍କ ସହିତ ଦେଖାକରିବି ।’’

 

ଏକା ନିଶ୍ଵାସରେ ସବୁ କହିଗଲେ । ଭାବିଲି ଲୋକଟା ବେଶ୍ ମୁଖର ପ୍ରକୃତିର । ତା’ପରେ ପ୍ରଶ୍ନ ଆରମ୍ଭ କଲେ । ‘‘ଆପଣ କେଉଁଠୁ ଆସିଲେ ?’’

 

‘‘ଆଜ୍ଞା, ସମ୍ବଲପୁର ଆଡ଼ୁ ଆସିଲି ।’’

 

‘‘କ’ଣ କରନ୍ତି ?’’

 

‘‘ବ୍ୟବସାୟ’’

 

‘‘କାହିଁ ପାଇଁ ଆସିଛନ୍ତି । କ’ଣ ମନ୍ତ୍ରୀଙ୍କ ସାଙ୍ଗରେ କିଛି କାମ ଅଛି ?’’

 

‘‘ନା, ଘର ଖଣ୍ଡିଏ ଖୋଜୁଛି, କିଛି ଦିନ କଟକରେ ରହିବି ବୋଲି ଭାବିଛି । ସାରାଦିନ ଖୋଜି ଖୋଜି ହାଲିଆ ହୋଇଗଲିଣି, କିନ୍ତୁ ପାଇଲି ନାହିଁ ।’’

 

‘‘ଘର ପାଇଲେ ନାହିଁ ? ଆଚ୍ଛା, ମୋ ସାଙ୍ଗରେ କାଲି ଯିବେ, ଦେଖିବା ଗୋଟିଏ ଦୁଇଟି ସ୍ଥାନରେ ଘର ମିଳିପାରେ ।’’

 

ଏମିତି ଏଣୁତେଣୁ ଅନେକ ଗୁଡ଼ାଏ କଥାବାର୍ତ୍ତା କଲାପରେ ଦୁହେଁ ଉଠି ସ୍ଵ ସ୍ଵ ସ୍ଥାନକୁ ଯାଇ ରାତ୍ରିଟା କଟାଇଲୁ । ଆରଦିନ ସକାଳୁ ସେହି ନୂତନ ବଂଧୁଙ୍କ ସହ ମୁଁ ଘର ଖୋଜିବା ପାଇଁ ଚାଲିଲି ।

 

କାଠଯୋଡ଼ି କୂଳରେ ଗୋଟିଏ ବିରାଟ ମହଲା । ସେ ଭିତରକୁ ପଶିଲୁ । ମହଲାଟି ଦେଖି ମୁଁ ଛାନିଆଁ । ମୁଁ କହିଲି, ‘‘ଆଜ୍ଞା, ଏଡ଼େ ବିରାଟ ଘର ମୋର ଦରକାର ନାହିଁ, ଏଡ଼େ ବଡ ଘର ମୁଁ କ’ଣ କରିବି ? ତା’ପରେ ଏତେ ଭଡ଼ା କୁଆଡ଼ୁ ଦେଇପାରିବି ?’’

 

‘‘ଓଃ, ବ୍ୟସ୍ତ ହେଉଛନ୍ତି କାହିଁକି ? ଆସନ୍ତୁନା ମାଲିକଙ୍କୁ କହିବା, କୋଠରି ଖଣ୍ଡିଏ ଦେବେ ।’’

 

ଭିତରକୁ ଯାଇ, ମୋତେ ବାରଣ୍ଡାରେ ବସିବାକୁ କହି, ନିଜେ ଅଫିସ୍ ଭିତରକୁ ପଶିଗଲେ । ବାରଣ୍ଡାରେ ବସି ମୁଁ ଶୁଣୁଥାଏଁ ।

 

‘ନମସ୍କାର, ନମସ୍କାର’ ହେଲା ପରେ ସେ’ ତାଙ୍କ ବନ୍ଧୁଙ୍କୁ କହିଲେ, ‘‘ମୋର ଜଣେ ବନ୍ଧୁ ସମ୍ବଲପୁର ଆଡ଼ୁ ଆସିଛନ୍ତି । ତାଙ୍କର ଗୋଟିଏ ଘର ଦରକାର । ଆପଣଙ୍କର ବାହାର କୋଠରିଟା ହେଲେ ତାଙ୍କ କାମ ଚଳିଯିବ ।’’

 

‘‘ବନ୍ଧୁଟି କିଏ ?’’

 

‘‘ଏଇ ବାରଣ୍ଡାରେ ବସିଛନ୍ତି, ଡାକିଦେବି ?’’

 

‘‘ଆହା, ନାଇଁ ହେ, ମୁଁ ପଚାରୁଛି ସେ କିଏ, ୱାର୍ଡ ମେମ୍ବର, ସରପଞ୍ଚ, ଚେୟାର୍‌ମେନ୍‌ ନା ଏମ୍‌.ଏଲ୍‌.ଏ, ନେତା ନା କର୍ମୀ, କେଉଁ ପାର୍ଟିର ଲୋକ ? ଡେପୁଟୀ ନା ସବ୍‌ ଡେପୁଟୀ ନା କିରାଣି-?’’

 

‘‘ନା, ସେମିତି କିଛି ନୁହନ୍ତି, ଜଣେ ସାଧାରଣ ବନ୍ଧୁ ।’’

 

‘‘ଓହୋ, ହେଉ, ମୁଁ ବଡ଼ ଦୁଃଖିତ, ବାହାର କୋଠରିଟା ମୋ ନିଜର ବ୍ୟବହାର ପାଇଁ ରଖାହୋଇଛି, ବୁଝିଲେ ନା, ନାନାପ୍ରକାର କୁଣିଆଁ ଆସନ୍ତି । କଟକ ସହରରେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ, ହାତରେ ଗୋଟିଏ ଖାଲି କୋଠରି ନଥିଲେ ବଡ଼ ଅସୁବିଧା ।’’

 

‘‘ସେ ସବୁଦିନ ପାଇଁ ଚାହୁଁନାହାନ୍ତି ଯେ, ସେ ମାସେ ପନ୍ଦର ଦିନ ଏଠି ରହିବେ, ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । କଥାଟା କ’ଣ କି, ଆମ ଗ୍ରାମପଞ୍ଚାୟତ ମନ୍ତ୍ରୀଙ୍କର ସେ ଅତି ଆପଣାର ଲୋକ । ତାଙ୍କ ପାଇଁ ଟିକିଏ ସୁବିଧା କରିପାରିଲେ ଭଲ ହୁଅନ୍ତା ।’’

 

‘‘ଆଚ୍ଛା, ଆଚ୍ଛା, ସେହି କଥା କହୁନାହାନ୍ତି ! ସେ’ ନବଘନ ବାବୁଙ୍କ ଲୋକ, ଆଉ ଆପଣ ଏତେବେଳ ପର୍ଯ୍ୟନ୍ତ ତାହା ନ କହି ତୁନିହୋଇ ବସୁଛନ୍ତି, ଏଆଡ଼ୁ ସେଆଡ଼ୁ କଥା କହୁଛନ୍ତି । ହଁ ହଁ, ନିଶ୍ଚୟ ଦେବା । ସେଥିରେ ଅସୁବିଧା ହେଲେ ତା’ର ବ୍ୟବସ୍ଥା କରିହେବ । କିଛି ଚିନ୍ତା ନାହିଁ ।’’

 

‘‘ଓହୋ, ତାଙ୍କୁ ବାହାରେ ଏକୁଟିଆ ବସେଇଦେଇ ଏଇଠି କ’ଣ ଗପ କରୁଛ ହେ । ଡାକ ଡାକ’’

 

ମୁଁ ମନେମନେ ଆଶ୍ଚର୍ଯ୍ୟ ହେଲି, କାହିଁ ମୋର ତ କୌଣସି ମନ୍ତ୍ରୀଙ୍କ ସହିତ ଚିହ୍ନାପରିଚୟ ମଧ୍ୟ ନାହିଁ । ଭଦ୍ରଲୋକ ଗ୍ରାମପଞ୍ଚାୟତ ମନ୍ତ୍ରୀଙ୍କ ନିଜର ଲୋକ ବୋଲି କ’ଣ କହିପକାଇଲେ । ବଡ଼ ଅଡ଼ୁଆରେ ପଡ଼ିଲି । କିଛି ପଚାରିଲେ କ’ଣ କହିବି ବୋଲି ମନେ ମନେ ଭାବୁଥାଏଁ ।

 

ଏହି ସମୟରେ ବନ୍ଧୁଜଣକ ମତେ ଭିତରକୁ ଡାକିଲେ । ମୁଁ ଟିକିଏ ବିଚଳିତ ହୋଇପଡ଼ିଲି । ଯାହା ହେଉ, ଉପାୟ ନାହିଁ । ଭିତରକୁ ଗଲି, ସାମନାରେ ଏଡ୍‍ଭୋକେଟ୍ ବାବୁ ବସିଛନ୍ତି, ନମସ୍କାର କରି ସାମନା ଚେୟାରରେ ବସିପଡ଼ିଲି ।

 

‘‘ଆପଣ କ’ଣ ନବଘନ ବାବୁଙ୍କ ବନ୍ଧୁ ?’’

 

‘‘ମାନେ ? ନାଁ–, ହଁ ସେମିତି କିଛି ଗୋଟାଏ ନୁହେଁ ଯେ...’’ ‘‘ହଁ ହଁ, ବୁଝିଲି ବୁଝିଲି, ଥାଉ । କିଛି ଚିନ୍ତା ନାହିଁ, ଏହି ମୋ ବାହାର କୋଠରିଟି ଆପଣ ବ୍ୟବହାର କରିପାରନ୍ତି । ଆପଣଙ୍କର କୌଣସି ଅସୁବିଧା ହେବନାହିଁ ।’’

 

‘‘ହଉ ଆଜ୍ଞା, ଧନ୍ୟବାଦ’’ କିନ୍ତୁ ମାସକ ଭଡ଼ାଟା କିତେ ପଡ଼ିବ, ଦୟାକରି କହିଲେ..’’

 

‘‘ଆହା, ସେ କଥାପାଇଁ ଏତେ ବ୍ୟସ୍ତ କାହିଁକି, କୋଉ ଭଡ଼ାରୁ ମୋ ଘରଟା ଚଳିବ ଯେ, ଆପଣ ଏତେ ବ୍ୟସ୍ତ !’’

 

‘‘କିନ୍ତୁ ମୁଁ ଟିକିଏ ଜାଣିପାରିଲେ ଆଜ୍ଞା, ଭଲ ହୁଆନ୍ତା ।’’

 

‘‘ହଉ, ହଉ, ଆପଣଙ୍କୁ ଯାହା ଉଚିତ ଲାଗିବ, ଦେବେ ।’’

 

‘‘ମୁଁ ତ କେବେ ଭଡ଼ା ଦେଇନାହିଁ ବା ଦିଏ ନାହିଁ, ଆପଣ ଆମ ବାବୁଙ୍କ ଲୋକ ବୋଲି ସିନା ଦେଉଛି, ନହେଲେ ଦିଅନ୍ତି କି ?’’

 

‘‘ତଥାପି ଭଡ଼ାଟା ଧାର୍ଯ୍ୟ ହୋଇଗଲେ ଭଲ ହୁଅନ୍ତା ।’’

 

‘‘ଆଚ୍ଛା ହେଉ, ଟ ୩୦ ଦେବେ, ଆଉ କ’ଣ ?’’

 

‘‘ହଉ ଆଜ୍ଞା, ଧନ୍ୟବାଦ’’ କହି ମୁଁ ଆଉ ମୋ ବନ୍ଧୁ, ଧର୍ମଶାଳାରୁ ମୋ ବେଡ଼ିଙ୍ଗ୍ ଓ ବେଗ୍ ଆଣିବାକୁ ବାହାରିଲୁ ।

 

ଘରୁ ବାହାରି ମୋ ବନ୍ଧୁଙ୍କୁ ପଚାରିଲି, ‘‘ଆଜ୍ଞା, ମୁଁ ଗ୍ରାମପଞ୍ଚାୟତ ମନ୍ତ୍ରୀଙ୍କ ନିଜଲୋକ ବୋଲି କେମିତି କହିଲେ ? ସେ ଯଦି ଜାଣିବେ ଯେ, ମୋର ତାଙ୍କ ସହିତ ଚିହ୍ନା ପରିଚୟ ସୁଦ୍ଧା ନାହିଁ, ତା’ହେଲେ କ’ଣ ଭାବିବେ କହିଲେ’’

 

‘‘ଆହା, ଆପଣ ଆଜିକାଲି ଦୁନିଆଁ କଥା କିଛି ଜାଣନ୍ତି ନାହିଁ ବୋଧହୁଏ । ସେତିକି କହିନଥିଲେ ଆପଣ ଆଉ ଘର ପାଇଥାନ୍ତେ ? ଆଜିକାଲି ପରା କିଛି ଟିକିଏ influence ଦରକାର । କୌଣସି ପଦପଦବି କିମ୍ବା କୌଣସି ପଦ–ପଦବି ଥିବା ଲୋକର ଚିହ୍ନା ପରିଚୟ ବା ସଂପର୍କୀୟ ନହେଲେ କିଛି ପାଇବେ ନାହିଁ । ବାକି କଥା ଛାଡ଼ନ୍ତୁ, ବସିବା ପାଇଁ ଆସନଟେ ସୁଦ୍ଧା ପାଇବେ ନାହିଁ । ବୁଝିଲେ ?’’

 

ମନେ ମନେ ଘର ପାଇଁ ଖୁସି ବି ହେଉଥାଏଁ, କିନ୍ତୁ ସଙ୍ଗେ ସଙ୍ଗେ ମନରେ ଶଙ୍କା ହେଉଥାଏ–ଘରଟା ତ ପାଇଯିବି, କିନ୍ତୁ କଥାଟା ପଦାରେ ପଡ଼ିଲେ ମୋ ଇଜ୍ଜତ ଆଉ ରହିବ ନାହିଁ-। ହଉ, ଆଉ କ’ଣ କରିବି, ଯାହା ହେବାର ହେଲାଣି, ଦେଖାଯାଉ ।

 

ଧର୍ମଶାଳାକୁ ଆସି ରିକ୍‌ସାରେ ସାମାନ ରଖି ସେହି ଘରକୁ ଆସିଲି । ବନ୍ଧୁଙ୍କୁ ଧର୍ମଶାଳାରେ ଧନ୍ୟବାଦ ଦେଇଚାଲିଲି । ଏଡ଼ଭୋକେଟ୍ ବାବୁଙ୍କ ଘରକୁ ଆସିଲା ବେଳକୁ, ଚାକର ଜଣକ କୋଠରି ସଫା କରି ମୋତେ ଡାକିଥାଏ । କୁଅ, ପାଇଖାନା ଦେଖାଇଦେଲା । ‘‘ଆଉ କ’ଣ ଦରକାର କି ବାବୁ ?’’

 

‘‘ନା, ଦରକାର ହେଲେ କହିବି’’ ବୋଲି କୋଠରିରେ ସାମାନ ରଖି ତାଲା ଦେଇ କୋଠଯୋଡ଼ି କୂଳକୁ ବୁଲି ବାହାରିପଡ଼ିଲି । ବୁଲୁ ବୁଲୁ ଭାବୁଥାଏ, ପାଣ୍ଡୁଲିପି ଖଣ୍ଡିକ କାଲି କାହା ପାଖକୁ ନେବି, କେଉଁ ପ୍ରକାଶକକୁ ଦେଲେ ଭଲହେବ, ଏମିତି ଭାବୁ ଭାବୁ ସନ୍ଧ୍ୟା ହୋଇଗଲା । ହୋଟେଲରେ ଖିଆପିଆ କରି କୋଠରିକୁ ଫେରିଆସିଲି । ଦିନସାରା ପରିଶ୍ରମର କ୍ଳାନ୍ତି ଯୋଗୁଁ ଖଟରେ ପଡ଼ୁ ପଡ଼ୁ ନିଦ ହୋଇଗଲା ।

 

ଆରଦିନ ସକାଳୁ ନିତ୍ୟକର୍ମ ସାରି, ମୋ ଲେଖା ବହିର ପାଣ୍ଡୁଲିପି ଧରି ବାହାରିଲି ‘ଓଡ଼ିଶା ପ୍ରକାଶନୀ ‘ଆଡ଼କୁ, ଶୁଣିଥିଲି, ସେ ବହୁତ ନାମଯାଦା ପ୍ରକାଶକ ।

 

ଅଫିସ୍‌ରେ ବିରାଟ ଟେବୁଲ୍, ତା’ର ପଛୁଆଡ଼େ ରିଭଲଭିଂ ଚେୟାରରେ ଜଣେ ପ୍ରୌଢ଼ ଲୋକ ଚଷମା ପିନ୍ଧି ବସିଛନ୍ତି । ଦଣ୍ଡବତ ହୋଇ ଛିଡ଼ାହେଲି ।

 

‘‘କ’ଣ କହୁଥିଲେ ?’’

 

‘‘ଆଜ୍ଞା, ବହି ଖଣ୍ଡେ ଲେଖିଛି, ତା’ର ପାଣ୍ଡୁଲିପି ଆଣିଛି, ଯଦି ଦୟାକରି ତାହା ପ୍ରକାଶ ଭାର ଆପଣ ନିଅନ୍ତେ, ତାହାହେଲେ ମୁଁ ଚିରକୃତଜ୍ଞ ହୁଅନ୍ତି ।’’

 

ବହି ପାଣ୍ଡୁଲିପିଟା ବଢ଼ାଇଦେଲି ।

 

ପାଣ୍ଡୁ ଲିପିଟାକୁ ଏପଟସେପଟ କରି, ପ୍ରଥମ ଗୋଟିଏ ଦୁଇଟା ପୃଷ୍ଠା ଓଲଟାଇ କହିଲେ, ‘‘କାହିଁ, କାହାରି ମନ୍ତବ୍ୟ ନାହିଁ ? ଆପଣ ଜଣେ ନୂତନ ଲେଖକ, ତେଣୁ କୌଣସି ପ୍ରତିଷ୍ଠିତ ଲେଖକର ମନ୍ତବ୍ୟ ବା ଉପକ୍ରମଣିକା ଥିଲେ ଭଲ ହୋଇଥାନ୍ତା ।’’

 

‘‘ଆଜ୍ଞା, ମୋର ସେପରି କେହି ପରିଚିତ ଲୋକ ନାହିଁ ।”

 

“ହୁଁ, ଆଚ୍ଛା ଆପଣଙ୍କର ପରିଚୟ ?”

 

‘‘ଆଜ୍ଞା, ମୁଁ ସମ୍ବଲପୁର ଆଡ଼ୁ ଆସିଛି, କେତେବେଳେ କେମିତି ସାହିତ୍ୟ ଚର୍ଚ୍ଚା କରେ । ଲେଖାଲେଖି ବି କରେ । ଏହି ପାଣ୍ଡୁଲିପିଟା ମୋର ପ୍ରଥମ ଉପନ୍ୟାସ ।’’

 

‘‘ଆହା, ତାହା ପଚାରୁ ନାହିଁ, ଆପଣ କ’ଣ କୌଣସି କଲେଜର ଅଧ୍ୟାପକ ବା ଅଧ୍ୟକ୍ଷ ଅଟନ୍ତି ?’’

 

‘‘ଆଜ୍ଞା, ନା ।’’

 

‘‘ତା’ହେଲେ କ’ଣ ଚାକିରି ବାକିରି କରନ୍ତି ?’’

 

‘‘ଆଜ୍ଞା, ନା ।’’

 

‘‘ପାଠ କେତେ ପଢ଼ିଛନ୍ତି ?’’

 

‘‘ସାଧାରଣ ।’’

 

‘‘ଆପଣଙ୍କର ଲେଖାଲେଖି ତ ମୁଁ କୌଣସିଠାରେ ଦେଖିନାହିଁ !’’

 

‘‘ଆଜ୍ଞା, କହିଲି ତ ଏଇ ମୋର ପ୍ରଥମ ଚେଷ୍ଟା ।’’

 

‘‘କୌଣସି ଶିକ୍ଷକ ଚାକିରି କରନ୍ତି ବା ଶିକ୍ଷା ବିଭାଗୀୟ କୌଣସି ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସଙ୍ଗେ ଆପଣଙ୍କର ସମ୍ପର୍କ ଅଛି ?’’

 

‘‘ଆଜ୍ଞା ନା ।’’

 

ଟିକିଏ ବିରକ୍ତ ହେଲାପରି ମୁହଁ କରି, ପାଣ୍ଡୁଲିପିଟାକୁ ଟେବୁଲ୍ ଉପରେ ଥୋଇ କହିଲେ ‘‘ହଉ ଦେଖିବା, ଆସନ୍ତୁ ।’’

 

ମନେ ମନେ ଭାବିଲି, ଆଉ ଏହି ପାଣ୍ଡୁଲିପି ପ୍ରକାଶିତ ହେବ ନାହିଁ, କାରଣ ମୁଁ ଅଧ୍ୟାପକ ବା ଅଧ୍ୟକ୍ଷ ନୁହେଁ, ଶିକ୍ଷାବିଭାଗୀୟ କର୍ମଚାରୀଙ୍କ ସମ୍ପର୍କୀୟ ନୁହେଁ ଯେ, ଟେଷ୍ଟ୍ ବୁକ୍‌ରେ ପ୍ରକାଶକଙ୍କୁ ସାହାଯ୍ୟ କରିପାରିବି । ମନ୍ତ୍ରୀଙ୍କ ନିଜ ଆପଣାର ଲୋକ ନୁହେଁ । ମନରେ ବିରକ୍ତି ଆସିଲା, ଭାବିଲି ‘‘କ’ଣ, ଦୁନିଆଁରେ ଚଳିବାକୁ ହେଲେ କିଛି ଗୋଟାଏ ଲାଙ୍ଗୁଡ଼ ନ ଥିଲେ ଚଳି ହେବନାହିଁ !’’

 

ଏମିତି କେତେ କଥା ଭାବୁଥାଏ, ହଠାତ୍ ଭଦ୍ରଲୋକ କହିଲେ ‘‘ଆଉ ଦେଖୁଛନ୍ତି କ’ଣ, ଆପଣ ଆସନ୍ତୁ, ପାଣ୍ଡୁଲିପି ବିଷୟରେ ପରେ ଦେଖିବା ।’’

 

ମୋ ମୁହଁରୁ ହଠାତ୍ ବାହାରିପଡ଼ିଲା, ‘‘ଆଜ୍ଞା, ମନୁଷ୍ୟ କେବଳ ମନୁଷ୍ୟ ହୋଇ ରହିବାଟା କ’ଣ ଯଥେଷ୍ଟ ନୁହେଁ ଯେ, ତା’ର କୌଣସି ପଦ ପଦବି ବା ପଦ, ପଦବି–ଥିବା ଲୋକର ସାନ୍ନିଧ୍ୟ ଲୋଡ଼ା ?’’

 

ଏତିକି କହି ପାଣ୍ଡୁଲିପିଟି ଟେବୁଲ୍‌ରୁ ଉଠେଇଆଣି ଅଫିସ୍‌ରୁ ବାହାରିଆସିଲି ।

 

ବରଗଡ଼

ସମ୍ବଲପୁର

Image

 

ଅନ୍ତଃସ୍ଵର

ନିମାଇଁ ପଟ୍ଟନାୟକ

।।୧ ।।

 

ଆରେୟା ବେଗମ୍ ନିଜ ବୃତ୍ତର ପରିଧିରେ ଘୂରି ଲାଗିଚି । ଛାତି ଦମ୍ ଦମ୍ ହେଉଚି ଦୁଲୁକୁଚି, ଦୁଲୁକୁଚି ଛାତି ଓ ମୁହଁର ମାଂସ । ଲାଗୁଚି, ଯେମିତି ହୃତପିଣ୍ଡ ଛିଡ଼ି ଖସିପଡ଼ିବ ।

 

ପଛରେ ଗର୍ଜ୍ଜୁଚି ରକ୍ତନାଗ, ରକ୍ତର ସରୋବର ଭିତର ଦେଇ ଆସିଚି ଅନ୍ଧାରର ନାଗଲୋକରୁ । ନାଗପୁରୁଷ ଅନୁସରଣ କରୁଚି । ଦେହରେ ତା’ର ସୈନିକର ବେଶ ।

 

କୁମାରୀ ଆଲେୟା ଭୟାର ଭଉଁରୀରେ ଦିଗ ଜାଣୁନାଇଁ । ଭୟ : ନାଗ ଗୁଡ଼େଇ ହୋଇଯିବ ଦେହରେ । ତଳୁ ଉପରଯାଏଁ । ଉପରୁ ତଳଯାଏଁ । ଗୁଡ଼େଇ ହେଉଥିବ । ସଲ ସଲ ହେଉଥିବ । କ୍ରମେ କଠିନ ହେବ ତା’ର ଦେହ ବନ୍ଧ, ତା’ପରେ ଭିଡ଼ିଧରିବ । ଭିଡ଼ିଧରିବ ଯେ ଆଉ ଛାଡ଼ିବ ନାଇଁ–ପୂରା ନିସ୍ତେଜ ହେଲାଯାଏଁ ।

 

ଦେହର ଶିରାମାନ ନେଳୀ ହୋଇଯିବ । ସାପ ଗିଳିବାକୁ ଆରମ୍ଭ କରିବ । ପ୍ରଥମେ ମସ୍ତକ : ଆଖି, ନାକ, କାନ, ଗଣ୍ଡି ତା’ପରେ ଦେହ । ସ୍ତନ, ଉଦର, କଟି, ନାଭି ବାହୁ ସହିତେ । ତା’ପରେ ନିତମ୍ବ, ଜଘନ, ଜାନୁ, କ୍ରମେକ୍ରମେ ତଳକୁ ତଳକୁ ଗିଳିଦେବ । ଭିଡ଼ିମୋଡ଼ି ହେବ । ଭାଙ୍ଗିଦେବ ଦେହର ହାଡ଼ମାନ । ତା’ପରେ ଡେଇଁପଡ଼ିବ ନିଜ ରାସ୍ତାକୁ ଓ ଖୁସିରେ ସୁସୁରି ମାରି ଚାଲିଯିବ ।

 

ନାଗ ପୁରୁଷ କହିଲା, ସୁନ୍ଦରୀ ! ଭୟଙ୍କର ନାଇଁ । ନାଗଲୋକରୁ ଆସିଥିଲି ରାଜ୍ୟ ଜୟ କରି । ସେ ଅଭିଳାଷ ଛାଡ଼ି ତୁମପାଖେ ବନ୍ଦୀହୋଇ ରହିବି । ଦିନରେ ମେଣ୍ଢା ହେଉଥିବି । ରାତିରେ ଭେଣ୍ଡା ହେଉଥିବି ।

 

ଆଲେୟା କିଛି ଶୁଣିପାରୁନଥାଏ । ଭୟ ତା’ ରକ୍ତରେ ଜମାଟ ବାନ୍ଧୁଥାଏ । ରକ୍ତ ହେଉଥାଏ ବରଫ ଓ ବରଫ ତରଳି ଯାଉଥାଏ ।

 

ନାଗପୁରୁଷ ଚଞ୍ଚଳ ହେଲା । କହିଲା ଏଇ ଦେଖ । ଭୟ କରୁଛ ? ହେଉ ରଖିଦେଉଚି ଶିରସ୍ତ୍ରାଣ, କବଚ, କୁଣ୍ଡଳ । ଛାଡ଼ିଦେବି ଅସ୍ତ୍ରଶସ୍ତ୍ର । ଭୟ କରନାହିଁ । ତୁମକୁ ହତ୍ୟା କରିବି ନାଇଁ ।

 

ରକ୍ଷଣଶୀଳ ପରିବାରର କନ୍ୟା ଆଲେୟା ଦୂର ମଫସଲରୁ ଆସି କଲେଜ ଯିବାକୁ ଆରମ୍ଭ କରିଚି । ଜୀବନକୁ ଚିହ୍ନିନାଇଁ ଜୀବନର ବୈଚିତ୍ର୍ୟ ଜାଣିନାଇଁ । ଜୀବନର ବିଭତ୍ସତା ଦେଖିନାଇଁ । ଶୁଣିଚି ଜୀବନ ଦୁଃଖପୂର୍ଣ୍ଣ । ନିଜକୁ ବେଳେବେଳେ ପ୍ରଶ୍ନ କରିଚି–ମଣିଷ ତା’ହେଲେ ଜନ୍ମ ହେଉଚି କାହିଁକି ? କେଉଁ ସୁଖ ପାଇଁ ? ଉତ୍ତର ଖୋଜି ପାଇନାହିଁ । ଦିନରେ ପାଞ୍ଚଥର ଉଜୁକରି ନମାଜ ପଢ଼ୁଛି । ଅସଦାଚାରଣକୁ ଘୃଣା କରି ଶିଖିଚି । ପାପକୁ ପାପ, ପୁଣ୍ୟକୁ ପୁଣ୍ୟ ବୋଲି ମାନିଚି ।

 

ଆଲେୟା ଛାତ ଉପରେ ଏପାଖ ସେପାଖ ହେଉଥାଏ । ତଳ ମହଲାରୁ ଶୁଭୁଥାଏ କିଶୋରୀ କଣ୍ଠର ଆର୍ତ୍ତ ଚିତ୍କାର । ଶତ୍ରୁ ସୈନ୍ୟ ତାଙ୍କ ଛାତ୍ରୀନିବାସ ଭିତରେ ପଶିଛନ୍ତି । ଆଲେୟା ଜାଣିଲା ତଳ ମହଲାରେ ଛାତ୍ରୀମାନଙ୍କ ଉପରେ ଶତ୍ରୁ ସୈନ୍ୟଙ୍କର ଅତ୍ୟାଚାର ଚାଲିଚି । ଭୟରେ ସେ ଚାଲିଆସିଛି ଛାତ ଉପରକୁ । ପଛେ ପଛେ ବିପଦ ସୈନିକର ମୁଖାପିନ୍ଧି ଅନୁସରଣ କରିଛି ।

 

ଆଲେୟା ବିଚଳିତା ହେଲା । କିଛି ବୁଦ୍ଧି ଦିଶୁନାଇଁ । ବିପଦ ମାଡ଼ିଆସୁଚି । ସିଡ଼ି ଦ୍ଵାରରେ ଠିଆହୋଇଚି ଶତ୍ରୁପକ୍ଷର ସୈନିକ । ହସୁଚି । ଶୁଷ୍କ ହସ । ନିଷ୍ପ୍ରାଣ ହସା ସେ ହସ ସେ ଭଲ ଲାଗୁନାଇଁ; ସେ ହସ ସହି ହେଉନାଇଁ ।

 

ଚାହୁଁ ଚାହୁଁ ସମାନରେ ଠିଆହେଲା ରକ୍ତ ନାଗ ।

 

ଆଲେୟାର ଆଖିଆଗରେ ପୃଥିବୀର ଦୃଶ୍ୟମାନ ତଳ ଉପର ହେଲା ।

 

ରକ୍ତମୁଖା ସୈନିକ ଆଲେୟା ପାଖକୁ ଲାଗିଆସିଲା । ବଳିଷ୍ଠ ଆବେଗ ଓ କୋମଳ କାତରତା ପରସ୍ପରର ଆଗରେ ଠିଆହେଲେ ।

 

ଆବେଗର ପୁଷ୍ଟ ଅଙ୍ଗ ।

 

କାତରତାର ସଙ୍କୁଚିତ ଶରୀର ।

 

ଆବେଗର ଧମନୀରେ ରକ୍ତର ଗତି ପ୍ରଖର ହେଉଚି । କାତରତାର ଶିରାରେ ରକ୍ତ ପାଣି ଫାଟୁଚି । ଆବେଗ ଚାହୁଁଚି କାତରତାକୁ ନିଜ ଦେହରେ ଲୀନ କରିଦେବ ।

 

ଆବେଗର ସ୍ଵର :

 

ମାରିବିନି, ମାରିବିନି, ମାରିବିନି, ମାରିବିନି ।

 

କାତରତାର ସ୍ଵର :

 

ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ, ଛାଡ଼ିଦିଅ ।

 

କିଛି କରିବିନି, କିଛି କରିବିନି, କିଛି କରିବିନି, କିଛି କରିବିନି ।

 

ନା ନା ନା ନା ନା ନା ନା ନା ନା ନା ନା ।

 

ରହ ରହ ରହ ରହ ର ର ର ର ର ର ର ର ର ର

 

ଆରେ ଆରେ ଆରେ ଆରେ ଆରେ ଆରେ

 

ର ର ର ର ର ର ର ର ର ର ର । (ପ୍ରଶ୍ଵାସ) ର ର ର ର ର

 

ପ୍ରଥମ ରକ୍ଷାକବଚ ଫାଟିଲା ।

 

ରକ୍ତ ନାଗ ଗୁଡ଼େଇ ହେଉଚି ଦେହରେ । କ୍ରମେ ଶକ୍ତ ହେଉଚି ତା’ର ଦେହବନ୍ଧ ।

 

ଆଲେୟା ନିଜକୁ ସଂବୃତ୍ତ କଲା । ନିଜ ଶାମୁକା ଭିତରକୁ ସଙ୍କୁଚିତ ହୋଇଗଲା ।

 

ଫାଟିଗଲା ଦ୍ଵିତୀୟ ରକ୍ଷା କବଚ ।

 

ଆଲେୟା ଦେହ ପୁଣି ସଙ୍କୁଚିତ ହେଲା । ପୁଣି ସଙ୍କୁଚିତ ହେଲା । ସେ ଜାଣିଲା ପାପ ତାକୁ ମାଡ଼ିବସୁଚି । ପାପର ତନୁ ସଙ୍କଟରୁ ରକ୍ଷାପାଇବାର ଉପାୟ ନାଇଁ । କ’ଣ କରିବ ବୁଦ୍ଧି ଦିଶୁନାଇଁ ।

 

ସେ ସୈନିକକୁ କହିଲା, ତୁମେ ଅନ୍ତତଃ ମାନ ଯେ, ଆମ ଦେଶଉପରେ ତୁମର ଆକ୍ରମଣ ଅନ୍ୟାୟ । ଆମର ଦାବି ଯୁକ୍ତିଯୁକ୍ତ ।

 

ସୈନିକ ଉତ୍ତର ଦେଲା, ମାନୁଚି ତୁମ ଦେଶର ଦାବି ଯଥାର୍ଥ । ଆମେ ଅନ୍ୟାୟରେ ଆକ୍ରମଣ କରିଛୁ ।

 

ତଥାପି ଆଲେୟା ସନ୍ତୁଷ୍ଟ ହେଲାନାଇଁ । ପାପ ପାପ ହୋଇ ରହୁଚି । ରୂପ ବଦଳାଉ ନାହିଁ । ଆଲେୟା କାରଣ ଖୋଜୁଛି । ପାପକୁ ପାପ ନ ଗଣିବାର କାରଣ ତା’ ବ୍ୟତୀତ ଆଉ ଉପାୟ କ’ଣ ?

 

ଆଲେୟା ପଚାରିଲା–ତୁମେ ମୋତେ ଭଲପାଅ ?

 

ଅବାନ୍ତର ପ୍ରଶ୍ନ । ସେତେବେଳେ ଏ ପ୍ରଶ୍ନ କେମିତି ଅସଙ୍ଗତ ଶୁଭିଲା ।

 

ସୈନିକ କହିଲା– ତୁମ ରୂପ ମୋତେ ପାଗଳ କରିଚି । ସତରେ ମୁଁ ତୁମକୁ ଭଲପାଇ ବସିଚି ।

 

ତୃତୀୟ ରକ୍ଷା କବଚ ଫାଟିଗଲା ।

 

ଦେହ କୁହୁଳିଲା, ଭିତରେ ଭିତରେ ।

 

ଦେହ କୁହୁଳିବାର ଗନ୍ଧ–

 

ରାସ୍ତା କଡ଼ରେ କେଉଁଠି ପିଚୁ ତରଳା ହେଉଥିଲା ପରି । କେଉଁଠି ସାଇକେଲ ଟାୟାର ପୋଡ଼ା ହେଉଥିଲା ପରି ।

 

ଦେହ ଟକ୍ ଟକ୍ ହୋଇ ଫୁଟୁଥାଏ । ଟକମକ ତତଲା ପାଣିରେ ଯେମିତି ସିପ ଫୁଟୁଥାଏ । ଦେହର ଶାମୁକା ଚୁନ ହେଉଥାଏ । ନିଜର ଚୁନ ଖାଇ ଯାଉଥାଏ ନିଜକୁ ।

 

ଆଲେୟା କ୍ରମେ ଚେତା ହରାଇଲା ।

 

।। ୨ ।।

 

ସେ ସ୍ଵପ୍ନ ଦେଖିଲା । ଏକ ଅଜବ ସ୍ଵପ୍ନ ।

 

ଶିମିଳି ଗଛ ମୂଳେ ସେ ଶୋଇଯାଇଚି । ଗଛ ଉପରେ ଫୁଲ ଶାଗୁଣାର ପିଲାମାନେ କାନ୍ଦୁଛନ୍ତି । । କ୍ଷୁଧାରେ ଆତୁର ହେଉଛନ୍ତି । ଫୁଲ ଶାଗୁଣା ପିଲାମାନଙ୍କୁ ବୋଧ ଦେଉଚି । କାନ୍ଦନା, ଏଇ ଦେଖ କେମିତି ରକ୍ତନାଗ ଏଇଆଡ଼କୁ ଆସୁଚି । ଶିମିଳି ଗଛମୂଳେ ସେ ପ୍ରଥମେ ରାଜକୁମାରୀକୁ ଦେଖିବ । ରକ୍ତନାଗ ପଶିଯିବ ରାଜକୁମାରୀର ଗର୍ଭ ଭିତରକୁ ରାଜକୁମାରୀ ଚିତ୍କାର କରିବ । ସେ ଚିତ୍କାର ଶୁଣି ଧାଇଁଆସିବ ରାଜକୁମାରଟିଏ । ପଚାରିବ କ’ଣ ହେଲା ? ରାଜକୁମାରୀ କିଛି କହିପାରୁନଥିବ । ସେତିକିବେଳେ ରାଜକୁମାର ରାଜକୁମାରୀର ସ୍ପର୍ଶ ପାଇବ । ପୂର୍ବରୁ ତାକୁ ଅଭିଶାପ ଅଛି–କୁମାରୀ କନ୍ୟା ସ୍ପର୍ଶ କଲେ ତା’ ଉପରେ ଅକାଳ ଚଡ଼କ ପଡ଼ିବ ଓ ସେ ପ୍ରାଣ ଛାଡ଼ିବ । ଆଉ କାନ୍ଦନାଇଁ ମୋ ଧନ, ଅପେକ୍ଷାକର । ଏଇନେ ପେଟ ପୂରେଇ ମନଇଚ୍ଛା ଖାଇବ । ଏକଥା ଶୁଣି ଯେ ଅନ୍ୟକୁ କହିବ ସେ ପଥର ପାଲଟିଯିବ ।

 

ଆଲେୟା ସ୍ଵପ୍ନରେ ଅନୁଭବ କଲା–ରକ୍ତନାଗ ପଶିଯାଉଛି ଗର୍ଭ କୋଠରିକୁ । ଫୁତ୍‌କାର କରୁଚି । ପ୍ରତି ଫୁତ୍‌କାରରେ ବିଷ ବର୍ଷୁଚି । ଉତ୍କଟ ବିଷ ।

 

ଆଲେୟା ଭୟରେ ଚିତ୍କାର କଲା ଓ ତାହାର ନିଦ ଭାଙ୍ଗିଗଲା ।

 

।। ୩ ।।

 

ଆଲେୟା ଚାରିଆଡ଼କୁ ଚାହିଁଲା । ନିଜକୁ ସଜାଡ଼ି ଠିଆହେଲା । ଦେଖିଲା ଅକାଳ ଚଡ଼କ ପଡ଼ିଚି । ଛାତି ଉପରେ ସୈନିକର ନିର୍ବେଦ ଶରୀର ପଡ଼ିଚି । ତଳୁ ମୁକ୍ତିବାହିନୀର ଗୁଳିରେ ଟଳିପଡ଼ିଚି ସୈନିକଟା, ଉପରେ ଆକାଶ ଓ ଶୂନ୍ୟତା ।

 

ଶୂନ୍ୟ ଆକାଶ ବିଦ୍ରୂପ କରୁଚି–

 

ଆଲେୟାର ଦେହ କଳଙ୍କିତ,

ଆଲେୟା ପାପଗ୍ରସ୍ତ ।

ଆଲେୟା ଆତ୍ମା କଳୁଷିତ,

ଦେହ ଓ ଆତ୍ମା ବାହାରେ ତା’ର କି ପରିଚୟ ଅଛି ?

 

ଆଲେୟା ଜାଣିଲା, ତା’ର ନୈତିକ ମେରୁଦଣ୍ଡ ଭାଙ୍ଗିଯାଇଚି । କେମିତି କାହାକୁ ମୁହଁ ଦେଖାଇବ ? କାହାକୁ କେମିତି କ’ଣ କହିବ ? ନିଜେ ନିଜକୁ କ’ଣ ବା କୈଫିୟତ ଦେବ । କ’ଣ କରିବ ?

 

କିଛି ସ୍ଥିର କରିନପାରି ସୈନିକର ରିଭଲ୍‌ଭରଟି ହଠାତ୍ ଦେଖି ସେ ସେଇଠି ଉଠାଇନେଲା । କାନମୂଳେ ଲଗାଇ ଟ୍ରିଗର ଉପରେ ଆଙ୍ଗୁଠି ରଖିଲା । ବେଶ୍ ହେବ । ପାପ ଆଉ ମନକୁ ଡରାଇପାରିବ ନାଇଁ ।

 

ଆଶ୍ଚର୍ଯ୍ୟ ! ଆଙ୍ଗୁଠି ଟ୍ରିଗର ଚୁପ୍‍ନାଇଁ ।

ସେ ଭାବିଲା, ଏକଠାରୁ ଶହେ ଯାଏଁ ଗଣିଯିବ ଏବଂ ଠିକ୍ ଶହେ କହିଲା ବେଳକୁ ଟ୍ରିଗର ଚିପିଦେବ ।

ଆଲେୟା ଗଣିବାକୁ ଆରମ୍ଭ କଲା–ଏକ ଦୁଇ ତିନି ଚାରି ପାଞ୍ଚ ଛ ସାତ ଆଠ ଏବଂ ଗଣୁ ଗଣୁ ମଝିରେ ବାରମ୍ବାର ସଂଖ୍ୟା ଭୁଲିଗଲା ।

ହେଲାନି । ଆଉ ଥରେ ଗଣିବାକୁ ହେବ । ଏଇଥର ନିଶ୍ଚୟ । ଆଲେୟା ପୁଣି ଥରେ ଗଣିବସିଲା । ଗଣୁ ଗଣୁ କେତେବେଳେ ଶହେ ଗଣି ସାରିଲାଣି । ଟ୍ରିଗର ଚିପିବାକୁ ମନେ ନାଇଁ ।

ନା’ ନା’ ଏଇଥର କୋଡ଼ିଏ ଯାଏଁ, ନା’ ନା’ ତିରିଶ, ତିରିଶ ଯାଏଁ ଗଣିବ ଏବଂ ଠିକ୍ ତିରିଶବେଳେ.....

ଆଲେୟା ଗଣୁଚି, ହଠାତ୍ କବାଟ ଠକ୍ ଠକ୍ ହେଲା । କବାଟ ଖୋଲିଲା ଏବଂ ଆସିଲେ ଛାତ୍ରୀମାନେ ।

ଅସ୍ତବ୍ୟସ୍ତ ରୂପ । ବେଶଭୂଷା ବିପର୍ଯ୍ୟସ୍ତ ।

ସେମାନଙ୍କର ଧର୍ଷିତ ଦେହ । ବିବର୍ଣ୍ଣ । ଅବଶ । ଚନ୍ଦନ ବନର ଗଛମାନଙ୍କରେ ଗୁଡ଼ାଇ ହୋଇ ଗର୍ଜୁଥିଲେ ସାପମାନେ । ଏଇମାତ୍ର ଛାଡ଼ିଯାଉଛନ୍ତି, ବିଷ ଦାଉରେ ଗଛର ପତ୍ରମାନ କୁହୁଳି ଯାଇଚି ।

ସାଙ୍ଗ ଛାତ୍ରୀମାନେ ଆଲେୟାକୁ ଦେଖିଲେ । ପଚାରିଲେ–

କ’ଣ ହେଇଚି ?

କ’ଣ ହେଲା ?

କ’ଣ କଲା ?

କ’ଣ କିଲୋ ?

ସମସ୍ତଙ୍କର ତ ଏକାଦଶା । କହୁନୁ ?

ଆଲେୟା ଗୋଟିଏ ଉତ୍ତର ଦେଲା–କିଛି ନାଇଁ ।

ସେମାନେ ଦେଖିଲେ ସୈନିକର ମୃତଦେହ ପଡ଼ିଚି । ସମସ୍ତେ ଗୋଇଠାଏ ଗୋଇଠାଏ ମାରିଲେ ଏବଂ କହିଲେ,–

ମୁକ୍ତିବାହିନୀ ନ ଆସିଥିଲେ ।

ସୈନ୍ୟଗୁଡ଼ାକ ଯେମିତି ହଷ୍ଟେଲରେ ପଶିଲେ ।

ଶେଷରେ ହତ୍ୟା କରିଥାନ୍ତେ ।

 

ଆଲେୟା ବଞ୍ଚିଗଲା ।

 

ବଞ୍ଚିଗଲା ?

 

ଆଲେୟା ସହିତ ସେମାନେ ତଳକୁ ଆସିଲେ । ତା’ କୋଠରିରେ ବସିଲେ । ସମସ୍ତେ ସମସ୍ତଙ୍କୁ ଚାହିଁଲେ । ମାତ୍ର କେହି କାହାକୁ କିଛି କହିଲେ ନାଇଁ ।

 

ସେତେବେଳକୁ ପରୀକ୍ଷା ସରିଆସିଥାଏ ଓ ଛାତ୍ରୀ ନିବାସରେ ସେଇ କେତେଜଣ ଛାତ୍ରୀ ଥାଆନ୍ତି ।

 

ଆଲେୟା ସେମାନଙ୍କୁ କାନ୍ଥର କ୍ୟାଲେଣ୍ଡରଟିଏ ଦେଖାଇ କହିଲା–ସେମାନେ ଏଇ ମସ୍‌ଜିଦର ଗମ୍ବୁଜମାନ ବୋମା ମାଡ଼ରେ ଭାଙ୍ଗି ଦେଇଛନ୍ତି ।

 

ଏ ସହରର ଛାତିରେ ଯେତେ ଭଲ ଭଲ ମସ୍‌ଜିଦ ଅଛି, ସେମାନେ ସବୁରି ଗମ୍ବୁଜମାନ ଭାଙ୍ଗି ଦେଇଛନ୍ତି ।

 

ସବୁରି ଗମ୍ବୁଜ ଭାଙ୍ଗି ଦେଇଛନ୍ତି ?

 

ସବୁରି ଗମ୍ବୁଜ ଭାଙ୍ଗି ଦେଇଛନ୍ତି ।

 

ସବୁରି ଓଠ ସାମାନ୍ୟ ଖୋଲିଲା ଓ ଓସାରି ହେବାର ଜଣାଗଲା । କିନ୍ତୁ କେହି ହସିଲେ ନାଇଁ ।

 

ଆଲେୟା ସମସ୍ତଙ୍କ ମୁହଁକୁ ଚାହିଁଲା । ତା’ର ହଠାତ୍ ମନେପଡ଼ିଲା ରିଭଲ୍‌ଭରଟା ଛାତ ଉପରେ ପଡ଼ିଚି । ଥାଉ ପାଖରେ । କେତେବେଳେ ଦରକାର ହେବ ।

 

ସେ ସିଡ଼ିରେ ଉପରକୁ ଉଠିଲା । ପାହାଚ ପରେ ପାହାଚ ଗୋଟିକ ପରେ ଗୋଟିଏ । ନାନା ପ୍ରଶ୍ନ ତା’ ମନକୁ ଭାରାକ୍ରାନ୍ତ କଲା । ପ୍ରଥମ ପାହାଚ (ସେମାନଙ୍କୁ ତ ଏଥିପାଇଁ ଲାଜ ଲାଗୁନାଇଁ) ଦ୍ଵିତୀୟ ପାହାଚ (ବାହାରକୁ କେମିତି ଖରାପ ଲାଗୁନାଇଁ ?) ତୃତୀୟ ପାହାଚ (ସମସ୍ତେ ସମସ୍ତଙ୍କ ଘଟଣା ଜାଣିଛନ୍ତି ?) ଚତୁର୍ଥ ପାହାଚ (କାହାରି ମନରେ ତ ପାପ ଭୟ ନାହିଁ ?) ଆଲେୟା ସିଡ଼ିର ମୋଡ଼ ବୁଲିଗଲା ।

 

ପଞ୍ଚମ ପାହାଚ (ପାପ କ’ଣ ?)

 

ଷଷ୍ଠ ପାହାଚ (ପୁଣ୍ୟ କ’ଣ ?)

 

ସପ୍ତମ ପାହାଚ (ପାପର ଧାରଣା ଦେଲା କିଏ ? କାହିଁକି ?)

 

ଅଷ୍ଟମ ପାହାଚ (ପୁଣ୍ୟର ଧାରଣା ଦେଲା କିଏ ? କାହିଁକି ?)

 

ଆଲେୟା ଛାତ ଉପରେ ପହଞ୍ଚିଲା । ଏ ପାଖ ସେ ପାଖ ହେଲା । ଚାରିଆଡ଼କୁ ଚାହିଁଲା-

 

ତଳ ରାସ୍ତାରେ ଗାଡ଼ି ମଟର ଧାଇଁଚି । ଜୀବନ ଧାଇଁଚି । ବଞ୍ଚିବାର ଚେଷ୍ଟା । ସବୁଠାରେ-। ସମସ୍ତଙ୍କର ।

 

ଉପରେ ଆକାଶ । ମିଛ ଆକାଶ

 

ଏବଂ ଶୂନ୍ୟତା ।

 

ଆଲେୟା ମନରେ ସେଇ ପ୍ରଶ୍ନ ଆନ୍ଦୋଳିତ ହେଉଥିଲା । ମଣିଷ ମନରେ ପାପ ପୁଣ୍ୟର ଧାରଣା ଦେଲା କିଏ ? କାହିଁକି ? ମୁଁ କାହାର ଅନ୍ଧ ଧାରଣାର ଚାକର ହୋଇଥିବି କାହିଁକି-?

 

ପାପ ମିଛ । ମନଗଢ଼ା ।

 

ପୁଣ୍ୟ ମିଛ । ମନଗଢ଼ା ।

 

ସତ କେବଳ ଏଠି ବଞ୍ଚିବା ।

 

ଯେ ବଞ୍ଚି ଜାଣୁଚି ବଞ୍ଚୁଚି । ଯେ ନ ଜାଣୁଚି, ପ୍ରତି ମୁହୂର୍ତ୍ତରେ ମରୁଚି । କ୍ରମେ କ୍ରମେ ଉଚ୍ଚସ୍ଵରରେ ଶବ୍ଦ ଗୁଡ଼ାକ ଉଚ୍ଚାରିତ ହୋଇଗଲା । ଆଲେୟା ନିଜର ସ୍ଵର ଶୁଣି ସଚେତନ ହେଲା ।

 

ଛାତ ଉପରେ ପଡ଼ିଥିବା ରିଭଲ୍‌ଭରକୁ ଚାହିଁଲା ।

 

ଚାହିଁଲା ସୈନିକକୁ ତା’ର ବଳିଷ୍ଟ ଦେହ ମୁହଁକୁ । ମୁହଁର ପୌରୁଷକୁ ।

 

ସେ ନିଜର ହାତରେ ସୈନିକର ଦୁଇ ଗାଲକୁ ଥାପୁଡ଼ାଇ ଦେଲା । ନିଜ ହାତରେ ସେଇ ଜାଗାକୁ ଚୁମା ଦେଲା ଏବଂ ରିଭଲ୍‌ଭରଟି ଧରି ସିଡ଼ିରେ ତଳକୁ ଓହ୍ଲାଇଗଲା ।

 

ରିଡ଼ର

ନୟାଗଡ଼ ମହାବିଦ୍ୟାଳୟ

ପୁରୀ

Image

 

ଏକ ଅନ୍ଧକୂପ ହତ୍ୟା ସମ୍ପର୍କରେ

Unknown

ପଦ୍ମଜ ପାଳ

 

ତଥାପି ମୁଁ ହାତ ଉଠାଏ !

ସେଇ ନିର୍ବେଦଗ୍ରସ୍ତ ଅନ୍ଧକାର ମଧ୍ୟରେ କରୁଣ ବର୍ତ୍ତମାନର ଶୀତଳ ଦୀର୍ଘଶ୍ଵାସ ଏକ ତୁଷାର ଭିଡ଼ ଭଳି ଯେପରି ଚାରିଆଡ଼େ ବିଛେଇ ହୋଇପଡ଼ିଛି । ଆଉ ତା’ରି ଭିତରେ କ୍ଳାନ୍ତ ଅବଶ, ଏକ ସର୍ପର ଉତ୍‌ଫଣ ଫଣା ଭଳି ମୋର ହାତ ଦୁଇଟା, କାହାକୁ ଯେପରି ଧରି ଟିକିଏ ଆଶ୍ଵସ୍ତି ହେବାପାଇଁ, କେତେବେଳେ ନିର୍ଲିପ୍ତ ଶୂନ୍ୟରେ–କେତେବେଳେ ନିର୍ଜୀବ ସେ ପ୍ରସ୍ତର ଗୁମ୍ଫାର ଅନାଶକ୍ତ ଦେହରେ–ପୁଣି କେତେବେଳେ ଜୈବିକ ଅନୁଭୂତିକ୍ଷମ ମୋର ସେଇ କ୍ଷୁଧିତ ହାତ ଦୁଇଟାକୁ ଉତ୍ତେଜନାରେ ମୁଁ କାଢ଼ି ବସି ଧୀରେ ଧୀରେ ଆଖି ଖୋଲି ଦେଖେ–

ହାତରେ ମୋର ପୁଳାଏ ଭିଡ଼ି ଯାଉଥିବା ସିଗାରେଟ୍‌ର ନୀଳଧୂଆଁ । ଅଥବା ମଧ୍ୟାହ୍ନର ମେଞ୍ଚାଏ ଧୂସର କୁହୁଡ଼ି । ଅଥବା ପ୍ରତାରିତ ଶୂନ୍ୟତାର ବସ୍ତୁହୀନ କିଛି ରଙ୍ଗ ।

ଖାଲି ହାତଟାକୁ ଏକ ନିଷ୍‌ଫଳ କ୍ରୋଧରେ ତୀବ୍ରଭାବରେ ମୁଁ ଚାହେଁ–ଅନୁଭବ କରେ, ଗୋଟାଏ ମହମ ପାହାଡ଼ ଭଳି ମୁଁ ତରଳି ଯାଉଛି । ଅଥବା ଶୁଖିଲାରେ ଗୋଟାଏ ଜୀଅନ୍ତା ମାଛଭଳି ପଡ଼ି ଛଟପଟ ହେଉଛି । ଯନ୍ତ୍ରଣାରେ ।

ତାପରେ ଏକ ବ୍ୟର୍ଥ ଆତ୍ମାଭିମାନ, ଏକ ଅବଦମିତ ହିଂସ୍ରତା ନେଇ ମୁଁ ଲମ୍ଫ ପ୍ରଦାନ କରେ–ଶୂନ୍ୟକୁ । ତରଙ୍ଗାୟିତ ଶୂନ୍ୟତା ଏକ ଚୋରାବାଲିର ମିଛପାହାଡ଼ ଭଳି–ମରୀଚିକା ଭଳି । ଯାହାଉପରେ ପାଦ ପକାଇ ମୁଁ ଆବିଷ୍କାର କରେ ମତେ, ପୁଣି ସେଇ ପରିତ୍ୟକ୍ତ ଅଭିଶପ୍ତ ଉପତ୍ୟକା ଉପରେ !

ଉପତ୍ୟକା–ମୁର୍ଦାବାଦ !

ଉପତ୍ୟକା–ମୁର୍ଦାବାଦ !

ତୁମେ ଗୋଟାଏ ବୁର୍ଜୁଆ । ନା–ନା ତୁମେ ଗୋଟାଏ ବୁଚର । କୌଣସି ଗୋଟାଏ ଜୀବନ୍ତ ପଶୁକୁ ନିର୍ମମ ଭାବେ ହତ୍ୟାକଲାଭଳି, ତୁମେ ମୋତେ ହତ୍ୟା କରୁଛ । ଅଥଚ ମୁଁ ଦେଖୁଛି ତୁମରି ଦେହରେ ଅନେକ ଫୁଲ ଫୁଟୁଛି । ପ୍ରଜାପତିମାନେ ଡେଣା ହଲାଇ ହଲାଇ ଉଡ଼ୁଛନ୍ତି । ଆଉ ଗୁଡ଼ାଏ ମଣିଷ ନିରାପଦ ଦୂରତାରେ ରହି ଅନେକଙ୍କୁ ହାତ ଟେକି ଦୟା କରୁଛନ୍ତି । ଆଉ ଆମେ ତୁମରି ଭିତରେ ସେଇ ଲଙ୍ଗଳା ନିରୀହ ମଣିଷ । ସେଇ ନିଷ୍‌ପେଷିତ ଜାନୁଆର ଯେଉଁମାନଙ୍କୁ ତୁମେ ଦୟା ବି କରିପାରୁନା ।

ଉପତ୍ୟକା–ମୁର୍ଦାବାଦ ।

ଉପତ୍ୟକାର ସେଇ ତାତିଲା ପାହାଚ ଉପରେ ନିଜକୁ ରକ୍ଷା କରିବାପାଇଁ ଦୌଡ଼ୁଥିବା ଯେପରି ମୁଁ ଗୋଟାଏ ନିରୀହ–ମେଷ । ଆଉ ମୋ ପଛରେ ସେଇ ବିକଟାଳ ଉଲଫ୍–ହେଟାବାଘ-। ଲମ୍ଫ ପ୍ରଦାନ କରୁଛି । ଏବେ ମୁଁ ସେ ଅନ୍ଧକୂପର ଗୋଟାଏ କଣରୁ ଅନ୍ୟଗୋଟାଏ କୋଣକୁ ପିଟିହୋଇ ଛିଟିକି ପଡ଼ିଲା ବେଳେ ମର୍ମନ୍ତୁଦ ଚିତ୍‌କାର କରୁଛି ।

 

ଶିଲାଂ ଚାଙ୍ଗ କ୍ଵାଂମୀ ।

 

ଆଙ୍ଗ ସ୍ଵା କ୍ୱିଂ ।

 

ଏବଂ ପୁଣି ଉଠିପଡ଼ି ଆଖିଖୋଲି ମୁଁ ଦେଖୁଛି–ଅନ୍ଧାର ଭିତରେ ଗୋଟାଏ ମଣିଷ ।

 

ଅସହାୟ ଅବହେଳିତ ଗୋଟାଏ ବୟସ୍କ ମଣିଷ । କରୁଣ ଭାବେ କାନ୍ଥକୁ ଆଉଜି ପଡ଼ିଛି । ପାଟିଟା ତା’ର ଅର୍ଦ୍ଧ ଉନ୍‌ମୁକ୍ତ । ଜ୍ୟୋତିହୀନ ନିଷ୍‌ପ୍ରଭ ଆଖିଦୁଇଟା ଯେମିତି ଅସହ୍ୟ ବେଦନା ପ୍ରତୀକ । ମୁହଁରେ ବଢ଼ିଯାଇଥିବା ଦାଢ଼ିଗୁଡ଼ାକ ପରିତ୍ୟକ୍ତ ଧାନ କିଆରିର କୁତ୍ସିତ କଟାଯାଇଥିବା ଖେଣ୍ଟା ଭଳି ବିଭତ୍ସ । ସେ ଗୋଟିଏ ମଣିଷ ।

 

ଆଖି ଫାଡ଼ି ତାକୁ ମୁଁ ଚିହ୍ନିବାକୁ ଚେଷ୍ଟା କରି ଚିତ୍‌କାର କରିଉଠିଲି ‘‘ତମେ ! ତମେ ବାପା....

 

ବର୍ଚ୍ଛା । ଭଳି ତୀକ୍ଷ୍‌ଣ ଭାବେ ମୋତେ ସେ ଥରେ ଚାହିଁ ଘୃଣାରେ ମୁହଁ ବୁଲାଇନେଲେ । ପୁଣି ଥରେ ଚାପକଣ୍ଠରେ ବେଗ ବିଷ୍ଫୋରିତ ଭାବେ ମୁଁ ଡାକିଲି–ବାପା !

 

ଘୃଣାରେ ବିଳିବିଳେଇ ଉଠି ତିନିହାତ ମାଟିକୁ ଅନାଇ ସେ କହିଲେ–ବାପା ! କାହାର ମୁଁ ବାପା ? କାହାର ? ମୋର କେହିନହାନ୍ତି...କେହିନାହାନ୍ତି । ମୁଁ ଏଠି ଅଭିଶପ୍ତ ତ୍ରିଶଙ୍କୁ; ନା ମରିପାରିଛି–ନା ଜୀଇପାରିଛି । ମୋ କୃତକର୍ମର ମୁଁ ଏକ ଅସହାୟ ପରିଣତି । ମୋର କେହିନାହାନ୍ତି । କେବେ ବି ନଥିଲେ । ଶେଷଆଡ଼କୁ ତାଙ୍କର ବୟସ୍କ ରୁକ୍ଷ ସ୍ଵର ଯେମିତି ଆସ୍ତେ ଆସ୍ତେ ଚିପି ହୋଇ କରୁଣ ହୋଇଆସୁଥିଲା । ବଦଳ ଭଳି ତାଙ୍କର ଫାଙ୍କା ଫାଙ୍କା ଆଖିଦୁଇଟା, ଜ୍ଵଳନ୍ତ ମଧ୍ୟାହ୍ନରେ ଏକ ଅସହାୟ କପୋତ ଭଳି କ୍ଳାନ୍ତ ଡେଣା ଦୁଇଟା ହଲାଇ ଆକାଶରେ ଉଡ଼ି ଉଡ଼ି ଯେମିତି କୂଳ କିନାରା ପାଉନଥିଲା ।

 

ଏବଂ ସେ ଶୂନ୍ୟକୁ ମୁହଁ ଟେକି ଚାହିଁଥିଲେ । ଶୂନ୍ୟରେ ଅଦୃଶ୍ୟ ଅନେକ ଝିମିଟି ଖେଳର ରଙ୍ଗିନ ଘରଭଳି ଅଥବା କୋଇଲି ସୂତା ଭଳି ଅନେକ ରଙ୍ଗିନ ତରଙ୍ଗାୟିତ କାରୁଣ୍ୟ ଛନ୍ଦି ହୋଇ ଅଡ଼ୁଆ ହୋଇଯାଇଛି । ଏବଂ ସେ ସବୁର ଏକ ନୀରବଦ୍ରଷ୍ଟା ହୋଇ, ହଠାତ୍ ହାତଟାକୁ ଓଠ ପାଖକୁ ଦେଇନଥିବା ଅଧାପୋଡ଼ା ବିଡ଼ିଟାଏ ଟାଣିବାକୁ ଚେଷ୍ଟା କରି, ପୁଣି ନିଜର ସଂଜ୍ଞା ଫେରି ପାଇ ଅସ୍‌ପଷ୍ଟ ଭାବେ ଏକ ଯାନ୍ତ୍ରିକ ଶବ୍ଦ କରୁଛନ୍ତି ହେ ଭଗବାନ ! ଶେଷକୁ କପେ ଚା’, ଅଧାପୋଡ଼ା ବିଡ଼ିଟାଏ ବି ମିଳିଲା ନାହିଁ ।

 

ପ୍ରସ୍ତ ପ୍ରସ୍ତ ଦୁଃଖ ଲଜ୍ଜା କ୍ଷୋଭରେ ମୁଁ ଅନୁଭବ କଲି, ମୋ ପାଦ ତଳର ମାଟି ଯେପରି ଥରିଉଠୁଛି । ଥରିଉଠୁଛି କେଉଁ ଏକ ଯନ୍ତ୍ରଣାକାତର ନାରୀକଣ୍ଠର କରୁଣ କାରୁଣ୍ୟ । ଏକ ବେଦନାସିକ୍ତ ବ୍ୟର୍ଥତା, ପୋଖତ ଏକ ଯନ୍ତ୍ରଶିଳ୍ପୀର ତରଙ୍ଗାୟିତ କାରୁଣ୍ୟଭଳି ଲହରେଇ ଉଠୁଛି । ଏବଂ ମୁଁ ଏକ ଭୟଭୀତ ଚୋରଭଳି ଅକସ୍ମାତ୍ ଆଲୋକିତ ହୋଇଯାଇଥିବା ଦିଗଗୁଡ଼ାଙ୍କୁ ଆଶଙ୍କାଗ୍ରସ୍ତ ହୃଦୟରେ ସତର୍କଭାବେ ଚାହୁଁଛି–କାହାର ଏ ସ୍ଵର ??

 

ବୋଉ ତୋର ??

 

ତୋ ସ୍ଵର ତ ଦିନେ ମତେ ଖୁବ୍ ମିଠା ଲାଗୁଥିଲା । ତୋ ମିଛ ରାଗର ଉଗ୍ରମୂର୍ତ୍ତି ତଳେ, ଛପି ରହିଥିବା ଭଲପାଇବା, ତୋର ସେ ଲାଲ୍ କରା ମୁହଁ ଦେଖି ବି ମୁଁ ଅନୁଭବ କରିପାରୁଥିଲି ଭିତରର ସମସ୍ତ କୋମଳତା ! କିନ୍ତୁ ଆଜି ତୋର ଏ କ’ଣ ବୋଉ ?

 

ଏଇ ଅଧା ଭଙ୍ଗା ଖଟ ଉପରେ । ମଇଳା ଚିରା ଗନ୍ଧକରା କନ୍ଥା । ତା’ଉପରେ ତୋର ରୁଗ୍‌ଣ ଶୀର୍ଣ୍ଣ ଦେହ । ଗୁଡ଼ାଏ ଛିଣ୍ଡା କନାରେ ଗୋଟିଏ ତକିଆ କରି ତା’ଉପରେ ରଖିଥିବା ତୋ ଦୁର୍ବଳ ମୁଣ୍ଡଟାକୁ ଦେଖିଲେ ମନେହେଉଛି–

 

ଯେମିତି ତୋର ଏ ଦୁନିଆଁରେ କେହିନାହାନ୍ତି । ତୁ ସେଇ ଆଦିମ ଯୁଗରୁ ନିର୍ଜାତିତା ନାରୀ । ତୋର ଦୁଃଖ, ତୋର କାରୁଣ୍ୟ, ତୋର ଯନ୍ତ୍ରଣା, ଆମ ପାଇଁ ଏକ ମାନସିକ ବିଳାସ । ଯାହାପାଇଁ ଆମେ ଇଚ୍ଛାକୃତ ସଂବେଦନଶୀଳ ହେଉ । ହାତ ଉପରେ ହାତଛନ୍ଦି ତଳକୁ ମୁହଁ ପୋତି ଅଯଥା ଗଂଭୀର ହେଉ । ତା’ପରେ ତୋ କଷ୍ଟଜନିତ ଦୁଃଖରୁ ତୋତେ ମୁକ୍ତି ଦେବାପାଇଁ–ପ୍ରକାଶ୍ୟରେ ତୋର ମୃତ୍ୟୁ କାମନା କରୁ ।

 

ମାତ୍ର ବୋଉ, ମୁଁ ଗୋଟାଏ ଅପଦାର୍ଥ–ଗୋଟାଏ ପାରାସାଇଟ୍ । ତୋ ଦେହରୁ ମୁଁ ଅନେକ ରକ୍ତ ପିଇଛି । ହେଲେ ଆଜିର ମୋ ହାତ ପଥରର ହାତ । ତାକୁ ଟେକି ମୁଁ ତୋ ପାଟିରେ ପାଣି ଟୋପାଏ ବି ଦେଇପାରୁନି ।

 

ମୁଁ ଆଜି ବୁଝୁଛି ବୋଉ, ମୋତେ ସୃଷ୍ଟିକରି ଭବିଷ୍ୟତର ଏକ ଅପ୍ରତିହତ ସ୍ରୋତକୁ ପ୍ରତିହତ କରିବାଲାଗି ତୋର ଯେଉଁ କାମନା ଦିନେ ବଳବତ୍ତର ଥିଲା ଏବଂ ମୋତେ ଦେଖି ତୁ ଯେଉଁ ସାହସ ପାଉଥିଲୁ, ଫୋଟକା ଭଳି ଆଜି ସେ ମିଳେଇଯାଇଛି ।

 

ଏବଂ ମୁଁ କହୁଛି ଜୀବନରେ କାମନା ବୋଧେ ମଣିଷକୁ ସୁଖ ଦିଏ ବା ଦୁଃଖ ଦିଏ । ତା’ର ପରିଣତି ଦୁହେଁ । ପରିଣତି ବେଳେ ଆମେ ସମସ୍ତେ ଅନ୍ୟ ଯେଉଁ କାର୍ଯ୍ୟର କାରଣ । ମୃତ ।

 

ଏବଂ ତୋତେ ତୋ ଯନ୍ତ୍ରଣାରୁ ମୁକ୍ତ କରିବାପାଇଁ ମୁଁ ତୋତେ ହତ୍ୟା ବି କରିପାରୁନି ବୋଉ । ଅଥଚ ଏ ସବୁ ଲାଗି ମୁଁ ମର୍ମାହତ । କିଛି କରିବାକୁ ଚାହିଁ ନ କରିପାରିବାର ବ୍ୟର୍ଥତା ଏକ ଶର ସଯ୍ୟାର ପୃଷ୍ଠଭୂମି ଭଳି । ଯେଉଁଠି ମୁଁ ରକ୍ତାକ୍ତ–କ୍ଷତବିକ୍ଷତ । ହେଲେ ତା’ ଦେହରୁ ମୁକ୍ତି କାହିଁ..... ?

 

ଆମେ ସବୁ ମରି ମରି ବଞ୍ଚିଛୁ ଏଠି । ଏବଂ ଏସବୁ ଦୁଃଖ ବା ସୁଖ, ମାୟା ମମତା, ଆବେଗ ନିରୁଦ୍‌ବେଗର ମାନେ କିଛି ନାହିଁ । ଆମ ପାଇଁ ସେ ଅବାରିତ । ନିଶ୍ଚିତ । କିନ୍ତୁ ଏଇ ଶୁଣ, ସେମାନେ କିପରି ଚିତ୍କାର କରୁଛନ୍ତି । ଗୋଟାଏ ଶସ୍ତା ଆନନ୍ଦରେ ଭିଜିଯିବାକୁ ଚାହୁଁଛନ୍ତି–ସେମାନେ କ’ଣ ଜାଣନ୍ତି ଆଜି ଯାହା ସୁଖର କାରଣ, କାଲି ସେ ପ୍ରଚ୍ଛନ୍ନ ଦୁଃଖ ବହନ କରିଆଣିଛି । ଏବଂ ଜୀବନର ଛନ୍ଦ ତଳେ ବହୁଥିବା କରୁଣ ବନ୍ୟ ଝରଣା ସମସ୍ତ ଆନନ୍ଦ ଉଲ୍ଲାସକୁ ବଡ଼ ଚମତ୍କାର ଭାବେ ପେଶିଦେଉଛି ।

 

ସତ୍ୟ, ତୁ ଏଠି ବୋଉ ଯନ୍ତ୍ରଣା ପାଉଛୁ ।

 

ସତ୍ୟ, ବାପା ସେଠି ଅସହାୟ ଶୂନ୍ୟ ବେଲୁନ ପରି ଫୁଲିଉଠୁଛନ୍ତି ।

 

ସତ୍ୟ ମୁଁ ଗୋଟାଏ ବେଦନାବାହକ ପଶୁ ।

 

ଏବଂ ସତ୍ୟ, ସେମାନେ ନିର୍ବୋଧ ସେ ମର୍କଟମାନଙ୍କ ଭଳି, ଯେଉଁମାନେ କାଠର ସେ କିଳା କାଢ଼ିବାର ଆନନ୍ଦ ନେଇ ନିଜର ଲାଙ୍ଗୁଡ଼କୁ ନିଜେ ଚପାଇଦିଅନ୍ତି ।

 

ତଥାପି ମୁଁ ସେମାନଙ୍କୁ ବନ୍ଦ କରିବି ।

ଯେ....ବନ୍ଦ କର । ବନ୍ଦ କର । ତୁମମାନଙ୍କର ବୁଝିବା ଦରକାର, ତୁମମାନଙ୍କର ବିଭତ୍ସ ବେଶ ପଦାରେ ପଡ଼ିଯାଇଛି । ଏବଂ ବାହାରର ସମସ୍ତ ମଣିଷ ବେଶ୍ ସହଜରେ ଅନୁଭବ କରୁଛନ୍ତି ଯେ ତୁମେମାନେ ହସୁ ନାହଁ–କାନ୍ଦୁଛ । ଏବଂ ତୁମେ ହସିବା ଦ୍ଵାରା ଯେଉଁ ବଞ୍ଚିବାର ଛଳନା କରୁଛ–ତା’ ସତ ନୁହେଁ । ତୁମେମାନେ ମୃତ । ଆଉ ତୁମେମାନେ ଯଦି କୁହ ତୁମର ଏ ହସ, ଏ ଅସ୍ଥିରତା, ଏ ସତ୍‌କାର, ସବୁ ଜୀବନର ଲକ୍ଷଣ–ଏସବୁ ଭୁଲ । ଏବଂ ମୁଁ କହିବି ତୁମେମାନେ କୌଣସି ଏକ ଫୁଟୁଥିବା ଭାତହାଣ୍ଡି । ତଳେ ଜଳୁଥିବା ନିଆଁ ତୁମକୁ ଦହନ କରୁଛି, ଅସ୍ଥିର କରୁଛି । ତେଣୁ ତୁମେ ଏକ ଯାନ୍ତ୍ରିକ ଶବ୍ଦ କରୁଛ । ତୁମର ଏ ସମସ୍ତ ନିର୍ବୋଧତା ଦେଖି ମୁଁ ଆଜି ହସୁଛି । ହା ହା ହା....

–କାହିଁକି । କାହିଁକି ତୁମେ ଏତେ ବଡ଼ ଚିତ୍କାର କରି ହସୁଛ ?

ତୁମମାନଙ୍କର ନିର୍ବୋଧତା ଦେଖି ।

–ନିର୍ବୋଧ ତ ତୁମେ !

ମୁଁ !

ହଁ ତୁମେ । ଏକ ଖଳନାୟକର ମୁଖଭଙ୍ଗୀ କରି ସଂଜୟ କହିଲା ।

କାହିଁକି ?

–କାରଣ ତୁମେ ସେଇ ଲୋକ, ଯେଉଁମାନେ ପ୍ରତିବାଦ କରି କେବଳ ଜାଣନ୍ତି । ପ୍ରତିକାର ଜାଣନ୍ତି ନାହିଁ ।

ନନ‌୍‌ସେନ‌୍‌ସ ।

ଶୁଣେ, ତୁମେ କ’ଣ ମୋ ପାଇଁ କରିଛ ? ମୁଁ ତ ଗୋଟାଏ ବ୍ଲାକ ମାର୍କେଟିଆର ଥିଲି ତୁମେ ପ୍ରତିବାଦ କଲ । ତୁମ ସମ୍ମାନରେ ଆଞ୍ଚ ଆସିଲା । ଛାଡ଼ିଲି ମୁଁ ତାକୁ । ଆଜି ପଇସାଟିଏ ପାଇଁ ମୁଁ ଚାରିଆଡ଼େ ହାତ ପାତୁଛି । ସେମିତି ତୁମେ ନମିତାକୁ ପ୍ରତିବାଦ କଲ । ସେ ରବିକୁ ପ୍ରେମବିବାହ କରିବାକୁ ଚାହୁଁଥିଲା ବୋଲି । ଆଜି ତାକୁ ତିରିଶି ବର୍ଷ ପୁରିଲା । ଦେଇପାରିବ ତା’ର ବିବାହ ତୁମେ । ଦେଇପାରିବ ଅନିତାକୁ । ଭଲ କରିପାରିବ ବୋଉର ରୋଗ ? ବାପାଙ୍କୁ ଗଣ୍ଡାଏ ସୁସ୍ଥରେ ଖାଇବାକୁ ଦେଇପାରିବ ? କ’ଣ ତୁମେ କରିପାରିବ ? ଖାଲି ପ୍ରତିବାଦ ! ତୁମ ଖେୟାଲ, ତଥାକଥିତ ସମ୍ମାନ ନିକଟରେ ଆମ ବଂଚିବାର କିଛି ମାନେ ନାହିଁ । ଆଜି ତୁମର ଏ ନିରର୍ଥକ ପ୍ରତିକାରହୀନ ପ୍ରତିବାଦକୁ ଆମେ ସହ୍ୟ କରିପାରିବୁନି । ଆମେ ବିଦ୍ରୋହ କରିବୁ । ପ୍ରତିବାଦ ମାନିବୁ ନାହିଁ ।

ଆମ ଇଚ୍ଛାହେଲେ ଆମେ ଆସିବୁ ।

(ମିଳିତ ସ୍ଵର) ଆମ ଇଚ୍ଛାହେଲେ ଆମେ କାନ୍ଦିବୁ ।

(ମିଳିତ ସ୍ଵର) ଆମେ ହସିପାରୁ । ଆମେ କାନ୍ଦିପାରୁ । ସେସବୁ ଆମର ସ୍ଵତନ୍ତ୍ର୍ୟ ନେଇ-। କାହାର ପ୍ରତିବାଦର କିଛି ମାନେନାହିଁ ଆମ ପାଖରେ ।

ଅକସ‌୍‌ମାତ୍‌ ସୃଷ୍ଟି ହୋଇଥିବା ଏକ ଭୂମିକମ୍ପର ଥରିବା ଅବୟବ ଭଳି ମୁଁ ଥରି ଥରି ଭାଙ୍ଗିପଡ଼ୁଛି ପ୍ରୀତି । ଜୀବନରେ ଯେଉଁମାନଙ୍କ ପାଇଁ ମୁଁ ଆଜି ରକ୍ତହୀନ, ଘୃଣିତ, ଯେଉଁ ଗହ୍ଵରମାନ ପୂରଣ କରି ସେମାନଙ୍କ ମୁହଁରେ ଟିକିଏ ହସ ଦେଖିବାଲାଗି ମୋ ଭିତରର ସମସ୍ତ ବିରୁଦ୍ଧତା ସତ୍ତ୍ୱେ ଚାକିରି କରି ଲାଞ୍ଚ ଆଣୁଥିଲି । ଦିନେ ଧରାହୋଇ ଚାକିରି ଚାଲିଯିବା ପରେ ସେମାନଙ୍କଠାରୁ ଧୋକା ଖାଇବା ପରେ ମୁଁ ତଥାପି ବଞ୍ଚିଛି । ଏବଂ ଆସି ଦେଖୁଛି ତୁମକୁ ।

 

ସେଦିନର ଲାବଣ୍ୟ ଆଜି ତୁମ ଦେହରେ ନାହିଁ । ମୋତେ ଦେଖି ତୁମେ ଟିକିଏ ଖୁସି ବି ହୋଇପାରୁନା । ପ୍ରୀତି, ମୁଁ ତୁମକୁ ଭାଲପାଏ । ତୁମ ମୁହଁରେ ଟିକିଏ ହସ ଦେଖିଲେ ମୋର ସମସ୍ତ ଗ୍ଲାନି ଦୁଃଖ କୁଆଡ଼େ ମିଳେଇଯାଏ । କିନ୍ତୁ ଆଜି ତୁମେ ବି ମୋତେ ଗ୍ରହଣ କରିପାରୁନା । ଅବଶ୍ୟ ସ୍ତ୍ରୀ ହେବାପରେ ମୁଁ ତୁମ ପାଇଁ କିଛି କରିପାରିବି । ସବୁଗୁଡ଼ାକ ଯେମିତି ପ୍ରତିଶ୍ରୁତିରେ ହିଁ ରହିଯାଇଛି । ମୋ ଅଦୃଶ୍ୟ ଭଲପାଇବା ତୁମ ପାଇଁ ନିରର୍ଥକ ହୋଇଉଠୁଛି । ମୋତେ ତୁମେ ଟିକେ ଦୟାକର, ପ୍ରୀତି । ତୁମରି ଭଲପାଇବା ଭିତରେ ମୁଁ ଧ୍ଵଂସ ହୋଇଯିବାକୁ ଚାହୁଁଛି । ମୋର ଅସହାୟତା ମୋର ପଥରୁଦ୍ଧ କରୁଛି । ମୁଁ ଅଣନିଶ୍ଵାସୀ ହୋଇଯାଉଛି । ମୋତେ ଟିକିଏ ଆଶ୍ରୟ ଦିଅ । ତୁମ କୋଳରେ ମୁଣ୍ଡ ଗୁଞ୍ଜି ଶୋଇବାକୁ ଟିକେ ସ୍ଥାନ ଦିଅ ।

 

ପ୍ରୀତି, ଏ କ’ଣ ? ଏ କ’ଣ ମୁଁ ଦେଖୁଛି । ଗୋଟାଏ ଶୀତଳ ଅନ୍ଧକାରର ପରଦା ମୋ ଆଖିଆଗରେ ଝୁଲୁଛି । ତା’ରି ଉପରେ ଅନେକ କ୍ଷୁଧିତ ମଣିଷଙ୍କର ବୀଭତ୍ସ ପଟୁଆର । ସେମାନେ ସବୁ ଉଲଗ୍ନ । ହାତର ପଞ୍ଝା ଗୁଡ଼ାକ ଉନ୍‌ମୁକ୍ତ । ମୋରି ଆଡ଼କୁ ସେଗୁଡ଼ାକ ସବୁ ଲମ୍ବି ଆସୁଛି ପ୍ରୀତି-

 

ଏଇ ଦେଖ–

 

ଗୁଡ଼ାଏ ବାଘର ହିଂସ୍ର ରକ୍ତାକ୍ତ ପଞ୍ଝାଭଳି । ଗୁଡ଼ାଏ ବିରାଡ଼ିର ସ୍ଥିର ଶିକାରୀ ଆଖି ଭଳି ତୀକ୍ଷ୍‌ଣ । ଗୁଡ଼ାଏ ଜଲ୍‌ହାଦଙ୍କ ଉତ୍‌କ୍ଷିପ୍ତ ହାତ ଭଳି ଆତଙ୍କ ସୃଷ୍ଟି କରୁଛି । ଆଉ... ଆଉ ଗୁଡ଼ାଏ ଅସଂଖ୍ୟ ଓଠପ ଭଳି ମୋ ଉପରକୁ ଲମ୍ଫ ଦେଉଛନ୍ତି ।

 

ଏ ଅନ୍ଧକୂପ ଭିତରେ ମୁଁ ପଥ ପାଉନି ପ୍ରୀତି । ମୁଁ ଚିତ୍‌କାର ବି କରିପାରୁନି । ମୋର ଜିହ୍ଵା ଖସିପଡ଼ୁଛି । ଦୌଡ଼ି ପାରୁନି, ପାଦ ଦୁଇଟା ଛିଣ୍ଡି ପଡ଼ୁଛି । ମୁଁ ମୋତେ ରକ୍ଷା କରିପାରୁନି, ମୋର ହାତ ଦୁଇଟା କାଠର ଜଗନ୍ନାଥଙ୍କ ହାତ ଭଳି ପାପୁଲିବିହୀନ ।

 

ପ୍ରୀତି....ପ୍ରୀତି....

 

ମୁଁ ଗୋଟାଏ ଛୁରା ପତ୍ର

 

ମୁଁ ଗୋଟାଏ ଶିକାର

 

ମୁଁ ଗୋଟାଏ ମଣିଷ.....ଅନ୍ଧକୂପ ଭିତରେ....ମୁଁ...ମୁଁ....ମ.....ଣି.....ଷ,

 

ଅଧ୍ୟାପକ,

ପଟାମୁଣ୍ଡାଇ କଲେଜ

Image

 

ଚଢ଼େଇ, ଫୁଲ ଓ ଆକାଶ

ପ୍ରସନ୍ନ କୁମାର ପାଟଶାଣୀ

 

କାଂତ ଉଦାସ ଅପରାହ୍ନ ।

ଶୋଇଯିବି କି ଆଉ । କି ପବନ । ନିଦ ଜମିନି । ପାତଳ ନିଦ । ଗଛରୁ ଫୁଲ ଖସି ମାଟିରେ ଅଜାଡ଼ି ହେଲାଭଳି କିଛି ଖରା ଘରର କଣାଚାଳ ଦେଇ ମୋ ଗାଲରେ ଢାଳିଦେଇଛି କିଏ-! ଖୋଲା ଆକାଶ ନା ମୋର ଘର । କିରଣକୁ ହାତ ଦେଇ କ’ଣ ବନ୍ଦ କରିହୁଏ ?

ଘର ସଜାଡ଼େ । ଅସଜଡ଼ା ଜୀବନକୁ ନେଇ ସଜାଡ଼ି ହୁଏନା ଯେଉଁଠି, ସେଠି ଖରାକୁ କେନ୍ଦ୍ରକରି କଳ୍ପନା ।

ଏଠି କ’ଣ ମୋର ଘର !

ଚାରିଟା କାଠର ଖୁଣ୍ଟ ।

ଦୁଲା, ସେଣୀ, ବରଗା, ବତା

ଉପରେ ଚାଳ । କିଏ ଡଙ୍କ ମଡ଼େଇଛି ! ଫୁଲ ଫୁଟେଇଛି ଚାଳ ଉପରେ । ରାତିରେ ଅନ୍ଧାର କଚାଡ଼ି ହୋଇପଡ଼େ । ଦିନରେ ସୂର୍ଯ୍ୟ ଗଳିପଡ଼େ । ଚୁଲିରେ ନିଆଁଲାଗେ । ପାଉଁଶ ଉଡ଼େ-। କୁହୁଳାଧୂଆଁ କଣା ଦେଇ ଗଳି ଗଳି ଆକାଶରେ ମିଶେ । ଏଇଠି ମୋର କୁହୁଡ଼ି, କୋହଲା ପାଗ, ଖରା ଓ ଆକାଶ ।

ଅଭାଗାରେ ପାଠପଢ଼ି ଘର ଖଣ୍ଡେ ତୋଳିପାରିଲୁନି । ଯେ ଆକାଶକୁ ଭଲପାଇ ବସିଛି, ସାଗରକୁ ଆପଣାର ପୋଖରୀ ଭାବି ନିଜକୁ ତିନ୍ତେଇଛି, ନଈ ଯା’ର ଅସୀମ ଶୋଷର ସନ୍ତକ ସେ ପୁଣି ଘର, ହାର ସମ୍ପତ୍ତି, ବିଳାସ....ତୁଚ୍ଛା ଅଳୀକ ।

ସୂର୍ଯ୍ୟ ଢଳିଗଲେ ।

ସନ୍ଧ୍ୟା ଘନେଇ ଆସିବାକୁ ମୋ ଘରକୁ କେଇଫୁଟ ବାକି । ଏ ଘର ଛାଡ଼ିଦେ । ଭଡ଼ା ତ ଦେଉନୁ । ମରାମତ ହେବ କେମିତି ?

ବର୍ଷା ଖା, ଖରା ଖା, ଜହ୍ନରୁ କିଛି ପି । ତଥାପି ଚେତୁନୁ । ଆଉ ଦୟା ନାହିଁ । ଟଙ୍କା ଦେ-। ଘର ଛାଡ଼ । ନ ହେଲେ ଚିଲିକାରେ ଡୁବି ମର ।

ବିରକ୍ତିରେ ବନ୍ଦକଲି ଦୁଆର । ଖିଡ଼ିକି ଶୂନ୍ୟ ଫଟା କବାଟଟା ଖସିଗଲା କି ? ଶୂନ୍ୟରୁ ଛିଡ଼ିପଡ଼ିଲାକି ଆକାଶ ! ପୁଣି ଆଜେବାଜେ ଚିନ୍ତା । ପତଳା ଅନ୍ଧାର କ୍ରମଶଃ ଲିପି ହୋଇଯାଉଥିଲା କାନ୍ଥରେ ।

ଲଣ୍ଠନ ଖୋଜିଲି । କାଚ ନାହିଁ । ଡିବିଟା ପାଇଲି । ସଳିତା ନାହିଁ । ତେଲ କାହିଁ ? ପକେଟରେ ହାତ ପୂରାଇଲି, ପଇସା ନାହିଁ । କାହିଁ ଅଧାଜଳା ମହମ ଓ ଦିଆସିଲ ??

ଘର ଭର୍ତ୍ତି ହେଲା ଧୂଆଁରେ । ଧୂପର ଧୁଆଁ । ସୁଗନ୍ଧ ଫୁଲର ବାସ୍ନା । ଡାଲାଏ ନୁହଁ କୋଠରି ସାରା ଫୁଲ । ଆକାଶରୁ ତାରାଗୁଡ଼ିକ ଖସିଗଲା କି ?

 

ଫୁଲ ଭିତରେ ପକ୍ଷୀଟିଏ । ଲୁହାର ପଞ୍ଜୁରୀରେ ବନ୍ଦୀ ପକ୍ଷୀଟି ଏଠିକି ଆସିଲା କେମିତି-? ମୋତେ ଏ ଘରୁ କାଢ଼ି ନେବାପାଇଁ–ଚକ୍ରାନ୍ତ । ଦେଖାଯାଉ, ମୁଁ ଯଦି ଘର ନ ଛାଡ଼େ–

 

ମାଲିକର ହାଡ଼ବାଇ ପ୍ରୟୋଗ । ନାଁ, ଭୁତପ୍ରେତ ଉପରେ ମୋର ବିଶ୍ୱାସ ନାହିଁ ।

 

ଫୁଲଗୁଡ଼ିକ କି ଫୁଲ ।

 

ଗୋଲାପ ନୁହେଁ ମନ୍ଦାର ବି, ଚମ୍ପା ବି ? ଉହୁଁ ଚିହ୍ନିପାରୁନ !!

 

କିଏ ! କିଏ !! କେଉଁଠୁ ଏ ଆଓ୍ୱାଜ୍‌ ।

 

: ଏକ ରଙ୍ଗୀନ ପଞ୍ଜୁରୀରେ ଆବଦ୍ଧ ପକ୍ଷିଣୀର ଇଚ୍ଛା, ଶୂନ୍ୟ ଆକାଶର ସ୍ୱପ୍ନ ।

 

ରୂପାଥାଳିରେ ଭାତ, ସୁନା ଗିନାରେ ଦୁଧ ଛାଡ଼ି ଜୀର୍ଣ୍ଣ କୋଠରିରୁ ତାଡ଼େ ଫୁଲର ଡାଲିଆ ଭିତରେ ଡେଣାକୁ ଲୁଚାଇ ଥଣ୍ଟ ମେଲିଥିବା ପକ୍ଷୀକୁ ଆହାର ଦେବାର ଅଧିକାର ଯାହାର ଅଛି, ସେ ପରକୁ ଆଉଁଷି ଆନନ୍ଦ ପାଇବାରେ ନିଜକୁ ହକ୍‌ଦାର କରିପାରେ, ତା’ର ବ୍ୟକ୍ତିବାଦୀ ଚିନ୍ତା ପକ୍ଷୀର ଆକାଶରେ ଉଡ଼ିବାର ଇଚ୍ଛାକୁ ଗୁଳିକରି ଦେଇପାରେ ।

 

ଏଁ, କ’ଣ କହିଲ ! (ଏ ସ୍ୱର ପକ୍ଷୀର ନିଜସ୍ୱ ବା ଟେପ୍‌ ରେକ୍‌ଡ଼କୁ ଖଞ୍ଜି ଦେଇଥିବା ମାଲିକର !)

 

ମୋ ଆଗରେ ହଂଦ ।

 

ତା’ର କୋମଳ ଡେଣାକୁ ଧରି ଫିଙ୍ଗିଦେବି କି ?

 

ଦୂର ଆକାଶକୁ ଉଡ଼ିଯିବ ।

 

ଫୁଲରେ ହାତ ମାରିଲେ ପାଖୁଡ଼ା ଖସୁଛି । ପରରେ ହାତ ମାରିଲେ ଯଦି ଡେଣା ଭାଜିଯାଏ, ତା’ର ପରିଣତି ଯାହାକୁ ମାଲୁମ ନ ଥିବ, ସେ ତାହା କରିପାରେ ।

 

ମୁଁ ନିଷ୍ପତ୍ତି କଲି । ଘର ଛାଡ଼ିବ । ପକ୍ଷୀ ଓ ଫୁଲ ମୋର ରହଣୀର ପ୍ରତିବନ୍ଧକ ।

 

କେମିତି ରାତି ପାହିବ । ପ୍ରହର ପରେ ପ୍ରହର ।

 

: କ’ଣ ଚିନ୍ତା କରୁଛୁ ?

 

ଆରେ ସତେ ତ ପକ୍ଷୀଟା କଥା କହୁଛି ଯେ !

 

ତୁମେ ଆଲୋକ ଚାହୁଁଛ ? ବତୀ ଲଗେଇବ । କାଠ ଚାହୁଁଛି ? ଚୁଲି ଜଳେଇବ । ତୁମକୁ ଭୋକ ହେଉଥିବ ନିଶ୍ଚୟ । ତୁମେ ଖାଇବାକୁ ଭୁଲିଯାଇଛ । ତୁମର ତେଲ ଦରକାର, କିରାସିନି ତ ? ଲଣ୍ଠନ ଆଣ ।

 

ଏ ତ ତେଲ ନୁହେଁ...

 

ଆଉ କ’ଣ ମଦ !!

 

ମୋତେ ଶୋଷ, ଶୋଷ....ପାଣି ପାଣି ପାଣି ଏ ତ ପାଣି ନୁହେଁ, କ’ଣ ରକ୍ତ !!!

 

ସେ ଆଖି ତରାଟିଦେଲା । ଦାଉ ଦାଉ ହୋଇ ନିଆଁ ହୁଳା ବାହାରିପଡ଼ିଲା । ଲୁହ ବଦଳରେ ଟୋପାଟୋପା ତରଳ ମହମ ଗୁଡ଼ିକ ଆଖି ଫଟାଇ ଝରିବାକୁ ଲାଗିଲା । ଘରସାରା ମହମ ଓ ନିଆଁ । ନିଆଁ ଓ ମହମ ।

 

ମୋତେ ଆଉ ହଇରାଣ କରନା ।

 

ମୁଁ ଆଜି ଏ ଘର ଛାଡ଼ିଦେଉଛି ।

 

ପକ୍ଷୀ ନୁହେଁ । ନିଶ୍ଚିତ ଡାହାଣୀ । ଡାହାଣୀମାନେ ବିଭିନ୍ନ ବେଶରେ ଆସନ୍ତି । ଚଢ଼େଇ ରୂପରେ ଉଡ଼ିଆସିଛି । ବେକରେ ସୁନା ଗହଣାର ତେଜ ଝଳିଉଠୁଛି । ଫୁଲଗୁଡ଼ିକ, ଗୁଣୀମନ୍ତ୍ର । ହାଣ୍ଡିରେ ପାଣି ନୁହେଁ ମଦ । ମାଟିପାତ୍ରର ଚାରିପାଖେ ରକ୍ତ ନୁହେଁ ସିନ୍ଦୁର ବୋଳିଛି ।

 

ଗଭୀର ନିଶାରାତ୍ରିରେ ନିଦ୍ରାଗଲେ ଏ ଡାଙ୍କୁଣୀ ଚଢ଼େଇ ନିଶ୍ଚୟ ତା’ର ରଙ୍ଗବୋଳା ଚଞ୍ଚୁରେ ମୋର ତଣ୍ଟି କଣା କରି ରକ୍ତ ପିଇବ । ଇସ୍‌, କେଡ଼େ କେଡ଼େ ନଖ ତା’ର !

 

ସାମାନ୍ୟ ଭଡ଼ା ବାବଦ ପାଉଣା ପାଇଁ ଏତେ ବଡ଼ ପ୍ରତିଶୋଧ ।

 

ହାୟ, କାଇଁ ଏ ଘରେ ରହିଲି !!

 

ପୁଣି ମନକୁମନ ପ୍ରଶ୍ନ । ଆତ୍ମପ୍ରବୋଧନା । ଗୁଣୀ ମିଥ୍ୟା ।

 

ମୁକାବିଲା ହେଉ । ଏ ଘର ମୋର । ୟା’କୁ ଛାଡ଼ିବିନି ।

 

ରୁହରେ ପାମର !

 

ଭୟ, ଆଶ୍ଚର୍ଯ୍ୟ, ସନ୍ଦେହର ଐନ୍ଦ୍ରଜାଲିକ ମାୟାଜାଲ ପୁଞ୍ଜିଜାଦୁର ନିବାରଣ ପାଇଁ ଧୈର୍ଯ୍ୟ ହିଁ ମୋର ଏକମାତ୍ର ମଲମ । ଦେଖାଯାଉ ।

 

ରାତି ପାହି ପାହି ଆସିଲା ।

 

ସିନ୍ଦୁର ଫାଟିବା ପୂର୍ବରୁ ଦେଖିଲି ଫୁଲ ଓ ଚଢ଼େଇ କୁଆଡ଼େ ଉଭାନ ହୋଇଯାଇଥିଲେ-

 

ଠିକ୍‌ ପାହାନ୍ତା ପ୍ରହରରେ ମୋ କୋଠରିକୁ ଘେରି ରହିଥିଲେ ସମସ୍ତ ପୋଲିସ ବାହିନୀ, ମୋ ନିରାପତ୍ତା ପାଇଁ ନୁହେଁ, ମାଲିକ ସ୍ଵାର୍ଥର ସଂରକ୍ଷଣ ପାଇଁ । ଭଲ ହେଲା । ମୋର ମାନସିକ ଯନ୍ତ୍ରଣାର ଉପସମ ପାଇଁ କି ବ୍ୟବସ୍ଥା ! !

 

ମାଲିକ କହୁଥାନ୍ତି–ହେଇଟି ଲୁଚେଇଚି ଦେଖନ୍ତୁ !

 

କଣାମାଠିଆ, ଖଣ୍ଡିଆବିଡ଼ି, ଚିରାମଶିଣା, ଫଟାକାମିଜି, କୋତରା ଟ୍ରାଉଜର, ଭଙ୍ଗାଟିଣପେଡ଼ି ବ୍ୟତୀତ କିଛି ତ ମିଳୁନି ।

 

–ଏ ଟିଣ ବାକ୍‌ସଟାକୁ ଖୋଲିଲୁ । ହଁ, ଛୁରିଟିଏ ମିଳିଲା । ଏଥିରେ ପିଆଜ କାଟିହେଉନି । ଆଜ୍ଞା ! .....ଖାତାଟା ଦେଖନ୍ତୁ ତ କ’ଣ ଲେଖାହୋଇଛି ।

 

‘‘ମୁଁ ଆକାଶରେ ଆଉ ପକ୍ଷୀ ଦେଖିବାକୁ ପାଉନି । ସମସ୍ତ ପକ୍ଷୀମାନେ କୋଠାଘର ପଞ୍ଜୁରୀରେ ଆବଦ୍ଧ । ମୁଁ ଆଉ ଜଙ୍ଗଲରେ ବାଘ ଦେଖିବାକୁ ପାଉନି । ବାଘମାନେ ଏଣିକି ସହରର କୋଠାମାନଙ୍କରେ ରହୁଛନ୍ତି । ଘରର ମେଜିଆରେ ବାଘର ଛାଲ । ବଣରେ ସାଗୁଆନ ନାହିଁ । ପାହାଡ଼ରେ ପଥର ନାହିଁ । ଚିଲିକାରେ ମାଛ ନାହିଁ । ....ହେଲେ ମାଲିକର ପୋଖରୀରେ ପହଁରୁଛି ବତକ.....’’

 

ପଢ଼ା ବନ୍ଦକର !

 

ଖାତାକୁ ସିଜ୍‌କର !! ଦେଶଦ୍ରୋହର ପ୍ରମାଣ । କୁହ କୋଉଠିସବୁ ଲୁଚାଇଛୁ ? ...ଜଲ୍‌ଦି, ଜଲ୍‌ଦି । ମାଲିକଙ୍କ ଘରଆଡ଼େ ଚାଲନ୍ତୁ । ଏଠି ଜାଗା କାହିଁ ଯେ ରଖିବି ?

 

ମୋ ପଛେ ପଛେ ଅନୁଚର ପୋଲିସ, ମାଲିକର କର୍କଶ ମୁହଁ ଓ ନାଲି ଆଖି ।

 

ପ୍ରଥମ କୋଠରି ।

 

ଥାକେ ଶାଢ଼ି । ଡଜନେ ଉପରେ ବ୍ଳାଉଜ । ଶଙ୍ଖା ଓ ସିନ୍ଦୂର ପେଡ଼ି । ଏକ ସୁଟକେଶ ସାବୁନ । ଗହଣା ଟ୍ରଙ୍କ । ଦର୍ପଣ । ମଦବୋତଲ କେତୁଟା ପରେ ଗଣାଯିବ ।

 

ଦ୍ଵିତୀୟ କୋଠରି ।

 

ଦଶଟା ଛୁଆ । ଗୋଟିଏ ଟର୍ଚ୍ଚଲାଇଟ୍‌ । ଦୁଇଟା ବନ୍ଧୁକ । ତିନିଟା ପିସ୍ତଲ ଲାଇସେନ୍‌ସ ନାହିଁ ।

 

ତୃତୀୟ କୋଠରି ।

 

ଦୁଇଟା ଟ୍ରେଜେରୀ ବକ୍‌ସ । ଗୋଟିଏ ଲୁହା ଆଲମାରି, ଭିତରେ ରୂପାଥାଳି, ପିତଳ କଣ୍ଢେଇ ଇତ୍ୟାଦି । ବେତଟେବୁଲ ଉପରେ କିଛି ଔଷଧ ଓ ନିରୋଧ ବଟିକାରୁ କିଛି । ଶିଶୁଆ କାଠର ପଲଙ୍କ ତଳେ ଭଂଗାପଥରର ଲଙ୍ଗଳା ମୂର୍ତ୍ତି ।

 

ଚତୁର୍ଥ କୋଠରି ଦେଖାଇଲା ବେଳକୁ ପୋଲିସ ମୋତେ ଛାଡ଼ିଦେଇଥିଲା ।

 

ପରେ ଜାଣିଲି, ମୁଁ ରହୁଥିବା ଭଙ୍ଗା କୋଠରିକୁ ଭାଙ୍ଗି ସେହି ସ୍ଥାନରେ ଲଜିଂଟିଏ ତିଆରି ହୋଇଛି ।

Image

 

ଲମିନିଜଙ୍ଗ

ପ୍ରଶାନ୍ତ ପଟନାୟକ (ପ୍ରୀତମ)

 

ଟର୍ଚ୍ଚ ନାଇଁ ।

 

ଅନ୍ଧକାରରେ ଅଣ୍ଡାଳି ଅଣ୍ଡାଳି ଯେଉଁ କବାଟ ଖୋଲିଲି ସେଇଟା ବାରିକବାଟ ।

 

ସେତେବେଳକୁ ଭୋର ହୋଇଆସୁଥିଲା । ଘଡ଼ି ଦେଖିଲି ପାଞ୍ଚ ବାଜିଚି । ଅଳପ ସମୟ ଭିତରେ ମୁଁ ଦାଣ୍ଡକବାଟ ଖୋଲିବାପାଇଁ ପ୍ରସ୍ତୁତ ହୋଇଗଲି ।

 

ପ୍ୟାଣ୍ଟ୍‌, ସାର୍ଟ, କୋଟ୍‌, ଜୋତା, ମଫ୍‌ଲୋର ।

 

ସବୁ ଠିକ୍‌ ।

 

ଏଣିକି ଚୁପ୍‌ଚାପ୍‌ ଗଡ଼ିଯିବା କଥା ।

 

ବାରଣ୍ଡାରେ ଯେଉଁମାନେ ଠିଆହୋଇଥିଲେ, ଗଡ଼ିଗଲାବେଳେ ସେମାନଙ୍କୁ ଭଲଭାବରେ ଦେଖି ହେଲାନାଇଁ । ଯେତେଦୂର ମନେହୁଏ ତିନୋଟି ଲମ୍ବା ଛାଇ । ଅନ୍ଧାରୁଆ ସିଲହୁଟ ମୂର୍ତ୍ତି । ଖୁବ୍‌ ଡେଙ୍ଗା ଓ ପୃଥୁଳ ମଧ୍ୟ । ମନେହେଲା ଯେମିତି ତିନିଟା ଡେଙ୍ଗା ଡେଙ୍ଗା ପୁଲିସ୍‌ଲୋକ ଚୁପ୍‌ଚାପ୍‌ ଜଗି ରହିଥିଲେ ଆଉ କବାଟଖୋଲି ବାହାରିବା ସଙ୍ଗେ ସଙ୍ଗେ ଆରେଷ୍ଟ କରିବେ ।

 

କିନ୍ତୁ ସେମାନେ କିଛି କହିଲେ ନାଇଁ । ମୁଁ ତ କବାଟ ଖୋଲୁ ଖୋଲୁ ଗଡ଼ିବାକୁ ଲାଗିଲି-

 

ଗଡ଼ିଗଲା ବେଳେ ମନହେଲା ସେଇ ତିନିଜଣ ଶାଳଗଛ ପରି ଲୋକ ଆଦୌ ବ୍ୟସ୍ତ ନ ହୋଇ ଗପସପ କରି ମୋର ବହୁତ ପଛରେ ମୋ ଆଡ଼କୁ ଆସୁଛନ୍ତି ଆସ୍ତେ ଆସ୍ତେ ।

 

ମୁଁ ଗଡ଼ିବା ବନ୍ଦ କରି କଣେଇ ଚାହିଁଲି–କାଇଁ, କେଇ ତ ନାଇଁ ?

 

ମୁଁ ପୁଣି ଗଡ଼ିବାକୁ ଲାଗିଲି ।

 

ପୁଣି ମନେହେଲା ତିନୋଟି ଶାଳଗଛ ପରି ଲୋକ ମୋ ଆଡ଼କୁ ଆସୁଛନ୍ତି ଅବଲୀଳା କ୍ରମେ ।

 

ଜଣେ ଦିଆସିଲି ଲଗାଇଲା ।

 

ଜଣେ ସିଗାରେଟ୍‌ରେ ନିଆଁ ଧରାଇଲା ।

 

ଆଉଜଣେ ନିଜ ଦେହକୁ ଟିକିଏ ଭଲଭାବେ ଘୋଡ଼େଇ ହେଲା ।

 

ମୁଁ ଗଡ଼ିବା ବନ୍ଦକରି କଣେଇ ଚାହିଁଲି–କାହିଁ, କେଇ ନାଇଁ ତ ?

 

ଏଥର ମନକୁ ଧାରଣାଶୂନ୍ୟ କରି ମୁଁ ଗଡ଼ିବାକୁ ଲାଗିଲି ।

 

ଆଗରେ କିଏ ଗୋଟାଏ ଦଉଡ଼ିଛି ଅଣନିଃଶ୍ଵାସୀ ହୋଇ । ଲୁଙ୍ଗିପିନ୍ଧା ଲୋକଟା । କିଏ ସେ ଇଏ ଭୋର୍‌ ଭୋର୍‌ ଦଉଡ଼ିଛି ।

 

ଗଡ଼ି ଗଡ଼ିଯାଇ ଦେଖିଲି ସିପେହୀଟା । ନଈଆଡ଼େ ଯାଉଛି ଓ ତା’ ସହିତ ବ୍ୟାୟାମ ଅଭ୍ୟାସ କରୁଛି । ଢପ୍‌ ଢପ୍‌ ଦଉଡ଼ିଛି । ସିପେହୀଟା ସିପେହୀଟା ।

 

ପିସ୍ତଲ ଥିଲେ ମୁଁ ସିପେଇଟାକୁ ଫାୟାର କରିଦେଇଥାନ୍ତି । ସିପେହୀଟା ଢଳି ପଡ଼ିଥାନ୍ତା ସକାଳ କାକରରେ । ହିଂସା, ହିଂସା । ଦ୍ଵେଷ, ଦ୍ଵେଷ । ବିରକ୍ତି, ବିରକ୍ତି ।

 

ଦିଗ୍‌ବଳୟରୁ ଦିଗ୍‌ବଳୟଯାଏଁ ଖୋଲା ଅରଣ୍ୟ ସବୁଜ କ୍ଷେତ ଉପତ୍ୟକା ସବୁକୁ ବାନ୍ଧିରଖିଚି ଏଇ ସିପେଇଟା ।

 

ଫାୟାର୍‌ ଫାୟାର୍‌ ।

 

ମୁଁ ସ୍ତମ୍ଭିତ ହୋଇ ଠିଆହେଲି । ଆକସ୍ମିକ ହିଂସା ଓ ହତ୍ୟାର ବାତ୍ୟାରେ ଥରିଉଠିଲା ମୋର ଅନ୍ତରଙ୍ଗ ।

 

କେତେ ଦୂରରେ ପଡ଼ିରହିଲା ମୋର ନିର୍ଜନ କୋଠରି । ଶୂନ୍ୟ କୋଠରି ।

 

ମିନି ତ ନାଇଁ, ମିନିର ଫଟୋ ।

 

ଫଟୋ ତ ନୁହଁ, ହସ ।

 

ହସ ତ ନୁହଁ, ଝରଣା ।

 

ଯେଉଁ ଝରଣା ନିକଟରେ କେବଳ ଝରିଯାଇ ହୁଏ । ଖୁସିରେ । ଆନନ୍ଦରେ ।

 

ହିଂସାର ନୁହଁ, ମିନିର ।

 

ହତ୍ୟାର ନୁହଁ, ହସର ।

 

ଦ୍ଵେଷର ନୁହଁ, ଝରଣାର ।

 

ବିରକ୍ତିର ନୁହଁ, ଆନନ୍ଦର ।

 

ଅଟକିଯିବାର ନୁହଁ । ଝରିଯିବାର ।

 

ଝରିଯିବାର । ଗଡ଼ିଯିବାର । ଆଉ ସେତେବେଳକୁ ଗଡ଼ି ଗଡ଼ି ଯାଇ ମୁଁ ଗୋଟିଏ ଝରଣାରେ ପଡ଼ିଚି । ସରୁ ପାଣିଧାର । ଥଣ୍ଡା । ମୁନ୍ଦାଏ ପିଇଦେଇ ଦେଖିଲି କିଏ ? କେଇ ତ ନାଇଁ-

 

ଆଗକୁ ଖାଲି ରାସ୍ତା । ଦିକରେ କ୍ଷେତ । ଫସଲ । ଭୋର ଭୋର ନଇଁପଡ଼ିଥିବା ମଣିଷସବୁ ଫସଲ କାଟିବାରେ ବ୍ୟସ୍ତ ।

 

ଗଡ଼ିଯିବା ମଣିଷ ପ୍ରତି କାହାର ନିଘା ନାଇଁ ।

 

ଖାଲି ତେଣ୍ଡାରେ ପାଣି ବୁହାହେବା ଶବ୍ଦ । କେଁ କଟର । ତା’ପରେ ପାଣି ଗଡ଼ିଯାଉଥିବା ଶବ୍ଦ–କୁଳୁ କୁଳୁ କୁଳୁ ।

 

କେଁ କଟର । କୁଳୁ କୁଳୁ ।

 

କେଁ....କ.....କୁଳୁକୁଳୁ.... ।

 

ତାପରେ ଖଳା ।

 

ଅଳସୁଆ ବଳଦ ଚକ୍‌କର ମାରୁଛନ୍ତି । ଧାନମଳା ।

 

ସେତେବେଳେ ସୂର୍ଯ୍ୟୋଦୟ । ସବୁ ତୋଫା ।

 

ଏଣିକି ରାସ୍ତାରେ ମଣିଷ ଚାଲିଲେ, ଠିଆହେଲେ, କ’ଣ କିଛି ଭାବିଲେ । ପୁଣି ଚାଲିଲେ-

 

‘ନିବାସ କେଉଁଠି ?’ ‘ନିବାସ କେଉଁଠି ? କିଏ କେଉଁଠି ଗ୍ରାମୀଣ ମଣିଷ ନିଷ୍ଠାର ସହିତ ପ୍ରଶ୍ନ କରୁଛି । ପ୍ରଶ୍ନ କରୁଛି ଜାଣିବାପାଇଁ ନୁହଁ, ଆନ୍ତରିକତା ପାଇଁ । ‘ନିବାସ କେଉଁଠି ?’ ପରେ ଓଠରେ ଗୋଟାଏ ଆଗ୍ରହ, ଗୋଟାଏ ନିଃସ୍ୱାର୍ଥପର ଆଗ୍ରହ ।

 

ଗଡ଼ିଯିବା ମଣିଷକୁ ହସ ଲାଗୁଚି, ଲାଜ ଲାଗୁଚି, ଇତସ୍ତତଃ ବୋଧ ହେଉଚି ।

 

ଗାଁ ଦାଣ୍ତ । ଦି’ପାଖରେ ଅସମଞ୍ଜସ କୁଡ଼ିଆ ଘର । ଗାଈ ଛେଳି ଗୁହାଳ । ମଝିରେ ମଝିରେ ପିଣ୍ତାରେ ମୁଢ଼ି ଭଜାର ଶବ୍ଦ । ଡାହୁକ, ଚୁଳିଆ, ଶୁଆ, ସାରୀ, ତିତେର୍ ଅନେକ ପକ୍ଷୀ ଝୁଲୁଛନ୍ତି ପିଣ୍ତା ଚାଳତଳେ ।

 

ମୁଁ ଗଡ଼ି ଚାଲିଲି ଦାଣ୍ତେ ଦାଣ୍ତେ । ଗାଁ ଶେଷମୁଣ୍ତଠି ହଠାତ୍‌ ସାହିଭିତରୁ ମୋ ଆଗେ ଆଗେ ଚାଲିଲେ ତିନିଜଣ ମଣିଷ । ଛୋଟ ଛୋଟ ଚେହେରା । ମୁଣ୍ତରେ ଗୋଟାଏ ଗୋଟାଏ ବୋଝ । ପଛକୁ ବାଁକରକୁ ବଙ୍କେଇ କରି ବନ୍ଧା ହୋଇଛି ଜୋଡ଼ା । ଜୋଡ଼ାର ତିନି ପରସ୍ତ । ଗୋଟିଏ ବାଁକରୁ, ଗୋଟିଏ ତଳଆଡ଼ୁ, ଓ ବଡ଼ ପରସ୍ତଟି ଡାହାଣ ଆଡ଼ୁ ଗୁଚ୍ଛହୋଇ ବାଁ ଓ ତଳ ଦୁଇ ପରସ୍ତକୁ ଜାବୁଡ଼ି ଧରିଛି ।

 

ମୁଁ ସେମାନଙ୍କୁ ଚାହିଁଲି ।

 

ସେମାନେ ମୋତେ ଚାହିଁଲେ ।

 

ମୁଁ ପଛରେ ଥିଲି ।

 

ସେମାନେ ଟିକେ ପଛେଇଲେ ।

 

ମୁଁ ଆଖିଟେକି ଚାହିଁଲି ।

 

ସେମାନେ ଆଖି ନୁଆଁଇଲେ ।

 

ମୁଁ କୋଟ୍‌ ପିନ୍ଧିଥିଲି, ସେମାନେ ବ୍ଳାଉଜ ପିନ୍ଧି ନ ଥିଲେ ।

 

ମୁଁ ପକେଟରେ ହାତ ଭର୍ତ୍ତି କରିଥିଲି ।

 

ସେମାନେ ମୁଣ୍ତଉପରକୁ ହାତଟେକି ବୋଝ ଧରିଥିଲେ ।

 

ମୁଁ ତାଙ୍କ କାଖତଳକୁ ଚାହିଁଲି ।

 

ସେତେବେଳେ ସେମାନେ ମୋତେ ଚାହିଁଲେ ନାଇଁ ।

 

ମୁ ଦେଖିଲି ସେମାନଙ୍କ କାଖତଳ ବାଳ ସବୁ କଟାଯାଇ ନାଇଁ ।

 

ସେମାନେ ଦେଖିଲେ ମୋ ମୁହଁର ଚିନ୍ତାର ରେଖାସବୁ ପୋଛାଯାଇ ନାଇଁ ।

 

ସେମାନେ ଆଗେ ଆଗେ ।

 

ମୁଁ ପଛେ ପଛେ ।

 

ବାଁକରକୁ କରେଇ ହୋଇ ବନ୍ଧା ତିନୋଟି ଜୁଡ଼ା ମତେ ଟାଣି ଟାଣି ନେଉଥିଲେ । ମୁଁ ଗଡ଼ିଗଡ଼ି ଚାଲିଲି ଗାଁ ଶେଷମୁଣ୍ତ ଗୋଟିଏ ଖୋଲା ପଡ଼ିଆଯାଏଁ ।

 

ସେଇଠୁ ସେମାନେ ବାଟ ଭାଙ୍ଗିଲେ ।

 

ସେଇଠି ମୁଁ ଠିଆହେଲି ।

 

ସେମାନେ ଠିଆହେଲେ ନାଇଁ କି ମତେ ଚାହିଁଲେ ନାଇଁ ।

 

ସେମାନେ କିମିତି ଜାଣିପାରିଲେ । ଜାଣିପାରିଲେ ଯେ ମୁଁ ତାଙ୍କ ଜୁଡ଼ା କଥା ଭାବୁଚି, ସେମାନଙ୍କ କାଖତଳ କଥା ଭାବୁଚି ଓ ତେଣୁ ସେମାନେ ମତେ ଚାହିଁଲେ ନାଇଁ । ଖରାକୁ ଗଲେ ।

 

ସେଠି ଖରାରେ ଆହୁରି ଅନେକ ଜୁଡ଼ା । ସେମାନେ ବୋଝ ଉତାରିଲେ, ପତ୍ର ଶୁଖାଇଲେ ।

 

ସେମାନେ ମତେ ପଛ କରି ଲଇଁପଡ଼ି ପତ୍ର ଶୁଖାଉଥିଲେ । ମୁଁ–ସେମାନଙ୍କ ଜୁଡ଼ାକୁ ଦେଖୁଥିଲି ଦେଖୁଥିଲି ବାଁକରକୁ ଅଣେଇହେଇ ଜନ୍ମଠାରୁ ମରଣଯାଏଁ ସମସ୍ତ ସତ୍ତାକୁ ଓ ଚିରନ୍ତନବୃତ୍ତ ଥଳକୁଳ ଶୂନ୍ୟତାକୁ ଗୁଡ଼େଇଦେଇ ଜୁଡ଼ାବାନ୍ଧି ନିଶ୍ଚିନ୍ତରେ ସକାଳୁ ସକାଳୁ ପତ୍ର ଶୁଖାଯାଇପାରେ ।

 

ସେଇ ଜୁଡ଼ାର ଆନତ ଭଙ୍ଗୀ

ସେଇ ଜୁଡ଼ାର ବାନ୍ଧ ।

ସେଇ ଜୁଡ଼ା ଏବଂ

ମିନି ।

 

ମିନିର ବେଣୀ ।

 

ଜଙ୍ଗଲୀ ଝିଅମାନଙ୍କ ଜୁଡ଼ା ।

 

ବେଣୀର ମାୟା ।

 

(ମିନି କୋଟ୍‌ ପକେଟ୍‌ରେ ଥିଲାଭଳି ମାୟା)

 

ଜୁଡ଼ାର ନିର୍ମାୟା ।

 

(ସେଇ ପଡ଼ିଆରେ ନଇଁପଡ଼ି ପତ୍ର ଶୁଖାଉଥିବା ଜଙ୍ଗଲୀ ଝିଅମାନଙ୍କ ଗହଣରେ ହଜିଗଲା ଭଳି ନିର୍ମାୟା ।

 

ବେଣୀର ଅନେକ ଛନ୍ଦ ଏବଂ ଜୁଡ଼ାର ତିନୋଟି ବନ୍ଧ ।

 

ବେଣୀ ଦୋଳି ହୁଏ, ସଞ୍ଚରେ, ଦେଖାଇ ହୁଏ, ଜୁଡ଼ା ବନ୍ଧିବୁନ୍ଧି ହୋଇ ଭିତରକୁ ମୁହଁ ଲୁଚାଇଦିଏ ।

 

‘ମିନି !’

 

‘........’

 

‘ବେଣୀ’

 

’ଉଁ ?’

 

’ଫିଟେଇଲି’,

 

‘ଉଁ–ହୁଁ’

 

‘ଜୁଡ଼ା’

 

‘ଉଁ ?’

 

‘ସେ ଜଙ୍ଗଲୀ ଝିଅମାନଙ୍କର’ ।

 

‘କୋଉ ଜଙ୍ଗଲୀ ଝିଅ ମ ?’

 

‘ଝିଅ ନୁହଁମ, ତାଙ୍କ ଜୁଡ଼ା’

 

‘କ’ଣ ହେଲା ?’

 

‘ବେଣୀ ଅପେକ୍ଷା ସୁନ୍ଦର, ନୁହେଁ ?’

 

(କର ଲେଉଟାଇ)

 

‘ଓହୋ, ଥାଉ ସେ ସବୁ କଥା’

 

(ଚୁମା)

 

ମିନିର କାଖତଳ ।

 

ବେଶ୍‌ ସଫା, ନିର୍ମଳ ଓ ବାସନା ।

 

ପାଉଡ଼ର ବାସ୍‌ନା ।

 

(ନିବିଷ୍ଟତା)

 

ମିନି ହାତକଟା ବ୍ଳାଉଜ ପିନ୍ଧେ ।

 

ଜଙ୍ଗଲୀ ଝିଅମାନେ ତ ଫୁଙ୍ଗୁଳା ଦେହ ।

 

ମିନି ଜୁଡ଼ା ବାନ୍ଧିଲେ ଭାରି ସୁନ୍ଦର ଦିଶିବ ।

 

ଜଙ୍ଗଲୀ ଝିଅମାନେ କାଖତଳ ସଫା କରି ସ୍ଳିଭ୍‌ଲେସ୍‌ ବ୍ଳାଉଜ ପିନ୍ଧିଲେ ଭାରି ସୁନ୍ଦର ଦେଖାଯିବେ ।

 

ଆହା, ସେ ସୁନ୍ଦରରୁ କ’ଣ ମିଳିବ, ମୁଁ ତ ଗଡ଼ିଯିବା ମଣିଷ । ଗାଁ, ବିଲ, ଝରଣା, ଆଖୁ କିଆରି, ଖଳା, କେନ୍ଦୁପତ୍ର, ପଡ଼ିଆ, ଜଙ୍ଗଲୀ ଝିଅମାନେ, ତାଙ୍କ ଜୁଡ଼ା, ମିନି, ମିନିର ବେଣୀ, କାଖତଳ, ମାୟା ନିର୍ମାୟା, ଚୁମ୍ୱନ ଓ ନିବିଷ୍ଟତା ଦେଇ ଗଡ଼ି ଚାଲିଲି ଦୂରକୁ ଦୂରକୁ ।

 

ତେଣିକି ମଣିଷ ନାହାନ୍ତି ।

 

ଗାଈ ନାଇଁ କି ଗଉଡ଼ ବି ନାଇ ।

 

ବୁଦା ବୁଦା ଜଙ୍ଗଲ ଓ ତେଣିକି ଶାଳଗଛମାନେ ।

 

ଏଣିକି ମୁକ୍ତି ।

 

ମଫ୍‌ଲୋର ଓ କୋଟ୍‌ ଖୋଲିଲି । ସାର୍ଟର ଉପର ବୋତାମ ମଧ୍ୟ । କେଡ଼େ ଉଶ୍ୱାସ ଓ ହାଲୁକା ।

 

ମିନିର କାନ ଧରିଲାଭଳି ।

 

ମିନି ‘ଛାଡ଼, ଛାଡ଼, ଦୁଷ୍ଟ’ କହିଲା ଭଳି ।

 

ଜଙ୍ଗଲ ବି ମିନି ଭଳି ।

 

ଭିତରକୁ ଭିତରକୁ ଆହୁରି ଜଙ୍ଗଲ ।

 

କୁର୍‌ର୍‌ କୁର୍‌ର୍‌ ।

 

କିଏ ଡାକୁଛି ? ଜଙ୍ଗଲ ନା ମିନି ?

 

କାପ୍ତାର ଡାକ ନା ମିନିର କାନ୍ଦଣା ?

 

କୁର୍‌ର୍‌ କୁର୍‌ର୍‌ କୁର୍‌ର୍‌ ।

 

ନିର୍ଜନତା ହେଇଟି ହେଇଟି ପରି । ଯେମିତି ଖୁବ୍‌ ନିକଟରେ ।

 

କୁର୍‌ର୍‌ କୁର୍‌ର୍‌ କୁର୍‌ର୍‌ ।

 

ଯେମିତି ସବୁ ଶୂନ୍‌ଶାନ୍‌ ।

 

ଏଇ ତ, ଜଙ୍ଗଲ । କେତେ ପାଖରେ । ମାନେ ଏକ୍‌ବାର କୋଳରେ ।

 

ତାକୁ ଚୁମା ଦେଇପାର । ତା’ ହାତଧରି ନାଚିପାରେ । ତାଥେଇ ତାଥେଇ । ଝୁମ୍‌ ଝୁମା ଝୁମ୍ ।

 

ମିନି ଆସିଥିଲେ ଖୁବ୍‌ ଖୁସି ହୋଇଥାନ୍ତା, ଖୁବ୍‌ ନାଚିଥାନ୍ତା । ମିନି କୁଆଡ଼େ ଗଲା ?

 

ମୁଁ ଜଙ୍ଗଲକୁ ପଚାରିଲି ।

 

ଜଙ୍ଗଲ ମତେ ହାତଠାରି ପାହାଡ଼ ତଳକୁ ଦେଖାଇଦେଲା ।

 

ତଳକୁ ତଳକୁ ଆହୁରି ଜଙ୍ଗଲ । ତା’ ତଳକୁ ଉପତ୍ୟକା ତେଣିକି ତୋଟା ସବୁ ଏଠି ସେଠି ଏକାଠି ଏକାଠି । ତେଣିକି ସବୁଜ କ୍ଷେତ ଗଡ଼ିଯାଇଚି ଆର ପାହାଡ଼ ତଳଯାଏଁ । ତେଣିକି ଆସ୍ତେ ଆସ୍ତେ ବୁଦା, ବୁଦା ଉପରେ ଜଙ୍ଗଲ । ଉପରକୁ ଉପରକୁ ପର୍ବତ । ତା’ ପଛକୁ ଆହୁରି ଉଞ୍ଚ ଏକ ପର୍ବତ ତା’ ପିଠି କତିକି ଲାଗି ଠିଆହେଇଚି ।

 

ହଁ ତ, ସେଇଠି ମିନି ଠିଆହେଇଚି ।

 

ମିନି ଠିଆହେଇଚି ସେଦିନ ଯେମିତି ମୋ ପିଠିକି ଲାଗି ଠିଆ ହୋଇଥିଲା ।

 

ସେଦିନ ଦିପହର । ବାହାରେ ଖରା, ଭିତରେ ଶୂନ୍ୟସବୁ ବେଞ୍ଚ, ଚଉକି ଓ କଫି ପିଆଲା ।

 

ଜଙ୍ଗଲ ନୁହେଁ, ଭିତର ବାରଣ୍ତା । କାନ୍ଥକୁ ଆଉଜାଇ ରଖାହୋଇଥିବା ଖଟ ଓ ଖଟକୁ ଢିରାଦେଇ ବାହାର ଶୂନ୍ୟତାକୁ ଚାହିଁରହି ଠିଆ ହୋଇଥିବା ମଣିଷ ।

 

ପିଠି କତିକି ଲାଗି ମିନି ।

 

ଶାନ୍ତ କାନ୍ତ ନିର୍ଲିପ୍ତ ପର୍ବତପରି ନିଶ୍ଚୁପ୍‌ ।

 

ମିନି ଯେ କେତେବେଳୁ ଆସି ଚୁପ୍‌ଚାପ୍‌ ଏମିତି ଠିଆହେଇଚି ମୁଁ ଜାଣିନଥିଲି ।

 

ମିନିଆଡ଼କୁ ଘୂରି ଯାଉଥିଲି ।

 

ମିନି କହିଲା ‘ନା, ସେମିତି ପଛ କରି ବସ ।’

 

‘କ’ଣ କୁହ ।’

 

‘କ’ଣ କହିବି ?’

 

‘ତମ କଥା’

 

‘କଥା କ’ଣ ଥାଏ ?’

 

କଥା କ’ଣ ବା ଥାଏ !

 

କ’ଣ ଥାଏ ?

 

ପଣତ କାନିକୁ ଆଙ୍ଗୁଠିରେ ଗୁଡ଼ାଇବା ଓ ଫିଟେଇବା ଛଡ଼ା ଆଉ ଅଧିକ ଅନ୍ତରଙ୍ଗ କଥା କ’ଣ ବା ଥାଏ ?

 

ଜଙ୍ଗଲ ଆଉ କଥା କହିଲା ନାଇଁ ।

 

ଜଙ୍ଗଲ ଆଉ ନାଚିଲା ନାଇଁ ।

 

ଜଙ୍ଗଲ ଆଉ ପାଖକୁ ଆସିଲା ନାଇଁ ।

 

ଗଛ, ବୁଦା, ପତ୍ର ଓ ଚଢ଼େଇ ସବୁ ଯିଏ ଯାହାର ନିଜ ନିଜ ଜାଗାକୁ ଯାଇ ଠିଆ ହୋଇପଡ଼ିଲେ ଶୃଙ୍ଖଳାରେ ।

 

ଜଙ୍ଗଲ ଆଉ କଥା କହିଲା ନାଇଁ ।

 

କହିଲା ‘ମୁଁ ତୁମକୁ ଚିହ୍ନେନା, ଜାଣେନା ।’

 

‘ତୁ ମୋ ପାଖକୁ ଆସିଥିଲୁ ।’

 

‘ଭୁଲ୍ କଥା ।’

 

‘ତୁ ମୋ କୋଳରେ ଥିଲୁ ।’

 

‘ଭୁଲ୍ କଥା ।’

 

‘ତୁ ମୋ ସାଙ୍ଗରେ ନାଚୁଥିଲୁ ।’

 

‘ନା’

 

‘ତୁ........’

 

‘ମୁଁ କେହି ନୁହଁ ।’

 

ଆଉ ମିନି !

 

ମିନି ଓ ଜଙ୍ଗଲ ।

 

ମିନି ମିନି । ଜଙ୍ଗଲ ଜଙ୍ଗଲ । ମିନି ଜଙ୍ଗଲ ।

 

ମିନିଜଙ୍ଗଲ ମିନିଜଙ୍ଗଲ ମିନିଜଙ୍ଗଲ ମିନିଜଙ୍ଗଲ ମିନିଜଙ୍ଗଲ ।

 

ମତେ ଭୟ ଲାଗିଲା ।

 

ମୁଁ କୋଟ୍‌ ପିନ୍ଧିଲି । ମଫ୍‌ଲୋର ଗୁଡ଼େଇ ହେଲି । ଫେରିଆସୁଥିଲି ।

 

ଦଉଡ଼ି ଦଉଡ଼ି ଧଇଁସଇଁ ହୋଇ ଫେରିଆସୁଥିଲି ।

 

ଢପ୍ ଢପ୍ ଢପ୍ ଢପ୍ ।

 

ଜଙ୍ଗଲ କେହି ନୁହଁ ।

 

ଆଉ ମିନି ?

 

ମତେ ଭୟ ।

 

ମୁଁ ଦଉଡ଼ିଲି ।

 

ନିର୍ଧୁମ ।

 

ଯେଉଁଠି ଜଙ୍ଗଲ ସରିଲା ସେଇଠି ।

 

ମୁଁ ସେମାନଙ୍କୁ ଦେଖି ଚୋର ଭଳି ଶଙ୍କିଗଲି । ସେଇ ତିନିଜଣ ଉଞ୍ଚ ଉଞ୍ଚ ପୁଲିସ୍‌ ମଣିଷ-। ଓଭରକୋଟ୍‌, ଫେଲ୍‌ଟ୍‌ କ୍ୟାପ୍ ଓ ନେଳି ଚଷମା ପିନ୍ଧି ଅପେକ୍ଷା କରିଥିବା ତିନୋଟି ଲମ୍ୱା ଗୁଇନ୍ଦା ମଣିଷ ଭଳି-

 

ମୁଁ ଆସ୍ତେ ଆସ୍ତେ ଆଗେଇଲି ।

 

ମଣିଷଗୁଡ଼ାକ ହଲ୍‍ଚଲ୍‌ ହେଉନଥିଲେ ।

 

ତିନିଜଣ ଯାକ ଚୁପ୍‍ଚାପ୍ ମତେ ଚାହିଁ ରହିଥିଲେ ।

 

ଚୁପ୍‌ଚାପ୍‌ ପାଖକୁ ଆସିବାମାତ୍ରେ ସଙ୍ଗେ ସଙ୍ଗେ ସେମାନେ ତାଙ୍କ ଓଭରକୋଟ ପକେଟ୍‌ରୁ ଏକାସଙ୍ଗରେ ହାତ ବାହାର କରି ମୋଆଡ଼କୁ ବଢ଼ାଇଦେଲେ ତିନୋଟି ଲଫାପା ।

 

ମୁଁ ସେମାନଙ୍କ ମୁହଁକୁ ଚାହିଁଲି ଓ ଅତି ସନ୍ତର୍ପଣରେ ତିନୋଟି ଲଫାପା ହାତରେ ଧରିଲି-

 

ସେମାନେ ସଙ୍ଗେ ସଙ୍ଗେ ସାଲ୍ୟୁଟ୍‌ ମାରି ଫେରିଚାଲିଲେ । ମାନେ ଏକବାର ଅଦୃଶ୍ୟ ।

 

ମୁଁ ଠିଆହୋଇ ରହିଲି କାଠଭଳି ।

 

ଆସ୍ତେ ଆସ୍ତେ ଗୋଟିକ ପରେ ଗୋଟିଏ ଲଫାପା ଖୋଲି ଦେଖିଲି ତିନୋଟି ଚିଠି ।

 

ଗୋଟିଏ ହେଉଚି:–

 

‘ତୁମକୁ କେଇ ଅପେକ୍ଷା କରିନାଇଁ ।’

 

ଆରଟି ହେଉଚି–

 

‘ବ୍ୟସ୍ତ ହେବନାଇଁ, ।’

 

ତୃତୀୟଟି ହେଉଚି–

 

‘ଭଲପାଇବାର ଅଧିକାର ତମଠୁ କେହି ଛଡ଼ାଇ ନେଇପାଇବ ନାଇଁ ।’

Image

 

ନଦୀର ତୃତୀୟ କୂଳ

ପ୍ରମୋଦ ପଣ୍ଡା

 

ଦିନକର ଡାଏରୀରୁ–

 

ମୁଁ ଏବେ ବୁଝୁଛି ଯେ, ମୁଁ ଏକ ବିନାକାରଣରେ ଗୋଟାଏ ସମୟ ଓ ସ୍ଥାନର ଅଞ୍ଚଳକୁ ନିକ୍ଷେପିତ ହୋଇଥିଲି । ମୋ ନିଜ ଲୋକମାନେ ଅନେକ ବର୍ଷ ଧରି ମୋତେ ଧାରଣାଦେଲେ ଯେ ମୁଁ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସାଧାରଣ ଗୁଣମାନଙ୍କୁ ଧରି ହିଁ ପରିଚିତ ହେବି । ମୋତେ ଯୋଜନା କରିଥିବା କାରିଗରଙ୍କ ନିକଟରେ ଶ୍ରଦ୍ଧା ଅଥବା ଘୃଣାରେ ନତମସ୍ତକ ହେବାକୁ ବାଧ୍ୟ କରାଗଲା । ମୁଁ ଶୁଣିଥିଲି ମୋ ଆଦିମାତା ଓ ଆଦିପିତାଙ୍କୁ ମଧ୍ୟ ଠିକ୍ ସେଇ ଅଭିନୟ କରିବାକୁ ପଡ଼ିଥିଲା । ଅତଃପର ବହୁଦିନଧରି ପରିଚିତ ବନ୍ଧୁଲୋକମାନଙ୍କ ଉପଦ୍ରବଜନିତ ଇଲାକାର ପିଞ୍ଜରାରେ ଛଟପଟ ହେବାକୁପଡ଼ିଲା । ମୁଁ ଯେଉଁ ସହରରେ ରହୁଥିଲି, ସେ ମୋର ସମସ୍ତ ଇଚ୍ଛାଶକ୍ତିକୁ ସଙ୍କୁଚିତ କରେ ପୁଣି ପରିବର୍ଦ୍ଧିତ କରୁଥାଏ । ଏହି କ୍ରିୟା, ପ୍ରତିକ୍ରିୟା ମଧ୍ୟରେ ସହରର କେଉଁ ବୁନିୟାଦି ଏବଂ ଭୟଙ୍କର ଅଞ୍ଚଳମାନଙ୍କ ମଧ୍ୟରେ ମୋର ଆତଯାତ ହେଲା, ଏ ସବୁ ଲେଖିବା ଅତି ସହଜ ବ୍ୟାପାର ନୁହଁ । କିନ୍ତୁ ମୁଁ ଆଜି ସ୍ଵୀକାର କରୁଛି ଯେ ମୋ ଚାରିପାଖରେ ଥିବା ଚେହେରାର ସୁଡ଼ଧି ଓ ଗାଢ଼ଧଳା ରସକୁ ଧରି ରଖିଥିବା ଚଳଚଞ୍ଚଳ ଭିଡ଼ମାନଙ୍କ ଅସ୍ତିତ୍ଵ ମୋତେ ପିଡ଼ିତ କରିଛନ୍ତି...ପୁଣି ଅନ୍ୟ ମୁହୂର୍ତ୍ତରେ ଉଲ୍ଲସିତ କରିଛନ୍ତି । ଏହି ମୋର ସହର : ଯେଉଁଠି ମୁଁ ଅନେକ ମୁକୁଳା ବଣିକ କନ୍ୟାମାନଙ୍କ ସହ ମୋର ସମ୍ପର୍କ ବଢ଼ାଇଛି । ସେ ସଂପର୍କ ତାଙ୍କ ଖୋଷାର ଫୁଲ ଓ ମୋ କମିଜ୍‌ର ବୋତାମ ଭଳି ପରସ୍ପର ନିର୍ଲିପ୍ତ ଚେହେରାମାନଙ୍କୁ ଯୋଡ଼ିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଜାଣେନା ସେମାନଙ୍କ ମଧ୍ୟରୁ ମୋ ପ୍ରିୟ ମହିଳା କିଏ ଥିଲେ ? କାହାପାଇଁ ମୋ ପ୍ରସ୍ତାବ ଓ ସମ୍ଭାବନାର ସର୍ତ୍ତ ଉଜ୍ଜ୍ଵଳ ଥିଲା ? ତଥାପି ସେମାନଙ୍କ ମଧ୍ୟରୁ ମୁଁ ଜଣକୁ ପଚାରିଥିଲି ।

 

: ଆଚ୍ଛା କହିପାରିବ ସମ୍ଭାବନାର ସର୍ତ୍ତ ଥାଇ ପ୍ରେମ କରିବା ଏବଂ ସମ୍ଭାବନାର ସର୍ତ୍ତ ନଥାଇ ପ୍ରେମ କରିବା–ଏ ଦୁଇଟି ମଧ୍ୟରୁ ତୁମକୁ କେଉଁଟି ଭଲଲାଗେ ।

 

ସେ ଚଟ୍‌କିନା ହସି ହସି ଉତ୍ତର ଦେଲା ।

 

: ପ୍ରଥମଟି । କାରଣ ପ୍ରେମ ଏକ ଏପରି ଅଜବ ସୁନ୍ଦର ଶବ୍ଦ ଓ ଏପରି ସୁନ୍ଦର ଅନୁଭବର କଥା, ଯାହାକୁ କୌଣସି ସର୍ତ୍ତର ବନ୍ଦୀଶାଳା ମଧ୍ୟରେ ରଖି ତା’ର ଉଜ୍ଜ୍ଵଳ ପ୍ରଖର ମଣିଷକୁ ଅନ୍ଧାରରେ ହତ୍ୟା କରାଯିବା ସମ୍ଭବ ନୁହେଁ ।

 

: ତେବେ ତୁମେ କ’ଣ ପ୍ରେମ କରୁଥିବା ଲୋକଟିକୁ ନିଜର କରିବାପାଇଁ ଚାହିଁନ ।

 

: ସେ ତ ଅନ୍ୟ କଥା । ତାକୁ ଏକ ଆପେକ୍ଷିକ ସତ୍ୟରେ ବିଚାର କରାଯାଇପାରିବ ।

 

ମୁଁ ବୋଧେ ସେ ସମବୟସୀ ମହିଳାଠାରୁ କମ୍ ଜାଣିଥିଲି, ନତୁବା ମୋର ସମସ୍ତ ବୋମା ଫୋପାଡ଼ିବା ଭଳି ପ୍ରଶ୍ନର ଉତ୍ତରକୁ ସେ ଏତେ ଖୋଲା ହସରେ ଫୋପାଡ଼ିବା ଭଳି କହେ କାହିଁକି ? କିନ୍ତୁ ଆଜି ସେ ମହିଳା ଯାହାଙ୍କର ଉପସ୍ଥିତିର ଅପେକ୍ଷା ମୁଁ ରଖୁଛି, ସେ କେଉଁ ସହରର କେଉଁ ଅନ୍ୟଏକ ପୁରୁଷର ପ୍ରେମରେ ପଡ଼ିଯାଇଛନ୍ତି । ମୁଁ ଭାବୁଛି ଯେ ସବୁ ନାରୀମାନେ ଏହିପରି ଛଳନା କରନ୍ତି । କିନ୍ତୁ ସେ ସବୁ ରାସ୍ତା ମଧ୍ୟରେ ମନେପକାଇବା ସମୟରେ ହସମାଡ଼େ । ସେ ମହିଳାଙ୍କ ସାନ ଭଉଣୀକୁ ମଧ୍ୟ ଦେଖିଲେ ମୁଁ ଆଜି ଖୁବ୍ ଖୁସିହୁଅନ୍ତି; କାରଣ ସେଟା ଗୋଟାଏ ବୋକୀ ଥିଲା ବୋଲି ବୋଧେ ଛଳନା କରିନପାରେ । ତା’ ପରର କଥା... ଆସ୍ତେ ଆସ୍ତେ ସମୟର ସମସ୍ତ ଅସ୍ତିତ୍ଵ ଆଶ୍ଚର୍ଯ୍ୟ ଓ ଭୟଶଙ୍କୁଳ ମନେହେଲା । ମୁଁ ସେସବୁରୁ ରକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା କଥା ମିଛ ନୁହେଁ । ସେଠାରେ ଅତ୍ୟନ୍ତ ଜାକଜମକରେ ନିର୍ଦ୍ଦିଷ୍ଟ ସମୟରେ ହେଉଥିବା ଭଜନ, କୀର୍ତ୍ତନରେ ମୁଁ ନିଜକୁ ମିଶାଇଦେବା କଥା ମିଛ ନୁହଁ । ସେ ସମସ୍ତ ଅଭିନୟ ପରେ ମୁଁ ଏବେ ଜାଣିବାକୁ ଚାହୁଁଛି ମୋ ସମୟର ପ୍ରକୃତ ସତ୍ୟ କଥା କ’ଣ ?

 

ସୁଡ଼ଙ୍ଗକୁ ରାସ୍ତା–

 

ମୋତେ ଶୂନ୍ୟତା ସବୁ ଜାବୁଡ଼ି ଧରିବାରୁ ମୁଁ ନିଜକୁ ଭୁଲିବାପାଇଁ ଅଧିକ ନିଶାଦ୍ରବ୍ୟ ସେବନ କଲି । ଦିନେ ଦିନେ ମୁଁ ସ୍ଵପ୍ନ ଦେଖେ ଯେ, ମୋ ଦେହର ଚମଡ଼ାକୁ କିଏ ଯେପରି ଖୋଲିଦେଇ ନୂତନ ଚମଡ଼ା ଲଗାଇ ଦେଉଛି । ଏ ଅବସ୍ଥାରେ ମୁଁ ହଠାତ୍ ଏକ ବିରାଟ ଉଚ୍ଚତାରୁ ଖସିବାର ଭୟଙ୍କର ଚିତ୍‌କାର କରି ଶେଯରୁ ଉଠିବସେ...ଅନିଦ୍ରା ରହେ...ଦିନରେ ଶୁଏ...ଅଳସକୁ ପ୍ରେମକରେ...ପୁଣି ବିରକ୍ତିକର ଗାଳି ଗୁଜବ କରେ...ପୁଣି ଅନିଦ୍ରା ରହେ... ଅଳସକୁ ପ୍ରେମ କରେ ଇତ୍ୟାଦି ଇତ୍ୟାଦି । ତାପରେ ମୁଁ ଯୁବତୀ ପ୍ରେମରେ ଦିନ ବିତାଏ...ନଗ୍ନତାକୁ ତନ୍ମୟତାର ସହ ଚାହେଁ...ସମ୍ପର୍କ ସ୍ଥାପନ କରେ ଇତ୍ୟାଦି ଇତ୍ୟାଦି । ଏସବୁ ମଧ୍ୟରେ ମୋତେ ହଠାତ୍ କଦବା କିଏ ମହାପୁରୁଷ ମାନେ ବାଟ ଘାଟରେ ମିଶିଯାନ୍ତି । ସେମାନଙ୍କ ଉପଦେଶ ସବୁ ମୋତେ ଇତିହାସର କୋଟେସନ୍‌ସ ଭଳି ଜଣାପଡ଼େ । ମୁହୂର୍ତ୍ତର ଲାଶ ଭଳି ସେମାନେ ଭୟାନକ ଜଣାପଡ଼ନ୍ତି । ତାପରେ ମୁଁ ସେମାନଙ୍କ ଉପଦେଶ ଜହନ୍ନମ୍‌କୁ ଯାଉ ବୋଲି କହି ଇତସ୍ତତଃ ଘୂରିବାରେ ଲାଗେ । ଏ ସବୁ ଘଟିଯିବା କିଛି ବିଚିତ୍ର କଥା ନୁହଁ । ମୁଁ ବୁଝୁଛି ଏ ସବୁ ଅତି ଅବିଚ୍ଛିନ୍ନ କ୍ରମିକରେ ପ୍ରତିଦିନ ମୋ ପାଖକୁ ଆସିବେ ଏବଂ ମୁଁ ସେମାନଙ୍କୁ ନିଜ ଲୋକ ଭଳି ଆଦର କରିବାକୁ ପଡ଼ିବ ଓ ସେହି ଆଦର କରିବା ପରେ ଅନ୍ୟ ଦିନପାଇଁ ଅନ୍ୟ କିଛି ମୋ ନିଜର ଯଥାର୍ଥକୁ ଖୋଜିବାକୁ ପଡ଼ିବ ।

 

ଏବେ ମୁଁ ଠିକ୍ ମନେପକାଉଛି ଗୋଟିଏ ଦିନ ।

 

ସେଦିନର ଏକ ବିଚିତ୍ର ମୁହୂର୍ତ୍ତ । ମୁଁ ଦାୟିତ୍ଵହୀନ ପୃଥିବୀରେ ବିଚରଣ କରୁଥିଲି । ମୋତେ ଏକ ବିରାଟ ବପୁବିଶିଷ୍ଟ ଶାନ୍ତ, ସ୍ଥିତପ୍ରଜ୍ଞ ପୁରୁଷଙ୍କ ଆଦେଶ ଶୁଣିବାକୁ ମିଳିଲା ।

 

ହେ ବସ୍ ମୋତେ ଅନୁଧାବନ କର । ମୁଁ ତୁମ ସମୟର ଅପରାଧୀମାନଙ୍କୁ ଏକତ୍ରିତ କରେ । ସେମାନଙ୍କ ନାମ ସବୁ ଖାତାରେ ଟିପିରଖେ ।

 

ସେ ସ୍ଵର ସବୁ କେଉଁ ଗୋଟାଏ ଦକ୍ଷିଣା ପବନରେ ଭାସିଆସୁଥିଲା । ଚାରିଆଡ଼େ ନୀରବତା । ରେଳଗାଡ଼ି ଓ ବସ୍‌ର ବେଳ ଗଡ଼ି ଯାଇଥିଲା । ମୁଁ ଶିଶୁସୁଲଭ ଭୟ ଓ ଆଗ୍ରହର ବିରୋଧାଭାଷରେ ତାଙ୍କ ପିଛାକଲି । ବହୁତ ଦୂର ଚାଲିବା ପରେ ଏକ ଉଚ୍ଚ, କଂକିରଳ ପ୍ରଦେଶର ସୁଡ଼ଙ୍ଗ ଭିତରକୁ ମୁଁ ଅନୁପ୍ରବେଶ କଲି । ସୁଡ଼ଙ୍ଗ ମଧ୍ୟସ୍ଥ ପ୍ରଦେଶ ଆଲୋକ ମଜ୍ଜାରେ ସଜ୍ଜିତ ହୋଇ ଗର୍ବ ଓ ଅହଂକାରମାନ ଫୋପାଡ଼ୁଥିଲେ । ମୋତେ ଦେଖି ସେ ରାଜ୍ୟର ସମ୍ରାଟ, ସମ୍ରାଜ୍ଞି ଏବଂ ତାଙ୍କ ସେବାରେ ଥିବା କନ୍ୟାରତ୍ନମାନେ ମୁରୁକି ମୁରୁକି ହସୁଥିଲେ । କ୍ରମଶଃ ସେ ହସ ସବୁ ବଢ଼ିବାରେ ଲାଗିଲା । ମୁଁ ବିରକ୍ତିରେ ସେମାନଙ୍କୁ ଭର୍ତ୍ସନା କଲି । ହଠାତ୍ ସେ ସମୟରେ ମୋ ଉପରେ ବେତ୍ରାଘାତ ହେଲା । ମନେକଲି ଏ ଏକ ଷଡ଼ଯନ୍ତ୍ର ହୋଇପାରେ, ତେଣୁ ଜୋର୍‌ରେ ପ୍ରଶ୍ନକଲି ।

 

ଏ ସବୁ କ’ଣ ହେଉଛି । ତୁମେ ସବୁ କିଏ, ମୋତେ ଏ ଅଚିହ୍ନା ପ୍ରଦେଶକୁ କାହିଁକି ଆଣିଲ ?

ବିରାଟ ବପୁବିଶିଷ୍ଟ ପୁରୁଷ ଜଣକ ମୋ ଆଡ଼କୁ ଚାହିଁ ଉତ୍ତର ଦେଲେ ।

: ତୁମକୁ କେହି ଆଣି ନାହିଁ । ନିଜେ ନିଜେ ଆସିଛ । ଏ ତ ତୁମ ଜାଗୃତି ଓ ସ୍ଵପ୍ନ ମଧ୍ୟସ୍ଥ ପୃଥିବୀ ।

: ନାଁ ଏସବୁ ମିଥ୍ୟା । ମୁଁ ସେପରି ସ୍ଥାନ କେବେ ଜାଣିନାହିଁ । ସେ ଉତ୍ତର ଦେଲେ ।

: କିନ୍ତୁ ଏ ହେଉଛି ତୁମ ଉପଯୋଗୀ ସହର । ତୁମଭଳି ବିକୃତ ପୁରୁଷମାନଙ୍କୁ ଏହି ନିର୍ଦ୍ଦାରିତ ଅଞ୍ଚଳକୁ ଯିବା ତୁମ ଭାଗ୍ୟ ପଂଜିକାରେ ଲେଖାଅଛି ।

ମୁଁ କହିଲି ।

: ନାଁ ଏସବୁରେ ମୋ ବିଶ୍ଵାସ ନାହିଁ । ମୁଁ ଏପରି ଗୋଟିଏ ସହରର ଅଧିବାସୀ, ଯେଉଁଠି ଏବେ ମଧ୍ୟ ଅନେକ ଧର୍ଷିତ ଓ ଚାପ ଅର୍ଜ୍ଜିତ ଦେହ ସକାଳର କିରଣରେ ସତୀତ୍ଵ ଓ ପୁଣ୍ୟ ଗାନ କରିବା ପାଇଁ ଅପେକ୍ଷାରେ ଥିବା ସେଇଠି ପାପର ଘଣ୍ଟିରେ ପୁଣ୍ୟରୁପି ଆତ୍ମା ବୋଲାଉଥିବା ବ୍ୟକ୍ତିମାନେ ଏକତ୍ର ଭଜନ ଗାନ କରନ୍ତି । ସେଠାରେ ମୋ ବିମର୍ଷ ମୁହୂର୍ତ୍ତର ଯୁବତୀ ରତ୍ନମାନେ ଲାଲ ପାଟ ଶାଢ଼ି ଆବୃତା ଓ ଜୁଡ଼ାରେ ସେବତୀ ଫୁଲର ଆକର୍ଷଣକୁ ଧରି ମୋତେ ଅପେକ୍ଷା କରିଥିବେ ।

ସେମାନେ ମୋ କଥା ନ ଶୁଣିବା ଭଂଗୀରେ ହସିଲେ । ମୁଁ ସେମାନଙ୍କ ହସିବା ଢଙ୍ଗ ଦେଖି ପ୍ରଶ୍ନ କଲି ।

: ଆରେ ଏତେ ହସୁଛ କାହିଁକି ?

: ତମ ମୁର୍ଖାମୀ ପାଇଁ ।

: ମୋ ମୁର୍ଖାମୀ ।

: ହଁ ତୁମେ ଜାଣିନା ତୁମେ କିଏ....ଏପର୍ଯ୍ୟନ୍ତ ପ୍ରଳାପ ଅବସ୍ଥାରେ ଅଛ ।

ମୁଁ ଜଣେ ମଣିଷ ।

ବାଃ....ବାଃରେ ମଣିଷ । ତୁମେ ଯେଉଁଶ୍ରେଣୀର ବିଶିଷ୍ଟ ଗୁଣ ନେଇ ଜନ୍ମହେଲ ସେ ସବୁ ନଜାଣି କେବଳ ମଣିଷ ବୋଲି ପରିଚୟ ଦେବ ।

ମୁଁ ହତଚକିତ ହୋଇ ଉତ୍ତର ଦେଲି ।

କିନ୍ତୁ ସେ ସବୁ ଇତିହାସକୁ ମୁଁ ଘୃଣାକରେ । ମୋ ପ୍ରକୃତ ପରିଚୟ ହେଉଛି ମୁଁ ମୋ ସମୟର କ୍ରୀତଦାସ ।

: କିନ୍ତୁ ସେମାନେ ମୋ କଥା ନଶୁଣିବା ଭଙ୍ଗୀରେ ହସିଲେ । ଅକସ୍ମାତ ଏକ ବଳିଷ୍ଠ ଆତଙ୍କର କୋଳାହଳ ତାପରେ ଶୁଣାଗଲା । ତାପରେ ଦୃଶ୍ୟାନ୍ତର ହେଲା । ମୁଁ ବସ୍ତ୍ରହୀନ ହେଲି ଆଦେଶ ପାଳନକାରୀ ତରୁଣୀ ପୁଷ୍ପିତା ଝିଅମାନଙ୍କ ସମ୍ମୁଖରେ । ସେମାନଙ୍କ ପବିତ୍ର ଭଳି ଦେଖାଯାଉଥିବା ମୁଖମଣ୍ଡଳରେ କଠୋର ଦାୟିତ୍ଵଜ୍ଞାନର ସିରାପ୍ରଶିରା । ମୋ ଶରୀର ଖୁବ୍‌ଯତ୍ନର ସହ ପରିଷ୍କାର କରାଯିବା ପରେ ମୁଁ ଏକ ତରଳ ଧାତବ ଦ୍ରବ୍ୟ ଦ୍ଵାରା ଅନ୍ୟ ବର୍ଣ୍ଣରେ ଶୋଭାମଣ୍ଡିତ ହୋଇ ସେ ଅଞ୍ଚଳର ନିଜଲୋକ ହୋଇଗଲି । ବହୁ ମୂଲ୍ୟବାନ ପୋଷାକ ମୋତେ କନ୍ୟାରହମାନେ ପିନ୍ଧାଇ ଦେଲେ । ମୁଁ ସେ ଅବସରରେ ଯତ୍ନବାନ ଦେହ ବଲ୍ଲରୀମାଂକର ସଂଭୋଗରେ ଆସିବାର ମୁହୂର୍ତ୍ତମାନଙ୍କୁ ମନେପକାଇ ନିଭୃତ ଶିକାରରେ ଆନନ୍ଦ ଅନୁଭବ କରୁଥିଲି-। ନୂତନ ବର୍ଷାଭିଜା ମାଟିର ଗଳି ମୁଁ ସେ ଯୁବତୀଙ୍କ ପାଖରେ ଖୋଜୁଥିଲି । ତାପରେ କବିତା କଥା ମୋତେ ମନେପଡ଼ିବାରୁ ମୁଁ ଉଚ୍ଚାରଣ କଲି ।

 

ହେ ପ୍ରଭୁ ଏ ସବୁ କାହାର ନଗର ।

 

ଏ ଅଞ୍ଚଳର ଅଧରରେ ତୁମ ବଂଶୀର ସ୍ଵର କେବେ ଅନୁରଣିତ ହୁଏ, ସେସବୁ ଜାଣିବା କ’ଣ ପାପ ଅଟେ । ଉଚ୍ଚାରିତ ଶବ୍ଦ ସବୁ ମୋ ନିକଟରୁ ଦୂର ନହେବା ପୂର୍ବରୁ ମୋ ଦେହରେ ଏକ ନିର୍ଦ୍ଦିଷ୍ଟ ଲାଲ ଚିହ୍ନ ଦିଆଗଲା ତତଲା ଲୁହାଦ୍ଵାରା । ମୁଁ କ୍ରୋଧ ସମ୍ୱରଣ କରିନପାରି ମୋ ଚାରିପଟର କନ୍ୟାପିତାମାନଙ୍କୁ ଭର୍ତ୍ସନା କଲି ତାପରେ ମୋ ବିଧାତା–ପୁରୁଷମାନଙ୍କର ଆଦେଶରେ ମୋ ଇଲାକାକୁ ସ୍ପଷ୍ଟ କରିଦିଆଗଲା । ମୋ କର୍ତ୍ତବ୍ୟ ମୋତେ ଶୁଣାଇ ଦିଆଗଲା । ତା’ପରର ଦିନସବୁ ଅତି ଚମତ୍‌କାର । ପିଙ୍ଗଳା ନାମ୍ନୀ ଯୁବତୀର ପ୍ରେମରେ ମୁଁ ମୋହଗ୍ରସ୍ତ ହେଲି । ମୋର ପିତା ମାତା, ବନ୍ଧୁଜନ, ମୋ ପୃଥିବୀର ସମସ୍ତ ଠିକଣା ଭୁଲିଗଲି । କେବଳ ସୁଡ଼ଙ୍ଗର ମାୟା....ଖାଇବା, ପିଇବା, ନାଚିବା, ଆଦେଶ ମାନିବା ଏସବୁ ମଧ୍ୟରେ ମୁଁ ବିରକ୍ତି ଅନୁଭବ କଲି । ମୁଁ ଭାବିଲି ମୁଁ ଭୁଲ୍ ବାଟରେ ଚାଲିଆସିଛି । ହଠାତ୍ ଦିନେ ମୁଁ ସେ ସୁଡ଼ଙ୍ଗ ରାଜ୍ୟର ଜଗୁଆଳିମାନଙ୍କୁ ଦୃଷ୍ଟି ଅଲକ୍ଷ୍ୟରେ ବାହାର ପୃଥିବୀକୁ ଚାଲିଆସିଲି । ତାପରେ ଦୌଡ଼ି ଦୌଡ଼ି ଠିକଣା ସ୍ଥାନରେ ପହଞ୍ଚି ମୁଁ ଦେଖିଲି ମୋ ଅନୁପସ୍ଥିତିରେ ଏକ ଅଦ୍ଭୁତ ରାଜ୍ୟ ଗଢ଼ିଉଠିଛି । ଟିକିଏ ଖୋଲା ପବନ ପାଇଁ ମୁଁ ଯେଉଁ ଭୟାନକ ଅଞ୍ଚଳକୁ ଚାଲିଆସିଲି ତାଠାରୁ ଆହୁରି ଭୟାନକ ମୋ ପୃଥିବୀ । ମୋ ଅସ୍ଵାଭାବିକ ପୋଷାକ ଓ ବଦଳିଥିବା ରଙ୍ଗରେ ମୁଁ ଏକ ଅଭିଶପ୍ତ ଓ ନିର୍ବାସନରୁ ଫେରିଥିବା ଅନୁତପ୍ତ ରାଜକୁମାର ଭଳି ଜଣାପଡ଼ିଲି । ମୋ ଗୁରୁଜନ....ଏକଦା ମୋର ପ୍ରିୟତମା ଓ ଏକଦା ମୋର ନିକଟତମ ମହିଳାମାନେ କେହି ବି ମୋତେ ଚିହ୍ନିବା ପାଇଁ ଚେଷ୍ଟା କରିଲେନି । ଯୁବତୀରକ୍ତରେ ଗାଧୋଉଥିବା ମୋ ସହର....ଆକ୍ଷିରେ ପାୱାରବାଲା ପ୍ରଚକ୍ଷୁ ଲଗାଇଥିବା ମୋ କାରିଗର କେହି ମୋତେ ସାହାଯ୍ୟ କରିପାରିଲେନି । ମୋ ଏକଦା ପରିଚିତ ସହରର ଅପରିଚିତ ମଣିଷ ହୋଇ ମୁଁ ରହିଗଲି । ତାପରେ ମୋତେ ମୋ ନିଜ ପାଇଁ ଏକ ଛାଞ୍ଚ ଗଢ଼ିବାକୁ ପଡ଼ିଲା, ମୋ ସୁରକ୍ଷାର ରାଜଧାନୀ ପାଇଁ ଭାବନାର ପାଚେରି ଗଢ଼ିବାକୁ ପଡ଼ିଲା । ଏବଂ ଏଥର ସୁଡ଼ଙ୍ଗ କଥା ମୁଁ ପୂରାପୂରି କେବେ କେଉଁପରି । ଭୁଲିଗଲି ସେ ପ୍ରଶ୍ନ ଅବାନ୍ତର ମନେହେଉଛି ତେଣୁ ତା ନ ଲେଖିବା ଭଲ ।

 

।। କିଛି ସଂଘର୍ଷର ସ୍ଵୀକାରୋକ୍ତି ।।

 

ମୁଁ ଦିନକୁ ଦିନ ଅଜଣା ଅନୁଭବ କରେ । ଯନ୍ତ୍ରଣାର ବିଛଣା ଉପରେ ଶୋଇରହି ନିଷ୍ଫଳ ଆକ୍ରୋଶରେ କାଚ ପରି ଭାଙ୍ଗିବାକୁ ଲାଗେ । ମୋ ଆଖିମାନ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ଏସବୁ ମଧ୍ୟରେ ବି ପାହାଡ଼ ଚଢ଼ି ତଳକୁ ଡେଇଁବାର ଦୁଃସାହସ ମୁଁ ଅନେକ କରିଛି କିନ୍ତୁ ସସ ସଂଦର୍ଭ ଏଠି ଅବାନ୍ତର ।

 

ମୁଁ ଜାଣେ ନିଜକୁ ଭଲନପାଇ ଅନ୍ୟକୁ ଭଲପାଇ ହୁଏନା । ସଂପର୍କକୁ ନିଜକୁ ଭଲପାଇବାଭଳି ଭଲପାଇଲେ ସେ ସଂପର୍କ ମହତ୍ତର ହୁଏ । ଏ ସବୁ ଭାବି ମୁଁ ହସିଛି....ମୁଁ ଅନେକ ହସିଛି । ସେତେବେଳେ ସେ ସମୟ ଅତି ଅଦ୍ଭୁତ ସମୟ । ଦିନକର କଥା ଏଠାରେ ସ୍ଵୀକାର କରୁଛି-

 

ମୁଁ ସେଦିନ ବିବ୍ରତ ଅନୁଭବ କଲି । ମୁଁ ରହୁଥିବା କୋଠାର ତଳକୁ ଚାହିଁ ଦେଖିଲି ଲୋକମାନେ ଅତି ନିର୍ଜୀବ ଦେଖାଯାଉଥିଲେ ମଧ୍ୟ ଅତି ଅବିଶ୍ଵସ୍ତ ଜଣାପଡ଼ୁଛନ୍ତି । ସେମାନଙ୍କ ନିକଟରେ ଷଡ଼ଯନ୍ତ୍ର ସବୁ ମୋ ପାଇଁ ଲିଖିତ ହୋଇଅଛି ।

 

ସେତେବେଳକୁ ରାସ୍ତା ସବୁ ନିଛାଟିଆ....ଭୟଙ୍କର ଅଥଚ ପୋଷାମନା ହୋଇଥିବା ବାଘଟିଏ ଭଳି ସହର ସମୟର ଶଯ୍ୟା ଉପରେ କଡ଼ ଲେଉଟାଉଥାଏ । ଏ ସମୟରେ ମୁଁ ମୋ ପକେଟରେ ରିଭଲ୍‌ଟି ଧରି ଜରାଥୃଷ୍ଟ ଭଳି ଦ୍ରୁପ୍ତଗତିରେ ସହରର ଛାତିରେ ଚାଲିବାକୁ ଲାଗିଲି । ବାଟରେ କେତେଜଣ ପରିଚିତ ଭଳି ମନେହେଉଥିବା ଦୟନୀୟ ଚେହେରାମାନ ପ୍ରଶ୍ନ କଲେ

 

: କିଓ ସନାତନ, ଏ ଦ୍ଵିପହରଟାରେ କେଉଁଆଡ଼େ ବିବ୍ରତ ଭାବରେ ।

 

ସାଲ୍ଲା ବେଇମାନ୍.... କୁତ୍ତା ହାରାମଖୋର ଏ ପର୍ଯ୍ୟନ୍ତ ଜାଣିପାରିଲାନି ମୋ ଅଭିଯାନ ସଂପର୍କରେ ମୁଁ ମୋ କାର୍ଯ୍ୟର ଚରମ ନିଷ୍ପତ୍ତିରେ । ତୁମଭଳି ନିର୍ଜୀବମାନଙ୍କୁ ମୋ ପଥରୁ ହଟାଇବା ପାଇଁ ।

 

: ସେମାନେ ମୋର କଥାଶୁଣି ଭୟରେ ବିଲେଇ ଭଳି ଶଂକିଗଲେ । ଏଥିରେ ମୋର ଆନନ୍ଦ ଦ୍ଵିଗୁଣିତ ହେଲା । ମୁଁ ଅପୂର୍ବ ଉଲ୍ଲାସର ବଶବର୍ତ୍ତି ହୋଇ ନିଜ ମନ ଉପରେ ମିଛ ମୁଖା ପିନ୍ଧି ବସିଥିବା ଅପରିଚିତମାନଙ୍କୁ ସେହି ମୁହୂର୍ତ୍ତରେ ଗୁଳିକରି ମାରିଦେଲି । ନିଜପ୍ରତି ମମତା ଓ ଅତିରକ୍ତି ବିଶ୍ଵାସର ଜଘନ୍ୟ ପରିଣାମ....ଏ ମେନ୍ ଅଫ୍ ଫେଣ୍ଟାସି....ଏପରି ଅନେକ ସମାଲୋଚନା ଶୁଣାଗଲା ।

 

ଡ୍ୟାମ–ହେଲ୍ ଟୁ ଦୋଜ୍ କ୍ରିଟିସିଜମ୍ । ମେତେ ସବୁ ହିଡ଼ମାନେ ତା’ପରେ ଜୋକଭଳି କାମୁଡ଼ିଲେ । ତଥାପି ମୁଁ ଉଲ୍ଲସିତ....ଥିଲି ସମସ୍ତ ଯନ୍ତ୍ରଣା ଓ ଦଣ୍ଡ ଖୁବ୍ ତୀବ୍ର ଆନନ୍ଦରେ ସହ୍ୟ କରିବାକୁ ଲାଗିଲି ।

 

ଅନ୍ୟ କିଛି ସ୍ଵୀକାରୋକ୍ତି : ଡାଏରୀର ସଂକଳକଙ୍କ ପାଇଁ

 

ମୁଁ ସନାତନ ଚୌଧୁରୀ....ସନାତନ ଚୌଧୁରୀ....ସନାତନ ଚୌଧୁରୀ । ଏଇ ନାମରେ ପରିଚିତ ହୋଇ ପ୍ରତ୍ୟେକ ପରିସ୍ଥିତି ସହ ମୁକାବିଲା କରିଛି । ମୋ ଚେହେରା ଉପରେ ଅନ୍ୟକାହାର ପ୍ରଭୁତ୍ଵକୁ ସ୍ଵୀକାର କରିନି । ବେଶ୍ୟାପଡ଼ାଠାରୁ ଆରମ୍ଭକରି ବହୁ ବୌଦ୍ଧିକ ମେଳଣ ମଧ୍ୟରେ ମୋର ଆତଯାତ ହୋଇଛି । ଅନେକ ଭୟଙ୍କର ମୁହୂର୍ତ୍ତମାନଙ୍କୁ ମୁଁ ଟଫି ଭଳି ଗିଳିଛି । ଆଜି ମୁଁ ଅନୁଭବ କରୁଛି, ମୋ ନିଜ ସ୍ଥିତିଶୂନ୍ୟ ଅବସ୍ଥାରେ ମୋ ସଂଲଗ୍ନ ପୃଥିବୀ ପୁତ୍ରହରା ହୋଇଯିବ । ସେ ପୃଥିବୀ ମୋ ନିଜ ପୃଥିବୀ ନହୋଇ ସନାତନ ଚୌଧୁରୀ ଅସଂପର୍କିତ ପୃଥିବୀରେ ରୂପାନ୍ତରିତ ହେବ । ଯେହେତୁ ମୁଁ ବଞ୍ଚିଚି....ମୋ ପୃଥିବୀ ମୋ ସହ ବଞ୍ଚିବ । ମୁଁ ମରିଯିବା କ୍ଷଣି ଏ ପୃଥିବୀର ସଜ୍ଞା ମୋ ପାଇଁ କିଛି ନୁହଁ । ଆଜିର ଅବସ୍ଥା ସମୟର ରୂପାନ୍ତର.....ଯେଉଁଠି ମୁଁ ଏକ ଭୀଷଣ ଗଂଭୀର ଶାନ୍ତ ଉଦାତ୍ତ ମୂର୍ତ୍ତିର ରୂପ ପରି ଗ୍ରହରେ ଛିଡ଼ାହୋଇଛି ।

 

ଏହି ମୁହୂର୍ତ୍ତରେ ଅନ୍ୟ ସାଦୃଶ୍ୟ ମୁଁ ଧୀରେ ଧୀରେ ବିଲୁପ୍ତ ଅବସ୍ଥା ଆସିଯାଇଛି ଓ ମୁଁ ଏକ ସ୍ଵୟଂସଂପୂର୍ଣ୍ଣ ମୁଁ’ର ନୂତନ ଅବସ୍ଥାରେ । ଆଜି ମୋର ପାପ କ’ଣ ଓ ପୁଣ୍ୟ କ’ଣ ପ୍ରଶ୍ନ ଉଠାଇବା ଅବାନ୍ତର ହେବ କାରଣ ସେ ସବୁକୁ ମୁଁ କେବେ ପ୍ରଶୟ ଦେଇନି ।

Image

 

ଅନିରୁଦ୍ଧର ନିଜ କଥା ଆମର ନିଜ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀ

 

।। ପିଲାଦିନ ।।

 

ଶେଷକୁ କିଛି ହୋଇନପାରିଲେ ଆମ ଗାଁର ନାଟ–ଦଳରେ ମିଶନ୍ତି । ଆଖଡ଼ାଘରେ ଗଞ୍ଜେଇ ଭିଡ଼ି ନାଟ ଶିଖନ୍ତି ଓ ଉତ୍କୃଷ୍ଟ କଳାର ଦେଶ ଉତ୍କଳରେ କଳାର ସେବା କରନ୍ତି ।

 

ଆମେ ପିଲାମାନେ । ନିଶ ଗଜୁରିନଥାଏ ସେତେବେଳେ । ପରବାଡ଼ିରେ ପଶି ଆଖୁ ଚୋବାଇବା, ଦିନ ଦି’ ପହର ବେଳେ ଯାଇ ଗନ୍ଧିଆ ଗାଡ଼ିଆରୁ ମାଛ ଧରିବା, ଆମ୍ବ ବୁରେଇରେ ଫଳନ୍ତି ଗଛକୁ ଲେଦା ମାରି କଷି ଆମ୍ବ ଝଡ଼ାଇବାର ବୟସ ।

 

ବାଟରେ ଘାଟରେ ସୁନ୍ଦର ମୁହଁଟାଏ ଦେଖିଲେ ସମସ୍ତେ ଏକ ସ୍ଵରରେ ଗାଇବାର ବୟସ–

 

“ବାଟେ ବାଟେ ଗଲା ହାତୀ

ତାର୍ ମାଁ ବଲୁଛେ ମୋର ଝିଅ ସତୀ

ମୋର ଝିଅ ସତୀ

ସେ ତ ବୁଲୁଥିଲା ରାତି ରାତି” ।

 

ଝିଅଟି ସମ୍ଭାଳି ନ ପାରି ଯଁପିବା ଆରମ୍ଭ କରିଦିଏ । କହେ–ଏ ବର୍‌ରୁଗିଏ ତୁମର ମାଁ ବହେନ ନାଇଁନ କାଏଁ ?

କିନ୍ତୁ ହୁଏତ ମନେ ମନେ ଭାବେ–ଏ ପିଲାମାନେ ଯଦି ଏମିତି ଦଳବାନ୍ଧି ନ ଆସି ଜଣେ କରି ଆସନ୍ତେ, ତା’ହେଲେ କେତେ ମଜା ନ ହୁଅନ୍ତା ସତେ !

।। ପାଠପଢ଼ା ।।

ସେ ବୟସ କେବେ ଆସି କେବେ ଚାଲିଗଲା କିଛି ମନେ ନାହିଁ । ମୋର ଦର୍ପଣ ପରି, ମାର୍ବଲ ପରି ଚିକ୍‌କଣ ହୃଦୟରେ ସେ ଦିନଗୁଡ଼ିକର ଚିହ୍ନ ସୁଦ୍ଧା ନାହିଁ ।

ତା’ପରେ ମୁହଁ ସ୍ଥାନରେ ମୁଖା । ମୁଖାର ଆଖି ପାଖରେ ଦୁଇଟି ଓ ନାକ ପାଖରେ ଦୁଇଟି କଣା । ପୁରୁଷ ନା ନାରୀ, ସୁନ୍ଦର ନା ଅସୁନ୍ଦର, କଳା ନା ଗୋରା, କିଛି ଜଣାପଡ଼ିଲା ନାହିଁ । ଏଇ କିଛି ଜଣାନପଡ଼ିବା ଭିତରେ ହିଁ, ନିୟମିତ ଛୁଟି, ଧର୍ମଘଟ, ଅନଶନ, ପରୀକ୍ଷା, ସଭାସମ୍ମେଳନ ଭିତର ଦେଇ ଛଅଟି ବର୍ଷ କଟିଗଲା ପରେ ମୋର ସବୁ ପ୍ରାପ୍ତି, ସବୁ ଉପଲବ୍‌ଧି ଥରେ ସାଉଁଟି ଆଣିଲି । ଅନେକଗୁଡ଼ିଏ କପ୍ । ବହି । ଥାକେ ସାର୍ଟିଫିକେଟ ।

ସେତେବେଳେ ଘର ଭିତରକୁ ପଶିଗଲେ ନର୍କ ଭିତରକୁ ପଶିଗଲା ପରି ଲାଗୁଥିଲା । ଏକ ଦୀର୍ଘ ଦାରିଦ୍ର୍ୟର ମୂଳୋତ୍ପାଟନ କରିବା ନିମନ୍ତେ ଚାଲିଥିବା ଦୀର୍ଘ ସଂଗ୍ରାମର ଗନ୍ଧ ନାକରେ ବାଜୁଥିଲା । ତାହା ମୋ ବାପା ଓ ମା’ଙ୍କର ଝାଳର ଗନ୍ଧ ।

ସବୁ ପୁରୁଣା ଆସବାବ ।

ସବୁ ଛିଣ୍ଡା–ଖଟ, ବିଛଣା, ଲୁଗାପଟା ।

ସବୁ ଭଙ୍ଗା–କପ୍, ପ୍ଲେଟ୍, ଗ୍ଲାସ୍ ।

ସବୁ ରଙ୍ଗଛଡ଼ା–କାନ୍ଥ, ଚଟାଣ, ମୁହଁ ।

ସବୁ କଣା–ପିତ୍ତଳ, ଗରା, ଢାଳ ।

ସବୁ ଚେପା–ଥାଳି, ଗିନା, କରେଇ ।

ସେତେବେଳେ “ଭାଙ୍ଗିଥିଲେ ଗଢ଼େଇଦେବି, ହଜିଥିଲେ ଖୋଜେଇ ଦେବି” ବେଲିବାକୁ କେହିନଥିଲେ । ତଥାପି ମୋତେ ଆଶ୍ଚର୍ଯ୍ୟ କରେ ମା’ର ମୁହଁ ହସ ହସ ।

ଭିତରେ ଭିତରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ ହେଁ ଉପରେ ଉପରେ ହସିବାକୁ ପଡ଼ିଲା । ମନେହେଲା ମୁଁ ନିଜେ ନିଜସହ ପ୍ରତାରଣା କରୁଛି । ମୁଁ ହିପୋକ୍ରାଟ । ମାତ୍ର ଏହାବ୍ୟତୀତ ମୁଁ ସେମାନଙ୍କ ମନରେ ପ୍ରତ୍ୟୟ ଓ ବିଶ୍ଵାସ ସୃଷ୍ଟି କରିପାରିଥାନ୍ତି କିପରି ? ମୋ’ ଭାଇ, ଭଉଣୀମାନଙ୍କ ପାଇଁ ମୁଁ ଥିଲି ଗୋଟେ ବତୀଘର । ମୁଁ ପଛଘୁଞ୍ଚା ଦେଇଥିଲେ ସେମାନେ କେଉଁ ବନ୍ଦରରେ ଆଗକୁ ବଢ଼ିଥାନ୍ତେ ? ମୋର ଶୁଖିଲା ବିଷର୍ଣ୍ଣ ମୁହଁ ଦେଖିଥିଲେ ସେମାନେ ହତୋତ୍ସାହ ହୋଇପଡ଼ିଥାନ୍ତେ ।

ଯିଏ ଅଭାବୀ, ତା’ର କୌଣସି ଧର୍ମ ନାହିଁ । ପ୍ରତିବଦ୍ଧତା ନାହିଁ । ନୀତି ନାହିଁ । ଖ୍ରୀଷ୍ଟମାସବେଳେ ଯେଉଁ ଅଭାବୀମାନେ ଚର୍ଚ୍ଚ ଆଗରେ ହାତ ପତେଇ ଠିଆହୁଅନ୍ତି, ସେଇ ଅଭାବୀମାନେ ହିଁ ଶିବରାତ୍ରିବେଳେ ମନ୍ଦିର ଓ ଇଦ୍‌ବେଳେ ମସଜିଦ ଆଗରେ ମଧ୍ୟ ଠିଆ ହୁଅନ୍ତି । ବିଳାସୀ ଧର୍ମପ୍ରବଣ ନାଗରିକମାନେ ବେଳେବେଳେ ଏମାନଙ୍କ ଉଦ୍ଦେଶ୍ୟରେ “ଆହା” ଫିଙ୍ଗନ୍ତି । ମୁଁ ନିଜକୁ ଏମାନଙ୍କୁ ମଧ୍ୟରୁ ଜଣେ ବୋଲି ମନେକରି ଦୁଇଖଣ୍ଡ ଚିଠି ଲେଖିଲି–

ପ୍ରଥମ ଚିଠି

“ପୁତ୍ରକାମୀ ନପୁଂସକ, ଅସାଧୁ ଦେୱାଳିଆ ବ୍ୟବସାୟୀ, ଅଧ୍ୟୟନଭୀରୁ ଅକୃତକାର୍ଯ୍ୟ ଛାତ୍ର, ନିର୍ବାଚନରେ ପରାଜିତ ରାଜନୈତିକ ନେତା, ଉତ୍କୋଚପ୍ରିୟ ବିତାଡ଼ିତ କର୍ମଚାରୀ, କୁମାରୀ ମାତା ଓ ଦୁରାରୋଗ୍ୟ ଧାତୁବ୍ୟାଧିରେ ପୀଡ଼ିତ ଲୋକମାନେ କେଉଁଠି ? ମୁଁ ଏମାନଙ୍କ ମଧ୍ୟରୁ କେହି ନୁହେଁ ।

ମାତ୍ର ମୋ’ ନିକଟରେ ପ୍ରଚୁର ବିଶ୍ଵାସ, ଉକ୍ତି ଓ ନିଷ୍ଠା ମହଜୁଦ ଅଛି । ଏହି ସବୁ କିଣିବାକୁ ଆଗ୍ରହୀ ବ୍ୟକ୍ତି, ଅନୁଷ୍ଠାନ ଓ ସ୍ଵ–କଥିତ ଭଗବାନମାନେ କେତେ ମୂଲ୍ୟ ଦେଇ କିଣିବାକୁ ସମର୍ଥ ତାହା ଲେଖି ଜଣାନ୍ତୁ” ।

ଏ ଚିଠିର ପ୍ରତିଲିପିମାନ ଭାରତର ଅସଂଖ୍ୟ ବାବା ଓ ମାତା, ମହାରାଜ ଓ ଯୋଗୀମାନଙ୍କ ନିକଟକୁ ପଠାଇ ଦିଆଗଲା ।

ଦ୍ଵିତୀୟ ଚିଠି

ଛାତ୍ରତ୍ଵ ମୋର ପେଷା ନୁହେଁ । କୌଣସି ଶିକ୍ଷାୟତନର ପୂର୍ବତନ ସଭାପତି ବା ସମ୍ପାଦକ, ଧନୀ ବ୍ୟବସାୟୀଙ୍କର ଏକମାତ୍ର ସନ୍ତାନ, ସହସ୍ରାଧିକ ଏକର ନିଜ୍‌ଜୋତ୍‌ କ୍ଷେତର ମାଲିକ ମଧ୍ୟ ନୁହେଁ, ଏହା ସମସ୍ତେ ଜାଣନ୍ତି । ମାତ୍ର ଦ୍ଵିଧାରେ ମିଛ କହିବା, ବିନା ସଙ୍କୋଚରେ ପ୍ରତିଶ୍ରୁତି ଦେବା ଓ ବିନା ଲଜ୍ଜାରେ ଛିଣ୍ଡା ଜୋତାମାଡ଼ ସହ୍ୟ କରିପାରିବାର ଅଭ୍ୟାସ ଓ ସାମର୍ଥ୍ୟ ମୋର ଅଛି ।

ଦିନ ଦିନ, ରାତି ରାତି ନ ଖାଇ ନ ପିଇ ନ ଶୋଇ ମୁଁ ଗାଁ ଗାଁ ବୁଲିପାରିବି । ଲୋକେ ବୁଝି ନ ପାରିଲା ଭଳି ଢଙ୍ଗ, ଠାଣି ଓ ଭାଷାରେ ଘଣ୍ଟା ଘଣ୍ଟା ଧରି ଭାଷଣ ଦେଇପାରିବି ।

ପ୍ରତିଦିନ ଦାନ୍ତଘଷିବା, ଗାଧୋଇବା, ଖାଇବା, ଶୋଇବା ଓ ନିୟମିତ ବାଳ ଦାଢ଼ି ଆଦି କାଟିବାକୁ ମୁଁ ବୁର୍ଜୁଆମୀ ବୋଲି ବିଚାର କରେ ।

ମୋତେ ନିଜ ଦଳରେ ମିଶାଇବାକୁ ଆଗ୍ରହୀ ନେତାମାନେ କେତେ ମୂଲ୍ୟ ଦେଇ ମୋତେ ଦଳୀୟ କାର୍ଯ୍ୟରେ ନିୟୋଜିତ କରିପାରିବେ, ଲେଖନ୍ତୁ” ।

ଏ ଚିଠିର ନକଲ ଦେଶର ସମସ୍ତ ଦଳ (ରାଷ୍ଟ୍ରୀୟ, ପ୍ରାଦେଶିକ, ଜିଲାସ୍ତରୀୟ, ପଞ୍ଚାୟତ ସ୍ତରୀୟ ଓ ଅନ୍ୟାନ୍ୟ)ର ସମ୍ପାଦକମାନଙ୍କ ନିକଟକୁ ପଠାଇ ଦିଆଗଲା ।

ଧର୍ମ, ଆଧ୍ୟାତ୍ମିକତା ଓ ରାଜନୀତି–ଏ ତିନୋଟିରୁ କୌଣସି ଗୋଟିକ ଉପରେ ବି ମୋର ଆସ୍ଥା ନ ଥିଲେ ହେଁ ତତ୍କାଳୀନ ସ୍ଥିତିର କଟକଟ କାମୁଡ଼ାରୁ ସାମୟିକ ମୁକ୍ତି ପାଇବା ପାଇଁ, ଏ ଦୁଇଟି ଚିଠି ପଠାଇବା ପରେ ମୁଁ ଦୀର୍ଘକାଳ ଅପେକ୍ଷା କଲି । ମାତ୍ର ମୋତେ ନିଯୁକ୍ତିପତ୍ର ଦେବା ତ ଦୂରର କଥା କେହି ସାମାନ୍ୟ ପ୍ରାପ୍ତି ସ୍ଵୀକାରସୂଚକ ପତ୍ରଟିଏ ମଧ୍ୟ ଲେଖିଲେ ନାହିଁ ।

॥ ସେ ସମୟର ଦିନଚର୍ଯ୍ୟା ॥

 

୧ ॥ ଫିସ୍ ଫିସ୍ କଥା । ସକାଳ । ବଜାର ॥

 

–ଜାଣିଛ, ଚାକିରି କରିବାର ବର୍ଷ ପାଞ୍ଚଟାରେ ସେ କେମିତି ଏତେବଡ଼ କୋଠା କରିପକାଇଲା ? ପୁଣି ତା’ ମାଇପ ଓ ଝିଅମାନଙ୍କ ଦେହରେ ଏତେ ସୁନା ଗହଣା ଲଦି ଦେଇପାରିଲା ?

 

–କହ, କହ–ମୁଁ କୁଆଡ଼ୁ ଜାଣିବି ?

 

–ଶୁଣ, ଦିନକେତୁଟା ଭିତରେ ସେ....

 

–କ’ଣ ହେବ ?

 

–ଗିରଫ ହେବ ।

 

–କିନ୍ତୁ କାହିଁକି ?

 

–ଟଙ୍କା ଖାଇଚି ଟଙ୍କା ।

 

ଆହା ! ତା’ର ପିଲା କୁଟୁମ୍ବ–ତା’ପରେ ଏକ ସବ୍–ଜାନତା ସ୍ଵର ।

 

–କିନ୍ତୁ କିଛି ହେବ ନାଇଁ ।

 

–କେମିତି ?

 

–ସବୁ ଫାଇଲ୍ ଏ ମଧ୍ୟରେ ଉଇମାନେ ଖାଇଯିବେ ।

 

–ସତରେ ?

 

–ଓ ସେ ପ୍ରମୋସନ୍ ପାଇବ ।

 

୨ ॥ ଫିସ୍ ଫିସ୍ କଥା । ସନ୍ଧ୍ୟା । ତାଙ୍କ ଘର ।

 

–ତୁମେ ଗୋଟେ ସ୍ଵପ୍ନ ।

 

–ନା ନା ମୋଟେ ନୁହେଁ ।

 

–ତାହେଲେ ଏଠି ତୁମ ସାଙ୍ଗରେ ଥିଲେ ଏତେ ଭଲ କାହିଁକି ଲାଗୁଛି ?

 

–କହିବି ?

 

–କହ, କହ ପ୍ଲିଇଜ୍ ।

 

–କାରଣ ତୁମେ ମୋତେ...

 

ରୁନା ଲାଜେଇଗଲା । ଆଖି ବୁଜି ହୋଇଗଲା ।

 

ମୁଁ ପୁଣି ପଚାରିଲି,

 

–କୁହ : କୁହନା ?

 

ସେ ଆଉ କିଛି କହିଲା ନାଇଁ । ଦୁଇ ପାପୁଲିରେ ମୁହଁ ଢାଙ୍କିଦେଲା ।

 

୩ ॥ ଫିସ୍ ଫିସ୍ କଥା । ରାତି, ଆମ ଘର ।

 

ବାପାଙ୍କ କଣ୍ଠ,

 

–କାଲି ଗୋଟେ ଇଣ୍ଟରଭ୍ୟୁ ଅଛି (ସମ୍ବାଦ)

 

–ମୋତେ ସକାଳୁ ଉଠେଇଦେବ (ଅନୁରୋଧ)

 

॥ ଶେଷ ଇଣ୍ଟରଭ୍ୟୁ ॥

 

ମୃତ ପ୍ରେମର ଶୋକଗୀତ–ଅସ୍ତସୂର୍ଯ୍ୟର ଶେଷ ରଶ୍ମି–ଦୀର୍ଘପଥର ଶେଷ ସରାଇଘର–କଠିନ ଶ୍ରମର ସ୍ଵେଦକଣା–ବିଦ୍ଧହୃଦୟର ଲୁହଟୋପା କିଏ ?

 

ମୋ ବ୍ୟତୀତ ଆଉ କିଏ ହୋଇପାରେ ?

 

ମୁଇଁ ତ ନିଜେ ।

 

ମୁଁ ଗୋଟିଏ ସଚିତ୍ର ପତ୍ରିକା ଓଲଟାଇ ଚାଲିଥାଏ । ଛବିସବୁ ନାନା ରଙ୍ଗର । କେଉଁଠି ହେଲେ ଆଖି ଅଟକିଯାଉନଥାଏ । ମୁଁ ଗୋଟେ ରୋବଟ୍ ପରି । ଟିକ୍ ଟିକ୍ କାନପଟି ।

 

କିନ୍ତୁ କେବଳ ମୁଁ ନୁହେଁ, ସେଇ ଟିଣ ଛାତ ତଳେ ବସିଥିବା ଅନ୍ୟ ସମସ୍ତେ ମଧ୍ୟ ବାରମ୍ବାର ଗୋଟିଏ କାର୍ଯ୍ୟ ହିଁ କରି ଚାଲିଥାନ୍ତି ।

 

ଝରକା ପାଖରେ ଚଉକି ଉପରେ ଆଉଜି ବସିଥିବା ଯୁବକ ଜଣକ–ଆହା ଏତେ କଅଁଳ ବୟସରୁ ମୁଣ୍ଡଚନ୍ଦା, ଆଖିରେ ଚଷମା, ଓଠ କଳା–ଗୋଟିଏ ସିଗାରେଟ ରୋଲ୍ କରି ଟାଣିବାରେ ବ୍ୟସ୍ତ ।

 

ତାଙ୍କଠୁଁ ଅଳ୍ପ ଦୂରରେ ଦୁଇଟି ଚଉକି ଛାଡ଼ି–ମୁହଁରେ ପରସ୍ତେ ପ୍ରସାଧନ ବୋଳି, ମୁଣ୍ଡରେ ପକ୍ଷୀନୀଡ଼–ଜୁଡ଼ା କରିଥିବା ଓ ସେଇ କାରଣରୁ ନିଜକୁ ମନେ ମନେ ସୁନ୍ଦରୀ ଭାବୁଥିବା ତରୁଣୀ ଜଣକ ଆମକୁ ପିଠିଆଇ କ’ଣ ଗୋଟିଏ ବୁଣୁଥାନ୍ତି । ତାଙ୍କର ଭେନିଟି ବେଗ୍ ଭିତରୁ ଉଲ୍ ଲମ୍ବି ଆସିଥାଏ ।

 

ଅନ୍ୟଜଣେ ଧୋତି ପଞ୍ଜାବୀପିନ୍ଧା ତରୁଣ । ଖିଲ୍ ଖିଲ୍ ପାନ ପାଟି ଭିତରେ ଭର୍ତ୍ତି କରୁଥାନ୍ତି ଓ ବାରମ୍ବାର ଝରକା ପାଖକୁ ଯାଇ ଥୁକୁଥାନ୍ତି । ଆଉ ଜଣେ ଦର୍ପଣ ଆଗରେ ଠିଆହୋଇ ବାରମ୍ବାର ତାଙ୍କର ଲମ୍ବା ଲମ୍ବା ନୁଖୁରା ବାଳ କୁଣ୍ଡାଇବାରେ ବ୍ୟସ୍ତ ।

 

ଅନେକ ଥିଲେ ।

 

ଜଣ ଜଣ କରି ଡାକରା ପାଉଥିଲେ । ଚପରାଶିର ପଛେ ପଛେ ଭିତରକୁ ଯାଉଥିଲେ ଓ ହସି ହସି ଫେରୁଥିଲେ ।

 

ମୁଁ ମଧ୍ୟ ଭିତରକୁ ଯାଇଥିଲି ।

 

ସେଠାରୁ ଫେରିଥିଲି ।

 

ସେଠାରୁ ମଧ୍ୟ ନିଯୁକ୍ତିପତ୍ର ମିଳିଲା ନାହିଁ ।

 

ସେଇଦିନଠାରୁ କାନମୋଡ଼ି ରାଣ ଖାଇଲି ଯେ, ଭୋକଉପାସରେ ମରିବା ବରଂ ଭଲ; ଏ ଦେଶରେ କେହି ପଛରେ ନଥିଲେ ଏମିତି ଇଣ୍ଟରଭ୍ୟୁ ନ ଦେବା ଉଚିତ ।

 

ସେଇ ଥିଲା ଶେଷ–ଗୁଳି ।

 

ଲକ୍ଷ୍ୟଭେଦ କରିପାରିଲା ନାହଁ । ମୂର୍ତ୍ତିମନ୍ତ ବିଫଳତା ମୁଁ ।

 

।। ପଥ, ରାସ୍ତା, ମାର୍ଗ ।।

 

ଘରେ ଅନ୍ୟମାନଙ୍କର ନିଦ ଭାଙ୍ଗିବା ଆଗରୁ ଉଠି ରାସ୍ତାକୁ ଚାଲିଆସିବା ଓ ସମସ୍ତେ ଶୋଇଲାପରେ ଘରକୁ ଫେରି ଚୁପ୍‌ ଚାପ୍‌ ଶୋଇପଡ଼ିବା ହେଲା ମୋର ଅଭ୍ୟାସ, ନିୟତି ।

 

ସକାଳୁ ଉଠିଲେ ।

 

ପକ୍ଷୀ । ପକ୍ଷୀ । ପକ୍ଷୀ ।

 

କେତେ ?

 

ସେମାନଙ୍କ ଡେଣାରେ ସତେ କ’ଣ ଲେଖାହୋଇଛି ଅନ୍ୟ ଇଲାକାର ଇତିହାସ ? ଭୁଗୋଳ ? ସତେ କ’ଣ ମୁଦ୍ରିତ ହୋଇଛି ଆଗାମୀକାଲିର ବ୍ଲୁପ୍ରିଣ୍ଟ ? ତେବେ କାହିଁକି ସେମାନେ ଶୂନ୍ୟ ଆକାଶରେ ଅସଂର୍ହତ ଚକି କାଟୁଥାନ୍ତି ।

 

ଗଛ । ଗଛ । ଗଛ ।

 

ସତେ କ’ଣ ଏଇ ପକ୍ଷୀମାନେ ଘଡ଼ିଏ ଅଧେ ଗଛଡାଳରେ ବସି ଧ୍ୟାନ କରନ୍ତେ ନାହିଁ ? ବିଶ୍ରାମ ନିଅନ୍ତେ ନାହିଁ ?

 

ପକ୍ଷୀ ଏବଂ ଗଛ ।

 

ସବୁଆଡ଼େ କଦଳୀ ଚୋପା । ମାତ୍ର ଯିବାକୁ ପଡ଼ିବ ।

 

ସମ୍ନାରେ ଚାଲୁଥିବା ଟୋକୀମାନେ ସେମାନଙ୍କର ବହୁଦିନୁ ସାଇତା କୁମାରୀତ୍ୱ ବୋଧ ପାଇଁ ନିଜକୁ ସମର୍ପଣ କରିଦେଲାବେଳେ, ଅଧର ଦୃଢ଼ତାକୁ ଗିଳିଦେଲାବେଳେ ଓ ସୁନିୟୋଜିତ ଉତ୍ସର କ୍ଷଣସ୍ଥାୟୀ ତରଳତାକୁ ଗ୍ରହଣ କରି ନେଲାବେଳେ ଆଖି ବୁଜି, ଘନ ନିଶ୍ୱାସ ଛାଡ଼ି, ଗୁପ୍ତ ପେଶୀ ଗୁଡ଼ିକରେ ସଂକୋଚନ ଘଟାଉଥିବେ ନିଶ୍ଚୟ ।

 

ଟୋକୀ ଓ ଅନ୍ଧାର ।

 

ଅନ୍ଧାର ମଣିଷକୁ କରେ ସାହସୀ । ଆଲୋକ କରେ ଭୀରୁ । କ୍ଲଚ ଦବେଇ, ଗିଅର ବଦଳ କରି ବ୍ରେକ୍ ଦେବାକୁ ହୁଏତ ସମୟ ନ ଥିଲା । ନହେଲେ କାର୍‍ଟି ଚ୍ୟଁ କରି ଏତେବାଟ ଘୋଷାଡ଼ି ହୋଇଗଲା କାହିଁକି ? ଛକ ମଝିରେ ଦୁର୍ଘଟଣା । କାର୍‍ଟି ତଥାପି ଘୁଁ ଘୁଁ । ଚକ ଧକ୍‌କା ଖାଇ ଓ ଛିଟିକି ପଡ଼ିଥିବା ମଣିଷଟି ଗଁ ଗ । ରାସ୍ତା ଉପରେ ରକ୍ତ ମୁଣ୍ତା ବାନ୍ଧୁଥାଏ । ପୁଡ଼ିଂ ପରି । ଦକ୍ଷିଣୀ ହାଲୁଆ ପରି । ମୁଁ ଏ ଦୃଶ୍ୟ ଦେଖୁଥାଏ ।

 

ମୋର ପିଠି ଉପରେ ଏକ ଶକ୍ତ ହାତର ଚାପ ଓ କର୍କଶ କଣ୍ଠସ୍ୱର ।

 

–ଦୋସ୍ତ, କ’ଣ ଦେଖୁଛ ?

 

ମୁଁ ପଛକୁ ଲେଉଟି ଚାହିଁଲି । ଶେଷ ଇଣ୍ଟରଭ୍ୟୁ ଦିନ ଦେଖିଥିବା ସେଇ ଚନ୍ଦାମୁଣ୍ତିଆ, ଚଷମାପିନ୍ଧା ଯୁବକ ।

 

ପୁଣି ପଚାରିଲା ।

 

–ତୁମର ସେ ଚାକିରି ହେଲା ?

 

–ନା ଆଉ ତୁମର ?

 

–ମୋର ବି ନା । କିନ୍ତୁ ତୁମେ ମଣିଷ ପରି ବଞ୍ଚିବାକୁ ଚାହୁଁଚ ତ ?

 

–ହଁ । କିଏ ବା ନ ଚାହେଁ ?

 

–ତା‘ହେଲେ ଚାଲ ଯିବା ?

 

–କୁଆଡ଼େ ?

 

–ସେଠି ପହଞ୍ଚିବା ଆଗରୁ ନୋ ପ୍ରଶ୍ନ ।

 

–ହଉ ।

 

।। ଅନ୍ଧାରୀ ।।

 

ମୁଁ ତା’ ସାଙ୍ଗରେ ଯାଇ ଶେଷରେ କେଉଁଠି ପହଞ୍ଚିଲି ତାହା ମଧ୍ୟ ଜାଣିପାରିଲି ନାହିଁ । ଅପରିଚିତ ଜଙ୍ଗଲ ହେଉ ବା ସହର । ବାଟବଣା ହେବା ଚକ୍ଷୁର ପଲକପାତ ପରି ସ୍ୱାଭାବିକ । ସିଧା ବାଟରେ ଚାଲିବାରେ ଅଭ୍ୟସ୍ତ ଲୋକ ମୁଁ । ନିଜକୁ ସେଦିନ ଅଙ୍କାବଙ୍କା ଗଳିପଥ ଦେଇ ବୋହି ନେଲାବେଳେ ଏକ ଯନ୍ତ୍ରଣାଦାୟକ ମାନସିକ ପ୍ରକିୟା ମଧ୍ୟଦେଇ ଗତି କରୁଥାଏ ।

 

ଯେଉଁ କୋଠରିରେ ପହଞ୍ଚିଲି ସେଠି ଦିନବେଳେ ବି ବଲ୍‌ବ ଜଳୁଥାଏ । ଖଣ୍ତେ ଖଟ ପଟା ଉପରେ ତିନିଜଣ ମୋ ବୟସର ଯୁବକ ବସିଥାନ୍ତି । ମୋତେ ବାଟ କଢ଼ାଇ ଆଣିଥିବା ଚନ୍ଦାମୁଣ୍ତିଆ ମୋର ପରିଚୟ ଦେଲା ।

 

–ମିଟ୍ ଆଓ୍ୱାର ନିଉ ଫ୍ରେଣ୍ତ ମିଷ୍ଟର.....

 

ମୁଁ କହିଲି ।

 

–ମୋ ନାଁ ଅନିରୁଦ୍ଧ ।

 

ସେ ପୁଣି କହିଲା,

 

–ଗତ ବର୍ଷର ଗୋଲ୍‌ଡ଼ ମେଡ଼ାଲିଷ୍ଟ । ଏ ବର୍ଷର ବେକାର । ମୁଁ କିଛି ମନ୍ତବ୍ୟ ନ ଦେଇ ସେମାନଙ୍କ ସାଙ୍ଗରେ ଯାଇ ବସିଲି । କିଛି ସମୟ ପରେ ଆଉଜଣେ ଆସିଲା ।

 

କାନ୍ଥକଡ଼ରୁ ଷ୍ଟୁଲ୍ ଟାଣିଆଣି ବସିଲା । କହିଲା–

 

–ମୁଁ ଭୁମିକା, ଗୌରଚନ୍ଦ୍ରିକାରେ ବିଶ୍ୱାସ କରେନା । ତେଣୁ ସିଧା ସିଧା କେତେଟା କଥା କହୁଛି । ଡୋଣ୍ଟ ମାଇଣ୍ତ ।

 

ସମସ୍ତେ ନୀରବ ଥିଲେ ।

 

ମୋତେ ଉଦ୍ଦେଶ୍ୟ କରି ସେ କହିଲା–

 

–ଆମେ ଆପଣଙ୍କୁ ସାହଯ୍ୟ କରିବାକୁ ପ୍ରସ୍ତୁତ, ଯଦି ଆପଣ ବି ଆମକୁ ସାହଯ୍ୟ କରିବାକୁ ରାଜି ।

 

–ମାନେ ?

 

–ମାନେ ଅତି ସହଜ । ଆପଣ ଜ୍ଞାନୀ । ଖୁବ୍‌ ପଢ଼ିଛନ୍ତି । ଖୁବ୍‌ ଜାଣିଛନ୍ତି । ଆପଣଙ୍କର ଜ୍ଞାନ ଓ ଆମର ବଳ କୌଶଳ ମିଶିଲେ ଏ ସମାଜରେ କିଛି ଗୋଟାଏ ପରିବର୍ତ୍ତନ.... ।

 

ମୁଁ କୌଣସି ଉତ୍ତର ଦେଲି ନାହିଁ ।

 

ସେ ପୁଣି କହିଲା–

 

–ପ୍ରଚଳିତ ସମାଜ ବ୍ୟବସ୍ଥା, ବ୍ୟୁରୋକ୍ରାସି, ଶିକ୍ଷାନୀତି ବିରୁରଦ୍ଧେ ଆମର କିଛି ଲେଖା ଦରକାର । ଆଇ ବିଲିଭ, ଆପଣ ପାରିବେ ।

 

–ହଁ ।

 

–ଗୁଡ଼୍‌ । ମାତ୍ର କେବଳ ଲେଖାଲେଖି ଦ୍ୱାରା ବିଶେଷ କିଛି ହୋଇପାରିବ, ଏମିତି ମନେହେଉ ନାହିଁ ।

 

–ତ’ ମୁଁ...ମୁଁ ହ୍ୱାଟ୍ କ୍ୟାନ୍ ଆଇ ଡୁ ?

 

–ଆପଣ ଅନେକ କିଛି କରିପାରିବେ ।

 

–ଯଥା ?

 

–ଆପଣ ଏ ସମାଜରେ ଏକ ପରିବର୍ତ୍ତନ ଆଣିପାରିବେ । ରକ୍ତାକ୍ତ ବିପ୍ଲବ କରିପାରିବେ-

 

ସେ ଦଣ୍ତେ ନୀରବ ରହିଲା । ତାପରେ ପୁଣି ପଚାରିଲେ–

 

–ବିପ୍ଲବର ସଫଳତା ପାଇଁ ସାଧନା ଦରକାର । ସାଧନା ମାନେ କଷ୍ଟ । ଆପଣ କଷ୍ଟ ସହିବାକୁ ପ୍ରସ୍ତୁତ ତ !

 

–ବହୁତ କଷ୍ଟ ସହିଛି । ସହିବାଟା ସ୍ୱାଭାବିକ ।

 

–ସାବାସ । ଆପଣ ଆମ ପାଇଁ ପ୍ରଥମେ କେତୁଟା କ୍ୟାଚି ଶ୍ଲୋଗାନ ଲେଖିଦିଅନ୍ତୁ । ପାରିବେ ତ ?

 

ହଁ ।

 

–ଗୁଡ଼୍‌ । ମଣିଷ ମାରିପାରିବେ ?

 

–ନା ।

 

–କାହିଁକି ?

 

–ସେଇଟା ହିଂସା ।

 

–ହିଂସା, ନା ଆପଣ ଭୀରୁ ? ଆପଣ କ’ଣ ସତରେ କେବେ କାହାକୁ ମର୍ଡ଼ର କରିବାକୁ ଚାହିଁ ନାହାଁନ୍ତି ?

 

–ଅନେକଥର ଚାହିଁଛି । ମାତ୍ର କରିନାହିଁ ।

 

–କାହିଁକି ?

 

–ସେଇଟା ହିଂସା । ମୁଁ ବିପ୍ଲବ ଓ ପରିବର୍ତ୍ତନର ବିରୋଧୀ ନୁହେଁ । ମୁଁ ସେଥିପାଇଁ ଯେକୌଣସି ପ୍ରକାର କଷ୍ଟ ସ୍ୱୀକାର କରିବାକୁ ପ୍ରସ୍ତୁତ । ମାତ୍ର.....

 

–ହଁ, ହଁ ଗୋ ଅନ୍‌....

 

–ମୁଁ ହିଂସାର ବିରୋଧୀ ।

 

–ତା’ହେଲେ ଆପଣ ଆମର ଆଇଡ଼ିଏଲ, ଆମର.....ଆଇ ମିନ୍‌ ନୀତି ଓ ଦଳର ବିରୋଧି ?

 

–ହଁ, ହିଂସା ଯଦି ଗୋଟିଏ ଆଇଡ଼ିଏଲ, ଗୋଟିଏ ନୀତି ବା ଗୋଟିଏ ଦଳ ତା’ହେଲେ ହଁ ।

 

ତା’ର ଦୁଇଟି ଡିମା କାଚବାଟି ପରି ଉଜ୍ଜ୍ୱଳ ଆଖିଭିତରୁ ଯେମିତି ତରଳ ଲୁହା ଖସିପଡ଼ୁଥିଲା । ସେ ଏକ ବିଦ୍ଧ–ପଶୁ ପରି ଚିତ୍କାର କଲା ।

 

–ଯେତେ ସବୁ ଅଗାଡ଼ି ଏଠି ଠୁଳ ।

 

ମୁଁ ସହିପାରିଲି ନାହିଁ । କହିଲି,

 

–ମାଇଁ ଡିଅର ଫ୍ରେଣ୍ତ ! ବିପ୍ଲବମାନେ ଏମିତି ଅଭଦ୍ରତା ନୁହେଁ । ବିପ୍ଲବରେ ମଧ୍ୟ କିଛିଟା ଶୃଙ୍ଖଳା, କିଛିଟା ସଂଯମ ଦରକାର । ପରିସ୍ଥିତିକୁ ଟିକିଏ ସହଜ କରିବା ଉଦ୍ଦେଶ୍ୟରେ ହୁଏତ ମୋତେ ସେଠାକୁ ବାଟ କଢ଼େଇ ନେଇଥିବା ଚନ୍ଦାମୁଣ୍ତିଆ ଚଷମାପିନ୍ଧା ଯୁବକ ଜଣକ ମୋ ଆଡ଼କୁ ଖଣ୍ତେ ସିଗାରେଟ ବଢ଼ାଇଲା ।

 

ମୁଁ ମନାକଲି ।

 

ପଟା ଖଟ ଉପରେ ବସିଥିବା ନୀରବ ତ୍ରିମୂର୍ତ୍ତି ଭିତରୁ ଜଣେ କହିଲା– ସିଏ ତ ସିଗାରେଟ ଖାଇ ଶିଖିନାହାନ୍ତି, ବିପ୍ଲବ କ’ଣ କରିବେ ? କେହି କିଛି ମନ୍ତବ୍ୟ ଦେଲେ ନାହିଁ ।

 

।। ଲେଉଟାଣି ।।

 

ମୁଁ ନିଜକୁ ସେଇ ଅନ୍ଧାରୀ ବ୍ୟୁହ ଭିତରୁ ମୁକୁଳାଇବା ବିଷୟ ଚିନ୍ତା କରିବାକୁ ଲାଗିଲା ।

 

ଯେଉଁମାନେ ପାହାଡ଼ ଚଢ଼ିଛନ୍ତି, ସେମାନେ କହିବେ, ପାହାଡ଼ ଉପକୁ ଚଢ଼ିବାରେ ଯେତେ ସାବଧାନତା ଦରକାର, ଓହ୍ଲାଇବାରେ ତହିଁରୁ ଅଧିକ ଦରକାର ।

 

ଠିକ୍ ସେତିକିବେଳେ ମୋର ମନେହେଲା ।

 

ଅପନ୍ତରାର ମଧ୍ୟ ଏକ ସୀମା ଥାଏ

ଯେମିତି ସମୁଦ୍ର ଓ ମରୁଭୂମିର

ଏବଂ ଟିକିଏ ନିଆଁ ଝୁଲରେ ଅରଣ୍ୟ ଦାହ

ସେମିତି ଗୋଦାମ ଖମାର ଓ ଖଳା

ଆବେଗରେ ଭାସିଯିବା ମାନେ ଅନ୍ଧାରରେ ପହଞ୍ଚିବା

ଓ ଅନ୍ଧାରରେ କିଛି ନିଶ୍ଚିତ ନୁହେଁ ।

 

ପୁନଶ୍ଚ ମନେହେଲା :

 

ପୋଷାକ ପିନ୍ଧିଲା ପରି ମୁଁ ମୋର ହାତ ଗୋଡ଼ ଆଖି ନାକମାନଙ୍କୁ ମଧ୍ୟ ପିନ୍ଧିଛି । ମୋର ଇଚ୍ଛା, ଆବଶ୍ୟକତା ସହିତ ଏମାନଙ୍କର ଯେଭଳି କୌଣସି ସମ୍ପର୍କଇ ନାହିଁ ।

 

ସେଠାରୁ ମୁଁ ଏକାମୁହାଁ ହୋଇ ଘର ନାମ ନରକକୁ ଫେରିଆସିଲି । ସେତେବେଳେ ମୋ ମା’ର ମୁଣ୍ତରୁ ସାନ ଭଉଣୀ ଉକୁଣି ବାଛୁଥିଲା । ଭାଇ ପଣକିଆ ମୁଖସ୍ଥ କରୁଥିଲା ଓ ବାପା ସାଇକେଲ ପୋଛୁଥିଲେ ସବୁଦିନ ପରି ।

Image

 

କାମ୍ବୋଡ଼ିଆର ଜହ୍ନ

ଅଧ୍ୟାପକ ପ୍ରଫୁଲ୍ଲ କୁମାର ରଥ

 

ଶବଗୁଡ଼ାକ କୁଢ଼େଇ ହୋଇ ଭୂଇଁ ଉପରେ ପଡ଼ିଥିଲା । ଭୂଇଁଟା ଏକଦମ ନଙ୍ଗଳା । ସେଇ ଶବଗଦା ମଝିରୁ ଲୋକଟା ମୁଣ୍ଡ ଟେକିଲା । ଖୁବ୍ କଷ୍ଟରେ ଚାରିଆଡ଼କୁ ଟିକିଏ ଆଖି ବୁଲେଇନେଲା । ମେକଙ୍ଗ୍ ନଈର ବନ୍ଧଟା ଗୋଟାଏ ବିରାଟ ପାହାଡ଼ ପରି ତା’ ଆଖିସାମ୍ନାରେ ଠିଆହେଲା । ଏଇ ନଈ ଟପି ମାର୍କିନ ସୈନ୍ୟମାନେ ଆଗେଇଗଲେଣି । ନଈ ଆରପଟରେ ସୂର୍ଯ୍ୟ ବୁଡ଼ିଯାଇଥିଲେ । ସେ ଖାଲି ‘‘ଦେଖିଲା’’ ଝାପ୍‌ସା ନାଲି ଆଲୁଅ ମେଞ୍ଚାଏ । ‘‘ସୀମିତ ଭିଏତକଙ୍ଗ ସୈନ୍ୟ ଏମାନଙ୍କୁ ପ୍ରତିରୋଧ କରିପାରିବେ ନାହିଁ’’ ସେ ମନକୁମନ ଭାବିଲା ।

 

ଭାରୀ ମାର୍କିନ ଯେ ତା’ର ଶବ୍ଦ ସେ ଶୁଣିଲା । ଗୋଟାଏ ଦୀର୍ଘଶ୍ୱାସ ପକାଇ ସେ ମୁଣ୍ଡ ବଙ୍କେଇ ଦେଖିବାକୁ ଚେଷ୍ଟା କଲା । ଝାପ୍‌ସା ଆଲୁଅରେ ସେ ଶବଗୁଡ଼ା ଛଡ଼ା ଆଉ କିଛି ଦେଖିପାରିଲାନି । ଶବଗୁଡ଼ାକ ଏକ ଦୁଇ ତିନି ଗଣିବାକୁ ଚେଷ୍ଟା କଲା; କିନ୍ତୁ ପାରିଲାନି । କଣ୍ଟା ତାରବାଡ଼ ଉପରେ ଢଳି ପଡ଼ିଥିବା ଶବଟାକୁ ଚିହ୍ନିବାକୁ ଚେଷ୍ଟାକଲା । ସେ ଏକମାତ୍ର ଜୀବିତ ଆତ୍ମା, ଏ ମୃତ୍ୟୁର ବିସ୍ତୀର୍ଣ୍ଣ ପଡ଼ିଆରେ ମୃତ୍ୟୁକୁ ଅପେକ୍ଷା କରୁଥିଲା । ସେ କାହାର ପଦଶବ୍ଦ ସ୍ପଷ୍ଟ ସ୍ପଷ୍ଟ ବାରିଲା ଏବଂ ନିଃଶ୍ୱାସର ଗତି ଧୀମେଇଦେଇ ନିଶ୍ଚଳ ହୋଇ ଶବଗଦା କଡ଼ରେ ଶୋଇଗଲା । ମାର୍କିନ ଗୁଳିରେ ଟଳିପଡ଼ିଥିବା ଅଗଣିତ ଭିଏତନାମରୁ ପଳେଇ ଆସିଥିବା ଶରଣାର୍ଥୀଙ୍କ ଭିତରେ ସେ ଥିଲା ଏକମାତ୍ର ଜୀବିତ ବ୍ୟକ୍ତି ।

 

ସେ ଦେହରେ ଭୀଷଣ କଷ୍ଟ ଅନୁଭବ କଲା । କଡ଼ ଲେଉଟାଇ ଚିତ୍‌ହୋଇ ଶୋଇଗଲା-। ସେ ପିଠିରେ ଅନୁଭବ କଲା ରକ୍ତରେ ଓଦା ହୋଇଥିବା ମାଟି ଆଉ ଉପର ଆକାଶରେ ଉଇଁଆସୁଥିବା ଜହ୍ନ । ଆଗନ୍ତୁକର ପଦଶବ୍ଦ କିୟତ୍‌କ୍ଷଣ ନିମିତ୍ତ ନୀରବ ହୋଇଗଲା । ସେ ଘୁଷୁରି ଘୁଷୁରି ପଳେଇବାକୁ ଚେଷ୍ଟା କଲା । ଶରୀରର କ୍ଷତର ଯନ୍ତ୍ରଣା ଭୀଷଣ ତୃଷା ତାକୁ ଅବଶ କରି ପକାଇଥିଲା । ଶେଷଥର ପାଇଁ ଚେଷ୍ଟା କଲା କିନ୍ତୁ ସେ ପୁଣି ମାଟି ଉପରେ ସେଇମିତ ରହିଗଲା-

 

‘‘ମୁଁ ଭିଏତକଙ୍ଗ ନୁହେଁ କି ଏଇ ଯେଉଁମାନେ ଶୋଇ ରହିଛନ୍ତି,ସେମାନେ ବି ଭିଏତକଙ୍ଗ ନୁହନ୍ତି ।’’ ଅବଶ୍ୟ ସେ ଲିବରେସନ ବାହିନୀକୁ ଘୃଣା କରିପାରିନଥିଲା, କି ସେମାନଙ୍କୁ ଗ୍ରହଣ କରିପାରିନଥିଲା । ‘‘ଭିଏତକଙ୍ଗମାନେ କ’ଣ ଖରାପ ? ହଁ । ନାଁ ସେମାନେ ଭାରି ଭଲ’’ ସେ ହଁ ନାର ଦୋଛକିରେ ପଡ଼ି ସମୀକରଣ କରିବାରେ ଲାଗିଲା । ‘‘କମ୍ୟୁନିଷ୍ଟମାନେ ନିଶ୍ଚୟ ଖରାପ ହେଲେ ସେମାନେ ମୋତେ ବା ମୋ ବନ୍ଧୁବାନ୍ଧବ କାହାରି ପ୍ରତି ଦୋଷ କରିନାହାନ୍ତି । କିନ୍ତୁ ସେମାନେ ଭଲନୁହନ୍ତି ।’’ ଭିଏତକଙ୍ଗଙ୍କର ଲକ୍ଷ୍ୟ କ’ଣ ତାହା ବୁଝିପାରିନଥିଲା । ‘‘କିନ୍ତୁ ଏ ମାର୍କିନ ସୈନ୍ୟ । ଏମାନେ ତ ବିଦେଶୀ । ଏମାନଙ୍କର ଏ ଭୂଇଁରେ କ’ଣ ପ୍ରୟୋଜନ ?’’ ସେ ପଚାରିଲା ଓ ଭାବିଲା, ‘‘ଏମାନେ କମ୍ୟୁନିଷ୍ଟ ଭିଏତକଙ୍ଗଙ୍କଠାରୁ ଅତି ହିଂସ୍ର, ଜଘନ୍ୟ କାମ କରିବାପାଇଁ ୟାଙ୍କର ଟିକିଏ ମାତ୍ର କୁଣ୍ଠା ନାହିଁ । ଏମାନେ ବର୍ବର ଅସଭ୍ୟ ।’’

 

ସେ କଡ଼ ଲେଉଟାଇଲା । ସାରା ରିଫ୍ୟୁଜି କ୍ୟାମ୍ପର ଦିଆଲମାନଙ୍କରେ ବୁଲେଟ୍ ଦାଗଗୁଡ଼ା ସତେଯେମିତି ତାକୁ ଉପହାସ କରୁଥିଲେ । ଏଥର ଅନ୍ଧାରରେ ସେ ସ୍ପଷ୍ଟ ଜାଣିପାରିଲା ସେ ଜଣେ କିଏ ତା’ ଆଡ଼କୁ ଆଗେଇଆସୁଛି । ଜଣେ ଭିଏତ୍‌କଙ୍ଗ ନାରୀ ବୋଧେ । ସେ ପ୍ରଥମେ ତା’ ମୁଣ୍ଡର ଟୋପି ଦେଖି ଶିହରିଉଠିଲା । କିଛି ସମୟ ପରେ ସେ ନାରୀଟିର ମୃଦୁ ସ୍ପର୍ଶ ଅନୁଭବ କଲା । ‘‘ହଁ ସେ ମୋର ଅତି ନିକଟରେ ମୋରି ପାଖରେ । ତା’ ହାତରେ ହେବ । ସେ ମୋତେହିଁ ସମ୍ଭବତଃ...’’ ଆଉ ଅଧିକ ଭାବିପାରିଲାନି । ତା’ ଭାବନାରେ ବାଧାଦେଇ ସେ ନାରୀ ପ୍ରଥମେ ଉଚ୍ଚାରଣ କଲା ‘‘ମିନ’’, ମିନ ଅର୍ଥ ବନ୍ଧୁ । ନାରୀଟି କହିଚାଲିଲା ଭୟ କରନାହିଁ ବନ୍ଧୁ ! ମୁଁ ତୁମର ଶତ୍ରୁ ନୁହେଁ । ଆମେ ଗୋଟିଏ ମା’ର ସନ୍ତାନ । ଆମ ଭିତରେ ଏଇମାନେ ଯାହା ବିଭେଦ ସୃଷ୍ଟି କରୁଛନ୍ତି । ଏମାନେ ହତ୍ୟାକାରୀ । ଆମକୁ ମୁକ୍ତ ହେବାକୁପଡ଼ିବ । ଦକ୍ଷିଣ, ଉତ୍ତର ଭିତରେ କିଛି ବୈଷମ୍ୟ ନାହିଁ । ଆମେ ଏକ ହେବା । ଗୋଟିଏ ଭୂଖଣ୍ଡ ଆମର ଦେଶ । ଗୋଟିଏ ସମ୍ପର୍କରେ ଆମେ ପରସ୍ପର ସହ ସଂପୃକ୍ତ । ଏ ସମ୍ପର୍କ କେହି ଛିନ୍ନ କରିପାରିବେ ନାହିଁ । ଖୁବ୍ ଜୋରରେ ଆଘାତ ଲାଗିଛି । ତୁମ କ୍ଷତଟା ଦେଖି...ନାରୀଟି ତା’ ପିଠିରେ ଝୁଲୁଥିବା ବ୍ୟାଗ୍‍ରୁ ବିବିଧ ଉପକରଣ ବାହାର କଲା, ମାତ୍ର ସ୍ଥାନଟି ଅନୁପଯୁକ୍ତ ଭାବି ଲୋକଟିକୁ କାନ୍ଧରେ ଉଠାଇ କଲୋନିରେ ଗୋଟାଏ ଘର ପିଣ୍ଡା ଉପରକୁ ଉଠିଗଲା । ଲୋକଟି ନାରୀଟିର ବଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସ୍ତ୍ରୀଲୋକଟି ଖଣ୍ଡିଏ କମ୍ବଳ ବିଛେଇ ଦେଇ ଆହତକୁ ଶୁଆଇଦେଲା ଓ ଛୁରିରେ କ୍ଷତରୁ ବୁଲେଟ ବାହାର କରିଦେଲା । ଇଞ୍ଜେକସନ ଆଦି ଦେଇ ଔଷଧ ଲଗାଇ ବ୍ୟାଣ୍ଡେଜ କରିଦେଲା । ନିଶ୍ଚୁପ ଭାବରେ ଏପର୍ଯ୍ୟନ୍ତ ଲୋକଟି ନାରୀର ସମସ୍ତ କାର୍ଯ୍ୟକୁ ଲକ୍ଷ୍ୟ କରି ଚାଲି ଚାଲିଥାଏ । ନାରୀଟି ଲଗାଇଥିବା ମହମବତୀର କ୍ଷୀଣ ଆଲୋକରେ ଦୁଇଜଣଙ୍କର ଚାରିଆଖିର ମିଳନ ହେଲା । ଲୋକଟିର ଆଖିରେ କୃତଜ୍ଞତା ଭରିଆସୁଥିଲା । ନାରୀଟି ଫ୍ଳାସ୍କରୁ କିଛି ଗରମ ପାନୀୟ ବାହାରକଲା । ଲୋକଟି ପାନୀୟତକ ପାତ୍ରରୁ ଏକା ନିଶ୍ୱାସରେ ଶେଷ କରିବା ଢଙ୍ଗରେ ଶେଷ କରିଦେଲା । ନାରୀଟି ପ୍ରଶ୍ନ କଲା ‘‘କ’ଣ ଏକଦମ ଥଣ୍ଡା ହୋଇଗଲାଣି ?’’ ‘‘ନା’’ ଲୋକଟି ଉତ୍ତର ଦେଲା, ମାତ୍ର ସଙ୍ଗେ ସଙ୍ଗେ ଦଲକାଏ ପବନରେ ବତୀଟି ଲିଭିଗଲା । ନାରୀଟି ମଧ୍ୟ ଦୁର୍ବଳ ହୋଇଉଠୁଥିଲା । ସେଥିପାଇଁ ସେ ମହମବତୀ ଲଗାଇବାକୁ ଟିକିଏ ହେଲେ ବି ଚେଷ୍ଟା କଲାନି । ଉପରେ ଜହ୍ନ ଭାସି ଚାଲିଥିଲା ।

 

ମାତ୍ର ପରକ୍ଷଣରେ ନାରୀଟି ନିଜ ଦାୟିତ୍ୱ ବିଷୟରେ ସଚେତନ ହୋଇଉଠିଲା । ସେ ଏକ କଠୋର ତଥା ଆଦେଶାତ୍ମକ ସ୍ୱରରେ କହିଲା, ‘‘ଦେଖ ! ଏଇ ଯେଉଁ ଘରର ଛାତ ଦେଖାଯାଉଛି, ନଈ ଆରପଟରେ, ସେଇ ଘରେ ମାର୍କିନ ସୈନ୍ୟମାନେ ଆରାମରେ ଶୋଇଛନ୍ତି । ବର୍ତ୍ତମାନ ତୁମକୁ ସେଇଠିକି ଯାଇ ଏ ବମ୍‌ତକ ରଖିଦେଇ ଆସିବାକୁ ହେବ ।’’

 

ଲୋକଟି ପ୍ରଥମେ ନିଜକୁ ମାନସିକ ଅପ୍ରସ୍ତୁତ ଅବସ୍ଥାରୁ ଫେରାଇଆଣିଲା; ମାତ୍ର ବିଶ୍ୱାସ କରିପାରିଲା ନାହିଁ ନାରୀଟିର କଥାକୁ । ଯେଉଁ ନାରୀ କିୟତ୍‌କ୍ଷଣ ଆଗରୁ ମୁମୂର୍ଷୁର ସେବା କରୁଥିଲା, ସେହି ନାରୀର ଏପ୍ରକାର ଆହ୍ୱାନକୁ ବା କିଏ ବିଶ୍ୱାସ କରିବ ? ଲୋକଟି ନାରୀଟିକୁ ବିଶ୍ଳେଷଣ କରିବାରେ ଲାଗିଲା ଓ ତା’ର ଉଦ୍ଦେଶ୍ୟକୁ ବୁଝିବାପାଇଁ ଚେଷ୍ଟା କଲା । ନାରୀ ଜଣକ ଲୋକଟିର ଏ ମାନସିକ ଅବସ୍ଥା ବୁଝିପାରି ଖୁବ୍ ଶାନ୍ତ ସ୍ୱରରେ କହିଲା ‘‘କ୍ଷତଟା ସେମିତି କିଛି ନୁହେଁ । ତୁମେ ଟିକିଏ ଅତ୍ୟଧିକ ଭୟଭୀତ ହୋଇପଡ଼ିଥିଲ । ଏ ମଧ୍ୟରେ ତୁମକୁ ଢେର ଭଲ ଲାଗୁଥିବ ।’’

 

‘‘ବେଶ୍ ଭଲ ଲାଗୁଛି । ତୁମକୁ ଅଶେଷ ଧନ୍ୟବାଦ । ତୁମ ଋଣ କେମିତି ଶୁଝିବି ?’’

 

‘‘ଥାଉ ଥାଉ । ହେଇ ଦେଖ, ମୁଁ ତୁମକୁ ନଈ ଆରପଟକୁ ନେଇଯିବି ଏବଂ ତୁମେ ନେଇ ଏଇ ବମ୍ ତକ ସେ ଘର ଭିତରେ ରଖିଦେବ ।’’

 

‘‘କିନ୍ତୁ କାହିଁକି ?’’

 

‘‘ସେଇ ଘରେ ଖୁବ୍ ଆରାମରେ ସୈନ୍ୟମାନେ ଶୋଇଛନ୍ତି । କାଲି ସକାଳୁ ସେମାନେ ଆଗେଇଯିବେ । ଆଗେଇଗଲେ ଆମର ନିକଟତମ ଗୁରୁତ୍ୱପୂର୍ଣ୍ଣ ଘାଟିକୁ ରକ୍ଷା କରିବା ସହଜ ହେବନି । ସୁତରାଂ ଏମାନଙ୍କୁ ଏଇଠାରୁ ରୋକିଦେବାକୁ ପଡ଼ିବ ।’’

 

‘‘ବେଶ୍ । ହେଲେ... ।’’

 

‘‘ଦେଖ ତୁମେ ଭିଏତକଙ୍ଗମାନେ ଆସୁଛନ୍ତି ବୋଲି ଖବରଦେବ । ସେମାନଙ୍କ ମଧ୍ୟରେ ଜେମସ୍ ନାମକ କ୍ୟାପଟେ୍‌ନ ଅଛନ୍ତି । ତୁମେ ସେଣ୍ଟ୍ରିଙ୍କ କଥା ନମାନି ଭିତରେ ପଶିଯାଇ ‘ଜେମସ୍’ ‘ଜେମସ୍’ ବୋଲି ଚିତ୍କାର କରିବା ଫଳରେ ଅନେକଙ୍କର ନିଦ ଭାଙ୍ଗିଯିବ । ତୁମେ ଭିଏତକଙ୍ଗ ଗରିଲା ଆସୁଛନ୍ତି ବୋଲି ଜଣାଇଦେବ । ତାପରେ ସେମାନେ ସମସ୍ତେ ବାହାରକୁ ଆସି ଦେଖିପାରିବେ ଏକ ବଡ଼ ଗରିଲା ଘାଟି ଓ ଆକ୍ରମଣ କରିବେ ।

 

‘‘ତାହେଲେ... ?’’

 

‘‘ମାତ୍ର ସେ ଘାଟି ଅସଲ ଘାଟି ନୁହେଁ । ଆମେ ଏମିତି ଗୋଟାଏ କୃତ୍ରିମ ଘାଟି କରି ତାଙ୍କୁ ବୋକା କରିଦେବୁ । ସେମାନେ ଏହି ନକଲି ଘାଟିକୁ ଆକ୍ରମଣ କଲାବେଳେ ତୁମେ ବୋମାତକ ରଖିଦେବ । ସେମାନେ ପ୍ରାୟ ଘଣ୍ଟାଏ ଖଣ୍ଡେ ଭିତରେ ନିଜର ବୋକାମୀ ବୁଝିପାରି ପୁଣି ଶୋଇବାକୁ ଫେରିଯିବେ । ଆଉ ତା’ର ଠିକ୍ ୩୦ ମିନିଟ ପରେ ହାଃ...ହାଃ...ହାଃ ହସିଲା ନାରୀଟି । ଜହ୍ନ ଆଲୁଅରେ ତା’ ମୁହଁର ଭୟଙ୍କରୀ ରୂପ ସ୍ପଷ୍ଟ ଦେଖାଯାଉଥିଲା ।

 

X X X

 

ମୁଣ୍ଡ ଉପରକୁ ଜହ୍ନ ଚଢ଼ି ଆସିବାକୁ ଲାଗିଥାଏ । ଦୁଇଟି ଛାୟାମୂର୍ତ୍ତି ଅକ୍ଳେଶରେ ମେକଙ୍କ ନଦୀ ପାର ହୋଇଗଲେ । ତାପରେ ଗୋଟିଏ ଛାୟାମୂର୍ତ୍ତି ହଠାତ୍ ଅଦୃଶ୍ୟ ହୋଇଗଲା । ଅନ୍ୟ ଛାୟାମୂର୍ତ୍ତି ଆଗେଇ ଚାଲିଥାଏ ଆଗକୁ । ତା’ର ପ୍ରତିଟି ପଦକ୍ଷେପରୁ, ଯଦିଓ ସେ ଛୋଟେଇ ଚାଲୁଥାଏ, ଜଣାପଡ଼ୁଥାଏ ସତେଯେପରି ସେ ନିଶ୍ଚୟ ଏ ଜହ୍ନକୁ ତୋଳିଆଣିବ ।

Image

 

ଏକ ନିହତ ଆତ୍ମାର ଆତ୍ମଲିପି

ପ୍ରିୟବ୍ରତ ଦାସ

 

ମନ୍ତ୍ରୀ-ସଦନରୁ ବାହାରି ସେମାନେ ଆସି ରାଜପଥରେ ଛିଡ଼ାହେଲେ । କାହାରି ମୁହଁରେ ଭାଷା ନାହିଁ । ସମସ୍ତେ ପ୍ରାୟ ସାଇକେଲ୍‌ରେ ଆସିଥିଲେ । କିଛି ବାଟ ଚୁପ୍‌ଚାପ ସାଇକଲ ଗଡ଼ାଇ ଗଡ଼ାଇ ଗଲା ପରେ ସାଇକେଲ୍‌ରେ ଉଠିଲେ ସମସ୍ତେ । ଜୟନ୍ତର ସାଇକେଲ ନାହିଁ । ସେ ଜଣେ ବନ୍ଧୁର ସାଇକେଲ କେରିଆଲରେ ବସି ଆସିଥିଲା । ରାଜପଥ ଫୁଟ୍‌ପାଥ୍‌ରେ ଜୟନ୍ତ ଏକା ଛିଡ଼ା ହୋଇ ରହିଲା ।

 

ବେଳ ଗଡ଼ିଗଲାଣି । ଏପ୍ରିଲ ଅପରାହ୍ନର ସୂର୍ଯ୍ୟ ରାଜଭବନ ପଛପଟେ ଲୁଚିଗଲେଣି । ଅସ୍ତୋନ୍ମୁଖ ସୂର୍ଯ୍ୟଙ୍କର ଶେଷ କିରଣ ଆସି ପଡ଼ିଚି ରାଜପଥ ଧାରେ ଧାରେ ରୋପିତ କୃଷ୍ଣଚୂଡ଼ା ଗଛ ଉପରେ ଏପ୍ରିଲର କୃଷ୍ଣଚୂଡ଼ା ପୁଷ୍ପିତ ହେବାକୁ ଆରମ୍ଭ କରିଚି । ଅତି ସୁନ୍ଦର ଦିଶୁଚି ଲାଲ କୃଷ୍ଣଚୂଡ଼ାର ସ୍ତବକ ଉପରେ ଶେଷ ସୂର୍ଯ୍ୟର ସ୍ପର୍ଶ । ବେଶ୍ ଗରମ ପଡ଼ିଲାଣି । ଏପର୍ଯ୍ୟନ୍ତ ଖରାର ଧାସ ରହିଚି । ଆବହାୱା ଗରମ ହୋଇ ରହିଚି, କିମ୍ବା ମନ୍ତ୍ରୀଙ୍କର ଏଆରକୁଲ୍ଡ଼ ଡ୍ରଇଂରୁମରୁ ବାହାରିଆସି ଏମିତି ଲାଗୁଚି !

 

ମନ୍ତ୍ରୀଙ୍କ ସଙ୍ଗେ ସାକ୍ଷାତ କରିବାପାଇଁ ସେମାନେ ଡେପୁଟେସନରେ ଆସିଥିଲେ । ସାକ୍ଷାତକାର ଆଗରୁ ସ୍ଥିର ହୋଇଥିଲା, କିନ୍ତୁ ମନ୍ତ୍ରୀଙ୍କ ଘରେ ପହଞ୍ଚି ସେମାନେ ଶୁଣିଲେ–ଦେଖାହୋଇପାରିବନି । ମନ୍ତ୍ରୀଙ୍କର କାର୍ଯ୍ୟକ୍ରମରେ କେତେକ ଅଦଳବଦଳ ହୋଇଯାଇଚି । ବହୁ ସାଧ୍ୟସାଧନା ପରେ ସାରା ଖରାବେଳ ଅପେକ୍ଷା କରି ଶେଷରେ ଦେଖାହେଲା; କିନ୍ତୁ ଲାଭ କ’ଣ ? ସେଇ ଏକା କଥା–ଚାକିରି ନାହିଁ । ସରକାରଙ୍କର ଆର୍ଥିକ ସମ୍ବଳର ଅଭାବ । ନୂଆ ପୋଷ୍ଟ ସେଙ୍କସନ୍‌ ହୋଇପାରିବ ନାହିଁ ।

 

ତେବେ ମନ୍ତ୍ରୀ ମହାଶୟ ଧୈର୍ଯ୍ୟଧରି ସେମାନଙ୍କ କଥା ଶୁଣିଲେ । ନିଜର ପୃଥିଳ ଚିକ୍‍କଣ ଉଦର ଉପରେ ହାତ ବୁଲାଉ ବୁଲାଉ ସହାନୁଭୂତି ପ୍ରକାଶ କରି ଅନେକ ଉପଦେଶ ଦେଲେ ।

 

ଜୟନ୍ତ ପ୍ରଭୃତିଙ୍କର ଆବେଦନ ଥିଲା–ଅନ୍ତତଃ ଦୁଇବର୍ଷ ହେବ ଇଞ୍ଜିନିୟରିଂ ପାଶ୍ କରି ବସିଥିବା ବେକାର ଗ୍ରାଜୁଏଟ୍‌ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି ଦିଆଯାଉ ।

 

ମନ୍ତ୍ରୀ ହସିଲେ । ଉଦାର ହସ । ସମସ୍ତେ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଲେ ତାଙ୍କ ମୁହଁକୁ-। ସେ କିନ୍ତୁ ଚୁପ୍‌ ରହିଲେ ।

 

ଅନ୍ତତଃ ଜୁନିୟର ଇଞ୍ଜିନିୟର ପୋଷ୍ଟଗୁଡ଼ିକୁ ଫିଲଅପ୍‌ କରାଯାଉ । ଅନୁରୋଧ କଲେ ଡେପୁଟେସନ୍‌ର ନେତା ।

 

ମନ୍ତ୍ରୀ ଟିକିଏ ଚିନ୍ତାକରି କହିଲେ ‘ଜୁନିୟର ଇଞ୍ଜିନିୟର କାହିଁକି ଆସିଷ୍ଟେଣ୍ଟ ଇଞ୍ଜିନିୟର ପୋଷ୍ଟ ଫିଲ୍‌ଅପ୍‌ କରାଯିବ, କିନ୍ତୁ ଉନ୍ନୟନ କାମ ପାଇଁ ଅର୍ଥ କାହିଁ, ସମ୍ବଳ କାହିଁ ? କ’ଣ କରିବେ ଏ ଇଞ୍ଜିନିୟରମାନେ ? ‘ତେବେ ଆମେ କ’ଣ କରିବୁ ?’ ପ୍ରଶ୍ନ କଲା ଜୟନ୍ତର ଜଣେ ବନ୍ଧୁ । ‘ବ୍ୟବସାୟ କରନ୍ତୁ । ଚାଷ କରନ୍ତୁ, ପୋଲଟ୍ରି ଫାରମିଂ, ଡେଆରି ଫାରମିଂ, ମାଛ ଚାଷ ଅନେକ ଧନ୍ଦା ଅଛି । ଆପଣମାନେ ଶିକ୍ଷିତ ଟେକ୍‍ନିକାଲ ଲୋକ । ଚାକିରି ମୁଖାପେକ୍ଷୀ ହୋଇ କାହିଁକି ବସି ରହିବେ ? ବ୍ୟବସାୟ କରନ୍ତୁ । କଣ୍ଟ୍ରାକ୍ଟରି କରନ୍ତୁ । ଛୋଟ ଛୋଟ ଇଣ୍ଡଷ୍ଟ୍ରି ଖୋଲନ୍ତୁ ।’ ରାଜନୀତିକ ନେତାଙ୍କ ବକ୍ତୃତା ଦେବାଭଙ୍ଗୀରେ କହିଲେ ମନ୍ତ୍ରୀ ।

 

ସମ୍ବଳ ? କ୍ୟାପିଟେଲ ? ଆମେ କ୍ୟାପିଟେଲ କେଉଁଠୁ ପାଇବୁ ।

 

ପ୍ରଶ୍ନକଲା ଜୟନ୍ତ ।

 

‘‘ହଁ ସମ୍ବଳ ।’’ କେଶ ବିରଳ ମସ୍ତକରେ ହାତ ବୁଲାଉ ବୁଲାଉ କହିଲେ ମନ୍ତ୍ରୀ, ‘‘ସେଇ ସମ୍ବଳ ଅଭାବରୁ ତ ଆମେ ଦ୍ଵିତୀୟ ଇସ୍ପାତ କାରଖାନା ବସାଇ ପାରୁନାହୁଁ । ରାଜ୍ୟରେ କ୍ଷୁଦ୍ର ଶିଳ୍ପ ବିକାଶ କରିପାରୁ ନାହୁଁ; କିନ୍ତୁ ଆମେ ଚେଷ୍ଟା କରୁଚୁ । ସେଣ୍ଟର ଆମକୁ ସାହାଯ୍ୟ ନ କାଲେ ବି ଆମେ ଆଗାମୀ ପଞ୍ଚବାର୍ଷିକ ଯୋଜନା ଭିତରେ ନିଜ ସମ୍ବଳରୁ ଇସ୍ପାତ କାରଖାନା ବସେଇବୁ । ଆହୁରି ଅନେକ ଅନେକ ଯୋଜନା ଆମ ହାତରେ ଅଛି, ସବୁ କାର୍ଯ୍ୟକାରୀ କରିବୁ । ଆପଣମାନେ ଧୈର୍ଯ୍ୟ ଧରନ୍ତୁ । ଟିକିଏ ଅପେକ୍ଷା କରନ୍ତୁ । ସମସ୍ତଙ୍କର ଚାକିରି ହୋଇଯିବ ।’’ ସମସ୍ତେ ବୁଝୁଥିଲେ, ଜୟନ୍ତ ବି ବୁଝୁଥିଲା ଏ ସବୁ ଅର୍ଥହୀନ ଗପ । ଖାଲି ଷ୍ଟଣ୍ଟ । ତଥାପି ସେମାନେ ଧୈର୍ଯ୍ୟଧରି ଶୁଣୁଥିଲେ । ମନ୍ତ୍ରୀଙ୍କ ଡ୍ରଇଂରୁମ୍‌ଟା ବେଶ୍‌ ଥଣ୍ଡା । ଏୟାର କୁଲରଟା ନିଶ୍ଚୟ ଜାପାନୀ । ଖୁବ୍ ଭଲ କାମ କରୁଚି । ସୋଫାର କୁସନ ଭାରି ମୋଲାଏମ । ବସିବାକୁ ଆରାମ ଲାଗୁଥିଲା । ମନ୍ତ୍ରୀ ଆହୁରି ଅନେକ ଗପ କଲେ ଦେଶର ପରିସ୍ଥିତି ବିଷୟରେ । ପଡ଼ୋଶୀ ରାଜ୍ୟ ତୁଳନାରେ ଆମ ରାଜ୍ୟରେ କେମିତି ଶାନ୍ତିଶୃଙ୍ଖଳା ଅଛି ସେ ବିଷୟରେ । ସେମାନଙ୍କ ସହ ଘଣ୍ଟାଏ ଗପ କରି ମନ୍ତ୍ରୀ ଉଠିଲେ । ଆଜି ରାତିରେ ତାଙ୍କୁ ଦିଲ୍ଲୀ ଯିବାକୁ ହେବ । ପାଇଲଟ ଧର୍ମଘଟ ଯୋଗୁ ଇଣ୍ଡିୟାନ ଏୟାରଲାଇନସର ମାନ୍ଦ୍ରାଜ କଲିକତା ଫ୍ଲାଇଟ୍ କେନ୍‌ସଲ ହୋଇଯାଇଚି । ତେଣୁ ତାଙ୍କୁ ଟ୍ରେନରେ ଯିବାକୁ ହେବ । ବିରକ୍ତିକର ଟ୍ରେନ୍ ଯାତ୍ରା ବିଷୟରେ ଭାବି ବିବ୍ରତଭାବେ ସେ ଉଠିପଡ଼ିଲେ । ବାଧ୍ୟହୋଇ ଜୟନ୍ତ ପ୍ରଭୃତି ବାହାରକୁ ଆସିଲେ । ମନ୍ତ୍ରୀଙ୍କ କଥାବାର୍ତ୍ତରୁ ହେଉ ବା ତାଙ୍କ ଡ୍ରଇଂରୁମର ଥଣ୍ଡା ପରିବେଶ ଯୋଗୁ ହେଉ, ସମସ୍ତଙ୍କ ଅନ୍ତରର ଉଷ୍ଣତା ଶୀତଳ ହୋଇଯାଇଥିଲା । କାହାରି ମୁହଁରେ କଥା ନ ଥିଲା ।

 

ଏଠି ଛିଡ଼ାହୋଇ ଲାଭ ନାହିଁ । ତାକୁ ଫେରିବାକୁ ପଡ଼ିବ । ଅନେକ ଦୂର ଶହୀଦନଗର-। ବସ୍‌ ନ ମିଳିଲେ ଚାଲି ଚାଲି ଯିବାକୁ ହେବ । ରିକ୍‌ସାରେ ଯିବାପାଇଁ ପଇସା ତା’ ପାଖରେ ନାହିଁ-। ଆଉ ଥରେ ଚାରିଆଡ଼େ ଆଖିବୁଲେଇ ଚାଲିବାକୁ ଆରମ୍ଭ କଲା ଜୟନ୍ତ । ରାସ୍ତା ଜନବିରଳ-। ଗୋଧୂଳିର ମ୍ଳାନ ଆଲୋକରେ କୃଷ୍ଣଚୂଡ଼ାର ଲାଲଫୁଲଗୁଡ଼ା ତାକୁ ସୁନ୍ଦର ଲାଗିଲା ନାହିଁ । ଗୋଟିଏ ନିହତ ଜନ୍ତୁର ଜମାଟ ରକ୍ତଭଳି ଲାଲ୍ ଫୁଲର ସ୍ତବକ ଉପରୁ ଆଖି ଫେରାଇଆଣିଲା ଜୟନ୍ତ ।

 

ନିର୍ଜନ ରାଜପଥରେ ଚାଲୁ ଚାଲୁ ସେ ଭାବୁଥିଲା କି ନିଷ୍ପ୍ରାଣ ଏ ସହର । ଜୟନ୍ତ ଏଠି ପିଲାଦିନୁ ବଢ଼ିଚି । କୋଡ଼ିଏ ବର୍ଷ ଧରି ସେ ଦେଖିଆସୁଚି ଆମ ରାଜ୍ୟର ଏ ରାଜଧାନୀ ସହରକୁ । ଖାଲି କଂକ୍ରିଟର କୋଠାବାଡ଼ି ଆଉ ଆସଫଲ୍‌ଟ ଚିକ୍‌କଣ ରାସ୍ତା ଉଦାସ ବୈରାଗ୍ୟର ଆକାଶକୁ ଚାହିଁ ରହିଚି, ଅନୁଭୂତିହୀନ ଭାବେ । ଆମର ରାଜଧାନୀ ଅନୁଭୂତିହୀନ ଅମଲାତନ୍ତ୍ରର ରାଜଧାନୀ ।

 

ବସ୍‍ଷ୍ଟାଣ୍ଡରେ ଅନେକ ସମୟ ଅପେକ୍ଷା କରି ମଧ୍ୟ ଶହୀଦନଗର ଯିବାପାଇଁ କୌଣସି ବସ୍‌ ମିଳିଲାନି । ବାଧ୍ୟହୋଇ ଜୟନ୍ତ ଚାଲିବାକୁ ଆରମ୍ଭ କଲା । ଚାଲିବାକୁ ଉତ୍ସାହ ହେଉନାହିଁ, ତଥାପି ଚାଲିବାକୁ ହେବ । ଭୋକ ହେଉଚି । ସକାଳ ନ’ଟାରେ ଖାଇ ସେ ଘରୁ ବାହାରିଥିଲା, ତା’ପରେ ଆଉ କିଛି ସେ ଖାଇନି । ପାଶ୍‌ କରିସାରିବା ପରେ ମନରେ ବହୁତ ଉତ୍ସାହ ଥିଲା, ଉଜ୍ଜ୍ଵଳ ଭବିଷ୍ୟତର ସ୍ଵପ୍ନ ଥିଲା, ସେ ସବୁ ମଉଳିଗଲାଣି । ବହୁ ବର୍ଷର ସାଧନା ପରେ ସେ ସଫଳ ହୋଇଥିଲା । କୃତିତ୍ଵର ସହ ସେ ଇଞ୍ଜିନିୟରିଂ ପାଶ୍‌ କରିଥିଲା; କିନ୍ତୁ ଦୁଇବର୍ଷ ବେକାର ରହି ମନର ଆଶା ସ୍ଵପ୍ନସବୁ ମଉଳି ଗଲାଣି ।

 

ପିଲାଦିନୁ ଜୟନ୍ତ ମେଧାବୀ ଛାତ୍ର । ନ୍ୟାସନାଲ ସ୍କଲରସିପ୍‌ ପାଇ ସେ ପଢ଼ୁଥିଲା । ଶେଷ ପରୀକ୍ଷାରେ ଫାଷ୍ଟକ୍ଳାସ ପାଇ ସେ ପାଶ୍‌ କରିଚି । ତା’ ପାଶ୍‌ କରିବା ଖବର ଶୁଣି ବାପା ମା’ଙ୍କ ମନରେ କି ଆନନ୍ଦ । ସାନ ଭାଇଭଉଣୀ କେତେ ଖୁସି ହୋଇଥିଲେ । ସାରା ପରିବାରରେ ଜୟନ୍ତ ଥିଲା ଆଶା ଭରସାର କେନ୍ଦ୍ର । ସମସ୍ତେ ଭାବିଥିଲେ ଜୟନ୍ତ ଚାକିରି କଲେ ସେମାନଙ୍କର ଅବସ୍ଥା ସ୍ଵଚ୍ଛଳ ହେବ । ଆଭିଜାତ୍ୟର ସ୍ପର୍ଶ ଲାଗିବ ସେମାନଙ୍କର ପରିବାରରେ । ୟା’ ଭିତରେ ଦୁଇବର୍ଷ ବିତିଗଲା । ଜୟନ୍ତ କାହାରି ଆଶା ପୂର୍ଣ୍ଣ କରିପାରିନି । ସେ ବୁଝିପାରୁଚି ତା’ ଚାରିପାଖରେ ଦୁନିଆ ଦ୍ରୁତ ପରିବର୍ତ୍ତିତ ହୋଇଯାଉଚି । ସେ ତା’ର ପରିବେଶ ସଙ୍ଗେ ତାଳ ରଖିପାରୁନି । ସେ ଖାଲି ଅସହାୟଭାବେ ଚାହିଁ ରହିଚି ।

 

ଏଇ ଦୁଇବର୍ଷ ଭିତରେ ତାଙ୍କ ନିଜ ପରିବାରର ମୂଳଦୁଆ ଭୁଶୁଡ଼ି ପଡ଼ିଚି । ସେ ବୁଝିପାରୁଚି, କିନ୍ତୁ ସେ ଧ୍ଵଂସକ୍ରିୟାର ଗତିରୋଧ କରିବାର ସାମର୍ଥ ତା’ର ନାହିଁ । ବାପାଙ୍କର ପେନସନ୍‌ ହେଲା । ସ୍ୱଳ୍ପବେତନର କିରାଣି ଚାକିରି କରୁଥିଲେ ସେ । ଚାକିରି ଜୀବନରେ ସଞ୍ଚୟ କିଛି କରିପାରିନଥିଲେ । ରୁଗ୍‌ଣ ସ୍ତ୍ରୀ ଓ ସ୍କୁଲ କଲେଜ ପଢ଼ା ତିନୋଟି ପୁଅ ଝିଅଙ୍କୁ ଯଥାଯଥା ଚଳେଇ ନେଉଥିଲେ । ଆହୁରି ତିନିବର୍ଷ ଚାକିରି କରିଥାନ୍ତେ; କିନ୍ତୁ ପଞ୍ଚାବନ ବର୍ଷରେ ତାଙ୍କୁ ରିଟାୟାର କରିବାକୁ ହେଲା । ରିଟାୟାର କରିବା ପୂର୍ବରୁ ସେ ବେଶ୍‌ କର୍ମଦକ୍ଷ ଥିଲେ କିନ୍ତୁ ରିଟାୟାର କରି କ’ଣ ହେଲା କେଜାଣି ହଠାତ୍‌ ବୁଢ଼ା ହୋଇଗଲେ । ମା’ ତ ସହଜେ ରୋଗୀ, ତଥାପି ଘୁଷୁରୀଘାଷରୀ କାମଧନ୍ଦା କରୁଥିଲା । ସେ ଚଳିତଶକ୍ତିରହିତ ହୋଇ ଶଯ୍ୟାଶାୟୀ ହେଲେ-। ସେମାନଙ୍କର ଏକମାତ୍ର ଭରସା ସୁକାନ୍ତ ।

 

ସୁକାନ୍ତ ଉପରେ ଭରସା ? ସୁକାନ୍ତ କଥା ମନେପଡ଼ି ଜୟନ୍ତର ମନଟା ବିଷର୍ଣ୍ଣ ହୋଇଗଲା । ଜୟନ୍ତ ଲକ୍ଷ୍ୟ କରୁଚି ସୁକାନ୍ତର ଦ୍ରୁତ ପରିବର୍ତ୍ତନ । ଅଧଃପତନ ଗଡ଼ାଣିରେ ସେ ତରତର ହୋଇ ଓହ୍ଲାଇ ଚାଲିଚି । ତାକୁ ବନ୍ଦ କରିବ କିଏ ? ରୋଜଗାରିଆ ପୁଅର ମର୍ଜି ଜଗି ଜଗି ବାପା ମା’ ଦୁହେଁ ସବୁବେଳେ ସତ୍ରସ୍ତ । ସୁକାନ୍ତ ଦିନକୁ ଦିନ ନିହାତି ଛତରା, ଅସଭ୍ୟ ଓ ଉଦ୍ଧତ ହୋଇଯାଉଚି । ତା’ ବେଶ ପୋଷାକ ଦେଖିଲେ ଜୟନ୍ତର ସମସ୍ତ ଦେହ ଘୃଣାରେ ଶିରିଶିରି କରିଉଠେ । ବାରଇଞ୍ଚ ମହୁରିର ଗାଢ଼ ରଙ୍ଗର ଚିପା ପ୍ୟାଣ୍ଟ ସଙ୍ଗକୁ ଢିଲା ରଙ୍ଗୀନ ପଞ୍ଜାବୀ ଚାରିକୋଣିଆ ଟୋ ଯୋତା ପିନ୍ଧି ଲମ୍ବା କଲି ରଖି ଏକ ଅଦ୍ଭୁତ ଜୀବ ହୋଇ ସେ ବୁଲୁଚି । ସବୁବେଳେ ଆଖି ଲାଲ୍ ଓ ଢୁଳୁଢ଼ୁଳୁ । ଗଞ୍ଜେଇ ଖାଏ କି ଟ୍ରାଙ୍କୁଲାଇଜର ଟାବଲେଟ୍‌ ଖାଏ ସେଇ ଜାଣେ । ଦୁଇ ଦୁଇଥର ବି.ଏସ୍.ସି. ଫେଲ୍‌ହୋଇ ପଢ଼ାପଢ଼ିରେ ଡୋରି ବାନ୍ଧିଥିଲା । ଯା’ ହେଉ ବାପାଙ୍କ ରିଟାୟାରମେଣ୍ଟ ପୂର୍ବରୁ ଗୋଟିଏ କର୍ପୋରେସନ ଅଫିସରେ କିରାଣି ଚାକିରିଟିଏ ଯୋଗାଡ଼ କରିନେଇଚି । ତାହାରି ଏ କ୍ଵାଟର ଯାହାର ଛାତ ତଳେ ସେମାନେ ଭଦ୍ରଭାବେ ଆଶ୍ରୟ ପାଇଚନ୍ତି ।

 

ବାପାଙ୍କର ତ କେତୋଟି ଟଙ୍କା ପେନସନ । ତେଣୁ ସୁକାନ୍ତର ଦରମା ଏ ପରିବାରର ଏକ ବଡ଼ ଭରସା । ତେଣୁ ସୁକାନ୍ତର ମର୍ଜି ଜଗି ଚଳିବା ପାଇଁ ସମସ୍ତେ ତତ୍ପର । ତା’ର ସୁଖ ସୁବିଧା ପ୍ରତି ସମସ୍ତେ ସଜାଗ, କିନ୍ତୁ ପ୍ରତିଦାନରେ ସୁକାନ୍ତ ହୋଇଉଠିଛି ପରିବାରର ଅନ୍ୟାନ୍ୟଙ୍କ ପ୍ରତି ନିଷ୍ଠୁର ଭାବେ ଉଦାସୀନ । ନିହାତି ଆତ୍ମକେନ୍ଦ୍ରୀୟ ସ୍ଵାର୍ଥପର । ମାସ ଶେଷରେ କେତୋଟି ଟଙ୍କା ଦେଇ ଘରେ ଦିନରେ ଦୁଇଥର ଖାଇବା ବ୍ୟତୀତ ତା’ର ଘର ସହ କୌଣସି ସମ୍ପର୍କ ନାହିଁ । ଏପରିକି ରାତିରେ ସେ କ୍ଵାଟରରେ ନ ଶୋଇ ଦୁଇଟି କ୍ଵାଟର ଛାଡ଼ି ତା’ର ଜଣେ ବ୍ୟାଚେଲର ବନ୍ଧୁ ଘରେ ଶୁଏ, ତା’ର ଉଚ୍ଛୃଙ୍ଖଳତାର ପୂର୍ଣ୍ଣ ସଦୁପଯୋଗ କରିବାପାଇଁ ।

 

ଆଉ ତା’ର ସାନ ଭଉଣୀ ସନ୍ଧ୍ୟା । ସେ ବି ଦିନକୁଦିନ ଅବାଧ୍ୟ ଉଚ୍ଛୃଙ୍ଖଳ ହୋଇଉଠୁଚି । ତା’ର ଢଙ୍ଗ ରଙ୍ଗ କାହିଁକି ଜୟନ୍ତକୁ ଆଦୌ ଭଲ ଲାଗୁନାହିଁ । ଜୟନ୍ତ ବେଳେବେଳେ ଭାବି ଆଶ୍ଚର୍ଯ୍ୟ ହୁଏ ଏତେ ଅଭାବର ସଂସାରରେ ଚକଚକିଆ ଶାଢ଼ି, ଚଟି, ଭ୍ୟାନିଟି ବ୍ୟାଗ୍ ଆଉ ଦାମୀ ପ୍ରସାଧନ ସାମଗ୍ରୀ କିପରି ସେ ଯୋଗାଡ଼ କରୁଚି ? ମନଇଚ୍ଛା ସେ ବୁଲିଯାଉଛି । ଡେରିକରି ଘରକୁ ଫେରୁଛି-। ତା’ ବିଷୟରେ କେତେ କୁତ୍ସିତ ଇଙ୍ଗିତପୂର୍ଣ୍ଣ ମନ୍ତବ୍ୟ ବି ଜୟନ୍ତ କାନରେ ପଡ଼ିଲାଣି । କିନ୍ତୁ ସେ କ’ଣ କରିବ ? ସନ୍ଧ୍ୟା ତା’ ଶାସନରେ ଗଣ୍ଡି ବାହାରେ । ବାପା ମା’ ବି ସେ ବିଷୟରେ ନିସ୍ପୃହ । ଆଶ୍ଚର୍ଯ୍ୟ ।

 

ଜୟନ୍ତ କ୍ଵାଟରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣପ୍ରାୟ । ମା’ ବିଛଣା ପାଖରେ ବସି ବାପା କ’ଣ ପଢ଼ୁଛନ୍ତି । ମା’ ଶୋଇଚି । ସୁକାନ୍ତ ଏତେବେଳେ ଘରେ ନ ଥାଏ । ସନ୍ଧ୍ୟା ବି ନାହିଁ । ଜୟନ୍ତକୁ ଦେଖି ବାପା କିଛି ସମୟ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁରହି ପଚାରିଲେ, ‘ମିନିଷ୍ଟର କ’ଣ କହିଲେ ?’

 

‘ନା–ଚାକିରି ଖାଲି ନାହିଁ ।’ ଅନ୍ୟମନସ୍କ ଭାବେ ଉତ୍ତର ଦେଲା ଜୟନ୍ତ ।

 

‘ହୁଁ’ କହି ବାପା ପୁଣି ପଢ଼ିବାରେ ମନଦେଲେ ।

 

‘ସନ୍ଧ୍ୟା କାହିଁ ?’ ଜୟନ୍ତ ପଚାରିଲା ।

 

ବାପା ଟିକେ ଚୁପ୍ ରହି କହିଲେ, ବାହାରକୁ ଯାଇଚି ।

 

କେତେବେଳୁ ଗଲାଣି ? ଜୟନ୍ତ ପୁଣି ପଚାରିଲା ।

 

‘ହଁ ଗଲାଣି କେତେବେଳୁ–କ’ଣ ଚା ଖାଇବୁ ?’

 

ଜୟନ୍ତର ପ୍ରଶ୍ନଟାକୁ ଏଡ଼ିବାପାଇଁ ବାପା ଚେଷ୍ଟା କଲେ ।

 

ବାପାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଜୟନ୍ତ ପୁଣି ପଚାରିଲା–

 

‘କ’ଣ ଏକା ଯାଇଚି ?’ ଜୟନ୍ତ କାହିଁକି କେଜାଣି ହଠାତ୍‌ ରାଗିଉଠିଲା ।

 

‘ନା ସେ ସୁକାନ୍ତ ସଙ୍ଗେ ଯାଇଚି କି କାମରେ–’ ଅସ୍ପଷ୍ଟଭାବେ ବାପା କହିଲେ ।

 

‘ସୁକାନ୍ତ ସଙ୍ଗେ କି କାମରେ ଯାଇଚି ?’ ଆଶ୍ଚର୍ଯ୍ୟ ହେଲା ଜୟନ୍ତ । ବାପା ଚୁପ୍ ରହିଲେ-। ବାପାଙ୍କ ନୀରବତାରେ ଜୟନ୍ତ ଆହୁରି ରାଗିଗଲା । ‘କୁଆଡ଼େ ଯାଇଚି କ’ଣ ଆପଣ ଜାଣିନାହାନ୍ତି-?’ ଜୟନ୍ତର କଣ୍ଠ ଅସ୍ଵାଭାବିକ ଶୁଭିଲା । ବାପା ଟିକିଏ ଶଙ୍କିଗଲେ । ଛେପ ଢୋକି କହିଲେ–‘ହଁ, ଜାଣିବିନି କାହିଁକି ? ସେ ପରା ସୁକାନ୍ତ ଅଫିସର ଘରକୁ ଯାଇଚି !’

 

ଜୟନ୍ତ ବୁଝିପାରିଲାଣି ହଠାତ୍‌ ଏଇ ସନ୍ଧ୍ୟାବେଳେ ସୁକାନ୍ତ କାହିଁକି ସନ୍ଧ୍ୟାକୁ ଧରି ତା’ ଅଫିସର ଘରକୁ ଯାଇଚି ।

 

ବାପା କୈଫିୟତ ଦେବା ଭଙ୍ଗୀରେ ବଡ଼ ନିରୀହ ଗଳାରେ କହିଲେ, ସୁକାନ୍ତ ବଡ଼ ବିପଦରେ ପଡ଼ିଚିରେ ଜୟନ୍ତ । ତୁ ବ୍ୟସ୍ତହେବୁ ବୋଲି ତୋତେ ମୁଁ କହିନି । ସୁକାନ୍ତ କ୍ୟାସ୍‌ରୁ ଦୁଇ ହଜାର ଟଙ୍କା ଚୋରି ହୋଇଯାଇଚି । ଆଜି ଭିତରେ ସେ ଟଙ୍କା ଭରଣା କରିନପାରିଲେ ସେମାନେ ତାକୁ ପୋଲିସରେ ହେଣ୍ଡଓଭର କରିଦେବେ ।’ ଜୟନ୍ତର ସହାନୁଭୂତି ପାଇବାପାଇଁ କରୁଣ ଆଖିରେ ଚାହିଁଲେ ବାପା । ଯେପରି ତାଙ୍କର ତହବିଲ ତେଷରଫ ହୋଇଚି ଆଉ ସେ ଅପରାଧ ପାଇଁ ସେ ନିଜେ ଦାୟୀ ।

 

‘ହୁଁ ବୁଝିଲି’ ଗମ୍ଭୀର ଭାବେ କହିଲା ଜୟନ୍ତ । ‘ସୁକାନ୍ତର କ୍ୟାସ୍‌ ଚୋରି ହୋଇଚି କି ସିଏ ତୋଷାରଫ କରିଚି ସେ କଥା ସେ ବୁଝିବ । ସନ୍ଧ୍ୟା କାହିଁକି ଯାଇଚି ।’ ଆସାମୀକୁ ଓକିଲ ଜେରା କଲା ଭଳି ପଚାରିଲା ଜୟନ୍ତ ।

 

ବାପା ଟିକିଏ ଅଡ଼ୁଆରେ ପଡ଼ିଲେ । ଅପ୍ରିୟ ଆଲୋଚନାଟାକୁ ବନ୍ଦ କରିଦେବାପାଇଁ–‘ଓଃ ଏମିତି ଚିତ୍କାର କରୁଚ କାହିଁକି ? ସୁକାନ୍ତ ବିପଦରେ ପଡ଼ିଚି । ତା’ ବିପଦ କ’ଣ ମୋର ବିପଦ ନୁହେଁ, ତୋର ନୁହେଁ, ସନ୍ଧ୍ୟାର ନୁହେଁ ? ତୁ ଏମିତି ପାଟିକରନା । କାନ୍ଥବାଡ଼ର ବି କାନ ଅଛି, କିଏ ଶୁଣିବ ।’

 

‘ବିପଦରେ ପଡ଼ିଚି ବୋଲି ସୁକାନ୍ତ ସନ୍ଧ୍ୟାକୁ ନେଇ ଏଇ ରାତିଟାରେ ତା’ ଅଫିସର ଘରକୁ ଯିବ ? ତା’ ଅଫିସରକୁ କ’ଣ ଆପଣ ଚିହ୍ନନ୍ତି ନାହିଁ ବାପା ? ଦୁଶ୍ଚରିତ୍ର, ମାତାଲ, ଲମ୍ପଟ ଲୋକଟା ।’ ଜୟନ୍ତର କଣ୍ଠ ଆବେଗରେ ବିରୁଦ୍ଧ ହୋଇଗଲା ।–ଗୋଟିଏ ଅସହାୟ ଆକ୍ରୋଶରେ ତା’ ମୁହଁ କୃତ ହୋଇଉଠିଲା । ବାପା ଡରିଲା ଗଳାରେ କହିଲା–‘ଏଃ ଏସବୁ କ’ଣ କହୁଚ ? ଅଫିସରର ଝିଅ କୁଆଡ଼େ ସନ୍ଧ୍ୟାର ସାଙ୍ଗ । ଯଦି କିଛି ଉପାୟ ହୁଏ । ତୁ ବ୍ୟସ୍ତହନା–ଯା କପେ ଚା ଖାଇ ଆସିବୁ ଛକ ଦୋକାନରୁ । ଘରେ ତ ଦୁଧ ନାହିଁ, ନହେଲେ ମୁଁ କରିଦେଇଥାନ୍ତି । ବାପାଙ୍କର ଏ ଧରଣର କଥାବାର୍ତ୍ତାରେ ଜୟନ୍ତ ନିଜକୁ ସମ୍ବରଣ କରିପାରିଲାନି । ‘ଚୁପ୍ କରନ୍ତୁ ଆପଣ’ କହିବାକୁ ଯାଇ ନିଜେ ଚୁପ୍ ହୋଇଗଲା ସେ । ତା’ ଆଖି ପଡ଼ିଲା ମା’ଙ୍କ ଉପରେ । ମା’ଙ୍କ ଆଖିରେ ତୀବ୍ର ଘୃଣା ଓ ଧିକ୍‌କାର ନିଆଁ ଭଳି ଧିକି ଧିକି ହେଉଚି ।

 

ଜୟନ୍ତ ବୁଝିପାରିଲା ଏ ଘୃଣା ଧିକ୍‌କାରର ପାତ୍ର ସରକାରୀ କେଶ୍‌ଚୋରି କରିଥିବା ସୁକାନ୍ତ ନୁହେଁ, ଆଉ ନିଜର ଇଜ୍ଜତ ବିନିମୟରେ ତାକୁ ରକ୍ଷା କରିବାକୁ ଯାଇଥିବା ସନ୍ଧ୍ୟା ନୁହେଁ, ମା’ଙ୍କର ଏ ଘୃଣାର ଶରବ୍ୟ ଜଣେ ବେକାର ନୀତିବାଗୀଶ ସେ ନିଜେ ।

 

ଜୟନ୍ତର ସମସ୍ତ ସତ୍ତା ଏକ ତୀବ୍ର କ୍ରୋଧରେ ଆଚ୍ଛନ୍ନ ହୋଇଗଲା । ତା’ର ଇଚ୍ଛାହେଲା ସେ ସବୁ ଭାଙ୍ଗି ଚୁରମାର କରିଦେବ–ଧ୍ଵଂସ କରିଦେବ । ତଣ୍ଟିଚିପି ହତ୍ୟା କରିବ ବ୍ୟାଧିଗ୍ରସ୍ତ ତା’ର ନୀଚ ସ୍ଵାର୍ଥପର ପିତା ମାତାଙ୍କୁ । ନାଃ ସେ ସହ୍ୟ କରିପାରିବନି ଏ ଉଚ୍ଛୃଙ୍ଖଳତା, ଏ ବ୍ୟଭିଚାର । ସେ ଏ କଥାର ଆଜି ସମାଧାନ କରିବ । ଜୟନ୍ତ ଦ୍ରୁତ ପାଦରେ ଅନ୍ୟ କୋଠରିକୁ ଯାଇ ତା’ ସୁଟକେଶ୍ ଭିତରୁ ବାହାରକଲା ପ୍ରାୟ ଚାରିଫୁଟ ଲମ୍ବର ଗୋଟିଏ ଶାଙ୍କୁଚ ଲାଙ୍ଗୁଡ଼ । ଏଇଟିକୁ ସେ ସଂଗ୍ରହ କରିଥିଲା ପାରାଦ୍ଵୀପରୁ । ଠିକ୍‌ ଅଛି, ସେମାନେ ଫେରିଲେ ସବୁ କଥାର ସମାଧାନ କରିବ ସେ । ସନ୍ଧ୍ୟା ସୁକାନ୍ତଙ୍କ ଦେହରୁ ଛାଲ ଉତ୍ତାରିଦେବ । ଦେଖି କିଏ ରକ୍ଷାକରିବ ସେମାନଙ୍କୁ । ଦୁଃସହ କ୍ରୋଧରେ ଦାନ୍ତ ରଗଡ଼ିଲା ଜୟନ୍ତ ।

 

ଶାଙ୍କୁଚ ଲାଙ୍ଗୁଡ଼ ହଣ୍ଟାରଟାକୁ ଟେବୁଲ୍ ଉପରେ ଥୋଇଦେଇ ଧପକରି ବସିପଡ଼ିଲା ସେ ପାଖ ଚେୟାରଟାରେ । ଉତ୍ତେଜନାରେ ତା’ର ସାରା ଦେହ ଥରୁଥିଲା ।

 

ସେଇ ଚେୟାରଟାରେ ମୂର୍ଚ୍ଛାହତଭାବେ ବସୁ ବସୁ ଜୟନ୍ତ କେତେବେଳେ ଶୋଇପଡ଼ିଚି-। ଦିନଯାକର କ୍ଳାନ୍ତି ଆଉ ଅଯଥା ଉତ୍ତେଜନାକୁ ତା’ର ସ୍ନାୟୁ ଆଉ ବେଶୀ ସମୟ ସହ୍ୟ କରିପାରିଲା ନାହିଁ । ଶୋଇ ଶୋଇ ସ୍ଵପ୍ନ ଦେଖିଲା ଜୟନ୍ତ–ସେ ମରିଯାଇଚି । ସେ ଏକା ନୁହେଁ, ତା’ର ପରିଚିତ ଅପରିଚିତ ସମସ୍ତେ ମରିଯାଇଛନ୍ତି । ଗୋଟିଏ ଲମ୍ବା ସୁଡ଼ଙ୍ଗ ଭିତରେ ସବୁ ମୃତ ଲୋକଙ୍କର ଗୋଟିଏ ପଟୁଆର ଚାଲିଛି । ସୁଡ଼ଙ୍ଗ ଭିତରଟା ଭୀଷଣ ଅନ୍ଧକାର ଆଉ ଏକ ଦୁରନ୍ତ ଘୂର୍ଣ୍ଣିଝଡ଼ ଘୂରି ବୁଲୁଚି ତା’ ଭିତରେ । ପଟୁଆରର ଲୋକଗୁଡ଼ାଙ୍କ କାନ୍ଧରେ ଗୋଟିଏ ଗୋଟିଏ ମୃତଦେହ । ସେ ବି କାନ୍ଧରେ ବୋହିଛି ଗୋଟିଏ ମୃତଦେହକୁ । ଜୟନ୍ତ ବୁଝିପାରୁଥିଲା ବୋହିଥିବା ମୃତ ଦେହଟା ତା’ ନିଜର । ତା’ ନିଜ ମୃତଦେହକୁ ସତ୍କାର କରିବାପାଇଁ ସେ ବୋହି ବୋହି ଚାଲିଛି ଜଣେ ସର୍ବଶକ୍ତିମାନ ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶରେ । ମୃତଦେହଗୁଡ଼ିକ ସାଧାରଣତଃ ଓଜନିଆ ହୋଇଥାଏ, କିନ୍ତୁ ଜୟନ୍ତ ଅନୁଭବ କରୁଥିଲା ତା’ ମୃତଦେହଟା ବେଶ୍‌ ହାଲୁକା, ତାକୁ ବୋହିବାରେ କିଛି କଷ୍ଟ ହେଉନି ।

 

ଜୟନ୍ତ ଆଶ୍ଚର୍ଯ୍ୟ ହେଉଥିଲା ତା’ର ଶବ ବୋହିବାପାଇଁ ଚାରିଜଣ ମାଲଭାଇ ମିଳିଲେନି-? ସତ୍କାର ପାଇଁ ନିଜ ଶବକୁ ନିଜେ ବୋହିବାକୁ ପଡ଼ିଲା । ଏମିତିକି ରାମନାମ ସତ୍ୟହେ କହିବାକୁ ବି କେହି ନାହିଁ ? ତେବେ କ’ଣ ସେ ଗୋଟାଏ ନାଜି ସ୍ଲେଭ୍‌ କନସେନ୍‌ଟ୍ରେସନ କ୍ୟାମ୍ପରେ ମରିଗଲା-?

 

ସେଇ ଅନ୍ଧକାର ସୁଡ଼ଙ୍ଗ ପାରିହୋଇ ଶୋଭାଯାତ୍ରା ପହଞ୍ଚିଲା ଗୋଟିଏ ସ୍ଵଳ୍ପାଲୋକିତ ପ୍ରାନ୍ତରରେ । ମରୁଭୂମି ଭଳି ଊଷର ହାଲୁକା ପ୍ରାନ୍ତର, ଯେଉଁଠି ଜୀବନର ଚିହ୍ନ ବି ନାହିଁ । ଏହା ବୋଧହୁଏ ମୃତ୍ୟୁରାଜ୍ୟ । ଆଉ ସେମାନେ ଯେଉଁ ଅନ୍ଧ ଅର୍ଗଳ ପାର ହୋଇଆସିଲେ ? କିଏ ଯେପରି ତା’ କାନରେ କହିଦେଲା ସେ ଅର୍ଗଳି ? ସେ ଜୀବନ ।

 

‘ହଲ୍‌ଟ’ ଏକ ବଜ୍ର ନିର୍ଘୋଷରେ ମରଣ ଶୋଭାଯାତ୍ରା ସ୍ତବ୍‌ଧ ହୋଇଗଲା ।

 

ଜୟନ୍ତ ଦେଖିଲା ତା’ଆଗରେ ପଛରେ ବହୁ ପରିଚିତ ମୁଖ । ସମସ୍ତେ ମୃତ । ସମସ୍ତେ ନିଜର ନିଜର ଶବକୁ କାନ୍ଧରେ ବୋହିଚନ୍ତି । ସେ ଶୋଭାଯାତ୍ରାରେ ତା’ର ପରିଚିତ ମନ୍ତ୍ରୀ, ମନ୍ତ୍ରୀଙ୍କ ପି: ଏ, ଚପ୍ରାସି, ତା’ର ବନ୍ଧୁମାନେ, ତା’ର ବାପା ମା’, ସୁକାନ୍ତ, ସନ୍ଧ୍ୟା, ସୁକାନ୍ତର ଅଫିସର ସମସ୍ତେ ଅଛନ୍ତି ।

 

ସବୁ ମୃତବ୍ୟକ୍ତି ସେମାନଙ୍କର ଶବକୁ କାନ୍ଧରୁ ଓହ୍ଲାଇ ସେମାନଙ୍କର ସମ୍ମୁଖରେ ଥୋଇଲେ । ଜୟନ୍ତ ମଧ୍ୟ ତା’ ଶବକୁ ନିଜଆଗରେ ଥୋଇଲା । ମୃତ ବ୍ୟକ୍ତିଙ୍କ ଭଳି ସେମାନେ ବୋହିଥିବା ଶବ ମଧ୍ୟ ଭାବଲେଶହୀନ । କିନ୍ତୁ ଜୟନ୍ତର ସନ୍ଦେହ ହେଲା ଯେ ତା’ ଶବଟା ବୋଧହୁଏ ମରିନାହିଁ । ଆଖି ମିଟି ମିଟି କରି ଚାହୁଁଚି ସେ ।

 

ହଠାତ୍‌ ସଙ୍କିତ ହୋଇଗଲା ଜୟନ୍ତ । ଅଦୃଶ୍ୟ ମୃତ୍ୟୁନାୟକ ବଜ୍ର ଗମ୍ଭୀର କଣ୍ଠରେ ଆଦେଶ ଦେଲା–‘କିଲ୍‌ହିମ୍‌ । ଜୟନ୍ତ ଗୋଟିଏ ରାଇଫଲ ଉଠାଇ ନେଇ ଫାୟାର କଲା । ନିଃଶବ୍ଦରେ ବୁଲେଟ୍‌ଟା ତା’ ଶବର ବକ୍ଷ ଭେଦ କରି ବାହାରିଗଲା । ଆଶ୍ଚର୍ଯ୍ୟ କଥା, ତା’ ଶବ ତଥାପି ମଲା ନାହିଁ, ଗୋଟିଏ ଯାନ୍ତ୍ରିକ ଜାପାନୀ ଡଲିଭଳି ଆଖି ମିଟି ମିଟି କରିବାକୁ ଲାଗିଲା ।

 

‘‘ହି ଇଜ୍‌ ନଟ୍‌ ଡେଡ଼୍ । କିଲ୍‍ ହିମ୍‌’’ ଜୟନ୍ତ ଶୁଣିପାରିଲା ଅଦୃଶ୍ୟ ବାର୍ତ୍ତାର ଗୁରୁଗମ୍ଭୀର ଆଦେଶ । ତା’ର ଶବକୁ ହତ୍ୟା କରିବାପାଇଁ ଏକ ହିଂସ୍ର ଉଲ୍ଲାସରେ ଶାଙ୍କୁଚ ଲାଞ୍ଜର ହଣ୍ଟାରଟା ଉଠାଇନେଇ ଜୟନ୍ତ ସଜୋର ଆଘାତ କଲା ତା’ର ଜୀବନ୍ମୁତ ଅଲାଜୁକ ଶବ ମୁହଁରେ ।

 

ଜୟନ୍ତର ନିଦ ଭାଙ୍ଗିଗଲା ।

 

ସେ ଅନୁଭବ କଲା ତା’ହାତଟା ଚେୟାରେ ହାଣ୍ଡେଲରେ ବାଡ଼େଇ ହୋଇଯାଇଚି । ଆଘାତ ସାମାନ୍ୟ, ଅଳ୍ପ ବ୍ୟଥା କରୁଚି । ଘର ଭିତରଟାରେ ଅସ୍ପଷ୍ଟ ଅନ୍ଧାର । କୃଷ୍ଣ ତିଥିରେ ଜହ୍ନ ଝରକାବାଟେ ଦିଶୁଚି । ଶାଙ୍କୁଚ ଲାଞ୍ଜ ହଣ୍ଟାରଟା ଟେବୁଲ୍ ଉପରେ ନିରୀହଭାବେ ଶୋଇ ରହିଚି ।

 

ଦାଣ୍ଡକବାଟଟା ସେ ଖୋଲା ରଖିଥିଲା । ସେଟା ବନ୍ଦକରି ଭିତରୁ ଶିକୁଳି ଦିଆଯାଇଚି । ଅର୍ଥାତ୍‌ ସନ୍ଧ୍ୟାହେରିକା ଫେରିଚନ୍ତି । ଆରଘରୁ ତିନୋଟି ଘୁମନ୍ତ ମଣିଷଙ୍କ ନିଃଶ୍ଵାସର ଶବ୍ଦ ଶୁଭୁଚି । ଜୟନ୍ତ ଚେୟାରଟାରୁ ଉଠି ଅଳସ ଭାଙ୍ଗିଲା । ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଯାଇ ସୁରେଇରୁ ଗଡ଼ାଇ ଗ୍ଲାସେ ପାଣି ପିଇଲା । ତା’ପରେ ଆସି ଲମ୍ବ ହୋଇ ଶୋଇଗଲା ତା’ ବିଛଣାରେ ।

 

ପ୍ରଥମ ଶ୍ରେଣୀ ମାଜିଷ୍ଟେଟ୍‌;

ଯାଜପୁର, କଟକ

Image

 

ଜଲି ଓ ମହାନଦୀ : ମହାନଦୀ ଓ ଜଲି

ପୂର୍ଣ୍ଣାନନ୍ଦ ଦାନୀ

 

ମହାନଦୀ ମୋଟେଇଛି ଜଲି ଭଳି ନା ଜଲି ମୋଟେଇଛି ମହାନଦୀ ଭଳି–ଏ କଥା ମୁଁ ସ୍ଥିର କରିପାରୁନି, ଉଭୟେ କିନ୍ତୁ ମୋଟେଇଛନ୍ତି, ୟା’ ସତ । ସତ ବୋଲି ସତ ।

ମହାନଦୀ ଓ ଜଲି, କବିର କବିତା ବା କବିତାର କବି ।

ଜଲି ପାଦ ଦେଇଛି କଲେଜରେ ଏବଂ ଠେସାଠେସି ଯୌବନ ।

ମହାନଦୀ ପାଦ ଦେଇଛି ଶ୍ରାବଣରେ । ଯୌବନ ରିମ୍‌ଝିମ୍‌ ।

ପର୍ଦ୍ଦାହୀନ–ଲଙ୍ଗଳା ବର୍ଗାକାର ଝର୍କା । ତାଦେଇ ମହାନଦୀର ଯୌବନକୁ ଉପଭୋଗ କରିବାର ସଉକ ମୁଁ ବେଶ୍‌ ଶିଖିନେଇଛି । କିନ୍ତୁ ମହାନଦୀକୁ କୁଣ୍ଢେଇ ଧରିବାର ଦୈର୍ଘ୍ୟତା ମୋର ବାହୁବଳୟର ଭାଗ୍ୟରେ ନାଇଁ । ଆଃ...ମହାନଦୀ ! (‘‘ଏ ଦେଶର ସବୁକିଛି ମହାନ...’’ ଉତ୍କଳମଣି ଗୋପବନ୍ଧୁ) ପ୍ରତି ଶ୍ରାବଣରେ ଆସେ ତାର ଟିପ୍‌ଟିପ୍‌ ଯୌବନ । ମୋଟି ଝିଅ ମହାନଦୀ । ତା’ର କିନ୍ତୁ ନଗ୍ନ ତନୁ ଉପଭୋଗ୍ୟ । ଏପାଖର ସବୁଜ ଭିତରୁ ମୁଁ ଲକ୍ଷ୍ୟକରେ ଆରପାଖ ସବୁଜକୁ ଏବଂ...

....ଜଲି ମନେପଡ଼େ ମହାନଦୀର ଦର୍ପଣରେ । ଯୌବନରେ ପାଦଦେଇଛି ଜଲି । ମେଦବହୁଳା ଜଲି । ଲିଲି ଫୁଲ ଜଲି । ଏସ୍‌, ଜଲି କେତେ ମୋଟି ହୋଇଛି, ତା’ ପକ୍ଷେ କିନ୍ତୁ ମନ୍ଦ ନୁହେଁ, ବରଂ ସୁନ୍ଦର...

‘‘ଦାନୀବାବୁ, ସେ ଫାଇଲ୍‌ର କାମ ଶେଷ ହେଲା ?’’

–‘‘ଆଜ୍ଞା, ହେଉଛି...’’

–‘‘କ୍ୟୁଇକ୍‌, ଡୋଣ୍ଟ ବି ଅନ୍‌ମ ଇଣ୍ଡଫୁଲ...’’ (ହେଡ଼୍‌କ୍ଳର୍କଙ୍କର ଚେତାବନୀ ।)

ଲିଲି ଫୁଲ ଭଳି ଜଲି । ଜଲି ଭଳି ଜଲି । ତା’ ପିଠିପଟେ ଛିଡ଼ାହେଲେ, ଛାତି ଦେଖାଯାଏନା ଏବଂ ଛାତିକୁ ଦେଖିଲେ, ପିଠି ଦେଖାଯାଏନା । ମୁଁ ଭାବୁଛି, ମୋ ବାହୁବଳୟ ତା’ ପକ୍ଷେ ନିଶ୍ଚେ ଛୋଟ ହେବ ସେ ଏତେ ମୋଟି...ଅଥଚ ସୁନ୍ଦର...ଯେମିତିକି ମହାନଦୀ । ଶ୍ରାବଣର ଓ ଆଜିକାର ମହାନଦୀ । ‘ବାଲି ବଂଧା’ଠାରେ ଏକୋଇଶ୍‌ (ମୋ ବୟସ ବା ଜଲିର ବୟସ ନୁହେଁ ।) ଫୁଟ ପାଣି ସର୍କାରୀ ଇସ୍ତାହାର, ମହାନଦୀର ଯୌବନ । ବର୍ଗାକାର ଝର୍କାଦେଇ ଦେଖିଲେ, ତା’ର ଆଖପାଖ ମନେହୁଏ ଏକ ସ୍କ୍ରିନ୍‌ । ବର୍ଷାର ରିମ୍‌ଝିମ୍‌ । ଉଚ୍ଚ ତାଳଗଛ ଓ ଅନ୍ୟାନ୍ୟ ଗଛ । ପଡ଼ିଆ । ଛୋଟ ପାହାଡ଼ । ଦେଉଳ ଓ କେତୋଟି ଗାଁ–ଘର । ନାଟକର ଗ୍ରାମ୍ୟ–ଦୃଶ୍ୟର ସ୍କ୍ରିନ୍‌ ଏବଂ ଚା’ରଙ୍ଗ ମହାନଦୀର ପାଣି । ମଝି ମହାନଦୀ ଓ ମଝିର ସଙ୍ଗୀତ ଭିତରେ ଆସି ଛିଡ଼ାହୁଏ ‘ଜଲି’ ।

ଜଲି ଦେହରେ ଆସିଛି ବନ୍ୟା । ଭଉଁରୀ ଖେଳୁଛି । ତରଙ୍ଗର ସଲିଳକି–ରଙ୍ଗ ଫୁଟିଛି ଜଲିର ଏକ ସ୍ଵଗତ ସଂଳାପ ଏବଂ ତାକୁ ପିଇବାକୁ ଇଚ୍ଛାହୁଏ ଚାମୁଚ ଚାମୁଚ । ତା’ ଦେହରେ ଆଗତ ବନ୍ୟାକୁ କିମିତି ବା ଲଙ୍ଘିହେବ ?

 

‘‘ଏ କୂଳରୁ ଆର କୂଳକୁ ସିଧା ପାରିହେବା ସମ୍ଭବ ନୁହଁ ମହାନଦୀ ସ୍ରୋତରେ ।’’–ମୋର ଜଣେ ବନ୍ଧୁ ଏକଦା ମ୍ୟାଥ୍‌ମେଟିକ୍‌ସ ଫର୍ମୁଲା ସାହାଯ୍ୟରେ ମୋତେ ବୁଝେଇଥିଲେ–‘‘ନୌକାକୁ ସ୍ରୋତ ନିଶ୍ଚୟ ଭସେଇ ନେଉଥିବ । ଆର କୂଳରେ ପହଞ୍ଚିବା ସମୟକୁ ଦେଖାଯିବ ଯେ ତମେ ସିଧା ପହଞ୍ଚିପାରିନ । ମାଝିର ସେ ଶକ୍ତି ନାଇଁ–ନୌକା ତମକୁ କେବଳ ପାରି କରିପାରେ ।’’

 

ଜଲି ଦେହର ଯେଉଁ ବନ୍ୟା, ତାକୁ ପାରିହେବାର ଉପାୟ ମୁଁ ଖୋଜିହେଉଛି । ତା’ର ସ୍ରୋତ ଭସେଇ ନେଇପାରେ । ତା’ ସ୍ରୋତରେ ଅନେକ ନୌକା ହୁଏତ ଭାସି ସାରିଥିବ, କିଏ କହିପାରିବ ? ଏଠାରେ ପୂର୍ବୋକ୍ତ ମ୍ୟାଥ୍‌ମେଟିକ୍‌ସିଆନ ବନ୍ଧୁଙ୍କୁ ନିମନ୍ତ୍ରଣ କରି ମୋତେ ଏଥିପାଇଁ ଫର୍ମୁଲା କ’ଣ ପଚାରିବାକୁ ହେବ ! ମୋଟି ଜଲି ଦେହରେ ପୋଲ ଗଢ଼ିବା ପାଇଁ ଟେଣ୍ଡର ନୋଟିସ୍‌ ଦିଆଯାଇପାରେ, ନିଜକୁ । ପୋଲ ଅପେକ୍ଷା ନୌକାବିହାର ଆମୋଦଦାୟକ ଏବଂ ଜଲିର ଯୌବନ....

 

–‘‘ଦାନୀବାବୁ, ହେଲା.... ?’’

 

–‘‘ଏଇ ହେଲା ଆଜ୍ଞା.... ।’’

 

–‘‘ଦେଖ, ଅଫିସର ଦେଖିବେ, ବି କୁଇକ୍‌...’’ ହେଡ଼କ୍ଳର୍କଙ୍କର କିଭଳି ଦୁଇଟା ଆଖି ।

 

ସାହେବ, ଦସ୍ତଖତ ଓ ଫାଇଲ୍‌ଚାଷ । ଦାସବାବୁ, ନାଥବାବୁ, ବିଶ୍ଵାଳବାବୁ...ଇତ୍ୟାଦି । କି କଦର୍ଯ୍ୟ ଆବହାଓ୍ୱା ! .....ମାତ୍ର ହାୟ, ମୁଁ ଯେମିତିକି ଏକ ମୂର୍ତ୍ତି । ହେ ଦୟାମୟ–ମୋତେ କେବଳ ଦୁଇଟି ଡେଣା ଦିଅ....

 

ଲଙ୍ଗଳା ଝର୍କାରେ ପରିଧେୟ ପର୍ଦ୍ଦା ନାହିଁ । ମୋଟି ଝିଅ ମହାନଦୀ ତେଣୁ ଡାକିଆଣେ ଜଲିକୁ ଆପେ ଆପେ । ଜଲିକୁ କେବେ ମୁଁ ନିମନ୍ତ୍ରଣ କରିନାଇଁ । ଜଲି ଆସେ । ମହାନଦୀକୁ ଜଲି ହୁଏତ ପାରିହୁଏ କିମ୍ବା ପାରି ନ ହେଲେ, ଖିଲି ଖିଲି ହସେ, ଯେମିତିକି ମହାନଦୀ ହସୁଛି, ଉପରେ କଳାଧଳା ମେଘ ଦ୍ଵାରା ସ୍ପେକରା ଆକାଶ ସେ ହସକୁ ଢାଙ୍କି ନ ପାରି ବିଫଳ ହେଉଛି ।

 

ଜଲି କିନ୍ତୁ ବେଶ୍ ହସେ । ହସ ବୋଲି ହସ ! (ମୁଁ ବି ତା’ ସହିତ ହସିପାରନ୍ତି....)

 

ରିମ୍‌ଝିମ୍‌ ଶ୍ରାବଣ ଖସିଲେ, ମୋଟି ମହାନଦୀର ହସ ଧୀରେ ଧୀରେ ବନ୍ଦ ହେବ । ଜଲିର ହସ....

 

–‘‘କ’ଣ ଦାନୀ, କାମ ଚାଲିଚି ? ପ୍ରକୃତି ଉପଭୋଗ କରୁଛ କି ?’’

 

(ଚୋପ୍‌....ଚୋପ୍‌.....ସାହେବ । ଅଫିସ୍‌ ଗୁମ୍‌ସୁମ୍‌)

 

–‘‘ନା, ସାର୍, ଆଜି ନଈ ଖୁବ୍‌ ବଢ଼ିଛି, ଦେଖୁଥିଲି....’’

 

–‘‘ନଈ ତ ବଢ଼ିଛି, ସତ, ତମେ କାମ ଚଲେଇଚ ତ । ଦେଖି ସେ ଫାଇଲଟା....ଏ କ’ଣ କବିତା–‘‘ଜଲି ଓ ମହାନଦୀ, ମହାନଦୀ ଓ ଜଲି.......’’

 

–‘‘ସାର୍ ?’’

 

–‘‘ୟୁ’ଦାନୀ, ବି ମାଇଣ୍ଡଫୁଲ, ଆଇ ସେ, ମନେ ରଖ, ୟେ ଅଫିସ୍...’’

 

ଅଫିସର ଆଗେଇଗଲେ ଥମ୍‌ ଥମ୍‌ । ସହକର୍ମୀମାନଙ୍କର କିମିତି ଦୃଷ୍ଟି, ଭଙ୍ଗୀ ଓ ହସ, ଏବଂ ହେଡ଼କ୍ଳର୍କଙ୍କର ଦୁଇଟି କେମିତି ଆଖି......

 

କିନ୍ତୁ ସେଥିରେ ମୋର ଯାଏଆସେ....

 

ସହକର୍ମୀ ନାଥବାବୁ କହୁଛନ୍ତି– ‘‘ଅଶୀ ଟଙ୍କାର କିରାଣି ଓ ଅଫିସରଙ୍କ ଝିଅ(ଜଲି) ।’’ ପରେ ହସ ଓ ସାମଗ୍ରିକ ହସ ।

 

ସତ କଥା–ଅଶୀ ଟଙ୍କାର କିରାଣି, ବି.ଏ. ଶେଷ ପରେ ଏବଂ ଅଫିସରଙ୍କ ଅଲିଅଳ ଝିଅ ଜଲି । ଜଣେ ବନ୍ଧୁ ଏକଦା ହସି ହସି କହିଥିଲେ–‘‘ଅଶୀ ଟଙ୍କାର କିରାଣି ଓ ତା’ର ଅଠର ହଜାରର କାର୍‌, ସ୍ଵପ୍ନ.....’’

 

ଜଲି ଘରେ ଅବଶ୍ୟ କାର୍‌ ଅଛି ।

 

ଜଲିର ତେଣୁ ହସ–

 

ଜଲିର ହସ କିନ୍ତୁ ବନ୍ଦ ହେବ ହିଁ ହେବ....ରହ ଫିକାପଡ଼ିଲେ ବା ହସି ହସି ବେଦମ ହେଲାପରେ ।

 

କଲେଜରେ ପାଦଦେଇଛି ଜଲି ଓ ଖୁନ୍ଦାଖୁନ୍ଦି ଯୌବନ । ଶ୍ରାବଣରେ ପାଦଦେଇଛି ମହାନଦୀର ଯୌବନ ରିମ୍‌ଝିମ୍‌ ।

 

‘‘ଜଲି ଓ ମହାନଦୀ, ମହାନଦୀ ଓ ଜଲି ।’’

 

ୟା’ ସତ, ଉଭୟେ ମୋଟେଇଛନ୍ତି, କିନ୍ତୁ ମହାନଦୀ ମୋଟେଇଛି ଜଲି ଭଳି ନା ଜଲି ମୋଟେଇଛି ମହାନଦୀ ଭଳି !!!

 

ଏ କଥା ମୁଁ ସ୍ଥିର କରିପାରୁନି ।

 

ଦାନୀକୁଟୀର

ମହାନ୍ତିପଡ଼ା, ସମ୍ବଲପୁର

Image

 

ରାଧା ଗୋବିନ୍ଦର ଉପକଥା

ଫନୀ ମହାନ୍ତି

 

ଶନିବାର : ପଚିଶ ତାରିଖ

 

ଆଜି ଶନିବାର । ଆଜି ହିଁ ମୋର ବାଁ ଆଖିଟା ଡେଇଁବା ଆରମ୍ଭ କରିଛି । ଫକ୍‌ ଫକ୍‌ ଡେଉଁଛି ଖଟତଳୁ କବାଟ କୋଣ, କବାଟ କୋଣରୁ ଭାଡ଼ିଆ ସନ୍ଧିକୁ ଡେଉଁଥିବା ଉଦ୍ଧତ ବେଙ୍ଗଟିଏ ପରି । ଶନିବାର ଏକ ଅଶୁଭ ବାର । ଶନିବାର ଯାତ୍ରାରମ୍ଭ ନିଷେଧ । ଭଲ କାମରେ ମନ ବଳାଇବାକୁ ମନା । ପିଲାଦିନେ ବୋଉ ଶନିପୂଜା କରୁଥିଲା ମୋ ପାଇଁ । ଶନିବାରଟିଏ ଆସିଗଲେ ବୋଉର ବ୍ୟସ୍ତତା ହଠାତ୍‌ ବଢ଼ିଯାଏ । ଶାସନୀଆ ବ୍ରାହ୍ମଣଟିଏ ଡାକି କଦଳୀ ପତ୍ରରେ ଚୂଡା, ଦହି, ନଡ଼ିଆର ଏକ ଭୂରି ଭୋଜନରେ ଆପ୍ୟାୟିତ ନ କଲା ପର୍ଯ୍ୟନ୍ତ ସେ ଖାଲି ଘରୁ ବାହାର ଓ ବାହାରୁ ଘର ହେଉଥାଏ । ମୋର ଅନିଚ୍ଛା ସତ୍ତ୍ୱେ ଟାଣି ଟାଣି ନେଇ ବ୍ରାହ୍ମଣଙ୍କ ଉଚ୍ଛିଷ୍ଟ ଖୁଆଏ । ସେଇ ଗୋଦରା ଗୋଡ଼ିଆ ଶାସନୀ ବ୍ରାହ୍ମଣ ମହାପ୍ରଭୁଙ୍କ ଗୋଡ଼ତଳେ ମୋ ମୁଣ୍ଡ ନ ଲାଗିଲା ଯାଏଁ ସେ ମୋ ହାତକୁ ଟାଣକରି ଧରିଥାଏ । ମୁଁ ପ୍ରତିବାଦ କରିପାରେନି । କାରଣ ସେ ମୋର ବୋଉ । ନିଜ ଅଜାଣତରେ ରହିଯାଇଥିବା କେତେକ ସ୍ନାୟୁଗତ ଦୁର୍ବଳତା ହୁଏତ ଏଥିପାଇଁ ଦାୟୀ ।

 

ଏମିତି ଅଭିନୟ ଅନେକ ଦିନ ଧରି ଚାଲିଛି ଏ ଘରେ । ଦିନୁଦିନ ମୋର ବୟସ ବଢ଼ିଛି-। ରାସ୍ତାରେ ଚାଲିଲାବେଳେ ମୁଁ ଖୁବ୍‌ ଗମ୍ଭୀର ଦିଶୁଛି । ପ୍ରକାଶ୍ୟରେ ଆଗ ପରି କୌଣସି ଅଶୋଭନୀୟ କାର୍ଯ୍ୟ କରିବାକୁ ଲାଜ ମାଡ଼ୁଛି । ମୋ ହାତରେ ବୋଉ ବାନ୍ଧି ଦେଇଥିବା ସେ ଶନି ବିଗ୍ରହର ତମ୍ବା ଡେଉଁରିଆଟି ଏପର୍ଯ୍ୟନ୍ତ ବି ରହିଛି । ବୋଉର କଡ଼ା ତାଗିଦ୍‌ ତାକୁ ହାତରୁ ଅଲଗା ନ କରିବା ପାଇଁ । ସବୁକଥା ମୁଁ ବାଧ୍ୟ ଛାତ୍ରଟି ପରି ମାନିନେଇଛି । ସେ ମୋର ବୋଉ । ମୋତେ ଦଶମାସ ଗର୍ଭରେ ଧରିଛି । ଅନ୍ତ ଫାଡ଼ି ଜନ୍ମ ଦେଇଛି । ତା’ ସ୍ତନରୁ କ୍ଷୀର ଦେଇ ବଢ଼େଇଛି । ତା’ ବଳ ବୟସ ରକ୍ତ ମାଂସକୁ ଟୁକୁରା ଟୁକୁରା କରି ମୋତେ ସେ ମଣିଷ କରିଛି ।

 

ତା’ର ଏକା ଜିଦ୍‌ ସେ ଭଗାରିଙ୍କ ପାଖେ ମୁଣ୍ଡ ନୂଆଁଇବ ନାହିଁ । କାହାରି ଦୟାର ପାତ୍ରୀ ହେବନି । ତା’ ପିଲାଏ ମଣିଷ ପିଲାପରି ବଞ୍ଚିବେ । ନିଜ ଗୋଡ଼ରେ ଛିଡ଼ା ହେବେ । କେହି ଯେମିତି ଦୟା ଦେଖାଇ ନ କୁହନ୍ତି ଯେ, ‘‘ଆହା, ନିରିମାଖି ବାପା ଛେଉଣ୍ଡ ଅଧମ ପିଲାଏ !’’

 

ବୋଉ କଥା ଆଜି ମୋର ସବୁ ଗୋଟି ଗୋଟି ହୋଇ ମନେପଡ଼ୁଛି । ଆଜି ଶନିବାର କି ନା !

 

ଆଜି ଯଦି ବୋଉ ମୋର ଥାନ୍ତା, ମୁଁ ତା’ ପାଖେ ଚୁଲିମୁଣ୍ଡେ ଗୁଞ୍ଜି ଗାଞ୍ଜି ହୋଇ ନିଆଁ ପୋଉଁଥାନ୍ତି । ତା’ ପାଖେ ଅଳି ଅଝଟ କରି ପଚାରନ୍ତି, ‘‘ବାଁଆଖି ଡେଇଁଲେ ଖରାପ ହୁଏ ବୋଲି ଶାସ୍ତ୍ରରେ ଲେଖାଅଛି ବୋଉ ? ଏମିତି ସବୁ ଭୟ ସଚରାଚର ଏ ପୃଥିବୀରେ ଚଲାବୁଲା କରନ୍ତି କାହିଁକି ? ମଣିଷ ମନରେ ଏମିତିକା ଭୁତ ଭୟ କିଏ ଚପେଇ ଦେଇଛି ।’’ ମୁଁ କାହାକୁ କିଛି କହିଲିନି-

 

କେଉଁଆଡ଼େ ବି ବୁଲିଗଲିନି । ମନକୁ ମନ ଟେବୁଲ୍ ଉପରେ ମୁହଁମାଡ଼ି କେତେ କାନ୍ଦିଲି-। ଦର୍ପଣରେ ମୁହଁ ଦେଖିଲି । ଆହା, କେମିତିକା ସିଝା ବାଇଗଣ ପରି ଦିଶିଲାଣି ମୁହଁଟା । ମୁଁ କିଛି ପଢ଼ି ପାରିଲିନି । ଅକ୍ଷର ସବୁ ମୋତେ ଜାଲୁଜାଲୁଆ ଦିଶିଲେ, ମୋ ଘରେ ପୂଜା ପାଉଥିବା ଦିଅଁ ଦେବତାମାନେ ବାଘ ଭାଲୁ ପରି ଦେଖାଗଲେ । ‘ଦି ଉଇମେନ୍‌ ଡ୍ରେସ୍‌ଟୟେଡ଼୍‌’, ‘କବିତା ଉଣେଇଶ ବାସ୍ତରୀ’, ‘ଅରଣ୍ୟ ଓ ଉପବନ’, ପ୍ରଭୃତି ବହିସବୁ ଇତସ୍ତତଃ ଭାବେ ପଡ଼ିଥାଏ । ଏ ଶନିବାରଟା ସତରେ ଆଉ ଆସନ୍ତାନି କି ।

 

ରବି, ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର ।

 

ବାସ୍‌ ସେତିକି । ସେଇଠି ହିଁ ବାରର ସମାପ୍ତି ହୁଅନ୍ତା । ଆଃ ! କି ମଜା ହୁଅନ୍ତା !

 

ରବିବାର : କୌଣସି ଏକ ଦ୍ଵିପ୍ରହର ବେଳା ।

 

ଦେବାଶିଷ ଆସି କହିଲା, ଏମିତିକା ଡାଏରୀ ଲେଖି କିଛି ଲାଭ ନାହିଁ । ଭାବପ୍ରବଣତା ହିଁ ମଣିଷର ପ୍ରଧାନ ଶତ୍ରୁ । ଯେକୌଣସି କାମ ହାତକୁ ନେବା ପୂର୍ବରୁ ଭଲକରି ଚିନ୍ତା କରି ଦେଖିବା କଥା । ସତ୍ୟର ଅପଳାପ କିମ୍ବା କଦର୍ଥ, କୌଣସିଟା ଶୋଭନୀୟ ନୁହେଁ ।

 

ଦେବାଶିଷ ନିପଟ ମିଛକଥା କହିନି ବା ମୁଁ ତା’ କଥା ଉପରେ ବିଶେଷ ଗୁରୁତ୍ଵ ଦେଇନି-। ମୁଁ ଅନ୍ୟର ମତକୁ ଉପେକ୍ଷା କରେନି । ତା’ ବୋଲି ମୁଁ ଯେ ଦିନେ ନିଜ ଉପରୁ ବିଶ୍ଵାସ ତୁଟାଇଦେଇ ନିଜ ସହିତ ଏକ ରଫା କରିବସିଚି, ଏମିତି କେବେ ଆଗରୁ ଭାବିନଥିଲି । ଯିଶୁଙ୍କ ବାର । ରବିବାର । ରବିବାର ଯୀଶୁଙ୍କ ମୁହଁ ଖୁବ୍ ପ୍ରସନ୍ନ ମୋତେ ଦିଶେ । ଯେମିତି ଦର୍ଶନ ବେଳେ ଦେବୀ ମୋତେ ଦିଶନ୍ତି । ମୁଁ ଚାଲିବୁଲି କଟକରେ ଦେବୀମେଢ଼ ଦେଖିବାକୁ ଭଲପାଏନା । ଭିଡ଼ ଭିତରେ ପଶିଲେ ମୋର ଶ୍ଵାସ ରୁଦ୍ଧ ହୋଇଯାଏ । ଯେକୌଣସି ଦେବୀ ମୂର୍ତ୍ତିକୁ ମୁଁ ଦୂରରେ ମୁଣ୍ଡିଆଟିଏ ମାରିପାରେ । ରବିବାର ମୋତେ ଭଲଲାଗେ ଏଇ କାରଣରୁ ଯେ, କୌଣସି ଏକ ବିଶ୍ଵାସର ପ୍ରତୀକ ମତେ ଜୋର୍‌କରି ବାନ୍ଧି ରଖେ । ମୁଁ ସଂପୂର୍ଣ୍ଣଭାବେ ଆତ୍ମସତ୍ତା ହରାଇବସେ-। ଚର୍ଚ୍ଚ ଯାଏ । ମନ୍ଦିର ଯାଏ । ମସଜିଦକୁ ବେଳେବେଳେ ଯାଏ । ତନ୍ମୟ ହୋଇ ହୋଇ ସୁଧୀର ବାଳକଟି ପରି ବସି ଶୁଣେ । ଈଶ୍ଵର ପୃଥିବୀକୁ ସୃଷ୍ଟି କଲେ ବା ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ଵର ବିଶ୍ଵାସ ଛିନ୍ନ ରୂପରେ ରହିଥିଲା, ସେ ତତ୍ତ୍ଵ ବାର୍ତ୍ତା ସମ୍ପର୍କରେ ବାଖ୍ୟା କରୁଥିବା ଚର୍ଚ୍ଚର ଫାଦର୍‌, ରାମାନନ୍ଦି ଚିତାକଟା ଲମ୍ବାମୁଣ୍ଡିଆ ବ୍ରାହ୍ମଣ ବା ମୌଲାନାଙ୍କ ଭାଷା ଶୁଣିବାକୁ ମତେ ଭଲଲାଗେ ନାହିଁ । ମୁଁ ନିର୍ବାକ୍‌ ହୋଇ ଯାହା ମୂର୍ତ୍ତି ଦେଖୁଥାଏ ।

 

ରବିବାର : ଏକ

 

[ପ୍ରଥମେ ପ୍ରଥମେ ରବିବାର ମୋତେ ମୋହ କରି ରଖୁଥିଲା, ମୋର ସମସ୍ତ ଅଳି ଅଝଟ ନିର୍ବିବାଦରେ ସହି ଯାଉଥିଲା । ଯେମିତି ମନ୍ତ୍ର ମୁଗ୍‌ଧ ସାପଟିଏ ଫୁଲେଇହୋଇ ଲାଞ୍ଜରେ ଠିଆ ହୋଇଛି । ଜିରାଫର ବେକ ମୋର ଆକାଶକୁ ଛୁଇଁଛି । ମୁଁ ସ୍ଵର ଶୁଣୁଛି । ସ୍ନେହ, ପ୍ରେମ, ବାତ୍ସଲ୍ୟ, ଈର୍ଷା, ଘୃଣା ଓ ତିତିକ୍ଷାର । ସବୁ ମିଳିତ ସ୍ଵରର ଏକ ମଧୁର ଗୁଞ୍ଜରଣ । ଯାହାକି ମୋତେ ପ୍ରଲୁବ୍‌ଧ କରି ରଖିଥିଲା ଅନେକଦିନ ପର୍ଯ୍ୟନ୍ତ ।]

 

ରବିବାର : ଦୁଇ

 

[ମୋର ଆଖିରେ ଭିନ୍ନରୂପ ନେଲା ରବିବାର । ପୋଷାକ ପରିଚ୍ଛଦ ବଦଳାଇଦେଲେ ନାରୀଟିଏ ହଠାତ୍‌ ଯେମିତି ଦିଶେ । ଆଃ, କି ଆକର୍ଷଣ ! କି ସମ୍ମୋହନ ଭାବ ! କୋଣାର୍କର ନଗ୍ନ ନଟିଟିଏ ଯେମିତି । ମୁଁ ଆପେ ଆପେ ଟାଣି ହୋଇଯାଏ । ତା’ର ନୁଖୁରା ବାଳକୁ ସାଉଁଳେଇ କେତେ ଗେଲ କରେ । ତା’ ଦେହର ବାସ୍ନା ବାରେ । ଗ୍ରେଗୋର ପରି ମୁଁ ଲମ୍ଫଦିଏ, ତଳୁ ଉପରକୁ, ଉପରୁ ତଳକୁ । ଅନ୍ତିମ ପରିଣତି କଥା ଚିନ୍ତା କରିପାରେନି । ମୋ ଅଜାଣତରେ ମୋର ଦେହ ଉଲୁସିଉଠେ । ମୁଁ ସ୍ଵଚ୍ଛଳ ଭାବେ ପ୍ରକାଶ କରିପାରେନି କାହାଆଗେ । ଶବ୍‌ଦ ସବୁ ମୋ ପାଇଁ ଅର୍ଥହୀନ ହୋଇଯାନ୍ତି ବା ସେମାନଙ୍କର ସାମର୍ଥ୍ୟ ନ ଥିବା ପରି ମନେହୁଏ । ତଥାପି ମୁଁ ମାଡ଼ି ମକଚି କସରତ କରି ଡାଏରୀରେ ଫର୍ଦ ଫର୍ଦ ଲେଖେ । ନୀଳ ଲଫାଫା, ସବୁଜ ରଙ୍ଗର ସ୍ୟାହୀ । କେତେ କ’ଣ ଭାବନା ମୋ ମନକୁ ଜୁଟେ । ବେଳେବେଳେ କବିତା ଲେଖିବାକୁ ମନହୁଏ । ମଧ୍ୟରାତ୍ରିରେ ସ୍ଵପ୍ନ ସିଡ଼ିରେ ଚଢ଼ିବାକୁ ଇଚ୍ଛାହୁଏ । ମୃତ୍ୟୁ ଭୟଟାରୁ ଦୂରେଇ ଯିବାକୁ ସାଧ୍ୟମତେ ସବୁପ୍ରକାର ଉଦ୍ୟମ କରେ ।]

ରବିବାର : ତିନି

ଆଃ, ରବିବାର ମୋତେ ଦାନ୍ତ ନିକୁଟି ଖତେଇ ହେଉଚି । ମୋ ଆଗରେ ଅଧା ଲଙ୍ଗଳା ବୁଢ଼ୀଟିଏ ପରି (ଅସାବଧାନତା ହେତୁ ହୋଇପାରେ) ଗୋଡ଼ ହାତରୁ ଲୁଗା କାଢ଼ି ବସିଚି । ମତେ ଖାଁ ଖାଁ ଲାଗୁଛି । ମୋ ମନ ଭିତରକୁ ଜବରଦସ୍ତ କେମିତି ସବୁ ଭୂତଭୟ ପଶିଆସୁଚି । ମୁଁ ଭାରସାମ୍ୟ ହରେଇ ବସୁଚି । ମୁଁ ବିଚଳିତ ହୋଇପଡ଼ୁଚି ।

ମୁଁ ବାରମ୍ବାର ହାତ ଘଣ୍ଟାକୁ ଅନେଇ ଦେଖିଛି । ଘଣ୍ଟାର କଣ୍ଟା ସବୁ ବନ୍ଦ ହୋଇଯାଇଚି-। ମୁଁ ସମୟ ଠଉରେଇ ପାରୁନି । ମୁଁ ବିରକ୍ତରେ ସିଗାରେଟରେ ନିଆଁ ଧରଉଚି, ଲିଭାଉଚି, ପୁଣି ମୁଁ ନିଆଁ ଲଗାଉଚି । ଅଣନିଃଶ୍ଵାସୀ ହୋଇଯାଉଚି ମୁଁ । ମୋର ଚାରିକଡ଼େ ନିଃସଙ୍ଗତା ଗୁଡ଼େଇ ତୁଡ଼େଇ ହୋଇଯାଇଚି । ଭୁସ୍‌ଭାସ୍‌ କ’ଣ ସବୁ ଟଳିପଡ଼ୁଛି । କ’ଣ ? ମାନବିକତା ? ଦାୟିତ୍ଵବୋଧ-? କ’ଣ ସବୁ ପ୍ଲାସଟିକର ସାପ ବେଲୁନ ଦେଖି ଦେଖି ମୁଁ ଭୟରେ ଚିରଚିରେଇ ଉଠୁଚି-। ମନରେ ଅସଂଖ୍ୟ ପ୍ରଶ୍ନ ମୁଣ୍ଡ ଟେକିଉଠୁଛି । ‘‘ମୁଁ କ’ଣ ଆଉ ମୁଁ ହୋଇ ନାହିଁ-? କ’ଣ ବା ମୋର ଅପରାଧ-?’’

ରବିବାର ଆସିଗଲେ ତା’ର ଦାନ୍ତ ନ ଥିବା ପାନଖିଆ ପାକୁଆ ପାଟିକୁ ଦେଖେଇ ଦେଖେଇ, ମୁଁ ସାନପିଲା ପରି ଡରରେ କବାଟ କିଳିଦିଏ । ମୋର ଇଷ୍ଟ ଦେବତାଙ୍କୁ ଡାକ ଛାଡ଼େ । ମନକୁ ମନ କେତେ ଭଙ୍ଗା ଭଙ୍ଗା ଶ୍ଳୋକର ପଂକ୍ତି ଆବୃତ୍ତି କରେ । ‘‘ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ରବିବାରକୁ ଉଠାଇନିଅ ପ୍ରଭୁ । ବୋମା ଫିଙ୍ଗି ଧ୍ଵଂସ କରିଦିଅ ରବିବାରର ଅସ୍ତିତ୍ଵ । ରବିବାରର ସ୍ମୃତିକୁ ବିଖଣ୍ଡିତ କରିପକାଅ । ଛୁରୀଭୂଷି ରବିବାରର ଅନ୍ତନାଡ଼ୀ କାଢ଼ି ଦେଖାଇଦିଅ ପ୍ରଭୁ ! କେତେଦିନ ଏମିତି ନିର୍ବୋଧ ଭାବେ ଜୀବନ ବିତାଇବ ମଣିଷ ! କେତେଦିନ ହୁକୁମର ଦାସ ହୋଇ ଚୁପ୍‌ଚାପ୍‌ ମୁହଁ ବନ୍ଦ କରି ରହିଥିବ ! ଆଉ ରବିବାରଟିଏ ଆସିଗଲେ ନିର୍ବାସନ ଦଣ୍ଡ ଭୋଗୁଥିବା ବନ୍ଦୀଟିଏ ପରି ଜୁଳୁଜୁଳୁ ଆଖି କରି ଶୂନ୍ୟତାର ସିଡ଼ି ଗଣୁଥିବ !’’

ମାର୍ଗଶିର ଶୁକ୍ଲପକ୍ଷ, ୩୦ ତାରିଖ ସୋମବାର

ପୂର୍ବଦିଗକୁ ଯାତ୍ରା ଆରମ୍ଭ ହେବାର ପର୍ବ । ରକ୍ତ ବସ୍ତ୍ର ପିନ୍ଧା ମଣିଷଟିଏ ପରି ଆକାଶରୁ ସୂର୍ଯ୍ୟଦେବ ଉଠି ଆସୁଥିଲେ । ହାତରେ ଧରିଥିବା ପତାକା ହଲାଇ ମୁଁ ସମୁଦାୟ ମଣିଷ ଜାତି ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜଣେଇଲି ।

ଦୈନିକ ସମ୍ବାଦପତ୍ରର ହେଡ଼୍‌ଲାଇନ୍‌ ଉପରେ ଆଖି ବୁଲେଇନେଲି । ଗଣତନ୍ତ୍ରର ମୁଖା ଖସିପଡ଼ିଲା ମୁହଁରୁ । କଲେଜ ଛକରେ ବିଡ଼ି ଧୂଆଁର କୁହୁଡ଼ି ଭିତରେ ଅସ୍ପଷ୍ଟ ଦିଶୁଥିବା ଖଦଡ଼ ପିନ୍ଧା କର୍ମୀ ଦୁଇଜଣଙ୍କର କଣ୍ଠସ୍ଵର ପରିଷ୍କାର ଶୁଭୁଥିଲା । ‘‘ଆଉ ଧର୍ମ ନାହିଁ ଏ ଦେଶରେ । ସବୁ ସବୁ ଉଜୁଡ଼ି ଗଲା । ଟାଉଟର ଦଳସବୁ ଚରିଗଲେ ।’’

‘‘ଗାଈ ଘାସ ଖାଏ ।’’

 

‘‘ଗାଈ ବି କାଗଜ ଖାଏ ।’’

 

ମଣିଷ ଏକ କାଗଜଖିଆ ଗାଈ । ସବୁ କ୍ଷେପି ଯିବେ । ଜୀବନବିକଳରେ ସବୁ ଚରିଯିବେ । ବେଳକାଳ ଉଣ୍ଡି ପାକୁଳି କରିବେ, ସାଧାରଣ ଜନତାଙ୍କ ପାଇଁ କିଛି ନାହିଁ । ନିର୍ବାଚନ ନୁହେଁ ତ ବିଲ୍‌କୁଲ୍‌ ହରିଲୁଟ୍‌ ।

 

ଯିଏ ଯେତେ ମାରି ନେଇପାରିଲା । ପାରିବା ବାଲାଏ ତରିଗଲେ । ସ୍ଵର୍ଗକୁ ସିଡ଼ି ବାନ୍ଧିଲେ । ନ ପାରିବା ବାଲାଏ ଦାନ୍ତ ନିକୁଟି ପଡ଼ି ରହିଥିବେ । ଭୋଟ୍‌ କେନ୍ଦ୍ରରେ ସାଲୁ ସାଲୁ ମଣିଷ । ପୋକଯୋକ ପରି । ଟାଉଟର ଅଛନ୍ତି । କଳା ବଜାରୀଏ ବି ଅଛନ୍ତି । ଲମ୍ବା କଲିଏ, ଲିପ୍‌ଷ୍ଟିକ୍‌ ମଖା ଟୋକିଏ ବି ଠୁଳ ହୋଇଚନ୍ତି । ଦେଶର ନେତା, ମନ୍ତ୍ରୀ, ମହକୁମା ଅଛନ୍ତି । ପୋଲିସ ଗାଡ଼ି ପଇଁତରା ମାରୁଚି । ଇନ୍‌ଟେଲିଜେନ୍‌ସ ଡିପାର୍ଟମେଣ୍ଟ ଖବର ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି । ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି କଳାକୁ ଧଳା, ଧଳାକୁ କଳା ବ୍ୟବସାୟ ଚାଲିଛି-। ଆହା, ସେତେବେଳକୁ ସଭିଏଁ ନିରୀହ ମେଷପାଲ ପାଲଟି ଯାଉଚନ୍ତି । ‘‘ଅରଣା ଷଣ୍ଢକୁ ହକାରୀ ଗାଈ’’, ‘‘ଦେ ନୋଟ୍‌ ନେ ଭୋଟ୍‌’’ ଧ୍ୱନି କରି ରଡ଼ି ଛାଡ଼ୁଥିବା ହକର ଟୋକା କେଇଟା ଏପଟସେପଟ ହେଉଚନ୍ତି । ଯେଉଁମାନେ ରାଜନୀତି କି ରାଷ୍ଟ୍ରନୀତିର ଧାର ଧାରନ୍ତି ନାହିଁ-। ପଇସା ଚାରଣା ମିଳିଯିବାଯାଏଁ ଯାହା ଖାଲି ଧାଁ ଦଉଡ଼ ।

 

ନିର୍ବାଚନ ସରିଚି ସୁରୁଖୁରୁରେ । ଗୁଣ୍ଡାମାନେ ମୁହଁ ନେଫେଡ଼ି ଫେରୁଛନ୍ତି । କିଛି ହୋଇପାରିଲାନି । ପିଟାପିଟି, ମାର୍‌ଧର୍‌ ଯଦି ନ ହେଲା ତେବେ ସେ କି ଭୋଟ୍‌ ।

 

ନିର୍ବାଚନ ଫଳକୁ ସଭିଏଁ ଅପେକ୍ଷା କରି ରହିଛନ୍ତି । ଜାଣିବା ଶୁଣିବା ଲୋକେ ରେଡ଼ିଓକୁ ଘେରି ବସିଛନ୍ତି, ମଢ଼ ଚାରିପାଖେ ଘେରିଥିବା ଶାଗୁଣାଙ୍କ ପରି । ଦେଶର ସବୁ ଶ୍ରେଣୀର ଲୋକେ ରାତିକ ଭିତରେ ସଚେତନ ହେଇଯାଇଛନ୍ତି ଯେମିତି । ରିକ୍‌ସା ବାଲାଏ ଧୀର ମନ୍ଥର ଗତିରେ ରିକ୍‌ସା ଚଳାଉଛନ୍ତି । କାନ ଡେରିଛନ୍ତି ପାଖ ଦୋକାନକୁ । ଗାଡ଼ି ମଟରର ହର୍ଣ୍ଣ ଆପାତତଃ କମିଯାଇଚି । ସୂଚନା କେନ୍ଦ୍ରର ଭଦ୍ରମହିଳାଙ୍କ କଣ୍ଠସ୍ଵର ବେଶ୍‌ ଶୁଭୁଚି । ନାରୀ ପ୍ରାର୍ଥୀ ଆଗଉଛନ୍ତି ।

 

ପୋଷ୍ଟାଲ୍‌ ବାଲାଟ୍‌ ସବୁ ଶ୍ରୀମତିଙ୍କ ଥଳିରେ । ଶୁଣିବା ଲୋକେ ଆନନ୍ଦରେ ତାଳିମାଡ଼ କରୁଛନ୍ତି । ନ ଶୁଣିବା ବାଲାଏ ଗରମ ଚିନାବାଦାମରୁ ଚୋପା ଛଡ଼େଇ ମାର୍କେଟ ବିଲଡ଼ିଂ ସାମନା ଚଉଡ଼ା ରାସ୍ତାକୁ ମ୍ୟୁନିସିପାଲିଟିର ମଇଳା ଗଦାରେ ପରିଣତ କରିବା ପାଇଁ ବିଧିବଦ୍ଧ ଭାବେ ମିଳିତ ଉଦ୍ୟମ ଚଳାଇଛନ୍ତି ।

 

ଗଣତାନ୍ତ୍ରିକ ସମାଜରେ ମାନବିକ ଅଧିକାର ସମସ୍ତଙ୍କର ଅଛି । ଫୁଟ୍‌ପାଥ୍‌ ଉପରେ ପସରା ମେଲାଇ ବସିଥିବା ଇମ୍‌ଜାନ୍‌ ମିଆଁ ସିଝା ଅଣ୍ଡାରୁ ଖୋଳପା ଛଡ଼େଇ, ଛୁରିରେ ଦୁଇଖଣ୍ଡ କରି କାଟି, ଲୁଣ ମରିଚ ଗୁଣ୍ଡରୁ କିଛି ଭିର୍ତ୍ତି କରି ଗରାଖଙ୍କ ହାତକୁ ବଢ଼େଇ ଦେଇ କହୁଛି, ‘‘ଏଥରକ ଭଲ ଭୋଟ୍ ଲଢ଼େଇ କଟକରେ ଚାଲିଚି ବାବୁ ଖାଲି ତ ଟଙ୍କାର ସୁଅ ଛୁଟିଚି । ଦେଖାଯାଉ କିଏ ଜିତୁଛି ।’’

 

ଚିପା ପ୍ୟାଣ୍ଟ୍‌ ପିନ୍ଧି ଗରାଖମାନେ ଅଣ୍ଡା ଖାଇ, ସିଗାରେଟ ଧୂଆଁ ଛାଡ଼ି, ସାଇକେଲ ଚଢ଼ି ଚାଲିଯାଉଛନ୍ତି । ଫୁଟ୍‌ପାଥ ଉପରେ ବିଛାଡ଼ି ହୋଇ ପଡ଼ି ରହୁଛି ଭଙ୍ଗା ଭଙ୍ଗା ଅଣ୍ଡାର ଖୋଳପା । ଆହା, ସତେଯେମିତି ଆକାଶରୁ ମୁକ୍ତା ଝରିପଡ଼ୁଚି ରାଜଧାନୀର ରାସ୍ତାଘାଟରେ ।

 

ସୋମବାର । ଶିବଙ୍କ ବାର ।

 

ବୋଉ କହୁଥିଲା ସୋମବାର ଶିବଙ୍କୁ ଦର୍ଶନ କଲେ ଆୟୁଷ ବଢ଼ିବ । ସାତ୍ତ୍ଵିକ ଭୋଜନ କଲେ ବାୟୁଦୋଷ କଟିଯିବ । ସେଥିପାଇଁ ସୋମବାରେ ମାଛ, ମାଂସ, ଅଣ୍ଡା ଇତ୍ୟାଦି ଆମିଷ ଭୋଜନ ନିଷେଧ । ଶାସ୍ତ୍ରରେ ମନା ଅଛି !

 

ଶାସ୍ତ୍ରର ହିଁ ଜୟ ହେଉ । ବାର୍ତ୍ତାବହ ଦୀର୍ଘାୟୁ ହୁଅନ୍ତୁ । ବୋଉ ଥିଲାଯାଏଁ । ସବୁ ଠିକ୍‌ ଠିକ୍‌ ଚାଲିଥିଲା । ତାପରେ ସବୁ ଓଲଟ ପାଲଟ ହେଇଯାଇଚି ।

 

ସୋମବାରେ ସବୁ ହୋହହ୍ଳା, ସବୁ ଜୟ ପରାଜୟର ପ୍ରଶ୍ନ । ବିଗଳିତ ହୃଦୟର ଅଳାପନୀ । ସୋମବାରର ବାପା ମରୁ । ତା’ ଚାଲାଖି ଚୁଲିକି ପଶୁ । ତା’ ବଉଁଶ ବୁଡ଼ିଯାଉ ।

 

ମଙ୍ଗଳ, ବୁଧ ଓ ଗୁରୁବାର

 

(ଉପରୋକ୍ତ ତିନୋଟି ବାର ନିଷ୍ଫଳ ବାର । କୌଣସି ଶୁଭକାର୍ଯ୍ୟ ଆରମ୍ଭ ନିଷେଧ । ମନେ ରହିଯିବା ଭଳି କୌଣସି ଉଲ୍ଲେଖନୀୟ ଘଟଣା ଘଟିନାହିଁ । ବିରକ୍ତିରେ ସିଗାରେଟ୍‌ ଟାଣି ଟାଣି ନାକବାଟେ ଧୂଆଁ ଛାଡ଼ିବା ବ୍ୟତୀତ ଅନ୍ୟକୌଣସି ଆଖିଦୃଷ୍ଟିଆ କାମ ହୋଇପାରିନି । ସବୁ ସେମିତି ଗତାନୁଗତିକ ଭାବରେ ଚାଲିଛି । ଘଟଣା ଯେତେବେଳେ ଘଟିନି, ସେ ସମ୍ପର୍କରେ ଟୀକା ଟୀପ୍‌ପଣି ଦବା ପ୍ରଶ୍ନଉଠୁନି । ସୁତରାଂ, ବିଶେଷ କିଛି ବୟାନ ନ କରି ଅନ୍ୟ ବାରଟି ଆଡ଼େ ଆଖି ପକାଇବା ଉଚିତ ।)

 

ଶୁକ୍ରବାର : ୩୧ ତାରିଖ

 

କେତୋଟି ଦିନ ପରେ ହଠାତ୍‌ ବେଗ ବଢ଼ି ଯାଇଥିବା ମଟର ଗାଡ଼ି ପରି ଶୁକ୍ରବାର ଆସି ଉଭା ହୋଇଗଲା ଆଖି ସାମ୍‌ନାରେ । ଟିକଏ ଅସାବଧାନ ହୋଇଥିଲେ ଦୁର୍ଘଟଣା ଘଟିଥାନ୍ତା-। ବେଲୁନ୍‌ ପରି ଆକଶକୁ ଉଡ଼ି ଉଡ଼ି ଶେଷରେ ଢୋକିନା ଫାଟି ଫଡ଼ିଥାନ୍ତା । ତାପରେ ବିଛାଡ଼ି ହୋଇଥାନ୍ତି । ଚାରିଆାଡ଼େ “ହାତଲେଖା ସନନ୍ଦପତ୍ର ।’’ ମହାଶୂନ୍ୟରେ ହାବେଳୀ ଫୁଟିଲାପରି ଛିଡ଼ିକି ପଡ଼ିଥାନ୍ତା । ବିଶ୍ୱାସଘାତକର ପୁଞ୍ଜୀଭୂତ ଘଣା, ଈର୍ଷା, ଆକ୍ରୋଶ ।

 

ଶୁକ୍ରବାର । ଗୁଡ଼ଫ୍ରାଇଡ଼େ ।

 

ଶୁକ୍ରବାର । ହାଟବାର ।

 

ରାଜଧାନୀରେ ବେଶ୍ ଜମିଦାର ବାରଟିଏ । “କି ବାଇଗଣ ହୋଇଛି । କି ସୁନ୍ଦୁରିଆ ଦୁଉଚି । କିଲୋ ଦେଢ଼ ଟଙ୍କା । “ମାଇଚିଆଙ୍କପରି ଛିଗୁଲେଇ କହୁଛି ନଖରା ବେପାରୀଟି । ତା’ର କହିବାର ଭଙ୍ଗୀ ଏପରି ଶ୍ରୁତିକଟୁ ହେଉଚି ଯେ, ମନହେଉଚି ପରିବା ମାର୍କେଟ ଛାଡ଼ି ତରବରରେ ପଳାଇ ଆସିବାକୁ; କିମ୍ୱା ଦୁଇଟି ପ୍ରଚଣ୍ତ ଚଟକଣି ତା’ର ମୁଛବାଲା ଗାଲ ଉପରେ କଷିଦେଇ ଶଳାକୁ ଟିକିଏ ବ୍ରହ୍ମଜ୍ଞାନ ଶିଖେଇ ଦେବାକୁ ।“

 

ଶୁକ୍ରବାର ବେଶି ଭିଡ଼ ।

 

ଠେଲାପେଲା, ଟଣାଓଟରା, ଚିପାଚିପି କାରବାର ।

 

ଶୁକ୍ରବାର କାଗଜରେ ମାସିକିଆ ରାଶିଫଳ ବାହାରିଚି । ଶିକ୍ଷିତ ଲୋକେ ଲୁଚେଇ ଲୁଚେଇ ତା’ ଉପରେ ଆଖି ପକାଉଛନ୍ତି ତ ବସ୍‌ଷ୍ଟାଣ୍ତରେ ମଳିମୁଣ୍ତିଆ ମଫସଲିଆ ଲୋକେ ବଡ଼ ପାଟି କରି ମନପ୍ରାଣ ଦେଇ ପଢ଼ୁଛନ୍ତି । ଭାଗ୍ୟ, ଭଗବାନ, ସବୁ ତ ଠୁଳ ହୋଇଚି ଏଇ ଦେଶର ମଣିଷ ପାଇଁ । ଖାଲି ବିଶ୍ୱାସ ରଖିଥିଲେ ହେଲା । ବିଶ୍ୱାସ ଥିଲେ ବାଂଝ ମଇକିନା ପିଲାଜନ୍ମ କରିପାରିବ । ନପୁଂସକ ବି ପୁରୁଷତ୍ଵ ହାସଲ କରିବାକୁ ସମର୍ଥ ହେବ । ରାଶିଫଳରେ ଗାରକାଟି ଦି’ଗୋଡ଼ିଆ ଅଦୃଷ୍ଟ ଲେଖିଦେଇଛି । ଦୁର୍ଘଟଣା ଘଟିପାରେ, ମାସର ଶେଷାର୍ଦ୍ଧକୁ, ବ୍ୟୟଭାର ବଢ଼ିଯିବ । ଶାରୀରିକ ଅସୁସ୍ଥତା ସତ୍ତ୍ୱେ ମନ ଭଲ ରହିବ । ପ୍ରଣୟର ମାର୍ଗ ସୁମଧୁର । A drab week for love । ଆତ୍ମୀୟ ଶତ୍ରୁ ପାଲଟିଯିବେ, ଶତ୍ରୁ ଆପଣା ପରି ବ୍ୟବହାର କରିବ । ସୁତରାଂ ଆପଣ ମିଶ୍ରଫଳ ଲାଭ କରିବେ । ଶୁକ୍ରବାର ଅତଏବ ଏକ ସ୍ୱୟଂସିଦ୍ଧ ବାର ନୁହେଁ ।

 

ଏକ ବ୍ୟକ୍ତିଗତ ଶୋକ

 

କୌଣସି ଏକ ରାଜାଙ୍କର ବ୍ୟକ୍ତିଗତ ଶୋକ । ଅନ୍ତେବାସିନୀ ରାଣୀ ମସଜିଦ ଧରି ବସିଛନ୍ତି, ନିଜେ ହାତରେ କାଙ୍ଗାଳମାନଙ୍କୁ ଅନ୍ନ ପରଷିବେ ଏହା କିପରି ବା ହବ ? ରଜାଘର । କ’ଣ ବା ଅଭାବ ! ଦାସଦାସୀ, ଚାକର ପୂଜାରୀ ଥାଉ ଥାଉ ରାଣୀମାଙ୍କୁ କେମିତି ଏ କାମ କରିବାକୁ ଦିଆଯିବ । ଏଣେ ରାଣୀମା କିନ୍ତୁ କିଛି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ରାଜାଙ୍କର ଚିନ୍ତା ପଶିଚି-। ମନ୍ତ୍ରୀ ପରାମର୍ଶ ଦଉଛନ୍ତି ରାଜବୈଦ୍ୟକୁ ଡକାଯାଉ । ବୋଧହୁଏ ରାଣୀମାଙ୍କର ମତିଭ୍ରମ ହୋଇଚି । ଗୁଣିଗାରେଡ଼ି, ପୂଜାବଳି ଲୋଡ଼ା । ଡେଙ୍ଗୁରାବାଲା ରାଜ୍ୟସାରା ଡେଙ୍ଗୁରା ପିଟି ପିଟି ବୁଲୁଚି । ରାଣୀମାଙ୍କୁ ଭଲ ନକରି ପାରିଲେ ସମସ୍ତ ଗୁଳିକରି ମାରିଦିଆଯିବ । କୋକୁଆ ଭୟ ଖେଳିଯାଇଛି ଚାରିଆଡ଼େ । ବାଘ ମାତିଲେ ଯେମିତି ଭୟ ଖେଳିଯାଏ । ସଞ୍ଜହେଲେ ଲୋକେ କବାଟ କିଳି ଘରେ ପଶୁଛନ୍ତି । କାଳେ ରଜାଘର ଲୋକେ ବାଦ୍ଧି ନେଇଯିବେ । କିଏ ବା ଜୀବନକୁ ପାଣିଛଡ଼େଇ ରାଜାଉଆସକୁ ଯିବ ? କୋଉବାରେ ବା ଯାତ୍ରାରମ୍ଭ କରିବ ? ସବୁଠାରୁ ତ ନିଷ୍ଫଳ । ଅମଙ୍ଗୁଳିଆ ବାର । ସବୁଆଡ଼େ ମାଟିଆ ଚିଲ ଡେଣା ହଲେଇ ଉଡ଼ିବୁଲୁଛି । ସବୁ ବିଜୁଳି ତା’ର ଉପରେ ପେଚାଟିଏ ବସି ଭୟଙ୍କର ଶବ୍ଦ କରୁଛି । ଝିଙ୍କାରୀର ଝିଁ ଝିଁ ଶବ୍ଦ ଶୁଭୁଚି । ଭୟ ଖେଳିଯାଇଚି, ପବନ ପରି ସବୁଆଡ଼େ ।

 

ଶେଷ କଥା

 

ବ୍ୟକ୍ତିଗତ ଶୋକରେ ଆକ୍ରାନ୍ତ ହୋଇଥିବା ରାଜା ସାମନ୍ତବାଦୀ ନୁହେଁ, ଜଣେ ସାମ୍ୟବାଦୀ । ହାତରେ ଯାର ମହଜୁଦ ଅଛି ତ୍ରିରଙ୍ଗା ପତାକା । କାନ୍ଧରେ ଉଦ୍‌ଭଟତାର ବୋଝ ଲଦାଯାଇଛି । ବ୍ରିଫକେଶ୍‌ରେ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ, ସୁଚରିତ୍ର ସମ୍ପର୍କୀୟ ସାର୍ଟିଫିକେଟମାନଙ୍କର ଏକ ସୁଦୃଶ୍ୟ ଫାଇଲ । ସେଇ ସାମ୍ୟବାଦୀ ଯୁବକଟିର ନାଁ ଧରିନିଆଯାଉ ରାଧାଗୋବିନ୍ଦ ।

 

ରାଧାଗୋବିନ୍ଦ ସକାଳୁ ଉଠି କ୍ୟାଲେଣ୍ତରକୁ ଘଡ଼ିଏ ସ୍ଥିର ଦୃଷ୍ଟିରେ ଚାହିଁଲା । ତା’ ପରେ ଏକ ଦୀର୍ଘନିଃଶ୍ୱାସ ମାରି ସବୁ ବାର ଉପରେ ନାଲି ପେନ୍‌ସିଲ୍‌ରେ ଗାର ଟାଣିଦେଲା । ଚାରମିନାର ଧୂଆଁରେ କକ୍ଷଟି ଭର୍ତ୍ତି ହୋଇଗଲା । କାନ୍ଥରୁ ପୂର୍ବପୁରୁଷଙ୍କ ତୈଳଚିତ୍ର ସବୁ କାଢ଼ିଆଣିଲା । ବାପା, ଜେଜେବାପା, ସାଆନ୍ତ ବାପାଙ୍କ ଫଟୋ ଏକାଠି ଜମା କରାଗଲା । ସବୁ ଠାକୁରଙ୍କ ପ୍ରତିମୂର୍ତ୍ତି ଉପରେ କଳାପରଦା ଗୋଟିଏ ଲେଖାଁଏ ଟାଣିଦେଲା । ନିଜର ଯାବତୀୟ ପାଣ୍ତୁଲିପି, କାଗଜଗୁଡ଼ିକୁ ଏକାଠି ଗଦା କରି ସେଥିରେ ରାଧାଗୋବିନ୍ଦ ନିଜେ ନିଆଁ ଲଗାଇଲା । ସେଗୁଡ଼ିକ ମୋଡ଼ି ମୋଡ଼ି ହୋଇ ଜଳିବାକୁ ଆରମ୍ଭ କଲା ।

 

ରାଧାଗୋବିନ୍ଦ ପାଗଳଙ୍କ ପରି ହସିବାକୁ ଲାଗିଲା । ପାଟିକରି ମନକୁ ମନ କହିଲା, ସବୁ ଧ୍ୱଂସ ହୋଇଯାଉ, ଧ୍ୱଂସ ହୋଇଯାଉ ଅଙ୍ଗ ଅବୟବ, ଡାଳ ଉପଡ଼ାଳ–ଜୀବନ ଥିବାରୁ ସିନା ଏତେ କଥା, ଏତେ ଚିନ୍ତା, ଏତେ ମିଛ ଭାବନା । ସବୁର ମୃତ୍ୟ ହେଉ । ମୃତ୍ୟୁହିଁ ତା’ର ଲଙ୍ଗଳ ଶିରାବହୁଳ ହାତ ଗୋଡ଼କୁ ହଲେଇ ହଲେଇ ଆସୁ ।

 

ମୃତ୍ୟର ହିଁ ଜୟ ହେଉ ।

 

ଫନୀ ମହାନ୍ତି

ଅଧ୍ୟାପକ, ଏନ୍‌: ସି : କଲେଜ

ଯାଜପୁର, କଟକ

Image

 

ସୂର୍ଯ୍ୟ-ଚନ୍ଦ୍ର-ତାରା

Unknown

ବିଶ୍ୱ ରଞ୍ଜନ

 

ସାକିନା–

 

ମୋର ସହକର୍ମୀ ବନ୍ଧୁ ସରିଫର ସାନ ଭଉଣୀ ସାକିନା ।

 

ମୋ ପାଇଁ ସେ ମୁଠାଏ ସ୍ୱପ୍ନ । ନୀଳ ଆକାଶର ଚନ୍ଦ୍ରମା ।

 

ସ୍ୱପ୍ନ କେବେ ସତ ହୁଏନା ।

 

ଅନେକ ଆନ୍ତରିକତା ଓ ଉଦ୍ୟମ ସତ୍ତ୍ୱେ ବି ଚନ୍ଦ୍ରକୁ ନେଇ ମୁଁ ଘରଟିଏ ତିଆରି କରିପାରୁନାହିଁ । ଘରଟିଏ ତିଆରି କରିବାର ଶକ୍ତି, ସାମର୍ଥ୍ୟ ଓ ସାହସ ମୋର ନାହିଁ ।

 

ଏଇ ମାଟିର ମଣିଷ ମୁଁ । ଅସହାୟ । ଏକାନ୍ତ ଅସହାୟ । ଅସହାୟ ଶିଶୁଟି ଭଳି ଦୂରରେ ଠିଆହୋଇ ମୁଁ ତେଣୁ ଚନ୍ଦ୍ରକୁ କେବଳ ଦେଖୁଛି ।

 

ଦେଖୁଛି– ଖାଲି ଦେଖୁଛି । ଆପଣାର କରିପାରୁ ନାହିଁ ।

 

ବାପା–

 

ମୋତେ ସେ ଜନ୍ନ ଦେଇନାହାନ୍ତି–

ଅଥଚ ମୋର ଜୀବନ ପାଇଁ ସେ ଦାୟୀ ।

ନିଜ ଦେହର ରକ୍ତକୁ ପାଣି କରି

ମୋ ଦେହରେ ଯିଏ ରକ୍ତ ଦେଇଛନ୍ତି ।

ଶକ୍ତ ମଣିଷ କରି ଏଇ ମାଟିରେ

ଯିଏ ମୋତେ ଠିଆ କରେଇ ଦେଇଛନ୍ତି ।

ହଠାତ୍‌ ସେ ମୋ ପାଇଁ ସୂର୍ଯ୍ୟ ହୋଇଯାଇଛନ୍ତି

ମଧ୍ୟାହ୍ନର ଅଗ୍ନିମାନ ସୂର୍ଯ୍ୟ ।

 

ଯେଉଁଦିନ ସେ ଶୁଣିବାକୁ ପାଇଲେ ସେ ନୀଳ ଆକଶର ଚନ୍ଦ୍ରକୁ ନେଇ ମୁଁ ହଠାତ୍‌ ସ୍ୱପ୍ନ ଦେଖିବାକୁ ଆରମ୍ଭ କରିଛି ଏବଂ ସେଇ ଚନ୍ଦ୍ର ଦେଶରେ ଯାଇ ଘର କରିବାର ବାସନା ବାନ୍ଧିଛି–ଠିକ୍ ସେଇଦିନୁ ।

 

ସେଇଦିନୁ ବାପା ମୋ ପାଇଁ ସୂର୍ଯ୍ୟ ହୋଇଗଲେ । ପ୍ରଖର ତେଜୋଦାୟ ସୂର୍ଯ୍ୟ ।

 

ମାଟିର ମଣିଷ ମୁଁ । ଶକ୍ତିହୀନ, ଭୟାତୁର ମଣିଷ ।

 

ଶକ୍ତିତ ଦୃଷ୍ଟିରେ ଦୂରରେ ରହି ମୁଁ ତେଣୁ ସୂର୍ଯ୍ୟଙ୍କୁ ଖାଲି ଦେଖୁଛି । ସୂର୍ଯ୍ୟର ବନ୍ଦନା ଗାଉଛି ।

 

ପାଖକୁ କିନ୍ତୁ ଯାଇପାରୁ ନାହିଁ । ଆପଣାର କରିପାରୁ ନାହିଁ ।

 

ଚନ୍ଦ୍ରକୁ ମୋ ଲାଗି ଧରିଆଣିବା ପାଇଁ ଯାହାପାଖରେ ମୁଁ ଅଳି କରିଥାନ୍ତି, ସୂର୍ଯ୍ୟର ପ୍ରଖର ଉତ୍ତାପରୁ ରକ୍ଷା ପାଇବାପାଇଁ ଯାହାର ପଣତ ଛାଇ ତଳେ ଆଶ୍ରୟ ଲୋଡ଼ିଥାନ୍ତି–ସେ ମୋ ପାଇଁ ଆକାଶର ତାରା ହୋଇଯାଇଛି ।

 

ସେ ମୋର ବୋଉ ।

 

ସେଇ ତ ମୋତେ ଦିନେ ହାତଠାରି ନୀଳ ଆକଶରେ ଚନ୍ଦ୍ରର ସ୍ୱପ୍ନ ଦେଖେଇଥିଲା । ଆକାଶର ତାରା ଦେଖେଇଥିଲା ।

 

ଦିନେ ଦେଖିଲାବେଳେକୁ ସେ ମୋ ପାଖରେ ନାହିଁ ।

 

ବାପାଙ୍କୁ ପଚାରିଲି–ବାପା ‘ବୋଉ’ ?

 

ବାପା ସେତେବେଳେ ମଧ୍ୟାହ୍ନର ସୂର୍ଯ୍ୟ ନଥିଲେ । ଦିନାନ୍ତର ସୂର୍ଯ୍ୟପରି ସେ ଥିଲେ ଶାନ୍ତ, ସ୍ନିଗ୍‌ଧ ଓ ସୁନ୍ଦର ।

 

ମୋ ପ୍ରଶ୍ନର ଉତ୍ତର ଦେବାକୁଯାଇ ବାପା ନୀରବରେ ଆକାଶ ଆଡ଼କୁ ହାତ ଦେଖେଇ ଦେଇଥିଲେ–

 

‘ବୋଉ ତୋର ଆକଶର ତାରା ହୋଇଯାଇଛି ।’

 

ସେଇଦିନୁ ମୁଁ ଶୂନ୍ୟ ଦୃଷ୍ଟିରେ ଆକାଶକୁ ଚାହିଁ ଅଗଣିତ ତାରା ମେଳରେ ବୋଉକୁ ମୋର ଖୋଜିବାକୁ ଚେଷ୍ଟା କରିଛି ।

ମାଟିର ମଣିଷ ମୁଁ । ଏକାନ୍ତ ଅସହାୟ ଓ ନିର୍ବୋଧ ମଣିଷ ।

ପ୍ରତିଟି ରାତିରେ ଅପଲକ ଦୃଷ୍ଟିରେ ଆକାଶର ତାରାମାନଙ୍କୁ ଚାହିଁ ଚାହିଁ ଶୋଇଯାଇଛି ସିନା, ହେଲେ ସେମାନଙ୍କୁ ଆପାଣାର କରିପାରି ନାହିଁ ।

ମାଟିର ମଣିଷ ମୁଁ ।

ସ୍ନପ୍ନାତୁର ଭୟାତୁର ମଣିଷ ।

ଅସହାୟ, ନିର୍ବୋଧ ମଣିଷ ।

ନୀଳ ଆକଶରେ ଚନ୍ଦ୍ରର ସ୍ୱପ୍ନ ଦେଖି ପାଗଳ ହୋଇଛି ।

ମଧ୍ୟାହ୍ନର ସୂର୍ଯ୍ୟଙ୍କୁ ଭୟ କରି ନିଭୃତ କୋଠରିରେ ଆତ୍ମଗୋପନ କରିଛି ।

ଶୂନ୍ୟ ଦୃଷ୍ଟିରେ ଆକାଶର ତାରାଙ୍କୁ ଚାହିଁ ଆଖିରୁ ଲୁହ ଢାଳିଛି ।

କାହାରିକୁ ଆପଣାର କରିପାରିନାହିଁ ।

ଏକାନ୍ତ ଅସହାୟ ମଣିଷ ମୁଁ । ଠିଆ ହୋଇଛି ।

ଚାରିପଟେ ମୋର ଚନ୍ଦ୍ର, ତାରା, ସୂର୍ଯ୍ୟ ଘୂରୁଛନ୍ତି ।

ନା–ସେମାନେ ସ୍ଥିର ମୁଁ ଘୂରୁଛି ।

ଘୂରୁଛି ମୁଁ–ଚନ୍ଦ୍ରରୁ ସୂର୍ଯ୍ୟକୁ, ସୂର୍ଯ୍ୟରୁ ତାରାକୁ......

ପୁଣି ତାରାରୁ ସୂର୍ଯ୍ୟ .....ସୂର୍ଯ୍ୟରୁ ଚନ୍ଦ୍ର.....

ଅବିଶ୍ରାନ୍ତ ଭାବରେ ମୁଁ ଖାଲି ଘୂରିବାରେ ଲାଗିଛି ।

ମୋ ଚାରିପଟେ ସୂର୍ଯ୍ୟ–ଚନ୍ଦ୍ର–ତାରା

ତାରା-ସୂର୍ଯ୍ୟ-ଚନ୍ଦ୍ର

ଚନ୍ଦ୍ର–ସୂର୍ଯ୍ୟ–ତାରା....

ମୁଁ ଏଇ ପୃଥିବୀର ମଣିଷ । ଅସହାୟ–ଏକାନ୍ତ ଅସହାୟ ।

ଅଧ୍ୟାପକ

ଅନୁଗୁଳ ମହାବିଦ୍ୟାଳୟ

Image

 

ପିତୁଳା

ବୀଣାପାଣି ମହାନ୍ତି

 

ଶଙ୍କରବାବୁ ବିରକ୍ତ ଭାବଟାକୁ କୌଣସିମତେ ଚାପିନେଇ ସ୍ତ୍ରୀଙ୍କ ମୁହଁକୁ ଚାହିଁଲେ । ଅଭିଯୋଗର ଦଲିଲ ନେଇ ଅରୁଣା କେତେଥର ଯେ ସକାଳୁ ଫେରିଗଲେଣି ତା’ର ଠିକଣା ନାହିଁ । ଏଇ କେତେଦିନ ହେଲା ତାଙ୍କୁ ବଡ଼ ଅସ୍ଥିର ମନେହେଉଛି ।

 

ଅଗତ୍ୟା ବହିର ଗଦା ଭିତରୁ ସ୍ତ୍ରୀଙ୍କ ମୁହଁକୁ ଚାହିଁବା ଛଡ଼ା ଉପାୟ ନାହିଁ । “କେତେଥର କହିଲିଣି–ତମେ ଏଣିକି ବହି ପଢ଼ା ବନ୍ଦ କରି ଘରଆଡ଼େ ଟିକେ ମନ ଦିଅ, ହେଲେ ତମେ କିଛି ଶୁଣୁନ । ମୁଁ କ’ଣ କରିବି ଯେ ଆଉ ।”

 

“କାହିଁକି ? ବାବାଜିର କ’ଣ ଦେହ ଖରାପ ? ପୂଝାରୀ ଘରକୁ ଯାଇଛି ନା କ’ଣ ? ”

 

ବିରକ୍ତ ହୋଇଉଠିଲେ ଅରୁଣା–

 

“କେତେ ଆଉ ପ୍ରତିଦିନ ସେଇ କଥାର ଉତ୍ତର ଦେବି ? ବାବାଜି ତ ମାସେହେବ କାମ ଛାଡ଼ିଦେଲାଣି । ପୂଝାରୀ ରଖି ଘର ଚଳାଇବା କଥା ଉଠୁନି । ଏ ଯୁଗରେ ଗୋଟାଏ ଲୋକର ଖାଇବା ଖର୍ଚ୍ଚ କେତେ ତମେ ବୁଝୁଛ କିଛି ? ଦରଦାମ କେତେ ବଢ଼ୁଛି–ତମେ କେବେ ତା’ର ଖବର ରଖୁଛ ? ମୁଁ ଗୋଟାଏ ଲୋକ ବଜାର କରିବି, ଚାଉଳ ତେଲ ପାଇଁ ଲାଇନ୍ ଦେବି, ହସପିଟାଲ ଯାଇ ରୋଗୀ ସେବା କରିବି....କେତେଟା ଟଙ୍କାରେ କ’ଣ କରିବି ଯେ.... !”

 

ଅରୁଣାଙ୍କର ଅଭିଯୋଗରେ ଅଭିମାନର ପ୍ରସ୍ତ ବିରାଟ ବୋଲି ଶଙ୍କର ବାବୁ ବୁଝିପାରୁଥିଲେ । ହେଲେ ପ୍ରତିଦିନ ତାଙ୍କଠାରୁ ଏସବୁ କଥା ଶୁଣିଥିବାର କିଛି ମନେ ନାହିଁ ତାଙ୍କର । ସେ ଚେୟାର ଛାଡ଼ି ଉଠିପଡ଼ିଲେ ଏବଂ କହିଲେ–

 

“ଦିଅ ମତେ ବ୍ୟାଗ୍ ଦିଅ । ଆଉ ଗୋଟାଏ ଚିଠା କରିଦିଅ । କୁନୁର କ’ଣ ଔଷଧ ଆସିବ ଦିଅ, ଏକାଥରେ ନେଇଆସିବି....”

 

“ମାତ୍ର ଟଙ୍କା ? ଟଙ୍କା ତମ ପାଖରେ ଅଛି ତ ? ଗୋଟାଏ ହେଲେ ପଇସା ମୋ ପାଖରେ ନାହିଁ–ଅଥଚ ମାସର ଆଜି କୋଡ଼ିଏ ଦିନ ବି ହୋଇନି.... ।”

 

“କ’ଣ ହେଲା ? ଟଙ୍କା ନାହିଁ ? ତମେ କ‘ଣ କହୁଛ ଅରୁଣା... !”

 

“ସେଇଥିପାଇଁ ତ କହୁଛି ତମେ ସଂସାର ଆଡ଼କୁ ଟିକେ ମନ ଦିଅ... । ବଜାର ହାଟକୁ ନ ଗଲେ ପୁଅ ଝିଅଙ୍କ ଖର୍ଚ୍ଚ ହିସାବ ନ ବୁଝିଲେ ଆଉ ପାଞ୍ଚ ଲୋକଙ୍କ ସଙ୍ଗେ ନ ମିଶିଲେ ତମେ ଜାଣିବ କ’ଣ...ବହିଗଦା ଭିତରେ ଚବିଶଘଣ୍ଟା ବସିରହି କୀଟ ଜୀବଣୁଙ୍କ ଇତିହାସ ପଢ଼ିଲେ କି ଲାବରଟୋରୀରେ ଯନ୍ତ୍ରପାତି ଧରି ରାତି ପୁହାଇଦେଲେ ଏ ଯୁଗରେ ବଞ୍ଚିହେବନି ଆଉ... ।”

 

“ତମେ ବାଜେ ଖର୍ଚ୍ଚ କମାଇ ଦିଅ ଅରୁଣା ! କମ୍‌ କିଣିବାର ଅଭ୍ୟାସ କର–ଦେଖିବ ପରିସ୍ଥିତି ଆପେ ଆପେ ସୁଧୁରିଯବ । ସବୁ ଜିନିଷର ଅଭ୍ୟାସ ଚାହି ।”

 

“ସବୁ କଥା ମୁଁ ବରଦାସ୍ତ କରିପାରିବି, ମାତ୍ର ତମର ବରାଦିଆ ମୁଖସ୍ତ କଥାଗୁଡ଼ାକ ମୋତେ ଶୁଣାଇବନି । କେତେଦିନ–କେତେଦିନ ଏ ପୋଥି ବାଇଗଣର ଖସଡ଼ା ଶୁଣୁଥିବି ? ମୋର ଆଉ ଧୈର୍ଯ୍ୟ ନାହିଁ–ନାହିଁ–ନାହିଁ– ।”

 

ଅରୁଣା ଚାଲିଗଲେ । ଶଙ୍କରବାବୁ ଖେଳାହୋଇ ପଡ଼ିଥିବା ବହିଗଦାକୁ ଚାହିଁଲେ, ଘରସାରା ବହି ଭର୍ତ୍ତି–ମେଲା ହୋଇ ପଡ଼ିଛି । ଗବେଷଣାର ଥେସିସ ଲେଖିବାକୁ ସେ ପ୍ରସ୍ତୁତ ହୋଇ ବସିଲାବେଳକୁ ସବୁ ଗଣ୍ତଗୋଳ ଆରମ୍ଭ ହେଉଛି । ସଂସାର କ’ଣ ଆଉ ଦରଦାମ ବୃଦ୍ଧିର ଯନ୍ତ୍ରଣା କ’ଣ ସେ କିଛି ଜାଣନ୍ତି ନାହିଁ–ଜାଣିବାକୁ ଚାହାନ୍ତି ନାହିଁ କହିଲେ ବି କେହି ତାଙ୍କୁ ମୁକ୍ତି ଦେଉନାହାନ୍ତି ।ଏମିତି କି ଅରୁଣା–

 

ଶଙ୍କର ବାବୁ ସାଇକେଲ ଧରି ଅନ୍ୟମନସ୍କ ଭାବରେ ଯାଇ ବଜାର ଭିତରେ ପଶିଗଲେ-। ସବୁଠାରେ ଅଳ୍ପ ଅଧିକ ଲାଇନ–କ୍ୟୁ ଲାଗିଛି । ଚତୁର୍ଦ୍ଦିଗରେ ଗୋଟାଏ ବ୍ୟସ୍ତତା, ଗୁଞ୍ଜନ ଆଉ ଚାପା ଯନ୍ତ୍ରଣାର ଅନୁଭୂତି । ସମସ୍ତେ ଆଗରେ ଯିବାକୁ ଉଦ୍ୟତ–ପଛରେ ଥିବା ଲୋକେ କିଏ ନ ଜାଣେ ସବୁଦିନେ ପଛରେ ପଡ଼ିଥାଏ ବୋଲି ଯେ– ।

 

କାନ୍ଧ ଉପରେ ଜଣେ କିଏ ହାତ ରଖିଲା । ଶଙ୍କର ବାବୁଙ୍କର ଅନଭ୍ୟସ୍ତ ମୁହଁ ପଛକୁ ଘୂରିଗଲା । ଆଶ୍ଚର୍ଯ୍ୟ, ତାରାପଦ ଛିଡ଼ାହୋଇଛି– ।

 

ତାରାପଦ ! ରେଖା–ଚିତ୍ର ଜଗତରେ ଚମକ ସୃଷ୍ଟି କରି ଯେ ଅନେକ ପ୍ରଶଂସାର ଅଭିନନ୍ଦନରେ ଏଇମାତ୍ର ପନ୍ଦର ଦିନ ତଳେ ସାରା ଦେଶରେ ଚହଳ ଆଣିଛି–ସେଇ ତାରାପଦ ଏବେ ମାନେ ତାଙ୍କରିପରି ଜୀବନ-ଚିନ୍ତାରେ ଅସ୍ଥିର । ସିଗାରେଟରୁ ଗୁଲ ଝାଡ଼ୁ ଝାଡ଼ୁ ତାରାପଦ ପଚାରିଲା–

 

“କି ହୋ ପ୍ରଫେସର ! ରିସର୍ଚ୍ଚ କେତେ ଦୂର ଗଲା ? ଆମମାନଙ୍କର ବଞ୍ଚିବା ପାଇଁ କିଛି ସୂତ୍ର ମିଳିବାର ଆଶା ଦେଖାଯାଉଛି ନା ନାହିଁ ?”

 

“ସେସବୁ କଥା ପକାଇ ମୋତେ ଆଉ ଲଜ୍ଜାରେ ପକାନା ଭାଇ, ସେ ତ ଆରମ୍ଭ ହୋଇ ନି କହିଲେ ଚଳେ–ସରିବାର ପ୍ରଶ୍ନ ଉଠୁଛି କେଉଁଠି ? କି ଭୁଲ୍ ଯେ କରିଛି– ।”

 

ଭୁଲ୍‌ଟା କ’ଣ ତାରାପଦ ଜାଣିଥିଲେ । ଶଙ୍କର ଯଦି ଆଖିବୁଜି ରହି ଯାଇଥାନ୍ତା କିଛିଟା ଦିନ ଷ୍ଟେଟ୍‌ସରେ, ଏତେ ବେଳକୁ ହୁଏତ ପୃଥିବୀ ବିଖ୍ୟାତ ସେ ହୋଇସାରନ୍ତାଣି । ଅହେତୁକ ଗୋଟାଏ ଇମୋସନ୍‌ ନେଇ କାହିଁକି ଯେ ସେ ଫେରିଆସିଲା ଏଠାକୁ କେଜାଣି ? ଅଥଚ୍‌ ତା’ରି ସାଙ୍ଗରେ କାମ କରୁଥିବା ଏବଂ ତା’ଠାରୁ କମ୍‌ କ୍ୟାରିୟର ଥିବା ସାଇଣ୍ଟିଷ୍ଟମାନେ କେତେ ଆରାମରେ, କେତେ ଅଳ୍ପ ଚେଷ୍ଟାରେ ଆଜି ଖବରକାଗଜର ପ୍ରଥମ ପୃଷ୍ଠାରେ..... ।

 

ତାରାପଦର ଚିନ୍ତାରେ ବାଧା ଜନ୍ମାଇ ଶଙ୍କରବାବୁ ପ୍ରଶ୍ନକଲେ– “ଛାଡ଼ ଏବେ ସେ ଗବେଷଣା କଥା । ଯେଉଁ ଦେଶରେ ଲୋକ ଖାଇପିଇ ଦି–ବେଳା ବଞ୍ଚିବା ଏକ ବିରାଟ ସମସ୍ୟା ! ସେଠି ରିସର୍ଚ୍ଚ ଫିସର୍ଚ୍ଚର ମାନେ କିଛି ନାହିଁ–କିଏ ବା ତମ କଥା ଶୁଣିବ ? ‘‘କାହାର ସମୟ ଅଛି ତମ କଥା ବୁଝିବା ପାଇଁ... ? ସକାଳ ସନ୍ଧ୍ୟା ତ ପ୍ରାଗ୍‍ଐତିହାସିକ ଅନ୍ନଚିନ୍ତାରେ ସମସ୍ତେ ଆକ୍ରାନ୍ତ–-। ଏବେ କୁହ, ତମର ରେଖାଚିତ୍ର କେତେଦୂର ଗଲା ?”

 

ସିଗାରେଟ୍‌ର ଶେଷ ଅଂଶଟିକୁ ଛିଣ୍ତା ଚପଲରେ ଚାପି ଦେଉ ଦେଉ ତାରାପଦ ହସି ପକାଇଲେ–

 

“ରେଖାଚିତ୍ର ? କେବେ କେଉଁଦିନ ଗୋଟାଏ ଅଙ୍କା ହୋଇଥିଲା–ତା’ର ତିଥି ନକ୍ଷତ୍ର କିଛି ମନେ ନାହିଁ । ଏବେ ଆଉ ଚିତ୍ର କାହିଁ ଯେ ରେଖା ଆସିବ ? ସକାଳ ସନ୍ଧ୍ୟା ସେଇ ଗୋଟିଏ ଚିତ୍ର, ସେଇ ଗୋଟିଏ ଚିନ୍ତା, ସେଇଗୋଟିଏ ଚେତନାବୋଧ–କୁହ ତ ଶଙ୍କର କ’ଣ କରାଯିବ–କ‘ଣ କରାଯିବ– । କେତେଦିନ ହେଲା ମୁଁ ଜାଣୁଛି ମୋର ଶ୍ୱାସରୋଧ ହୋଇଯାଉଛି .. ତଥାପି ବଞ୍ଚି ରହିବାର ଗୋଟାଏ ଅଭୁତ ଶକ୍ତି ଅଛି, ଯେ କି ପ୍ରତିଦିନ ଚାବୁକ୍‌ ମାରି ମତେ ମୋର ଅଜାଣତରେ ସବୁକିଛି କରେଇନେଉଛି । ବାଟ କାହିଁ ଶଙ୍କର ? ବାଟ କାହିଁ ?”

 

“ତାରାପଦ ! ସବୁଦିନେ ତମେ ବଡ଼ ଇମୋସନାଲ୍‌ । ଏବେ ତମ ଚିତ୍ର ସମ୍ୱାଦ ଥାଉ– ତୁମ ପରିବାରର ଖବର କ’ଣ ? ସମସ୍ତେ ଭଲ ଅଛନ୍ତି ତ– ?”

 

ତାରାପଦ ଉତ୍ତର ଦେଲେନି । ଝୂପ ଝୂପ ହୋଇ ଚଲା ମେଘ ଖଣ୍ତେ ଚାଲିଗଲା ଆଗକୁ-। ବର୍ଷାରେ ତିନ୍ତିଯିବା ସତ୍ତ୍ୱେ ମଧ୍ୟ ଲାଇନ୍‌ର ଲମ୍ୱା ବଢ଼ି ଚାଲିଛି । କମିବାର କିଛି ଲକ୍ଷଣ ଦେଖାଯାଉନି । ଚାହୁଁ ଚାହୁଁ ଆଗପଛ ଠେଲି ଲୋକ ଗୁଡ଼ାଏ ପଶିଗଲେଣି ଆଗକୁ । ଏ ଭିତରେ ପ୍ରତିଯୋଗିତାରେ ଆଗେଇବା ଆଉ ସମ୍ଭବ ନୁହେଁ ସେମାନଙ୍କ ପକ୍ଷରେ । ମାତ୍ର... ।

 

ଆରେ ହେଇ ଯେ ହେମନ୍ତ ! ହେମନ୍ତ ! ହେ ହେମନ୍ତ ! ଏଇଠିକି ଆସ, ଆସ । ଆଜି ଗୋଟାଏ ରାଜଯୋଟକ କହିଲେ ଅତ୍ୟୁକ୍ତି ହେବନି । ଥ୍ରିଚିୟରସ୍‌ ଟୁ... ।”

 

‘‘ଆଃ ! ଚୁପ୍‌କର । ରାସ୍ତାଟା ବୋଲି ଭୁଲିଯାଉଛ ନାଁ କ’ଣ ତାରାପଦ ? ଲୋକେ କହିବେ କ’ଣ ?” ଶଙ୍କରବାବୁ ବିରକ୍ତ ହେଲାପରି କହିଲେ ।

 

‘‘ଲୋକେ ! ଲୋକ କ’ଣ ଏ ଦେଶରେ ଅଛନ୍ତି ଶଙ୍କର ? ଆଉ ସେମାନଙ୍କର ଭଲମନ୍ଦ ବୁଝିବାର ଶକ୍ତି ଅଛି ? ଥିଲେ ବି ଆମେ ଏମିତି ସମସ୍ତିଙ୍କ ମନରଖି କେତେଦିନ ଚାଲୁଥିବା ?’’

 

ଶଙ୍କରବାବୁ ଜାଣିପାରିଲେ ତାଙ୍କର କଥାରେ ତାରାପଦ ଆଘାତ ପାଇଛି । ମନେ ମନେ ଦୁଃଖିତ ହୋଇପଡ଼ିଲେ ସେ । ହେମନ୍ତ ସେମାନଙ୍କର ସହପାଠୀ । ନାମକରା ଔପନ୍ୟାସିକମାନଙ୍କୁ ମଧ୍ୟରୁ ସେ ଜଣେ । ଜଣେ ବନ୍ଧୁର ଅନ୍ୟଜଣକ ପ୍ରତି ଯେତିକି ଆବେଗ ରହିବା କଥା ସେତିକି ଏବେ ମଧ୍ୟ ଅତୁଟ ରହିଛି । ଏଇ ବୟସରେ ସେକଥା ଭାବି ମନେ ମନେ ଆଶ୍ଚର୍ଯ୍ୟ ହେଲେ ଶଙ୍କରବାବୁ ।

 

ହେମନ୍ତ ଆସୁଛି । ସବୁଦିନେ ସେ ରୋଗଣା ଓ ଦେଖିବାକୁ ବଡ଼ ଶୀର୍ଣ୍ଣ । ହୁଏତ ସେ ବି ଆସିଛି ଲାଇନ୍ ଦେବାପାଇଁ ।

 

ହେମନ୍ତ ଆସି ବୋକା ହେଲାପରି ଶଙ୍କର ଓ ତାରାପଦକୁ ଅନାଇଲେ । ତାଙ୍କର ଆଖି ଦୁଇକଡ଼ରେ କଳାଦାଗ, ସିଗାରେଟର ଧୂଆଁରେ ହଳଦିଆ ଦାନ୍ତ ସାଙ୍ଗକୁ ପ୍ରଶ୍ନବାଚକ ଭାଙ୍ଗି ସତେବା ଶଙ୍କର ଓ ତାରାପଦକୁ ଉପହାସ କରି ଚାଲିଥିଲା । ନିଜ ପ୍ରତି ତାଙ୍କର ଭ୍ରୂକ୍ଷେପ ନାହିଁ । ନିଜକୁ ଉପହାସ କରୁ କରୁ ସତେବା ସମଗ୍ର ଜଗତକୁ ଉପହାସ ତାତ୍ସଲ୍ୟ କରିବାର ଏକ ନୂତନ ଶୈଳୀ ସେ ଆବିଷ୍କାର କରିପାରିଛନ୍ତି ।

 

ଶଙ୍କର ବାବୁ ହସିଦେଇ କହିଲେ–

 

‘‘ଯଦିଓ ତୁମେ ଅନେକ ଡେରିରେ ଆସିଛ, ତଥାପି ଆମ ଦୁଇ ଜଣଙ୍କର ମଝିରେ ଫାଙ୍କ କରି ତୁମକୁ ରଖିନେଉଛୁ । ମାତ୍ର ଆମକୁ ତମର ଚରିତ୍ର କରି ଉପନ୍ୟାସରେ ଫୁଟେଇବାର ପ୍ରତିଶ୍ରୁତି ପ୍ରଥମରେ ଦେବାକୁ ହେବ... !’’

 

‘‘ଏତେଦିନ ତମକୁ ଚିଡ଼ିଆଖାନାର ଦର୍ଶନୀୟ ଜନ୍ତୁ କରି ରଖିଥିଲି, ଏବେ କିନ୍ତୁ ପ୍ରତିଶ୍ରୁତି ଦେଉଛି ତମ ସମସ୍ତଙ୍କୁ ଛାଡ଼ିଦେବି । ଖାଲି ସେତିକି ନୁହେଁରେ–ସେତିକି ନୁହେଁ... !’’

 

‘‘ମାନେ ?’’ଶଙ୍କରବାବୁ ଆଶ୍ଚର୍ଯ୍ୟ ହୋଇଥିଲେ ।

 

‘‘ଏଇ ସାମାନ୍ୟ କଥା ବୁଝିପାରୁନ ପ୍ରଫେସର, ଆଉ କ’ଣ ମଣିଷ ଚରଉଛ ହେ..... ।’’

 

‘‘ତମ ଭଳି ଉଚ୍ଚଦାର ସାହିତ୍ୟିକଙ୍କ ସଙ୍ଗେ ଆମେ କଥାରେ ପାରିବୁନି, ଏଣିକି ଆମ ଭଳି ନିମ୍ନସ୍ତରରେ ଲୋକଙ୍କ ପାଇଁ କିଛି ଖୁଚୁରା ଲଘୁ ସାହିତ୍ୟ କର ... । ତେଲ ଲୁଣ ଜ୍ଵାଳାରେ ଜୀବନର କିଛି ଆଉ ମାନେନାହିଁ । ଆଉ ଗୋଟାଏ ମୋହ....ମମତା ଜୀବନ ପାଇଁ ଆମର ଦରକାର । ସେତିକି ଆମେ ଯଦି ତମ ଭଳି ସାହିତ୍ୟିକମାନଙ୍କଠାରୁ ଚାହୁଁ ତେବେ... ।’’

 

‘‘ଜାଣେ ତେବେ ଯାଇ ମୋର ସାହିତ୍ୟି ଉଚ୍ଚାଙ୍ଗ ସାହିତ୍ୟ ହେବ, ଚତୁର୍ଦ୍ଦିଗରେ ସ୍ଵୀକୃତି ପାଇବ, ହୁଏତ କିଛି ରାଜକୋଷର ଅର୍ଥ ମଧ୍ୟ...’’ । ହେଁ, ହେଁ କରି ହସିଉଠିଲେ ହେମନ୍ତ । ହସୁ ହସୁ ହଠାତ୍ ଆଖିରେ ଭରିଉଠିଲା ଅଶ୍ରୁ !

 

‘‘ହେମ !’’ ଶଙ୍କରବାବୁ ପୁଣି ଥରେ ଆଶ୍ଚର୍ଯ୍ୟ ହେଲେ ନିଜ କଥା ଭାବି, ସତରେ ଲୋକମାନେ କେତେ ଛୋଟ ଛୋଟ କଥାରେ ଆନ୍ଦୋଳିତ ହୁଅନ୍ତି !

 

‘‘ଜାଣ ଶଙ୍କର ! ସ୍ଵପ୍ନର ଜାଲ ଅନେକ ବୁଣିଥିଲି ମୁଁ, ମାତ୍ର ସେଇ ଜାଲରେ ମୁଁ ନିଜେ ପ୍ରତିମୁହୂର୍ତ୍ତରେ ଛନ୍ଦି ହୋଇ ପଡ଼ିଯାଉଛି । ମାୟା, ମମତା, ମୋହ, ପ୍ରତିଶ୍ରୁତି, ଅଙ୍ଗୀକାର, ହସଖୁସି କି ଐଶ୍ଵର୍ଯ୍ୟର କୌଣସି ଅନୁଭୂତି ଜୀବନର ସୃଷ୍ଟିରୁ ହିଁ ମୋର ହୋଇନାହିଁ । ମୁଁ ଜାଣେ କେବଳ ଗୋଟିଏ ‘ବୋଧ’ ମୋର ଅଛି, ଗୋଟିଏ ଜିନିସକୁ ହଜାଇ ଭିତରୁ ସାଉଁଟି ନେବାର ଶକ୍ତି ମୋର ଅଛି–ସେଇଟି କେବଳ ବେଦନା ବୋଧ–ଦୈନ୍ୟ ଯନ୍ତ୍ରଣା, ଜ୍ଵାଳା, ଓ ଗ୍ଲାନିର ବେଦନା ସିଏ । ସେତିକି ଅନୁଭୂତିରେ କେଉଁ ସାହିତ୍ୟ ସୃଷ୍ଟି ହେବ, ତାକୁ ପଢ଼ିବ କିଏ ? ବୁଝିବ କିଏ... ? ଆଉ କିଣିବ କିଏ... ?’’

 

ଶଙ୍କରବାବୁ ଜାଣିପାରିଥିଲେ ଆଠ ଦଶ ହାତ ଭିତରେ ଆଗ ପଛ ହୋଇ ଛିଡ଼ା ହୋଇଥିବା ଅନେକ ଲୋକ ସେମାନଙ୍କ ପ୍ରତି ସତର୍କ ଦୃଷ୍ଟିପାତ କରୁଛନ୍ତି । ସତେବା ସେମାନେ ଦର୍ଶନୀୟ ବସ୍ତୁ । ତାରାପଦର ପଛଆଡ଼େ ଲମ୍ବାକଲି ରଖି ଦୁଇଟା ଷଣ୍ଢମାର୍କା ଗୁଣ୍ଡାଳିଆ ଯୁବକ ଛିଡ଼ା ହୋଇଛନ୍ତି । କୋଉଠି କେମିତି ସେମାନଙ୍କୁ ଦେଖିଛନ୍ତି ସେ ! ମାତ୍ର କୋଉଠି... ?

 

ଶଙ୍କରବାବୁ ଅନ୍ୟମନସ୍କ ହୋଇ ଆଗକୁ ଚାହିଁଥିଲେ । ତାରାପଦ ଓ ହେମନ୍ତ ମଧ୍ୟ ଚୁପ୍-! ହଠାତ୍ ପଛଆଡ଼ୁ କିଏ ଯେମିତି ଜୋରରେ ଠେଲିନେଲା ‘‘ଚାଲବେ ଚାଲ । ବୋପା ସମ୍ପତ୍ତି ଭଳିଆ ଖୁଣ୍ଟଟା ପରି ବାଟ ଓଗାଳି ଛିଡ଼ା ହୋଇଛନ୍ତି... । ତମେ ଏକା ପାଠୁଆ ବୋଲି ଏଠି ଭାଷଣ ଚାଲିଛି,–ନାଁ ଆଉ କିଏ ଅଛନ୍ତି ?’’

 

‘‘ଆରେ ଭାଇ ! ମୋର ଦୋଷ କ’ଣ ? ମିଛରେ ମତେ କାହିଁକି...’’ ! ଅନ୍ୟଜଣଙ୍କର ସତର୍କ ବିସ୍ମୟଭଙ୍ଗୀ ଶଙ୍କର ବାବୁ ସ୍ପଷ୍ଟ ଜାଣିପାରୁଥିଲେ । ‘‘ଜଗତଟା ଯଦି ଛାତ୍ରମୟ ଦିଶୁଛି, କାହାକୁ କାହାକୁ ଦିଶୁଛି ମାଟି, ଗୋଡ଼ି, ଖପରା । ଆଉ କାହାକୁ ପାଞ୍ଚ ଛ’ଟା ଅଡ଼ୁଆ ତଡ଼ୁଆ ମେଞ୍ଚାଏ ସୂତା ତ କାହାକୁ ଡାଳିମ୍ବ, ନାସପାତି ବେଦନା... । ଅଳସୁଆଙ୍କର ଗୁରୁପରା ଶଳାଏ ! ଖାଲି ମାଡ଼–ଯାଉଣୁ ଆସୁଣୁ ଦୁଇଟା ଦିନ ଦି’ଦି ପୁଞ୍ଜା ବସିଗଲେ ବୋପାର ନାଁ ମନେପଡ଼ିବନି : ଗବେଷଣା ଚାଲିବ କେଉଁଠି ? ମଠରେ ଖାଇ ଖଟରେ ଗଡ଼ି ଇଣ୍ଟେଲେକ୍‌ଚୁଆଲ ବୋଲଉଛନ୍ତି... ! ପୋଷା ଶୁଆ ପରି...ମୁଖସ୍ଥ କଥା ଅନିର୍ଗଳ ବାଟଘାଟରେ ଶୁଣି ଶୁଣି ମଣିଷର ମିଜାଜ ନଷ୍ଟ ହୋଇଗଲାଣି !’’

 

‘‘ଆଃ ? ଚୁପ୍ କରନା ! କାହିଁକି ଭଡ଼ ଭଡ଼ ହେଉଛୁ ? ଆଜି ଏଠି ଗଣ୍ଡଗୋଳ ହେଲେ କୌଣସି ଅସୁବିଧା ନାହିଁ ଯେ ଖାଲି ଚାଉଳଟା ମିଳିବ ନାହିଁ । ଦୁଇଦିନ ପରେ ଉପାସ ରହିବାକୁ ଆଉ ତାକତ ନାହିଁ...ମୋ ଚାଉଳ ଯେମିତି ହେଲେ ଦରକାର ଆଜି । ସେଥିପାଇଁ ବିପ୍ଳବକୁ ମାସେ କ’ଣ ବର୍ଷେ କି ସବୁଦିନ ପାଇଁ କବର ଦେବାକୁ ହେଲେ ମୋର ଭ୍ରୂକ୍ଷେପ ନାହିଁ... ! ଉପାସ ରହି କେତେଦିନ ଏମିତି ଚାଲିବ ? ବୁଝିଲ–ଆଜିକାର ନୀତି ହେଲା–ଆଗ ପେଟପୂଜା, ତା’ପରେ ଯାଇ ଦେଶପୂଜା.... ।’’

 

ଯୁବକଟିର କଣ୍ଠରେ ଅନୁରୋଧ ଥିଲା, ଶାସନ ଥିଲା, ତାଚ୍ଛଲ୍ୟ ଥିଲା–ଆଉ ଥିଲା ପରିଣାମର ଇଙ୍ଗିତ । ହୁଏତ ସେଥିପାଇଁ ଆପରିଣାମଦର୍ଶୀ ଅନ୍ୟ ଯୁବକଟିକୁ ଚୁପ୍ ରହିବାକୁ ପଡ଼ିଥିଲା ଅନିଚ୍ଛା ସତ୍ତ୍ୱେ । ଆଳାପ ଓ ଚିନ୍ତାରେ ବ୍ୟାଘାତ ଘଟାଇ ଦୁଇଟି ଯୁବକଙ୍କର ବାକ୍ୟ ବିନିମୟ କି ଭାବନା କାହା ମନରେ ସୃଷ୍ଟି କଲା କେଜାଣି ! ହେମନ୍ତ ଚୁପ୍ ହୋଇ ମାଟିକୁ ଅନାଇଥିଲେ । ତାରାପଦ ନିଜ ପାପୁଲିର ରେଖାକୁ...

 

ମାତ୍ର ଶଙ୍କରବାବୁ ହଠାତ୍ କରି ଦୁଇହାତ ପାପୁଲିରେ ନିଜର ଝାଳୁଆ ମୁହଁଟାକୁ ଢାଙ୍କିଧଇଲେ । ସବୁ ଏଣିକି ଅନ୍ଧାର । ଶୂନ୍ୟ ! ଅଦୃଶ୍ୟ ! କୀଟପତଙ୍ଗ, ଜୀବଜନ୍ତୁବିହୀନ ଏକ ଅନ୍ଧକାରମୟ ଶୂନ୍ୟ ପୃଥିବୀ । ତାହା ହିଁ ହୁଏତ ତାଙ୍କ ସାଧନାର ସିଦ୍ଧି !!!

 

ଅଧ୍ୟାପିକା

ରମାଦେବୀ ମହିଳା କଲେଜ

Image

 

ବେଲ, ଅଶ୍ଵତ୍‌ଥ ଓ ବଟ ବୃକ୍ଷ

ରବି ପଟ୍ଟନାୟକ

 

ଧନ୍ୟ ଜୀବନ ଏ ଜଗତେ । ଯେ ପ୍ରାଣ ଧରେ ପ୍ରାଣୀ ହିତେ ॥

ଧନ୍ୟ ଜୀବନ ଧନ୍ୟ ତାର । ଦୁର୍ଲଭ କର୍ମ ଏ ବେଭାର ॥

ଏହା ମୁଁ ବୃକ୍ଷଙ୍କର ସ୍ଥାନେ । ଶିଖିଲି ପର୍ବତ ଗହନେ ॥

 

(ଭାଗବତ)

 

ବସ୍‌ଷ୍ଟେଣ୍ଡ୍‌ରେ ପହଞ୍ଚିଲା ବେଳକୁ ସରକାରୀ ବସ୍‌ଟି କେତେବେଳୁ ଛାଡ଼ି ଦେଲାଣି । ସେଥିରେ ଯାଇଥିଲେ ସିଧାସଳଖ ନଅଟା ବେଳକୁ ଗାଁ ପାଖରେ ପହଞ୍ଚି ଯାଇଥାନ୍ତେ । କିନ୍ତୁ ଆଉ ତ ଉପାୟ ନାହିଁ । ପଛ ବସ୍ ଧରି ଫୁଲନଖରାରେ ଓହ୍ଲେଇ ପୁଣି ଆଉ ଥରେ କୁଜି ଘରୋଇ ବସ୍‌ରେ ବସି ଗାଁ ପାଖ ବସ୍‌ଷ୍ଟେଣ୍ଡ୍‌ରେ ପହଞ୍ଚିଲା ବେଳକୁ ବେଳ ଏଗାରଟା ହେଲାଣି । ଏକେ ତ ବୈଶାଖ ମାସ ଖରା । ସକାଳ ଆଠଟା ବେଳକୁ ବି ବାହାରକୁ ଗୋଡ଼ କାଢ଼ିହୁଏନା । ଏବେ ଏଇ ଏଗାରଟା ବେଳକୁ ଚାରିଆଡ଼େ ନିଆଁ ଜଳୁଛି ଯେମିତି । ଖରାକୁ ଚାହିଁହେଉନି । ଆଖି ବୁଜି ହୋଇଆସୁଛି ତା’ ତେଜରେ । ପବନଟା ବି ନିଆଁ ପରି ତାତିଛି । ଏତେବେଳେ ଆଉ ଗାଁକୁ ଯିବେ କି ନ ଯିବେ ଏମିତି ଦୋଦୋପାଞ୍ଚ ହୋଇ ବସ୍‌ରୁ ଓହ୍ଲେଇ ନଟବର ବାବୁ ବସ୍‌ଷ୍ଟେଣ୍ଡ ପାଖରେ ଥିବା ଚାକୁଣ୍ଡା ଗଛ ତଳରେ ପାନ ଜଳଖିଆ ଦୋକାନ କରିଥିବା ହରି ଗୁଡ଼ିଆର ଚାଳିଆ ଆଡ଼କୁ ମୁହେଁଇଲେ ।

 

ଝାଟିମାଟି କାନ୍ଥ । ଉପରେ ତାଳ ବରଡ଼ାର ଛପର । ଦର ଆଉଜା ହୋଇ ରହିଛି ତଳ ବରଡ଼ାର ତାଟି । ଚାଳିଆ ଆଗରେ ଖୁଣ୍ଟ ଦି’ଟା ପୋତି ତା’ ଉପରେ ଖଣ୍ଡିଏ ଦାରଚଞ୍ଛା ପଟା ପିଟି ଦି’ଟା ବେଞ୍ଚ । ଖରା ତାତିରେ ସେଇଟା ଗରମ ହୋଇ ରହିଛି । ସେଥିରେ ଟିକେ ହାତ ମାରି ଦେଉଁ ଦେଉଁ ଚାଉଁକିନା ଲାଗିଲା ହାତକୁ । ନଟବର ବାବୁ ଦରଆଉଜା ତାଟି ଫାଙ୍କ ଦେଇ ଅନେଇଲେ ଭିତରକୁ । ଖଣ୍ଡିଏ ଦରଭଙ୍ଗା ନଡ଼ବଡ଼ ଟେବୁଲ । ତା’ ଚାରିପଟେ ସେମିତିକା ଦି’ଚାରିଟା ଚେଆର । କୋଉଟାର ହାତ ନାହିଁ । ସେ କଣରେ ପଡ଼ିଛି ଖଣ୍ଡିଏ କାଠ ବେଞ୍ଚ । ଏ ପାଖରେ ଥାକ ହୋଇଥିବା କାଠର ଖଣ୍ଡିଏ ଆଲମିରା । ସେଇ ଥାକ ଉପରେ ସିଲଭର ଥାଳିଆ ଆଉ ବାଉଁଶ ପାଚିଆରେ ସଖାଳୁ ହୋଇଥିବା ବାସି ବରା, ଗୁଲୁଗୁଲା, ପକୁଡ଼ି ଓ ବୁନ୍ଦିଆ ମିଠେଇ ସଜା ହୋଇ ରହିଛି । ତଳକୁ ଗୋଟାଏ ଖୋଲା ମୁହଁ ଡେକ୍‌ଚି ଉପରେ ଚିନି ସିରା ଭିତରେ ଭାସୁଛି ଚାରି ଛଅଟା ରସଗୋଲା । ସିଲ୍‌ଭର ଚଟୁ ଉପରେ ଚିନି ସିରା ଲାଗି ଶୁଖିଯାଇଥିବା ଜାଗାଟିରେ ଦଳ ଦଳ ମାଛ ଭଣ ଭଣ । ଖଣ୍ଡିଏ ଛିଣ୍ଡା ସପ ଉପରେ ନାଲି କରିଆ ଖଣ୍ଡେ ପିନ୍ଧି ହରି ଗୁଡ଼ିଆ ଗୋଟିଏ କଣରେ ଗଡ଼ପଡ଼ ହେଉଛି । ବାସନ ଧୁଆ ଟୋକାଟା ବେଞ୍ଚ ଉପରେ ଲମ୍ବପମ୍ବ ହୋଇ ପଡ଼ିଛି ।

 

ନଟ ବାବୁ ଧୀରେ ଗଳାରେ ଡାକିଲେ ‘ହରି, ଅଛୁ କିରେ ?’ ପରିଚିତ ଗଳାର ସ୍ଵର ଶୁଣି ହରି ଗୁଡ଼ିଆ ମୁଣ୍ଡ ଟେକି ଚାହିଁଲା ଆଉ ତା’ପରେ ଧଡ଼ପଡ଼ ହୋଇ ଉଠି ବସି ମୁଣ୍ଡ ଉପରେ ହାତ ଦୁଇଟା ଲଗେଇ କହିଲା ‘ଆରେ ନଟ ଭାଇ ଯେ, ଏ ଉଦୁଉଦିଆ ଖରାବେଳଟାରେ କେଉଁଠୁ ଅଇଲ ମ ? ଏଇ ଦଶୁଟା ବସ୍‌ରେ ?’ ହରି ଗୁଡ଼ିଆର ପାଟି ଶୁଣି ବାସନ ମଜା ଟୋକାଟା କେତେବେଳୁ ଛିଡ଼ା ହୋଇଗଲାଣି ।

 

ଭିତରକୁ ପଶିଆସି ନଡ଼ବଡ଼ ଚେଆରଟା ଉପରେ ବସି ପଡ଼ୁ ପଡ଼ୁ କହିଲେ, ‘ହଇରେ ଏ ଟୋକା, ମନ୍ଦାଏ ପାଣି ଦେଲୁ । ଶୋଷରେ ତଣ୍ଟିଟା ଅଠା ଅଠା ହୋଇଗଲାଣି । ହଁ ପରା । ଆଉ କହନା ସକାଳୁ ବସ୍‌ଟା ଫେଲ୍ ହେଲି । ବାଧ୍ୟହୋଇ ପଛ ବସ୍‌ଟାରେ ଆସିଲି ।’

 

‘କାହିଁକି ସଞ୍ଜ ବସ୍‌ରେ ଆଇଲନି ?’

 

‘ଆଉ କ’ଣ ତର ଅଛି ? କାଲି ସଞ୍ଜବେଳକୁ ତାର ପାଇଲି । ବୋଉର ଦେହ ଖରାପ । ରାତିରେ ତ ଆସିବା ପାଇଁ କିଛି ନାହିଁ । ତେଣୁ ବାଧ୍ୟହୋଇ ସକାଳୁ ଆଇଲି ।’

 

‘କ’ଣ ହୋଇଛି ?’

 

‘କିଛି କ’ଣ ଜଣା ଅଛି । ଖାଲି ତାର । ଶୀଘ୍ର ଆସ ।’

 

‘ଏଇନେ ପୁଣି ଗାଁକୁ ଯିବ ? ଏତେ ଖରାଟାରେ ?’

 

‘ନଯାଇ ଚାରା ନାହିଁ । ଫେର୍ ଯଦି ଏ ଭିତରେ କ’ଣ ନାଇଁ କ’ଣ ହୋଇଯାଏ ଶେଷ ବେଳକୁ ଆଉ–’

 

‘ଛି ଛି ଛି–ଏ କାଳ କଥା ଆଉ ତୁଣ୍ଡରେ ଧର ନାହିଁ ।’

 

‘ତୁ ତ ଜାଣୁ ହରି–ମନଟା କାଲି ସଞ୍ଜଠୁ ଏମିତି ପାପ ଛୁଉଁଛି । ରାତିସାରା କାଲି ଶୋଇପାରିନି । ହଉ ଏଥର ଉଠେ ।’

 

ଗାମୁଛାଟାକୁ ପାଣିରେ ଭିଜେଇ ମୁଣ୍ଡ ଉପରେ ଥୋଇ ଛତା ଧରି ବାହାରିପଡ଼ିଲେ ନଟବର ବାବୁ ।

 

ସଡ଼କ ତଳରୁ ଲମ୍ବିଛି ଅଙ୍କାବଙ୍କା ହୋଇ ପାଦଚଲା ରାସ୍ତା । ବର୍ଷାଦିନରେ ହିଡ଼ ଉପର ରାସ୍ତା ବଦଳରେ ଏଥର ବିଲ ମଝିରେ ରାସ୍ତା ହୋଇଛି । ଚାରିଆଡ଼ର ଆବୁଡ଼ା ଖାବୁଡ଼ା, ଧାନ ଗଛର ଥୁଣ୍ଟା ବୁଦା ମଝିରେ ସେଇ ଟିକକ ବେଶ୍ ଚିକ୍‌କଣ, ପରିଷ୍କାର । ମଣିଷ ଚାଲି ଚାଲି ଧୁଳି ହୋଇଗଲାଣି ଠାଏ ଠାଏ । ଖରା ତେଜରେ ଚାରିଆଡ଼ ଦାଉ ଦାଉ ଜଳୁଛି । ଦୂରକୁ ଚାହିଁହେଉନି । ଆଖିପତା ବୁଜି ଆସୁଛି ଖରା ତେଜରେ । ନିଆଁ ବର୍ଷୁଛି ଯେମିତି । ପବନଟା ଚୁଲି ମୁଣ୍ଡର ପବନ ପରି ତାତିଛି । ଦେହ ହାତ ପୋଡ଼ିଯାଉଛି ଗରମରେ ।

 

ଏସବୁକୁ ଭ୍ରୂକ୍ଷେପ ନ କରି ନଟବର ବାବୁ ଛତା ମୁଣ୍ଡେଇ ମୁଣ୍ଡରେ ଓଦା ଗାମୁଛା ଦେଇ ଚାଲିବାକୁ ଆରମ୍ଭ କଲେ ଏକ ଲୟରେ । ପହଞ୍ଚୁ ପହଞ୍ଚୁ ଯଦି ବେଶୀ ଡେରି ହୋଇଯାଏ ।

 

ସେମିତି କିଛି ବେଶୀ ନ ହୋଇଥିଲେ ବୋଉ କେବେ ଟେଲିଗ୍ରାମ କରିନଥାନ୍ତା । ସେଇ ଯେ ପାଞ୍ଚ ବର୍ଷ ଦିନରୁ ବାପା ମଲାଠାରୁ ସେ ବୋଉର ଏମିତି ଦେହ ଖରାପ କେବେ ଦେଖିନାହାନ୍ତି-। ଦେଖିଥିଲେ ମଧ୍ୟ ବୁଝିପାରିନାହାନ୍ତି । ଆଉ ହୋଇଥିଲେ ବି ବୋଉ ତାଙ୍କଠାରୁ ଲୁଚେଇ ରଖିଛି-। କେତେ କଷ୍ଟରେ ମଣିଷ କରିଚି ସେ । ସବୁ ଦୁଃଖ ଅଭାବ ଦୈନ୍ୟ ସତ୍ତ୍ୱେ ସେ ତାଙ୍କରି ମୁହଁକୁ ଚାହିଁ ସିଧାସଳଖ ଛିଡ଼ା ହୋଇ ତାଙ୍କୁ ପାଠ ପଢ଼େଇଛି–ମଣିଷ କରିଛି । ବାହା କରେଇଛି-। ନିଜର ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ କେବଳ ତାଙ୍କରି ପାଇଁ ସେ ନିଜ ଜୀବନକୁ ଏକାବେଳକେ ଉତ୍ସର୍ଗ କରିଦେଇଛି । କେବେହେଲେ ତାଙ୍କୁ କିଛି ମାଗି ନାହିଁ । କେବଳ ଦେଇଯାଇଛି ।

 

ସାମାନ୍ୟ ଚାକିରି । ସେଥିରେ ଚାରି ପାଞ୍ଚୁଟା ପିଲା । ଦରମା ଯାହା ଆଣନ୍ତି ସେତିକିରେ ସଂସାର ଚଳିବା କଷ୍ଟ । ସେଥିପାଇଁ ତାଙ୍କୁ ପାଖରେ ରଖିବାକୁ ଯେତେ କହିଲେ ବି ସେ କେବେ ଭୁବନେଶ୍ଵରରେ ନ ରହି ଗାଁକୁ ପଳେଇ ଆସିଛି । ଭାଗ ଚାଷ ଜମିରୁ ଧାନ ଆଦାୟ କରି ଚାଉଳ କରି, ତାଙ୍କ ପାଖକୁ ପଠେଇଛି । ପିଲାମାନେ ସୁଖରେ ରହିବେ ବୋଲି ଆଜି ମୁଗ ଦିଟା, କାଲି ବିରି, ପଅର ଦିନ ଜଡ଼ି, ନଡ଼ିଆ, ଚିନାବାଦାମ ସବୁ ଗୋଟି ଗୋଟି କରି ସଜେଇ ସାଜେଇ ନିଜେ ଯାଇ ଦେଇଆସିଛି ।

 

ଆଉ ସେ ? ତା’ ପାଇଁ କ’ଣ କରିଛନ୍ତି ? କିଛି ନାହିଁ । କେବଳ ନିଜ ସ୍ତ୍ରୀ ପିଲାଝିଲାଙ୍କ ପାଇଁ ସବୁ କିଛି କରିଛନ୍ତି । ଆଶ୍ଚର୍ଯ୍ୟ । ମଣିଷ ଜାତିଟା ଏମିତି ଅକୃତଜ୍ଞ । ପଛକୁ ଫେରି ଚାହେଁନା । ଖାଲି ଆଗକୁ ଦେଖେ । ଖାଲି ମଣିଷ କାହିଁକି ସବୁ ପଶୁ ପକ୍ଷୀ, ଗଛ ଲତା । ପ୍ରାଣୀ ଜଗତର ନିୟମ ଏଇଟା । ପ୍ରକୃତିକ ନିୟମ । ସୃଷ୍ଟିର ଲୀଳା ଅକ୍ଷୁଣ୍ଣ ରଖିବାକୁ । ଗଛ ଯଦି ତା’ର ପୁରୁଣା ପତ୍ରଗୁଡ଼ାକୁ ସବୁବେଳେ ନିଜର ଭାବେ ରଖିବାକୁ ଚାହେଁ ତେବେ ସେ କିପରି ସୃଷ୍ଟି କରିବ ନୂତନ ପତ୍ର, ନୂତନ ଫୁଲ, ନୂତନ ଫଳକୁ । ଅକୃତଜ୍ଞ ହେବା ବୋଧହୁଏ ସେଥିପାଇଁ ଏତେ ସ୍ଵାଭାବିକ ।

 

ପିଲାଙ୍କ ପାଇଁ ସେ ନିଜେ ବା କ’ଣ ନ କରୁଛନ୍ତି ? ନିଜେ ଭଲକରି ଗଣ୍ଡେ ନ ଖାଇ ନ ପିନ୍ଧି ପିଲାଏ କେମିତି ଭଲ ଖାଇବେ ଭଲ ପିନ୍ଧିବେ ଭଲ ପାଠ ପଢ଼ିବେ ସେଥିପାଇଁ ଅନବରତ ଖଟି ଚାଲିଛନ୍ତି । ସକାଳଠାରୁ ରାତି ପର୍ଯ୍ୟନ୍ତ କେବଳ ସେଇ ଚିନ୍ତା । ନିଜେ ଯେମିତି କଷ୍ଟ ସହ ପାଠ ପଢ଼ିଥିଲେ, ସବୁ ଅସୁବିଧା ସହ୍ୟ କରିଥିଲେ ସବୁବେଳେ ମନରେ ଭାବନା ହୋଇଛି ମୋ ପିଲାଏ ଯେମିତି ସେମିତି କଷ୍ଟ ନ ପାଆନ୍ତି । ସେତିକି ଅସୁବିଧା ଭୋଗ ନ କରନ୍ତି । ତାଙ୍କ ମନରେ ‘ଗରିବ’ ବୋଲି ଯେମିତି Inferiority complex ନ ରହୁ, ସେଥିପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରି ଆସିଛନ୍ତି ।

 

କିନ୍ତୁ ତଥାପି ଫଳ କ’ଣ ହେଉଛି ?

 

ବୋଉର ସ୍ଵାର୍ଥତ୍ୟାଗ ଓ ଅତ୍ମୋତ୍ସର୍ଗ ସାଙ୍ଗେ ସାଙ୍ଗେ ନିଜର ବି ତାଙ୍କର ଥିଲା ପ୍ରଗାଢ଼ ଚେଷ୍ଟା । ସେତେବେଳର ଶିଶୁ ମନ ନେଇ ବୋଉକୁ ସୁଖରେ ରଖିବାର ଦୃଢ଼ ପ୍ରତିଜ୍ଞା । ସେଇଥିପାଇଁ ସେ ଯାହାହେଉ, ବଡ଼ ନ ହେଉ ପଛେ, ସଧାରଣ ଭାବେ ବଞ୍ଚିବାର ପାଥେୟ ସଂଗ୍ରହ କରିପାରିଛନ୍ତି ତ ?

 

କିନ୍ତୁ ତାଙ୍କର ଏତେ ଆତ୍ମୋତ୍ସର୍ଗ ସତ୍ତ୍ୱେ ତାଙ୍କ ପିଲାମାନଙ୍କ ଭିତରେ ସେ ଚେଷ୍ଟା କାହିଁ-? ମଣିଷ ହେବାର ଆକାଙ୍‌କ୍ଷା କାହିଁ ?

 

କ’ଣ ପାଇଁ ଏମିତି ହେଲା ? କୋଉଠି ଭୁଲ୍ ରହୁଛି ।

 

ବଡ଼ ପୁଅଟା ବି.ଏ. ପଢ଼ୁ ପଢ଼ୁ ହିପି ହୋଇଗଲା । ଖାଲି ଟଂ ଟଂ ବାହାରେ ବୁଲା । ପାଠ ଶାଠ ନାହିଁ । ଘରକୁ ଖାଇବା ଶୋଇବା ଛଡ଼ା ଅନ୍ୟ କିଛି ପାଇଁ ଆସେନା । କେତେ ବୁଝାମଣା, କେତେ ଗାଳିମନ୍ଦ ସବୁ ବୃଥା ହେଲା । ବାପା ମା’ ପାଇଁ ନ ହେଉ, ନିଜର ଛୋଟ ଛୋଟ ଭାଇ ଭଉଣୀ ପ୍ରତି ସାମାନ୍ୟତମ କର୍ତ୍ତବ୍ୟବୋଧ ବି ନାହିଁ ? କ’ଣ ଆଉ କରାଯାଏ ? ଯୁଗ ତ ସେମିତି ହୋଇଛି ? ସମସ୍ତେ କେମିତି ଏକଘରକିଆ, ବ୍ୟକ୍ତିନିଷ୍ଠ, ସ୍ଵାର୍ଥପର ହୋଇଯାଉଛନ୍ତି । ନିଜ ଛଡ଼ା ଯେମିତି ପୃଥିବୀରେ ଆଉ କାହାରି ପ୍ରତି କିଛି ତାଙ୍କର କରିବାର ନାହିଁ । କିନ୍ତୁ ପୃଥିବୀର ସମସ୍ତେ ତାଙ୍କ କାମ କରିବା ଆଗ ଦରକାର ।

 

ସେଇଥିପାଇଁ ଦୁନିଆ ଅଶାନ୍ତି ଘରେ । ଝିଅ ଦିଟା ବି ସେମିତି ହେଲେଣି । କଲେଜରେ ପାଠ ପଢ଼ିବା ମାନେ ଯେମିତି କେବଳ ଫେସନ ହୋଇ ଚାଲିବାଟା ଏକମାତ୍ର ଉଦ୍ଦେଶ୍ୟ । ଭଲ ଶାଢ଼ି ଦରକାର, ନାନାପ୍ରକାର ଡ୍ରେସ୍ ଦରକାର । ସ୍ନୋ, ପାଉଡ଼ର, ସେମ୍ପୁ ନ ହେଲେ ଯେମିତି କଲେଜରେ ପାଠପଢ଼ା ହୁଏନା । ଘର କାମରେ ଟିକିଏ ମନ ନାହିଁ । ବୋଉକୁ ଟିକିଏ ସାହାଯ୍ୟ କରିବା, କିଛି କାମଦାମ କରିବା । ନା–କିଛିରେ ମନ ନାହିଁ । ସାନଟା ନାଁରେ ତ ପରୋକ୍ଷ ଭାବେ କେତେ କଥା ଶୁଣାଗଲାଣି । ତା’ ବୋଉ ତାକୁ ସେଥିପାଇଁ କେତେ ଗାଳିମନ୍ଦ କଲାଣି । ଦିନେ ତ ଝାଡ଼ୁ ନେଇ ବାଡ଼େଇ ପକେଇଲା । କ’ଣ ହେବ ? ‘‘ମୋତେ ଯେତେ ମାଠିବୁ ମାଠ ।’’

 

ସବୁଆଡ଼ୁ ଅଶାନ୍ତି । ଜୀବନରେ ଟିକିଏ ଶାନ୍ତି ନାହିଁ । ଯାହା ପାଇଁ ସବୁ ସୁଖ ସୁବିଧାକୁ ଛାଡ଼ି ଦେଇଛନ୍ତି ସେମାନେ ଯଦି ଶେଷକୁ ଏମିତି ଅମଣିଷ ହୋଇଯାଆନ୍ତି, ତେବେ ସେ ଆତ୍ମୋତ୍ସର୍ଗର ଅର୍ଥ କ’ଣ ? କି ସୁଖ ଆଉ ରହିଲା ଜୀବନରେ ?

 

ଝାଳରେ ପଞ୍ଜାବୀଟା ପୂରାପୂରି ଓଦା ହୋଇଗଲାଣି । ଶୋଷରେ ତଣ୍ଟି ଅଠା ଅଠା ହୋଇଯାଉଛି । ଓଦା ଗାମୁଛାଟା ଶୁଖି କାଠ ହୋଇଗଲାଣି । ଆଖି ପୋଡ଼ୁଛି ଖରା ତେଜରେ । ଜୋତାଗୁଡ଼ାକ ମଧ୍ୟ ଏତେ ଗରମ ହୋଇଗଲାଣି ଯେ ତଳିପାଠୁ ଆରମ୍ଭ କରି ଗୋଟା ପାଦଟା ସିଝିଯାଉଛି । କାଢ଼ି ଫୋପାଡ଼ି ଦେବାକୁ ଇଚ୍ଛା ହେଉଛି । ସାରା ଦେହଟା ଗରମ ହୋଇଗଲାଣି । ସତେଯେମିତି କିଏ ତତଲା ଲୁହା କରେଇରେ ପକେଇଦେଇଛି ।

 

ହଁ ସଂସାରଟା ଆଉ କ’ଣ ? ତତଲା ଲୁହା କରେଇ ତ । ଜୀବନସାରା ଖାଲି ଏମିତି ଭାଜି ହେବା କଥା । ସୁଖ କାହିଁ ଶାନ୍ତି କାହିଁ ?

 

ଆଗରେ ଦେଖାଯାଉଛି ହରିଚନ୍ଦନପୁର ଗାଁ । ବ୍ରାହ୍ମଣ ଶାସନ । ଗାଁ ମୁଣ୍ଡ, ପୋଖରୀ ହୁଡ଼ାରେ କୋଡ଼ିଏ ପଚିଶଟା ତାଳଗଛ ବାବନାଭୂତ ପରି ହାଁ କରି ଛିଡ଼ା ହୋଇ ରହିଛନ୍ତି । ହଲ୍ ନାହିଁ କି ଚଲ୍ ନାହିଁ । ପୋଖରୀ ଶୁଖିଯାଇଛି । କାଦୁଅଗୁଡ଼ା ଶୁଖିଯାଇ ଛ କୋଣିଆ ଛ କୋଣିଆ ହୋଇ ଫାଟିଯାଇ ଗୋଟାଏ ଚାଦରର ପେଟାର୍ଣ୍ଣ ପରି ମନେହେଉଛି । ଫାଟ ଦାଢ଼ରେ ଧଳା ଧଳା ଶୁଖିଲା ଗେଣ୍ଡା ଖୋଳପା । ପୋଖରୀର ଗୋଟାଏ କଣକୁ ବେଲବଣ । ବେଲବଣ ମଝିରେ ଅରାଏ ସଫା ଜାଗାରେ ବହୁ ଜୀର୍ଣ୍ଣ ପୁରାତନ ଶିବ ମନ୍ଦିରଟିଏ । ମନ୍ଦିରଟା ଭାଙ୍ଗିରୁଜି ଗଲାଣି । ଅଧା କାନ୍ଥି ଭିତରେ ଶିବଲିଙ୍ଗ ଖରାବର୍ଷା ଖାଇ ପୂଜା ପାଆନ୍ତି । ବେଲ କଣ୍ଟାରେ ଚାରିଆଡ଼ ଭର୍ତ୍ତି । ବେଲଗଛ ଗୁଡ଼ାକ ଟିକିଏ ଟିକିଏ କଅଁଳିଛନ୍ତି । ବାକି ବଡ଼ ବଡ଼ ଡାଳ ସବୁ କଙ୍କାଳର ହାଡ଼ ପରି ସମ୍ପୂର୍ଣ୍ଣ ଧଳା ଧଳା ଦେଖାଯାଉଛନ୍ତି ।

 

ଆଉ ଉପାୟ ନାହିଁ । ନଟବର ବାବୁ ସେଇ ବେଲବଣ ଭିତରେ କଣ୍ଟା ଆଡ଼େଇ ପଶିଲେ । ଟିକିଏ ଆରାମ ଦରକାର ।

 

ଟିକିଏ ଭଲ କରି ଛାଇ ନାହିଁ । ତଥାପି ଗଛ ଗଣ୍ଡି ତଳକୁ ଆଉଜି ବସିଲେ ସେ । ମୁଣ୍ଡରୁ ଗାମୁଛା କାଢ଼ି ଦେହ ମୁଣ୍ଡ ପୋଛି ହୋଇ କିଛି ସମୟ ବସି ରହିଲେ । ନା, ଆଉ ବସି ରହି ଲାଭ ନାହିଁ । ଶୋଷରେ ତଣ୍ଟି ଅଠା ଅଠା ହେଲାଣି । ଶାସନ ଭିତରେ ପଶି ମନ୍ଦାଏ ପାଣି ନ ପିଇଲେ ଆଉ ଜୀବନ ରହିବ ନାହିଁ । ସେ ଧୀରେ ଧୀରେ ଉଠି ଗାଁ ଭିତରକୁ ପଶିଲେ ।

 

ଗାଁ ମୁଁଣ୍ଡର ବନ୍ଧ ଷଢ଼ଙ୍ଗୀର ବାଉଁଶ ବାଡ଼ି । ଗଛରେ ଗୋଟିଏ ହେଲେ ପତ୍ର ନାହିଁ । ଠୁଙ୍ଗା ଠୁଙ୍ଗା ଲମ୍ବ ଲମ୍ବ ଗଛଗୁଡ଼ାକ ବିନା ପବନରେ ବି ଦୋହଲୁଛନ୍ତି । କଣ୍ଟା କଣ୍ଟା ଭର୍ତ୍ତି ବାଉଁଶ କଣିଗୁଡ଼ାକ ରାସ୍ତାଉପରକୁ ଅଧେ ମାଡ଼ିଆସି କଙ୍କାଳର ଆଙ୍ଗୁଳି ପରି ଦେଖାଯାଉଛନ୍ତି । ସାମାନ୍ୟ ପବନରେ ଶୁଖିଲା ବାଉଁଶ ପତ୍ର ଗୁଡ଼ାକ ସଁ ସାଁ କରି ଉଡ଼ି ଆସୁଛନ୍ତି । ବାଉଁଶ ବାଡ଼ି ଶେଷକୁ ମନ୍ଦିର-। ତା’ଆଗରେ ମଧୁ ତିଆଡ଼ୀର ଘର । ମନ୍ଦିରର ପୂଜକ । ତା’ ପଛକୁପଛ ଘରକୁ ଘର ଲମ୍ବିଛି-। କେଉଁ କାଳର ପୁରୁଣା ମନ୍ଦିର । ଧଳା ହୋଇ ନାହିଁ ବୋଧହୁଏ କୋଡ଼ିଏ ପଚିଶବର୍ଷ ହେଲା-। ବୈଶାଖର ଖରାରେ ମନ୍ଦିର ଉପରର ଶିଉଳିଗୁଡ଼ା ଫାଟି ଫାଟି ଚକଡ଼ା ଚକଡ଼ା ହୋଇ ଅଧେ ଖସି ଅଧେ ଲାଗି ରହିଛି କାଛୁ ବକଳା ପରି ।

 

ମନ୍ଦିର ଚଉତରା ଉପରେ ପଶାପାଲି ପଡ଼ିଛି । ଦଶ ବାରଜଣ ଘେରି ବସିଛନ୍ତି ଚାରିଆଡ଼େ । ମଝିରେ ମଝିରେ ହୋ ହୋ ହୋଇ ଚିତ୍କାର ଉଠୁଛି ଗୋଟାଏ ବଢ଼ିଆ ଦାନ ପାଇଁ । ଚଉତରା ଭିତର ପାଖ କଣକୁ ବଉଳ ଗଛ ଛାଇରେ ଚକାମାଡ଼ି ବସି ମଧୁ ତିଆଡ଼ୀଏ ଭାଗବତ ପଢ଼ୁ ପଢ଼ୁ ଏଆଡ଼େ କାନ ଡେରି ଦାନ କଥା ବୁଝିନେଇ, ଗୋଟାଏ ମନ୍ତବ୍ୟ କରି ପୁଣି ଆଉ ଥରେ ପଢ଼ାରେ ମନ ଦେଉଛନ୍ତି ।

 

ନଟବର ବାବୁ କେତେବେଳୁ ଆସି ଚଉତରା ପାଖରେ ଛିଡ଼ା ହେଲେଣି । କାହାର ନଜର ନାହିଁ । ସେ ମଧୁ ତିଆଡ଼ୀଙ୍କ ପାଖରେ ଯାଇ ମୁଣ୍ଡିଆ ମାରିଲେ । ‘ତିଆଡ଼ୀ ନନା, ଓଳିକି ।’ ମଧୁତିଆଡ଼ୀ ବହିରୁ ମୁହଁ ଉଠାଇ ତାଙ୍କ ମୁଁହଁକୁ ଘଡ଼ିଏ ଚାହିଁ କହିଲେ ‘ଆରେ ନଟ କିରେ, ଏଇ ଧୁମ ଖରାବେଳଟାରେ କୁଆଡ଼ିକି ବାହାରିଛୁ ?’ ‘ଆଉ କହନା, ନନା, ବୋଉର ଦିହ ଖରାପ ତାର ପାଇ ସାଙ୍ଗେ ସାଙ୍ଗେ ଆସୁଛି । ଏଇ ବସ୍‌ଷ୍ଟେଣ୍ଡରୁ ତ ଏଇନେ ଓହ୍ଲେଇ ସିଧା ଆସୁଛି । ଖାଲି ମନ୍ଦାଏ ପାଣି ପାଇଁ ଏଠିକୁ ପଶିଆସିଲି । ଓଃ, କି ଶୋଷ ।’

 

ମଧୁ ତିଆଡ଼ୀ ପାଖରେ ଲୁଙ୍ଗୁରୁ ପୁଙ୍ଗୁରୁ ହେଉଥିବା ଗୋଟାଏ ଅଧା ଲଙ୍ଗଳା ଟୋକାଟିକୁ ଡାକି କହିଲେ ‘ହଇରେ ପରି, ଗଲୁ ଲୋଟାଏ ପାଣି ଆଣିଲୁ ।’

 

ମନ୍ଦିର ବନ୍ଦ ଅଛି । ଖୋଲା ହେବ ଯାଇ ସନ୍ଧ୍ୟା ବେଳକୁ । ଠାକୁର ଗମ୍ଭୀରାରେ ପାଣି ପିଇ ସାରି ନଟବର ପାହାଚ ଉପରେ ଠାକୁରଙ୍କୁ ମୁଣ୍ଡିଆ ମାରି ଗୁହାରି ଜଣେଇ ପୁଣି ବାହାରିପଡ଼ିଲେ । ଛାଇ ତଳୁ ଖରାକୁ ବାହାରି ଆସିଲା ପରେ ଖରାଟା ଯେମିତି ବେଶୀ କଷ୍ଟ ଦେଉଛି । ଜାଲୁ ଜାଲୁଆ ଦିଶୁଛି ଚାରିଆଡ଼ ।

 

ଠାକୁରଙ୍କୁ ପ୍ରାର୍ଥନା କରି ଆସିଛନ୍ତି । ‘ବୋଉକୁ ଭଲ କରିଦିଅ ଠାକୁରେ ! ନ ହେଲେ ଅନ୍ତତଃ ମୁଁ ଯିବା ପର୍ଯ୍ୟନ୍ତୁ ସେ ବଞ୍ଚିଥାଉ ।’ କିନ୍ତୁ ସେ ପ୍ରାର୍ଥନାରେ ଯେମିତି ବିଶ୍ୱାସ ନାହିଁ । ସେ ଡାକିବାରେ ପ୍ରଗାଢ଼ ଆକୁଳତା ବି ନାହିଁ । କେମିତି ଗୋଟାଏ ଲୋକ ଦେଖାଣିଆ ଅଭ୍ୟାସ । ଗତାନୁଗତିକ ପରମ୍ପରାର ପୁନରାବୃତ୍ତି । କାହିଁକି ଏମିତି ହେଉଛି ? କାହିଁକି ସେ ପ୍ରାଣଭରି ଆକୁଳରେ ଡାକିପାରୁନାହାନ୍ତି ? ନଟବର ନିଜେ ଗୋଟାଏ ଆଶ୍ୱସ୍ତିରେ ଛଟପଟ କରିଉଠିଲେ । ଏଇ ପ୍ରଚଣ୍ଡ ଖରାରେ ବି ଦେହଟା ଶୀତେଇଉଠିଲା ।

 

ଏଇ ଅତ୍ୟଧିକ ଗରମରେ ସବୁ କୂଅ ପୋଖରୀ ନଦୀ ଶୁଖିଗଲା ପରି ତାଙ୍କର ଅନ୍ତରର ସେଇ ବିଶୁଦ୍ଧ ଭଲପାଇବାର ଉତ୍ସ କ’ଣ ଶୁଖିଯାଇଛି । ମଧୁ ତିଆଡ଼ୀ କହିଲା ପରି ଏ ପାପ ଅନ୍ୟାୟ ଅନାଚାର ଭିତରେ ଠାକୁର ଆଉ କ’ଣ ମନ୍ଦିର ଭିତରେ ବି ନାହାନ୍ତି ? ସେଥିପାଇଁ କ’ଣ ତାଙ୍କର ମନେହେଲା ଶୁଖିଲା, ଥୁଣ୍ଟା ବାଉଁଶ ଓ ବେଲଗଛ ପରି ମନ୍ଦିରଟା ବି ସେମିତି ଭଙ୍ଗାରୁଜା, ବେଢ଼ଙ୍ଗିଆ ହୋଇଯାଇଛି ଏଇ ଖରାର ଉତ୍ତାପରେ । କିନ୍ତୁ ତା’ର ଚେର ଲମ୍ବିଛି, କାହିଁ କେଉଁ ପାତାଳକୁ । ସେଉଠୁ ରସ ଶୋଷି ଶୋଷି ସେ ଖାଲି ବଞ୍ଚି ରହିଛି । ପୁଣି ଯେତେବେଳେ ବର୍ଷା ହେବ, ପାଣିରେ ଶୁଖିଲା ମଟାଳ ମାଟି କାଦୁଅ ପଚ ପଚ ହୋଇଯିବ, ସେତିକିବେଳେ ପୁଣି ପତ୍ର କଅଁଳିବ, ଫୁଲ ଫୁଟିବ । ତା’ର ଶୁଖିଲା ଡାଳ ପୁଣି ପୂରିଉଠିବ ସବୁଜ ପତ୍ରର ମାଂସଳ ପରିପୂର୍ଣ୍ଣତାରେ, ହସ ଫୁଟିବ ଫୁଲର ପାଖୁଡ଼ା ପାଖୁଡ଼ାରେ ।

 

କିନ୍ତୁ ବର୍ଷା କେବେ ଆସିବ ? କେବେ ପୁଣି ବୈଶାଖର ଗୈରିକ ଆକାଶ ଶ୍ୟାମଳ ମେଘର ବାତ୍ସଲ୍ୟମୟୀ କରୁଣାରେ ପୂରିଉଠିବ ? କିଏ ଖୋଜି ବାହାର କରିବ ସେଇ ପାତାଳମୁଖୀ ଝରଣାର ଚିରନ୍ତନ ଉତ୍ସକୁ ?

 

ରାସ୍ତା ସରିଆସୁଛି । ନଡ଼ିଆ ବଣ ଭିତରେ ଚକ୍‌ମକ୍‌ମାରୁଛି ସୁରଜମଲ ମାରୁଆଡ଼ିର ଧଳା କୋଠାଟା । ମଦନପୁର । ସେଉଠୁ ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିବ । ମଦନପୁର ମୌଜା ଓ ତାଙ୍କ ମୌଜାର ସୀମା ଚିହ୍ନଟ କରୁଥିବା ପ୍ରକାଣ୍ଡ ବରଗଛଟା ବି ଦେଖାଯାଉଛି । ଜୋରରେ ଜୋରରେ ପାଦ ପକେଇ ଚାଲିଲେ ନଟବର ।

 

ବିରାଟ ଅଶ୍ୱତ୍‌ଥ ଗଛଟି । ଦି’ଚାରିଜଣ ମଣିଷର କୁଣ୍ଢ ପାଇବ ନାହିଁ ଏତେ ବଡ଼ ଗଣ୍ଡି । ଏତେବଡ଼ ଗଛଟା ଅଥଚ ଟିକିଏ ବୋଲି ଛାଇ ନାହିଁ । ଗୋଟାଏ ହେଲେ ବି ପତ୍ର ନାହିଁ । ଟିକିଏ ଟିକିଏ କଅଁଳୁଛି । ଗଛ ଚାରିପଟେ ଛୋଟ ଛୋଟ ଅସଂଖ୍ୟ ଅଶ୍ୱତ୍‌ଥ କୋଳି । କେତେବଡ଼ ଗଛ–ଅଥଚ କେତେ ଛୋଟ ତା’ର ଫଳ । ନଟବର ମନେ ମନେ ହସିଲେ । ଗୋଟାଏ ବଡ଼ ଚେର ଉପରେ ଦଣ୍ଡେ ବସିଗଲେ ସେ । ଗଛଗଣ୍ଡି ଉପରେ ମୋଟା ନାଲି ସିନ୍ଦୁରର ଦାଗ । ତା’ ତଳକୁ ଲମ୍ବିଛି ନାଲି ପିମ୍ପୁଡ଼ିର ଧାର । ସରୁଜମଲ ମାରୁଆଡ଼ିର ବାପା ସବୁଦିନ ସକାଳେ ଏଇଠି ପୁମ୍ପୁଡ଼ିମାନଙ୍କ ପାଇଁ ଗୁଡ଼ କି ଚିନି ଦେଇଯାଏ । ନଟବର ମନକୁ ମନ ହସିଲେ ।

 

ଏଇ ଅଶ୍ଵତ୍‌ଥ ଗଛମୂଳେ ବସି ବୁଦ୍ଧଦେବ କୁଆଡ଼େ ବୁଦ୍ଧତ୍ଵ ପ୍ରାପ୍ତି ହୋଇଥିଲେ । ଏଇ ଗଛ ମୂଳେ ମହାବୀର ଜୀନ୍ ପରମ ଜ୍ଞାନ ପାଇଥିଲେ । ବୁଦ୍ଧଙ୍କର ଧର୍ମ କୁଆଡ଼େ ଗଲା, ଜୈନ ଧର୍ମ କୁଆଡ଼େ ଗଲା, ଖାଲି ଗଛଟା ହିଁ ପୂଜା ପାଉଛି । କି–ଅଛି ଏଇ ଗଛରେ ? ନା ଟିକିଏ ଛାଇ–ନା ତା’ର କାଠ କିଛି କାମରେ ଆସୁଛି ?

 

ସମୟର ଖରା ଏମିତି ଶୋଷିନିଏ ପ୍ରକାଶିତ ରସର ପୋଖରୀ, ନଦୀକୁ । କିନ୍ତୁ ଶୋଷିପାରେ ନାହିଁ ସାତତାଳ ଭେଦୀ ଭିତରେ ଭିତରେ ପରିବ୍ୟାପ୍ତ ହୋଇ ରହିଥିବା ରସର ସମୁଦ୍ରକୁ । ପୁଣି ଜଣେ କିଏ ଭାଗୀରଥ ଜନ୍ମ ହୋଇ ତାକୁ ପୁଣି ବାଟ କଢ଼େଇ ଆଣିବ ପୃଥିବୀ ଉପରକୁ । ଆଉଜଣେ କିଏ ଅର୍ଜୁନ ତୀକ୍ଷ୍ଣ ଶରରେ ପୃଥିବୀର କଠିନ ଆବରଣ ଭେଦ କରି ପୁନରାୟ ଉପରକୁ ଉଠାଇଆଣିବ ସ୍ଵତଃନିଃସରଣ ଝରଣାର ସ୍ରୋତକୁ ।

 

କିନ୍ତୁ ତା’ ଆଗରୁ ଏଇ ଶୁଷ୍କ ଟାଙ୍ଗର ଧୂସର ଭୂମି ଉପରେ ଶୀତଳ ଜଳ ପ୍ରକାଶ କ’ଣ କୋଉଠି ନାହିଁ ?

 

ଏମିତି ଭାବୁ ଭାବୁ ନଟବର କେତେବେଳେ ବରଗଛ ପାଖରେ ପହଞ୍ଚି ଯାଇଛନ୍ତି ଜାଣନ୍ତି ନାହିଁ । ହଠାତ୍ ବରଗଛ ତଳର ଶୀତଳ ଛାଇରେ ତାଙ୍କର ଚେତା ପଶିଲା । ସାରା ଦେହରେ ଯେମିତି କିଏ ମଧୁର ଶୀତଳ ସ୍ପର୍ଶ ଦେଇଗଲା । ଆଃ ! କି ଆରାମ । ସେ ଆଉ ଟିକିଏ ଘଞ୍ଚ ଛାଇ ତଳେ ଯାଇ ବସିପଡ଼ିଲେ । ପ୍ରକାଣ୍ଡ ବରଗଛ । ତାଙ୍କ ପିଲାଦିନରୁ ସେ ତାକୁ ଏମିତି ଦେଖିଆସିଛନ୍ତି । ଏଇ କେତେବର୍ଷ ଭିତରେ ଆହୁରି କେତେଟା ଓହଳି ବାହାରି ଗଛର ଆୟତନ ଆହୁରି ବଢ଼େଇ ଦେଇଛି । ପାଖକୁ କେତେଗୁଡ଼ାଏ ଗୋରୁ ବସି ପାକୁଳି କରୁଛନ୍ତି । କିଏ କେତେଟା ଡାଳ କାଟି ପକେଇ ଦେଇଛି ଯେ ତା’ର ଚାରିପାଖରେ ଛେଳିଗୁଡ଼ାଏ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଉଛନ୍ତି । ଦୁଇ ଚାରିଟା ପିଲା ଏଇ ଧୁମ୍ ଖରାବେଳଟାରେ ଓହଳରେ ଝୁଲି ଝୁଲି ଡାଳମାକୁଡ଼ି ଖେଳୁଛନ୍ତି । ତାଙ୍କ ପାଖକୁ ଟିକିଏ ଦୂରରେ କେତେଜଣ ତାଙ୍କ ପରି ବାଟୋଇ ଚାରିକାତ ମେଲେଇ ନିଘୋଡ଼ ନିଦରେ ଶୋଇଯାଇଛନ୍ତି । ସାରା ଗଛଟା ଭର୍ତ୍ତି ନାନାପ୍ରକାର ଚଢ଼େଇ । ସେମାନଙ୍କର କିଚିରି ମିଚିରି ଶବ୍ଦରେ କାନ ଅତଡ଼ା ପଡ଼ିଯାଉଛି । କିନ୍ତୁ ସବୁ ସତ୍ତ୍ୱେ ବି ଗଛଟା ଯେମିତି ତା’ର ସହସ୍ର ବାହୁ ମେଲେଇ ତା’ର ସବୁ ସନ୍ତାନକୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି ଏକ ମହାନସ୍ନେହମୟୀ ଜନନୀ ପରି ।

 

ମୁଣ୍ଡ ତଳେ ଗାମୁଛାଟା ଦେଇ ଗଡ଼ିପଡ଼ିଲେ ନଟବର । ଜୋତା ଗୁଡ଼ା କାଢ଼ି ପକେଇ ଦୂରକୁ ଥୋଇଦେଲେ । ନିଆଁ ପରି ତାତିଥିଲା ସେଗୁଡ଼ାକ । ଜାଣି ଆଙ୍ଗୁଳି କଣରେ ଗୋଟାଏ ଫୋଟକା ବାହାରିଲାଣି । ଜୋତା କାଢ଼ିଦେଲା ମାତ୍ରେ ପାଦ ଦୁଇଟା ଥଣ୍ଡା ହୋଇଆସିଲା । ଗୋଡ଼ ଲମ୍ବେଇ ଉପରକୁ ମୁହଁ କରି ସେ ଆଖି ବୁଜିବା ଆଗରୁ ଚାରିଆଡ଼କୁ ଅନେଇଦେଲେ । ଗୋଟାଏ ଜାଗାରେ ତାଙ୍କର ଆଖି ଅଟକି ଗଲା । କୋରଡ଼ ଭିତରେ ଉଠିଛି ଅଶ୍ଵତ୍ଥ ଗଛ ଆଉ ବେଲ ଗଛ ।

 

ସେ ପରମ ତୃପ୍ତିରେ ଆଖି ବୁଜିଲେ ।

 

ସେଇ ମୁଦା ଆଖିପତା ଉପରେ ଭାସିଉଠିଲା ଗୋଟାଏ ବିରାଟ ବରଗଛର ଛବି । ଆଉ ସେଇ ବରଗଛଟିକୁ ଆଚ୍ଛନ୍ନ କରି ଆଉ ଗୋଟାଏ ଛବି । ସେ ଛବି ତାଙ୍କ ବୋଉର । କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆହୁରି ଗୋଟାଏ ଛବି ଦେଖାଗଲା । ସେ ଛବିଟା ତାଙ୍କ ନିଜର ।

 

ଜିଓଲଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ

ଭୁବନେଶ୍ଵର

Image

 

ପାଶବିକ

ସତ୍ୟ ମିଶ୍ର

 

ଶୀତ ଋତୁଟା ଏକ ଦାରୁଣ ଋତୁ, ଏହାଛଡ଼ା ବର୍ଷର ଆଉ କେଉଁଦିନରେ ଜୀବନଟା ଏତେ ଦୁର୍ବିସହ ମନେହୁଏ ନାହିଁ । ବର୍ଷର ସବୁଯାକ ମୁହୂର୍ତ୍ତ ଗୋଟାଏ ଗୋଟାଏ ଓଜନିଆ ବେଦନା ହୋଇ ବେକରୁ ଝୁଲିପଡ଼ନ୍ତି ଏଇ ଋତୁରେ । ଗଛସବୁ ଶେତା ଦେଖାଯାନ୍ତି, ଆକାଶରୁ ଥୋପି ଥୋପି ଲୁହ ଝରିପଡ଼େ; ବିଲେଇଟା ଗଣ୍ଡାଏ ଛୁଆ ଜନ୍ମ କରେ ଏବଂ ଭୁଆଟା ଆସି ସେଇ ଛୁଆ ଗୁଡ଼ିକୁ ଖାଇଯାଏ । ତା’ ଆର ଦିନ ସକାଳୁ ଖାଲି ଟୋପା ଟୋପା ରକ୍ତ ଦେଖାଯାଏ ।

 

ଚାରିଗୋଡ଼ ଜାକିଜୁକି ଏକ ନୀରବ, ନିସ୍ପନ୍ଦ ମୁଦ୍ରାରେ ବସିରହି ବିଲେଇଟା ସମ୍ଭବତଃ ସେଇକଥାଟା ହିଁ ଚିନ୍ତା କରୁଥିଲା । ସେ ଯେ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ନେଇ ଅତି ଗଭୀର ଭାବରେ ଧ୍ୟାନରତ, ଏହା ତା’ର ଗମ୍ଭୀର ମୁଦ୍ରା ଏବଂ ଈଷତ୍ କ୍ଷୀଣ ଘୁଡ଼ୁ ଘୁଡ଼ୁ ଶବ୍ଦରୁ ଠିକ୍ ଜାଣିହେଉଥିଲା । ରାତି କ୍ରମେ ଗାଢ଼ ହୋଇଆସୁଥିଲା । ଶାବକଅନ୍ଧାର ସବୁ ଛୋଟ ଛୋଟ ଛୁଆଙ୍କ ପରି ତା’ ଦେହକୁ ଘଷିହୋଇ ତା’ ଚାରିପଟେ ହଲି ହଲି ଖେଳୁଥିଲେ । ଶୀତରୁ କିଛିଟା ରକ୍ଷା ପାଇବା ପାଇଁ ସେ ନିଜ ଶରୀରକୁ ସାମାନ୍ୟ ସଞ୍ଚଳିତ କଲା ଏବଂ ତା’ପରେ ଅନ୍ଧାର ଭିତରକୁ ଏକ ତୀକ୍ଷ୍‌ଣ ଦୃଷ୍ଟିରେ ଅନାଇଲା । ଅନ୍ଧାର ସହିତ ତା’ର ଆଖିମାନଙ୍କର ସମ୍ପର୍କ ନିହାତି ପ୍ରୀତିକର ସବୁବେଳେ । ଆଲୁଅର ପ୍ରଶସ୍ତ ଚୌହଦିରେ ସେ ନିଜକୁ ନିଃସ୍ଵ ମନେକରେ, ନିଜ ଅନ୍ତରରୁ ଅନେକ ଗୋପନୀୟ ତଥ୍ୟ ପଦାରେ ପଡ଼ି ଯାଇଥିବାଭଳି ଲାଗେ । ଆଲୁଅରେ ନିଜେ କାହାକୁ ଦେଖିପାରୁନଥିବାର ଗ୍ଲାନି ଏବଂ ନିଜକୁ ସମସ୍ତେ ଦେଖି ପକାଉଥିବାର କାର୍ପଣ୍ୟ ଭିତରେ ସେ ନିହାତି ଅତିଷ୍ଟ ହୁଏ । ଅତଏବ ଅନ୍ଧାର ସହିତ ତା’ର ଏଇ ମଧୁର ସମ୍ପର୍କଟା ନିତାନ୍ତ ଆକସ୍ମିକ ନୁହେଁ-

 

କୌଣସି ବିଷୟରେ ଅନେକ ସମୟ ଚିନ୍ତା କରିସାରିବା ପରେ ହଠାତ୍ ଏକ ସିଦ୍ଧାନ୍ତରେ ପହଞ୍ଚି ଯାଇଥିବା ଭଙ୍ଗୀରେ ସେ ହଠାତ୍ ଝାଡ଼ି ଝୁଡ଼ି ହୋଇ ଠିଆହେଲା । ଲାଞ୍ଜକୁ ଦୁଇଥର ଚଟାପଟ ଚଟାଣରେ ବାଡ଼େଇ ମନେ ମନେ ଦୋହରାଇଲା, ନା, ଏସବୁ କାହାକୁ ହେଲେ କହିବାକୁ ହିଁ ହେବ । ସବୁ ଦୁଃଖ, ବେଦନାକୁ ଏକାକୀ ହଜମ କରି ହୁଏ ନାହିଁ–କେହିଜଣେ ଶୁଣିବାକୁ ପଡ଼ିବ । ତା’ ମୁହଁରୁ କିପରି ଏକ ଆଶ୍ଵସ୍ତି ଏବଂ ଯନ୍ତ୍ରଣା ସମ୍ମିଳିତ ପ୍ରତିକ୍ରିୟା ସ୍ପଷ୍ଟ ହୋଇଉଠିଲା । ଅତି ସନ୍ତର୍ପଣରେ ମାର୍ଚ୍ଚ କରିବା ଭଳି ଧୀର ଅଥଚ ଦୃଢ଼ ପଦକ୍ଷେପରେ ସେ ଆଗକୁ ଚାଲିବାକୁ ଆରମ୍ଭ କଲା । ବାଁକଡ଼ କାନ୍ଥରୁ ସାମାନ୍ୟ ଖୁଜ–ଖାଜ୍ ଶବ୍ଦ ଶୁଭିଲା । ପରିଚିତ ଧ୍ୱନି–ମୁଷଟାଏ । ପୁସିଟି ଗୋଟାଏ ମୁହୂର୍ତ୍ତ ଠିଆହେଲା; କିନ୍ତୁ ନା; ଏବେ ତା’ ପେଟରେ ଭୋକ ନାହିଁ ମୋଟେ । କି ଲାଭ ତାକୁ ଧରି ? ବରଂ ତା’ର ସିଏ ଏମିତି ନିରର୍ଥକ ଔଦ୍ଧତ୍ୟ ଦେଖାଇ ଖଡ଼୍‌ ଖାଡ଼୍‌ ହେଉଥାଏ ।

 

ପାଦ ଚିପି ଚିପି ଅତି ସତର୍କଭାବରେ ସେ ପାଖ ଘରେ ପ୍ରବେଶ କଲା । ଦେଖିଲା, ତା’ ଆଗରେ ଗୁଡ଼ାଏ ଲୋକ ବସି ଶୋଇବାରେ ଲାଗିଚନ୍ତି । କୋଠରିର କାନ୍ଥକୁ ଲାଗି ଗୋଟାଏ ଧାଡ଼ିରେ ସେମାନେ ତଳକୁ ମୁଣ୍ଡ ପୋତି ଏକ ଲୟରେ ଖାଇବାରେ ଲାଗିଥିଲେ । ବେଳେବେଳେ ମୁଣ୍ଡ ଉଠାଇ ଉପରକୁ ଚାହୁଁଥିଲେ ଏବଂ ପୁଣି ତଳକୁ ମୁଣ୍ଡ ପୋତି ମାଟିକୁ ବାରମ୍ବାର ଖୋଲି ପୁଣି ବନ୍ଦ କରୁଥିଲେ, ଯେମିତି ତାଙ୍କ ଦୁଇ ଓଠ ଓ ପାଟି ପାଖରେ ଗୋଟାଏ କିଛି କବ୍‍ଜା ଲାଗିଛି ।

 

ଏମାନେ ଅପରିଚିତ ନୁହନ୍ତି । ପୁସିଟା ଏ ସମସ୍ତଙ୍କୁ ଚିହ୍ନେ ଗୋଟାଏ ହିଂସ୍ର ସମ୍ପର୍କରୁ । ଏଇ ମଣିଷମାନଙ୍କ ଭିତରେ ସବା ବାଁ କଡ଼କୁ ଯେଉଁ ଛୋଟ ପିଲାଟିଏ ବସିଚି, ସିଏ ସବୁବେଳେ ତା’ ବେକମୁଣ୍ଡାର କମଳକୁ ଧରି ଶୂନ୍ୟେ ଶୂନ୍ୟେ ଉପରକୁ ଉଠାଇଦିଏ ଏବଂ ପୁଣି ତଳେ ଛେଚିଦିଏ-। ଆଉ ତା’ପାଖରେ ବସିଚି ଯେଉଁ ଡେଙ୍ଗା ଲୋକଟା ସେ ପୁସିଟାର ଲାଞ୍ଜ ଟାଣି ଏକ ଅଦ୍ଭୁତ ଆନନ୍ଦ ପାଏ । ଡାହାଣ କଡ଼ରେ ଥିବା ନିଶୁଆ ଲୋକଟା ଅଯଥାରେ ତା’ ମୁହଁରେ ଲାତମାରେ ସବୁବେଳେ ।

 

ଏମାନଙ୍କୁ ଅବଶ୍ୟ ତା’ର ଦୁଃଖର କାହାଣୀ ଶୁଣାଇହେବ । ତେବେ ସେମାନେ ଭାରୀ ନିଷ୍ଠୁର । ଏମାନଙ୍କ ଆଗରେ ଏବେ ଏସବୁ କହିବସିଲେ ସେମାନେ ହୁଏତ ଥଟ୍ଟା କରିବେ, ଅଥବା ପୁଣି ଲାଞ୍ଜ ଟାଣିବେ ।

 

ତେବେ ଖୁବ୍‍ଶୀଘ୍ର ପୁସିଟା ଅନ୍ୟରକମ ଚିନ୍ତା କରିବାକୁ ଲାଗିଲା । ଏମାନେ ନିଷ୍ଠୁର ହୁଅନ୍ତୁ ପଛେ, ୟାଙ୍କୁ କହିବାକୁ ହିଁ ପଡ଼ିବ । ଏମାନେ ବା କ’ଣ । ଗଦାଏ ପଥର ଆଗରେ ଏଭଳି କାହାଣୀ ଶୁଣାଇଲେ ସୁଦ୍ଧା ପଥରଦେହରୁ ଲୁହ ନିଗିଡ଼ି ଆସିବ । ଆଉ ଏମାନେ ତ ମଣିଷ !! –ପୂସିଟା ଏକ ମର୍ମାନ୍ତିକ ବେଦନାରେ ଫାଟିପଡ଼ୁଥିଲା ଯେମିତି । ଶୀତରେ ସେ ଅବଶ୍ୟ ଥରୁଥିଲା; କିନ୍ତୁ ନିଜ ଦୁଃଖ ଭିତରେ ସେ ଶୀତକୁ ବି ଭୁଲିଗଲା । ବର୍ତ୍ତମାନ ତା’ର ସବୁଠାରୁ ବେଶୀ ଆବଶ୍ୟକ ଏମାନଙ୍କର ସହାନୁଭୂତି ।

 

ସେମାନଙ୍କ ଆଗରେ ଠିଆ ହୋଇ ସେ ପ୍ରଥମେ ଏକ କରୁଣ ଦୃଷ୍ଟିରେ ସମସ୍ତଙ୍କୁ ଚାହିଁଲା । ତା’ ପରେ ଚପା ଚପା କାନ୍ଦ ଆରମ୍ଭ କଲା ଓ ଗୋଟିଏ ଅର୍ଜି ପେଶ୍ କରିବା ଭଳି ଭଙ୍ଗୀରେ ଆରମ୍ଭ କଲା–‘‘କାଲି ମୋର ସବା ସାନ ଛୁଆଟାକୁ ବି....କୋହରେ ତା’ର କଣ୍ଠ ରୁଦ୍ଧ ହୋଇଆସୁଥିଲା । ଅତିକଷ୍ଟରେ ସେ ଉଚ୍ଚାରଣ କଲା ‘‘ସେଇ ଦୁଷ୍ଟ, ରାକ୍ଷସ ଭୁଆଟା କାଲି ମୋର ସବାସାନ ଛୁଆଟାକୁ ବି ନେଇଗଲା ।’’

 

କିନ୍ତୁ କେହି ତା’ କଥା ଶୁଣିବା ଭଳି ମନେହେଉନଥିଲେ । ସମସ୍ତେ ଖାଇବାରେ ବ୍ୟସ୍ତ ଥିଲେ ଓ ପୁସି ଆଡ଼କୁ ମୋଟେ ଦେଖୁନଥିଲେ । ମିଉଁ ମିଉଁ କରି ସେ ପୁଣି ନିଜ କଥା ଦୋହରାଇଲା । ସମ୍ଭବତଃ ଏଥର ସେଇ ନିଶୁଆ ଲୋକଟା ତା’ର ଦୁଃଖ ବୁଝିପାରିଲା–ଦୟାରେ ବୋଧହୁଏ ସେ ମେଞ୍ଚାଏ ଭାତ ନେଇ ତା’ ମୁହଁରେ ଥୋଇଦେଇ କହିଲା ‘ଖା’.... । ପୁସିଟା ଅଧିକ ସାହସ ପାଇଗଲା ଯେମିତି । ଖାଦ୍ୟ ପ୍ରତି ଉଦାସୀନ ରହି ଏଥର ଆଗଠାରୁ ବଡ଼ ପାଟିରେ କହିଲା ‘‘ମୋ ଛୁଆମାନେ ବଡ଼ ହେଲେ ବାଘଛୁଆ ପରି ହୋଇଥାନ୍ତେ !’’ ଏହା କହିବାବେଳେ ଏକ ଅବରୁଦ୍ଧ ଆବେଗରେ ତାହାର ବୁକୁ ଫାଟିପଡ଼ୁଥିଲା । ଏସବୁ କାହାକୁ ନ କହିଲେ ନ ଚଳେ । ଏଥର ସେ ସେଇ ଲୋକଟାର ପାଦରେ ଘଷି ହୋଇ ମିଉଁ ମିଉଁ କରି କହିଲା ‘‘ସାକ୍ଷାତ ବାଘ ଛୁଆ ପରି ଚେହେରା ଥିଲା ସେମାନଙ୍କର ।’’ ଯେମିତି ସେ ଏଇ ତିନିଟା ଅସାଧାରଣ ଛୁଆଙ୍କର ମାତୃତ୍ୱର ଗର୍ବରେ ଫୁଲିଉଠୁଥିଲା; କିନ୍ତୁ ହାୟ ! ସେମାନେ ଆଉ ନାହାନ୍ତି...ଦୁଃଖରେ ନିରାଶ ହୋଇ ଏଇ କଥାଟା କହି ପକାଉଥିବା ବେଳେ ହଠାତ୍ ମୁହଁରେ ଏକ ପ୍ରଚଣ୍ଡ ଲାତ ଖାଇ ପୁସିଟା ଚୁପ୍ ହୋଇଗଲା । ସେଇ ନିଶୁଆ ଲୋକଟା ଛାଞ୍ଚୁଣି ଆଣି ତା’ ମୁହଁରେ ଖେଞ୍ଚିବାକୁ ଲାଗିଲା । ଭୟରେ ସେ ଦୌଡ଼ି ଚାଲିଗଲା । ନାଃ–ଏମାନେ ଅତି ଭୟଙ୍କର ଭାବେ ନିଷ୍ଠୁର ଖରାବେଳର ତୀବ୍ର ଆଲୁଅ ଭଳି ନିର୍ଦ୍ଦୟ । ଏଇ ଶୀତରାତି ଭଳି ! ସେଇ ରାକ୍ଷସ ଭୁଆଭଳି ! ବେଦନାରେ ତା’ର ବୁକୁ କୋରି ହୋଇଯାଇଚି, ଅଥଚ ଏମାନେ ତା’ର କଥା ପଦେ ବି ଶୁଣୁନାହାନ୍ତି !

 

ସେତେବେଳେ କୋଠରି ବାହାରେ କଳା କିଟି କିଟି ଅନ୍ଧାର ଜମାଟ ବାନ୍ଧି ସାରିଥିଲା । ଶୀତରେ ତା’ର ହାଡ଼ ପର୍ଯ୍ୟନ୍ତ ଥରିଉଠୁଥିଲା । ଏଥିପାଇଁ କିନ୍ତୁ ସେ ବିବ୍ରତ ହେଲା ନାହିଁ–କେବଳ ସେଇ ତିନୋଟି ଛୁଆ କଥା ତା’ର ମନେପଡ଼ୁଥିଲା । ବଡ଼ହେଲେ ସେଇ ତିନିଟା ଛୁଆ ଯେ ବାଘ ପରି ହୋଇଥାନ୍ତେ, ଏଥିରେ ତା’ର କୌଣସି ସନ୍ଦେହ ନ ଥିଲା । ଗୋଟାଏ ଥିଲା ଦୁଧ ପରି ଧଳା, ଅନ୍ୟ ଦୁଇଟା ଚିତ୍ରିତ । ପଶମ ପରି ନରମ, ଉଷ୍ଣ, ଛୋଟିଆ ଦେହ । ଆଖି ଫିଟି ନ ଥିଲା । ଦିନେ ଦୁଇଦିନ ଭିତରେ ଫିଟିଥାନ୍ତା । ମଝିଆ ଛୁଆଟା କିଛି କିଛି ଚାଲବୁଲ ବି କରୁଥିଲା । ଚମତ୍କାର ଛୁଆ ତିନିଟା ହୋଇଥିଲେ–ସେମାନଙ୍କ କଥା ମନେପଡ଼ିଲେ ପୁସିକୁ ଲାଗେ ଯେମିତି ଏବେବି ସେମାନେ ତା’ ଦେହରେ ଘଷି ହୋଇ ଦୁଧ ଖାଉଛନ୍ତି ! ତା’ର ସମୁଦାୟ ଶରୀର ରୋମାଞ୍ଚିତ ହୋଇଆସିଲା । ଆଉ ସେଇ ଦୁଷ୍ଟ ଭୁଆଟାର କଥା ବି ମନେପଡ଼ୁଥିଲା–ସେଇଟା ଭାରି ହିଂସ୍ର । ତା’ର ଦୁଇ ଦୁଇଟା ଦୁର୍ଦ୍ଦାନ୍ତ ଛୁଆଙ୍କୁ ନେଇ ମାରିଦେଲା । ସିଏ ନର୍କରେ ପଡ଼ିବ ନିଶ୍ଚୟ । ବଦମାସ ଅସୁର କୁଆଡ଼ିକାର-। ଆଉ କାଲି ସେ ସେଇ ସବାଶେଷ ଧଳା ଛୁଆଟାକୁ ବି ନେଇଗଲା । ହାୟ ! ପୁସି ଆଖିରୁ ଠପ୍ ଠପ୍ ଲୁହ ନିଗିଡ଼ି ପଡ଼ିଲା । ଲାଞ୍ଜଟା ଦୁଇଥର ହଲିଗଲା, ଆଉ ପାଟିରୁ ଛୋଟିଆ ମିଉଁଟିଏ ବାହାରି ପଡ଼ିଲା– । ନା–ସେଇ ଛୁଆମାନଙ୍କର କଥା ସମସ୍ତଙ୍କୁ କହିବାକୁ ହିଁ ପଡ଼ିବ । ବିଶେଷତଃ ସେମାନଙ୍କର ରୂପ, ସେମାନେ ମରିବା ଆଗରୁ କ’ଣ ସବୁ କହୁଥିଲେ ବା କହିବାକୁ ଚାହୁଁଥିଲେ ଏବଂ ସର୍ବୋପରି ସେମାନଙ୍କର ସମ୍ଭାବ୍ୟ ବ୍ୟଘ୍ରତ୍ୱ–ସବୁ କଥା କହିବାକୁ ହେବ ।

 

ଅନ୍ଧାର ଭିତରୁ କାହାର ନରମ ପାଦଶବ୍ଦ ଶୁଭିଲା । କିଏ ?

 

ନିଆଁ ଭଳି ଦପ୍ ଦପ୍ ଦୁଇଟା ଜଳନ୍ତା ଆଖି ସ୍ପଷ୍ଟ ହୋଇ ଦେଖାଗଲା । ଆଃରେ–ଇଏତ ସେଇ ଦୁଷ୍ଟ ଭୁଆ ! ସେଇ ହିଂସ୍ର, ଅସୁର ଭୁଆ ! ବିଲେଇଟି ଡରିମରି ଛାନିଆ ହୋଇଯାଉଥିଲା । କିନ୍ତୁ ପଛକୁ ଫେରି ଯାଉ ଯାଉ ହଠାତ୍ ସେ ଅଟକିଗଲା । ତା’ର ଇଚ୍ଛାହେଲା, ସେ ଏଇ ଭୁଆକୁ ହିଁ ତା’ର ଦୁଃଖ ବର୍ଣ୍ଣନା କରିବ । ସିଏ ତ ତା’ର ଛୁଆଙ୍କୁ ଖାଇଚି–ସିଏ, ନିଶ୍ଚୟ ତା’ର ଦୁଃଖ ବୁଝିବ । ବିଲେଇଟା ତା’ ପାଖକୁ ଗଲା ଏବଂ ଭୁଆଟି କଟମଟ କରି ତା’ ଆଡ଼କୁ ଅନେଇବା ସତ୍ତ୍ୱେ ବି ସେ କହିବାକୁ ଆରମ୍ଭ କଲା: ମୋର ତିନିଟାଯାକ ଛୁଆ....

 

: ହଁ, କ’ଣ ହେଲା ? ଭୁଆ କିଛି ନ ଜାଣିବା ପରି ପଚାରିଲା ।

 

: କିଏ ନେଇଗଲେ ।

 

: ଆହାଃ–ଚୁ ଚୁ ! ଭୁଆଟି ଆକ୍ଷିମିଟିକା ମାରି କହିଲା ।

 

: ମୁଁ ଏ ଦୁଃଖ ସହିପାରୁନି... । ବିଲେଇଟା ଏକ ନିରାଟ ବେଦନାନ୍ତକ ଭାଷଣ ଦେବାକୁ ଯାଇ ଆରମ୍ଭ କଲା ।

 

: ଆହା, ହା ..... । ଭୁଆଟି ପଛକୁ ମୁହଁ ଫେରାଇ କହିଲା ।

 

ଭୁଆର ଏ ଛଳନା ଭଲ ଲାଗୁନଥିଲେ ମଧ୍ୟ ସେ କହିଲା: ମୋର ମନେହେଉଚି ମୁଁ ଖୁବ୍‍ଶୀଘ୍ର ମରିଯିବି ।

 

ସେତେବେଳକୁ କିନ୍ତୁ ଭୁଆଟା ତା’ କଥା ନ ଶୁଣି ବେଖାତିର ଭାବରେ ଚାଲିଯିବାକୁ ଆରମ୍ଭ କଲାଣି ।

 

ବିରାଡ଼ିଟା ରାଗିଗଲା ଭୀଷଣ । କିନ୍ତୁ କ’ଣ ବା କରାଯାଇପାରେ ? ସେ ରୀତିମତ ହତାଶ ହୋଇପଡ଼ିଥିଲା । କିଏ ଜଣେ ସୁଦ୍ଧା ତା’ର କଥା ଶୁଣିବାକୁ ଚାହୁଁନାହାନ୍ତି । ଅଥଚ କାହାକୁ ହେଲେ କହିବାକୁ ହେବ । ଏଇ ଭୁଆ–କେତେ ହିଂସ୍ର ଭାବେ ସିଏ ତା’ର ଛୁଆମାନଙ୍କୁ ମାରିନଥିବ ! ତା’ର ତିନିଟା ବାଘଭଳି ଛୁଆ । ସେଇ ତିନିଟା ଛୁଆଙ୍କୁ ମାରିବାବେଳେ ଭୁଆଟା ଗୋଟାଏ ରକ୍ତମୁଖା ପ୍ରେତ ଭଳି ଜଘନ୍ୟ ହୋଇଉଠିଥିବ । ତା’ର ଛୁଆସବୁ ଥିଲେ ଅତି ସୁନ୍ଦର ଆଉ ଲୋଭନୀୟ । ସେମାନଙ୍କ ଦେହରେ ଭୁଆ ତା’ର ପଞ୍ଝାଗୁଡ଼ାକ ଭୁଷି ପକାଇଥିବ । ତିନୋଟି ଦେବଶିଶୁ–ଯେଉଁମାନେ ତାକୁ ଦେଉଥିଲେ ଅପୂର୍ବ ପୁଲକ ! ତାଙ୍କ ଦେହରୁ ପିଚ୍ ପିଚ୍ ରକ୍ତ ଝରିଆସିଥିବ ! ତା’ର ପ୍ରିୟ, ପ୍ରିୟ ଛୁଆମାନେ ! ସେମାନେ ବିକଳରେ କାନ୍ଦି ଉଠିଥିବାବେଳେ ସେଇ ନିର୍ଦ୍ଦିଷ୍ଟ, ତୀକ୍ଷ୍‌ଣ ପଞ୍ଝା ଦୁଇଟା ତାଙ୍କ ତଣ୍ଟି ଚିରି ପକାଇଥିବ, କଣ୍ଠନଳୀ ଟାଣି ପକାଇଥିବ । ତା’ର ଆଦରର, ପ୍ରାଣର ପ୍ରତିମ ତିନୋଟି ! ଭୁଆ ପୁଣି ତାଙ୍କ ଅନ୍ତବୁଜୁଳା ଟାଣି ଓଲାରି ପକାଇଥିବ-!

ଏମିତି ଜଘନ୍ୟଭାବରେ ଭୁଆ ଗୋଟି ଗୋଟି କରି ତା’ର ତିନୋଟି ଛୁଆଙ୍କୁ ମାରିଚି ।

ତା’ର ଆଦରର ଛୁଆମାନଙ୍କର ଏଇ କଳ୍ପିତ ମୃତ୍ୟୁକଥା ଚିନ୍ତାକରି ସେ ଶିହରିଉଠିଲା–ଯନ୍ତ୍ରଣାରେ ତା’ର ସ୍ନାୟୁଗୁଡ଼ାକ ଛିଣ୍ଡିଯିବା ଭଳି ମନେହେଲା । ଆଗରେ ତଥାପି ନାଚ କରୁଥିଲା ଗୋଟାଏ ବିଭତ୍ସ ଦୃଶ୍ୟ–ଗୋଟାଏ ରକ୍ତାକ୍ତ ମାଂସ ପିଣ୍ଡୁଳା–ତା’ ଛୁଆମାନଙ୍କର ଶେଷ ପରିଣତି ! ଏଇ ଭୁଆ...ଏତେ ନିର୍ଦ୍ଦୟ ! ଅଥଚ ଟିକିଏ ଗୁହାରିବି ଶୁଣୁନି ।

ଶୀତରେ ସେ ପ୍ରାୟ ଥରିବାକୁ ଆରମ୍ଭ କରିସାରିଥିଲା ୟା’ ଭିତରେ । ଶୀତସବୁ ସେଇ ଭୁଆର ତୀକ୍ଷ୍‌ଣ ନଖ ପରି ତା’ ଦେହର ଚର୍ମ, ମାଂସ ଓଟାରି ଶରୀରର ସବୁଠାରୁ ନିଭୃତ ପ୍ରଦେଶପର୍ଯ୍ୟନ୍ତ ଅନୁପ୍ରବେଶ କରିପକାଉଥିଲେ, ତା’ ଦେହର ନିରୀହ, ଦୁର୍ବଳ ହାଡ଼ଗୁଡ଼ାକ ସହିତ ଖେଳୁଥିଲେ ଏବଂ ତା’ର ମନ, ସ୍ନାୟୁ ଓ ଗ୍ରନ୍ଥି ସବୁଠି ଗୋଟାଏ ରକ୍ତାକ୍ତ ମାଂସପିଣ୍ଡର ସ୍ମୃତି ଜୋର କରି ଭର୍ତ୍ତି କରିପକାଉଥିଲେ; ତା’ର ବିକଳ ମାତୃତ୍ୱକୁ ଉପହାସ କରୁଥିଲେ । ତା’ ଉଦରର ପରାଜିତ ମାତୃତ୍ୱଭିତରେ ଗୁଡ଼ାଏ ଦୁଃଖ, ଗ୍ଲାନି ଓ ରାଗ ଫେଣ୍ଟାଫେଣ୍ଟି ହେଉଥିଲେ । ଶୀତରେ ସେ ସେମିତି ଥରୁଥିଲା ଏବଂ ଥରି ଥରି ଆଖିମିଟିକା ମାରୁଥିଲା । ଚାରିଆଡ଼ ନିଃଶବ୍ଦ ହୋଇସାରିଥିଲା ଅନେକବେଳୁ । ମନେହେଲା, ଏହା ଭିତରେ ତା’ ଭିତରଟା ଦୁଃଖରେ ଏତେ ବେଶି ଭାରାକ୍ରାନ୍ତ ହୋଇପଡ଼ିଚି ଯେ ସେଗୁଡ଼ିକୁ ଅନ୍ୟ କାହାକୁ ନ ଶୁଣାଇ ସେ ବଞ୍ଚି ମଧ୍ୟ ପାରିବ ନାହିଁ । ଏକ ଅଦମ୍ୟ ଶକ୍ତି ତା’ର ସମୁଦାୟ ଶରୀରକୁ ଚିରି ବିଦାରି ମୁକ୍ତି ପାଇଁ ଅସ୍ତିର ହୋଇଉଠୁଥିଲା । ଏକ ଅଦ୍ଭୁତ ଉତ୍ପୀଡ଼ନ ଭିତରେ ସେ ଛଟପଟ ହେଉଥିଲା ଆଉ ମନେମନେ ଜଣେ ସାଥି କାମନା କରୁଥିଲା, ଯେ କିଛି ନ ହେଲେ ବି ଅନ୍ତତଃ ତା’ ଦୁଃଖରୁ କଣିକାଏ ଭାଗ ନେବା ପାଇଁ ତା’ର ସକଳ–ବକ୍ତବ୍ୟ ଧୈର୍ଯ୍ୟର ସହିତ ଶୁଣିବ । ହାୟ ! ତା’ର ସେଇ ତିନୋଟି ଛୁଆ !

ପିଠିରେ କ’ଣଟାଏ ଉଡ଼ି ଉଡ଼ି ବସିଲା । ନିତାନ୍ତ ଉଦାସୀନଭାବରେ ସେ ତାକୁ ଲାଙ୍ଗୁଡ଼ରେ ତଡ଼ିଦେଲା । ଅସରପାଟାଏ ହେବ କି କ’ଣ–ଉଡ଼ି ଚାଲିଗଲା । ସେ ଯେମିତି ନିଜ ସ୍ଥିତିକୁ ସୁଦ୍ଧା ଅନୁଭବ କରିପାରୁନଥିଲା । ଶୀତରେ ଥରି ଥରି ଦାରୁଣ ଦୁଃଖରେ ନିଜକୁ ଦାନାଏ ଚିନି ଭଳି ସେ ମିଳେଇ ଦେଉଥିଲା । ନିଜ ଅଜାଣତରେ ସେ କ’ଣ ଗୋଟାଏ ପ୍ରଳାପ ବି କରିପକାଇଲା ।

କ’ଣଟାଏ ଖଡ଼୍‌ ଖଡ଼୍‌ ଶବ୍ଦ ଶୁଣି ସେ ଆତ୍ମସ୍ଥ ହେଲା । ତା’ ଆଗଦେଇ ମୂଷାଟିଏ ଦୌଡ଼ି ଚାଲିଗଲା ଏବଂ କାନ୍ଥ କଣରେ ଜାକି ହୋଇ ରହି ଏଣେତେଣେ ଚାହିଁବାକୁ ଲାଗିଲା, ଛୋଟିଆ କୁନି ମୂଷା ଛୁଆଟିଏ । ଛନ ଛନ ଆଖି । ବିରାଡ଼ିଟା ପ୍ରଥମେ ଉଦାସୀନ ହୋଇ ବସିରହିଲା; କିନ୍ତୁ ତା’ପରେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ନିଜକୁ ଥରେ ଦେଖିନେଲା–ଯେମିତି ସିଏ ଏହା ମଧ୍ୟରେ ଏତେବେଶୀ ବଦଳିଯାଇଚି ଯେ ସେ ନିଜକୁ ବି ଚିହ୍ନିପାରୁନାହିଁ । ସେ ଯେ ଅନେକ ସମୟ ଧରି କ୍ଷୁଧାର୍ତ୍ତ, ହଠାତ୍‌ ତାହାର ମନେପଡ଼ିଗଲା ।

ମୂଷାଟି କିନ୍ତୁ ତଥାପି ଘରକଣରେ ରହି ନିର୍ବୋଧଙ୍କ ଭଳି, ଏଣେତେଣେ ଅନାଉଥିଲା । ତା’ଉପରେ ପୁସିର ଗୋଟାଏ ବିଶ୍ୱାସ ଆସିଗଲା–ବାଃ, ଏଇଟା ଚମତ୍କାର ଛୁଆଟାଏ । ଇଏ ନିଶ୍ଚୟ ତା’ କାହାଣୀ ଶୁଣିବ ।

ଝାମ୍ପିପଡ଼ି ସେ ମୂଷାକୁ ପାଟିରେ କାମୁଡ଼ିଧରିଲା ଏବଂ ତା’ ଉଦ୍ଦେଶ୍ୟରେ ମନେମନେ କହିଲା, ତୋତେ ଶୁଣିବାକୁଇ ହେବ । ମୁଁ ଜାଣେ ଯେ ତୁ ଭାରୀ ସୁନ୍ଦର, କନକନିଆ ଛୁଆଟାଏ । ତୁ ମୋର କଥା ମାନିବୁ ।

ମୂଷାଛୁଆଟି ଛଟ୍‌ପଟ୍ ହେଲା । ବିରାଡ଼ିର ପଞ୍ଝା ଭିତରୁ ମୁକ୍ତି ପାଇବା ପାଇଁ ପ୍ରଚଣ୍ଡବେଗରେ ଗୋଡ଼ହାତ ଛାଟିଲା, ଚିଂ ଚିଂ ଶବ୍ଦ କଲା । ପୁସି ତାକୁ ତଳେ ଛାଡ଼ି ପୁଣି ଦୁଇ ଆଗ ଗୋଡ଼ରେ ଚାପିଧରିଲା–ନା, ତୁ ଏତେ ସହଜରେ ଖସିଯାଇ ପାରିବୁନି ? ତୁ ଜାଣୁ, ମୋର କେତେ ସୁନ୍ଦର ଛୁଆ ତିନିଟା ଥିଲେ ? ତୁ ଜାଣୁ ? ତାଙ୍କୁ ମୁଁ କେତେ ଭଲପାଉଥିଲି ଜାଣୁ ? ତୁ ଏତେ ସୁନ୍ଦର ହୋଇଥିଲେ ବି ତୋ ମା’ ତୋତେ ଏତେ ବେଶୀ ଭଲପାଉନଥିବ ।

କୌଣସିମତେ ଖସି ଦୌଡ଼ିଯିବା ପାଇଁ ମୂଷାଟାର ପ୍ରାଣାନ୍ତକ ଚେଷ୍ଟା ସତ୍ତ୍ୱେ ବି ବିରାଡ଼ିଟା ଗୋଟାଏ ଭୟଙ୍କର ରାକ୍ଷସ ଭଳି ତାକୁ ଚାପି ଧରିଥିଲା । ରୀତିମତ ଗୋଟାଏ ଯୁଦ୍ଧ ଆରମ୍ଭ ହୋଇସାରିଥିଲା । ବିରାଡ଼ିଟା ତା’ କାହାଣୀ କହିଚାଲିଲା, ତା’ଉପରେ ଝମ୍ପିଲା, କୁଦିଲା, ଦାନ୍ତରେ କାମୁଡ଼ିଲା, ପୁଣି ଛାଡ଼ିଲା–ତା’ ସହିତ ଖେଳିଲା, ଖେଳି ଖେଳି ନୟାନ୍ତ ହେଲା । ତା’ର ବେଦନାର ଅନୁଭୂତିକୁ ବର୍ଣ୍ଣନା କରିଗଲା । ତାକୁ ବ୍ୟତିବ୍ୟସ୍ତ କଲା, ତା’ ଦେହରେ ମୁହଁ ଘଷିଲା, ଗେଲ କଲା, କଥା ବି କହି ଚାଲିଥିଲା, ‘‘ସେ ବଡ଼ହେଲେ ବାଘ ହୋଇଥାନ୍ତା । ଆହୁରି ବଡ଼ ହୋଇଥାନ୍ତା । ତାକୁ ଦେଖିଲେ ତୁ ଛାନିଆ ହୋଇଯାନ୍ତୁ । ଅଜ୍ଞାନ ହୋଇଯାନ୍ତୁ... ।’’ ତଥାପି ମୂଷା ସହିତ ସେ ଖେଳୁଥିଲା । ପୁଣି ଖେଳିଲା, ପୁଣି ଖେଳିଲା, ଖେଳି ଖେଳି ନୟାନ୍ତ ହେଲା ।

ସେ ତା’ର ସବୁତକ ଦୁଃଖ ଫେଣେଇ ଫେଣେଇ କହିଲା, ସବୁ ଦୁଃଖ ଖଲାସ କରିଦେଲା । ସବୁତକ ଆବେଗ ଓ ଅନୁଭୂତିର ବୋଝକୁ ମୁକ୍ତି ଦେଇସାରିବା ପରେ ଏକ ଆତ୍ମତୃପ୍ତିରେ ତା’ ମୁହଁ କୋମଳ ଓ ଉଜ୍ଜ୍ୱଳ ହୋଇଆସିଲା । ଏତେ ବିଳମ୍ୱରେ ହେଲେବି ସେ ତା’ ଦୁଃଖରେ ଜଣକୁ ଅନ୍ତତଃ ଭାଗୀଦାର କରିପାରିଚି । ସାନ୍ତ୍ୱନା ଲାଭ କରିଚି । ଆଃ ତା’ ଛୁଆ ଯଦି ଏବେ ଥାଆନ୍ତା ! ସେ ବଡ଼ହେଲେ ବାଘ ହୁଅନ୍ତା; ବାଘ ଭଳି ହିଂସ୍ର ହୁଅନ୍ତା ! ଅଥଚ କେତେ ଦୟନୀୟ ଭାବରେ ତାକୁ ମରିବାକୁ ହେଲା । କେତେ ବୀଭତ୍ସ, ଭୟଙ୍କର ମୃତ୍ୟୁ ! ଭାବିଲେ ଦେହ ଶୀତେଇଆସେ । ମରିବାବେଳକୁ ସେଇ ଛୁଆମାନେ କେମିତି ଦେଖାଯାଉଥିଲେ ? ଗୋଟାଏ କ୍ଷତବିକ୍ଷତ, ରକ୍ତାକ୍ତ ମାଂସ ପିଣ୍ଡୁଳା–ରକ୍ତ, ମାଂସ, ହାଡ଼ର ଫେଣ୍ଟାଫେଣ୍ଟି ମେଦାଏ ପିଣ୍ଡୁଳା ତା’ ଛୁଆ-!

କ୍ରମଶଃ ନିଜ ଦେହରେ ନିଜ ସ୍ୱର୍ଗତ ଛୁଆମାନଙ୍କର ଭବିତବ୍ୟ ବ୍ୟାଘ୍ରତ୍ୱର ସଞ୍ଚାର ଅନୁଭବ କଲା । ସେ ଦୁର୍ବଳ ନୁହେଁ–ସେ ତିନିତିନିଟା ବାଘଛୁଆର ଜନନୀ । ସେ ନିଜେ ବି ଗୋଟାଏ ବାଘୁଣୀ–ସେଇ ଛୁଆଠାରୁ ଆହୁରି ଅନେକ ଗୁଣରେ ଦୁର୍ଦ୍ଦାନ୍ତ । ଆହୁରି ବହୁତ ଗୁଣରେ ହିଂସ୍ର । ସେ ଖୁବ୍‌ଜୋର୍‌ରେ ମ୍ୟାଉଁ ମ୍ୟାଉଁ କରି ଏକଥା ବାରମ୍ୱାର ଘୋଷଣା କଲା ଏବଂ ମୂଷାକୁ ତଥାପି ଖେଳାଉ ଖେଳାଉ କହୁଥିଲା, ମୁଁ ତୋତେ ଜାଣେ । ତୁ ଭାରୀ ସୁନ୍ଦର, ଭାରୀ ଭଲ ମୂଷା ଛୁଆଟାଏ । କେବଳ ତୁ ହିଁ ମୋର କଥା ଶୁଣିଛୁ । ତୋର ମାଆ ତୋତେ ଭାରୀ ଭଲପାଏ, ନୁହେଁ-? ମୁଁ ଜାଣେ । ସେ ପୁଣି ମ୍ୟାଉଁ ମ୍ୟାଉଁ କରି ହସିଲା ।

ହସିଲା ଏବଂ କ୍ରମେ ସେ ଏକ ରକ୍ତମୁଖା ପ୍ରେତ ଭଳି ଜଘନ୍ୟ ହୋଇଆସିଲା । ମୂଷା ଛୁଆଟା ! ବିଚାରା ! ତୁ ଭାରୀ ସୁନ୍ଦର ଆଉ ଲୋଭନୀୟ ମୂଷାଛୁଆଟାଏ । ତା’ ଦେହରେ ସେ ନିଜର ତୀକ୍ଷ୍‌ଣ ପଞ୍ଝାଗୁଡ଼ିକ ଭୁଷି ପକାଇଲା । ମୁଁ ଜାଣେ, ତୁ ତୋ ମା’କୁ ଦେଉଥିଲୁ ଅପୂର୍ବ ପୁଲକ-। ମୂଷା ଦେହରୁ ପିଚ୍‌ ପିଚ୍‌ ରକ୍ତ ଝରିଆସିଲା । ତୁ ତୋ ମାଆାର ପ୍ରିୟ, ପ୍ରିୟ ସନ୍ତାନଟିଏ । ମୂଷାଟା ବିକଳରେ ଚିଁ ଚିଁ କରି କାନ୍ଦି ପକାଇବାବେଳେ ତା’ର ନିର୍ଦ୍ଦୟ ତୀକ୍ଷ୍‌ଣ ପଞ୍ଝା ଦୁଇଟା ତା’ର ତଣ୍ଟିକୁ ଚିପି ପକାଇଲା, କଣ୍ଠନାଳୀ ଟାଣି ପକାଇଲା । ତୁ ତୋ ଜନନୀର ଆଦରର, ପ୍ରାଣର ପ୍ରତିମା-। ବିଲେଇଟା ତା’ର ଅନ୍ତବୁଜୁଳା ଟାଣି ଓଲାରି ପକାଇଲା ।

ମୂଷାଛୁଆର ଚିତ୍କାର କ୍ଷୀଣରୁ କ୍ଷୀଣତର ହୋଇ କ୍ରମଶଃ ବନ୍ଦ ହୋଇଯାଉଥିଲା । ପୁସିଟିର ତିନିଟା ବ୍ୟାଘ୍ର ସନ୍ତାନର ମାତୃତ୍ୱ କିନ୍ତୁ ତଥାପି ତା’ ଦେହକୁ ତୁଳାଭଳି ଭିଣି ଚାଲିଥିଲା ତାକୁ ଏକ ବିକ୍ଷତ, ବିକଳାଙ୍ଗ ରକ୍ତାକ୍ତ ମାଂସ ପିଣ୍ଡୁଳା କରିପକାଇବାର ପ୍ରୟାସରେ ।

ସ୍ନାତକୋତ୍ତର ଇଂରାଜୀ ଛାତ୍ର

ସମ୍ୱଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା

Image

 

ଗଛକଟାଳି, ମୁଁ ଏବଂ ମହୁମାଛି

ସୁବୋଧ ଦାସ

 

ଅସ୍ତଗାମୀ ସୂର୍ଯ୍ୟର ରଙ୍ଗ ଦେହରେ ବୋଳି ପତ୍ରବିହୀନ ଥୁଣ୍ଟା କୃଷ୍ଣଚୂଡ଼ା ମୂଳେ ମିଛ ଲୁଚକାଳି ଖେଳିବା ଅପେକ୍ଷା ଲମ୍ୱି ଯାଇଥିବା ବିକ୍ଷିପ୍ତ ସରଳରେଖାର ସୀମା ଖୋଜିବା ବରଂ ଅନେକ ଭଲ । ହୁଏତ ପଥପ୍ରାନ୍ତରର ନିର୍ଦ୍ଦିଷ୍ଟ ମାଇଲ ଖୁଣ୍ଟ ଛୁଇଁବାକୁ ଇମିତି ଅନେକ ଦୂର ଚାଲିବାକୁ ପଡ଼ିପାରେ । ଚାଲୁ ଚାଲୁ ଗୋଡ଼ର ଜୋତା ଘୋଷରା ହୋଇଯିବ । ଅତି ସତର୍କତାର ସହିତ ଜୋତାର ଛାତି ବିଦ୍ଧ ହୋଇଥିବା ମୁନିଆ କଣ୍ଟା ଆଁ କରି ପଦାକୁ ଅନେଇବ । ଏଇ ଜୋତା ଯାହାକୁ ମୁଁ ଟକ୍‌ମକ୍‌ ହୋଇ ଫୁଟୁଥିବା ଯୌବନର ରଙ୍ଗରେ କସାଇବାର ସ୍ୱପ୍ନ ଦେଖିଥିଲି । କୁମ୍ଭୀର ପାଟି ପରି ମେଲା କରିଥିବା ଦୁଇଟି ଡେଣାରେ ମୁଁ ନାଲି ନାଲି ଫିତା ଯୋଡ଼ିଏ ବାନ୍ଧି ଦେଇଥିଲି । ଏକ କାଳୀନ ଉପୟନ ବ୍ରତ ପରେ ଠିକ୍‌ ଜାଆଁଳା ଭାଇ ଦୁଇଟିର କାନ୍ଧରେ କେତେକ ସଂସ୍କାରଗତ ଦୁର୍ବଳତାର ପୁନରୁଦ୍ଧାର ପାଇଁ ଯଜ୍ଞ–ଉପବୀତ ଦୁଇଟି ଯିମିତି ଝୁଲାଇ ଦିଆଯାଇଥାଏ ।

 

ଶୈଶବରୁ ମୋର ପାଦଯୋଡ଼ିକ ଉପରେ ଭୀଷଣ ଯତ୍ନ ନିଆଯାଇଥିଲା । ଗୋଡ଼ରେ ଘା’ ହୋଇ ମୋର ରୁଗ୍‌ଣ ମା’ ମରିବା ପୂର୍ବରୁ ବୋଧହୁଏ କାନ୍ଦି କାନ୍ଦି ବାପାଙ୍କୁ କହିଥିବ, ‘‘ଦେଖ ପୁଅକୁ ମୋର ବାଟ ଚାଲିବାର କୌଶଳ ଶିଖାଇଦେବ । ସେ ଯେପରି ଖାଲ ଢିପ ଡେଇଁ ତା’ର ଗନ୍ତବ୍ୟ ସ୍ଥାନର ସୀମାରେଖା ଛୁଇଁବାକୁ ସମର୍ଥ ହୋଇପାରିବ ।’’ ମା’ ମୋର ମରିଗଲା, ମୁଁ ଯେତେବେଳେ ମୋ ଟିକିଟିକି ପାଦରେ ଭରାଦେଇ ଦୁନିଆକୁ ଦେଖି ଶିଖୁଥିଲି । ସେଇଥିପାଇଁ ମୁଁ ମୋ ଅଜାଣତରେ ଏଇ ପାଦ ଦୁଇଟା ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ିଥିଲି ।

 

ଏଇ ପାଦ ସମ୍ୱନ୍ଧରେ ବିଭିନ୍ନ ସମୟରେ ବିଭିନ୍ନ ଇତିହାସ ରହିଛି । ରାଜା ରାଜୁଡ଼ାମାନେ ଏଇ ପାଦଦ୍ୱାରା ତାଙ୍କର ଭୃତ୍ୟମାନଙ୍କୁ ଗୋଇଠା ମାରି ଶାସନ କରିବାକୁ ସଉକ ମଣୁଥିଲେ । ଅନୁଗତ କର୍ମଚାରୀମାନେ ରାଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କର ପଦଲେହନ କରୁଥିଲେ । ପୋଷା କୁକୁରଟି ଯିମିତି ତା’ ମୁନିବର ପଦସେବା କରିଥାଏ । ଏଇ ପାଦ ମଣିଷକୁ ରାସ୍ତା ଚାଲିବାକୁ ଶିଖାଇଛି । ତଳିଆ କର୍ମଚାରୀଙ୍କ ହୃତ୍‌କମ୍ପ ଜାତ କରାଇବା ପାଇଁ ବଡ଼ ବଡ଼ ବାବୁମାନେ ଜୋତା ମଚ ମଚ କରି ଏଇ ଲମ୍ୱ ପାଦରେ ଅଫିସ୍ ଚଟାଣରେ ପଇଁତରା ମାରନ୍ତି । ଭୋକିଲା ମଣିଷଟି ପେଟ ବିକଳରେ କଂସା ଖଣ୍ଡେ ଚୋରି କରିଥିଲେ ପୋଲିସ ବାବୁମାନେ ବୁଟ୍‌ପିନ୍ଧା ପାଦରେ ତା’ର କଙ୍କାଳସାର ଛାତିରେ ଛିଡ଼ାହୋଇ କଥା ଆଦାୟ କରନ୍ତି । କଞ୍ଚୁକୀମାନେ ଜମିଦାରମାନଙ୍କର ମେଦବହୁଳ ପାଦକୁ ତୈଳାକ୍ତ ପଦାର୍ଥରେ ମାଲିସ୍ କରିବାର ପ୍ରଥା ଏବେ ମଧ୍ୟ ରହିଛି ।

 

ଅଳ୍ପ ବେତନଭୋଗୀ ବାପା ମୋର ସାତ ମାଇଲ୍ ବାଟ ଅଫିସରୁ ଚାଲି ଚାଲି ହାଲିଆ ହୋଇପଡ଼ିଥିବା ପରେ ପିଲାବେଳେ ମୁଁ ତାଙ୍କର ହାଡ଼ୁଆ ପାଦ ଦୁଇଟିକୁ ମାଲିସ କରିଦେଉଥିଲି; ସେଇଥିପାଇଁ ମୋର ଟିକି ଟିକି ପାଦ ଯୋଡ଼ିକ ପାଇଁ ବାପା ମୋର କନା ଜୋତାହଳେ ଆଣି ଦେଇଥିଲେ । ବାପା ମଲାବେଳେ ତାଙ୍କର ରକ୍ତ ନ ଥିବା ହାଡ଼ୁଆ ପାଦରେ ମଥାରଖି ମୁଁ ଅନେକ କାନ୍ଦିଥିଲି ।

 

ମୁଁ ଯେତେବେଳେ ନିଃସହାୟ ହୋଇ ନିଜ ପାଦରେ ଭାରାଦେଇ ଛିଡ଼ା ହେବାକୁ ଚେଷ୍ଟା କଲି ସେତେବେଳେ ଦେହରେ ମୋର ବଳ ନ ଥିଲା । ମୁଁ ମୋର ମନର ବଳକୁ ଟାଣ କରି ବାହାର ଦୁନିଆକୁ ଅନେଇଲି ।

 

ଗୋଡ଼ହାତ ଛିଡ଼ି ଯାଇଥିବା କଙ୍କାଳସାର ବୃଦ୍ଧାଟି କୃଷ୍ଣଚୂଡ଼ା ମୂଳେ ଉଚ୍ଛିଷ୍ଟ ଭକ୍ଷଣ କରୁଥିଲା । ଏଇଠି ମୋ ମା’ର ପରେ ପରେ ମୋ ବାପାଙ୍କର ଶବ ଦାହ କରାଯାଇଥିଲା । ମୁଁ ସେଇ ମାଟିର ଭସ୍ମ ଦେହରେ ବୋଳିହେଲି । କୋଟରଗତ ଆଖିରେ ବୃଦ୍ଧାଟି ଲୁହର ଗୋଟିଏ ସରୁ ଧାର ଟାଣି ମତେ ଚିହ୍ନିବାକୁ ଚେଷ୍ଟା କରୁଥିଲା । ମୁଁ ପାଖକୁ ଗଲି । ସେ ମୋ ପିଠି ହାତ ଆଉଁସିଲା-। ମୋ ବାହୁରେ ବନ୍ଧା ହୋଇଥିବା ନୈତିକତାର ଡେଉଁରିଆକୁ ଦେଖି ଉପହାସ କରି କହିଲା, ‘‘ବାସ୍ତୁହରା ନୈତିକତାର ଭୂତକୁ ହାଉଳି ଖାଉଛୁ । ତତେ ବଞ୍ଚିବାକୁ ହେଲେ ସେଇ ବାବନାଭୂତକୁ ଗୋଇଠା ମାରି ରାସ୍ତାକଡ଼କୁ ପିଙ୍ଗିଦେବାକୁ ପଡ଼ିବ । ଆଜିର ସମାଜ ତୋ ଦୁର୍ବଳ ବାହୁରେ ନୈତିକତାର ଜଡ଼ିବୁଟି ବାନ୍ଧିଦେଇ ନିଜେ ଆଖିବୁଜି ସୁଷୁରୀ ମାରୁଛି । ତୁ ଆଖିକାନ ବୁଜିଦେ-।’’

 

ମୋ ପାଦ ଦୁଇଟିରେ ପ୍ରତିବାଦର ଦୁଇଟି ବର୍ଚ୍ଛା ବାନ୍ଧି ଦିଆଗଲା । ରକ୍ତାକ୍ତ ଲଢ଼େଇ ପାଇଁ ଅଣ୍ଡିରା କୁକୁଡ଼ା ଗୋଡ଼ରେ ଯିମିତି ମୁନିଆ କାତି ବାନ୍ଧି ଦିଆଯାଇଥାଏ ।

 

ସେଇ ପ୍ରସ୍ତାବିତ ରୁଗ୍‌ଣ କୃଷ୍ଣଚୂଡ଼ା ମୂଳରୁ ମୁଁ ମୋର ଯାତ୍ରା ଆରମ୍ଭ କଲି । ମୋ ଗତିର ବେଗ ବଢ଼ାଇବା ପାଇଁ ପରିସ୍ଥିତି ମତେ ଇଙ୍ଗିତ ଦେଲା । ମୁଁ ରାସ୍ତାରେ ଅଣନିଶ୍ୱାସୀ ହୋଇ ଧାଇଁଲି-। ମତେ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପଡ଼ିବ । ମୋ ଚତୁଃପାର୍ଶ୍ୱରେ ଅଗଣିତ ଖାଲି ଥୁଣ୍ଟା ବୃକ୍ଷର ସମାହାର । ଏଇ ଗଛରେ ଦିନେ ଡାଳପତ୍ର, ଶାଖା କଅଁଳିଥିଲା । ଫୁଲ ଫୁଟିଥିଲା । ଫଳଭାରାରେ ଶାଖା ଅବନତ ହୋଇପଡ଼ିଥିଲା ।

 

ସମୟ ଆସିଲା । କ୍ରମାଗତ ଭାବରେ ଦଳ ଦଳ ଗଛକଟାଳି ପତ୍ର ଡାଳ ସବୁ କାଟି ତାଙ୍କ ନିଜର ଘରବାଡ଼ି ବଗିଚା ତିଆରି କଲେ । ତାଙ୍କ ବଗିଚାରେ ଏବେ ଅନେକ ଫୁଲ । ଟାଣ ଖରାରେ ସିଝିସିଝି ଡାଳଗୁଡ଼ିକ ତାଙ୍କର ସୁନ୍ଦର ବଗିଚାକୁ ଆବାଦୀ କରି ରଖିଛନ୍ତି ।

 

ସ୍ୱାଧୀନ ଭାବରେ ମୁଣ୍ଡଟେକି ଛିଡ଼ା ହୋଇଥିବା ସେଇ ଝଙ୍କାଳିଆ ଗଛରେ ଦିନେ ପେନ୍ଥା ପେନ୍ଥା ହୋଇ ମହୁ ଝରୁଥିଲା । ଗଛକଟାଳି ଦଳ ମହୁଫେଣାଗୁଡ଼ିକୁ ମଧ୍ୟ ଝିଙ୍କି ନେଇଗଲେ-। ମହୁମାଛିମାନଙ୍କର ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ମହୁଫେଣାରେ ନିଆଁ ଲଗାଇଦେଲେ-। ନିଆଁରେ କୁହୁଳି କୁହୁଳି ଯେଉଁମାନେ ପ୍ରାଣ ବଞ୍ଚାଇଲେ, ସେଇ ନିରାଶ୍ରିତ ମହୁମାଛି ଦଳ ଏବେ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଛନ୍ତି । ତାଙ୍କର ବହୁ କଷ୍ଟଉପାର୍ଜିତ ମହୁ ଯାଇଛି । ବସା ଯାଇଛି-। ଯାହା ଦେହରେ ଆଶ୍ରା କରି ବସା ବାନ୍ଧିଥିଲେ ଅସଂଖ୍ୟ ବୃକ୍ଷ ମଧ୍ୟ ଉଜୁଡ଼ିଯାଇଛି ।

 

ବର୍ତ୍ତମାନ ମହୁମାଛି ଦଳଙ୍କର ନୂତନ ଅଭିଯାନ ଆରମ୍ଭ ହେଲାଣି । ସେମାନେ ଗଛକଟାଳି ଦଳଙ୍କର ଆବାଦୀ ବଗିଚାରେ ପଶି ମହୁ ବଦଳରେ ଫୁଲରୁ ରକ୍ତ ଶୋଷଣ କରିବେ । ମୁଁ ଧାଉଁ ଧାଉଁ ସେମାନଙ୍କୁ ଆହୁରି ସଂଗଠିତ କରିବାପାଇଁ କରତାଳିର ଆୱାଜ ଦେଲି । ସେମାନେ ଗୁଣୁଗୁଣୁ ଗୀତ ଗାଇବା ଛାଡ଼ି ସଂଗ୍ରାମର ତୂର୍ଯ୍ୟଧ୍ୱନୀ ଦେଲେ ।

 

ଗଛକଟାଳିମାନେ ପାହାଡ଼ର ପାଦଦେଶରେ ହାଡ଼ ରଙ୍କର ନିରାପଦ ଦୁର୍ଗ ନିର୍ମାଣ କରିଛନ୍ତି । ଏଇ ଦୁର୍ଗକୁ ଆଗେ ବିଲାତି କୁକୁରମାନେ ଜଗୁଥିଲେ । ଏବେ ଛବିଶ ବର୍ଷ ହେଲା ଦେଶୀ କୁକୁର ଦଳ ତାଙ୍କ ସ୍ଥାନ ପୂରଣ କରିଛନ୍ତି । ବିଲାତି କୁକୁର ଥରେ ଭୁକିବାକୁ ଆରମ୍ଭ କଲେ କାମୁଡ଼ିବାର ଭୟ ଥିଲା । ଦେଶୀ କୁକୁରମାନେ କାମୁଡ଼ିବାର ଭୟ ଦେଖାଇ ଅଧିକ ଭୁକି ହେଉଛନ୍ତି-

 

ମୁଁ ହାଲିଆ ହୋଇପଡ଼ିବା ସତ୍ତ୍ୱେ ବି ନିରବଚ୍ଛିନ୍ନ ଭାବରେ ଧାଉଁଛି । ବୋଧହୁଏ ସେଇ ଗଛକଟାଳି ଦଳଙ୍କର ସୁରକ୍ଷିତ ଉଆସ୍‌ ନିକଟରେ ମୋର ଯାତ୍ରା ଶେଷ ହୋଇପାରେ । ଛବିଶ ବର୍ଷ ଭିତରେ ମୋର ଏବଂ ମୋଭଳି ଅନେକଙ୍କର ତାରୁଣ୍ୟର କୃଷ୍ଣଚୂଡ଼ାକୁ ଏଇ ଗଛକଟାଳିମାନେ ଅମାନୁଷିକ ଭାବରେ ଲୁଟି ନେଇଛନ୍ତି । ମୁଁ ଯେତେବେଳେ ଯାତ୍ରା ଆରମ୍ଭ କରିଛି ମତେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ପଡ଼ିବ ।

 

ଗଛକଟାଳିଙ୍କ ଉଆସ ପୂର୍ବରୁ ଛବିଶଟି ତୋରଣ । ପ୍ରତ୍ୟେକ ତୋରଣ କଅଁଳ ଡାଳପତ୍ର ପୁଷ୍ପରେ ସୁସଜ୍ଜିତ । ତୋରଣର ଦୁଇପାଦରେ ବାନ୍ଧି ଦିଆଯାଇଛି ଯୋଡ଼ା ଯୋଡ଼ା ପୋଷା କୁକୁର । ସେମାନେ ଅନେକ ପ୍ରଭୁଭକ୍ତ । ଗଛକଟାଳିମାନେ ତାଙ୍କୁ ଆଗାମୀ କିଛି ବର୍ଷ ଭିତରେ ପଦୋନ୍ନତିର ଆଖୁଫଳ ଖୁଆଇବେ ବୋଲି ଲୋଭ ଦେଖାଇଛନ୍ତି ।

 

ଆଜିକି ଛବିଶ ବର୍ଷ ତଳେ ସ୍ୱାଧୀନତା ନାମରେ ଯେଉଁ ‘କଇଁଛ’ଟିର ପେଟ କଟାଯାଇଥିଲା, ସେଥିରୁ ଏକକାଳୀନ କିଛି ମହୁମାଛି, କେତେକ ଗଛକଟାଳି, କିଛି ଚାରା ଗଛ, ଅନେକ ବାଲିଗରଡ଼ା ଏବଂ ‘ମୁଁ’ ନାମରେ ଅଗଣିତ ଜୀବନ୍ତ ଭ୍ରୂଣ ଉଦ୍ଧାର କରାଯାଇଥିଲା । ଏଇ ବିଗତ ବର୍ଷ ଭିତରେ ଅନେକ ‘ମୁଁ’ର ତାରୁଣ୍ୟ ଲୁଟି ନିଆଯାଇଛି । ବାଲିଗରଡ଼ା ପଥରରେ ପରିଣତ ହୋଇଛି । ମହୁମାଛି ଦଳ ତାଙ୍କର ସର୍ବସ୍ୱ ହରାଇଛନ୍ତି । ମହୁଝରା ଅନେକ ସବୁଜ ବୃକ୍ଷ ଉଜୁଡ଼ିଯାଇଛି । ଗଛକଟାଳିଦଳଙ୍କ କାଚକୁଣ୍ଡରେ ଅପର୍ଯ୍ୟାପ୍ତ ମହୁ ସଂରକ୍ଷିତ ହୋଇଛି । ପରିଶେଷରେ ମୃତ କଇଁଛଟିକୁ ରାଜଧାନୀ ନାମକ ଏକ ପଙ୍କ ଗାଡ଼ିଆକୁ ଫିଙ୍ଗି ଦିଆଯାଇଛି ।

 

ସୁରକ୍ଷିତ ସୌଧର ପାଦଦେଶରେ ପହଞ୍ଚିବାର ଅବ୍ୟବହିତ ପୂର୍ବରୁ ମୋ ପାଦରେ ବାନ୍ଧି ଦିଆଯାଇଥିବା ପ୍ରତିବାଦର ବର୍ଚ୍ଛା ଦାବିରେ ପରିଣତ ହେଲା । ରକ୍ତଶୂନ୍ୟ ମୋ ଅସ୍ଥି କଙ୍କାଳ ସ୍ନାୟୁରେ ପରିର୍ତ୍ତନ ପରିଲକ୍ଷିତ ହେଲା ।

 

ମୁଁ ତୋରଣ ନିକଟବର୍ତ୍ତି ହେଲି । ପ୍ରତି ତୋରଣର ପ୍ରବେଶଦ୍ୱାରରେ ନୀଳ ଆଲୋକର ଜ୍ୟୋତ୍ସ୍ନା । ଏ ଆଲୋକରେ ମୁଁ ଅନେକ ଅତିଷ୍ଠ ହୋଇପଡ଼ିଲି । ବିଗତ ବର୍ଷରେ ମୁଁ ଦିନତମାମ୍‌ ଚାଲି ଚାଲି ରାତ୍ରିରେ ନିଦ୍ରା ଯାଇଥିଲି । ନିଦ୍ରା ଯାଇ ମୁଁ ସର୍ବସ୍ୱ ହରାଇଛି । ଏବେ ଦିନରେ ଆତ୍ମଗୋପନ କରି ମୁଁ ରାତ୍ରିର ପଥଚାରୀ ହୋଇଛି । ରାତ୍ରିରେ ମୋର ଅଭିଯାନ ଆରମ୍ଭ କରିଛି ।

 

ପାଦର ବର୍ଚ୍ଛାକୁ ମୁଁ ପ୍ରସ୍ତୁତ କଲି । ଅତୀତର ବାଲିଗରଡ଼ା ଯାହା ଆଜି ପଥରରେ ପରିଣତ ହୋଇଛି ଗୋଟି ଗୋଟି ରାସ୍ତାରୁ କୁଢ଼ାଇ ସେଇ ନୀଳ ଆଲୁଅର କାଚକୁ ଫୋପାଡ଼ି ସମଗ୍ର ତୋରଣର ପଥ ଅନ୍ଧକାର କରିଦେଲି ।

 

ଏବେ ମୁଁ ନିରାପଦ ସ୍ଥାନରେ ଆତ୍ମଗୋପନ କରିଛି । ପ୍ରତୀକ୍ଷା କରିଛି ମୋ ପଛରେ ଥିବା ଅସଂଖ୍ୟ ମହୁମାଛି ଦଳକୁ । ସେମାନେ ତାଙ୍କର ବିଷାକ୍ତ ଶୃଙ୍ଗରେ ଚୋଟମାରି ଜଗୁଆଳି କୁକୁରକୁ ବ୍ୟତିବ୍ୟସ୍ତ କରିଦେଲେ, ମୁଁ ମୋର ଗୋଡ଼ର ତୀକ୍ଷ୍‌ଣ ବର୍ଚ୍ଛା ଚାଳନ କରିବି ।

 

ମହୁମାଛି ଦଳ ତାଙ୍କର ହରାଇଥିବା ମହୁପାତ୍ରର ପୁନରୁଦ୍ଧାର କଲେ ସେମାନେ ନିଶ୍ଚିତଭାବରେ ଗଛକଟାଳିଦଳଙ୍କ ଆବାଦୀ ବଗିଚାରେ ତାଙ୍କର ନୂଆ ନିର୍ମାଣ କରିବେ ଏବଂ ଅଦିନରେ ହଜିଯାଇଥିବା ଅସଂଖ୍ୟ ତାରୁଣ୍ୟର ଜୀବନ୍ୟାସ ପରେ ମହୁମାଛିମାନେ ପୁଣି ବିଜୟ ଉଲ୍ଲାସରେ ଭୁରିଭୁରି ଶଙ୍ଖଧ୍ୱନୀ ଦେବେ ।

 

କ୍ୱା : ଇ/୧୦

ନୂଆ କଲୋନି

ବାଦାମବାଡ଼ି, କଟକ

Image

 

ଦ୍ୱିତୀୟ ପ୍ରଜାପତି

ହରିହର ମିଶ୍ର

 

ଚଞ୍ଚୁର ସଙ୍ଗୀତ

ଚଢ଼େଇ ତଳ ମୁହଁ କରି ଆଗେଇଆସୁଛି ।

କେତେ ବା ସମୟ ଲାଗିବ ପହଞ୍ଚିବାକୁ ? ଚାହୁଁ ଚାହୁଁ ସେ ସମୟ ଚାଲିଯିବ । ଯେଉଁ ଆଶାରେ ଉପରକୁ ଉଠି ଚାଲିଥିଲା, ସେ ଆଶା ଅବ୍ୟାହତ ରହିଛି ସେମିତି । ଖାଲି ଯେଉଁଠି ବସିଥିଲା ସେଠିକି ଫେରିଆସୁଛି ।

କିନ୍ତୁ ପାଣିରେ ପହଁରିଲାବେଳେ କି ସୁନ୍ଦର ସେ ତା’ ଆଙ୍ଗୁଠିରେ ପାଣିକୁ ଆଡ଼େଇ ଆଡ଼େଇ ଚାଲିଛି । ଧାଡ଼ି ଧାଡ଼ି ବଗିଚାର ଫୁଲ ଉପରେ ପବନ ଟିପ ମାରି ମାରି ଚାଲିଗଲା ଭଳି ।

ସେମାନେ ଦଳ ଦଳ ହୋଇ ଆସୁଛନ୍ତି...ପାଣିରେ ପହଁରୁଛନ୍ତି, ପୁଣି ଉଡ଼ି ଯାଉଛନ୍ତି । ପରିବର୍ତ୍ତନ ବାହାରେ ଓ ଭିତରେ । ଆଜି ମେଘ ଝଡ଼ ବର୍ଷାରେ–ରୌଦ୍ର ଖରା....ଶୀତ ଓ ଫୁଲଫୁଟା ବେଳ । ତଥାପି ଧାଡ଼ିବାନ୍ଧି ଯିବାରେ କି ଆନନ୍ଦ ଅଛି କେଜାଣି, ସେମାନେ ପରିବର୍ତ୍ତନକୁ ଜଣେଇ ଦେଉନାହାନ୍ତି । ବଂଶ ପରଂପରା କ୍ରମେ ସେମାନେ ଉଡ଼ି ଶିଖିଛନ୍ତି, ଉଡ଼ୁଛନ୍ତି, ଉଡ଼ିବେ । ତେଣୁ ବର୍ତ୍ତମାନର ଚାଞ୍ଚଲ୍ୟ ନାହିଁ । ପରିବର୍ତ୍ତନ ନାହିଁ । ହ୍ରଦ ଭିତରେ ଅନେକ ଛୋଟ ବଡ଼ ପରିବର୍ତ୍ତିତ ଛାୟା...ଗହୀର ଅନ୍ଧାରିଆ ପାହାଡ଼ଛାଇରେ ସେମାନେ ଶୁଭ୍ର ପକ୍ଷ ସ୍ଥିର ରଖି ଚାଲିଛନ୍ତି ।

ଟିକକ ପରେ କ’ଣ ହେବ କିଏ ଜାଣୁଛି...

ସମୁଦ୍ରରେ ଢେଉ ଗୋଟିଏ ନୁହେଁ...ଗୋଟିକ ପରେ ଗୋଟିଏ....ଆକାଶରେ ତାରା ଯେମିତି । କାହାକୁ ଅପେକ୍ଷା କରିବାର ଲୋଭ ଓ ଆଗ୍ରହ ନାହିଁ । ଚାଲିଛନ୍ତି । ଦିଗ କୂଳକିନାରା କିଛି ନାହିଁ । କେଉଁ ଆଡ଼େ ହଜି ଯାଉଛନ୍ତି ତ କେଉଁଠି ଦେଉଛନ୍ତି ।

ତଥାପି କଦାପି ହଜି ନାହାନ୍ତି ।

କିଏ କେତେବେଳେ ଏକୁଟିଆ ରହୁଛି । ଅଧିକାଂଶ ଦଳ ବାନ୍ଧି ଯିବାକୁ ବେଶି ଇଛା ହେଉଛି । ବେଶି ଦୂରକୁ ଏକୁଟିଆ ଫିଟିଗଲେ ମାଡ଼ି ମାଡ଼ି ପଡ଼ୁଛି....ତେବେ ସମସ୍ତଙ୍କ ଆଗରେ ଏକୁଟିଆ ଖେଳିବାକୁ ଓ ଖେଳ ଦେଖେଇବାକୁ ମଜା ଲାଗୁଛି ।

ସୃଷ୍ଟିମୟ ଜଳ । ମୁଷ୍ଟିମେୟ ପକ୍ଷୀ । ଖେଳ ସମୟ ସକାଳୁ ସଞ୍ଜ ପର୍ଯ୍ୟନ୍ତ । ତା’ପରେ ଶିବିର ଓ ନୀଡ଼ ରଚନାର ଗୀତ । ନିଜ ଭିତରେ ଚଞ୍ଚୁ ମରାମରି । ସକାଳୁ ପୁନଶ୍ଚ ଆକାଶ...ପୁନଶ୍ଚ ଶୂନ୍ୟତା...ପୁନଶ୍ଚ ପ୍ରତ୍ୟାବର୍ତ୍ତନ....ପ୍ରତି ପଲକରେ...ଅଢ଼େଇ ସେକେଣ୍ଡରେ । ଏଠି...ସେଠି....ସବୁଠି...ଏକୁଟିଆ ପକ୍ଷୀ ଏମିତି ଚଞ୍ଚଳ ହୁଏ ।

ଏଇ ପୃଥିବୀ ସାରା କେଉଁ ଅଭିଯାତ୍ରୀମାନଙ୍କର ଆକାଶଛତା ଖସି ଖସି ପଡ଼ୁଛି ।

ଜ୍ୱଳନର ବର୍ଣ୍ଣ

ସେ ହୁଏତ ମୋ କାନ୍ଧରେ ହାତ ପକେଇଲା ।

କହିଲା, ‘‘ଆଉ ଥୋଡ଼ାଏ ବାଟ ତମ ସଙ୍ଗେ ଯିବି ।’’

ମୁଁ କହିଲି, ଠିକ୍‌ ସେଇଆ ହଉ, ମୁଁ ନିଜକୁ ଥରେ ବଦଳେଇ ସାରିଛି, ଏଣିକି ରାସ୍ତାରେ ଆମେ ଖୁବ୍‌ ଖୁସିରେ କାନ୍ଧରେ ହାତ ପକେଇ ଯିବା ।’’

‘‘ତମକୁ ଦିନେ ଏମିତି ଗୋଟାଏ ଜାଗାକୁ ନେଇଯିବି; କେହି ଜାଣିପାରିବେନି ।’’

‘‘ବାରମ୍ୱାର ତା’ ହେଉଛି । ଅଧିକା କରିବ କ’ଣ...ତମଠୁ ବହୁତ ଶୁଣିଛି । ବର୍ତ୍ତମାନ ତମେ ଶୁଣ...ମୁଁ ମାଟି, ଜଳକୁ ଅନଳ କରି ପବନ ଭିତରେ ପୁଣି ନିଜକୁ ହଜେଇ ଆକାଶରେ ମିଶେଇ ଦେଇଛି । ପୁନର୍ବାର ତମର ରୂପର ସୁଗନ୍ଧ ସ୍ପର୍ଶ ଶବ୍ଦ ମାଧ୍ୟମରେ ବନ୍ଦୀ ହୋଇପାରିବିନି । ମୁଁ ହୁତ୍‌ ହୁତ୍ ଜଳୁଥିବା ଗୋଟାଏ ଗ୍ରହର ପ୍ରଖରତା ଆଡ଼କୁ ଆଗେଇଯାଉଛି । ସେଠି ମୃତ୍ୟୁ ଦୁର୍ଭାଗ୍ୟକର ନୁହେଁ । ସମଗ୍ର ମୃତ୍ୟୁ ଗୋଟାଏ ଜ୍ଵଳନରେ ଭସ୍ମୀଭୂତ । ସେଇ ଅଗ୍ନିକୁ ପ୍ରଦକ୍ଷିଣ କରି ମୁଁ ଯେଉଁ ଅଶ୍ରୁତର୍ପଣ କଲି, ସେତିକି ଯଥେଷ୍ଟ । କୋଟିଏ ଅଶ୍ରୁବିନ୍ଦୁ ଏ ମାଟିରେ ଢାଳି ଲାଭ ନାହିଁ । କାମ କରୁଥିବା ଲୋକ ଜାଣେ ସେ କ’ଣ ସୃଷ୍ଟି କରିଛି...ଏଥିପ୍ରତି ମୋହ ନାହିଁ । ଜାତୀୟ ବୋଧ ତାହିଁ । ପ୍ରଚାର ନାହିଁ–ବୋଧୋ–ଦୟା ନାହିଁ । କିଛି ଅସ୍ତମିତ ହେଉନାହିଁ । ବହୁ ରଙ୍ଗର ପ୍ରାଚୀନ ରକ୍ତରେ ଚଟାଣ ଅର୍ବାଚୀନ ଭଳି ସଦ୍ୟ ଝଲସୁଛି । ଯେଉଁ ଛାଇମାନେ ଛିଡ଼ା ହୋଇଛନ୍ତି, ସେମାନଙ୍କର ମୁହଁରେ ବହ୍ନିର ଲେଲିହାନ ଶିଖା ହିରଣ୍ୟାକ୍ଷର ପ୍ରଶ୍ନ ନେଇ ଜଳୁଛି ।”

‘‘ସାବାସ୍ ଆଗେଇଯାଅ ।”

“ଏଥର ମୁଁ ଏକା ଯାଉନାହିଁ....ଆମେ ସମସ୍ତେ....”

ଅଗ୍ନି ଉତ୍ସବ

ସଞ୍ଜୁଆ ବିମାନ ଘାଇଁ ଘାଇଁ ବୁଲୁଛି ।

ଟିକକ ପରେ ।

ତାକୁ ଲକ୍ଷ୍ୟକରି ଗୁଳି ଫୁଟି ଚାଲିଛି । ରାଉଣ୍ଡ୍‌ ରାଉଣ୍ଡ୍‌ ଗୁଳି । କଳାବୋଳା ରନ୍‌ଓ୍ୱେ ଦେଖି ହେଉନାହିଁ । ଆକ୍ରମଣକାରୀ ଜେଟ୍ ତା’ର ଲକ୍ଷ୍ୟ ସ୍ଥିର କରିପାରୁନି । ବର୍ତ୍ତମାନ ଜଳିଯିବ । ହୁତ୍ ହୁତ୍‌ ଜଳିବ । ଶତ୍ରୁର ବିମାନ ଟ୍ରେଞ୍ଚ୍ ଭିତରୁ ଗୁଳିର ନିଆଁଝୁଲ ଭେଦକରି ତା’ର ନୀଳ ଦୃଷ୍ଟିକୁ ସେ କେଇଟା ମୁହୂର୍ତ୍ତରେ ଏଣେତେଣେ ଖେଳାଇନେଲା । ଟ୍ରେଞ୍ଚ୍ ବାହାରକୁ ସେ ଚାଲିଆସିବ । ଛାତିଟା ଜଳୁଛି ।

ବିମାନ ଜଳିଗଲା ଏକ ରଙ୍ଗୀନ୍ ଧୂଆଁରେ ।

ନୀଳ ସମୁଦ୍ରର ବିସ୍ଫୁରିତ ଧୂଆଁଭଳି ।

ସେ ଆଖି ବନ୍ଦକରି ଛିଡ଼ାହେଲା । ତା’ ଭିତରର ଏକ ଉଦ୍‌ଗୀରଣରେ ଅନେକ ସମ୍ଭାବନାର ରଙ୍ଗ....ତା’ର ଆଗ୍ନେୟ ଛାଡ଼ି ପବନର ସ୍ପର୍ଶରେ ଆସିଲା ।

ଅନ୍ୟମାନେ ଅନ୍ଧଭଳି ଦଉଡ଼ିଆସିଲେ, ତା’ ଚାରିପାଖେ ଘେରିଗଲେ । ନାଚିଲେ ଶବ୍ଦକରି । ହୋ–ହଲ୍ଲା ଚିତ୍କାର କରି ।

ସାଇରେନ୍ ବାଜିଲା ପୁଣି ଥରେ ।

ଗୋଟିଏ ବିମାନ ନୁହେଁ, ଗୋଟାକ ପରେ ଗୋଟାଏ ।

ଜଳିବାକୁ ହେବ ।

ଯେ ଯୁଆଡ଼େ ନିଜର ଖୋପ ଭିତରକୁ ଚାଲିଗଲେ ।

ସେ ନିଜେ ଜଳୁଛି ଯେ !

କିଏ ଜୋରରେ ପାଟିକଲା–‘‘ଦା’ସ–କମ୍‌–ଅନ୍ ।’’

ସେ ଯିବ ନାହିଁ । ଇଆବୋଲି ସେ ମରିବନି....

ଜଳୁଥିବା ନିଆଁ ଭିତରଦେଇ ସେ ଚାଲିଗଲା । ପଛରେ ଶ୍ମଶାନର ଜୁଇଭଳି ଡେଣା ଦୁଇଟି ଦେହଠାରୁ ଅଲଗା ହୋଇ ଜଳୁଥିଲା । ସେ ବିମାନଘାଟିରୁ ପାହାଡ଼ ଓ ଜଙ୍ଗଲ ଆଡ଼କୁ ମୁହାଇଲା ।

ଗୁଳିଠାରୁ ତୀବ୍ର ହୋଇ ସେ ଚାଲିଛି । ଅନ୍ଧାର ଭେଦ କରି କରି ଚାଲିଛି ତା’ର ହାଲୁକା ଦେହ ।

ତା’ ଲାଙ୍ଗୁଳର ନିଆଁ ମଧ୍ୟ ସେ ବାଣ୍ଟିଦେବ । ଡେଇଁବ ଗଳିରୁ ବସ୍ତି....ଚାଳରୁ କୋଠା....ବନ୍ଦରରୁ କାରଖାନା... ମାଟିରୁ ଆକାଶ....

ସେ ତାକୁ ଲିଭେଇଦେବ, ମିଶିବ ସମୁଦ୍ରରେ ।

ସମୁଦ୍ର ଜଳୁଥିବା ଚନ୍ଦ୍ର ସୂର୍ଯ୍ୟ ତାରା କେତେ କ’ଣ ନେଇ ।

ଧାତବ ସକାଳ

ସବୁ ତ କୁହୁଡ଼ି ଥିଲା । ଏ ପୁଣି କ’ଣ ହେଲା ! ଦେହ ସବୁ ପାଉଁଶ ହେଇଗଲା । ସୂର୍ଯ୍ୟକିରଣଠାରୁ ଆହୁରି ତୋରା, କାରଖାନା ଫର୍ଣ୍ଣେସ୍‌ର ପୋଡ଼ା ଖଣିଜ ଦସ୍ତା ଭଳି । ଯାହାର ଗନ୍ଧ କହୁଛି ସେମାନେ ମରିସାରିଛନ୍ତି ।

ସିଲିଣ୍ଡର ଫାଟିଗଲା । ଗ୍ୟାସ୍ ଚାପରେ ଶହେ ପଚାଶ ଫୁଟ ଗହ୍ଵର ଭିତରୁ ନିକ୍ଷିପ୍ତ ହୋଇ ତେପନ ଜଣ ଭେଣ୍ଡା ଶ୍ରମିକ ମାଟିରେ ପଡ଼ିଗଲେ ।

ସେଦିନଠୁଁ ସେ ମାଟିରେ କେତେ ଗଛ ଉଠିନାହିଁ ! କେତେ ଫୁଲ ଫୁଟି ନାହିଁ !

ଗୋଟିଏ ବ୍ରେକ୍ କସା ଶବ୍ଦ ଶୂନ୍ୟ ଆକାଶ ଟାଣିଆଣିଲା ଆଖିଆଗକୁ କାନ ପାଖକୁ, ତାବ୍‌ଦା । ଛେଳି ଛୁଆଟିର ଧଳା ବେକଟି ଉପରେ ଡକ୍ଟର ରାଉତରାୟଙ୍କ ମୁଲାୟନ ଗାଡ଼ିର ଚକ ।

“ଆଜ୍ଞା, ଇଞ୍ଚଟେ ଆଗକୁ ନଚେତ୍ ପଛକୁ ।”

 

ଗୋଲଡ଼େନ୍ ପାଇପ୍‌ରେ ଛୋଟିଆ ସିଗାରେଟର ଅଧେ ସେମିତି ଅଛି । ଅପରେସନଟି ଶେଷକରି ସିଗାରେଟ୍ ଖଣ୍ଡିଏ ହାଲୁକା ଭାବେ ହାତରେ ଧରି ସଫଳତାର ତୃପ୍ତିରେ ସେଇପଟେ ସେ ମେଡ଼ିକାଲରୁ ଫେରୁଥିଲେ ।

 

‘‘ତମେ ଯିବ ?’’

 

“ନା ନା, ମୁଁ ସେ ଦୃଶ୍ୟ ସହ୍ୟ କରିପାରେନା ।’’

 

ପାନବିକାଳି ପାନ ବଢ଼େଇ ଦଉ ଦଉ ଗଛ ଉପରେ ସୁତା ବାନ୍ଧି ଜାଲ ବୁଣିବାରେ ପୁଣି ଲାଗିଗଲା । ସେ କଡ଼ାଏ ପାନ ହାତରେ ଧରି ମତେ ରୋକ୍‌ଠୋକ୍‌ ମନା କରିଦେଲେ ।

 

‘‘ତମ ଘରେ କାହାର ମୃତ୍ୟୁ ହୋଇନାହିଁ ?’’

 

‘‘ହେଇଛି, ମୁଁ ଭାଗବତ ପଢ଼ିଛି । ଅଭଡ଼ା ତୋରାଣି ଦେଇଛି, ଶୋଭାଯାତ୍ରା ଓ ଶୋକସଭାରେ ଯୋଗଦେଇଛି । ଆଜି ପାରିବିନି । ମୁହାଁମୁହିଁ ମୁଁ ସମ୍ଭାଳିପାରିବିନି ।’’

 

ଆଲୁଆନ୍‌ଟାକୁ ନାକ ଉପରକୁ ଟେକି ମୁଁ କୁହୁଡ଼ି ଭିତରେ ପଶି ଯାଇଥିଲି ।

 

ସୂର୍ଯ୍ୟକିରଣରେ ସେମାନଙ୍କୁ ଶୁଆଇ ଦିଆଯାଇଛି । ସେମାନଙ୍କ ମୁହଁରୁ ରେଜେଇ ଖୋଲ....ସେମାନେ ବର୍ତ୍ତମାନ ଯାହା କହୁଥିଲେ ଅଧା ରଖିଛନ୍ତି....ଶେଷ କଥା ସେମାନଙ୍କର ମୁଁ ଶୁଣିନିଏ, ମୋର ଶେଷ କଥା କହିଦିଏ....

 

ଫ୍ଲାଗ୍ ପୋଷ୍ଟ ତଳେ କାକରରେ ସେମାନଙ୍କୁ ଶୁଆଇ ଦିଆଯାଇଥିଲା । ଶକ୍ତ ଶାଳର ମାସ୍ତୁଲ ଉପରେ ଉନ୍ମୁଖ ହୋଇ ଏଣେତେଣେ ଚାହୁଁଥିଲା ଗୋଟାଏ ଶଙ୍ଖଚିଲ ।

 

କୋରସ୍‌ର ପୁନରାବୃତ୍ତି

 

ପାହାଡ଼ ଉପରେ...

 

ବଣ ଜଳିଗଲା । ବଉଦ ଭାସିଲା । କୁହୁଳି କୁହୁଳି ବୁଲିଲା ଏଣେତେଣେ ଆକାଶସାରା-

 

ପେଚା ଦୀର୍ଘକାୟ । ରକ୍ତ ଖାଏ ନାହିଁ । ମାଂସ ଖାଏ ନାହିଁ । ହାଡ଼ ବି ନୁହେଁ । ଖାଲି ଦକ୍ଷିଣ ଦିଗକୁ ଉଡ଼ିଗଲା ।

 

ଆମେ ଭଙ୍ଗା ପଥରଖଣ୍ଡ, ଫୋପାଡ଼ିଲୁ । ପାହାଡ଼ର ଚଉଠାଏ ଉପରକୁ ସୁଦ୍ଧା ଗଲାନାହିଁ । ସେ ଯେଉଁଆଡ଼େ ଗଲା, ସେଆଡ଼କୁ ଚାହିଁଲୁ । ସୂର୍ଯ୍ୟ ଅସ୍ତ ଯାଇଛି । ଦିନ ଯାଇନି କି ରାତି ଆସିନାହିଁ । କିଛି କେଉଁଠି ହୋଇନାହିଁ ।

 

ଭୟହୀନ ହେଇ ଯାଉ ଯାଉ ପରସ୍ପର କଥାରେ ଚମକିପଡ଼ିଲୁ । ତା’ପରେ ଜାଣିଲୁ ଏହା ଆମରି ସ୍ୱର । କେମିତି ସମ୍ମିଳିତ ହୋଇ ଉପରକୁ ଉଠିଥିଲା । ପେଚା ଆଉ ଦକ୍ଷିଣ ଦିଗ, ଆକାଶ ଆଉ ତା’ର ଗମ୍ବୁଜଗୁଡ଼ିକର ବର୍ଣ୍ଣାଳି ଡେଇଁ ଅନେକ ଦୂରକୁ.... ପରସ୍ପରକୁ ଚାହିଁଲୁ । “ଅଚ୍ଛା–ଅଚ୍ଛା–ଆମେ !” ହସିଉଠିଲୁ ।

 

ପ୍ରତିଧ୍ୱନି....ପ୍ରତିଫଳନ.....ଅବାନ୍ତର । ବାହାରକୁ ସୁନ୍ଦର...ଖୁବ୍ ବଡ଼ । ଆମେ ତା’ଠାରୁ ଗୋଟାଏ ଏକବାରେ ସତ୍ୟ.. ବୃହତ୍ତର ଲକ୍ଷ୍ୟରେ... “କ’ଣ କହୁଛୁ ?”

 

“କେତେବେଳୁ ବୁଝାସରିଛି, ପୁନରାବୃତ୍ତି ମାତ୍ର ।”

 

ପାଦ ଶୀତଳ ହେଇଆସୁଛି ଶିଥିଳ ହୋଇଆସୁଛି;

 

ଧାଇଁବା....

 

ଉଠାଣି ହଉ ଅବା ଗଡ଼ାଣି ହେଉ

 

ରାତି ହଉ ଅବା ଦିନ ହଉ

 

ଆଣ୍ଠୁ ଧନୁ ହେଇଯାଉ

 

ଛୁଟି ଚାଲିବା...ସେଥିରେ.....ଯେଉଁଠି ଆନନ୍ଦ ଗୋଟାଏ ଜ୍ୱଳନ ।

 

ଅଧ୍ୟାପକ

ନୟାଗଡ଼ ମହାବିଦ୍ୟାଳୟ, ପୁରୀ

Image

 

କୌଣସି ଗୁଲିଖଟିରେ ଏକ ସନ୍ଧ୍ୟା

ରତ୍ନାକର ଚଇନି

।। ପ୍ରସ୍ତାବନା ।।

 

[ବ୍ରିଟିଶ୍ ଏ ଦେଶରୁ ଗଲା ପରଠୁଁ ଏପର୍ଯ୍ୟନ୍ତ କେତେ ଲୋକ ସ୍ୱାଧୀନ ହେଲେଣି, ମୁଁ ଜାଣେନା । ତେବେ ଲୋକଙ୍କ ଚିନ୍ତାଧାରକୁ ଯେ ଏଯାଏଁ ସ୍ୱାଧୀନତା ଛୁଇଁ ନାହିଁ–ଏକଥା ଜୋରଦେଇ କୁହାଯାଇପାରେ । କାରଣ ଏବେବି ଧାରଣା ରହିଛି, ଆମକୁ ଆଗେ ଗୋରା ସାହାବ ଶାସନ କରୁଥିଲେ, ଏଇକ୍ଷିଣା କଳା ସାହାବ ଶାସନ କରୁଛନ୍ତି । ଶୋଷଣ ଓ ଶାସନର ଡୋରି କେବଳ ହସ୍ତାନ୍ତର ହୋଇଚି ମାତ୍ର । କିଛି ଗୋଟାଏ ହୋଇଗଲେ, ସରକାର ବୋଲି କେହି ଗୋଟାଏ ଜୀବ ଅଛି–ସେ ବୁଝିବ ବୋଲି କୁହାଯାଉଚି ।]

 

ଏହା ଦାସ ମନୋବୃତ୍ତିର ଫଳ ।

 

ଆମର ମନୋବୃତ୍ତି ଅଜିଯାଏଁ ସ୍ୱୀଧୀନ ହେଇନି ।

 

କେବଳମାତ୍ର ମୁଁ’ଟି ସ୍ୱାଧୀନ ହେଇଚି ।

 

ଏକ ଭିତରେ ‘ମୁଁ’ । ନା, ଅନେକ ଭିତରେ ଏକ ‘ମୁଁ’ । ଯଥା:–ମୁଁ ରତ୍ନାକର ଚଇନି । ଗୋଟାଏ ‘ମୁଁ’ର ଖୋଳପା ହେଉଛି ମୋର ନାଁ । କିମ୍ବା ଖୋଳପା ଭିତରେ ‘ମୁଁ’ଟିଏ । ଅସଂଖ୍ୟ ଖୋଳପା ଭିତରୁ ଇଏ ଗୋଟିଏ । ଏ ‘ମୁଁ ’ଟି ଏକ ଚରିତ୍ର, ଯିଏକି ଏସବୁ ଘଟଣା ଶୁଣିଚି, ଦେଖିଚି, ଲେଖିଚି ।

 

ଠିକ୍‌ରୂପେ ‘ଲେଖିଚି’ ବୋଲି କହିହେବନି । କାରଣ ଏହା ଲେଖା ନୁହେଁ । କେତୋଟି ଶୁଣାକଥା ଓ ଆପଣମାନଙ୍କ ଭିତରେ ଥିବା ବ୍ୟବଧାନ ମଧ୍ୟରେ ଏହା ଏକ କ୍ଷୁଦ୍ର ଅବତରଣିକା । ମୁଁ ବି ଜାଣେନି, ଯେଉଁ କଥାମାନ ଉପସ୍ଥାପିତ କରାଯିବ, ତା’ର ସ୍ରଷ୍ଟା କିଏ ? ପୁଣି ଏ ସୃଷ୍ଟିର କି ଉଦ୍ଦେଶ୍ୟ, ତା’ବି ଜାଣେନା । ଏଥିରେ କାହାପ୍ରତି ଆକ୍ଷେପ ଥାଇପାରେ; ଅବା କାହାକୁ ସମାଲୋଚନା କରାଯାଇ ଥାଇପାରେ ।

 

ମୋର କିନ୍ତୁ ଗୋଟିଏ ସଫେଇ.....

 

ପ୍ରସ୍ତାବନାରେ ଏଇ ସାମାନ୍ୟ କଥନ.....

 

ଆଖି ନାଇଁ, କାନ ନାଇଁ, ବାଜିଗଲେ ଦୋଷ ନାଇଁ....

 

ମାଫ୍ କରିବେ । କ’ଣ କହୁ କହୁ ଆଉ କ’ଣ ଗୁଡ଼ାଏ କହି ପକେଇଲିଣି । ହଁ, ପ୍ରଥମେ ପରିବେଶର ଅବତାରଣା ପାଇଁ ମୁଁକୁ’ କା ଦେଇଦେଉଚି । ସିଏ ଘଟଣାଗୁଡ଼ିକ ଗୁନ୍ଥି ଥୋଇବ ।

 

।। ପରିବେଶ ।।

 

ଚାଲୁ ଚାଲୁ ହଠାତ୍ ମତେ ଅଟକିବାକୁ ହେଲା । ଅସରାଏ ଭଲ ଛେଚା ବରଷା ଆରମ୍ଭ ହେଇଯାଇଥିଲା । ନିର୍ଧୂମ ଖରା ପରେ ବର୍ଷା । ଖୁବ୍ ଆରାମ ଦେଉଥିଲା । ଆଜି ଅପରାହ୍ନର ଆକାଶ ପିଠିରେ ଅଚାନକ କଳାହାଣ୍ଡିଆ ମେଘ ନାଉ ହେଇପଡ଼ିଥିଲା । କିନ୍ତୁ ବିଚାରୀ ପୃଥିବୀ !! ...ଆହା.... !!! ମନେହେଉଥିଲା, ବହୁ ବର୍ଷ ଯୌନଜୀବନ ସହିତ ସମ୍ପର୍କ ରଖିନଥିବା ଏକ ବୟସ୍କା ନାରୀ ଆଜି ଆତ୍ମବିସ୍ମୃତ ହୋଇ ପୁଣି ରତିତୃପ୍ତି ଲାଭ କରୁଚି; ଆଖିବୁଜି ବଡ଼ ବଡ଼ ଟୋପା ବର୍ଷାର ଚୁମାକୁ ହଜମ କରୁଚି; କିନ୍ତୁ ମୁହଁରେ ଏକ ବିରୋଧୀ ପ୍ରତିବାଦ ସ୍ୱର....‘ନା–ନା–ନା...ଛି...ଛି...

 

ପୃଥିବୀର ଏମିତି ମଧୁର ସ୍ଵର ଗୁଞ୍ଜରଣ ।

 

ଆଜି ବହୁଦିନ ପରେ ବର୍ଷା ହେଉଚି ।

 

ବର୍ଷାରେ ଭିଜିବା ଆଗରୁ ସେଇ ନୂଆଁଣିଆ ଚାଳଘର ବାରଣ୍ଡାକୁ ଉଠିଗଲି । ଆସନ୍ନ ସନ୍ଧ୍ୟାର ପରିବେଶ ଖୁବ୍ ମିଠା ମିଠା ଲାଗୁଥିଲା । ଖୋଲା ଚାଳଘର ଭିତରୁ ସ୍ପଷ୍ଟ ନ ହେଲେ ବି ଅସ୍ପଷ୍ଟ ଧୂଆଁର ଧାର ବର୍ଷାରେ ତିନ୍ତିବୁଡ଼ି ବାହାରକୁ ବୁଲି ଯାଉଥିଲା ।

 

ଘର ଭିତରେ ନିଆଁର ଜିକି ଜିକି ରୂପ ।

 

ପରେ ପରେ ମନଖୋଲା ହୁଗୁଳା ହସ ।

 

ଭିତରେ କେତେଜଣ ଲୋକ ବସିଥିଲେ । ଭଲଭାବେ ଜଣାପଡ଼ୁନଥିଲା, କେତେଜଣ । ସେମାନେ ହସୁଥିଲେ । କଥା ହେଉଥିଲେ । ଆଗେ ଭୁଟଭାଟ । ତା’ପରେ ପୁଟ୍‌–ଫାଟ୍ । ତା’ପରେ ଭଟ୍‌ଭାଟ ।

 

ଚାଳିଘରେ ଚିଲମର ଧୂଆଁ...

 

ଲଗାମହୀନ କଥାର ସୁଅ....

 

ସେଇ ପରିବେଶ ମୋ ଉପରେ ଯେମିତି ହସିବା, ବସିବା, କାଶିବା ଓ କହିବା ପାଇଁ ନିଷେଧାଜ୍ଞା ଜାରି କରିଦେଇଥିଲା । ମୁଁ ଶୁଣୁଥିଲି ଜଣକ ପରେ ଜଣକର କଥା...

 

।। ୧ମ ଚରିତ୍ର ।।

 

‘...ବୁଝିଲ ପଣ୍ଡା, ଆଜିଭଳି ସେଦିନ ବେଳବୁଡ଼କୁ ଏମିତିଆ ବର୍ଷା କୁଟୁଥାଏ । ଅସରାଟାରେ ଖୁବ୍ ଗମାତ ହେଉଥାଏ । ଆଲୋଚନା ଜମିଥାଏ । ସେଦିନ ପ୍ରସଙ୍ଗ ପଡ଼ିଥାଏ, ଚନ୍ଦ୍ରରେ ମଣିଷ ଅଛନ୍ତି କି ନାଇଁ !”

 

ଯୁକ୍ତି....ଯୁକ୍ତି ଉପରେ ଯୁକ୍ତି....ତା’ଉପରେ ଯୁକ୍ତି.....ହଁ–ନାଇଁ.. ହଁ–ନାଇଁ..ୟାଆରି ଲୁଚୁକାଳି ଖେଳ ।

 

ମୁଁ ଚକାମାଉଲି ପକାଇ ବସିଥାଏ । ଗୁରୁଦେବ ଶିବଙ୍କ ପ୍ରସାଦରୁ କିଛି ସାତ୍ତ୍ଵିକ ଅହାର ହେଇସାରିଥାଏ । ସବୁ ଶୁଣୁଥାଏ । କିଛି କହୁନଥାଏ । କଥାଟା ତନାଘନା ଉପରକୁ ଉଠିଲାବେଳେ ମୁଁ ଠିଆ ହେଇପଡ଼ିଲି;–ଠିକ୍ ଯେମିତି ଭାବବିଭୋର ଚଇତନିଆ ଭକ୍ତତ । ସମସ୍ତେ ଜାଣିଲେ, ମୋର କିଛି କହିବାର ଅଛି । ସେ ତ ଏମିତି ଯା’ ଇଚ୍ଛା ତା’ ଆଲୋଚନା ନୁହେଁ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ମୁଁ ଠିଆ ହୋଇଗଲାମାତ୍ରେ ସଭିଏଁ ଚୁପଚାପ୍ ହୋଇଗଲେ । ଧୀର ଗମ୍ଭୀର କଣ୍ଠରେ ମୁଁ କହିଲି, ଚନ୍ଦ୍ରରେ ନିଶ୍ଚିତଭାବରେ ମଣିଷ ନାହାନ୍ତି ।

 

ସମୂହ ପ୍ରଶ୍ନ–ବର୍ଷା ଆରମ୍ଭ ହୋଇଗଲା ।

 

କିପରି... ?

 

ପ୍ରମାଣ କ’ଣ..... ??

 

ମୁଁ ଉତ୍ତର ଦେଲି, ଚନ୍ଦ୍ରାଲୋକଠାରୁ ଭାରତ କୌଣସି ଆର୍ଥିକ ସାହାଯ୍ୟ ପାଇନାହିଁ; କିମ୍ବା ସେ ଦେଶରୁ ସେ କିଛି ଧାର ଆଣିନାହିଁ । ମଣିଷ ବସବାସ କରୁଥିବା ପ୍ରତ୍ୟେକ ଦେଶରୁ ଭାରତ କିଛି ନା କିଛି ଧାରିଛି । ଅତଏବ ଚନ୍ଦ୍ରରେ ମଣିଷ ନାହାନ୍ତି ।

 

ସମସ୍ତେ ନୀରବ ।

 

ବାସ୍.... !!

 

ବାହାରେ ବର୍ଷା ରୋମାଞ୍ଚ ସୃଷ୍ଟି କରୁଥିଲା ।

 

କଦମ୍ବ ଫୁଲ ଫୁଟାଉଥିଲା ।

 

ଘରଭିତରେ ଜିକି ଜିକି ନିଆଁର ଅବତାର ।

 

ନିଆଁ କାହାଣୀ କହୁଥିଲା.... ?

 

।। ୨ୟ ଚରିତ୍ର ।।

 

‘.....ରାଜେନ୍ଦ୍ର ଆଜ୍ଞା, ତୁମକୁ ଓଳିଗି । ଚିଲମ ରାଣ; ଆଇଁରେ ତମେସିନା ସିଇଠି ଜିତାପଟଟେ ନେଇଗଲ, ହେଲେ ଇଠି ନୁହେଁ । ତମେ ନେତାଗିରି ଦେଖେଇ ତାଙ୍କୁ ଚୁପ୍ କରିଦେଲ-। ମୁଁ କଇବି, ଏସବୁ ଘଟିଚି ତମରିମାନଙ୍କ ସକାଶେ । ଜୀବନରେ ଯୋଉଗୁଡ଼ାକ କିଛି ହେଇନପାରିଲେ, ସେଇଗୁଡ଼ାକ ହେଲେ ନେତା ।

 

ରାଜୁ ଆଜ୍ଞା, ଖେସା ବୁଝିବନି । ଏ ନେତାଗୁଡ଼ାଙ୍କର ଗହଳି କେବେଠୁଁ ହେଲା ଜାଣିଚ-? ....ଥରେ ଭଗବାନ ପାଇଟିସାରି ଗୋଟାଏ ଫାଇଲିରେ ‘ସୌଭାଗ୍ୟ’କୁ ବାନ୍ଧି ତାଙ୍କ କିରାଣି ବାପୁଡ଼ାକୁ ହେପାଜତରେ ରଖିବାକୁ ଦେଲେ । ସିଏ ଭଗବାନଙ୍କ କିରାଣି ହେଲେ କ’ଣ ହେବ, ଆମ ଭାରତୀୟ କିରାଣିଙ୍କ ଭଳି ସବୁ ହେଙ୍କଡ଼ବାଜି ଗୁଣ ତା’ଠି ଥିଲା । ଭାରି ଖୁମାଣିଆଟେ । ଫାଇଲିଟାକୁ ଫିଟ ଫିଟି କରି ବେହୁସିଆରିରେ ପକେଇ ଦେଇଥିଲା ।

 

ଦିନେ କ’ଣ ହେଲାକି, ଫାଇଲଟାରୁ ଅଧିକାଂଶ ‘ସୌଭାଗ୍ୟ’ ପବନରେ ଉଡ଼ିଯାଇ ତଳେ ପଡ଼ିଗଲା । ତଳ ବୋଇଲେ ଆଉ କୋଉଠି ? ସେଗୁରା ଉଡ଼ି ଉଡ଼ି ଆସି ସିଧା ପୃଥିବୀର ଭାରତବର୍ଷରେ ପଡ଼ିଲା ।

 

ଇଆଡ଼େ କ’ଣ ହେଉଚି ନା’ ଭାରତବର୍ଷରେ ଗୋଟାଏ ମୂର୍ଖ ଘୁଙ୍ଗା ପିଲାଟାଏ–ଗୁଡ଼ାଏ ଗଧ ଚରଉଥିଲା । ସୌଭାଗ୍ୟଗୁଡ଼ାକ ଆସି ଗଧଗୁଡ଼ାକ ଉପରେ ବିଞ୍ଚିହୋଇପଡ଼ିଲା । ଗଧଗୁଡ଼ାକ ସାଙ୍ଗେ ସାଙ୍ଗେ ନେତା ପାଲଟିଗଲେ । ଆଉ ସେ ପିଲାଟି ତାଙ୍କ ଉପରେ ନେତା...

 

କେତେଜଣ ହସିଲେ କେଜାଣି ?

ହସଗୁଡ଼ାକ କିନ୍ତୁ ବିକଟାଳିଆ ଶୁଭିଲା

ବର୍ଷା ଛାଡ଼ିନଥିଲା ।

ପୃଥିବୀ ଆନନ୍ଦରେ ଝୁମୁଥିଲା ।

 

।। ୩ୟ ଚରିତ୍ର ।।

 

‘.....ହଇହେ ପଣ୍ଡା ଭାଇନା ! ରାଜୁ ବାବୁଙ୍କୁ ସିନା ମୁହଁ ଫୁଟାଣି ଦେଖେଇଦେଲୁ–ବ୍ରଜମୋହନ ଏଠି ବସିଚି ଯେ ଅନ୍ୟକୁ କହିବା ଖୁବ୍ ସହଜ; ନିଜକୁ ତଉଲୁନା କାହିଁକି ବୁଝିଲ, ଆମେ ସମସ୍ତେ ଏକା ନାଉର ମଞ୍ଜି । ଭଗବାନଙ୍କଠାରୁ ଅଭିଶାପ ଭିକ୍ଷା କରି ଆମେ ଜନ୍ମିଚେ ।

 

ଜାଣିଚ ପୁରାଣର ସେ ଗହନ ତତ୍ତ୍ୱକୁ ?

 

ଏ ଏଁ...... !! କିଛି ଜାଣିନ, ଖାଲି ମୁହଁ ଭଡ଼କ !

 

ଶୁଣ । ....ଗୁରୁଘର ବିଦ୍ୟା ଏ ।

 

ବ୍ରହ୍ମା ମହାପ୍ରଭୁଙ୍କର କ’ଣ ଗୋଟାଏ ଅସୁବିଧା ପଡ଼ିବାରୁ ସେ ନିଜ କାମରୁ କିଛିଦିନ ଛୁଟିନବାକୁ ଚାହିଁଲେ । କିନ୍ତୁ କଥାହେଲା, ତାଙ୍କ ଦାୟିତ୍ୱ ସମ୍ଭାଳିବ କିଏ ? ସବୁ ଦେବତାଏ ମନାକଲେ । ବ୍ରହ୍ମା ବଡ଼ ହତାଶ ହେଇପଡ଼ି ଶେଷରେ ଭୋଳା ମହାପ୍ରୁ–ଆମ ଗୁରୁଦେବ ଶିବ ମ, ତାଙ୍କରି ପାଖରେ ପହଞ୍ଚିଲେ । ବହୁତ କୁହାପୋଛା କରିବାରୁ ଶିବ ରାଜି ହେଇଗଲେ ।

 

ଶିବ କହିଲେ, ତମ ଅସୁବିଧା ଦେଖି ମୁଁ ରାଜିହେଉଚି । ନୋହିଲେ ଏତେ ଝାମେଲାରେ ପଶିବା ଲୋକ ମୁଁ ନୁହେଁ । ମୋ ଗଞ୍ଜେଇ ଭଲ ତ ମୁଁ ଭଲ । ତମେ ନନ୍ଦୀ ଭୃକୁଟିଙ୍କି ସବୁ କାମ ବୁଝେଇ ଦେଇଯାଅ । ମୁଁ କେବଳ କାଗଜପତ୍ରରେ ଦସ୍ତଖତ ମାରିବା ଲୋକ ।

 

ବ୍ରହ୍ମା ସେଇୟା କଲେ । ‘ଆତ୍ମା’ ଜମାଥିବା ଘରର ଚାବିକାଠି ମଧ୍ୟ ନଦୀ ଭୃକୁଟିଙ୍କି ଦେଇଦେଲେ । କହିଲେ ଏ ଜିନିଷ ପ୍ରତି ଟିକିଏ ହୁସିଆର ଥିବ ।

 

ବ୍ରହ୍ମା ବିଦା ହୋଇଯିବା ବାଦ ନଦୀ ଭୃକୁଟିଙ୍କର ଇଚ୍ଛାହେଲା ଆତ୍ମାଗୁଡ଼ା କେତେ ଅଛି ଓ କେମିତିଆ, ଥରେ ଦେଖିବା । ଦୁହେଁ ଯାଇଁ ଆତ୍ମାଘରର କବାଟ ଠିଆଁ ମେଲା କରିଦେଲେ । ଫଳରେ ଆତ୍ମାଗୁଡ଼ାକ କଲିକିଲିଆ ହେଇ ସବୁ କିଏ କୁଆଡ଼େ ଘୂରି ବୁଲିଲେ । ଦିହେଁ ଯେତେ ଡକାଡ଼କି କଲେ, ସେମାନେ ଆଉ ଫେରିବାକୁ ରାଜି ହେଲେନି । ବାଧ୍ୟହୋଇ ଏମାନେ ଶିବଙ୍କ ଆଗରେ ସତ କଥା ଯାଇ ପ୍ରକାଶ କରିଦେଲେ ।

 

ଶିବ ଦେଖିଲେ ବଡ଼ ଅଡ଼ୁଆ ପରିସ୍ଥିତି ଉପୁଜିଲା । କ’ଣ କରିବେ ? ସେ ଆତ୍ମାମାନଙ୍କୁ ଖୁବ୍‌ କଅଁଳେଇ ଡାକିଲେ । କହିଲେ, ‘ଦେଖ, ମୁଁ ନିଜେ ଶଶ୍ମାନବାସୀ । ମୋର ଦିନେ ଚୁଲି ଜଳିଲେ ଦିନେ ଜଳେନି । ଦେହରେ ମୋର କିଛି ନାହିଁ । ତେଇଁକି ତମକୁସବୁ କେଉଁଠି ସ୍ଥାନ ଦେବି ? ତମେ ବାରହୀନସ୍ତା ହେବ । କଥାମାନ; ଯାଅ ସେ ଘରେ ଚୁପ୍‍ଚାପ୍ ରୁହ ।

 

ଆତ୍ମାମାନେ ତ ମୁକ୍ତ ରହିବାର ସ୍ୱାଦ ଚାଖି ସାରିଥିଲେ । ବନ୍ଦଘରେ ରହିବାକୁ ଆଉ ରାଜିହୁଅନ୍ତେ କେତେକେ ! ସମସ୍ତେ ଏକ ସ୍ୱରରେ କହିଲେ, ଯେତେ ଯନ୍ତ୍ରଣା ମିଳୁ ପଛେ, ଆମକୁ କୋଉ ରାଜ୍ୟରେ ଟିକିଏ ମୁଣ୍ଡଗୁଞ୍ଜିବାକୁ ସ୍ଥାନ ଦିଅନ୍ତୁ । ଆମଠୁଁ ସମସ୍ତ ମାନବିକ ସୁଖସମ୍ଭୋଗ କାଢ଼ିନିଅନ୍ତୁ ପଛେ, ଦୁର୍ଲ୍ଲଭ ମାନବ ଜନ୍ମଦିଅନ୍ତୁ ।

 

ଶିବ ତ ଅଳ୍ପକେ ସନ୍ତୁଷ୍ଟ ହେବା ଦେବତା । ସେ ତାଙ୍କ କଥାରେ ରାଜି ହୋଇଗଲେ । କହିଲେ, ‘ହଉ–ତମେମାନେ ଧାଡ଼ିବାନ୍ଧି ଜମ୍ବୁଦ୍ୱୀପ ଭ୍ରଥଖଣ୍ଡକୁ ଯାଅ । ଭାରରେ ନାନାଦି ଯନ୍ତ୍ରଣା ପାଅ । ତମକୁ ମୋଭଳି ଦେହକୁ କନା ଓ ପେଟକୁ ଦାନା ନ ମିଳୁ । ସମସ୍ତ ମାନବିକ ସୁଖ ପ୍ରାପ୍ୟ ନ ହେଉ । କଷ୍ଟରେ ବଞ୍ଚି ରହିବା ଶିଖ ।’

 

ବୁଝିଲନା ଭାଇନା ! ସେଇଦିନୁ ଧାଡ଼ିବାନ୍ଧି ଆମେ ଏ ଦେଶରେ ଆସି ଭିଡ଼ ଜମାଉଛୁ । ଜନସଂଖ୍ୟା ବଢ଼ିବାର ଏଇ ହେଲା ମରମ କଥା ।

 

ହଠାତ୍‌ ବର୍ଷା କେତେବେଳେ ବନ୍ଦ ହେଇଯାଇଚି ମୁଁ ଜାଣେନା । ସନ୍ଧ୍ୟାର ସେଇ ଧୂଆଁଳିଆ ପରିବେଶ ଭିତରୁ ମୁଁ ମୁକୁଳି ଆସିଲି । ଫେରିବାବେଳେ ଭାବୁଥିଲି, ବୋଧହୁଏ ମୁଁ କୌଣସି ଅବାଞ୍ଛିତ ଜାଗାରେ ଆଶ୍ରୟ ନେଇ ନ ଥିଲି । ଏ ଦେଶର ସାଂପ୍ରତିକ ଅର୍ଥନୀତି, ରାଜନୀତି ଓ ସାମାଜିକ ପରିସ୍ଥିତି ବିଷୟରେ ଏକ କଟୂତିକ୍ତ ଆଲୋଚନା ଶୁଣୁଥିଲି ।

Image

 

ନିର୍ଜନ ନଦୀର ନୁପୂର

ଶ୍ରୀ ରଘୁନାଥ ସେନାପତି

 

ନିଜ ଭିଟାମାଟି ଆଉରି ଡାକେ ବାଟ । ଭୋକରେ ହଂସା ଉଡ଼ିଲାଣି । ହାତ, ଗୋଡ଼ ଅବଶ ଅବଶ । ନରିଆର ନିଦ ଚାଉଁକିନା ଭାଜିଗଲା । ଆଖି ମଳିମଳି ସେ ଚାରିଆଡ଼କୁ ଦେଖିଲା । ସୂର୍ଯ୍ୟ ଦେବତା ମଥାନ ଉପରକୁ ଉଠିଲେଣି । ଭାରି ବେସ୍ତ ହେଇଉଠିଲା ସେ । କ’ଣ କରିବ ? ଚାରିଦିଗ ଅନ୍ଧାର । କେତେ କଷ୍ଟରେ ଚାକିରି ଖଣ୍ଡେ ଯୋଗାଡ଼ କରିଥିଲା । ସେଇଥିପାଇଁ ତାକୁ କମ୍‌ ମେହନତ୍‌ କରିବାକୁ ପଡ଼ିଛି ? ଭାରିଯାର ଗହଣା ଦି’ଖଣ୍ଡ ବିକି ପଇସା ଯୋଗାଡ଼ କରିଥିଲା । ସେଇ ଟଙ୍କା ଯେଉଁ ବାବୁକୁ ଘୁସା ଦେଇ ଚାକିରିଟିଏ ପାଇଥିଲା ଶେଷକୁ ତା’ରି ହାତରେ ତା’ ଚାକିରି ଖଣ୍ଡକ ଗଲା ।

 

ପ୍ରଥମ ଥର ପାଇଁ ନରିଆ ଅନୁତାପ କଲା । ତା’ ଆଖି ଲୁହରେ ତିନ୍ତିଲା । କ’ଣ କହି ସେ ଅନ୍ୟ ଲୋକମାନଙ୍କୁ ସଫେଇଦେବ ? ତା’ପରେ ଘଡ଼ିକେ ପ୍ରଚୁର ହୋଇଯିବ–ନରିଆର ଚାକିରି ଗଲା; ପୁଅର ଯେଉଁ ମଦାର, ସବୁ ଚାଲିଗଲା । ସତରେ ଏଥର ସେ କାନ୍ଦିଲା । ଏପରି ସେ କେବେ କାନ୍ଦିନଥିଲା । ଏପରିକି ତା’ ବାପାର ଆକସ୍ମିକ ମୃତ୍ୟୁ ତା’ ଆଖିରେ ଏତେ ଲୁହ ଆଣିନଥିଲା । ଏଇ ଖଣ୍ଡ ମଉଜାରେ ତାକୁ ସମସ୍ତେ ଜାଣନ୍ତି । ତା’ ନାଁରେ କୁହାକୁହି ହୋଇ–ନରିଆଟା ଖାଣ୍ଟି ମଣିଷଟେ । ଭୟ କ’ଣ ସେ ଜାଣେନି । ଏତେ ଦୁର୍ଦ୍ଧର୍ଷ ! ପାଞ୍ଚ ପାଞ୍ଚଟା ଲୋକ ତା’ର ଗୋଟେ ବାହାକୁ ନିଅଣ୍ଟ...ସେଇ ନରିଆ ଏଇ ନିର୍ଜନ ପଠାର ବରଗଛ ମୁଳେ କାନ୍ଦୁଛି । ନିଜକୁ ଧିକ୍‌କାରୁଛି–କାହିଁକି ଏ କର୍ମ କଲି ?

 

ଉପରିସ୍ଥ ହାକିମକୁ ସନ୍ତୁଷ୍ଟ କରିବାକୁଯାଇ ସେ ଯଦି କିଛି କରିଛି, ତା’ ତା’ର ଅପକର୍ମ ନୁହେଁ । ତେବେ ସେ କିପରି ଚାକିରିରୁ ବହିଷ୍କୃତ ହେଲା ?

 

ଆହୁରି ଟାଇଁ ଟାଇଁ ଖରା ମାରୁଛି । ବିସ୍ତର ଜନଶୂନ୍ୟ ପ୍ରାନ୍ତରଟା ଖାଁ ଖାଁ ଗୋଡ଼ାଉଛି । ନରିଆ ଏଥର ଉଠିଲା । ଆଗକୁ ଯିବ । ଘରକୁ ଯିବ, ନିଜ ଭାରିଯାକୁ ତା’ଦୁଃଖ କହିବ । କୌଣସି ଅର୍ଜନର ପନ୍ଥା ଧରିବ, ଆଗାମୀ ପୁଅ ଝିଅ ମୁହଁରେ ମୁଠାଏ ଆହାର ଦେବ ।

 

ଶଗଡ଼ଗୁଳା ରାସ୍ତାରେ ନରିଆ ଚାଲୁଛି । ଜ୍ୟେଷ୍ଠମାସ ଝାଞ୍ଜିରେ ତା’ ଚମ ତାତିଉଠୁଛି । ଭୀଷଣ ଭୋକ । ପେଟ ପିଠିକୁ ଲାଗିଲାଗି, ଗଣ୍ଠିଗୁଡ଼ାକରେ ଦରଜ । ତଥାପି ସେ ଚାଲିବ । ଚାଲୁ ଚାଲୁ ରାସ୍ତାରେ ଯଦି କେଉଁଠି ଟଳିପଡ଼ିବ ତାକୁ କେହି ଦେଖିପାରିବେନି । ଶେଷରେ ତା’ ମଡ଼ା ଚିଲ, ଶାଗୁଣା, ଶୃଗାଳଙ୍କ ଆହାର ହେବ । କିନ୍ତୁ ତା’ର ଅତୃପ୍ତ ଆତ୍ମା ସେଇ ହାକିମକୁ କେବେ କ୍ଷମା ଦେବନି । ନରିଆର ବା ଦୋଷ କ’ଣ ? ହାକିମ ପାଇଁ କୁକୁଡ଼ା ମାଂସ ଯୋଗାଡ଼ିବା, ମହୁଲି ମଦ କିଣିଆଣିବା ଏବଂ ସୁନ୍ଦରୀ ଆଦିବାସୀ ବାଳିକାମାନଙ୍କୁ ବାବୁ ପାଖରେ ହାଜର କରେଇବା ତ ତା’ର କାମ । ଏଥିପାଇଁ ତ ଅର୍ଡ଼ରଲି ।

 

ହଠାତ୍‌ ସେ ଅସମ୍ଭବ ଭାବେ ହିଂସ୍ର ହୋଇଉଠିଲା । ସେ ଆଗକୁ ଯିବନି, ପଛକୁ ଲେଉଟିବ । ବାବୁର ତଣ୍ଟି କଣା କରି କଞ୍ଚା ରକ୍ତ ପିଇଯିବ । ନା ! ପାରୁନି ! ସେ ଯଦି ସବୁ ମାନ, ଅପମାନ, କର୍ମ, ଦୁଷ୍କର୍ମକୁ ପଛରେ ପକାଇ ଆଗମୁହାଁ ହେଲାଣି, ସେ କେମ୍‌ତି ଫେର୍‌ ଆଗରୁ ପଛକୁ ଫେରିବ ? ପଶୁ ହେବ ? ଗୋଟିଏ ମଣିଷର ସର୍ବାଙ୍ଗ ଜାଳି ପୋଡ଼ିଦେଇ ସମାଧି ଦେବ ? ସେ ଶିହରିଉଠିଲା । ତା’ଆଗରେ ରକ୍ତ, ଖାସ୍‌ ରକ୍ତର ଯାନିଯାତ୍ରା ଶୋଭାପାଇଲା, ରକ୍ତମୁଖା ମଣିଷମାନେ ରକ୍ତାକ୍ତ ଆଙ୍ଗୁଳି ନେଇ ତା’ ସାମ୍ନାରେ ଯେମିତି ନାଚ ଆରମ୍ଭ କଲେ । ଠିକ୍‌ ଯେମିତି ଗତ ରାତ୍ରରେ ଗଜାନିଶୁଆ ଆଦିବାସୀମାନେ ନିଆଁର ଦିହୁଡ଼ି ଓ ଶାଣଦିଆ ଟାଙ୍ଗିଆ ଧରି ତା’ ପଛରେ ଘନ ବନସ୍ତରେ ଦୌଡ଼ୁଥିଲେ । ସେମାନଙ୍କୁ ସେ କୌଣସି ପ୍ରକାରେ ବାଟବଣା କରେଇଦେଇ ଡାକବଙ୍ଗଳାରେ ହାଜର ହେଲା । ଧଇଁସଇଁ ହୋଇ ତା’ ହାକିମକୁ ଅନୁରୋଧ କରିଥିଲା ସାର୍‌, ଆପଣ ମୋ’ ସାଙ୍ଗରେ ଚାଲିଆସନ୍ତୁ । ନତୁବା ସେମାନେ ଆପଣଙ୍କୁ ପ୍ରାଣରେ ମାରିଦେବେ । ତା’ ବାବୁ ଶୁଣିପାରିଲା ଦୂରରେ ମଣିଷର ଆଦିମ ଚିତ୍କାର । ସେମାନେ ଡାକବଙ୍ଗଳା ଛାଡ଼ି ବଣ ବୁଦା ଭିତରେ ରାତି ବିତାଇଲେ । ରାତି ପାହିଲା । ତା’ ବାବୁ, ତାଠୁ କୈଫିୟତ ଚାହିଁଲା-। ସେ କି ଉତ୍ତରଦେବ; ଏତିକି କେବଳ କହିଥିଲା–‘ସାର୍‌, ମୁଁ ଗୋଟେ ଟୋକୀକୁ ଆପଣଙ୍କ ପାଇଁ ପଟାପଟି କରୁଥିଲି । ଭଲରେ ନ ମାନିଲା ଯେଣୁ ତାକୁ ଜୋର୍‌ ଜବରଦସ୍ତ କଲି । ତାପରେ....

 

‘ଥାଉ, ୟୁସ୍‌ଲେସ୍‌, ମୂର୍ଖ...’

 

ପରେ ପରେ ଚାକିରି ଗଲା । ନରିଆ କିଛି ବୁଝିପାରୁନି ତା’ ଦୋଷ କେଉଁଠି । ବାବୁଙ୍କ ଫର୍‌ମାସି ପାଇଁ ନିଜ ଜୀବନକୁ ପଣ କରିଥିଲା । ଆଉ ଫଳ ହେଲା... ତା’ର ଇଚ୍ଛା ହେଉଥିଲା କେମିତି ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଘରେ ପହଞ୍ଚିବ । ପେଟ ଭିତରର କ୍ଷୁଧା ତାକୁ କଲବଲ କରୁଛି । ଥକ୍‌କା ମାରି ରଙ୍ଗମାଟିଆ ରାସ୍ତାର ପୋଖରୀ ହିଡ଼ରେ ଦଣ୍ଡେ ବସିଲା । ଆଞ୍ଜୁଳା ଆଞ୍ଜୁଳା ପାଣି ପିଇଲା । ସାମାନ୍ୟ ସାଷ୍ଟାମ ହେଲା । ପୁଣି ଯାତ୍ରା ଆରମ୍ଭିଲା ।

 

ସନ୍ଧ୍ୟା । ସୂର୍ଯ୍ୟ ଦେବତା ହାଲିଆ ହୋଇ ଝାଉଁଳି ଗଲେଣି । ନରିଆ ଗାଁ ମୁଣ୍ଡରେ ମଶାଣି ଆଡ଼କୁ ଦେଖିଲା । ଦୂରରେ ତା’ ଗାଆଁର ଭଗବତୀ ମନ୍ଦିର ଝାପ୍‌ସା ଦିଶୁଛି । ଦୀର୍ଘ ଛ’ମାସ ପରେ ଘରକୁ ଫେରୁଛି । ସେ ଖୁସିରେ ନାଚିବ ନାଚିବ ହେଲା । ପାରିଲାନି । କାରଣ ତା’ ଚେତନ ମନର ଆନନ୍ଦକୁ ଅବଚେତନର ସର୍ବସ୍ୱ ଦୁର୍ଦ୍ଦିନର ରାହୁ ହୋଇ ଗ୍ରାସିଦେବାକୁ ଆଗୁସାର ହେଲେଣି-

 

ଫଟା ଭୂଇଁର ଆର୍ତ୍ତାନାଦ ତା’ ସମସ୍ତ ସାମଗ୍ରିକ ସତ୍ତାକୁ ଧୂସର ଇଲାକା କରୁଛି । ପରିଚିତ ଗାଁ ମାଟିର କୋଳାହଳ ଶୁଭିଲାଣି । କଅଁଳ ସନ୍ଧ୍ୟାଟା କିଛି ମଧୁ ମୂର୍ଚ୍ଛନା ତୋଳିଲା ଭଳି ମନେହେଉଛି । ସେ ନିଜ ଦୃଷ୍ଟିକୁ ପ୍ରସାରିତ କଲା । ଗାଁ ଗୌନ୍ତିଆର ଭଙ୍ଗା କୋଠାଟା ବାବନାଭୂତ ଭଳି ଆଖିମିଟିକା ମାରୁଛି । ଅଜଣା ପୁଲକ–ଫୁଲର ତେଲଚିକିଟା ମୁହଁ, କଳା କଳା କଅଁଳ ମାଂସପେଶୀ । ତାକୁ ଆଉ ଭୋକ କରୁନି । ସେ କେମିତି ଘରେ ପହଞ୍ଚିବ, ଥକ୍‌କାମାରି ବସିବ, ଫୁଲିଆସିବ, ଆଡ଼ ଆଡ଼ ହୋଇ ଠିଆହେବ । ‘କେମ୍‌ତି ଅଛୁ ଲୋ’ ପଚାରିଲେ ଅଭିମାନରେ ଗେଲେଇ ହେବ । ନରିଆକୁ କୁତୁ କୁତୁ, ସଲ ସଲ ଲାଗିବ । ତା’ପରେ ତାକୁ ସେ କୋଳେଇ ଧରିବ । ଫୁଲି କନ କନ ହେବ, କାମ–ଗୋଡ଼ହାତରେ ପଡ଼ିବନି ।

 

ତା’ ବାଁକଡ଼ରୁ ସାଇର ପ୍ରଧାନ ବୁଢ଼ା ଡାକ ଛାଡ଼ିଛି ‘‘କିରେ, ବାପ ନରିଆରେ....କେବେ ଆସିଲୁ ?

 

‘‘ହେଇ ତ ଆସୁଛି, ମଉସା ।’’ ପଧାନ ବୁଢ଼ାର ଦ୍ୱିତୀୟ ପଦକ ଶୁଣିବା ପାଇଁ ନରିଆ ଅପେକ୍ଷା କରିପାରିଲାନି ।

 

ସାଇମୁଣ୍ଡରେ ଲଙ୍ଗଳା ପିଲା ଦଳେ ଧୂଳି ଖେଳରେ ମାତିଛନ୍ତି ।

ଗାଁ ଗୌନ୍ତିଆ ଆସୁଛି । ସେ ବାଟକାଟି ଚାଲିଯିବ । ଭାବିଲା ବେଳକୁ ସେ ପାଖେଇଆସିଲା, ଟାଉଟରି କଣ୍ଠରେ ପଚାରିଲା ‘‘ବାପରେ, ଦୀର୍ଘ ବର୍ଷକର ଘରଭଡ଼ାଟା ବାକି ରହିଲା...’’

‘‘ଏଥର ଦେବି, ସାଉଏ ।’’

‘‘ତୋ’ ଇଚ୍ଛା, ବାପ ।’’ ସାଆନ୍ତ ଚାଲିଗଲା । ନରିଆ ଘରମୁହାଁ ହେଲା । ପିଣ୍ଡା ଉପରେ ଗୋଡ଼ ରଖିଛି କି ନାହିଁ ତା’ମନକୁ ପାପ ଘାରିଲା–କ’ଣ ହେଲା ? ମୋ’ ଘରେ ଏତେ ଲୋକ ? ସେ ଭିତର ଖଞ୍ଜାକୁ ପଶିଲା ବେଳକୁ ସୁଦାର ମା’ ତାକୁ ମନାକଲା–‘‘ନରିରେ ! ଭିତରକୁ ଯା’ନା । ଫୁଲି କଷ୍ଟ ପାଉଛି । ଆରେ ବୋକା, ଏମିତି ବଲବଲ ଚାହୁଁଛୁ କାହିଁକି ? ବାପ ହେବୁ । ବୁଝିଲୁ ? ଫୁଲି ଦୁଖ ପାଉଛି ।’’

‘‘ଦୁଃଖ ! ଫୁଲିର ଦୁଃଖ ?’’ ଗୋବରଲିପା ପିଣ୍ଡାରେ ମୁଣ୍ଡ ଛୁଇଁ ଗାଁ ଠାକୁରାଣୀଙ୍କୁ ମାନସିକ ଯାଚିଲା–ମା’ ଲୋ, ମୋ’ ଫୁଲି କେମ୍‌ତି ଦି’ଭାଗ ହେଉ । ତତେ କଳା ଶାଢ଼ି, କଳା କୁକୁଡ଼ା ଦେବି.... । ସେ ଭିତର ଘରକୁ ଯିବ ବୋଲି ଛଟପଟ ହେଲା । କ୍ଷଣେ ବସିପାରିଲାନି । ପିଣ୍ଡାରୁ ଘରକୁ ଆଉ ଘରୁ ଅଗଣାକୁ ଖାଲି ଘୂରିବୁଲିଲା ।

ଘର ଭିତରୁ ବୁଢ଼ିଟିଏ ଦୌଡ଼ିଆସି ଖବର ଦେଲା–ଫୁଲି ହସ୍‌ପିଟାଲ୍‌କୁ ଯିବ, ଏଠି ତା’ କଷ୍ଟ ଲାଘବ ହେଇପାରିବନି କିମ୍ବା ତା’ କଅଁଳ ନବଜାତକ ଭୂମିଷ୍ଠ ହେଇପାରିବନି । ବେଳକୁବେଳ ତା’ର ଦଶା ଖରାପରୁ ଖରାପତର ହେଉଛି । ନରିଆକୁ କିଛି ବୁଦ୍ଧି ଦିଶିଲାନି । କ’ଣ କରିବ ? କେଉଁଠିକି, କେଉଁ ହସ୍‌ପିଟାଲ୍‌କୁ ତାକୁ ନେବ ? ଘରେ ତ ଅଧଲାଟିଏ ବୋଲି ନାହିଁ । ସେ ରାହାପାଉନି । ସାହାପାଉନି । ତଥାପି....ଫୁଲି ବଞ୍ଚିବ ।

ଗାଁଲୋକଙ୍କ ସାହାଯ୍ୟରେ ଖଣ୍ଡିଏ ବଳଦ ଗାଡ଼ି ଯୋଗାଡ଼ ହେଲା । ସେଇ ଗାଡ଼ିରେ ଫୁଲି ବୁହା ହୋଇ ଚାଲିଲା ନିକଟତମ ସହରର କେଉଁ ସରକାରୀ ହସପିଟାଲକୁ । ନରିଆର ଆଖିରେ ସବୁ ଯେମିତି ଅଶୁଭ ଏବଂ ଅଶୁଭର ନିଦା ନିଦା ଲକ୍ଷଣ । ସାଙ୍ଗରେ ଗାଁର ନିଧି ଭାଇନା କେବଳ । ନିଧି ମଦ୍ୟପ; କିନ୍ତୁ ଲୋକଙ୍କ ଆପଦବିପଦ ବେଳକୁ ସିଏ ହିଁ ଏକମାତ୍ର ସମ୍ପଦ ।

ଦୀର୍ଘ ଦୁଇଘଣ୍ଟାର ଯାତ୍ରା ପରେ ଶଗଡ଼ ଲାଗିଲା ଯାଇ ହସ୍‌ପିଟାଲରେ । ବହୁତ ଦୌଡ଼ାଦୌଡ଼ି କଲା ଉତ୍ତାରୁ ଡାକ୍ତର ଆସିଲେ । ଫୁଲିର ପାଣ୍ଡୁର ମୁହଁଟିକୁ ଦେଖିଲେ, ନାଡ଼ି ଚିପିଲେ ଆଉ ବିନା ସମୟ ବ୍ୟୟରେ ଇସ୍ତାହାର ଦେଲେ–‘‘ୟାକୁ କାହିଁକି ଆଣିଛି ? ଇୟେ ତ ମଡ଼ାଟେ....-!!’’ ନରିଆ ଆଉ ନିଧି ବିଶ୍ୱାସ କରିପାରୁନାହାନ୍ତି । ଫୁଲି, ଯିଏକି ଏଇ ବର୍ଷେହେଲା ବାପଘର ଛାଡ଼ି ଶ୍ୱଶୁରଘରକୁ ବୋହୂ ହୋଇ ଆସିଥିଲା, ସିଏ ଏତେ ଚଞ୍ଚଳ ଆର ପାରିକୁ ଚାଲିଗଲା-। ନରିଆ କାନ୍ଦିପାରୁନି । ନିଧି ଚାଲିଗଲା ଗାଁକୁ ଆଉ ଦି’ଚାରି ଜଣ ଲୋକଙ୍କୁ ଡାକିଆଣିବା ପାଇଁ-। ନରିଆ ଫୁଲିକୁ ମାଟିରେ ପୋତି ପାରିବନି, ଚିଲ ଶାଗୁଣା ବିଲୁଆଙ୍କ ଆହାର ହେବାକୁ ଦେବନି-। ସେ ତାକୁ ଏଇ ସହରର ଶ୍ମଶାନରେ ଦାହ କରିବ, ତା’ ହାଡ଼କୁ ଗଙ୍ଗାରେ ତର୍ପଣ ଦେବ ।

ଦୀର୍ଘ ପ୍ରତୀକ୍ଷା କଲା । ତଥାପି ଗାଁରୁ କାହାର ଦେଖାନାହିଁ । ତା’ର ଆଉ କିଏ ବା–ଅଛି-! ବାପା, ମା’ତ ଯାଇଛନ୍ତି ଅନେକ ଦିନରୁ । ଫୁଲି କୁଳରେ ସିଏ ବି ଏକଲା, ହସ୍‌ପିଟାଲ୍‌ ବାରଣ୍ଡାରେ ଫୁଲିର ଶବ ପଡ଼ିଛି ଆଉ ତା’ ଉପରେ କୋଚଟ ମଇଳା କନାଖଣ୍ଡେ ଢାଙ୍କି ଦିଆଯାଇଛି ।

କୁଶୁ...କାହାର ପରିଚିତ କଣ୍ଠ ଶୁଣି ହସ୍‌ପିଟାଲ୍‌ର ମେହେନ୍ତର କୁଶୁନା ଅଟକିଗଲା । ନରିଆ ତା’ ପାଖକୁ ଗଲା, ତା’ ଦୁଃଖର କାହାଣୀ ତାକୁ ଶୁଣେଇଲା; କିନ୍ତୁ କୁଶୁ ଟିକେ ବି ବିବ୍ରତ ଜଣାଯାଉନି ସବୁ ଜାଣିବା ଉତ୍ତାରୁ ।

‘‘କୁଶୁ ଭାଇ, ତୁ ଫୁଲି ପାଖରେ ଟିକିଏ ଥା । ମୁଁ ଯାଇ ଦେଖିଆସେ–ସେମାନେ କେତେବେଳୁଁ ଗଲେଣି; କିନ୍ତୁ ଏ ଯାଏଁ କାହାର ଦେଖାନାହିଁ । ତୁ ଥା’, ଏଇ ସାଙ୍ଗେ ସାଙ୍ଗେ ମୁଁ ଆସୁଛି ।’’

‘‘କୁଆଡ଼େ ଯିବୁ ?’’

‘‘ଏଇ ରାସ୍ତାକୁ....’’

‘‘କାହିଁକି ?’’

‘‘ସେମାନେ ଆସୁଥିବେ । ଆସିଲେ ଯାଇ ମୋ’ ଫୁଲିର ଶବଦାହ ହେବ ।’’ ନରିଆ ପିଲାଙ୍କ ପରି କଇଁ କଇଁ କାନ୍ଦିଲା । ନରିଆ କୁଶୁ ଉପରେ ବିରକ୍ତ ହେଲା–ମୋର ଏତେ ଦୁର୍ଦ୍ଦିନରେ ତା’ର ଟିକେବୋଲି ଦୟା ନାଇଁ; ବରଂ....

‘‘ଆରେ ପାଗଳ, ଯିଏ ଗଲା, ସିଏ ଗଲା । ତା’ ପାଇଁ ତୁ ଏତେ ଧନ୍ଦି ହେଉଛୁ କାହିଁକି ? ଯା’, ଆଉ ଥରେ ବା’ ହୁଅ, ନୂଆ ସଂସାର କର.... ।’’ ତାପରେ ମେହେନ୍ତର କୁଶୁ ନରିଆକୁ ଦୂର ଆମ୍ବଗଛ ମୂଳକୁ ଡାକିନେଲା । ଫୁଲିର ଶବ ସେମିତି ପଡ଼ି ରହିଥାଏ । କ’ଣ ସେ ବୁଝେଇଲା ବା ଇୟେ କ’ଣ ବୁଝିଲା ସେତିକିରେ ନରିଆର ପରିବର୍ତ୍ତନ ହେଲା, ପଟ୍ଟ ଓଲଟିଗଲା ।

ଯିଏ ମରଣ ସହ ନିତି ଖେଳ ଖେଳୁଛି, ମରଣ ତୁଲେ ମୁକାବିଲା କରୁଛି, ତା’ପାଇଁ ମରଣ କେବେ ଉପନିବେଶୀ ନୁହେଁ । କୁଶୁ ଏ ଜାତିର ମଣିଷ, ଯେଉଁ ମଣିଷ କି ଜୀବନର ପ୍ରେମରେ ପଡ଼ି ମୃତ୍ୟୁକୁ ମାରିବା ପାଇଁ ସର୍ବଦା ଖଡ଼୍‌ଗହସ୍ତ ହୋଇଛି; ଯେଉଁ ମଣିଷ ମଣିଷର ଶବକୁ ବଜାରରେ ବିକ୍ରି କରେ, ପଇସା ଅର୍ଜନ କରେ ଏବଂ ଯେଉଁ ପଇସାରେ ନିଜେ ବଞ୍ଚି ରହେ କିଛି ଦିନ ପାଇଁ ପୁଣି ଶବ ପାଲଟିବା ପାଇଁ, ଫେର୍‌ ବିକ୍ରି ହେବାପାଇଁ । ଫୁଲିର ସଦ୍ୟ ଶବ ବିକ୍ରି ହେଲା ହସ୍‌ପିଟାଲ୍‌ରେ, ସେ ପଇସା ପାଇଲା । ଢୋକେ ପିଇଲା । ନରିଆ କୁଶୁ ଜାତିର ମଣିଷ ପାଲଟିଗଲା । ସେ ମଲା ମଣିଷକୁ ନେଇ ବ୍ୟବସାୟ କରିବ, ଶବ ବେପାରି ହେବ ।

ନିଧି ଫେରିଛି । ନରିଆ ତା’କୁ ସଫେଇ ଦେଇଛି–‘‘ନିଧିରେ, କୁଶୁର ସାହାଯ୍ୟରେ ଫୁଲିର ଶବ ସତ୍‌କାର ହେଲା ।’’ ସେ ମିଛ କହିଲା । ତା’ଆଖିରେ ଲୁହ ନ ଥିଲା; ବରଂ ନିଧିର ଆଖିଗୁଡ଼ାକ ଓଦାଳିଆ, ଓଦାଳିଆ ।

ବାବୁର ଅର୍ଡ଼ର୍‌ଲି ନରିଆର ମୃତ୍ୟୁ ହୋଇଛି । ତା’ର ନୂତନ ସଂସ୍କରଣ–ଶବ ବେପାରି ନାରଣ ଜେନା....

 

ଦୁଇ

 

ନରିଆ ଆଜିକାଲି ବେଶ୍ ଆରାମରେ ଚଳିପାରୁଛି । ଅବଶ୍ୟ ସାମାନ୍ୟ କଷ୍ଟ ବରଣ କରିବାକୁ ପଡ଼ିଛି । ଦିନସାରା ବୁଲି ବୁଲି ମୃତ୍ୟୁ କେଉଁଠି ପ୍ରବେଶ କଲା ତାରି ଅନିଷା କରୁଛି ଏବଂ ନିଶାର୍ଦ୍ଧରେ ଶବମାନଙ୍କୁ ମାଟିତଳୁ ଖୋଳିଆଣି ସକାଳ ହେଲେ ହସ୍‌ପିଟାଲ୍‌ରେ ବିକ୍ରି କରୁଛି । ବେଶ୍‌ ପଇସା ରୋଜଗାର କରି ହେଉଛି ସେଥିରେ ।

 

ଯଦିଚ ଶବକୁ ନେଇ ତା’ ବଞ୍ଚିବା, ଜୀବନ-ଯାତ୍ରା, ତଥାପି ସିଏ ଅନ୍ୟମାନଙ୍କର ଅମଙ୍ଗଳ ପାଞ୍ଚିନି । ପାଞ୍ଚିନି କେବେ ବି ଯେ ଅନ୍ୟକେହି ମୃତ୍ୟୁର ଶିକାର ହେଉ, ଶବ ପାଲଟୁ । ସେଇ ଶବ ବିକ୍ରିରେ ତା’ ଜୀବନ ସୁରୁଖୁରରେ ଏମ୍‌ତି ଚାଲୁ । ସେ ଶବ ବେପାର କରିଛି ବୋଲି ସମାଜ ତାକୁ ବାଚ୍ଛନ୍ଦ କରିଛି । ଜାତିରେ ଭୁକ୍ତ ହୋଇ, ଜାତିର ପ୍ରଥାମାନ, ସମାଜର ବଡ଼ପଣ୍ଡାମାନଙ୍କର ପାଦ ତଳେ ମୁଣ୍ଡ ଛୁଆଁଇ ଏ ମଣିଷ ଜାତିର କିଏ ଅମର ହୋଇପାରିନି କି ପେଟୁଆ ଯମ ତାକୁ ହାତଛଡ଼ା କରିନି । ଏଣୁ ଜାତିଆଣ ହେବା ଅପେକ୍ଷା ବରଂ ଅଜାତୀୟ (ବିଜାତୀୟ) ଜୀବନ, ବନ୍ଧନହୀନ, ଅଭିନୟ ବିହୀନ ବିହୀନ ଜୀବନ ବହୁଗୁଣରେ ଶ୍ରେୟସ୍କର । ସେ ଥରେ ଥରେ ଆତ୍ମ–ପ୍ରଶଂସାରେ ମସ୍‌ଗୁଲ୍‌ ହେଇଛି–ମୁଁ ସେଇ ବଡ଼ ବାବୁଠାରୁ ନିଶ୍ଚୟ ଊର୍ଦ୍ଧ୍ୱରେ । କାରଣ ତା’ର ଭୟ ଅଛି–ସେ କିମ୍ବା ତା’ର ଅପକୀର୍ତ୍ତି କାଳେ ଲୋକଙ୍କ ଆଗରେ ଧରାପଡ଼ିଯିବ; କିନ୍ତୁ ମୋର କିଛି ନାହିଁ । ମୋର ଯେହେତୁ କୀର୍ତ୍ତି ନାହିଁ, ଅପକୀର୍ତ୍ତିକୁ ଡରିବାରେ ବି କିଛି ମାନେ ନାହିଁ । ମୁଁ ଏବଂ ମୋର ଜୀବନ...ଏବଂ ବଞ୍ଚିବା ପାଇଁ, ଜୀବନକୁ ଦେହ ଭିତରେ ଭିଡ଼ିଓଟାରି କିଛି ଦିନ ବନ୍ଦୀ କରି ରଖିବା ପାଇଁ ପାଥେୟ–ଶବ ଅନ୍ୱେଷଣ ।

 

ଏହି ବଞ୍ଚିବା ପାଇଁ ତା’କୁ ଏକ ନୂତନ ସ୍ୱାଦର କଷଣକୁ ମାନିନେବାକୁ ପଡ଼ିଛି । ସେ ରାସ୍ତାରେ ଶବ ଅନିଷା କଲେ କେବେ ତା’ ପଛରେ ବିଦ୍ରୂପର ସ୍ୱର–ଝଙ୍କାର ଶୁଭୁଛି–’‘ହେଇଟି, ଶବବିକାଳି ଯାଉଛି ।’’ ସେ ଦେଖିଛି, ରାସ୍ତା ଉପରୁ ଧୁଳି ଖେଳୁଥିବା ପିଲାମାନଙ୍କୁ ଭିଡ଼ିନେଇ ସେମାନଙ୍କ ମା’ କିମ୍ବା ବନ୍ଧୁମାନେ ଘରେ କିଳିଣି ଦେଇ ଦ୍ୱାର ବନ୍ଦ କରିଛନ୍ତି । ପିଲାଟିଏ କାଳେ ନରିଆ ଛାଇପାତରେ ଡରିଯାଇଥିବ କହି ତା’ ପାଇଁ ଝଡ଼ାଫୁଙ୍କାର ଆୟୋଜନ ହୋଇଛି । ତା’ ଅଣ୍ଟାରେ କିବା ବାହୁରେ ତାନ୍ତ୍ରିକର ମନ୍ତୁରା କବଚ ଶୋଭାପାଇଛି । ତଥାପି ବି ନରିଆ ଏଥିରେ ତିଳେହେଲେ ବିବ୍ରତ ହୋଇନି; ବରଂ ଦୃଢ଼ ହୋଇଛି–ବଞ୍ଚିବାକୁ ହେଲେ ମଣିଷ ଯେକୌଣସି ଉପାୟର ଆଶ୍ରୟ ନେଲେ ବି ସିଏ ତା’ର କର୍ମ, ଅପକର୍ମ ନୁହେଁ ।

 

ରାତି ରାତି ଉଜାଗର ରହି ନରିଆ ମଶାଣିରେ ଶବ ଅଣ୍ଡାଳେ; ଡାହାଣୀ, ପେତିନି, ପିଶାଚୁଣୀ, ବିଲୁଆମାନଙ୍କ ସହ ଏକ ହୋଇ ଶବର ଅନିଷା କରେ । ସେ ଅନେକଥର ବିଲୁଆ ମୁହଁରୁ ସଦ୍ୟ ଶବ ଛଡ଼ାଇ ଆଣିଛି । ହାତ ଖଣ୍ଡେ କି ଗୋଡ଼ ଖଣ୍ଡେ ଯଦି ବିଲୁଆ ଦାନ୍ତରେ ନଷ୍ଟ ହୋଇଛି ସେଥିପାଇଁ ସେ ଶସ୍ତା ଦରରେ ଶବକୁ ବିକ୍ରି କରିଛି କିମ୍ବା ଶବକୁ ଫେର୍‌ ସମାଧି ଦେଇ ତା’ର ମାଂସଗୁଡ଼ାକ ପଚିସଢ଼ି ଗଲା ପରେ ହାଡ଼ଗୁଡ଼ିକ ଦି’ ଚାରି ଅଣା ପଇସାରେ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ବିକିଛି; କିନ୍ତୁ ସେ ଜାଣିପାରିନି ଶ୍ମଶାନରେ ଭୟ କ’ଣ, ଜୀବନରେ ମୃତ୍ୟୁ କ’ଣ । ଯେଉଁଦିନ ସଦ୍ୟ ଶବର ଅଭାବ ପଡ଼ିଛି ସେ ମଶାଣି–ମଣିଷର ହାଡ଼, ଖପୁରୀ ଗୋଟାଇଛି, କୁଶୁ ସାହାଯ୍ୟରେ ତାକୁ ସଫାସୁତୁରା କରିଛି ଏବଂ ବିକ୍ରିପରେ କିଛି ପଇସା ବି ପାଇଛି; କିନ୍ତୁ ଆଜି କାହିଁକି ତା’ ମନ ପିକା ପଡ଼ିଯାଇଛି, ମଶାଣିକୁ ଯିବାପାଇଁ ଅହେତୁକ ଭୟମାଡ଼ୁଛି ।

 

ଏମିତି ଯାଯାବର ପରି ସେଦିନ ସନ୍ଧ୍ୟାରେ ବୁଲୁ ବୁଲୁ ସେ ସେଇ ନୀଳ ରଙ୍ଗର ଦି’ ତାଲା କୋଠା ସାମନାରେ ହଠାତ୍‌ ଛିଡ଼ା ହୋଇଗଲା । ସେ କୋଠାରୁ କେଇଟି ନାରୀ ଓ ପୁରୁଷର ବିକଳ କ୍ରନ୍ଦନ ଭାସିଆସୁଛି । ଅନ୍ୟଘରୁ ଯଦି ଏମ୍‌ତି କ୍ରମେ ଭାସିଆସନ୍ତା ସେ ନିଶ୍ଚୟ ଅଜଣାରେ ଖୁସି ହୁଅନ୍ତା । ସେ ସେଠି ଦଣ୍ଡେ ଛିଡ଼ାହେଲା । ଖବର ସଂଗ୍ରହ କଲା–ସେଇ ଝିଅଟି, ଡଉଲଡାଉଲ ଝିଅଟା–ଲୀନା–ଚାଲି–ଗଲା ।

 

ଲୀନା । ଅନେକ ବ୍ୟଥାଦାୟକ ସ୍ମୃତିରେ ଏକମାତ୍ର ମଧୁର ଆଳାପନୀ । ଲୀନା (ନରିଆ ମତରେ) ମଣିଷ ନୁହେଁ । କାରଣ, ସେ ମଣିଷକୁ ଘୃଣା କରିବା ଶିଖିନି । ନରିଆକୁ ଶବବିକାଳି ବୋଲି ଡରିନି କିମ୍ବା ତାକୁ ବିଦ୍ରୂପ କରିନି । ଲୀନା ଏକ ଜୀବନ୍ତ ଦେବୀର ମୂର୍ତ୍ତି । ନରିଆର ଇଚ୍ଛାହେଲା ସେ ଦୌଡ଼ିଯାଇ ଲୀନାକୁ ଶେଷଥର ପାଇଁ ଆଖିପୂରେଇ ଦେଖନ୍ତା; କିନ୍ତୁ ମଣିଷ ତା’ ବାଟ ଓଗାଳିବ । ତାକୁ ଧିକ୍‌କାରିବ ।

 

ନରିଆକୁ ମାଟିର ଇଲାକା ଆକାଶର ମେଘିଳ ଅନ୍ଧାର ପରି ଦିଶିଲା । ସେ ଆଗକୁ ଚାଲିଲା । ଏଠି ଠିଆହୋଇ ରହିଲେ ବିପଦ । ଆଜି ତାକୁ ନିହାତି ଏକଲା ଲାଗୁଛି । ଭୟ ବି । ସେ ଜାଣିପାରୁନି ଏଇ ଭୟର ହେତୁ କ’ଣ ? ତା’ ପଛରେ କୋଳାହଳ–‘ରାମ ନାମ ସତ୍ୟ ହେ...ହରି ନାମ ସତ୍ୟ ହେ...’ ହଁ, ମାଲଭାଇମାନେ ଲୀନାର ଶବ କାନ୍ଧେଇ ମଶାଣି ଆଡ଼କୁ ମାଡ଼ି ଯାଉଛନ୍ତି । ନରିଆ ହଠାତ୍‌ ଲତା ଗହଳରେ ଲୁଚିଗଲା ।

 

ଶବବାହକମାନେ ବହୁତ ଆଗରେ । ନରିଆ ସେମାନଙ୍କ ପଛେ ପଛେ ଚାଲିଲା । ତା’ର ହରଷ ନାହିଁ । ଯଦିଚ ସେ ସଦ୍ୟ ଶବଟିଏ ପାଇବ ସବୁ ଖାଁ ଖାଁ, ସାଦା ସାଦା । ସେ ହସ୍‌ପିଟାଲକୁ ଗଲା । କୁଶୁକୁ ଅନୁରୋଧ କଲା–‘‘ମୋତେ ଆଜି ଭାରି ଡରମାଡ଼ୁଛି । ମୋ ସହିତ ମଶାଣିକୁ ଯିବୁ...-?’’

 

‘‘ନା, ମୁଣ୍ଡ ବିକିଛି ପରା ! ଡ୍ୟୁଟି ଛାଡ଼ି ଯାଇହେବନି ।’’ ନରିଆ ତାକୁ ବେଶୀ ଫୁସୁଲେଇବାକୁ ପସନ୍ଦ କଲାନି । ସେ ଏକୁଟିଆ ଚାଲିଲା । ନିର୍ଜନ ମଶାଣି ପଠା । ଏ କୂଳରେ ରୁପା ପାତିଆ ପରି କୁନି ନଈଧାରଟିଏ ବହିଚାଲିଛି । ଲୀନାର ସମାଧି ଆବିଷ୍କାର କରିବା ତା’ ପକ୍ଷେ କଷ୍ଟ ହେଲାନି । କାରଣ ଗୋଟିଏ ବାଲିର ସ୍ତୂପ ନିକଟରେ ଦଳେ ବିଲୁଆ ଠିଆହୋଇ କିଛି ଶୁଘିଂବାରେ ଲାଗିଛନ୍ତି । ସେ ବିଲୁଆଗୁଡ଼ାକ ହୁରୁଡ଼େଇ ଦେଲା । ଆଣ୍ଠୁମାଡ଼ି ଏକା ନିଃଶ୍ୱାସରେ ବାଲି ଖୋଳିଲା । ତା’ର ମନେହେଉଛି, ସେ ପାହାଡ଼ ଖୋଳୁଛି, ହଜିଯାଇଥିବା ମଣିହାର ପାଇବା ପାଇଁ । ଲୀନାର ମୃତ ଶରୀର, ଫାଳିକିଆ ଜହ୍ନ ଆଲୁଅରେ ଲୀନା ମନଲୋଭା ଦିଶୁଛି । ଦି’ଟା ଘୁମନ୍ତ ଆଖି, ଜ୍ୟୋତ୍ସ୍ନାସ୍ନାତ କୁନି ମୁହଁଟିଏ । ସାଇଁ ସାଇଁ ଅନ୍ଧକାର, ଅଜବ୍‌ ଖନିନରେ ନରିଆର ନିଶବ୍‌ଦ ସ୍ପନ୍ଦନ ପ୍ରତିଧ୍ୱନିତ ହେଉଥିଲା । ଲୀନାର ଶବ ହେହରୁ ଧୂଳି, ମଳି ସଫା କଲା । କାନ୍ଧରେ ଝୁଲେଇ ପଛକୁ ଫେରୁଥିଲା । ଫେର୍‌ ଆଗକୁ ଲେଉଟିଲା–ନାଁ, ୟାକୁ ସେ ସାମାନ୍ୟ ପଇସା କେତୋଟି ପାଇଁ ବିକ୍ରି କରିପାରିବନି । ଲୀନାକୁ ସେ ଜାଳିଦେବ, ପୋଡ଼ିଦେବ, ଭସ୍ମ କରିଦେବ; ଏ ନଦୀର ସ୍ରୋତରେ ସେ ପାଉଁଶ ମୁଠାକ ଭସେଇଦେବ । ତାପରେ...ଲୀନା ଜୀବନର ଜଟିଳ ଛନ୍ଦରୁ ମୃତ୍ୟୁର ବନ୍ଧନରୁ ମୁକ୍ତି ହେବ ।

 

ନରିଆକୁ ଯେମିତି ସ୍ୱର୍ଗ ମିଳିଛି । ଶବକୁ କାନ୍ଧରେ ଝୁଲେଇ ନଈତଟରେ ଶୁଖିଲା ଥୁଣ୍ଟା ବୃକ୍ଷମାନଙ୍କରୁ ଶାଖା, ପ୍ରଶାଖା, ପତ୍ର, ବକଳ ଆଦି ସଂଗ୍ରହ କଲା । ଶ୍ମଶାନରେ ନିରୋଳା କୋଣରେ ଯୁଇ ଜାଳିଲା । ଲୀନାକୁ ସେ ପୋଡ଼ିବ ? ତାକୁ ନିରେଖି ଚାହିଁଲା । ସେଇ ଓଠ–ଯାହା କାନ୍ଦୁଣୁମାନ୍ଦୁଣୁ ହୋଇ ବୋଉଠି ଅଳି କରୁଛି–‘‘ବୋଉ, ପାଣି ମୁନ୍ଦେ ଦେ । ଲୋକଟି ମାଗୁଛି ।’’ ସେ ପିଇବା ଲୋକଟି ନରିଆ । ଦିନେ ରାସ୍ତାରେ ଚାଲୁ ଚାଲୁ ସେ ସଂଜ୍ଞାହୀନ ହେଲା, ସଂଜ୍ଞା ଫେରିବା ପରେ ପରେ ସେ ପାଣି ପାଇଁ ଚିତ୍କାର କରିଥିଲା । ଲୋକମାନେ ନାକଟେକି ଚାଲି ଯାଇଥିଲେ । ଆଉ ଲୀନା ପାଣି ଗ୍ଲାସେ ଧରି ଘରୁ ଦୌଡ଼ିଆସିଥିଲା । ତା’ ବୋଉ ପଛରୁ ଡାକ ଛାଡ଼ୁଥିଲେ–‘‘ଝିଅ, ଯା’ନି ।’’ ଲୀନା ମନା ମାନି ନ ଥିଲା । ଛାଟିପିଟି ହୋଇଥିଲା । ଏଇ ଲୀନାକୁ ସେ ପାଉଁଶ କରିବାକୁ ଯାଉଛି । ତା’ ଅନ୍ତରମଣିଷ ତାକୁ ମନା କରୁଥିଲା ।

 

ରାତି ଜଳୁଛି । ଚିତା ବି ଜଳୁଛି । ନରିଆ ଲୀନା ମୁହଁରେ ହାତ ବୁଲେଇ ଆଶିଲା । ଶୀତଳ ଶରୀର । ଯୁଇ ହୁତ୍‌ହୁତ୍‌ ଜଳୁଛି ।

 

ନରିଆ ଲୀନା କପାଳରେ ବୋକ ଖାଇଲା । ସର୍ବାଙ୍ଗ ବରଫ ।

 

ଲୀନା ଜଳିଯିବା ମୁହୂର୍ତ୍ତ ପାଖେଇଆସୁଛି । ନରିଆ ଆଖିଆଗରେ ସେ ଜଳିଯିବ ! ଜୀବନ ପାଖରେ ମୃତ୍ୟୁର ମରଣ ହେବ । ଆଦିଶକ୍ତି ଆକାଶର ସୁବିସ୍ତୃତ ମଶାଣି ଭୂଇଁରେ । ମଲା ଜହ୍ନର ଫିକା ଜ୍ୟୋତ୍ସ୍ନାରେ ଏବଂ ଜଳନ୍ତା ଚିତାର ଅଗ୍ନି ଉତ୍ସବରେ ଅଶରୀରୀ ଅନ୍ଧାରର ରାଜତ୍ୱ ବ୍ୟାପିଗଲା ।

 

ଅଗ୍ନିର ବଳୟ ଭିତରେ ଲୀନା ଶୋଇଗଲା । ନରିଆର ଆଖିରେ ଖାଲି ଅନ୍ଧାର ଆଉ ଅନ୍ଧାରର ଭୂତ ନାଚିବାରେ ଲାଗିଲା ।

Image